Bharatabandhu Biswal

Tragedy Inspirational

3.4  

Bharatabandhu Biswal

Tragedy Inspirational

ସହି ସହି ଏ ଛାତି ପଥର

ସହି ସହି ଏ ଛାତି ପଥର

3 mins
214



ଏଇ କିଛି ବର୍ଷ ତଳର କଥା । ବୈଶାଖ ମାସିଆ ଖରାଦିନ । ପିଲାଙ୍କ ସ୍କୁଲ କଲେଜ ବନ୍ଦ ହେବାରୁ ମୁଁ ଗାଆଁକୁ ସପରିବାର ଛୁଟି କଟାଇବାକୁ ଆସିଥାଏ । ମଧ୍ୟାହ୍ନ ଭୋଜନ ସାରିବା ପରେ ମୁଁ ଟିକେ ଆମ ଗାଆଁ ମେଲଣ ପଡିଆକୁ ଲାଗିଥିବା ମଙ୍ଗଳା ମନ୍ଦିର ଆଡ଼େ ଘେରାଏ ବୁଲି ଆସିବାକୁ ବାହାରିଲି । ଅସ୍ୱ।ଭାବିକ ଲାଗୁଥିଲେ ବି ଏଇଟି ହେଉଛି ମୋର ପିଲାଦିନର ଅଭ୍ୟାସ । ବୋଉ ଯେତେ ଗାଳି କଲେ ବି ପିଲାଦିନେ ଉଦୁଉଦିଆ ଖରାବେଳେ ମୋ ଆଖିକୁ ମୋଟେ ନିଦ ଆସେନା । ପାଠପଢା ବାହାନାରେ ବହିଖାତା ଖଣ୍ଡେ ଧରି ଆମ୍ବତୋଟା ନହେଲେ ମଙ୍ଗଳା ମନ୍ଦିରରେ ବେଶ୍ କଟିଯାଉଥିଲା ସମୟ । ନାଁ ଏବେ ଅଛି ସେ ଆମ୍ବତୋଟା କି ସେ ସବୁଜ ଶୀତଳ ଛାୟା, ନାଁ ଶୁଭୁଚି ସୁଲୁସୁଲିଆ ପବନରେ ଆଉ ସୁନ୍ଦର ମହକଭରା କୋଇଲିର ମିଠା ମିଠା କୁହୁ କୁହୁ ସ୍ୱନ ।


ଏମିତି ପିଲାଦିନର ସୁମଧୁର ସ୍ମୃତି ଚାରଣ କରୁ କରୁ ଯାଇ ପହଞ୍ଚି ଯାଇଥିଲି ମାଆ ମଙ୍ଗଳା ମନ୍ଦିର ନିକଟରେ ।ନୂଆ କରି ସୁଦୃଶ୍ୟ ଭାବେ ଏଇ କିଛି ବର୍ଷ ହେଲା ଦେଉଳ ଓ ତାର ବେଢ଼ା ତିଆରି ହୋଇ ଗ୍ରିଲ ଏବଂ ବିଦ୍ୟୁତ୍ ପଙ୍ଖା ଲାଗି ଗଲାଣି । ପିଲା ମାନଙ୍କ ଗହଳି ଏବେ ବି ଆଗପରି ରହିଛି । ଜଣେ ୨୪/୨୫ବର୍ଷ ପିଲାକୁ ଘେରି ଗୁଡ଼ିଏ ପିଲା ବସି ହସଖୁସିରେ ମାତି ଥିବା ଦେଖିଲି । ପଚାରି ବୁଝିଲି ତା ନାଆଁ ନରେନ୍ଦ୍ର, ଶ୍ରଦ୍ଧାରେ ତାକୁ ନରି, ନରିଆ ବୋଲି ଡାକନ୍ତି ।ସେ କୁଆଡେ ନୟାଗଡ଼ ଅଞ୍ଚଳରୁ ଆସିଥାଏ । ପ୍ରତି ମାସେ ଦୁଇ ମାସରେ ଥରେ ଏମିତି ଗାଆଁକୁ ଆସି କିଛିଦିନ ରହିଥାଏ । ସିଏ ସମସ୍ତଙ୍କୁ ନିଜେ କହେ ଯେ ସେ କୁଆଡେ ଜନ୍ମାନ୍ଧ । ତାର ଦରଦଭରା କଣ୍ଠରେ ସୁନ୍ଦର ଭଜନ ଜଣାଣ ଶୁଣିଲେ ଯେ କେହି ବି ବିମୋହିତ ହୋଇପଡିବ । ସେ ବାଡିଟିଏ ଠୁକୁ ଠୁକୁ କରି ଗାଆଁରେ ଆସି ପହଞ୍ଚିଗଲେ, ସମସ୍ତ ଙ୍କ ମନ ଆନନ୍ଦରେ ନାଚି ଉଠେ । ସନ୍ଧ୍ୟା ବେଳୁ ମନ୍ଦିର ପ୍ରାଙ୍ଗଣରେ ଗହଳି ଲାଗିଯାଏ । ପିଲାମାନେ ନିଜ ନିଜ ଘରୁ ଭଲଭଲ ଖାଇବା ପିଇବା ଜିନିଷ ଆଣି ନରିଆକୁ ଦେଇଥାନ୍ତି ।

ପିଲାମାନଙ୍କ ଠାରୁ ନରିଆ ବିଷୟରେ ଏତେ ସବୁ ଜାଣିବାପରେ ମୋ ମନରେ ବି ଅହେତୁକ ଆଗ୍ରହ ସୃଷ୍ଟି ହେଲା । ମୁଁ ତା ନିକଟକୁ ଯାଇ ବସିଲି,ତାକୁ ତନ୍ନ ତନ୍ନ କରି ନିରୀକ୍ଷଣ କଲି ।ତାକୁ ପଚାରିଲି- ନରେନ୍ଦ୍ର ,ଆମ ଗାଆଁ ତୁମକୁ କେମିତି ଲାଗୁଛି ?

ସେ ହସି ହସି କହିଲା- ଆଜ୍ଞା, ମୋତେ ଏଠି ବହୁତ ଭଲ ଲାଗେ । ମୁଁ ମଧ୍ୟ ଏଇ ଗାଆଁର, ଆପଣଙ୍କ ନିଜ ପୁଅଟିଏ ପରି ।

ତା କଥା ମୋର ହୃଦୟ ସ୍ପର୍ଶ କଲା । ମୁଁ ପୁଣି ପଚାରିଲି-ତୁମର ବାପା ମାଆ ଅଛନ୍ତି?

ସେ ମାଆ ମଙ୍ଗଳା ଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇ କହିଲା-ଦେଖୁନାହାନ୍ତି,ମୋ ମାଆ କେମିତି ମଥାରେ ସିନ୍ଦୂର ବୋଳିହୋଇ ହସି ହସି ମୋତେ ଚାହିଁ ରହିଛି ।

ପିଲାଟିର ଭାବାବେଗ ଏବଂ ଅର୍ନ୍ତଦୃଷ୍ଟି ଯେ ଖୁବ୍ ତୀବ୍ର ତାହା ମୋତେ ଯେତିକି ଆଶ୍ଚର୍ଯ୍ୟ ଚକିତ କଲା,ତା ବିଷୟରେ ଅଧିକରୁ ଅଧିକ ଜାଣିବାକୁ କୈ।ତୂହଳ ଜାଗ୍ରତ ହେଲା ।

ମୁଁ ତାକୁ ପଚାରିଲି- ତୁମେ ଘର ଛାଡ଼ି ଏକୁଟିଆ ଏତେ ଆଡ଼େ ବୁଲାବୁଲି କରୁଛ, ତୁମକୁ ଡର ଭୟ ଲାଗୁନି । ତୁମେ ଏତେ ସାହସୀ କେମିତି ହୋଇପାରିଲ? 

ସେ କହିଲା- ଶୁଣନ୍ତୁ ଆଜ୍ଞା,ମୋତେ ୫/୭ବର୍ଷ ହୋଇଥାଏ,ଏମିତି ଦିନେ ଖରାବେଳେ ମୋ ମାଆଙ୍କ କୋଳରେ ମୁଁ ବସିଥାଏ । ମାଆଙ୍କୁ ପଚାରିଲି- ମାଆ,କି ପ୍ରଚଣ୍ଡ ଗରମ ହେଉଛି,ପ୍ରବଳ ଗ୍ରୀଷମ ତାତି *ଆଉ କେତେ ଦିନ ଏମିତି କଷ୍ଟ ଦେବ ? ସହି ସହି ଅସହ୍ୟ ଲାଗିଲାଣି !**

ଶୁଣିବେ ଆଜ୍ଞା, ମୋ ମାଆ କଣ ମୋତେ କହିଥିଲେ ।

ହଁ- ହଁ- କୁହ ନରେନ୍ଦ୍ର, ମୁଁ ତୁମ କଥା ଶୁଣୁଛି ।

ମୋ ମାଆ ମୋର ମୁଣ୍ଡକୁ ଧିରେ ଆଉଁସି ଦେଇ ମୋତେ କହିଲେ-

ଧନ, ମୁଁ ସବୁବେଳେ ତୋର ପାଖେ ପାଖେ ହିଁ ଅଛି,ତୁ ମୋତେ ଯେଉଁଠି ଯେତେବେଳେ ଡାକିବୁ ମୁଁ ନିଶ୍ଚୟ ଓ ବୋଲି କହି ଜବାବ ଦେବି । ତୋ ଶ୍ରମ ଝାଳକୁ ମୋ ପଣତକାନିରେ ପୋଛିଦେବି ।ତୋ ଦୁଃଖ କଷ୍ଟକୁ ନିଶ୍ଚୟ ନିବାରଣ କରିବି । ଏତ ଟିକିଏ ଖାଲି ଖରାର କଥା, ମୋ ଧନଟା ଛାତିକୁ ତାର ପଥର ପରି ଟାଣ କରି ଶିଖିବ, ଜୀବନରେ କେଡ଼େ କେଡ଼େ କଷ୍ଟକୁ ବି ହସି ହସି ସହିବ ।

ତାକୁ ପଚାରିଲି- କାହିଁ, ତୁମ ମାଆଙ୍କୁ ସଙ୍ଗରେ ଧରି ଆସିଲନି ?

ନରେନ୍ଦ୍ର ମୁହଁରେ ଟିକେ ସ୍ମିତ ହସ ଖେଳାଇ କହିଲା-ମାଆ ମୋର ଏବେ ସର୍ବ ଘଟେ ବିଦ୍ୟମାନ-ମାଆ ମୋର ସର୍ବମଙ୍ଗଳା-ଶୂନ୍ୟଦେହୀ ।

ସ୍ୱତଃଫୁର୍ତ୍ତ ଭାବେ ତା କଣ୍ଠରୁ ନିସ୍ରବି ଉଠିଲା ସୁମଧୁର ଭକ୍ତି ସଙ୍ଗୀତ-

ମାଆ ମୋର ସର୍ବମଙ୍ଗଳା

ହାତରେ ପିନ୍ଧିଛି ନାଲି ଶଙ୍ଖାଚୂଡି

ପିନ୍ଧିଛି ପାଟ ଶାଢ଼ୀ ସେ କଳା ।

ମାଆ ମୋର ସର୍ବମଙ୍ଗଳା ।

ମୋର କଣ୍ଠ ବାଷ୍ପରୁଦ୍ଧ ହୋଇଗଲା ।ତାର ଦୃଢ଼ ଆତ୍ମବିଶ୍ୱାସ, ଦିବ୍ୟ ଅର୍ନ୍ତଦୃଷ୍ଟି ଏବଂ ସୁନ୍ଦର ସଚେତନତା ମୋତେ ବିମୁଗ୍ଧ କରିଦେଲା ।ସେ ଦିବ୍ୟାଙ୍ଗ ଏବଂ ପ୍ରକୃତରେ ଭାଗ୍ୟବାନ । ମୁଁ ସ୍ନେହରେ ତା ମୁଣ୍ଡଟିକୁ ଆଉଁସି ଦେଲି ଏବଂ ଜଗଜ୍ଜନନୀ ମାଆ ସର୍ବମଙ୍ଗଳାଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କଲି । ମନେ ମନେ ଭାବୁଥିଲି- କୃପାମୟୀ ମାଆ ସଂସାରରେ ଚକ୍ଷୁଷ୍ମାନ ଲୋକମାନଙ୍କୁ ନରେନ୍ଦ୍ର ପରି ଧୈର୍ଯ୍ୟ ଟିକିଏ ଦେଇଥିଲେ, ଦୁଃଖ କଷ୍ଟ ବୋଲି କିଛି ଯନ୍ତ୍ରଣା ନଥାନ୍ତା, ଏ ପୃଥିବୀ ସ୍ୱର୍ଗ ଠାରୁ ବି ଅଧିକ ସୁନ୍ଦର ହୋଇଥାନ୍ତା ।


  



Rate this content
Log in

Similar oriya story from Tragedy