Satyabati Swain

Tragedy

3  

Satyabati Swain

Tragedy

ଶେଷ ପୃଷ୍ଠା ଖୋଜୁଛି

ଶେଷ ପୃଷ୍ଠା ଖୋଜୁଛି

10 mins
234


ଶେଷ ପୃଷ୍ଠା ଖୋଜୁଛି


କେଉଁଠୁ ଆରମ୍ଭ କରିବି ! 


ଶେଷରୁ !


ଶେଷ ! ମୋ ଜୀବନର ତ କେବଳ ଆରମ୍ଭ ପୃଷ୍ଠା ଅଛି।ଶେଷ କାହିଁ ଯେ ! ଯେତେ ଚାହୁଁଛି ଶେଷ କରିଦେବି ମୋ ଜୀବନ କାହାଣୀ ; କିନ୍ତୁ ପାରୁଛି କେଉଁଠି? କେବଳ ତ ଆରମ୍ଭ ହେଉଛି ।କେବେ ନୂଆ ସମ୍ପର୍କ, ନୂଆ ଅନୁଭୂତି, ନୂଆ ଯନ୍ତ୍ରଣା ,ନୂଆ ଶୋଷ।ଡଙ୍କେଇ ଯାଉଛି ଜୀଇଁବା ଅଦ୍ଭୁତ ଭାଵ,ଭାବନାକୁ ନେଇ। 


ମୁଁ ରାସ୍ତାରେ ଚାଲୁ ନାହିଁ।ରାସ୍ତା ମୋତେ ତା ବାଗରେ ଚଳେଇ ନେଉଛି। ଗତି ଉପରେ ମୋର ଆୟତ୍ତ କାହିଁ?

ଗତି କିନ୍ତୁ ମୋତେ ଆୟତ୍ତ କରିଛି।


କେତେ ଅଭିନୟ କରୁଛି ! ସଂଘର୍ଷ କରୁଛି ନିଜ ଅସ୍ତିତ୍ୱ ପାଇଁ ,ବଞ୍ଚିବା ପାଇଁ।ସ୍ନେହ ପ୍ରେମ ମମତା ଭଲ ପାଇବା ପାଇଁ କେତେ ଆକୁଳ ହେଉଛି।


ମା ପେଟରୁ ସଂଘର୍ଷ ମୋର।ଅସାବଧାନତା ଗର୍ଭ ସଞ୍ଚାର ଜାଣିଲା ପରେ ମୋ ବାପାମା ମୋତେ ନଷ୍ଟ କରିବାକୁ ବସିଲେ।ଦୁଇ ଝିଅ ଓ ଦୁଇ ପୁଅ ଥିଲେ ଯେଣୁ।ଅଭାବୀ ସଂସାରରେ ଆଉ ଗୋଟିଏ ପିଲା ବୋଝ ସେମାନେ ମୁଣ୍ଡେଇ ବାକୁ ଚାହୁଁନଥିଲେ।ଏଣୁ ଅବାଞ୍ଚିତ ଗର୍ଭକୁ ନଷ୍ଟ କରିବା ପାଇଁ ମେଡ଼ିସିନ୍ ଖାଇଲେ।କିନ୍ତୁ ଆଶ୍ଚର୍ଯ୍ୟ ମେଡ଼ିସିନ୍ କିଛି କାମ କଲାନି।ଛଅ ମାସ ପରେ ଡାକ୍ତରୀ ପରୀକ୍ଷା କଲାରୁ ନଷ୍ଟ ପରିବର୍ତ୍ତେ ମୁଁ ଅବାଞ୍ଚିତ ଦିନ ଗଣୁଥିଲି ଦୁନିଆଁ ଆଲୋକ ଦେଖିବାକୁ।ନଷ୍ଟ ହେବା ଅବସ୍ଥାରେ ଆଉ ନଥିଲି । ବାଧ୍ୟ ହୋଇ ଦୁନିଆଁ ଆଲୋକ ମୋତେ ଦେଖେଇଲେ ମୋ ବାପା ମା।


ଅବାଞ୍ଚିତ ପୁଣି ଝିଅ ! ସେଥିରେ ମେଡ଼ିସିନ୍ ରିଆକ୍ସନ୍ କରି ଦେହ ସାରା ଫୋଟକା !


ପୁଅଟିଏ ହୋଇଥିଲେ ଅବା କୁନ୍ଥେଇ ମୁନ୍ଥେଇ ଯତ୍ନ ନେଇଥାନ୍ତେ। କିନ୍ତୁ ଝିଅଟିଏ ପୁଣି ଫୋଟକା ଫାଟି ଘା ଦେହସାରା। କେହି ଯତ୍ନ ନେଲେ ନାହିଁ।ଜନ୍ଦା ପିମ୍ପୁଡି ଲାଗିଗଲେ ଦେହ ସାରା।ତଥାପି ସବୁ ପ୍ରତିକୂଳତା ସତ୍ତ୍ୱେ ମୁଁ ବଂଚିଲି।


ନା ଜାତକ ନା ନାମ କରଣ ନା ଏକୋଇଶିଆ କିଛି ମୋର ହୋଇ ନଥିଲା।ରାଶି ନାହିଁ କି ଜାତକ।ରୋଗିଣା ଶରୀର ନେଇ ମୁଁ ବଢିଲି।ବୁଦ୍ଧିହେଲାରୁ ଯେତେବେଳେ ମୋ ଜନ୍ମ ଜାତକ କଥା ଜାଣିଲି, ଖୁବ୍ କଷ୍ଟ ହେଲା। ମୁଁ କାହାର ନୁହେଁ ମୋର କେହି ନାହିଁ ଏ ଭାବନା ମୋତେ ନିଃସଙ୍ଗ ଜୀବନ ଟିଏ ଉପହାର ଦେଲା। ବେଶୀ କଥା କି କାହା ସଙ୍ଗେ ମିଳା ମିଶା କରିବାକୁ ମୋତେ ଭଲ ଲାଗିଲା ନାହିଁ।


ସ୍କୁଲ ଗଲି। ବହିଟିକୁ ମୋ ଜୀବନର ବେଷ୍ଟ୍ ଫ୍ରେଣ୍ଡ୍ ଭାବେ ଧରିନେନେଲି। ବହି ହୋଇଗଲା ମୋର ଦୁନିଆଁ।ପଞ୍ଚମ ଓ ସପ୍ତମ ଶ୍ରେଣୀ ରାଜ୍ୟରେ ପ୍ରଥମ ହୋଇ ସ୍କଲାରସିପି ପାଇଲା ପରେ ମୋ ପ୍ରତି ବାପା ଟିକେ ଆଶାବାଦୀ ହେଲେ ଯେ ଦୁନିଆଁ କୁ ଆଣିବାକୁ ଚାହୁଁ ନଥିବା ପିଲାଟି ହୁଏତ ତାଙ୍କ ନାଁ ରଖିବ।ସେ ମୋତେ ଭଲ ପାଇବା ଆରମ୍ଭ କଲାବେଳକୁ ହାର୍ଟ ଆଟାକରେ ସେ ପୁର ଯାତ୍ରୀ ହେଲେ। ତାଙ୍କ ପରେ ପରେ ମା ବି ବାପାଙ୍କ ପାଖକୁ ଚାଲିଗଲେ।


ଏମିତିରେ ପୁରା ଏକୁଟିଆ ହୋଇଗଲି । ଭାଇ ଭାଉଜଙ୍କ ପାଖେ କଟିଲା ମୋ ଜୀବନ। ଶ୍ୟାମର ସାହାଯ୍ୟ, ଟିଉସନ୍ ଓ ସ୍କଲାରସିପି ପଇସାରେ ପ୍ଲସ୍ ଥ୍ରୀ ଯାଏ ପଢି ପାରିଲି।


ଭଲ ପାଇବା ରଙ୍କୁଣୀ ଟା ମୁଁ।ମୋ ଜୀବନରେ ମାତ୍ର ଦୁଇଜଣ ଥିଲେ ମୋର ସାଙ୍ଗ। ସଂଜୁ ଓ ଶ୍ୟାମ । ଶ୍ୟାମ ମୋର ଖୁବ୍ ଖିଆଲ ରଖେ।କାଳି, କଲମ,କାଗଜ ମୋ ପଢିବା ପାଇଁ ଯୋଗାଉଥିଲା। ଭଲ ପଢ଼ୁଥିଲି ବୋଲି ଖୁବ୍ ପସନ୍ଦ କରୁଥିଲା।ସଂଜୁ ମୋର ଏକମାତ୍ର ବାନ୍ଧବୀ ଥିଲା,ଯାହା ଆଗେ ମୁଁ ଖୁବ୍ ସହଜ ହୋଇ ପାରେ।

 

ଏଇ ନିବିଡ ବନ୍ଧୁତା କ୍ରମେ ମୋ ଭିତରେ ଶ୍ୟାମ ପାଇଁ ପ୍ରେମ ନଈ ହୋଇ ବହିଲା ମୋ ଅଜାଣତେ।ବୟସ ରଙ୍ଗ ଲାଗିଲାରୁ ମୋ ଭିତରେ ଶ୍ୟାମ ପାଇଁ କିଛି ହେବାର ଅନୁଭବ କଲି।ତାର ବ୍ୟବହାରରୁ ଲାଗିଲା ସେ ବି ଠିକ୍ ମୋ ପରି ମୋତେ ଭଲ ପାଉଛି।କିନ୍ତୁ କେହି କାହାକୁ କହି ପାରୁ ନଥିଲୁ ଯେ ଆମ ଭିତରେ ପରସ୍ପର ପ୍ରତି ଫିଲିଙ୍ଗସ୍ ଅଛି।


ଶ୍ୟାମ ମୋ ଗାଲରେ ହାତ ମାରି ଦେଇ କୁହେ,ଇସ୍ କଣ ହୋଇଛି ତୋ ଗାଲ ଦିଟା ,ଚିକକ୍ଣ ସୁନ୍ଦର ! ଆଉ ତୋ ନିରୀହ ଆଖି ! ମ୍ୟାଜିକ୍ ଅଛି ସେଥିରେ। ମସ୍ତ୍ ଚାଲିଟା ବି ପାଇଛୁ।


ଆଛା, ମୁଁ ସତରେ ସୁନ୍ଦର ! 


ହୁଁ ଶହେରୁ ଶହେ।


ମୁଁ ଲାଜରେ ଟିକେ ସ୍ମାଇଲ୍ ଦେଇ ଶ୍ୟାମ ପାଖକୁ ଲାଗିଯାଏ।ଓଃ କରେଣ୍ଟ୍ ଚାଲିଯାଏ ମୋ ଦେହରେ।ବୟସ ଟା ଏତେ ବଦମାସୄ ! ପିଲାବେଳେ ନଦା ନଦି ହେଲେ ତ କିଛି ଫିଲ୍ ହେଉ ନଥିଲା।ନବମ କ୍ଲାସରୁ କିନ୍ତୁ ଏମିତି ମନ ଭିତରେ ହେଉଛି କାହିଁକି ? 


ଦିନେ ପଚାରିଲି ଶ୍ୟାମ ! ଭଲ ପାଇବା କଣ?


ସେ ମୋ ବେଣୀ ଟାଣି ଦେଇ କହିଲା ,କାହିଁକି ତୁ ଚୁପ୍ ସଇତାନୀ କାହାକୁ ମନେ ମନେ ରସୁଛୁ ନା କଣ? ଦେଖିଲେ କେହି କହିବ ନାହିଁ ମାଛିକୁ ମ ନ କହୁଥିବା ଝିଅ ଟି ଭଲ ପାଇବା ପରି ଦୁଃସାହସିକ କାର୍ଯ୍ୟରେ ମନ ଦେଲାଣି! ଖୁବ୍ ତ ଚୁପ୍ ଚାପ୍ ସବୁବେଳେ।କାହାକୁ ପୁଣି ମନଟି ଦେଲୁଣି ମ ?


ଯା ମ ତୋତେ ବା ମୁଁ ଭଲ ପାଉଛି, ଜାଣିନୁ କି?


ସେ ହୋ ହୋ ହସି କହିଲା, ଚୁପ୍ ସଇତାନୀ ସତରେ ତୁ ଆଉ..


ଓଃ କେତେ ସେମିତି ହଉଛୁ ମ।କହୁନୁ ଭଲ ପାଇବା କଣ ?


ତାହେଲେ ତୁ ସିରିଅସ୍ ।ଠିକ୍ ଅଛି ,ଶୁଣ୍ ; ସବୁବେଳେ ଯାହା ମୁହଁ ଆଖି ବୁଜିଲେ ଦିଶେ, ଯାହା କଥା ଭଲ ଲାଗେ,ପାଖରେ ଥାଉ କି ଦୂରରେ ତାକୁ ଅନୁଭବ କରିହୁଏ,ତାକୁ ଦେଖିବାକୁ, ଛୁଇଁବାକୁ ମନ ବ୍ୟାକୁଳ ହୁଏ, ଯାହାର ଖରାପ କଥା ବି ଚନ୍ଦନ ପରି ବାସେ, ଯାହା କଥା ଭାବିଦେଲେ ଦେହରେ ଶିହରଣ ଖେଳିଯାଏ, ତା ପ୍ରେମରେ ତୁ ପଡିଛୁ ବୋଲି ବୁଝିବୁ।


ତୋର ଏମିତି କାହା ପାଇଁ ହୋଇଛି ? ହଁ ମୋର ଗୋଟିଏ ତଳ କ୍ଲାସ୍ ହୋଇ ତୁ ପ୍ରେମରେ, ମୁଁ ଦି ଟା ଉପର କ୍ଲାସ୍ ହୋଇ ପ୍ରେମରେ ପଡିବା ବିଚିତ୍ର କି !!


ସତେ ! ତୁ କାହାକୁ ଭଲ ପାଉ ଶ୍ୟାମ।


ଏବେ ନୁହେଁ, ସମୟ ଆସିଲେ ତୁ ବଳେ ଜାଣିବୁନି।


ମୁଁ ମନେ ମନେ କହି ହେଲି ଓଃ ଏମିତି କଥା।ତୁ ଯେ ମୋତେ ଭଲ ପାଉଛୁ, ଏକଥା ତୁ ନ କହିଲେ ବି ବୁଝି ପାରୁଛି ଶ୍ୟାମ।ଏଥିଲା ମୋର ନବମ ଆଉ ଶ୍ୟାମର ଏକାଦଶ ସରିଲା ବେଳର କଥା।


ଶ୍ୟାମ କହିବା ଅନୁଯାୟୀ ଭଲ ପାଇବା ଲକ୍ଷଣ ସବୁ ମୋଠାରେ ଥିଲା, ଥିଲା ବି ଶ୍ୟାମ ପାଖେ।କୁରୁଳି ଉଠୁଥିଲା ମନ।ମୋ ବେଳକୁ ଦଶମରେ ବୋର୍ଡ଼ ପରୀକ୍ଷା ହେଲା।ସେଇ ପରୀକ୍ଷାରେ ମୁଁ ଖୁବ୍ ଭଲ ନମ୍ବର ରଖିଥିବା ଜାଣି ଶ୍ୟାମ ମୋତେ ଖୁସିରେ କୁଣ୍ଢେଇ ପକାଇଲା।କାରଣ ତାରି ପ୍ରେରଣା ତାରି କାଗଜ,କଲମ ବହି ହିଁ ମୋତେ ଏତେ ନମ୍ବର ଦେବାରେ ସାହାଯ୍ୟ କରିଥିଲା । ସେ ଖୁସିରେ ଯେତେବେଳେ ସମସ୍ତଙ୍କ ଆଗରେ ମୋତେ ଜାବୁଡି ଧରିଲା ମୋ ଦେହ ପୁରା ଝାଳେଇ ଗଲା, ତଣ୍ଟି ଅଠା।ଏକ ବିଚିତ୍ର ଓ ସୁନ୍ଦର ଅନୁଭବ ମୋତେ ଆନମନା କଲା।


ଘରେ ପଢେଇବାକୁ ମନା କରୁଥିଲେ।ଶ୍ୟାମ କିନ୍ତୁ ମୋର ରେଭେନ୍ସା ରେ ନାଁ ଲେଖାଇ ଦେଲା।ଭାଇ ଭାଉଜ ବାଧ୍ୟ ହୋଇ ରାଜି ହେଲେ ବାହାରକୁ ଛାଡିବା ପାଇଁ।ତା ପାଇଁ ମୁଁ କଲେଜ ମାଟି ମାଡି ପାରିଲି।ପ୍ରେମ ସହ ସମ୍ମାନ ବି ଶ୍ୟାମ ପ୍ରତି ମୋତେ ଆହୁରି ଆକ୍ତାମାକ୍ତା କଲେ।ଶ୍ୟାମ ମୟ ହୋଇଗଲା ଏ "ଶ୍ରଦ୍ଧା।"


ପ୍ଲସ୍ ଥ୍ରୀ ଲାଷ୍ଟ୍ ଇଅର୍।ଶ୍ୟାମ ଗ୍ରାଜୁଏସନ୍ ପରେ ଷ୍ଟାପ୍ ସିଲେକ୍ସନ୍ ପାଇଁ ଯାଇ ସେକ୍ରେଟେରିଏଟ୍ ରେ ଦୁଇ ମାସ ହେବ ଜବ୍ ପାଇଥାଏ।ମୋତେ ହଷ୍ଟେଲ ରେ ଦେଖା କରିବାକୁ ପ୍ରାୟତଃ ଆସେ ସେ।ଏମିତି ପଢ଼ିବୁ,ସେମିତି ପରୀକ୍ଷା ପାଇଁ ପ୍ରି ପେଆର୍ ହେବୁ କେତେ କଣ ଉପଦେଶ ଦିଏ। ମୋର ସେ ବେଷ୍ଟ୍ ଫ୍ରେଣ୍ଡ୍ ନୁହେଁ ବେଷ୍ଟ୍ ଗାଇଡ୍ ବି। ଦିନେ ଅଚାନକ ଶ୍ୟାମ କହିଲା, ବୁଝିଲୁ ଶ୍ରଦ୍ଧା ; ଚାକିରୀ ହୋଇଗଲା ପରେ ଘରେ ମ୍ୟାରେଜ ପାଇଁ ରଖେଇ ଥୋଇ ଦେଉ ନାହାନ୍ତି।ତୁ କଣ କହୁଛୁ ? ମ୍ୟାରେଜ କରିଯିବା ଠିକ୍ ହେବ ?


ମୋ ମନରେ ଶ୍ୟାମ କଥା ଶୁଣି ଖୁସି ଗୁଡିକ ହାବୁକା ହାବୁକା ହୋଇ ଫୁଲି ଉଠୁଥାନ୍ତି। ମୁଁ ଲାଜରା ହୋଇ କହିଲି ତୁ ଯାହା ଠିକ୍ ମନେ କରୁଛୁ କରିବୁ।ମୁଁ କଣ ଅରାଜି ହେବି ?


ସେଇଟା ତ ମୁଁ ଜାଣିଛି ,କିନ୍ତୁ।


କିନ୍ତୁ ପୁଣି କଣ !


ଯେଉଁ କଥା ଆଜି ଯାଏ ଲୁଚାଇ ଆସିଥିଲି ,ଆଜି ତୋତେ ଭାବୁଛି କହି ଦେବି।


ମୁଁ ବିସ୍ମୟ ଓ ପୁଲକିତ ହୋଇ କହିଲି, ସତେ ! ମୁଁ ବି କେବେଠୁ ରେଡି ଶୁଣିବାକୁ କହ।


ମୁଁ ନା ଯାହାକୁ ଭଲ ପାଏ ତୁ ଜାଣିଛୁ।


ହଁ ତ ମୋତେ ତୁ ଭଲ ପାଉଛୁ, ଏ କଥା ମୁଁ ଜାଣନ୍ତିନି କି ! ମନେ ମନେ ମୂର୍କି ହସି କହିହେଲି।


ଏଥିରେ ତୋର ସାହାଯ୍ୟ ଲୋଡ଼ା ଶ୍ରଦ୍ଧା।


ମୁଁ ତ ସବୁବେଳେ ତୋତେ ସାହାଯ୍ୟ କରିବାକୁ ରେଡି ଅଛି।


 ଶ୍ରଦ୍ଧା ମୁଁ ଯାହାକୁ ଭଲ ପାଏ ତା ନାଁ..


ମୁଁ ମୋ ନାଁ ଟି ଶୁଣିବାକୁ ଏତେ ଉତ୍କଣ୍ଠିତ ଥିଲି ଯେ ଅପେକ୍ଷା ସହ୍ୟ ହେଉ ନଥିଲା।


କହିଦେଇନୁ ଶ୍ୟାମ, କଣ ଏତେ ଛିପ ଢ଼ୋକି ହେଉଛୁ?


ସଂଜୁ ଆମ ସାଙ୍ଗ ସଂଜୁକୁ ମୁଁ ଭଲ ପାଏ।ତାକୁ ହିଁ ବିବାହ କରିବାକୁ ଚାହେଁ।ହେଲେ ସେ ତଳ ଜାତିର ଝିଅ ନା।ଆମ ଘରେ ରାଜି ହେବେନାହିଁ।ସେଥିପାଇଁ ଭାବିଛି ସଂଜୁ ଓ ମୁଁ ରେଜିଷ୍ଟ୍ର ମ୍ୟାରେଜ୍ କରିଯିବୁ।ତୁ ସାକ୍ଷୀ ହେବୁ ଆମ ବିବାହର।


ବମ୍ ଟିଏ ପଡି ମୋ ଛାତିକୁ ଟୁକୁରା ଟୁକୁରା କରିଦେଲା ନିମିଷେ। ଲୁହ କୋହ ବନ୍ୟା ହେବାକୁ ଉଦ୍ୟତ ହେଉଥିଲେ।ବହୁ କଷ୍ଟରେ ସେ ସବୁ ଭିତରେ ରୋକି ମୁଁ କହିଲି," ହଁ ମୁଁ ନିଶ୍ଚୟ ସାକ୍ଷୀ ହେବି।କୁହ ମୋତେ କଣ କରିବାକୁ ପଡିବ।"


ସଂଜୁ ତୋ ପାଖେ ଆସି ରହିବ ଆଜି।କାଲି ତୁ ତାକୁ ବିୟୁଟି ପାର୍ଲରରେ ସଜାଇ ମ୍ୟାରେଜ୍ ଅଫିସ୍ କୁ ନେଇ ଆସିବୁ।ଠିକ୍ ଦୁଇଟାରେ ଆମ ମ୍ୟାରେଜ୍ ରେଜିଷ୍ଟ୍ରେସନ୍ ହେବ। ପାରିବୁ ନା ଏତିକି କରି।


ଇଏ ଗୋଟିଏ କାମ ! ଏହାଠୁ ବଡ଼ କାମଟିଏ ତ ଦେଇ ଦେଖି ଥାନ୍ତ ଏ ଶ୍ରଦ୍ଧା ଅତି ଶ୍ରଦ୍ଧାରେ କରିଦେଇଥାନ୍ତା।ଶ୍ୟାମ ମୋ ପିଠି ଥାପୁଡ଼େଇ କହିଲେ ମୁଁ ଜାଣିଛି ଶ୍ରଦ୍ଧା ତୁ ମୋ ପାଇଁ ଜୀବନ ଦେଇପାରୁ।


ଜାଣିଥିଲ ଟି ? ତେବେ ପ୍ରେମ ଟିକେ ଦେଲନି କାହିଁକି? ଜୀବନ ସାଥୀ କଲନି କାହିଁକି?ହୃଦୟରେ କାନ୍ଦି ମନେ ମନେ କହିଲି ଅତି ଭାଙ୍ଗି ପଡି।ମୁହଁରେ ହସ ଫୁଟାଉ ଥିଲି କିନ୍ତୁ।


ମୋ ପାଖେ ସଂଜୁ ଆସି ସନ୍ଧ୍ୟା ବେଳେ ପହଁଚିଲା।ରାତିସାରା ସଂଜୁ କେବଳ ଶ୍ୟାମ କଥା କହୁଥିଲା।ମୁଁ କେବଳ ଅଭିନୟର ମିଛ ହସ ହସୁଥିଲି।ଦୁଇଜଣ ଯାକ ମୋ ଘନିଷ୍ଠ ବନ୍ଧୁ।ସେମାନଙ୍କ ଖୁସିରେ ମୁଁ ଖୁସି ହେବନି ତ କିଏ ହେବ?


ଯେତେ ନିଜକୁ ବୁଝେଇଲେ ବି ମନ ଅମାନିଆଁ ହେଉଥିଲା।ହୃଦୟ ଅସ୍ଥିର,ଦଗ୍ଧ।ବିୟୁଟି ପାର୍ଲର ରେ ତାକୁ ସଜ ହେବାର ଦେଖି ତା ଜାଗାରେ ମୁଁ ବି ସଜ ହୋଇ ପଡୁଥିଲି।ସଂଜୁ ବୋହୁ ବେଶ ହେଲା ବେଳେ ମୁଁ ବି ନିଜକୁ କଳ୍ପନା ଆଖିରେ ନିଜକୁ ବହୁ ବେଶରେ ସଜାଇ ଦେଉଥିଲି।ମୋ ଭିତରେ ଓ ବାହାରେ ଚାଲୁଥିଲା ଗୋଟେ ବୁଝାମଣାର ଲଢେ଼ଇ।


ଶ୍ୟାମ ମ୍ୟାରେଜ୍ ଶେଷ।ମୋ ସ୍ବପ୍ନ ଦେଖିବା ବି ଶେଷ।ପ୍ଲସ୍ ଥ୍ରୀ ପରେ ଶ୍ୟାମ ଯେତେ ଲଗେଇଲେ ବି ମୁଁ ଆଉ ପଢିବି ନାହିଁ ରୋକ୍ ଠୋକ୍ ମନା କରିଦେଲି।ଘରେ ଆଉ ପଢେଇ ପାରିବେ ନାହିଁ କିବା ମୁଁ ଆଉ ଶ୍ୟାମ ସାହାଯ୍ୟ ପାହାଡ଼ ତଳେ ଦବି ଅଣ ନିଃଶ୍ଵାସୀ ହେବାକୁ ଚାହୁଁ ନଥିଲି।ମୂଲରୁ ଜାଣିଥିଲେ ଶ୍ୟାମ ମୋତେ ନୁହେଁ ସଂଜୁକୁ ଭଲ ପାଉଛି ହୁଏତ ମୁଁ ଶ୍ୟାମର ଏତେ ସାହାଯ୍ୟ ନେଇ ନଥାନ୍ତି।ଭାବୁଥିଲି ଶ୍ୟାମ ମୋର।ମୁଁ ତାର।ତା ମଣିଷ ପାଇଁ ସେ ଖର୍ଚ୍ଚ କରୁଛି ଭାବି ସାହାଯ୍ୟ ଗ୍ରହଣ କରୁଥିଲି ସିନା ! ବର୍ତ୍ତମାନ ଆଉ ଏ ପ୍ରଶ୍ନ କାଇଁ ଉଠୁଛି!ସୁଜି ପାରିବି ନାହିଁ ଯେତେବେଳେ ଋଣୀ ହେବି କାହିଁକି?


ଶ୍ୟାମ କ୍ଷତ ଜୀବନରେ କେବେ ଶୁଖିବନି ମୁଁ ଜାଣିଥିଲି।ଶ୍ୟାମ କୁ ଦୋଷ ଦେଇ ପାରେନି, କାରଣ ସେ ତ ସଂଜୁକୁ ଭଲ ପାଉଥିଲା।କେବଳ ମୁଁ ହି କୁହୁଡି ପହଁରୁଥିଲି।ପ୍ଲସ୍ ଥ୍ରୀ ସାଇନ୍ସ ପରେ ମୁଁ ଷ୍ଟାପ୍ ନର୍ସିଂ ଟ୍ରେନିଂ ନେଲି। ଭାଇଭାଉଜ ପୋଷ୍ଟିଂଗ୍ ନ ହେବା ପୂର୍ବରୁ ଅଭିଷେକ,ଅଭି ସହ ମୋର ବିବାହ କରିଦେଲେ।


ଅଭି ମୋର ସ୍ୱାମୀ ଜଣେ ଉଗ୍ର ଅଧୁନିକବାଦୀ ଯୁବକ।ଗୋଟେ କମ୍ପାନୀର ଜଣେ ଇଞ୍ଜିନିୟର୍ ।ହଜାରେ ଗାର୍ଲ ଫ୍ରେଣ୍ଡ୍।ମଦ, ମାଂସ ,ନାରୀ ଲୋଭି।ଖୁବ୍ ଭଲ ପାଆନ୍ତି ମୋତେ।କିନ୍ତୁ କାହିଁକି କେଜାଣି ଅଭି କୋଳରେ ଥାଇ ମୁଁ ଶ୍ୟାମକୁ ଖୋଜେ,ଅଭି ଶ୍ୟାମ ହୋଇ ଯାଏ।ସ୍ୱାମୀ ସହ ସହବାସ କରୁଥିବା ସମୟରେ ମୁଁ ଶ୍ୟାମକୁ ଅନୁଭବ କରିବାକୁ ଆଖି ବୁଜି ଚେଷ୍ଟା କରେ।ବେଳେବେଳେ ଅଭି କୁହନ୍ତି ଶ୍ରଦ୍ଧା ତୁମେ କାଠ ଗଣ୍ଡି ଲାଗ କାହିଁକି ! ନବ ବିବାହିତ ପତ୍ନୀ ଭାଵ ତୁମ ଠାରେ ନାହିଁ କାହିଁକି? କେବେ ତ ଦିନେ ମୋ ଆସିବାକୁ ଅପେକ୍ଷା ନାହିଁ ତୁମର? ମୁଁ ବିବାହିତ ପୁରୁଷ ଶ୍ରଦ୍ଧା।ମୋ ପୁରୁଷତ୍ବ ସନ୍ତୁଷ୍ଟ ହୋଇ ପାରୁ ନାହିଁ କାହିଁକି? ତୁମ ଭିତରେ ଟେମ୍ପେଣ୍ଟ୍ସନ୍ ଆଦୌ ନାହିଁ! 


ଅପରାଧୀ ଲାଗେ ମୋତେ।ସତରେ ଅଭିଙ୍କ ସ୍ତ୍ରୀ ରଙ୍କାଳ ସ୍ୱାଭାଵ ମୋତେ ଖୁସି ପରିବର୍ତ୍ତେ ଯନ୍ତ୍ରଣା ଦିଅନ୍ତି।ଦୁଇମନର ସହମତି ସହବାସ ସିନା ସନ୍ତୁଷ୍ଟତା ଦିଏ ! ମୋ ପଟୁ ତ ଶୁନ।ଅଭି ମୋ ଅପାରଗ ପଣକୁ ହଜମ କରି ପାରନ୍ତି ନାହିଁ। ଆମ ଭିତରେ ବ୍ୟବଧାନ ବଢି ବଢି ଯାଏ।


ବିବାହର ଦୁଇମାସ ପରେ ମୋର ପୋଷ୍ଟିଂଗ୍ ହୁଏ ମୟୁର ଭଞ୍ଜରେ।ଅଭିଙ୍କ ବାରଣ ସତ୍ତ୍ୱେ ମୁଁ ଜବ୍ ଟିକୁ ଛାଡିବାକୁ ଚାହୁଁ ନଥିଲି।ଏଣୁ ଭୁବନେଶ୍ୱରରେ ଅଭି, ମୟୁରଭଞ୍ଜ ରେ ମୁଁ ରହିଲୁ।ଅଭି ବହୁତ ଅଭିମାନ କରନ୍ତି।ମୁଁ ସ୍ତ୍ରୀ ସୁଖ ଦେବାକୁ ଅଯୋଗ୍ୟ ବି କୁହନ୍ତି।


ଯୋଗ୍ୟ ସ୍ତ୍ରୀଟିଏ ହେବାକୁ ନିଜକୁ ପ୍ରସ୍ତୁତ କଲା ବେଳକୁ ପୁଣି ଶ୍ୟାମ ମୋ ଜୀବନରେ ଆସନ୍ତି ବେଯାଏ ଘୁର୍ଣ୍ଣିଝଡ଼ ପରି। ସଂଜୁ ବ୍ରେଷ୍ଟ କ୍ୟାନ୍ସରରେ ସବୁଦିନ ଶ୍ୟାମକୁ ଏକା କରି ଆରପାରିକୁ ଚାଲିଯାଏ।ଶ୍ୟାମର ସଜାଡୁଥିବା ଘରଟି ହଠାତ୍ ଭାଙ୍ଗିଯିବା ମୋତେ ଆହୁରି ଆଘାତ ଦିଏ। ମୋ ଶୋଇଥିବା ଭଲ ପାଇବା ମନଟି ପୁଣି ଶ୍ୟାମ ସ୍ୱପ୍ନରେ ହଜିଯାଏ।କିନ୍ତୁ ମୁଁ ବିବାହିତା, ଅଭିଙ୍କର ସ୍ତ୍ରୀ।ଏମିତି ଭାଵ ପାପ।ବିବାହିତା ଲକ୍ଷ୍ମଣ ଗାର ମୋତେ କେବଳ କଷ୍ଟ ହିଁ ଦିଅନ୍ତି ସିନା ଡେଇଁବା ସାହସ କୁଳାଇ ଦେଇ ପାରନ୍ତି ନାହିଁ।


ପାପ ପୁଣ୍ୟ ମନ ବିବେକ ବୁଝେ।କିନ୍ତୁ ହୃଦୟ ତ କେବଳ ମାତ୍ର ପ୍ରେମ କୁ ବୁଝେ।ମୁଁ ସ୍ତ୍ରୀ କମ୍ ପ୍ରେମିକା ବେଶୀ ହୋଇଯାଏ।ମୋ ଭିତରେ ଶ୍ୟାମ ଅଭିଙ୍କଠାରୁ ଅଧିକ ଜାଗା ମାଡି ବସିଥାଏ।ତାର ନିଃସଙ୍ଗ ଜୀବନ ,କରୁଣ ଆଖି ମୋ ଛାତି କରତି ପାକାଏ। ଅଭିଙ୍କର ମୋ ପ୍ରତି ଆସକ୍ତି,ଦୁର୍ବଳଟା ମାତ୍ରାଧିକ ଥିଲେ ବି ଅଭିଙ୍କୁ ହୃଦୟ ଗ୍ରହଣ ନ କରି ପାରିବା ମୋତେ ଅବସାଦ ଗ୍ରସ୍ତ କରି ପକାନ୍ତି। ଜଣେ ପ୍ରେମ ପୂର୍ଣ୍ଣ ମଣିଷ ଅଭିଙ୍କୁ ମୁଁ ସ୍ତ୍ରୀ ହିସାବରେ ଅବହେଳା କରୁଛି,ଜାଣୁଥିଲି। ତଥାପି କିଛି କରି ପାରୁ ନଥିଲି।


ଦିନେ ଗୋଟିଏ ସୁସାଇଡ଼ କେସ୍ ଆମ ଡାକ୍ତରଖାନାକୁ ଆସିଥିଲା।ସ୍ୱାମୀ ବିଷ ଖାଇଛନ୍ତି।ମୋର ରାତି ଡିଉଟି ଥାଏ।ବିଷ ଖାଇଥିବା ସ୍ୱାମୀର ସ୍ତ୍ରୀ ଟି ବାୟାଣୀ ପରି ହେଉଥାନ୍ତି।ଡାକ୍ତର ,ନର୍ସ ସମସ୍ତଙ୍କ ଗୋଡ଼ ହାତ ଧରି କହୁଥାନ୍ତି ବିରେନଙ୍କୁ ବଞ୍ଚାଇ ଦିଅ ପ୍ଲିଜ଼। ସାଲାଇନ୍, ଇଂଜେକ ଘଣ୍ଟାକୁ ଘଣ୍ଟା ଦେବାକୁ ହେଉଥାଏ।କ୍ରିଟି କାଲ୍ କଣ୍ଡିସନ୍ ପେସେଣ୍ଟ୍ ଙ୍କର।


ମୋର ତ ନାଇଟ ଡିୟୁଟି ଥାଏ।ମୁଁ ସେ ସ୍ତ୍ରୀ ଲୋକଙ୍କୁ ଅଶ୍ବାସନା ଦେଇ କହୁଥାଏ ଈଶ୍ବରଙ୍କ ଉପରେ ବିଶ୍ୱାସ ରଖ ସବୁ ଠିକ୍ ହୋଇଯିବ।


ମୁଁ ପଚାରିଲି ତୁମ ସ୍ୱାମୀ ବିଷ ଖାଇଲେ କାହିଁକି ?


ମୋରି ପାଇଁ ମାମ୍।


ତୁମ ପାଇଁ! ସେ ସ୍ତ୍ରୀ ଲୋକଟି ସତେ କି ମୋରି ଜୀବନ କଥା କହୁଥିଲା। ଏ ନିରୀହ ସ୍ୱାମିଟି ଜୀବନରୁ ବୀତସ୍ପୃହ ହୋଇ ନିଜକୁ ଶେଷ କରି ଦେବାକୁ ବସିଛନ୍ତି।ମୋତେ ଲାଗିଲା ଯାହା ଦେହରେ ମୁଁ ଇଞ୍ଜେକ୍ସନ ଫୋଡୁଛି ,ସାଲାଇନ୍ ଲଗାଉଛି ସତେ କି ସେ ଅଭି।


ପ୍ରକୃତିସ୍ଥ ହୋଇ ଅଭିଙ୍କ ପାଖକୁ ଦୁଇଦିନ ଛୁଟି ନେଇ ଦୌଡ଼ିଗଲି।ମାତ୍ର ଏ କଣ ଅଭି ସହ ଆଉ ଜଣେ ସ୍ତ୍ରୀ ଲୋକ!! କଲିଂ ବେଲ୍ ଟିପିବାରୁ ସ୍ତ୍ରୀ ଲୋକଟିଏ କବାଟ ଖୋଲିଲେ।ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି ,ତୁମେ ?


ମୁଁ ବନି। 


ବନି ! ଅଭି ଅଛନ୍ତି ?


ହଁ ,ଭିତରେ।କିନ୍ତୁ ମାମ୍ ତୁମେ ?


ମୁଁ କୌଣସି ଉତ୍ତର ନ ଦେଇ ସିଧା ଅଭିଙ୍କ ପାଖକୁ ଯାଇ ତାଙ୍କୁ କୁଣ୍ଢେଇ ପକାଇ ଭୋ ଭୋ କାନ୍ଦି ପକାଇଲି।ଅଭି ମୋ ବିନା ସୂଚନାରେ ଝଡ଼ ପରି ପହଂଚିବା ପୁଣି ପ୍ରଥମ ଥର ମୋ ଆଖି ଓ ମନରେ ଏତେ ପ୍ରେମ ଦେଖି କାବା ହୋଇଗଲେ।


ଏ କଣ କାମବାଲୀ !


ଆଁ ହଁ ହଁ କାମବାଲୀ। ଏ ବନି ମାମଙ୍କ ପାଇଁ ଚା ଟିକେ କରି ଆଣ ତ।ଅମୁଲ ଚା, ମରିଚ ପକେଇବୁ। ଶ୍ରଦ୍ଧାକୁ ମରିଚ ପକା ଚା ଭଲ ଲାଗେ।


କିନ୍ତୁ ଆମ ରୁମରେ ଶାଢ଼ୀ!


ତୁମର ତ ଏସବୁ। ବିନି କେଇଟି ପିନ୍ଧୁଛି ଏଥିରୁ।ତୁମେ ତ କେବେ ଆସନି।ପଡି ପଡି ଶାଢ଼ୀ ଗୁଡା ରଦି ହୋଇ ଯାଉଥିଲା,ଦେଇଦେଲି ପିନ୍ଧିବାକୁ।


ଭଲ କଲ। ଲୋକଙ୍କ କାମରେ ଲାଗିଲେ ଭଲ।ଏମିତି ପଡି ନଷ୍ଟ ହେବ କାହିଁକି? ରାତି ହେଲେ ବି ବନି ଘରକୁ ଯିବାର ନାଁ ଧରୁ ନଥିଲା।ମୁଁ କହିଲି ବନି ତୁ ଘରକୁ ଯିବୁନି କି ?


ସେ ଏଇଠି ରୁହେ। ମାନେ ବିବାହିତ ମହିଳା,ଅଥଚ ଏଡ଼େ ବଡ଼ ଖଂଜାରେ ତୁମ ସହ ଏକା ରୁହେ ?


ହଁ ବିଚାରୀଟା ତା ଦାଦା ହିସାବ ହେବ ଜଣେ ଲୋକ ଏଇଠି ଆଣି ରଖି ଦେଇ ଯାଇଛନ୍ତି।ମୋ ଚିହ୍ନା ଲୋକ ଇଏ। ସ୍ୱାମୀ ତାର ରୋଗରେ ପଡିଛି।କିଛି ଟଙ୍କା ନିହାତି ଦରକାର ବନିର।ଏଣୁ ..


ହେଉ ଭଲ ହେଲା।ହଁ ଶୁଣ୍ ବନି ,ହୁସିଆର ରହୁଥିବୁ।ଆଜିକାଲି କାହାକୁ ବିଶ୍ୱାସ ନାହିଁ।ମୋ ଅଭିକୁ ତ ଆଦୌ ନୁହେଁ।ଖୁବ୍ ସ୍ତ୍ରୀ ରଙ୍କୁଣା ଏ।


ଅନେକ ଜାଗାରେ ବନି ପ୍ରତି ମୋର ସନ୍ଦେହ ଜାତ ହେଲା।ମୋରି ଶାଢ଼ୀ, ମୋରି ସିନ୍ଦୁର, ମୋରି କିଛି ଅଳଙ୍କାର କିଛି ବ୍ୟବହାର କରୁଛି ସେ!!ଟେବୁଲ ଉପରେ ବି ଆମ ସହ ବସି ଖାଇବାକୁ ଅଭି ତାକୁ ଡାକିଲେ।ବାରମ୍ବାର ଆମ ବେଡ୍ ରୁମ୍ କୁ ସେ ପଶି ଆସୁଥିଲା।


ଏଥର ମୁଁ ମୋ ନିଜ ସଂସାର ସଜାଡି ବାକୁ ଆଗଭର ହେଲା ବେଳକୁ ମୋତେ ଏତେ ସନ୍ଦେହ କଣ ଶୋଭା ପାଏ !


ତା ପର ଦିନ ସନ୍ଧ୍ୟାରେ ଆମେ ପିକ୍ଚର ଦେଖିବାକୁ ଗଲୁ।ଅଭି କାଉଣ୍ଟରରୁ ଟିକେଟ ଆଣିବାକୁ ଗଲେ।ସେଠି ମୋର ଜଣେ ଚିହ୍ନା ବ୍ୟକ୍ତି ମୋତେ ଅଭି ସଂଗେ ଦେଖି ବିସ୍ମୟ ହେଲେ।


ଶ୍ରଦ୍ଧା ତୁ ! ଏ ଲୋକ ସହ ! ଏମିତି ଲୋକ ସହ ତୋର ସମ୍ପର୍କ କଣ? 


ଏମିତି ଲୋକ!!


ଆରେ ଏ ସହରର ସବୁଠାରୁ ବଦନାମ ଲୋକ ଏ।ସାତ ଦିନକୁ ଗୋଟେ କାମବାଲୀ ବାଇ ଚୁକ୍ତି କରେ।କାମବାଲୀ ସହ ସ୍ତ୍ରୀ ବି କରିରଖେ ସାତ ଦିନ ପାଇଁ।ପ୍ରାଇସ୍ ଦଶ ହଜାର।ଗରିବ ଗୁରିବା ଅତି ଜରୁରୀ ଥିବା ଝିଅ ବୋହୁଙ୍କ ନେଇ ଏ ଲୋକଟି ଖେଳ ଖେଳେ।ସାତ ଦିନ ପାଇଁ ହରେକ ମାଲୄ ଦଶ ହଜାର ପ୍ରାଇସ୍।ଓପନିଲି ଏ କାମ କରେ।କାହାକୁ ବାଧ୍ୟ କରେନି।କାଗଜ ପତ୍ର ବି କରି ଦସ୍ତଖତ ରଖେ।ପ୍ରତି କାମବାଲୀ ଏହା ଜାଣି ବି ଦସ୍ତଖତ କରନ୍ତି କିଏ ପରୀକ୍ଷା ଦେବା ପାଇଁ କାହାର ସ୍ୱାମୀ ବଞ୍ଚେଇବା ପାଇଁ ଔଷଧ ନିମନ୍ତେ, କାହାର ଛୁଆ କୁ ମରଣ ମୁହଁରୁ ରଖିବା ପାଇଁ ଦଶ ହଜାର ସାତ ଦିନେ କମେଇଁବା ଗୋଟେ ବଡ଼ କଥା।ହଁ ଏ ଲୋକଟା ସେଇ ସାତ ଦିନ କାମବାଲୀ ପୁରା ଶ୍ରଦ୍ଧା ସମ୍ମାନ, ଥାଟ ପାଟ ସହ ରଖେ।କୌଣସି କାମବାଲୀ ଅଭିଯୋଗ କରେନି କି ଏ ଲୋକ ତା ସହ ଖରାପ ବ୍ୟବହାର କରେ।ବରଂ କେହି କେହି ତ ଆଉ ସାତ ଦିନ କାମ କରି ଅଧିକ ଦଶ ହଜାର ରୋଜଗାର କରିବା ମୋହରେ କାକୁତି ମିନତୀ କରନ୍ତି।ଯଦିଓ ଖରାପ ସଉକ୍; ହୃଦୟଟି କିନ୍ତୁ ଭାରି ଭଲ କୁହନ୍ତି ୟାଙ୍କ ଘରେ କାମ କରୁଥିବା କାମ ବାଲି।ଏଣୁ ନିୟମ କାନୁନ ହାତ ବି ବନ୍ଧା ଏ ଲୋକଟି ପାଇଁ।


ମୁଁ ଖସି ପଡିଲି ଆକାଶରୁ।ପରୀକ୍ଷା କରିବା ପାଇଁ ଦେହ ଖରାପ କହି ପାଞ୍ଚ ଦିନ ଆଉ ରହିଗଲି।ସତ ସତିକା ଶନିବାର ଦିନ ବନି ପେମେଂଟ ନେଲା ଦଶ ହଜାର।ତା ସହ ମୋ ଶାଢ଼ୀ ଓ ଅଳଙ୍କାର ବି କିଛି।ଆଶ୍ଚର୍ଯ୍ୟ ବନି ଖୁବ୍ ଖୁସି ଥିଲା ! 


ବାସ୍ ! ଏକମୁହାଁ ହୋଇ ଭୁବନେଶ୍ୱର ରୁ ଆସିଛି ଯେ ଆସିଛି ଆଜକୁ ସାତ ବର୍ଷ ହେବ।ଆଉ ସେ ସେକ୍ସି ଲୋକଟା ପାଖକୁ ଫେରିବାକୁ ଦିନେ ବି ଇଚ୍ଛା କରିନି।ଇଛା ନଥିଲେ ବି ସେଇ ପଶୁଟି ସନ୍ତକକୁ ପେଟରେ ନେଇ ଆସିଥିଲି ସେଇ ସାତ ଦିନ ରହଣି ଭିତରେ। 'ସ୍ନେହା' ସେଇ ଅଭିର ଝିଅ।ଯାହା ଉପରେ ଅଭି ଛାଇ ପଡିବ ନାହିଁ ବୋଲି ଶ୍ୟାମର ସାହାଯ୍ୟ ନେଲି।ଏବେ ଶ୍ୟାମ ଘରେ ଶ୍ୟାମ ଝିଅର ପରିଚୟ ନେଇ ବଢୁଛି ସ୍ନେହା।ଖୁବ୍ ଶୁଶୀଳ,ସୁନ୍ଦର ହୋଇଛି।ଶ୍ୟାମ ଶୁନ୍ୟ ଜୀବନରେ ସେ ପୂର୍ଣ୍ଣତା ଭରିଛି।ସ୍ନେହା ବି ଜାଣିନି ମୁଁ ତା ହାତଭାଗୀ ମା।ସେ ଜାଣିଛି ସଂଜୁ ତା ମା ଯେ ମରି ଯାଇଛି ତାକୁ ଜନ୍ମ ଦେଇ।


ସବୁ ଥାଇ ମୁଁ ନିସ୍ୱ। ସବୁ ଆରମ୍ଭ ହୋଇଛି ଶେଷ ନାଁ ନନେଇ ମୋ ଜୀବନରେ।ସେବିକା ଟିଏ ମୁଁ।ଏଇ କାମରେ ଖୋଜୁଛି ଜୀବନ ଜୀଇଁବା।


ଅସମାପ୍ତ,ଅସଫଳ, ଅବାଞ୍ଚିତ ଜୀବନ ମୋର କିନ୍ତୁ ଶେଷ ପୃଷ୍ଠା ଖୋଜୁଛି।



Rate this content
Log in

Similar oriya story from Tragedy