Rama Chandra Padhi

Tragedy

5.0  

Rama Chandra Padhi

Tragedy

ଶେଷ ନିଶ୍ଵାସ

ଶେଷ ନିଶ୍ଵାସ

7 mins
2.4K


ଭୁବନେଶ୍ୱର ସହିଦ ନଗରରେ ରାଜଉଆସ ସଦୃଶ୍ୟ ବିଶାଳକାୟ ପ୍ରାସାଦର ଏକ କୋଠରୀର ଚାରି କାନ୍ଥ ଭିତରେ ନିର୍ଜ୍ଜନ୍ନତାର ପ୍ରହରୀମାନଙ୍କ ଘେରରେ ମହାନ୍ତି ବାବୁ ଏକାକୀ, ଚୁପଚାପ ନିଜର ଅତିପ୍ରିୟ ଏବଂ ଦାମିକା ଚୌକି ଉପରେ ବସି ଅତୀତର ପୃଷ୍ଠାକୁ ଖଙ୍ଗାଳୁ ଥିଲେ। ନିଃସଙ୍ଗତା ବାରମ୍ବାର ତାଙ୍କ ଏକାଗ୍ରତାକୁ ଅସ୍ଥିର କରୁଥିଲା। ଏ ନିଃସଙ୍ଗତା ତାଙ୍କ ଜୀବନକୁ କେମିତି, କେବେ ଧୀରେ ଧୀରେ ଅକ୍ତିଆର କରିନେଲା ସେ ବି ଜାଣିପାରି ନ ଥିଲେ। କିନ୍ତୁ ଆଜି କାହିଁକି ଯେ ନିଃସଙ୍ଗତା ତାଙ୍କୁ ଏତେ ବ୍ୟତିବ୍ୟସ୍ତ କରୁଛି ସେ ବୁଝି ପାରୁନାହାନ୍ତି।

ମହାନ୍ତି ବାବୁଙ୍କ ଏ ପ୍ରାସାଦ, କିଛି ବର୍ଷ ଆଗରୁ ଏମିତି ନିର୍ଜ୍ଜନ ଏବଂ ମଣିଷ ଶୂନ୍ୟ ନଥିଲା। ଦୁଇ ପୁଅ, ଗୋଟେ ଝିଅ ଓ ସ୍ତ୍ରୀ ସାବିତ୍ରୀର କୋଳାହଳରେ କମ୍ପି ଉଠୁଥିଲା। ବଡବାବୁ ନାଁ ରେ ପରିଚିତ ମହାନ୍ତି ବାବୁଙ୍କ ଚାରି ପାଖେ ସଦାସର୍ବଦା ଲୋକଙ୍କ ଭିଡ଼ ଜମିରହିଥାଏ। ଆଜି କିନ୍ତୁ ସେ ଭିଡ ହଜିଯାଇଛି, କୋଳାହଳ ଧ୍ଵନିକୁ ନିଶବ୍ଦ ପରାସ୍ତ କରିଦେଇଛି। କାଳର ଚକ୍ରଭିଉରେ ସେ ପରାସ୍ତ ହେଇଯାଇଛନ୍ତି। ବାର୍ଦ୍ଧକ୍ୟ ତାଙ୍କ ଶରୀରର ସମସ୍ତ ଶକ୍ତିକୁ ଗ୍ରାସ କରିଦେଇଛି। ସେ ନିର୍ବଳ ଚୁପଚାପ ଶାଗୁଆଣି ଖଟର ମକମଲ ଗଦି ଉପରେ ପଡିରହିଥିବା ନିଜ ସ୍ତ୍ରୀର ଶବ ଆଗରେ କ୍ଲାନ୍ତ, ଶକ୍ତିହୀନ ଅବସ୍ଥାରେ ବସିଛନ୍ତି। ତାଙ୍କ କଣ୍ଠରେ ଆଉ ସେ ଗର୍ଜ୍ଜନ ନାହିଁ ଯୋଉ ଗର୍ଜ୍ଜନରେ ସାରା ଅଫିସ ଦୋହଲି ଯାଉଥିଲା। କେବଳ ଆଖିରୁ ଦୁଇ ଟୋପା ଲୁହ ବହୁଥିଲା, ଯେମିତି ମରୁଭୂମିରେ ଅଦିନ ବର୍ଷାରେ ବହୁଥିବା ପାଣିର ଧାର।

କାଲି ଭଳି ଲାଗୁଛି, ଯେତେବେଳେ ସେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେଦିନ ସତରେ ଯେମିତି ଗାଁ ଲୋକଙ୍କ ପାଇଁ ସେ ଭଗବାନ ପାଲଟି ଯାଇଥିଲେ। ଗାଁ ଭୁଇଁରେ ତାଙ୍କର ପଦ ଲାଗୁନଥିଲା। ସମସ୍ତେ କାନ୍ଧେଇ କୋଳେଇ ତାଙ୍କୁ ଗାଁ ସାରା ବୁଲାଉଥାନ୍ତି। ବେକ ଫୁଲମଳରେ ଭର୍ତ୍ତି, ଆଉ ସ୍ତ୍ରୀଲୋକମାନଙ୍କ ହୁଳହୁଳିରେ ଗାଁର ଚାରି ଦିଗ କମ୍ପି ଉଠୁଥିଲା। ବାପା ବି ବଳଧ ବିକି ସେ ଦିନ ପୁରା ଗାଁ କୁ ଭୋଜି ଦେଇଥିଲେ। ଦେଖୁ ଦେଖୁ କେମିତି ଯେ ୪୫ ବର୍ଷ ବିତିଗଲା ଜାଣି ହେଲାନି।

ଏକ ଦୀର୍ଘ ନିଶ୍ୱାସ ମାରି ମହାନ୍ତିବାବୁ ଅତୀତ ପୃଷ୍ଠାରୁ ବାହାରି କାନ୍ଥରେ ଝୁଲୁଥିବା ଘଣ୍ଟାକୁ ଦେଖିଲେ। ସମୟ ପାଖା ପାଖି ରାତି ଗୋଟେ, ଛବି (ତାଙ୍କ ଚାକରାଣୀ) ଆସିବାକୁ ଆହୁରି ପାଞ୍ଚ ଘଣ୍ଟା ବାକି ଅଛି। ସେ ମନେ ମନେ ଭାବିଲେ। ଦୁଃଖ, ହତାଶାରେ ସେ ସ୍ତ୍ରୀ ସାବିତ୍ରୀ ଦେବୀ ମୁହଁକୁ ଦେଖୁଛନ୍ତି। ଶାନ୍ତ, ନିରବ, ଜୀବନର ସମସ୍ତ ମୋହମାୟାକୁ ବିଜୟ ଲାଭ କରିଥିବାର ଏକ ଅଭୂତପୂର୍ବ ଖୁସି ସାବିତ୍ରୀ ଦେବୀଙ୍କ ଚେହେରାରେ ଝଲସୁ ଥିଲା।

ସାବିତ୍ରୀ ଓ ସାବିତ୍ରୀ ତୁମବିନା ମୁଁ କେମିତି ବଞ୍ଚିବି? ମୋତେ ଏକା ଛାଡି ତୁମେ ଯାଆନା। ସେ ସାବିତ୍ରୀ ଦେବୀଙ୍କ ମୁଣ୍ଡକୁ ଆଉଁସି କହିବାକୁ ଚାହୁଁଥିଲେ, କିନ୍ତୁ ସେ ଅକ୍ଷମ, ଏହା ମଧ୍ୟ କରିପାରିଲେନି। ବହୁ କଷ୍ଟରେ ମହାନ୍ତି ବାବୁ ଚୌକିରୁ ଓହ୍ଲାଇ ସ୍ତ୍ରୀର ପାଦ ପାଖକୁ ଗଲେ, ଏବଂ ଭୋ ଭୋ ହୋଇ କାନ୍ଦିଲେ। ଆଖିର ଲୁହ ଶୁଖିଯାଇଥିଲା ଆଉ ଜିଭ ବି। ତାଙ୍କର ସାମର୍ଥ୍ୟ ନ ଥିଲେ ପାଖ ଟେବୁଲରେ ଥିବା ପାଣି ଗ୍ଲାସଟି ଆଣି ପିଇବାକୁ। ଯାହାକୁ କିଛି ସମୟ ପୂର୍ବରୁ ସାବିତ୍ରୀ ଦେବୀ ରଖିଥିଲେ।

ଚାରି ବର୍ଷ ହେଲା ମହାନ୍ତି ବାବୁ ପକ୍ଷାଘାତ ରୋଗରେ ଆକ୍ରାନ୍ତ। ସାବିତ୍ରୀ ଦେବୀ ହିଁ ତାଙ୍କ ସାହାରା ଥିଲେ। କିଛି ସମୟ ପୂର୍ବରୁ ତ ସେ ତାଙ୍କୁ ହୁଇଲଚେୟାରରୁ ଓହ୍ଲାଇ ତାଙ୍କର ପ୍ରିୟ ଚୌକିରେ ବସାଇଥିଲେ। କିଛି ମୁହୂର୍ତ୍ତରେ ଯେ ସେମାନଙ୍କ ଜୀବନରେ ଏତେ ବଡ଼ ପରିବର୍ତ୍ତନ ଆସିବ ଦୁହେଁ ଭାବି ନଥିଲେ।

ହେଇ ଶୁଣୁଛ ମୋ ଦେହଟା କାହିଁ ଥରିଲା ପରି ଲାଗୁଛି, ତୁମେ ଏଠି ବସି ଟିଭି ଦେଖୁଥାଅ । ମୁଁ ଟିକେ ଗଡ଼ତଡ଼ ହୋଇ ଉଠୁଛି, ଉଠିଲେ ମିଶିକି ଖାଇବା। ତାଙ୍କ ମିଠା ହସୁଆ ମୁହଁରେ ମହାନ୍ତିବାବୁଙ୍କ ପସନ୍ଦର ଗୀତଟି ଟିଭିରେ ଲଗେଇଦେଇ ସେ ପାଖ ଖଟରେ ସୋଇପଡିଲେ।

କିଛି ସମୟ ମଧ୍ୟରେ ପୁରା ଦୁନିଆ ବଦଳି ଗଲା, ମହାନ୍ତି ବାବୁ କିଛି ବୁଝିବା ଆଗରୁ, ସାବିତ୍ରୀ ଦେବୀ ଆଖି ବୁଜିଦେଲେ, ସୋଇପଡିଲେ ଚିର ନିଦ୍ରାରେ। ସେ ଅସମର୍ଥହେଲେ ପାଣି ଟିକେ ସାବିତ୍ରୀ ଦେବୀଙ୍କ ମୁହଁରେ ଦେବାପାଇଁ, ମୁଣ୍ଡକୁ ଆଉଁଶି ଦେବାପାଇଁ, ଫୋନ କରି ଡାକ୍ତରକୁ ଡାକିବାପାଇଁ। ଆଖି ସାମ୍ନାରେ ତାଙ୍କ ପଚାଶ ବର୍ଷର ସାଥି, ଯିଏ ତାଙ୍କ ଜୀବନର ଶେଷ ସାହାରା ଥିଲା, ବଞ୍ଚିବାର ଆଶା ଥିଲା, ଛଟପଟ ହୋଇ ସୋଇପଡିଲା ସବୁଦିନ ପାଇଁ, ଆଉ ସେ ବାଧ୍ୟ ଥିଲେ ଚୁପଚାପ ଦେଖିବାକୁ।

କାହିଁକି କେଜାଣି ମହାନ୍ତି ବାବୁଙ୍କୁ ବାରମ୍ବାର ମନେପଡୁଥାଏ ବାପାଙ୍କର ସେ ଦିନର କଥା। ସେତେବେଳେ ନୁଆଁ ନୁଆଁ ଭୁବନେଶ୍ୱରକୁ ତାଙ୍କର ବଦଳି ହୋଇଥାଏ। ମା ଙ୍କର ବିୟୋଗ ପରେ ବାପାଙ୍କ ଦେହବି ଖରାପ ରହିଲା, ତେଣୁ ସେ ବାପାଙ୍କୁ ଗାଁରୁ ସହର ନେଇ ଆସିଲେ। ଆସିବା ମାସଟିଏ ହେଇଛି କି ନାହିଁ, ବାପାଙ୍କ ଗୋଟେ ଜିଦି ଗାଁ କୁ ଯିବି, ମୋତେ ଗାଁରେ ଛାଡିଦେଇ ଆସେ। ବ୍ୟସ୍ତତା ଭିତରୁ ମହାନ୍ତି ବାବୁ ଦିନେ ସମୟ ବାହାର କରି ବାପାଙ୍କୁ ଛାଡିବାକୁ ବାହାରିଲେ। ତଥାପି ଶେଷଥର ପାଇଁ ସେ ବାପାଙ୍କ ମନରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କଲେ।

ବାପା ଗାଁକୁ ନ ଗଲେ ହବନି? ଏ ବୟସରେ ତମର ଦେଖାଚାହଁ କରିବାକୁ କିଏ ବା ସେଠି ଅଛି?। ପୁଅ କଥା ଶୁଣି ବାପାଙ୍କ ମୁହଁରେ ଅଭିମାନର ହସ ଫୁଟି ଉଠିଲା, ସେ ପୁଅକୁ ଚାହିଁଲେ।

ଏଠି ମୋର କିଏ ଅଛି କିରେ? ତୋତେ ତୋ କାମରୁ ଫୁରସତ ମିଳେନି, ବୋହୂକୁ ତା କାମରୁ ଆଉ ମୋ ନାତି, ନାତୁଣୀମାନଙ୍କ ସଙ୍ଗେ ଟିକେ ସମୟ ବିତାଉଥିଲି ଯେ ତମେମାନେ ସେମାନଙ୍କୁ ବି ହଷ୍ଟେଲରେ ଭର୍ତ୍ତି କରିଦେଲ। ଗାଁରେ ମୋର ନିଜର ସିନା କେହି ନାହାନ୍ତି ହେଲେ ଯଉଁମାନେ ଅଛନ୍ତି ସଦାସର୍ବଦା ମୋ ପାଖେ ଘେରି ରହିନ୍ତି।

ଯୋଉମାନେ ତମକୁ ଘେରି ରହିନ୍ତି ସେମାନଙ୍କର କିଛି କାମ ନଥିବ, ଲକ୍ଷ୍ୟ ନଥିବ, ଭବିଷ୍ୟତରେ ଉନ୍ନତି କରିବାର ଭୋକ ନଥିବ। ଯଦି ତମେ ମୋ ପାଖେ ସେୟା ଆଶା କରୁଛ, ମୋତେ ପାଠ ପଢେଇଲ କାହିଁକି? ମୁଁ ବି ତମ ଭଳି ଚାଷୀ ହେଇଥାନ୍ତି, ମୁଠାଏ ପଖାଳ ଖାଇ ତମ ସେବା କରୁଥାନ୍ତି। ମହାନ୍ତି ବାବୁ କ୍ରୋଧକୁ ନିୟନ୍ତ୍ରଣ କରି କିଛି ସମୟ ନିରବ ରହିଲେ।

ବାପା ଆମେବି ଆମ ପିଲାଙ୍କର ଉଜ୍ଜ୍ବଳ ଭବିଷ୍ୟତର କାମନା କରୁଛି। ସମୟ ଦେଇପାରୁନୁ ତେଣୁ ତାଙ୍କୁ ହଷ୍ଟେଲରେ ଛାଡିଲୁ। ତମେ ଏକଥା ବୁଝିବା ଦରକାର। ତମର ଦେଖାଶୁଣା କରିବାକୁ ଘରେ ଚାକର ଚାକରାଣୀ ତ ଅଛନ୍ତି। ମହାନ୍ତି ବାବୁଙ୍କ କଥାରେ ଅହଂକାର ଝଲସି ଉଠୁଥିଲା।

ଜାଣିଥିଲି ପିଲାମାନେ ପାଠପଢି ବଡ଼ମଣିଷ ହେଲେ ବାପା, ମା ଠୁ ଦୁରେଇ ଯାଆନ୍ତି କିନ୍ତୁ ଏତେ ଦୁରେଇ ଯିବେ ଜାଣିନଥିଲି। ମୁଁ ଯୋଉ ଭୁଲ କରିଛି, ତୁ ସେ ଭୁଲ କରନି। ସମୟକୁ ଆୟତ କରି ଶିଖ, ସମସ୍ତଙ୍କୁ ସମୟ ଦେବା ଶିଖ। ସମୟ ଅଣାୟତ ହେଲେ ପରିବାର ଭାଙ୍ଗିଯାଏ, ସେ ଚାଷୀର ହୋଉ କି ବଡ଼ବାବୁର। ଏ ବୟସରେ ଚାକର ଚାକରାଣୀ ନୁହଁରେ ପୁଅ, ନିଜ ଆପଣାର ଲୋକଙ୍କ ସଙ୍ଗେ ରହିବାକୁ ମନ ହୁଏ, ଏ କଥା ତୁ ଏବେ ବୁଝି ପାରିବୁନି। ବାପାଙ୍କ କଥାକୁ ତା ଭଳି ଶିକ୍ଷିତ ବଡବାବୁ କେମିତି ବା ମାନିଯାଇଥାନ୍ତି।

ତାମାନେ ବାପା ତମେ କହୁଛ, ପିଲାଙ୍କୁ ପାଠ ପଢ଼ାଇ ଶିକ୍ଷିତ କରିବା ଭୁଲ। ନିଜ ସ୍ୱାର୍ଥ ପାଇଁ ପିଲାଙ୍କୁ ଅଶିକ୍ଷାର ଅନ୍ଧାର ଭିତରକୁ ଠେଲିଦେଇ ତାଙ୍କ ଭବିଷ୍ୟତକୁ ନଷ୍ଟ କରିଦେବି? ଏସବୁ ମୁଁ କରିପାରିବିନି।

ମୁଁ ସେକଥା କହୁନି, ଶିକ୍ଷା ସହିତ ଛୁଆଙ୍କୁ ଜ୍ଞାନ ବି ଦରକାର। ଶିକ୍ଷା ମଣିଷକୁ ଶିକ୍ଷିତ କରିପାରେ ଜ୍ଞାନୀ ନୁହେଁ, ଜ୍ଞାନ ସେ ତା ପରିବାର, ବଡ଼ ବୟୋଜ୍ୟେଷ୍ଠ, ଗୁରୁଜନ ଓ ଆଖପାଖ ପରିବେଶରୁ ପାଇଥାଏ। ତୁ ତୋ ପିଲାଙ୍କୁ ଏଥିରୁ ବଞ୍ଚିତ କରିଦେଲୁ, ଚାରି କାନ୍ଥର ଘର ଭିତରେ ବନ୍ଦୀକରି। ସେମାନେ ହଷ୍ଟେଲରୁ ଶିକ୍ଷିତ ହୋଇ ବାହାରି ପାରନ୍ତି କିନ୍ତୁ ଜ୍ଞାନୀ ହେବେନି। ତୋ ଭଳି ବଡ ଅଫିସର ହେଇପରନ୍ତି କିନ୍ତୁ ଭଲ ମଣିଷ ନୁହେଁ।

ସେମାନେ ଯାହାବି ହୁଅନ୍ତୁ ନା କାହିଁକି, କିନ୍ତୁ ମୁଁ କେବେ ବି ସେମାନଙ୍କ ଉପରେ ଇର୍ଷା କରିବିନି, ତମପରି ତାଙ୍କ ଚଲା ପଥରେ ବ୍ୟାଘାତ ସୃଷ୍ଟି କରିବିନି। ସେ ରାଗରେ ଲାଲ ପଡିଯାଇଥିଲେ। ଅହଂକାରଗ୍ରସ୍ତ ମହାନ୍ତି ବାବୁଙ୍କ ଆଖିରେ ବାପା ସାମାନ୍ୟ ଚାଷୀଟିଏ ଥିଲେ, ଯେ କି ନିଜର ଅବାନ୍ତର ଯୁକ୍ତିରେ ଜଣେ ଉଚ୍ଚ ଶିକ୍ଷିତ ବଡ଼ବାବୁଙ୍କୁ ହରାଇବାକୁ ଚାହୁଁଛି।

ସୁନାର ହରିଣ ପଛରେ ଭଗବାନ ରାମ ବି ଦୌଡ଼ି ଥିଲେ, ମିଳିଲା କଣ, ସୀତାଙ୍କୁ ହରେଇବାର ଦୁଃଖ ଯନ୍ତ୍ରଣା? ମଣିଷ ବି ଜୀବନ ଯାତ୍ରାରେ ତା'ର ଛାଇକୁ ହରାଇ ପାରିନି ଆଉ ଭାଗ୍ୟକୁ କଣ ହରାଇବ। ତୁ ଯାହାକୁ ମୋର ଈର୍ଷା ଅଭିମାନ ଭାବୁଛୁ, ତାହା ମୋ ଭଳି ବୃଦ୍ଧମାଙ୍କର ଯନ୍ତ୍ରଣା ତୁ ହୁଏତ ବର୍ତମାନ ବୁଝିବାକୁ ସକ୍ଷମ ନୁହଁ।

କାର ପହଞ୍ଚି ଯାଇଥିଲା, ବାପାଙ୍କୁ ଗାଁରେ ଛାଡି ମହାନ୍ତି ବାବୁ ନିଜର ସମସ୍ତ ଦାୟିତ୍ୱରୁ ମୁକ୍ତ ହୋଇ ଯାଇଥିଲେ। ଜୀବନରେ ଏତେ ବ୍ୟସ୍ତ ହୋଇଗଲେ ଯେ କେବେ ବାପାଙ୍କ ମନର ଭାବନାକୁ ବୁଝିବାକୁ ସମୟ ପାଇଲେ ନାହିଁ। ଯେତେବେଳେ ସେ ବୁଝିଲେ, ସମୟ ତାଙ୍କ ପାଖରେ ନ ଥିଲା।

ସମୟ ବଦଳିଗଲା ବାପା ବି ଆଉ ନାହାନ୍ତି, କିନ୍ତୁ ସମୟର ଧାରା ଆଜି ତାଙ୍କୁ ବାପାଙ୍କ ସ୍ଥାନରେ ପହଞ୍ଚାଇ ଦେଇଛି। ଯୋଉ ସନ୍ତାନମାନଙ୍କ ପାଇଁ ସେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଏ ଧନ ସମ୍ପତି ଜମା କରିଥିଲେ ସେମାନେ ବି ପାଖରେ ନାହାନ୍ତି। ଜଣ ଜଣ କରି ସମସ୍ତେ ଚାଲିଗଲେ ବିଦେଶକୁ, ନିଜ ବର୍ତ୍ତମାନକୁ ଦଳି ଚକଟି, ଭବିଷ୍ୟତକୁ ବିଳାସପୂର୍ଣ୍ଣ ଗଢିବାକୁ, ଭାଗ୍ୟ ହାତରେ ଅତୀତକୁ ଛାଡ଼ିଦେଇ, ଯେମିତି ସେମାନଙ୍କ ପାଇଁ ଅତୀତ ଅପରିଚିତ ହେଇଯାଇଛି।

ରାତ୍ରିର ଅନ୍ଧକାରକୁ ପରାସ୍ତ କରି ଆଲୋକ ଧରା ପୃଷ୍ଠକୁ ଅଧିକାର କରିସାରିଛି। ଝରକା ଫାଙ୍କଦେଇ ପୂର୍ବ ଦିଗରୁ ସୂର୍ଯ୍ୟଙ୍କ ହାଲକା କୋମଳ ରଶ୍ମି ମହାନ୍ତି ବାବୁଙ୍କ ମୁହଁରେ ପଡିଲା। ସକାଳ ପାହିଯାଇଥିଲା, ଛବି ଆସିବାର ସମୟ ପାଖେଇ ଆସିଥାଏ। ସେ ମୁଖ୍ୟ ଦରଜା ଆଡ଼କୁ ଦେଖିଲେ। ଯାହା ହେଲେ ବି ତାଙ୍କୁ କବାଟ ଖୋଲିବାକୁ ପଡିବ। ନ ହେଲେ ଛବି ଆସିବ କେମିତି? ସେ ସେମାନଙ୍କର ସହାୟତା କରିବ କେମିତି? ସାବିତ୍ରୀର ଶବ ସଂସ୍କାରର ହେବ କେମିତି? ଆଖି ସାମ୍ନାରେ ସେ ସାବିତ୍ରୀର ଶରୀରକୁ ପଚାଷଢା ହେବାକୁ ଦେବେନି। କେତେ ସୁନ୍ଦର ମୋ ସାବିତ୍ରୀ, ସେ କଣ ପୋକ ମାଛିଙ୍କ ଖାଦ୍ୟ ହେଇଯିବ? ନା, ନା ମୁଁ ତାହା ହେବାକୁ ଦେବିନି। ମହାନ୍ତି ବାବୁ ମନେ ମନେ ଭାବିଲେ। ତାଙ୍କ ଆଖି ଆଗରେ ସାବିତ୍ରୀ ଦେବୀଙ୍କ ଅତୀତର ସୁନ୍ଦର ଚେହେରା ନାଚି ଉଠୁଥିଲା, ଯେବେ ସେ ପ୍ରଥମ ଥର ତାଙ୍କୁ ଦେଖିବାକୁ ବାପାଙ୍କ ସାଙ୍ଗେ ସାବିତ୍ରୀ ଦେବୀଙ୍କ ଘରକୁ ଯାଇଥିଲେ। ତାଙ୍କ ରୂପ ଲବଣ୍ୟରେ ବିମୋହିତ ହୋଇ ପ୍ରଥମ ଦେଖାରେ ହିଁ ସେ ବିବାହ ପାଇଁ ରାଜି ହୋଇଯାଇଥିଲେ।

ଯେମିତିବି ହୋଉ ମୋତେ କବାଟ ଖୋଲିବାକୁ ପଡିବ। ମହାନ୍ତି ବାବୁ ନିଜର ସମସ୍ତ ବଳ ଲଗାଇ ଭୁଇଁରେ ଘୋଷାଡି ହୋଇ ଆଗକୁ ବଢି ଚାଲିଲେ। ଓଃ କି ଯନ୍ତ୍ରଣା, ଶରୀରର ଯନ୍ତ୍ରଣାଠୁ ମାନସିକ ଯନ୍ତ୍ରଣା ଅଧିକ କଷ୍ଟଦାୟକ ଥିଲା। କିଛି ପାହୁଣ୍ଡ ଦୂରରେ ଥିବା କବାଟଟା ଲାଗୁଥିଲା ସେ ଦିନ ବହୁ ଦୁରକୁ ଘୁଞ୍ଚି ଯାଇଛି। ଛାତିର ସ୍ପନ୍ଦନ ବଢିଚାଲିଥିଲା, ସତେ ଯେମିତି ସେ ଏଭରେଷ୍ଟ ଶୃଙ୍ଘ ଆରୋହଣ କରୁଛନ୍ତି। ଜୀବନର ଶେଷ ଯୁଦ୍ଧରେ ସେ ଏକା ଓ କ୍ଲାନ୍ତ। ବିଳାସମୟ ଜୀବନ ପାଇଁ କିଣିଥିବା କିଛି ନିର୍ଜୀବ ମୂଲ୍ୟବାନ ବସ୍ତୁ ବ୍ୟତୀତ ତାଙ୍କ ପାଖରେ ଆପଣାର ବୋଲି କେହି ନାହାନ୍ତି। ଲାଗିଲା ଯେମିତି ସେ ନିର୍ଜୀବ ବସ୍ତୁଗୁଡିକ ହଠାତ ସଜୀବ ହୋଇ ତାଙ୍କୁ ଅଟ୍ଟହାସ୍ୟ କରୁଛନ୍ତି। ତଥାପି ତାଙ୍କୁ ଏ ସଂଘର୍ଷ ଜିତିବାକୁ ପଡିବ। ସେ ଜୀବନରେ କେବେ ବି ହାର ମାନିନାହାନ୍ତି ନା ଆଜି ମାନିବେ।

କବାଟ ସେପଟୁ ଛବିର ସ୍ୱର ସେ ଶୁଣିପାରୁଥିଲେ। କିନ୍ତୁ କବାଟ ଖୋଲିବାରେ ସେ ଅସମର୍ଥ। ଚିତ୍କାର କରିବାକୁ ତାଙ୍କ ପାଖରେ ଶକ୍ତି ନାହିଁ। କେମିତି ସେ ଛବିକୁ ଜଣାଇବେ ଯେ କେତେବଡ଼ ବିପତିରେ ସେ ଅଛନ୍ତି। ତାଙ୍କୁ ସହାୟତା ଦରକାର, ନିଜ ସନ୍ତାନମାନଙ୍କର, ବନ୍ଧୁ କୁଟୁମ୍ବଙ୍କର। ସେ ବଞ୍ଚିବାକୁ ଚାହାନ୍ତି, ପୁଅ, ବୋହୂ, ଝିଅ, ଜୋଇଁ, ନାତି, ନାତୁଣୀମାନଙ୍କ ଗହଣରେ। ସମସ୍ତେ ଘେରି ବସିଥିବେ ତାଙ୍କ ଚାରିପଟେ, ପ୍ରତିଟି କଥା ବୁଝିବା ପାଇଁ। ମଲା ବେଳେ ତୁଳସୀ ପତ୍ର ଟିକେ, ଗଙ୍ଗାଜଳ ଟୋପାଏ ଦେବାପାଇଁ।

ଛବିର ସ୍ୱର ବନ୍ଦ ହୋଇଗଲା, ବୋଧେ ସେ ଫେରିଯାଉଛି। ନା ତାକୁ ମୁଁ ଫେରିବାକୁ ଦେବିନି। ସେ ମନେ ମନେ ଭାବିଲେ। ଶରୀର ସିନା ଶକ୍ତିହୀନ, ମୁଣ୍ଡ ତ ଶକ୍ତିଶାଳୀ ଅଛି, ସେ ଜୋର ଜୋରରେ କବାଟକୁ ମୁଣ୍ଡରେ ବାଡେଇ ଚାଲିଲେ।

ରକ୍ତାକ୍ତ ଶରୀର, ରକ୍ତାକ୍ତ କବାଟ, କବାଟ ଫାଙ୍କରୁ ବୋହିଯାଉଥିବା ରକ୍ତରେ ରଙ୍ଗୀନ ହୋଇଯାଇଥିଲା ବାହାର ବାରଣ୍ଡା। ରକ୍ତର ଚମକରେ ଲୋକ ରୁଣ୍ଡ ହେବାରେ ଲାଗିଲେ, ପୋଲିସ ବି ପହଂଚି ଗଲା। କବାଟ ଭାଙ୍ଗି ଦୁହିଁଙ୍କୁ ବାହାର କଲେ। ମହାନ୍ତି ବାବୁ ହାରି ଦେଇଥିଲେ ଶେଷ ନିଶ୍ୱାସ ହେଲେ ହାର ମାନିନଥିଲେ ଶେଷ ଲକ୍ଷ୍ୟରେ ପହଞ୍ଚିବାକୁ। ପଚିବାକୁ ଦେଇ ନଥିଲେ ନିଜର ଅତି ପ୍ରିୟ, ସୁନ୍ଦର ସ୍ତ୍ରୀର ଶରୀରକୁ।


Rate this content
Log in

Similar oriya story from Tragedy