STORYMIRROR

Pravanjan Dash

Tragedy Classics Inspirational

4  

Pravanjan Dash

Tragedy Classics Inspirational

ଶେଷ ଇଚ୍ଛା

ଶେଷ ଇଚ୍ଛା

2 mins
344

ସେଦିନ ରମେଶବାବୁ ଅଫିସ୍ କାମରେ ବହୁତ ବ୍ୟସ୍ତଥାନ୍ତି। ଏମିତିରେ ବି ବେସରକାରୀ ସଂସ୍ଥାରେ କାମର କୋଉଁ କୋହଳ ଥାଏ କି? ମୁଣ୍ଡ ଉପରେ ପାହାଡ଼ ପରିକା କାମର ଭାର। ସେହି କର୍ମ ଜଞ୍ଜାଳ ଭିତରେ ହଠାତ୍ ବାଜି ଉଠିଲା ରମେଶବାବୁଙ୍କ ମୋବାଇଲ୍ ଫୋନ୍। ଘର ଲ୍ୟାଣ୍ଡଲାଇନ୍ ନମ୍ବର ଦେଖି ରମେଶବାବୁ ମିଟିଙ୍ଗ୍ ହଲରୁ ବାହାରି ଆସି “ହ୍ୟାଲୋ” କହିବା କ୍ଷଣି ସେପଟୁ ଶୁଭାଗଲା ଜଣେ ବାର୍ଦ୍ଧକ୍ୟର ସ୍ୱର, “ହ୍ୟାଲୋ ରମେଶ ମୁଁ ବାପା କହୁଛି ଗାଁରୁ”। ରମେଶବାବୁ ପ୍ରଣାମ ଜଣାଇ ଫୋନ୍ ର କାରଣ ପଚାରିବା କ୍ଷଣି ଉତ୍ତରରେ ଶୁଣାଗଲା, “ଆରେ ପୁଅ ମୁଁ କଣ କହୁଥିଲି କି ଆଜି କାଇଁ ମୋର ଭାରି ମନ ହଉଛି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ,ବଡ଼ ଦାଣ୍ଡରେ ମହାପ୍ରସାଦ ଖାଇବାକୁ, ମହୋଦଧିରେ ଗୋଡ଼ ଧୋଇବାକୁ, ତୁ ଟିକେ ତୋ ଗାଡି ଆଣି ଆସନ୍ତୁନି ଆମେ ଟିକେ ଶ୍ରୀକ୍ଷେତ୍ର ଆଡେ ବୁଲି ଯାଇଥାନ୍ତେ”। ବହୁବ୍ୟସ୍ତତା ଭିତରେ ଏସବୁ ଶୁଣିବା ରମେଶବାବୁଙ୍କ ପକ୍ଷେ ସମ୍ଭବ ନଥିଲା ତେଣୁ ରମେଶବାବୁ ଟିକେ ଚିଡି ଯାଇ କହି ଉଠିଲେ, “ବାପା ମୁଁ ଏବେ ବହୁତ ବିଜି ଅଛି। ପ୍ଲିଜ୍ ଡୋଣ୍ଟ୍ ଡିଷ୍ଟ୍ୟୁର୍ବ ମି”। ସେପଟୁ କିଛି ଶୁଣିବା ଆଗରୁ ରମେଶବାବୁ ଫୋନ୍କୁ ସୁଇଜ୍ ଅଫ୍ କରି ମିଟିଙ୍ଗ୍ ହଲକୁ ଚାଲିଗଲେ। ସମୟର ଚକ ଗଡି ଚାଲିଲା। ଆସ୍ତେ ଆସ୍ତେ ମିଟିଙ୍ଗ୍ ବି ଶେଷ ହେବାକୁ ଲାଗିଲା। ଅଫିସ୍ କାମରୁ ଟିକେ ଫ୍ରି ହୋଇ ରମେଶବାବୁ ଫୋନ୍ ଅନ୍ କରିବା କ୍ଷଣି ଫୋନ୍ଟି ପୁଣି ବାଜିଉଠିଲା। ସାନଭାଇ ମହେଶର ଫୋନ୍ ଦେଖି ରମେଶବାବୁ ରିସିଭ୍ କଲେ। ସେପଟୁ ମହେଶ କାନ୍ଦ କାନ୍ଦ ହୋଇ କହିଉଠିଲା, “ଜାଣିଛ ଭାଇ ବାପା ଚାଲିଗଲେ”। ମହେଶର ଏ ପଦେ କଥା ଶୁଣି ରମେଶବାବୁଙ୍କ ପାଦତଳୁ ମାଟି ଖସିଗଲା ଓ ମୁଣ୍ଡ ଉପରୁ ଆକାଶ ଛିଡି ପଡିଲା ପରି ଲାଗିଲା। ରମେଶବାବୁ କିଛି କହିବା ଆଗରୁ ସେପଟୁ ମହେଶ ଥରି ଥରି କହିଲା, “ଭାଇ ବାପା ଖରାବେଳେ ଖାଇ ପିଇ ଶୋଇଲେ ତାରି ଭିତରେ ସବୁକିଛି ସରିଯାଇଛି, ପାଖାପାଖି ତିନି ଘଣ୍ଟା ହେବ ଆମେ ଦେଖିଲା ବେଳକୁ ସେ ଆଉ ନାହାନ୍ତି, ସେତେବେଳୁ ଫୋନ୍ ଲଗାଉଛୁ ତମ ଫୋନ୍ ସୁଇଜ୍ ଅଫ୍ କହୁଛି, ଆଉ ଘର ଲ୍ୟାଣ୍ଡଲାଇନ୍ ଟା ବି ମାସେ ହବ ଡେଡ୍ ହେଇପଡିଛି”। ରମେଶବାବୁ କିଛି ବୁଝି ପାରୁନଥାନ୍ତି କିଛି ସମୟ ଆଗରୁ ଲ୍ୟାଣ୍ଡଲାଇନରୁ ବାପା ନିଜେ କରିଥିବା କଲ୍ ଆଉ ବର୍ତ୍ତମାନ ମହେଶର ଫୋନ୍ ଅନୁସାରେ ବାପାଙ୍କ ମୃତ୍ୟୁ ତା’ ସହିତ ଲ୍ୟାଣ୍ଡଲାଇନ୍ ଡେଡ୍ ଭିତରେ ଥିବା ଆକାଶ ପାତାଳର ଫରକକୁ। ତା’ ମାନେ କ’ଣ ବାପା କରିଥିବା କଲ୍ ବେଳକୁ ସେ ଆଉ ଜୀବିତ ନଥିଲେ? ନିଜ ମନର ଇଚ୍ଛାକୁ ସେ କ’ଣ ନିଜ ଆତ୍ମା ମାଧ୍ୟମରେ ପ୍ରକାଶ କଲେ”? ଏସବୁ ଭାବନା ଭିତରେ ସେପଟୁ ଶୁଣାଗଲା, “ତମେ ଶୀଘ୍ର ଆସ ଭାଇ ଆମେ ବାପାଙ୍କୁ ଶ୍ମାଶନ ନେଇ ଯିବା”। ମହେଶ ମୁହଁରୁ ଏସବୁ କଥା ଶୁଣିସାରି ରମେଶବାବୁ ପିଲାଟି ପରି କଇଁ କଇଁ କାନ୍ଦି କହିଲେ, “ନାଇଁରେ ଆମେ ବାପାଙ୍କୁ ପୁରୀ ସ୍ୱର୍ଗଦ୍ୱାର ନେବା। ତାଙ୍କର ଶେଷ ଇଚ୍ଛା ଥିଲା କାଳିଆ ଦର୍ଶନ ସେ ନହେଲେ ନାହିଁ ଅନ୍ତତଃ କାଳିଆ ତ ତାଙ୍କୁ ଟିକେ ଦେଖିବ”।                                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy