Satyabati Swain

Tragedy

4  

Satyabati Swain

Tragedy

ଶେଷ ଗିଫ୍ଟ

ଶେଷ ଗିଫ୍ଟ

4 mins
202


ବୁଇ ଦଉଡ଼ି ଦଉଡ଼ି ଆସି କହିଲା, ମା ମା ଦେଖିବୁ ଚାଲେ ନମୁ ଭାଇ କେମିତି ହେଉଛି।


ହଁ ଜେଜେମା ନମୁ ଦାଦା ଭଙ୍ଗା କଚଡ଼ା କରୁଛନ୍ତି ଜୋର ସୋର କହିଲା ନାତି ଡିଲୁ।


ବୈଶାଖ ମାସ ଟାଇଁଟାଇଁ ଖରା।ବାଡ଼ି ପଟ ଫୁଲ ବଗିଚାରେ ପାଣି ଦେଉଥିଲି ମୁଁ।ପାଣି ଡେଲିଭରି ପାଇପ ଟି ଫିଙ୍ଗି ଦେଇ ଗୋଟେ ନିଃଶ୍ବାସରେ ଦୌଡ଼ିଲି ଘରକୁ।


ଦେଖିଲି:


ଘରକୁ ଉଠାଉଛି ପକାଉଛି ନିର୍ମାଲ୍ୟ ମୋ ଗେହ୍ଲା ସାନ ପୁଅ ନମୁ।କଣ ଗୋଟିଏ ଖୋଜୁଛି।ଘର ଜିନିଷ ସବୁ ଫିଙ୍ଗା ଫିଙ୍ଗି କରି ଭାଙ୍ଗି ସାରିଲାଣି। ଗଡ଼ରେଜ୍, ବହି ଥାକ, ଡାଇରୀ ସବୁ ଖୋଜି ଖୋଜି ନୟାନ୍ତ ହେଲାଣି।ରାଗ ସଅଁ ସଅଁ ଶବ୍ଦ ଶେଷକୁ କୋହ ଫୁଟା କାନ୍ଦରେ ପରିଣତ ହୋଇଗଲା।


ନିର୍ମାଲ୍ୟ କେଡେ ସୁଧାର ପୁଅଟି ଆଜିକାଲି ନର୍ମାଲ ବ୍ୟବହାର କରୁନାହିଁ।ନିଜକୁ ଘର ଭିତରେ ବନ୍ଦୀ କରି ରଖୁଛି।ଅବଶ୍ୟ ଗୃହ ବନ୍ଦୀ ଏଇଲେ ଲୋଡ଼ା।କିନ୍ତୁ ରାତି ଦିନ ଚବିଶ ଘଣ୍ଟା ଘର ଅନ୍ଧାର କରି ରହିବା ଘର ଲୋକଙ୍କ ଚିନ୍ତା ବଢ଼େଇ ଦେଇଛି। ଏମିତି ବର୍ଷେ ହେବ ସେ ହେଉଛି।


କି ମହାମାରୀ ଆସିଲା କେଜାଣି ସମ୍ପର୍କର ପରିଭାଷା ବଦଳେଇ ଦେଲା। ଅଛୁତ ହୋଇ ଗଲେ ଆପଣାର ଆତ୍ମୀୟ।କୋଭିଡ ପଜିଟିଭ୍ ହୋଇ ଘରୁ ଯିବା ଲୋକ ଖୁବ୍ କମ୍ ଫେରି ଆସି ଘର ମୁହଁ ଦେଖୁଛନ୍ତି।ବିଶ୍ୱ ରେ କୋକୁଆ ଭୟ।କୁଢ଼ କୁଢ଼ ଶବଙ୍କ ଚିତା ଲିଭୁନି ମଶାଣୀରୁ।ଗୋଟିଏ ଗୋଟିଏ ପରିବାର ସମ୍ପୂର୍ଣ୍ଣ ଶେଷ।କୁଳରେ ପାଣି ଦେବାକୁ ଜଣେ ହେଲେ ନାହାନ୍ତି।


ପୋକ ମାଛି ପରି ଲୋକେ ମଲା ପରେ ଟିକେ ନିଃଶ୍ବାସ ମାଇଲା ବେଳକୁ କରୋନା ଦ୍ଵିତୀୟ ଲହର ପୁରା ବିଶ୍ୱ ମେରୁଦଣ୍ଡ ବିଶେଷ କରି ଭାରତ ପରି ଜନ ବହୁଳ ରାଷ୍ଟ୍ରର ବଙ୍କା କରିଦେଲାଣି।ସରକାରଙ୍କର ପ୍ରାଣ ପଣେ ଚେଷ୍ଟା ଲୋକଙ୍କ ସୁରକ୍ଷା ନେଇ।ଶହ ଶହ କରୋନା ଯୋଦ୍ଧା ଜୀବନକୁ ପାଣି ଛଡେଇ ଲାଗିଛନ୍ତି ଲୋକଙ୍କ ଜୀବନ ବଞ୍ଚେଇବାରେ।ଟୀକାକରଣ ଚାଲିଛି ଦ୍ରୁତ ଗତିରେ ଆଶାର କିରଣ ନେଇ।ହେଲେ ନମୁର କଣ ହୋଇଛି? କଣ ଖୋଜି ବାଇଆ ପରି ହେଉଛି?


ଏ ବର୍ଷ ଏପ୍ରିଲକୁ ବର୍ଷେ ହୋଇଯିବ ନମୁ ମୁହଁରୁ କଥା ଓ ହସ କିଏ ଛଡେଇ ନେଇଛି। ଚୁପ୍ ଚାପ୍ ଗୋଟେ ଘରେ ପଡୁଛି।ଜୋର ଜବରଦସ୍ତ ତାକୁ ଟିକେ ବାରି ଘର ବୁଲେଇ ନେଲେ ବି ଅନ୍ୟ ମନସ୍କ ଥିବ।କହିବ ମା ତୁ ଥା, ମୋତେ ଭଲ ଲାଗୁନି ମୁଁ ଯାଉଛି।


ନମୁରେ ! କେତେ ଦିନ ଆଉ ଏମିତି ହେବୁ।ଦେଖୁଛୁ ତ କାଳର କରାଳ ରୂପ।କିଏ କେତେ ହରାଉଛନ୍ତି।ତୁ ବୁଝିଲା ସୁଝିଲା ପୁଅ ହୋଇ ଏମିତି ହେଲେ ମୁଁ ଆଉ କାହାକୁ କଣ କହିବି କହିଲୁ ଧନ।


ଆଖି ମିଟି ମିଟି କରି ଚାହିଁବ।ମୋ କାନିରେ ଲୁହକୁ ଲୁଚେଇ କହିବ, ମୁଁ କଣ କରିବି ମା ପ୍ରୀତାକୁ ଭୁଲି ପାରୁ ନାହିଁ ମୁଁ।ତା ଆକୁଳ ଡାକ , "ନିର୍ମାଲ୍ୟ ମୋତେ ବଞ୍ଚାଅ , ମୁଁ ମରିବାକୁ ଚାହେଁନି " ମୋ କାନ ପାଖେ ଅହରହ ପ୍ରତିଧ୍ୱନିତ ହେଉଛି। ଛାତି ଫାଟି ଯାଉଛି ମା।"


ପ୍ରୀତା ସହ ନିର୍ମାଲ୍ୟର ରିଙ୍ଗ୍ ସେରିମନି ସରି ଯାଇ ଥିଲା।ଦୁହେଁ ଗୋଟିଏ କଲେଜରୁ ଇଞ୍ଜିନିୟରିଙ୍ଗ୍ ପାସ୍ କରି ହାଇଦ୍ରାବାଦର ଗୋଟିଏ କମ୍ପାନୀରେ ଦୁହେଁ କ୍ୟାମ୍ପସ୍ ସିଲେକ୍ସନ ରେ ଜବ୍ ପାଇ ଯାଇଥିଲେ।ବନ୍ଧୁତା ପ୍ରେମରେ ପରିଣତ ହୋଇ ବିବାହ ଯାଏ ଆଗେଇ ଯାଇଥିଲା।ପୁଅର ସାଙ୍ଗ ଓ ପ୍ରେମିକା ଯଦି ସ୍ତ୍ରୀ ହୁଏ ଏହା ଠାରୁ ଖୁସି କଥା କଣ ଆଉ ଅଛି।ଆମ ଦୁଇ ପରିବାର ବି ମହା ଖୁସି ଥିଲେ ଏ ବିବାହକୁ ନେଇ।ଫେବ୍ରୁଆରୀ ମାସରେ ରିଙ୍ଗ୍ ସେରିମନି ସରି ଯାଇଥିଲା।ବାହାଘର ମେ ତିନିରେ ହେବାର ସ୍ଥିର ହୋଇଥିଲା।


ନମୁ ଓ ପ୍ରୀତା ଖୁବ୍ ଖୁସି ଥିଲେ।ରିଙ୍ଗ୍ ସେରିମନି ପରେ ଦୁହେଁ ନିଜ କର୍ମ କ୍ଷେତ୍ର ହାଇଦ୍ରାବାଦ ଚାଲି ଯାଇଥିଲେ। ଗଲା ବେଳେ ଦୁହେଁ ମହାଖୁସି ରେ ଯାଇଥିଲେ।କିନ୍ତୁ ଫେରିଲା ବେଳକୁ ଏକା ନମୁ ସେ ପୁଣି କୋଭିଡ୍  ପଜିଟିଭ୍ ହୋଇ ଫେରିଥିଲା।   କରୋନା ଆକ୍ରାନ୍ତ ହୋଇ ଏପ୍ରିଲ ମାସରେ  ପ୍ରୀତା ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଥିଲା । ନମୁ ଆଶା ବି ଆମେ ଛାଡି ଦେଇଥିଲୁ।କରୋନା ସାଙ୍ଗକୁ ମନର ସରସତା ବଞ୍ଚି ବାର ଆଶା ହରାଇ ତାର ବି ମରଣ ସମାନ ଦଶା ହୋଇଥିଲା। ପ୍ରଭୁ ବାସୁଦେବ ଆମ ଡାକ ଶୁଣିଲେ।ନମୁ ଭଲ ହୋଇ ଘରକୁ ଫେରିଲା।


ଯିଏ ଫେରିଲା ସିଏ ନମୁ ନ ଥିଲା ; ନମୁର ଚେହେରା ଯାହା ଥିଲା।ମନ ହେଲେ ଗାଧାଏ, ଖାଏ ନ ନେଲେ ନାହିଁ। ଜୀଅନ୍ତା ଶବ ପରି ବର୍ଷେ ହେଲା ବଞ୍ଚୁଛି ସେ।


ଡିଲୁ କୁ ପ୍ରାଣ ଦେଇ ଭଲ ପାଏ ନମୁ।ତା ସହ ବି ପଦେ କି ଦି ପଦ କଥା ହୁଏ।ଡାକ୍ତର କହିଲେ ସ ଖୁବ୍ ଷ୍ଟ୍ରେସ ରେ ଅଛି। ଏଥିରୁ ବାହାରିବାକୁ ଟିକେ ସମୟ ଲାଗିବ।ତା ସଙ୍ଗେ କୌଣସି କଥାରେ ଯୁକ୍ତି ତର୍କ କରିବ ନାହିଁ କି କେଉଁ କାମ ବାଧ୍ୟ କରି କରେଇବାକୁ ଚେଷ୍ଟା କରିବ ନାହିଁ।ସମସ୍ତେ ସ୍ନେହ,ଆଦର,ସମୟ ଦେଇ ସହଯୋଗ କଲେ ସେ ଆସ୍ତେ ଆସ୍ତେ ନର୍ମାଲ ହୋଇଯିବେ।


ସେଇ ଦିନଠୁ ପରିବାରର ପ୍ରତ୍ୟେକ ବ୍ୟକ୍ତି ନମୁ ଇଚ୍ଛା ନୁଯାୟୀ କାମ କରନ୍ତି।କୌଣସି କାମରେ ବାଧ୍ୟ ବାଧକତା କରନ୍ତି ନାହିଁ।ଏବେ ଟିକେ ଟିକେ କଥା କହୁଥିଲା ସଭିଙ୍କୁ। ଆଜି ହଠାତ୍ କଣ ହେଲା ଏମିତି ହେଉଛି ? ଭୟରେ ଛାନିଆଁ ହୋଇଗଲେ ସମସ୍ତେ।


ଡରିକି ତା ପାଖକୁ ବେଶୀ କେହି ଯାଆନ୍ତି ନାହିଁ।କେବଳ ମୁଁ ହିଁ ତା ପାଖେ ପାଖେ ଥାଏ । ଶୋଇଥିଲା ବାରି ପଟକୁ ଟିକେ ଯାଇଛି କି ନାହିଁ ତୁମୁଳ କାଣ୍ଡ କଲାଣି !


ନମୁ ଧନ ମୋର କଣ ହୋଇଛି ? ମୋ ବାପା ମୋତେ ଏଇଲେ କହିଦେବ କହି ତାକୁ କୋଳକୁ ଆଣିଲି।ସେ କାନ୍ଦୁଥିଲା କୋଳି ମିଛି ହୋଇ ସେତେବେଳେକୁ। କଣ ହୋଇଛି କହିଲୁ ବାବୁ।କାହିଁକି କାନ୍ଦୁଛୁ?


ମୋତେ ସେ ଆହୁରି ଜୋରେ ଭିଡି ଧରିଲା।ମା ମା


ହଁ କଣ କହ ବାବା ?


ମୋର ସେଇଟା ପାଉନାହିଁ।


ସେଇଟା ?


ହଁ ସେଇଟା।ମୁଁ ତାକୁ ଭାରି ଭଲ ପାଏ।ମୋ ପାଖରେ ତକିଆ ତଳେ ସବୁବେଳେ ରଖିଥାଏ। ଆଜି ସେଇଟି ନାହିଁ।କୁଆଡେ ଚାଲି ଯାଇଛି। ମୋର ସେଇଟା ଦରକାର ମା।ମୋତେ ସେଇଟା ଆଣି ଦିଅ ।


ହଁ ... ହଁ ଧନ ତୋତେ ସେଇଟା ଦିଆ ହେବ।ହେଲେ ତୁ ପ୍ରଥମେ କହତ ସେଇଟା କଣ?


ତକିଆ ତଳେ ରଖିଥିଲି।ସେଇଟା ହିଁ ପ୍ରୀତାର " ଶେଷ ଗିଫ୍ଟ " ଥିଲା ମୋ ପାଇଁ।ମୋତେ ଖୋଜି ଦିଅ ମା।


ଘର ଲୋକେ ସମସ୍ତେ ଦୁଆର ମୁହଁରେ ଠିଆ ହୋଇ ନମୁ କଥା ଶୁଣି ଭାବୁଥିଲେ ସତ ସତିକା ଏମିତିଆ ଭେଣ୍ଡା ପୁଅଟା ପାଗଳ ହୋଇଗଲା ଜାଣ।ଜେଜେ,ବାପା, ବାପା,ଭାଇ,ଭାଉଜ,ଭଉଣୀ ସମସ୍ତଙ୍କ ଆଖିରେ ଲୁହ।


ସମସ୍ତଙ୍କୁ ଠେଲି ଡିଲୁ କହିଲା, ଦାଦା ଦେଖିଲ ତୁମର ସେଇଟା ଏଇ ନୁହେଁ ତ ! ଟଏଲେଟ୍ ରେ ପଡିଥିଲା।


ସମସ୍ତେ ଉତ୍ସୁକତାରେ ଡିଲୁ ଆଡକୁ ଅନେଇଁ କହିଲେ

ମାସ୍କ !!!


ଏଇ ମାସ୍କଟା ପାଇଁ ଏତେ କଥା !!


ନମୁ ଡିଲୁ ହାତରୁ ସେଇଟା ଛଡେଇ ନେଇ କହିଲା, ତୁମେ ସମସ୍ତେ ଭାବୁଛ ମୁଁ ପାଗଳ ନା ? ମୁଁ ପାଗଳ କାଇଁକି ହେବି!!


ବଞ୍ଚିଥିବା ଯାଏ ଆଉ ତ ପ୍ରୀତାକୁ ଦେଖି ପାରିବି ନାହିଁ।କିନ୍ତୁ ତା ହାତ ତିଆରି ଏଇ ଗୋଲଡ଼ନ୍ କଲର୍ କପଡା ଉପରେ ନୀଳ ରଙ୍ଗର ଲେଖା ମୋ ନାଁ ମାସ୍କ ଟି ତ ଯେତେ ଦିନ ସମ୍ଭବ ସାଇତି ରଖି ପାରିବି। କରୋନା ସମୟରେ ପ୍ରୀତା ଏଇ ମାସ୍କରେ ମୋ ନାଁ ଲେଖି ନିଜ ହାତରେ ପିନ୍ଧାଇ ଦେଇଥିଲା।


ଏ ମାସ୍କ ନୁହେଁ ମୋ ପ୍ରେମର "ଶେଷ ଗିଫ୍ଟ" ମୋ ପାଇଁ କହି ମାସ୍କଟିକୁ କିସ୍ ପରେ କିସ୍ କରୁଥିଲା ନମୁ।

Satyabati swain, balikuda, jagatsinhpur



Rate this content
Log in

Similar oriya story from Tragedy