Madhabi Patel

Inspirational

4  

Madhabi Patel

Inspirational

ଶାନ୍ତି

ଶାନ୍ତି

5 mins
417



ଦୀର୍ଘ କୋଡିଏ ବର୍ଷ ପରେ ସାନ୍ତନୁ ଫେରୁଥିଲେ ଘରମୁହାଁ।କେତେ ବଦଳି ଯାଇଥିଲା ତାଙ୍କ ଅନୁପସ୍ଥିତିରେ ତାଙ୍କର ଜନ୍ମମାଟି। ସେ ଯେତେବେଳେ ଘର ଛାଡି ଥିଲେ ଚାରିଆଡେ ବଣ ଜଙ୍ଗଲ ପୂର୍ଣ ଥିଲା।ବଣୁଆ ହିଂସ୍ର ଜନ୍ତୁ ରହୁଥିଲେ।

ରାତିରେ ବାଘର ହେଣ୍ଟାଲ ଶୁଣା ଯାଉଥିଲା।ବିଲୁଆର ହୁକେହୋ ଆଉ ଜଙ୍ଗଲି କୁକୁଡାଙ୍କ କକରେ କଁଁ ଶବ୍ଦ ରାତ୍ରୀର ନୀରବତା ଭଙ୍ଗ କରୁଥିଲା। ମାତ୍ର ଅଠର ବର୍ଷ ସମୟରେ ତାଙ୍କୁ ବିବାହ କରି ଦେଇଥିଲେ ।ସେତେବେଳେ ନିଜର ଇଚ୍ଛା ଚଳୁ ନଥିଲା ଗୁରୁ ଜନଙ୍କ କଥାରେ ବିବାହ ହେଉଥିଲା।

ସାନ୍ତନୁ ଙ୍କୁ ଗୃହସ୍ଥ ଜୀବନ ବାନ୍ଧି ରଖି ପାରିଲାନି।ସୁନ୍ଦରୀ କାମିନୀ ଆଉ ଛଅମାସର ଝିଅ କୁ ଏକା ଛାଡି ସେ ତୀର୍ଥ କରିବାକୁ ଚାଲିଗଲେ।ମନର ଶାନ୍ତି ଅନ୍ବେଷଣରେ ସେ ଅନେକ ଜାଗା ବୁଲିଲେ।ପୁରୀ,ବୃନ୍ଦାବନ,କାଶୀ ଦ୍ବାରକାନାଥ,ରୁ କେଦାରନାଥ ର ବି ଭ୍ରମଣ କରି ସାରିଦେଲେ।ଯେତେ ଯୋଗ ସାଧନାରେ ମନକୁ ବୁଡେଇ ରଖିଲେ ବି ଥରେ ଥରେ ମନ ଚଗଲା ବାଛୁରୀ ପରି ଖଣ୍ଡି ଡିଆଁ ମାରୁଥିଲା।ଖୋଜି ବୁଲୁଥିଲା ନିଜ ଗାଆଁ ମାଟିକୁ।ପିଲାଦିନର ସାଙ୍ଗ ସାଥୀଙ୍କୁ।ନବବଧୂ କାମିନୀର କାମଶକ୍ତ ମିଳନର କ୍ଷଣକୁ।ପ୍ରିୟାର ଆଖିର ଲୋତକ ହୃଦୟର ଡାକ ଥରେ ଥରେ ବିବ୍ରତ କରୁଥିଲା ତାଙ୍କର ମନ ମସ୍ତିଷ୍କକୁ। ଗୁଲୁଗୁଲିଆ ଛଅ ମାସର ସେଫାଳିର ପଦୁଅଁକଢି ପରି ମୁହଁ ଆଖିରେ ନାଚୁ ଥିଲା।ଯେତେବେଳେ ପିଲାଟିର ଦାୟିତ୍ବ ତାଙ୍କୁ ମୁଣ୍ଡେଇବାର ଥିଲା ସେତେବେଳେ ସେ ତାକୁ ଏକା ଛାଡି ଚାଲି ଆସିଲେ।ନିଜର ଶାନ୍ତିକୁ ବଡ କରିଦେଲେ।ହେଲେ ସେ କେତେବଡ ଭୂଲ ବି ତ କରିଛନ୍ତି ଏହା ପାଇଁ।ସ୍ତ୍ରୀ ସନ୍ତାନଙ୍କ କଣ ଭୂଲ୍ ଥିଲା? ଯାହାକୁ ସେ ଏତେ ବଡ ଦଣ୍ଡ ଦେଲେ।ତାଙ୍କରି ଭରଷାରେ କାମିନୀ ନିଜ ଘରଛାଡି ଆସିଥିଲେ ନୂଆ ଏକ ପରିବାରକୁ ବଧୂ ରୂପରେ।ସବୁ କର୍ତ୍ତବ୍ୟ ନିଭାଉ ଥିଲେ ସେ ଏକ ଉତ୍ତମ ବଧୂର। ଶାଶୁ ଶଶୁର ନଣନ୍ଦ ଦିଅର ସମସ୍ତଙ୍କୁ ନିଜ ମଧୁର ବ୍ୟବହାରରେ ବାନ୍ଧି ଦେଇଥିଲେ।କେବଳ ବାନ୍ଧି ପାରିଲେନି ତାଙ୍କୁ। ସାନ୍ତନୁ ପିଲାବେଳୁ ବଡ ଈଶ୍ବର ବିଶ୍ବାସୀ ଥିଲେ।ଈଶ୍ବରଙ୍କ ତଲାସରେ ସେ ରହୁଥିଲେ ସବୁବେଳେ।ସେ ଖୋଜି ବୁଲୁଥିଲେ ମନ୍ଦିର ମନ୍ଦିର।ହେଲେ କୋଉଠି ଈଶ୍ବରଙ୍କ ଦର୍ଶନ ପାଇଲେ ନାହି।ଶାନ୍ତ ପରିବେଶ ସହିତ ଭଜନ କୀର୍ତ୍ତନ କରି ଦେଖିଲେ ହେଲେ ଶାନ୍ତିର ଲେଶ ମାତ୍ର ଦେଖା ନାହିଁ କି ଭଗବାନଙ୍କ ଦର୍ଶନ ନାହି?

ଏବେ ଭାବି ବାକୁ ଲାଗିଲେ ବେକାର ଟାରେ ଏତେ ବର୍ଷ ସେ ନଷ୍ଟ କରିଦେଲେ।ଯୋଉ ପରିବାର କୁ ଛାଡି ଆସିଥିଲେ ସେଇ ପରିବାର ମନେ ପଡୁଥିଲା ତାଙ୍କୁ।ଜନକ ଜନନୀର ସେ ନିସ୍ବାର୍ଥ ଭଲ ପାଇବା।ମାଆର ସେ ମୁଣ୍ଡ ଆଉଁଷା ବେଟା ବେଟା ଡାକ ତାଙ୍କୁ ପାଖକୁ ଡାକୁଥିଲା।ତାଙ୍କ ବିଚ୍ଛେଦରେ ଭାଙ୍ଗି ପଡିଥିବେ ସମସ୍ତେ।ଘରର ବଡ ପୁଅ ଥିଲେ ସେ।ଏମ୍ ଏ ପାଠ ପଢି ଘର ଦାୟିତ୍ବ ସମ୍ଭାଳିଲା ବେଳକୁ ସେ ଗୃହତ୍ୟାଗ କରି ଚାଲି ଆସିଲେ।ନିଜର ଆତ୍ମାର ନିର୍ବାଣ କଥା ଭାବିଲେ।ନିଜ ମନର ଶାନ୍ତିକୁ ପ୍ରାଧାନ୍ୟ ଦେଲେ?ହେଲେ କଣ ସେ ସତରେ ଶାନ୍ତି ପାଇ ପାରିଲେ? ଏବେ ବି ମନ ଛଟପଟ ହେଉଛି।ଖୋଜୁଛି ସେହି ନିସ୍ବାର୍ଥ ଭଲ ପାଇବାର ଅମୃତ ଟିକେ ଚାଖିବା ପାଇଁ।ଘରେ ସବୁ ଖୁସି ଥାଉ ଥାଉ ସେ ଏତେଦୂର ଚାଲି ଆସିଲେ।ପ୍ରକୃତରେ ତାଙ୍କସହ ରହି ଗୃହସ୍ଥାଶ୍ରମ ପାଳନ କରି ହିଁ ସେ ପ୍ରକୃତ ଶାନ୍ତି ପାଇ ପାରିଥାନ୍ତେ।ଏଠି ଯାହା ଜପତପ ପୂଜାପାଠ କରୁଛନ୍ତି ତାହା ଘର ଭିତରେ ରହି ବି କରି ପାରିଥାନ୍ତେ।ସେଠି ସବୁ କର୍ତ୍ତବ୍ୟ କରିଥିଲେ ଆଜି ମନରେ ଯେଉଁ ଗ୍ଲାନି ରହିଛି କର୍ତ୍ତବ୍ୟ ଛାଡି ପଳାଇ ଆସିବାର ମନସ୍ତାପ ହେଉଛି ସେ ସବୁ ହୋଇନଥାନ୍ତା।ଛୋଟ ଛୁଆଟି ପିତୃ ସୁଖରୁ ବଞ୍ଚିତ ହୋଇ ନଥାନ୍ତା।ତାର ସେ ଅବୋଧ ପଣ ତାର ସେ ସୁନ୍ଦର ଚେହେରା ତାଙ୍କୁ ବ୍ୟତିବ୍ୟସ୍ତ କରୁଥିଲା ସବୁବେଳେ। ସେ କେମିତି ଏତେ କଠିଣ ହୋଇ ପାରିଲେ? ନିଜ ଔରସଜାତ ସନ୍ତାନକୁ ଦେବୀ ପରି ସତୀ ସ୍ତ୍ରୀକୁ ସଂସାରର ନିନ୍ଦା ଅପବାଦ ସହିବାକୁ ଛାଡି ଦେଲେ।କେମିତି ପାଳିଥିବ କାମିନୀ ଛୋଟିଆ ଛୁଆଟାକୁ ତାଙ୍କର ଅନୁପସ୍ଥିତିରେ।କେତେ ଲୋକଙ୍କ କେତେ ଲୋଲୁପ ଦୃଷ୍ଟି ତା ଭରା ଯୌବନକୁ ପ୍ରଲୋଭିତ କରିଥିବ?

କେମିତି ରକ୍ଷା କରିଥିବ,ଏତେସବୁ ସମସ୍ୟା ଭିତରେ ନିଜକୁ।

ଏତେ ସବୁ ଭାବନା ଭିତରେ ସେ ନିଜ ଗାଆଁରେ ପହଞ୍ଚି ଯାଇଥିଲା।ଗାଆଁର ମାଟି ସଡକ ଆଉ ନାହିଁ।ସବୁ ସିମେଣ୍ଟ ହୋଇ ଯାଇଛି।ସେ ପଢିଥିବା ଚାଳିଆ ସ୍ଖୁଲ ବଦଳି ରଙ୍ଗିନ ଦିଶୁଛି।ସିମେଣ୍ଟରେ ତଆରି ହୋଇଛି ଏବେ। ବାଉଣ୍ଡ୍ରି ଘେରରେ ପୁଲଫଳ ଗଛରେ ସଜା ହେଇଛି ଭିତରଟି। ଗାଁର ଝୁପୁଡି ମାନେ ବି କୋଠାରେ ପରିବର୍ତ୍ତିତ ହୋଇ ଯାଇଛନ୍ତି।ସେ ଗହଳ ଆମ୍ବତୋଟା ଭାଙ୍ଗିରୁଜି ଏବେ ଗୋଟେ ଦୁଇଟା ବୁଢା ଗଛ ଠିଆ ହେଇ ତାର ଅବସ୍ଥିତିର ପ୍ରମାଣ ଦେଉଛନ୍ତି।ବାକି ସବୁ ଆଡେ ଚନ୍ଦା ହେଇ ସାରିଲାଣି।ଖାଲି ଜାଗାରେ ଘରବାଡି ବନି ଯାଇଛି। ଗାଆଁରେ ପଶି ଦେଖିଲା କାହାର ବିବାହ ପର୍ବ ର ଆୟୋଜନ ହେଉଛି।ତାଙ୍କ ଗଉନ୍ତିଆ ପଡା ସଜା ହେଇଛି ଫୁଲ ମାଳ ଓ ଲିଚୁ ଲାଇଟରେ। ଜଣେ ଲୋକକୁ ପଚାରି ବୁଝିଲା ତାରି ଝିଅର ବାହାଘର ଆଜି।ଗାଆଁର ଯୁବକ ମାନେ ସବୁ ଅଚିହ୍ନା ଲାଗୁଥିଲେ ତାକୁ।ପୁରୁଣା ବୁଢା ଲୋକ ସବୁ ମରି ଗଲେଣି ବୋଧହୁଏ ଏ ଭିତରେ।କେହି ତ ଦିଶୁ ନଥିଲେ।ସେ ନିଜ ମାଆ ବାପାଙ୍କ ବିଷୟରେ ବି ଚିନ୍ତିତ ଥିଲା।ଭଗବାନ କରନ୍ତୁ ସେ ଦୁଇଜଣ ବଞ୍ଚି ଥାଆନ୍ତୁ। ଏମିତି ଭାବି ଆଗକୁ ବଢୁଥାଏ।ଦେଖିଲା ଆଗରେ ବୁଢାଜଣେ ବସିଛନ୍ତି।ସେ ଯାଇ ମୁଣ୍ଡିଆ ମାରିଲା।ସନ୍ୟାସୀ ଜଣେ ତାଙ୍କ ମୁଣ୍ଡିଆ ମାରିବା ଦେଖି ନକୁଳ ବାବୁ କହିଲେ କଣ କରୁଛନ୍ତି ବାବା ଆପଣ ଯୋଗୀ ହୋଇ ମତେ ଜୁହାର ହୋଇ କାହିଁକି ପାପ ବଢାଉଛନ୍ତି?

ଯୋଗୀ ଜଣକ କହିଲେ ମତେ ଚିହ୍ଳି ପାରୁନ ବାପା ମୁଁ ତୁମ ପୁଅ ସାନ୍ତନୁ।ତୁମ ପାଖକୁ ଫେରିଆସିଛି।ଯୋଉ ଶାନ୍ତି ପାଇଁ ଘର ଛାଡି ଥିଲି କୋଉଠି ମିଳିଲାନି ମତେ ସେ ଶାନ୍ତି।

ତୁମ ର ଓ ମାଆ ପାଦତଳେ ହିଁ ମୋର ସବୁ ଶାନ୍ତି ଥିଲା ବାପା ମୁଁ ନିର୍ବୋଧ ଯାହା ବାହାରେ ଖୋଜି ବୁଲୁଥିଲି। ବାପା ମାଆଙ୍କ ପାଦ ସେବାରେ ସବୁ ତୀର୍ଥ ରହିଛି ଜାଣି ସୁଦ୍ଧା ମୁ ଏ ତୀର୍ଥ ସେ ତୀର୍ଥ ବୁଲୁଥିଲି।ହେଲେ ନିରାଶ ହେଲି କୋଉଠି ଶାନ୍ତି ମିଳିଲାନି।ତୁମ ମାନଙ୍କ  ମୁହଁ ଦିଶିଲା ମତେ। କେହି ବାନ୍ଧି ରଖି ପାରିଲେନି ସେ କାଶୀ ବୃନ୍ଦାବନ, ସେ ଯମୁନା କି ପାବନୀ ଗଙ୍ଗାର ଜଳଧାରାା।ପୁଣି ଫେରି ଆସିଲି ତୁମ ଆଶ୍ରୟକୁ।

ନକୁଲ ବାବୁ ପୁଅକୁ କୁଣ୍ଡାଇ ଧରିଲେ। ସେ ଖୁସିରେ ପୁଅକୁ ପାଛୋଟି ଘରକୁ ନେଲେ। ମାଆ ସୁମତୀ ପୁଅକୁ ପାଇ ବଡ ଖୁସି ହେଲେ।କାମିନୀ ଙ୍କ ହୃଦୟ ଭିତରେ ଏକ ହଲଚଲ ସୃଷ୍ଟି ହେଉଥିଲା।ଏତେଦିନରୁ ସ୍ପନ୍ଦନ ଭୁଲିଯାଇଥିବା ହୃଦୟଟା ଏବେ ଧକ୍ଧକ୍ ହେଇ ଯୋର୍ରେ ଧଡକୁ ଥିଲା।ଶୁଷ୍କପଡିଥିବା

ମରୁଦ୍ୟାନରେ ଯେମିତି ବର୍ଷା ଫେରି ଆସିଛି। ବର୍ଷାର ସ୍ବାଗତ ପାଇଁ ପ୍ରସ୍ତୁତ ହେଉଛି ମାଟି।ଅଭିମାନ ଆଉ ସଂବେଦନାରେ ଉତ୍ତେଜିତ ହେଉଛି ଶ୍ରୀଅଙ୍ଗ। ଆଉ କୁନୀ ଝିଅ ସେଫାଳି ବାପାଙ୍କ ଫେରିବା ଖବର ଶୁଣି କବାଟ କିଳି ବସିଛି।ସେ ଏମିତି ଜଣେ ବାପାକୁ ଭେଟିବାକୁ ଚାହୁଁନି।ଯିଏ ତାକୁ ଛଅମାସର ଶିଶୁ ବେଳେ ଛାଡି ଯାଇ ପାରିଲା।ଏବେ ତା ପାଖରେ ଆଉ କି କାମ।ଏବେ ତ ଶିକ୍ଷିତ ପ୍ରତିଷ୍ଠିତ ହୋଇ ସାରିଛି ସେ।ଏବେ ଆଉ କାହାର ସାହାରା ଦରକାର ନାହିଁ ତାକୁ।ଯେତେବେଳେ ତାଙ୍କର ଆଶ୍ରୟର ଦରକାର ଥିଲା ସେତେବେଳେ ତ କେବଳ ସେ ମାଆକୁ ଭେଟିଛି।ମାଆ ତାକୁ ବଡ କରିବା ପାଇଁ ସଳିତା ପରି ତିଳ ତିଳ ଜଳିଛି।ସଂସାରର ସବୁ ନିନ୍ଦା ଅପବାଦ ର ଗରଳକୁ ଶିବଙ୍କ ପରି ପିଇ ଉଭୟ ମାଆ ବାପାର କର୍ତ୍ତବ୍ୟ ତୁଲାଇଛି।ଏବେ ସେ ଅଜଣା ଲୋକର କଣ ପ୍ରୟୋଜନ?

ସାନ୍ତୁନୁ ମାଆ ପାଦ ତଳେ ପଡୁ ପଡୁ ମାଆ କୋଳାଗ୍ରତ କରିନେଲେ। ଗର୍ଭଧାରିଣୀ ମାଆ ପାଖରେ ସ୍ବାଭିମାନ ଅଭିମାନ କିଛି କାମ କରେନି ।ପୁତ୍ରର ମାଆ ଡାକ ଶୁଣିଦେଲେ ସବୁବରଫ ପରି ତରଳି ଯାଏ।ସେ କୋଳେଇ ନିଏ ଛାତିରେ।କ୍ଷମା କରିଦିଏ ସନ୍ତାନକୁ ସହଜରେ। ଏବେ ଶାନ୍ତନୁ କାମିନି ପାଖକୁ ଯାଇଥିଲା।କିଛି ଅଭିମାନର ଚିଠା ବାଢିଥିଲେ କାମିନୀ।କି ଦୋଷ ପାଇଁ ଅହଲ୍ୟା ପରି ଶାପଗ୍ରସ୍ତ କରି ଚାଲି ଗଲ ମତେ?କଣ ଉତ୍ତର ଦିଅନ୍ତେ ସାନ୍ତନୁ।କେବଳ କ୍ଷମା ମାଗିଲେ ନିଜର ନିର୍ବୋଧତା ପାଇଁ।ଆଉ ସତୀ ସାଧ୍ବୀ କାମିନୀ କ୍ଷମା କରିଦେଇଥିଲେ ସ୍ବାମୀଙ୍କୁ । ଶେଷରେ ଭାରି ପଡିଥିଲା ଅଭିମାନିନୀ ଝିଅ ସେଫାଳିକୁ ମନେଇବାରେ।ସେ ଜଣେ ଅଯୋଗ୍ୟ ବାପାର ଝିଅ ହେବାକୁ ସଂପୂର୍ଣ ମନା କରିଦେଉଥିଲା।ତାର ପିଲାବେଳର ସେ ଅଣ ବାପୁଆ ଶବ୍ଦ ଯାହା ତା ହୃଦୟକୁ କେତେ ଥର ହାଣୁଥିଲା ସେ କ୍ଷତ କଣ ସେ ଭରି ପାରିବେ। ଅଭାବ ଭିତରେ ସେ ନିଜକୁ କେମିତି

ଆଡଜଷ୍ଟ କରୁଥିଲା ସେ କଷ୍ଟ କଣ ପୂରା କରି ପାରିବେ।

ବାପାର ସ୍ନେହରେ ସବୁ ପିଲା ବିଭୋର ହେଉଥିଲା ବେଳେ ସେ ଏକ୍ଲାପଣରେ କେମିତି ଛଟକୁଥିଲା ସେ ଦୁଃଖ କଣ ଭୂଲି ପାରିବ।ବାପାର ସୁରକ୍ଷାରେ ଏକ ଯୁବତୀ ଝିଅ ନିରାପଦ ରହେ।ହେଲେ ମୁଁ ଏକ ଯୁବତୀ ମାଆର ସାଙ୍ଗରେ ଥିଲି ଯେତେବେଳେ ମାଆଙ୍କ ଜୀବନ ହିଁ ସୁରକ୍ଷା ଖୋଜୁଥିଲା।ସେତେବେଳେ ସେ ମତେ କେତେ ସୁରକ୍ଷା ଦେଇଥିବେ କେବେ ଭାବିଛ ଏକଥା।ଏବେ ଆସିଲ କ୍ଷମା ମାଗିବାକୁ।ପଦିଏ କଥା ସରି କହିଦେଲେ କଣ ମୋର ସେଇ ପିଲାଦିନର ଅଭାବବୋଧ ଦୂର ହେଇଯିବ। ତୁମର ଯଦି ଶାନ୍ତି ଦରକାର ଥିଲା ତା ହେଲେ ବିବାହ କରୁଥିଲ କାହିଁକି? ଝିଅର ଅଭିମାନର ଫର୍ଦ ବଢି ବଢି ଯାଉ ଥିଲା।ଶାନ୍ତନୁ ତାକୁ ପାଖକୁ ଟାଣି ଗଳାରେ ଲଗେଇଲେ।ଅଲରା ବାଳକୁ ହାତରେ ସଜାଡି ଦେଲେ।ଏତେ ବେଳକୁ ଅଭିମାନର ଭେଘ ଖଣ୍ଡସବୁ ପବନରେ ଉଭେଇ ଯାଇଥିଲା କୁଆଡେ।ଝିଅର ଆଖିରୁ ଅଭିମାନଭରା ଅଶ୍ରୁ କୁ ପୋଛି ଦେଉଥିଲେ ନିଜ ହାତରେ।ସେଇ ଗୁଲୁଗୁଲିଆ କୁନି ଝିଅଟି ଏବେ ବଡ ହୋଇ ଜଣେ ଅପରୂପା ସୁନ୍ଦରୀ ବନି ଯାଇଛି।କେବଳ ସେତିକି ନୁହେଁ ସେ ଜଣେ ପ୍ରଶାସନିକ ଅଧିକାରୀ ରୂପେ କାମ ଚରୁଛି। ଏବେ ସେ ବାପା ଛାତିରେ ମୁଣ୍ଡ ଗୁଞ୍ଜି ଦେଇଥିଲା ମାଧବୀ ଲତାଟି ସହକାର ଦେହରେ ଗୁଡେଇ ହେଲାପରି।ଏବେ ମାଆର ଭବିଷ୍ୟତକୁ ନେଇ ସେ ନିଶ୍ଚିନ୍ତ ଥିଲା।ଏତେଦିନ ବାପାଙ୍କ ପ୍ରେମରୁ ବଞ୍ଚିତା ଥିବା ମାଆ ବାପାଙ୍କ ସାଙ୍ଗରେ ପ୍ରେମର ଜୀବନ ବଞ୍ଚି ପାରିବେ।ଜେଜେ ଜେଜେମାଙ୍କ ଆଖିରୁ ଲୁହ ଶୁଖୁନ ଥିଲା ଏବେ ଅନ୍ତିମ କ୍ଷଣରେ ପୁଅ ମୁଖ ଦର୍ଶନର ସୁଖ ପାଇବେ। ଏବେ ଘରେ ଖୁସିର ପରିବେଶଟେ ସୃଷ୍ଟି ହୋଇଥିଲା।ବିବାହ ପର୍ବ ଧୁମଧାମରେ ସରିଥିଲା।ଆଉ ସମସ୍ତଙ୍କ ମନରେ ଶାନ୍ତି ଫେରିଆସିଥିଲା।



Rate this content
Log in

Similar oriya story from Inspirational