STORYMIRROR

Sambit Srikumar

Tragedy

4.3  

Sambit Srikumar

Tragedy

ଶାଗୁଣା

ଶାଗୁଣା

4 mins
215



ଆଜିକାଲି ଆଉ ଏଇ ପକ୍ଷୀଟି ଦେଖିବାକୁ ମିଳୁନାହିଁ । ବିଲୁପ୍ତ ପ୍ରାୟ ଏହାର ବଂଶ । ଆଗାମୀ ପୀଢି ପାଇଁ କେବଳ ପୋଥି ପତ୍ରରେ ଲିପିବଦ୍ଧ ହୋଇ ରହିଛି ଯାହା । ଆମ ଦେଖିବାରେ ପିଲାଦିନେ ଗୋରୁଗାଈ ମରିଗଲେ ମଢ ପଡିଆରେ ଶାଗୁଣାମାନେ ଆସି ରୁଣ୍ଡ ହୋଇଯାଆନ୍ତି ନିମିଷକ ମଧ୍ୟରେ । ଯୋଜନ ଯୋଜନ ଦୂରରୁ ମଢର ଗନ୍ଧ ବାରି ପାରି ଏମାନେ ଉଡି ଆସନ୍ତି ଖାଦ୍ୟର ଅନ୍ୱେଷଣରେ ।

ଏମାନଙ୍କ ବିଷୟରେ ଗାଁ ଗହଳିରେ ଲୋକମାନେ କହନ୍ତି, "ଶାଗୁଣା ସମସ୍ତଙ୍କ ମାଂସ ଖାଏ, ହେଲେ ତାହାର ମାଂସ କେହି ବି ଖାଆନ୍ତି ନାହିଁ।" ଖରା ବର୍ଷା ଶୀତକୁ ଖାତିର ନ କରି ଖାଦ୍ୟ ପାଇଁ କରିଥାନ୍ତି ଏମାନେ ସଂଘର୍ଷ । ଜୀବନ ଥିବା ସବୁ ଜୀବ ସେ ବ୍ରହ୍ମ କୀଟ ମଣିଷ ହେଉନା କାହିଁକି ସଭିଙ୍କ ଜୀବନ ସଂଗୀତ ଏକା, ବଡ଼ ଦାରୁଣ ଏ କ୍ଷୁଧାର ଅଗ୍ନି ଶିଖା!!

ଆଜିକାଲି ସିନା ଏମାନଙ୍କୁ ଦେଖିବାକୁ ମିଳୁନି କିନ୍ତୁ ଏମାନେ ବଞ୍ଚିରହିଛନ୍ତି ଆମ ମଣିଷମାନଙ୍କ ମଧ୍ୟରେ । ମଣିଷର ମଣିଷପଣିଆ ସିନା ନାହିଁ, କିନ୍ତୁ ଶାଗୁଣା ପରି ଅନ୍ୟର ମୃତ୍ୟୁରେ ଶୋକସଭା ଆଳରେ ଭୁରି ଭୋଜନରେ ଆପ୍ୟାୟିତ ହେବାର ଦୁର୍ବାର ଲାଳସାକୁ ଚରିତାର୍ଥ କରିବା ପାଇଁ ସଭିଏଁ ତତ୍ପର । ଏହି ତତ୍ପରତା ଏତେ ପ୍ରଖର ଯେ, ସ୍ଥାନ କାଳ ପାତ୍ର ଓ ପରିସ୍ଥିତିର ଜ୍ଞାନ ମଧ୍ୟ ଆମର ରହୁନାହିଁ।

ପଦ୍ମପୁର ଗାଁର ଅବସର ପ୍ରାପ୍ତ ଶିକ୍ଷକ ଶୁଭେନ୍ଦୁ ସାହାଣୀ । ପତ୍ନୀ ସରସ୍ଵତୀ ଏବଂ ଏକମାତ୍ର ପୁତ୍ର ସୌରଭକୁ ନେଇ ତାଙ୍କର ହସଖୁସିର ସଂସାର । ଗାଁରେ ଦୁଇ ଚାରି ବଖରା ପକ୍କା ଘର ଡିହବାରିକୁ ଛାଡି ଆଉ କୌଣସି ସମ୍ପତ୍ତି ନାହିଁ କହିଲେ ଚଳେ । ଉତ୍ତରାଧିକାରୀ ସୂତ୍ରରେ ଯତ୍ କିଞ୍ଚିତ୍ ପୈତୃକ ଭୂସମ୍ପତ୍ତି ଥିଲା ତାହା ପୁଅ ସୌରଭର ପାଠପଢ଼ା ଲାଗି ବିନିଯୋଗ ହୋଇ ସାରିଛି ବହୁ ପୂର୍ବରୁ । ଏବେ କେବଳ ସରକାରୀ ପେନସନ ହିଁ ବଞ୍ଚିବାର ଏକମାତ୍ର ସାଧନ ଦୁଇ ପ୍ରାଣୀଙ୍କର।

ସୌରଭ ପିଲାଟିଦିନରୁ ବେଶ୍ ମେଧାବୀ । ଗାଁ ହାଇସ୍କୁଲର ମାଟ୍ରିକ୍ ଟପ୍ପର୍ । ଇଂଜିନିୟରିଂ ପରେ ଚାକିରୀ କରୁଛି ଗୁରୁଗାଓଁରେ ଏବେ । ବାପାଙ୍କ ଆଶା ମୁତାବକ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଚଳାଇଛି । ବଡ଼ ସହର, ଏଠି ନିଆଁ ପାଣି ସବୁ କିଣା, ମାଗଣାରେ ଆହା ପଦେ ବି ମିଳେନି । ଶୀତ ଦିନେ ପ୍ରଦୂଷଣ ଏତେ ଅଧିକ ବଢିଯାଏ ଯେ ଏପରିକି ଶ୍ବାସ ନେବାକୁ ଅକ୍ସିଜେନ ବି କିଣିବାକୁ ପଡେ ବେଳେ ବେଳେ । ନିଜ ରୋଜଗାରରେ ନିଜେ ଚଳିଯାଏ ଓ ସିଭିଲ୍ ସର୍ଭିସ୍ ପ୍ରସ୍ତୁତିରେ ବିନିଯୋଗ କରେ । ସଫ୍ଟୱେର୍ ସେକ୍ଟର୍ ଚାକିରିର କର୍ମ ବ୍ୟସ୍ତତା ହେତୁ ଏକାଗ୍ରତାର ଅଭାବ ଓ ସାଧାରଣ ବର୍ଗର ହୋଇଥିବାରୁ କଷ୍ଟକର ବ୍ୟାପାର ହୋଇପଡୁଛି ଦିନକୁ ଦିନ ସିଭିଲ ସର୍ଭିସରେ ସଫଳତା ହାସଲ କରିବାର ଆଶା।

କାଳେ କାଳେ କଠୋର ଅଧ୍ୟବସାୟ ନିକଟରେ ହାର ମାନେ ସମସ୍ତ ବାଧାବିଘ୍ନ ଏବଂ 

ରିଷ୍ଟ । ଭଗବାନଙ୍କ କରୁଣା ଏବଂ ପିତାମାତାଙ୍କ ଆଶୀର୍ବାଦରୁ ସୌରଭ ନିଜର ଅନ୍ତିମ ପ୍ରଚେଷ୍ଟାରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛି । ଏହି ଶୁଭ ଖବର ଶୁଣିବା ପରେ ଶୁଭେନ୍ଦୁ ବାବୁଙ୍କ ଜୀବନ ବ୍ୟାପି ତ୍ଯାଗର ଫଳ ଆଜି ପ୍ରାପ୍ତ ହୋଇଛି । ପୁଅର ସାଫଲ୍ୟରେ କେଉଁ ବାପା ଖୁସି ନହେବ

ଯେ? ଗାଁ ସାରା ଲୋକଙ୍କୁ ମିଠା ଖୁଆଇ ନିଜର ଖୁସିକୁ ଜାହିର କଲେ ଶୁଭେନ୍ଦୁ ବାବୁ । ଗାଁର ନାଁ ରଖିଥିବାରୁ ସଭିଏଁ ଖୁସି, ଗର୍ବିତ!

ମାତ୍ର ଭାଗ୍ୟର ବିଡମ୍ବନା । ଏ ଖୁସି ବେଶି ଦିନ ତିଷ୍ଠି ରହିଲା ନାହିଁ । ଚାକିରିରେ ଯୋଗଦାନ ପୂର୍ବରୁ ଅଜଣା ରୋଗର ଶିକାର ହୋଇ ଅକାଳରେ ମୃତ୍ୟୁବରଣ କଲା ସୌରଭ ଗୁରୁଗାଓଁର ଗୋଟିଏ ଘରୋଇ ଡାକ୍ତରଖାନାରେ । ଆକାଶଟା ଯେପରି ଛିଣ୍ଡି ପଡିଥିଲା ଶୁଭେନ୍ଦୁ ବାବୁ ଓ ସରସ୍ଵତୀ ଦେବୀଙ୍କ ଉପରେ । ଦୁଃଖର ସୁନାମି ଆସିଥିଲା ସେମାନଙ୍କ ଜୀବନରେ । ବାର୍ଦ୍ଧକ୍ୟର ସାହାରା ଏକମାତ୍ର ପୁତ୍ରକୁ ହରାଇବାର ଦାରୁଣ ଯନ୍ତ୍ରଣା ବୋଧରେ ଜର୍ଜରିତ ହୋଇ ବାରମ୍ବାର ମୂର୍ଚ୍ଛା ଯାଉଥାନ୍ତି ଦୁହେଁ । କିଛି ସହୃଦୟ ଲୋକଙ୍କ ସହଯୋଗ ପାଇଁ ଜୀବନ ଧରି ବଞ୍ଚିରହିଲେ ଯାହା।

ସୌରଭର ପାର୍ଥିବ ଶରୀରକୁ ଗାଁକୁ ଆଣି ଅନ୍ତିମ ସଂସ୍କାର କରିବା ସମ୍ଭବପର ନଥିଲା ଶୁଭେନ୍ଦୁ ବାବୁଙ୍କ ପକ୍ଷରେ । ଅଗତ୍ୟା ସପରିବାର ଗୁରୁଗାଓଁ ଯାଇ ଅନ୍ତିମ ସଂସ୍କାର ବିଧି ସମାପନ କରି ପୁଣି ଫେରିଆସିଲେ ଗାଁକୁ । ହେଲେ ଗାଁରେ ଯେଉଁମାନଙ୍କୁ ନିଜର ଜ୍ଞାତି କୁଟୁମ୍ବ ମଣୁଥିଲେ ସେମାନେ ସଭିଏଁ ଟାକି ବସିଥିଲେ ଶାଗୁଣା ପରି ସୌରଭ ମୃତ୍ୟୁର ଭୁରି ଭୋଜନ ଖାଇବା ପାଇଁ । କେହି ବି ଥରେ ବିଚାର କରୁନଥିଲେ ଯେ, ଯୁବକ ପୁତ୍ରକୁ ହରାଇଥିବା ବୃଦ୍ଧ ଅସହାୟ ନିର୍ଦ୍ଧନ ପିତାର ମାନସିକ ଅବସ୍ଥା କଥା । ଜୁଆନ୍ ପୁଅର ଶବକୁ କାନ୍ଧେଇ ନେବା ପାଇଁ ବୃଦ୍ଧ ବାପାଟିଏ ପାଇଁ କେତେ ଯନ୍ତ୍ରଣା ଦାୟକ? ବାର୍ଦ୍ଧକ୍ୟର ଲାଠି ହଜିଯିବା ପରେ କାହାକୁ ବା ଭରସା କରି ଜୀବନ ଜୀଇଁବେ ସେ? କାହାର ବି ଏଥିପ୍ରତି ତିଳେ ଚିନ୍ତା ଅବା ଦରଦ ନ ଥିଲା।

ଗାଁର ତଥାକଥିତ ମୁରବୀ ଶ୍ରେଣୀର ଅଶିତିପର ମାମଲତକାରମାନଙ୍କ ଘନ ଘନ ବୈଠକ ବସିଲା ସୌରଭର ମୃତ୍ୟୁ ଭୋଜିକୁ ନେଇ । ମୃତ୍ୟୁ ଭୋଜି ଗାଁର ଏକ ମହତ୍ତ୍ୱପୂର୍ଣ୍ଣ ପରମ୍ପରା । ପୁରୁଷ ପୁରୁଷ ଧରି କାହିଁ କେଉଁ କାଳରୁ ପ୍ରଚଳିତ ଏହି ପରମ୍ପରା ଭଗ୍ନ ହେବା ଗାଁ ଏବଂ ପୂର୍ବପୁରୁଷମାନଙ୍କ ପ୍ରତି ଅପମାନ । ଅକ୍ଷମଣୀୟ ଅପରାଧ ଇଏ । ଅନେକ ତର୍କ ଅନେକ ଯୁକ୍ତି ଅନେକ ଉଦାହରଣ ଦିଆଗଲା ଶାସ୍ତ୍ରରୁ । ମଶାଣିରେ ଗୋଟିଏ ପାଦ ଥାପିଥିବା ଅଶିତିପର ପ୍ରୌଢ଼ମାନଙ୍କର ଜିହ୍ୱା ଲାଳସା ଯେ କେତେ ଦୁର୍ବାର ତାହା ପୁତ୍ରହରା ଶୁଭେନ୍ଦୁ ବାବୁଙ୍କୁ ଥିଲା ଅଗୋଚର।

ଗୁରୁଗାଓଁ ଯାଇ ସୌରଭର ସମସ୍ତ ସଂସ୍କାର କର୍ମ ସମାପନ କରିଥିବା ହେତୁ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିବା ଶୁଭେନ୍ଦୁ ବାବୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ ଏତେ ବଡ଼ ଜନସଂଖ୍ୟା ବିଶିଷ୍ଟ ଗାଁର ସମସ୍ତଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରିବା ନିମନ୍ତେ । ଅଗତ୍ୟା ପରିଣାମ ସ୍ୱରୂପ ଲାଗୁ ହେଲା ସାମାଜିକ ବାସନ୍ଦ । ନିଆଁ ପାଣି ବନ୍ଦ କରି ଦିଆଗଲା । କାଲି ଯାଏ ନିଜର ଥିବା ଆତ୍ମୀୟ ସ୍ୱଜନଗଣ ସମୟ ଚକ୍ରରେ ସାଜିଥିଲେ ଶାଗୁଣା ଗୋଟିଏ ସ୍ଵଳ୍ପାୟୁ ତରୁଣର ମୃତ୍ୟୁ ଭୋଜି ଖାଇବାକୁ ଅଡି ବସି।ସମାଜକୁ ଜୀବନ ବ୍ୟାପି ଶିକ୍ଷାଦାନ କରିଥିବା ଆଦର୍ଶ ଶିକ୍ଷକ ବେସାହାରା ହୋଇଯାଇଥିଲେ, କେହି ବି ଆହା ପଦେ କହିବାକୁ ଆଗକୁ ଆସିନଥିଲେ । ଏହା ହିଁ ଆମ ସମାଜରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଅବସ୍ଥା!!! 



Rate this content
Log in

Similar oriya story from Tragedy