ସେମିତି ମଣିଷ
ସେମିତି ମଣିଷ
ବିବାହ ପାର୍ଟି ଭାବି କେଉଁ ସିନେମା ହଲକୁ ପଶି ଆସିଛି କି !
ହତ ଚକିତ ହୋଇ ଘାବେରେଇ ଗଲି।ଅଡ଼ିଟୋରିୟମ୍ ହଲ୍ ରେ ଗୋଟେ ବଡ଼ ପରଦା ଉପରେ ଫୋଟୋ ସୁଟ୍ପ୍ର ଦର୍ଶିତ ହେଉଥିଲା। ସୁନ୍ଦର ସୁନ୍ଦର ଗୀତ ସାଙ୍ଗକୁ ବିବାହ ପୂର୍ବରୁ ଫୋଟୋ ସୁଟ୍ ହୋଇଥିବା ବରକନ୍ୟାଙ୍କ କି ଚମତ୍କାର ମୁହୂର୍ତ୍ତ କଏଦ କରିଥିଲା କ୍ୟାମେରା!! ଆରେ ବାବାରେ ବାବା ମୋତେ ଲାଗିଲା ସିନେମା ପଡିଛି ବୋଧେ।
ଉପରେ ଘୁରି ଘୁରି ଦ୍ରୋନ୍ drone କ୍ୟାମେରା ଅହରହ ଫୋଟୋ ଉଠାଉଥିଲା । ପାର୍ଲର ; ବନ୍ଧୁ ମାନଙ୍କ ମେକ୍ ଅପ୍ କରୁଥିଲା ଜଣକ ପିଛା ମାତ୍ର ତିନି ହଜାର ନେଇ।ତାହା ପୁଣି ନିମନ୍ତ୍ରୀତ ବନ୍ଧୁ ନିଜ ପକେଟରୁ ଖର୍ଚ୍ଚ କରୁଥିଲା।ଯେଉଁମାନେ ବ୍ୟାଗ୍ ରେ ତିନି ହଜାରରୁ ଅଧିକ ନେଇ ଯାଇ ନଥିଲେ ସେମାନେ କେବଳ ଶୁଖିଲା ମୁହଁରେ ଦେଖୁଥିଲେ। ମେକ୍ ଅପ୍ ପରେ ସମସ୍ତେ ରଙ୍ଗ ମଖା ପୃଥିବୀ ବାହାର ଅନ୍ୟ କେଉଁ ଗ୍ରହ ଜୀଵ ବାଟବଣା ହୋଇ ଯାଇଛନ୍ତି ପରି ଲାଗୁଥିଲା।
ଆଲବମ୍ ଟିଏ ଥୁଆ ହୋଇଥିଲା।ବନ୍ଧୁ ବର୍ଗ ଓ ଆତ୍ମୀୟ ସ୍ୱଜନ ପ୍ରତି ଫୋଟୋ ପେଜ୍ ରେ ଅଟୋଗ୍ରାଫ୍ ଲେଖୁଥିଲେ ନବ ଦମ୍ପତ୍ତିଙ୍କ ଖୁସି,ଉଜ୍ଜ୍ୱଳ ଭବିଷ୍ୟ କାମନା କରି।
ଏଇଠିକୁ ମୋତେ ନିମନ୍ତ୍ରଣ ହୋଇଛି ତ ! ଭୁଲ୍ ରେ ଆସି ଯାଇଥିବି ଭାବି ବ୍ୟାଗ୍ ଭିତରୁ କାର୍ଡ ଟି କାଢି ଭେନୁ ମିଳେଇଲି।
ହଁ ତ ଆରିଷ୍ଟୋକ୍ରାଟ୍ ପ୍ଲାଲେସ୍ ଏଇଟା। ଝିଅ ପୁଅଙ୍କ ନାମ ବି ଠିକ୍ ଠାକ୍ ଅଛି।ହଁ ଏଇ ଜାଗା ନିଶ୍ଚୟ।
ବେଦ୍ ବାରମ୍ବାର କହିଛି ତା ଝିଅ ବାହାଘରକୁ ଯିବାକୁ।ପିଲାଦିନର ଘନିଷ୍ଠ ସାଙ୍ଗ, ନ ଗଲେ ମନ ଊଣା କରିବ।ଏଣୁ ବହୁତ ବାଟ ହେଲେ ବି ବିବାହରେ ଯୋଗ ଦେବାକୁ ଆସିଥିଲି।
ବାହା ଘର ସହରର ସବୁଠାରୁ ଦାମୀ ହୋଟେଲ୍ ରେ ହେଉଛି।ଆଠଟି ରୁମ୍ ଆଠ ଦିନ ପାଇଁ ବୁକ୍ କରିଛି ବେଦ୍। ଦୈନିକ ରୁମ୍ ପିଛା ଦଶ ହଜାର।
ବେଦ୍ ପରି ପଇସା ଵାଲା ଗୁଡାକ ମଣ୍ଡପ କି ହୋଟେଲ୍ ରେ ପ୍ରତି ଫଙ୍କସନ କରନ୍ତି କାହିଁକି ଯେ! ନିଜ ଘର ଥାଉ ଥାଉ ଏଠି ସେଠି ବିବାହ, ବ୍ରତ କି ଜନ୍ମ ଦିନ ପାଳନରେ କି ମଜା ପାଆନ୍ତି କେଜାଣି !
ନିଜ ଘରେ କରିବା ମଜା କିନ୍ତୁ ନିଆରା।ହଁ ଆଜିକାଲିକା ରଙ୍ଗ ଢଙ୍ଗ ତ ସେମିତି।ମ୍ୟାଗି କି ପିଜା ଖାଇବାରେ ଓସ୍ତାତ ପିଲା ଚକୁଳି କି ଚୁଡା ନାଁ ଶୁଣିଲେ ନାକ ଟେକନ୍ତି।ଘରେ ଗୋଟେ କି ବାହା ! ଯେତେ ଦାମୀ ହୋଟେଲ କି ମଣ୍ଡପର ଆଡମ୍ବର ବାହାଘର ସେତେ ବଡ଼ଲୋକୀ ବୁଝିବାକୁ ପଡ଼ିବ।
ହେଉ ମୋ ପରି ନାଲିଚୁଡା ମଫ ଏଥିରୁ ପାଇବେ କଣ! ଆମ୍ବ ଖାଇବା ଲୋକ ତୋଟାମୂଲ କରିବା କି ଲୋଡ଼ା।ଚାଲ ଟିକେ ଖାଇବା।ସକାଳୁ ଆସିଲେଣି,ପେଟରେ ଗଣ୍ଡାଏ ମୂଷା ଦୌଡ଼ିଲେଣି।
ଧାଡ଼ି ଧାଡ଼ି ଖାଇବା ଷ୍ଟଲ ମେଲିଛି।କେଉଁଠୁ ଆରମ୍ବ କହିଲେ ?ଆରେ ବାବୁ ଷ୍ଟାଟର୍ ଆଇଟମ୍ ରୁ ।କ'ଣ ମ ନଜାଣିଲା ପରି ହେଉଛ !ଭେଜ୍ ,ନନ୍ ଭେଜ୍ ସବୁ ଅଛି ଷ୍ଟାଟରରେ।
କ'ଣ କହିଲେ ,ଆଇଟମ୍ ନାଁ କହିବି।
ହେଇଟି ମୁଁ ଜମାରୁ ଜାଣିନି ହେ।କେବଳ କହି ପାରିବି ପନୀର୍ ରେ ଆଠ ଦଶଟି ଆଇଟମ୍, ଅଣ୍ଡାରେ ଛଅ ସାତଟି, ମାଛ ଚପ୍ ପରି କେତେ କଣ ,ତେଲ ଭାଜି କିସମ କିସମର, ଗୁପ୍ ଚୁପ୍ ଯାହାକୁ ଯେତେ ପେଟ ଫଟେଇ ଖାଅ।ପନୀର୍ ପୋଡା, ଆଉ କେତେ କଣ ପୋଡା ବି ପାଇବ।ଷ୍ଟାଟରରୁ ତ ପେଟ ଭର୍ତ୍ତୀ ପୁଣି ମେନ୍ ଖାଇବା କଣ ଖାଇବି ଯେ !
ରୁଟି,ଭାତ,ଚକୁଳି ପିଠା,ମକା ପାଳଙ୍ଗ, ବିଭିନ୍ନ ଭେରାଇଟର ସୁପ୍, କି କି ପ୍ରକାର ମିଠା ,ଛେନା କ୍ଷୀରି ,ଆଇସିକ୍ରିମ୍ ଯାହାକୁ ଯେତେ।
ନିରାମିଷ ଆଇଟମ୍ ମେନ୍ ଖାଦ୍ୟ ପାଇଁ ଅତି କମରେ ବାରଟି।ଆଉ ଆମିଷ! ହେ ଭଗବାନ ! ଛେଳି ,କୁକୁଡ଼ା ,କଙ୍କଡା,ଚିଙ୍ଗୁଡ଼ିରେ କେତେ ଯେ ଷ୍ଟଲ୍ ମୁଁ ଗଣି ପାରିଲି ନାହିଁ।ଶୁଖୁଆ ଆଇଟମ୍ ଟିଏ ବି ହୋଇଥିଲା।
ବେଦ୍ ଯାହାହେଉ ଦେଖିଲା ଭଳିଆ ବାହାଘରଟିଏ କରୁଛି।କାହିଁକି ନ କରିବ ଝିଅ ତାର ଡକ୍ଟର ଜ୍ୱାଇଁ ବି ଡକ୍ଟର।ବେଦ୍ ନିଜେ ଜଣେ ଏୟାର୍ ଅଫିସର୍।ଅଭାବ ନାହିଁ।ପାଣି ପରି ଖର୍ଚ୍ଚ କଲେ ଯାଏ କେତେ ଆସେ କେତେ।
ହଁ ଏ ବାହାଘରର କେବଳ ରୁମ୍ ଭଡାରେ ବା ଅନ୍ୟ ଅଯଥା ଖର୍ଚ୍ଚରେ କେତୋଟି ଅଭାବୀ ବାପା ଖୁସିରେ ଝିଅ ବାହା ଘରଟିଏ କରେଇ ପାରନ୍ତା।
ସବୁ ଭାଵ ଭାଵ ଭିତରେ ମୋ ଆଖି ଗୋଟେ ଅଭାବ ଅନୁଭବ କରୁଥିଲା। ଘୋ ଘୋ ଶବ୍ଦରେ ଓ ନକଲି ଚାକଚକ୍ୟ ଭିତରେ ବେଶୀ କିଛି ଶୁଭୁ ନଥିଲା।ବେଦ୍ ର ଭାଇ ଭାଉଜ ,ଆତ୍ମୀୟ ସଭିଙ୍କୁ ଭେଟିଲି।କିନ୍ତୁ ମଉସା ମାଉସୀ !! ସେ ତ ଦେଖା ଯାଉ ନାହାଁନ୍ତି।ଆଉ ଗୋଟେ ସହରରେ ସାନ ପୁଅ ବୋହୁଙ୍କ ପାଖରେ ସେମାନେ ରୁହନ୍ତି।
ପଚାରିଲି ବେଦ୍ ! ମଉସା ମାଉସୀ ଆସି ନାହାନ୍ତି କି?
ବେଦ୍ ନିର୍ବିକାର ଚିତ୍ତରେ ଉତ୍ତର ଦେଲା ହା.. ଏମିତି ପାର୍ଟିକୁ "ସେମିତି ମଣିଷ"!
"ସେମିତି ମଣିଷ"!
ଏ ପାର୍ଟିରେ ଯେଉଁମାନେ ଅଛନ୍ତି ବା ଆସିଛନ୍ତି କେମିତି ମଣିଷ!!!
ମୋ ମୁଣ୍ଡ ଘାଉଁରେଇ ଦେଲା "ସେମିତି ମଣିଷ "ସଂଜ୍ଞା ଖୋଜୁ ଖୋଜୁ।
ଆଖିରେ ପଡ଼ିଲା ହ୍ବିଲ ଚେୟାରରେ ବସିଥିବା ପକ୍ଷଘାତ ମଣିଷଟିଏ ଉପରେ।ଏ ବୋଧେ ସେମିତି ମଣିଷ ନିଶ୍ଚୟ।ୟାଙ୍କ ଠାରୁ ମଉସା ମାଉସୀ କଣ ଏତେ ଅଚଳ! ନାତୁଣୀ ବାହାଘରକୁ ସେମାନେ ଆସି ପାରିବେ ନାହିଁ !
ବେଦ୍ ର ବଡ଼ ଭାଇ ବିକାଶ ମୋତେ କହିଲେ , ଆରେ ସବ୍ୟ! ଆମ ବାପା ପେଣ୍ଟ ସାର୍ଟ କି ଆମ ବୋଉ ହିଲ୍ ବା ବୁଲେଇ ଶାଢ଼ୀ ପିନ୍ଧିଥିଲେ ସିନା ବେଦ୍ ଝିଅ ବାହାଘରକୁ ଆସିଥାନ୍ତେ।ଦେଖୁନ ବେଦ୍ ଶଶୁର ଚଳିବାର ଯୁ ନାହିଁ ସେ କଲିକତାରୁ ଆସି ପାରିଲେ, କିନ୍ତୁ ଆମ ନିଜ ବାପା ମା 'ସେମିତି ମଣିଷ' ରେ ଗଣା ନୁହଁନ୍ତି ରେ।ଏ ପରା ତାଙ୍କ ଡକ୍ଟର ନାତୁଣୀ ବାହା ଘର।ଏ ଖୁସିରେ ତାଙ୍କ ପରି ଧୋତି ସାର୍ଟ ପିନ୍ଧା ମଣିଷ ଯୋଗ ଦେଲେ ବେଦ୍ ର୍ ପ୍ରେଷ୍ଟିଜ ହାମ୍ପର ହେବନି!!
ଆଁ...!!!
ବାପା ପେଣ୍ଟ୍ ସାର୍ଟ କି ବୋଉ ବୁଲେଇ ଶାଢ଼ୀ ନ ପିନ୍ଧିଲେ ବାପା ବୋଉ ହେବେନି ,ଏ କେମିତି କଥା!!
ଏତେ ସୁନ୍ଦରିଆ ବାହାଘର ଭୋଜି ମୋ ଅନ୍ତରାତ୍ମାକୁ ପୁରା ଭାଜି ଦେଲା "ସେମିତି ମଣିଷ"ଙ୍କ କଥା ଭାବି।
ଭଲ ହୋଇଛି ମୁଁ ଅଧିକା ପଇସା ଵାଲା ନୁହେଁ।ମୋ ବାପା ବୋଉ ମୋ ପାଇଁ ସବୁ ସମୟରେ ସବୁ ସ୍ଥାନରେ,ସମସ୍ତଙ୍କ ପାଖରେ ସେମିତି ମଣିଷ ତ ମଣିଷ, ଚଳନ୍ତି ଠାକୁର ହୋଇ ପୂଜା ପାଉଛନ୍ତି।
ଏ ବିପଥ ଗାମୀ ମୂର୍ଖ ବେଦ୍ ମାନଙ୍କୁ ସଦବୁଦ୍ଧି ଦିଅ ପ୍ରଭୁ।
