Sachidananda Kar

Tragedy

4  

Sachidananda Kar

Tragedy

ସେଇ କରୁଣ ଦୃଶ୍ୟ : ମହାମାରୀର

ସେଇ କରୁଣ ଦୃଶ୍ୟ : ମହାମାରୀର

2 mins
270



       ନିଜ ଗାଆଁକୁ ସଂପୂର୍ଣ୍ଣ ଭୁଲି ସାରିଥିଲା ସେ। 

       ଯେଉଁ ଗାଆଁ ତା'ର ପେଟ ଚାଖଣ୍ଡକ ଭରିପାରିଲାନି, ସେଇ ଗାଆଁକୁ ସେ କାହିଁକି ମନେରଖିଥାନ୍ତା! 


       ଗାଆଁରେ କେବଳ ଘରଡିହ ଖଣ୍ଡକ ଥିଲା।ନିଜର ବୋଲି ଗୁଣ୍ଠେ ଜମି ନ ଥିଲା।ରାତି ପାହିଲେ ପରଘରେ ମଜୁରୀ ଖଟୁଥିଲା ସେ।ବାପା, ମାଆଙ୍କୁ ପୋଷୁଥିଲା। 


       ଯନ୍ତ୍ର ଚାଷକାମ କଲା।ଧୀରେ ଧୀରେ ମଉଳିଗଲା ତା'ର ଆଶା।ମଜୁରୀ ମିଳିବା କଷ୍ଟକର ହେଲା।ବଞ୍ଚିବାର ରାହା ଖୋଜି ଖୋଜି ସେ ଆସି ସୁରଟରେ ପହଞ୍ଚିଲା। 


       ବୟସାଧିକ୍ୟ କାରଣରୁ ଘରେ ଥିଲେ ତା'ର ବାପା, ମାଆ।ଏକମାତ୍ର ପୁଅ ଉପରେ ଥିଲା ସେମାନଙ୍କର ସଂପୂର୍ଣ୍ଣ ନିର୍ଭର।ପୁଅ ସୁରଟ ଗଲାଠୁ ସେମାନେ ସୁଖୀ ଥିଲେ।ଅଭାବ ନ ଥିଲା।ପୁଅ ଯେତିକି ଟଙ୍କା ପଠାଉଥିଲା ସେଥିରେ ସେମାନେ ସେମାନଙ୍କର ଛୋଟମୋଟ ଆବଶ୍ୟକତା ପୂରଣ କରି ପାରୁଥିଲେ। 


       ପେଟରୁ କାଟି, ଅଳ୍ପ ଆବଶ୍ୟକତାରେ ବଞ୍ଚି ଘରକୁ ଟଙ୍କା ପଠାଇ ବେଶ୍ ଖୁସି ହେଉଥିଲା ସେ।ଗୋଟେ ଉପଯୁକ୍ତ ପୁଅର କର୍ତ୍ତବ୍ୟ କରୁଛି ବୋଲି ଭାବୁଥିଲା।ନିଜର କର୍ମ ଉପରେ ବିଶ୍ୱାସ ଓ ଭରସା ରଖି ଚାଲିଥିଲା। 


       ଗାଆଁରେ ବାପା, ମାଆ ଓ ଖଣ୍ଡିଏ ଚାଳଘର ଥିବା ସତ୍ତ୍ୱେ ଗାଆଁକୁ ଫେରିବାକୁ ଆଦୌ ଇଚ୍ଛା କରୁ ନ ଥିଲା ସେ।ଏବେ ତ ଯେଉଁଠି ରୋଜଗାର ସେଇଠି ମାଟିକାମୁଡ଼ି ପଡ଼ି ରହୁଛନ୍ତି ସମସ୍ତେ।ନିଜ ଜନ୍ମମାଟି,ସାଙ୍ଗସାଥୀ, ଆତ୍ମୀୟସ୍ବଜନଙ୍କୁ କିଏ ମନେ ପକାଉଛି!ଅଧିକ ଆଶା ନ ଥିଲା।ସେ ପଡ଼ି ରହିଥିଲା ସେଇଠି। 


       ପ୍ରବାସରେ ଥାଇ ବାପା, ମାଆଙ୍କର ଋଣ ସୁଝୁଥିଲା ସେ।ପିତୂ ମାତୃ ଋଣ ସୁଝିବା ପୁତ୍ରର କର୍ତ୍ତବ୍ୟ।ତାକୁ କେହିଜଣେ କହିଥିଲେ - ଗରୁଡ଼ ପୁରାଣରେ ଲେଖାଅଛି ଋଣୀ ହୋଇ ମରିଗଲେ ଆରଜନ୍ମରେ ନିସ୍ତାର ମିଳିବନି।ତେଣୁ ଟଙ୍କା ରୋଜଗାରରେ ଲାଗିଥିଲା ସେ।ନିୟମିତ ବାପା, ମାଆଙ୍କ ପାଖକୁ ପଠାଉଥିଲା।ବେଶ୍ ସୁଖୀ ଥିଲା। 


       ହଠାତ୍ ମହାମାରୀ ବ୍ୟାପିଲା।ସବୁକିଛି ବଦଳିଗଲା।କାମଧନ୍ଦା ବନ୍ଦ ହୋଇଗଲା।ଏବେ ଗାଆଁକୁ ଫେରିବାକୁ ହେବ ଭାବିଲା ସେ।ତା'ର ଗାଆଁ ମନେପଡ଼ିଲା।ଗାଆଁରେ ଭିଟାମାଟି ଖଣ୍ଡକ ଅଛି ଯେତେବେଳେ ଗାଆଁ ସହିତ ସମ୍ବନ୍ଧ ଅଛି,ସେ ବୁଝିପାରିଲା।ପେଡ଼ିପୁଟୁଳା ବାନ୍ଧି ଗାଆଁକୁ ବାହାରିଲା। 


       ମହାମାରୀ ପାଇଁ ଗାଡ଼ିମଟର,ରେଳ ସବୁ ବନ୍ଦ ଥିଲା।ସେ ଆସିବ କେମିତି?ନ ଆସିଲେ ବି ସେଇଠି କୋଉ ରହିପାରିବ ସେ?ଏବେ କେବଳ ପାଦହଳକ ଥିଲା ଭରସା।ନିଜ ଉପରେ ଥିଲା ବିଶ୍ୱାସ।ସେ ତା'ର ଗାଆଁ ଆଡ଼କୁ ଯାତ୍ରା ଆରମ୍ଭ କରିଦେଲା।ରାସ୍ତାକୁ ଆସି ଲୋକଙ୍କ ଭିଡ଼ରେ ସାମିଲ ହୋଇଗଲା। 


       ପେଟରେ ଭୋକ।ମନରେ ଉତ୍କଣ୍ଠା।ରାସ୍ତା ଅସରନ୍ତି।କେବଳ ପ୍ରତ୍ୟୟ ଟିକିଏ ଥିଲା। - ' ଆଗକୁ ପାଦ ପକାଅ,ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ।କିଛି ଅସମ୍ଭବ ନୁହେଁ। ' ଚଉଦ ଶହ ପଚାଶ କିଲୋମିଟରରୁ ଅଧିକ ଥିଲା ଏ ଯାତ୍ରା।ସେ ଚାଲିଥିଲା।ରୋଜଗାରିଆ ପୁଅ ଗାଆଁକୁ ଫେରୁଛି।ବାପା, ମାଆ ଅପେକ୍ଷାରେ ଥିବେ।ବହୁଦିନ ପରେ ଫେରୁଥିବାରୁ ଅପେକ୍ଷା କରିଥିବ ଗାଆଁ ମାଟି।ଏଇ ସବୁ କଥା ହିଁ ଥିଲା ତା'ର ମନରେ।ତାକୁ ସାହସ ଓ ଶକ୍ତି ଯୋଗାଉଥିଲା। 


       ଦିନରାତି ଚାଲିଲା ସେ।ତା'ର ମାଟିର ସ୍ବର୍ଗ ଆଡ଼କୁ କେହି ଯେମିତି ତାକୁ ବାଟ କଢେଇ ନେଉଥିଲା।ଭୋକଶୋଷ ଭୁଲି, ଘାତ ପ୍ରତିଘାତକୁ ପଛରେ ପକେଇ ଚାଲିଥିଲା ସେ।ତା' ଆଖି ଆଗରେ ନାଚୁଥିଲା ତ' ଗାଆଁ ଘର,ବାପା, ମାଆ ଓ ସାଙ୍ଗସାଥୀଙ୍କ ଛବି।ଦୀର୍ଘ ମାସେ କାଳ ଚାଲି ଚାଲି ସେ ଆସି ପହଞ୍ଚିଲା ତା' ଗାଆଁରେ, ତା' ଘର ଦୁଆର ଆଗରେ। 


        ' ତୁ କୁଆଡ଼େ ଆସିଲୁ ଏ ବେଳରେ?ଏବେ ପରା ମହାମାରୀ ବ୍ୟାପିଛି।ସେଇଠି ରହିଗଲୁନି କାହିଁକି?ତତେ ଘରେ ଦେଖିଲେ ଗାଆଁଲୋକେ ଆମକୁ ବାସନ୍ଦ କରିବେ। ' 


       ଘରୁ ବାହାରି ଆସି ତାକୁ ଦେଖେଇ ଦେଖେଇ ଏକସ୍ଵରରେ କହିଲେ ତା'ର ବାପା, ମାଆ।ତା' ପରେ ଧଡ଼ କରି କବାଟ ବନ୍ଦ କରିଦେଲେ। 


       ବିଚରା!ଏତେଦୂରରୁ ଏତେ କଷ୍ଟକରି କାହିଁକି ଆସୁଥିଲା ସତରେ! 


       ଦୁଇ ଦିନ ପରେ ଗାଆଁ ସ୍କୁଲ୍ ବାରଣ୍ଡାରୁ ମହାମାରୀ କର୍ମୀମାନେ ପୋଲିସ ସହାୟତାରେ ତା'ର ଶବ ଉଠାଉଥିଲେ।କିଛି ଦୂରରେ ଠିଆ ହୋଇ ତା'ର ବାପା, ମାଆ ଆଖିରୁ ଲୁହ ଗଡ଼ାଉଥିଲେ।ପଛକୁ ପଛ ଠିଆହୋଇ ଗାଆଁଲୋକେ ଦେଖୁଥିଲେ ସେଇ କରୁଣ ଦୃଶ୍ୟ। 


       - 'ମହାମାରୀ କାହାକୁ ଛାଡୁନି।ତାକୁ ବା କେମିତି ଛାଡ଼ିଥାନ୍ତା?ଭଲହୋଇଛି ଗାଆଁରେ ଆସି ପହଞ୍ଚିଯାଇଛି ସେ।ଗାଆଁମାଟିରେ ତା'ର ଜୀବନ ଯାଇଛି।ତାକୁ ଘରେ ନ ପୂରାଇ ଏମାନେ ଠିକ୍ କରିଛନ୍ତି। ' ସେଇ କରୁଣ ଦୃଶ୍ୟଟିକୁ ଦେଖି କେହି କେହି କୁହାକୁହି ହେଉଥିଲେ। 


       ହଁ,ସେଇ କରୁଣ ଦୃଶ୍ୟ : ମହାମାରୀର।


Rate this content
Log in

Similar oriya story from Tragedy