ସ୍ଵଚ୍ଛତା
ସ୍ଵଚ୍ଛତା


ସତ୍ୟବାଦୀ ମହାରାଜା ହରିଶ୍ଚନ୍ଦ୍ରଙ୍କ ଆଦର୍ଶ ଓ ପ୍ରଭାବ ହେତୁ ଜେଜେବାପା ତାଙ୍କର ନାମ ରଖିଥିଲେ ହରିଶ୍ଚନ୍ଦ୍ର ସିଂହସାମନ୍ତ। ଆଶା ଥିଲା ନାତି ମହାରାଜା ହରିଶ୍ଚନ୍ଦ୍ରଙ୍କ ପରି ନୀତିବାନ ଓ ସତ୍ୟବାଦୀ ହେବ। ସତ୍ଯ ଓ ଧର୍ମର ମହତ ମାର୍ଗରେ ପରିଚାଳିତ ହୋଇ ଦେଶ ଓ ଜାତିର ଯଶ ଓ ପ୍ରତିଷ୍ଠାକୁ ନୂତନ ଶିଖରକୁ ନେଇଯିବ। ବଂଶ ଓ ଗ୍ରାମର ନାମ ଇତିହାସର ସ୍ବର୍ଣ୍ଣିମ ପୃଷ୍ଠାରେ ଲିପିବଦ୍ଧ କରିଯିବ ଚିରଦିନ ପାଇଁ। ଚିରକାଳ ଯଶ କିର୍ତ୍ତୀ ଅମର ଅକ୍ଷର ରହିବ ନାତିର ମାନବ ସଭ୍ୟତାର ଅନ୍ତ ପର୍ଯ୍ୟନ୍ତ। ଏପରି ଅନେକ ଆଶା ଆକାଂକ୍ଷାକୁ ଦୃଷ୍ଟିରେ ରଖି ଏକୋଇଶିଆ ପୂଜାର ବିଶେଷ ଅବସରରେ ନାମକରଣ କରାଯାଇଥିଲା ତାଙ୍କର।
ସିଂହସାମନ୍ତ ବଂଶ ରାମକୃଷ୍ଣପୁର ଶାସନର ଜମିଦାର। ରାଜରାଜୁଡ଼ା ସମୟରେ ଜାଗିରିଦାରୀ ଥିଲା। କର୍ପୁର ଉଡିଯାଇଥିଲେ କଣ ହେବ କନା ତ ପଡିରହିଛି ନା! ଅଚଳାଚଳ ସମ୍ପତ୍ତି କିନ୍ତୁ କୁଳରେ ପୁତ୍ର ସନ୍ତାନଟିଏ ନଥିବାରୁ ସମସ୍ତଙ୍କ ମନରେ ବିଷାଦ ଭରିରହିଥିଲା। ତାଙ୍କ ମାତାପିତାଙ୍କର ସାତଗୋଟି କନ୍ୟା ଜନ୍ମ ହେବା ପରେ ବହୁ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ଓ ନିର୍ଜଳା ଉପବାସ ବ୍ରତର ଫଳସ୍ବରୂପ ସିଂହସାମନ୍ତ ବଂଶର ଉତ୍ତରାଧିକାରୀ ହରିଶ୍ଚନ୍ଦ୍ର ବାବୁଙ୍କ ଜନ୍ମ। ଏଣୁ ବିଶେଷ ଯତ୍ନ ନିଆଯାଇଛି ତାଙ୍କର ଲାଳନପାଳନ ପାଇଁ। କୁଳ ନନ୍ଦନ ହରିଶ୍ଚନ୍ଦ୍ର ସଭିଙ୍କର ଆଖିର ତାରା!
ବାଲ୍ଯକାଳରୁ ବେଶ୍ ମେଧାବୀ ଓ ପରିଶ୍ରମୀ ହରିଶ୍ଚନ୍ଦ୍ର ବାବୁ। କୁଳୀନ ଏକାନ୍ନବର୍ତ୍ତୀ ପରିବାରରେ ବଢିଥିବାରୁ ସମସ୍ତ ପ୍ରକାରର ନୀତି ଓ ନୈତିକତାର ଶିକ୍ଷା ଗ୍ରହଣ କରିବା ସହ ନିଜକୁ ମାର୍ଜିତ ଓ ସଂସ୍କାରିତ କରିପାରିଛନ୍ତି ସେ। ମେଧା ସହ ଉତ୍ତମ ସଂସ୍କାର ଓ ଅମାୟିକ ବ୍ୟବହାର ତାଙ୍କ ବ୍ଯକ୍ତିତ୍ବକୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରି ଗଢି ତୋଳେ।
ବିନମ୍ରତା ଓ ସୌଜନ୍ୟତା ତାଙ୍କଠାରୁ ସଭିଙ୍କର ଶିଖିବାର କଥା। ନରମ ଚିକ୍କଣିଆ କଥା କହି ସେ ମତ୍ତ ହାତୀକୁ ମଧ୍ୟ ବଶୀଭୂତ କରିପାରନ୍ତି। ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିବାର କଳା କୌଶଳରେ ସେ ନିପୁଣ। ଗୁରୁଜନ ଲଘୁଜନ ସଭିଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ। କାହାରି ମନରେ କଷ୍ଟ ହେବା ପରି କଥା ସେ କେବେ ବି କହିନାହାନ୍ତି ଆଜି ପର୍ଯ୍ୟନ୍ତ। ସେଥିପାଇଁ ସେ ସବୁରି ମହଲରେ ପ୍ରିୟପାତ୍ର।
ସ୍ବଚ୍ଛତା ପ୍ରତି ହରିଶ୍ଚନ୍ଦ୍ର ବାବୁଙ୍କର ଏକ ସ୍ଵତନ୍ତ୍ର ଆକର୍ଷଣ ରହିଛି ପିଲାଟିଦିନରୁ। ସଦାସର୍ବଦା ଧୋବ ଫରଫର ପୋଷାକ ପରିଧାନ କରନ୍ତି ସେ। ଏହା ମନରେ ସାତ୍ତ୍ୱିକ ବିଚାରକୁ ଜନ୍ମ ଦେଇଥାଏ ବୋଲି ତାଙ୍କର ଅଖଣ୍ଡ ବିଶ୍ବାସ। ନିଜକୁ ଓ ନିଜ ଆଖପାଖର ପରିବେଶକୁ ସଫାସୁତୁରା ରଖିବା ପାଇଁ ସେ ଶତତ ଚେଷ୍ଟିତ। ସ୍ବଚ୍ଛ ପରିବେଶ ହିଁ ସୁସ୍ଥ ମଣିଷକୁ ଗଢିଥାଏ। ଆଉ ଏଇ ସ୍ବଚ୍ଛ ପରିବେଶକୁ ମଣିଷ। ସେଥିପାଇଁ ସେ ସମସ୍ତଙ୍କୁ ଗୋଟିଏ କଥା କହିଥାନ୍ତି, "ମଣିଷ ଗଢେ ପରିବେଶ, ପରିବେଶ ଗଢେ ମଣିଷ!" ଫୁରୁସତ୍ ସମୟରେ ଗାଁର ପିଲାମାନଙ୍କୁ ସାଥିରେ ନେଇ ଅଳିଆ ଆବର୍ଜନା ସଫା କରନ୍ତି। ଦିନେ କେବେ ବି ଏହି ସ୍ବଚ୍ଛତା ସେବା ମିଶନକୁ ବିଜ୍ଞାପିତ କରିନାହାନ୍ତି ସେ। ନିଃସ୍ବାର୍ଥପର ସେବକର ବା କଣ ପାଇଁ ପ୍ରଚାର ଲୋଡା?
ହରିଶ୍ଚନ୍ଦ୍ର ବାବୁ ପିଆଜ ରସୁଣ ଆଦି ତାମସିକ ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ଆମିଷ କଣ ଜୀବନରେ ଥରେ ମଧ୍ଯ ଚାଖି ନାହାଁନ୍ତି। ଯଦିଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଏପରି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଏହିସବୁ ଖାଦ୍ୟ ଖାଇବା ଦ୍ବାରା କାଳେ ଇନ୍ଦ୍ରିୟମାନେ ବଶରେ ରୁହନ୍ତି ନାହିଁ। ଜୀବହତ୍ଯା ଦ୍ବାରା ପରିବେଶରେ ତାପମାତ୍ରା ବୃଦ୍ଧି ବି ଏଇ ଆମିଷ ବର୍ଜନର ଅଉ ଏକ ପ୍ରମୁଖ କାରଣ। ପରିବେଶ ବଞ୍ଚିଲେ ତ ଆମେ ସମସ୍ତେ ବଞ୍ଚିବା ନା? ସମସ୍ତ ପ୍ରକାର ନିଶାଠାରୁ ଯୋଜନ ଯୋଜନ ଦୂରରେ ସେ। ନିଶାନିବାରଣ ପାଇଁ ବି ସେ ବହୁତ ସଚେତନତା ସୃଷ୍ଟିକାରୀ ପଦକ୍ଷେପ ନେଇଛନ୍ତି ତାଙ୍କ ଗାଁରେ।
ଏକ ମହତ୍ ଜୀବନାଦର୍ଶରେ ନିଜକୁ ପରିଚାଳିତ କରିଆସିଛନ୍ତି ସବୁବେଳେ ହରିଶ୍ଚନ୍ଦ୍ର ବାବୁ। ସରଳ ନିରାଡ଼ମ୍ବର ଜୀବନ ଯାପନର ଶୈଳୀ। କେଉଁଥିରେ ବି ମୋହ ନଥାଏ ତାଙ୍କର। ଧନସମ୍ପତ୍ତିର ପ୍ରାଚୁର୍ଯ୍ୟ ତାଙ୍କୁ କେବେ ବି ଗର୍ବରେ ଅନ୍ଧ କରିନି ବରଂ ସେ ସଦାସର୍ବଦା ଭୂମିଗତ।
ଅଧ୍ଯୟନର ସମାପ୍ତି ପରେ ସରକାରୀ ଚାକିରୀରେ ଯୋଗଦେଲେ ହରିଶ୍ଚନ୍ଦ୍ର ବାବୁ। ଯେହେତୁ ଆଉ ଜମିଦାରୀ ନଥିଲା କ୍ଷମତା ଉପଭୋଗ କରିବାର ସବୁଠାରୁ ସୁରକ୍ଷିତ ଉପାୟ ସରକାରୀ ଚାକିରୀ। ସରକାର ଆସିବ ଆଉ ଯିବ କିନ୍ତୁ ଅଧିକାରୀ ଥିବେ କାଳକାଳକୁ। ଯାହା କିଛି ବି ଭଲ କାମ ହେବ ଶ୍ରେୟ ଅଧିକାରୀଙ୍କର। ବିପରୀତ ସ୍ଥିତିରେ ବଦନାମୀ ନେତାଙ୍କ ମୁଣ୍ଡରେ। ନିଜର ବିଚକ୍ଷଣ ବୁଦ୍ଧିମତ୍ତା ରେ ଅଧିକାରୀମାନେ ସବୁବେଳେ ଧବଳ ଟଗର।
ହରିଶ୍ଚନ୍ଦ୍ର ବାବୁ ପ୍ରଥମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଆରମ୍ଭ କରିଥିଲେ ଚାକିରୀ ଜୀବନ। ନିଜର ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ଖୁବ୍ କମ୍ ଦିନରେ ବେଶ୍ ସୁନାମ ଅର୍ଜନ କରିଥିଲେ ସେ। ସାଧାରଣତଃ ସରକାରୀ ଅଧିକାରୀଙ୍କ ବିଷୟରେ ଅନେକ କଥା ଶୁଣାଯାଏ। କିଏ କେତେ ଖାଉଛି, କେମିତି ଖାଉଛି, ଏଇ ଖିଆଖିଇ କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ଏମିତି ଅସରନ୍ତି କଥା ଜନମୁଖରେ ଶୁଣାଯାଏ ଗାଁ ଗହଳିରୁ ସହରବଜାର ଯାଏଁ। ଏ ଲୋକମାନେ ସଜ ମାଛରେ ବି ପୋକ ପକାଇ ଦିଅନ୍ତି ନିଜ ସ୍ବାର୍ଥ ହାସଲ କରିବା ପାଇଁ।
ହରିଶ୍ଚନ୍ଦ୍ର ବାବୁ ଏବେ ତହସିଲଦାର ପଦରେ ଅଧିଷ୍ଠିତ। ବୃଦ୍ଧି ପାଇଛି କ୍ଷମତାର ପରିସର। ସେଇ ସ୍ବଚ୍ଛ ନିର୍ମଳ ଧବଳ ଭାବମୂର୍ତ୍ତି ବଳବତ୍ତର ରହିଛି ତାଙ୍କର। ନା ତାଙ୍କର ଅଛି ଖାଇବା ପିଇବାରେ ସଉକ ନା ଅଛି ପିନ୍ଧିବାରେ। ଜମିଦାର ବଂଶଧର ହୋଇ ବି ଜୀବନ ଚର୍ଯ୍ଯା ଫକୀରର! ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସରକାରୀ ପଦପଦବୀରେ ଏତେ ଦିନ ରହି ମଧ୍ୟ ଜଣେ ଏତେ କେମିତି ସ୍ବଚ୍ଛ ରହିପାରେ? କିଛି ନା କିଛି ତ ଗର୍ଭସ୍ଥ କରୁଥିବେ ନା? ଅନେକ ଲୋକ ଅନେକ କଥା ଟୁପୁରୁଟାପର ହୁଅନ୍ତି ହରିଶ୍ଚନ୍ଦ୍ର ବାବୁଙ୍କ ବିଷୟରେ। ସେ କିନ୍ତୁ ନିର୍ବିକାର ନିଶ୍ଚଳ। ସ୍ପଟିକ ସମ ସ୍ବଚ୍ଛ ନିର୍ମଳ ଧବଳ। କାହାର କୁତ୍ସା ତାଙ୍କର ସଫେଦ୍ କୁର୍ତ୍ତାରେ ଦାଗଟିଏ ବି ଲାଗାଇପାରିନି ଆଜି ଯାଏଁ।
ଦିନେ ହଠାତ୍ ଭୋରରୁ ହରିଶ୍ଚନ୍ଦ୍ର ବାବୁଙ୍କ ବାସଭବନରେ ଭିଜିଲାନ୍ସ ରେଡ୍! କାହାରିକୁ କିଛି ଖବର ନାହିଁ। ନିଦ୍ରିତ ଅବସ୍ଥାରେ ଥିବା ତହସିଲଦାର ଟେର ବି ପାଇନାହାଁନ୍ତି। ବସ୍ତା ବସ୍ତା ନୋଟ୍ ବିଡା। ଗଣିବାକୁ ଦୁଇ ତିନି ଦିନ ଲାଗିବ। ରାଜ୍ଯ ସାରା ଚହଳ, ଘର ଆଗରେ ଜନ ଗହଳି। ସ୍ବଚ୍ଛ ଭାବମୂର୍ତ୍ତିର ଡିଣ୍ଡିମ ପିଟୁଥିବା ହରିଶ୍ଚନ୍ଦ୍ର ବାବୁ ବାକ୍ ଶକ୍ତି ରହିତ ନିର୍ବାକ। ଚିକ୍କଣିଆ କଥା ବାହାରୁ ନ ଥିଲା ତୁଣ୍ଡରୁ। ଆଖି ମିଶାଇ ପାରୁନଥିଲେ ଆଖପାଖର ଲୋକଙ୍କ ସହ।
ଏହି ପ୍ରକରଣ ପରେ ଫିଟିଥିଲା ବାବୁ ହରିଶ୍ଚନ୍ଦ୍ରଙ୍କ ଗୁମର। ତାଙ୍କୁ ଗରିବ ଗୁରୁବାଙ୍କ କଷ୍ଟାର୍ଜିତ ଧନକୁ କରଗତ କରିବାର କଳା ବେଶ୍ ମାଲୁମ। ବିନା ଲାଞ୍ଚରେ କାଗଜଟେ ବି ଘୁଞ୍ଚେନି ତାଙ୍କ ଅଫିସରେ। ଖୁବ୍ ସତର୍କତାର ସହିତ ସମ୍ପାଦିତ ହୁଏ ସବୁ କିଛି। ଭାଗ ମାପର ହିସାବ ନିକାସ ନିଜେ ହିଁ କରନ୍ତି। କେବେ ବି କେହି ନାଖୁସ ହେବାର ନାହିଁ। ଯିଏ ଯାହାର ନାର୍ଯ୍ୟ ଭାଗ ପାଇ ଖୁସି। ତାଳୁରୁ ତଳିପା ଯାଏଁ ସଭିଏଁ ସାମିଲ୍ ଏଇ ବଣ୍ଟାବଣ୍ଟିର ପଦ୍ଧତିରେ।
ସଫେଦ୍ କପଡାର ଆବରଣରେ ଲୁଚିଥିବା ଛାରପୋକଟିଏ ସେ। ଗରିବ ଲୋକଙ୍କ ରକ୍ତ ଶୋଷି ନିଜର ପେଟ ଭରନ୍ତି। ଏ ଶୋଷ ମେଣ୍ଟିବାର ନାହିଁ। ମାଙ୍କଡ଼ା ପଥର ଖଣି ଆଉ ବାଲିଘାଟ ଆବଣ୍ଟନରେ ଅନିୟମିତତାର ଅଭିଯୋଗ ଆସିଥିଲା ତାଙ୍କ ବିରୁଦ୍ଧରେ। ଜଣେ ଉଚ୍ଚ ଶିକ୍ଷିତ ବେକାର ଯୁବକଙ୍କ ଆବେଦନକୁ ଖାରଜ କରିଦେଇ ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିଲେ।
ହେଲେ ଏଇ ସାମାନ୍ୟ କଥାଟା ଯେ, ତାଙ୍କ ସ୍ଵଚ୍ଛ ଭାବମୂର୍ତ୍ତିରେ କାଳିମାର ଦାଗ ଲଗାଇଦେବ ଦାମ୍ଭିକ ହରିଶ୍ଚନ୍ଦ୍ର ବାବୁ ଭୁଲିଯାଇଥିଲେ ହେଳାରେ...
"ଇଛନ୍ତି ଦାମ୍ଭିକେ ହସ୍ତେ ଧରିବାକୁ
ସଭିଙ୍କର ଭାଗ୍ୟ ଡ଼ୋରୀ,
ନିଜ ଭାଗ୍ୟ ଡୋରୀ କାଳ ହସ୍ତେ
ବନ୍ଧା ପକାନ୍ତି ହେଳେ ପାଶୋରି!"