STORYMIRROR

Himalini Hota

Tragedy

4  

Himalini Hota

Tragedy

ସବୁ ଦିନର ସାଙ୍ଗ

ସବୁ ଦିନର ସାଙ୍ଗ

4 mins
360

ଶିରିସ .....,ଶିରିସ.....ଟିକେ ପଛକୁ ଅନାଅ ଶିରିସ... । ନିଜ ର ନାମ କୁ ପରିଚିତ କଣ୍ଠ ରୁ ଶୁଣି ପଛକୁ ଅନେଇଥିଲେ ଶିରିସ । କେହି ତ କୁଆଡେ ନାହାନ୍ତି କିଏ ଡାକୁଛନ୍ତି । ଘର ଠାରୁ ତାଙ୍କ କଲେଜ ର ଦୂରତା ପ୍ରାୟ ସାତ କିଲୋମିଟର । ଗୋଟିଏ ପଟେ ନଦୀ ଅନ୍ୟପଟେ ଧାନ କ୍ଷେତ ଏ ଦୁଇଟି କୁ ଅଲଗା କରିବା ପାଇଁ ମଝିରେ ଥାଏ ଏକ ବଡ଼ ମାଟି ତିଆରି ହିଡ଼ ରାସ୍ତା । ସେ ରାସ୍ତାରେ ସାଇକେଲ ଚଲେଇ ଆସୁଥାନ୍ତି ଶିରିସ ।

ସବୁବେଳେ କଲେଜ ଯାଇ ଟିଉସନ ସାରି ଆସିଲା ବେଳକୁ ସାତଟା ବାଜି ଯାଉଥାଏ । ସେ ଦିନ କିନ୍ତୁ କିଛି କାମସାରି ଆସିଲା ବେଳକୁ ଟିକେ ବିଳମ୍ବ ହୋଇ ଯାଇଥିଲା ସେଥିପାଇଁ ଜଲଦି ଜଲଦି ସାଇକେଲ ଚଳେଇ ଆସୁଥାନ୍ତି ଶିରିସ। ସାତ ଟା ବେଳେ ଆସିଲା ବେଳକୁ ପ୍ରାୟ ସବୁଦିନେ କିଏ ନା କିଏ ଗାଁ ଲୋକ ଦେଖା ହୋଇ ଯାଇଥାନ୍ତି।ସେଦିନ କିନ୍ତୁ ବିଳମ୍ବ ହୋଇ ଯାଇଥିବାରୁ କେହି ନଥାନ୍ତି ସାଙ୍ଗରେ।

ପୁଣି ଥରେ ସେହି ଡାକ-- ଶି-ରି -ସ ...... । ଗୋଟେ ଝିଅ ପିଲା ର କଣ୍ଠ ସ୍ୱର-- ଟିକେ ଶବ୍ଦ ବାରିବାରୁ ଜଣାଗଲା ----ସ୍ୱର ଟି ଥିଲା ଭାଉଜଙ୍କ ର । ପୁଣି ଥରେ ପଛକୁ ଅନେଇଲେ ଶିରିସ । ଚାରିଆଡେ ଅନ୍ଧାର ତା ସାଙ୍ଗ ଶୁନଶାନ ପରିବେଶ । ମାସେ ତଳେ ତ ନିଜେ ଯାଇ ଭାଉଜଙ୍କୁ ଛାଡି ଆସିଛନ୍ତି ତାଙ୍କ ବାପା ଙ୍କ ଘରେ ଗାଁ ରେ, ତାଙ୍କର ଡେଲିଭରି ପାଇଁ । ଏତେ ଜଳଦି ତ ସେ ଦାଦା ହେଇନଥିବେ ଯେ ଭାଉଜ ଗାଁ କୁ ଚାଲିଆସିଥିବେ । ତା'ଛଡା ଭାଉଜ ବି କାହିଁକି ଏତେ ରାତିରେ ଆସିବେ ଏ ନିଛାଟିଆ ରାସ୍ତା ରେ, ପୁଣି ଏକୁଟିଆ । ସେ ପରା ନୂଆ ବୋହୁ ଗାଁ ର । ଶିରିସ ଭାବିଲେ ଏ ବୋଧେ ତାଙ୍କ ମନ ର ଭ୍ରମ । ଭାରି ଭଲ ପାଉଥିଲେ ଭାଉଜ ଙ୍କୁ ସେ । ଭାଉଜ ନୁହେଁ ତ ସାଙ୍ଗ ଥିଲେ ତାଙ୍କର । କଲେଜ ରୁ ଫେରିବା ପରେ ଦିନସାରା କଲେଜ ରେ ବିତେଇଥିବା ସବୁ ଘଟଣା ଗୋଟି ଗୋଟି କରି ଶୁଣାଇଥାନ୍ତି ଭାଉଜ ଙ୍କୁ ସେ । ଅଲ୍ପ ଦିନ ଭିତରେ ସେ ହୃଦୟ ଜିଣିନେଇ ଥିଲେ । କେବଳ ତାଙ୍କ ର ନୁହେଁ ପରିବାର ର ସମସ୍ତ ସଦସ୍ୟ ଙ୍କୁ ସେ ନିଜ ସ୍ନେହ ଭରା ପଣତ କାନି ରେ ବାନ୍ଧି ରଖିଥିଲେ । ବଡ଼ ଘର ର ଝିଅ ହୋଇ କି ବି ତାଙ୍କ ମନରେ ଟିକେ ଗର୍ବ ଅହମିକା ନଥିଲା। ବାହାଘର ର ଜମାରୁ ବର୍ଷେ ବି ହୋଇନଥାଏ ସ୍ନେହ ର ରଜ୍ଜୁ ରେ ପୁରା ପରିବାରକୁ ବାନ୍ଧି ରଖିଥିଲେ ଭାଉଜ । ଶିରିସ ଙ୍କ ଭାଇ ସ୍କୁଲ ହେଡ ମlଷ୍ଟର ଥିଲେ ।କୋଠର ଅନୁଶାସନ ରେ ସ୍କୁଲ ର ପିଲାଙ୍କୁ ରଖୁଥିଲେ ।କିନ୍ତୁ ଭାଉଜ ଆସିବା ପରେ ଭାଉଜ ଙ୍କ ସ୍ନେହ ର ବନ୍ଧନ ରେ ବାନ୍ଧି ହୋଇ  ଏତେ ପିଲା ହୋଇଗଲା ଯେ ଭାଉଜ ଖୁଆଇଲେ ହି ଖାଉଥିଲେ ।।ସିଧା କଥା କହିବାକୁ ଗଲେ ସେ ଭାଉଜ ଆସିବା ପରେ ତାଙ୍କ ଆଗରେ ଛୋଟ ଛୁଆ ଟି ଏ ହୋଇଯାଇଥିଲେ। ବହୁତ ଖୁସୀ ଲାଗୁଥିଲା ଶିରିସ ଙ୍କୁ ସେମାନଙ୍କ ର ସ୍ନେହ ଓ ପ୍ରେମ କୁ ଦେଖି । ଶିରିସ ଙ୍କ ପାଇଁ ବି କିଛି କମ ନଥିଲେ ଭାଉଜ। କଲେଜ ରୁ ଫେରିବା ବେଳକୁ ମନ ପସନ୍ଦ ର ଗରମା ଗରମ ଜଳଖିଆ ବନେଇ ରଖିଥିବେ ,।ଖାଇ ସାରିବା ପରେ ଲୁଡୁ , ସାପ ସିଡ଼ି ଆଦି ଖେଳ ର ଆସର ଜମିଯାଉଥାଏ ଦିଅର ଭାଉଜ ଙ୍କର ।ଦିଅର ନୁହେଁ ତ ସାଙ୍ଗ ଭାବୁଥିଲେ ଶିରିସ ଙ୍କୁ ଭାଉଜ।

ଶାଶୁ, ଶଶୁର ଙ୍କୁ ସେ ନିଜ ବାପା ଓ ମା ଙ୍କ ଠାରୁ ବି ଅଧିକ ଭାବି ସେବା କରୁଥିଲେ । ସାତ ମାସ ବିଧାନ ପରେ ଭାଉଜଙ୍କ ର ଜମା ଇଚ୍ଛା ନଥାଏ ବାପା ଘରକୁ ଯିବା ପାଇଁ, କାଳେ ତାଙ୍କ ଘରଲୋକ ଙ୍କ ମନ ଦୁଃଖ ହେବ ବୋଲି ତାଙ୍କୁ ବୁଝାଇ ପଠା ଯାଇଥିଲା। ଭାଉଜ ବାପା ଘର କୁ ଗଲା ପରେ ଭାରି ଝୁରୁଥିଲେ ମନେ ମନେ ଶିରିସ, ଭାଉଜଙ୍କୁ । ସେଥିପାଇଁ ବୋଧେ ତାଙ୍କୁ ଏମିତି ଭାଉଜ ଡାକିଲା ପରି ଲାଗୁଥିଲା। ଏମିତି ଭାବନା ରେ ସାଇକେଲ ଗଡେଇ ଆଗକୁ ଚାଲୁ ଥିବା ସମୟରେ ପୁଣି ଥରେ ସେହି ପରିଚିତ କଣ୍ଠ ସ୍ୱର ଶିରିସ .......। ଅତି ପାଖରୁ ଡାକିଲା ପରି ଲାଗୁଥାଏ ଅଥଚ କେହି କୁଆଡେ ଦେଖା ଯାଉ ନଥିଲେ । ସାଇକେଲ ରୁ ଓହ୍ଲାଇ କିଛି ସମୟ ଛିଡା ହୋଇଗଲେ ଶିରିସ । ବହଳ ଅନ୍ଧାର କୁ ଚିରି ଗୋଟିଏ ଗାଡି ତାଙ୍କୁ ଅତିକ୍ରମ କରି ଚାଲିଗଲା ଦ୍ରୁତ ଗତିରେ । ଗାଡି ର ଆଲୁଅ ଯେତେ ଦୂର ଯାଏଁ ଦେଖାଯାଉଥିଲା ସେତିକି ଦୂର ପର୍ଯ୍ୟନ୍ତ ଆଖି ପହଁରାଇ ଆଣିଲେ ଶିରିସ ତଥାପି କୋଉଠି କାହାକୁ ଦେଖି ପାରିଲେ ନାହିଁ ।

ଆଉ କୁଆଡ଼ କୁ ନିଘା ନ କରି ସେ ଗାଡି ପଛେ ପଛେ ସାଇକେଲ ଗଡେଇ ଦ୍ରୁତ ଗତି ରେ ଚାଲିଲେ ଗାଁ ଅଭିମୁଖେ। ଗାଁ ଭିତରେ ପ୍ରବେଶ କଲା ପରେ ଦୁଆର ମୁହଁ ରେ ତାଙ୍କୁ ରାସ୍ତ ରେ ଅତିକ୍ରମ କରି ଯାଇଥିବା ସେହି ଗାଡି ଓ ଘର ମୁହଁ ରେ ଯାତ୍ରା ଲାଗିବା ପରି ଲୋକ ଗହଳି ଦେଖି କିଛି ବୁଝିପାରୁନଥିଲେ ଶିରିସ । କିଛି ଗୋଟିଏ ଅଘଟଣ ର ଆଶଙ୍କା ରେ ମନ ଭିତର ଟା ବିଚଳିତ ହେଇ ଯାଉଥିଲା ତାଙ୍କର । ଗହଳି ଆଡେଇ ଘର ଭିତରକୁ ପ୍ରବେଶ କଲେ ଶିରିସ । ଭିତରେ ଭାଇ ପଡ଼ିଥାନ୍ତି ଅଚେତ ହୋଇ ।ଚାରିଜଣ ଲୋକ ତାଙ୍କ ମୁହଁକୁ ପାଣି ଛାଟୁଥାନ୍ତି ଚେତା ଆସିବା ପାଇଁ । ଭିତରେ ସମୁହ କ୍ରନ୍ଦନ ରୋଳ ଚାଲିଥାଏ।ଭାଉଜ ଙ୍କ ପରିବାର ର ସମସ୍ତେ ଆସିଥାନ୍ତି । ସମସ୍ତ ଙ୍କ ଆଖିରେ ଲୁହ । ବାପା ମୁଣ୍ଡରେ ହାତ ଦେଇ ବସିଥାନ୍ତି କିଛି ବୁଝି ହେଉନଥାଏ କି ଘର ଭିତରକୁ ଯିବାକୁ ସାହାସ ହେଉନଥାଏ । ବୋଧ ହୁଏ ଭାଇ ର କିଛି ଦୁର୍ଘଟଣା ହୋଇଛି । ହେ ପ୍ରଭୁ ଭାଇ ର ବେଶି କିଛି ହେଇନଥାଉ । ମନେ ମନେ ଠାକୁର ଙ୍କୁ ସ୍ମରଣ କରି ଭିତର ଘର ର ସ୍ଥିତି ଜାଣିବା ପାଇଁ ଗଲା ବେଳେ ସେଠାରେ ଯାହା ଦେଖିଲେ ଶିରିସ ଙ୍କର ପାଦ ତଳରୁ ମାଟି ଖସିଯାଇଥିଲା। ଲାଗୁଥିଲା ଯେମିତି ସମଗ୍ର ଆକାଶ ଟା ତାଙ୍କ ମୁଣ୍ଡ ଉପରେ ଛିଡି ପଡିବ । ଭାଉଜ ଶୋଇଥାନ୍ତି ନିଶ୍ଚିନ୍ତ ରେ ଭୂମି ଉପରେ ।ଆହା କି ସୁନ୍ଦର ଦେଖାଯାଉଥିଲେ ବଡ଼ ନାଲି ସିନ୍ଦୁର ଟୋପା ଆଉ ବାହାଘର ପାଟ ରେ ସେ ।କିଏ ଜଣେ ମଲ୍ଲୀ ଫୁଲ ର ମାଳ ଟିଏ ଓ ଇଟଳା ଫୁଲ ର ମାଳ ଟିଏ ତାଙ୍କ ବେକରେ ପକେଇ ଦେଇ ଚାଲି ଯାଇଥିଲେ ।ମନ୍ଦିର ର ଦେବୀ ପରି ଲାଗୁଥିଲେ ସେ । ଛାତି ଫଟେଇ କୋହ ଉଠୁଥାଏ ଶିରିସ ଙ୍କର । ଭାଉଜ ତାଙ୍କର ଆଉ ଇହ ଦୁନିଆ ରେ ନଥାନ୍ତି ଏ କଥା ବୁଝିବାକୁ ଆଉ ବାକି ନ ଥାଏ ତାଙ୍କର।ସବୁ ଦିନ ସାଙ୍ଗ ହୋଇ ରହିବାର କଥା ଦେଇ ସେ ଶିରିସ ଙ୍କୁ ଠକି ଦେଇ ଚାଲିଯାଇଥିଲେ ଅଫେରା ରାଇଜକୁ ।

ଭାଉଜ  କୁଆଡେ ଏମିତି ଏକ ବିରଳ ରୋଗ ରେ ପୀଡିତ ଥିଲେ ଯେଉଁ ରୋଗ ରେ ରୋଗୀ ଯଦି ବିବାହ କରି ସନ୍ତାନ ଜନ୍ମ କରେ ତା ହେଲେ ମୃତ୍ୟୁ ବରଣ କରିଥାଏ। ଦୁର୍ଭାଗ୍ୟ ବଶତଃ ଏ ରୋଗ ବିଷୟରେ ଜାଣିଲା ବେଳକୁ ବହୁତ ବିଳମ୍ବ ହୋଇସାରିଥିଲା ଏବଂ ଭାଉଜ ସମସ୍ତ ଙ୍କୁ ଛାଡି ଅଫେରା ରାଇଜକୁ ଚାଲିଯାଇଥିଲେ।


Rate this content
Log in

Similar oriya story from Tragedy