ସୌନ୍ଦର୍ଯ୍ୟ
ସୌନ୍ଦର୍ଯ୍ୟ
ଚାରି ଭାଇରେ ସେ ଗୋଟିଏ ଭଉଣୀ । ନାଁ ସୁମନ । ସମସ୍ତଙ୍କର ଗେହ୍ଲୀ । କେବଳ ଘରେ ନୁହେଁ ବିଦ୍ୟାଳୟରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହପାଠୀ ମାନଙ୍କର ସେ ପ୍ରିୟ । ସାଇ ପଡିଶାରେ ସମସ୍ତେ ତାକୁ ଭଲ ପାଆନ୍ତି । ବନ୍ଧୁ ବାନ୍ଧବରେ ସେ ବେଶୀ ଚର୍ଚ୍ଚିତ । ସମସ୍ତେ ତାର ଉଦାହରଣ ଦିଅନ୍ତି । ରୂପ ଯେମିତି ଗୁଣ ବି ସେମିତି । କେବଳ ପାଠପଢା ନୁହେଁ ଗୀତ ନାଚ ଆର୍ଟ କରିବା ସବୁ କ୍ଷେତ୍ରରେ ସେ ପାରଙ୍ଗମ । ତାକୁ ଦେଖିଲେ ମନେ ହୁଏ ସୁମନ ନାଁ ଟାକୁ ସେ ଯେମିତି ସାର୍ଥକ କରିଛି । ଆଚରଣ ଉଚ୍ଚାରଣ ସବୁ କ୍ଷେତ୍ରରେ ତାର ମାର୍ଜିତ ବ୍ୟବହାର ।
ମାଟ୍ରିକ ପରୀକ୍ଷାରେ ତାର ବୟାନବେ ପ୍ରତିଶନ ନମ୍ବର ଆସିବା ପରେ ଘରେ ସମସ୍ତେ ଭଲ କଲେଜରେ ଆଡମିଶନ କରିବା ପାଇଁ ତତ୍ପର ହୋଇ ପଡିଲେ । ଶେଷରେ ଭୂବନେଶ୍ୱରର ଏକ ଘରୋଇ କଲେଜରେ ଆଡମିଶନ ହୋଇଗଲା । ଅନେକ ଉଚ୍ଚ ଆଶା ରଖିଥିବା ସୁମନ ପାଠପଢା ବ୍ୟତୀତ ଅନ୍ୟ କୌଣସି କଥାକୁ ଗୁରୁତ୍ୱ ଦେଉନଥିଲା । ରୁମମେଟ ମାନେ ବାହାରକୁ ବୁଲାବୁଲି କରିବା ପାଇଁ କହିଲେ ସେସବୁ ସେ ଆଭଏଡ କରିଦିଏ । ଗୋଟିଏ ଲକ୍ଷ୍ୟ ଘରର, ତଥା ବାପା ମାଆ ଭାଇ ମାନଙ୍କର ନାଁ ରଖିବ । ଭଲ ମାର୍କ ରଖି ଯୁକ୍ତ ଦୁଇ ବି ସରିଗଲା । ତାପରେ ସେ ଇଞ୍ଜିନିୟରିଂ ପଢିବା ପାଇଁ ଇଚ୍ଛା କରି ଘରେ ଜଣାଇଲା । ଘରେ ମଧ୍ୟ ତା କଥାରେ ରାଜି ହେଲେ । କାରଣ ସେ ଯାହା କରିବ ଭଲ ହିଁ କରିବ । ତା ଠାରେ ସମସ୍ତଙ୍କର ଶତ ପ୍ରତିଶତ ଭରସା । ଜେ.ଇ.ଏନଟ୍ରାନସ ଦେଇ ଅଲ ଇଣ୍ଡିଆ ର୍ୟାଙ୍କ ରେ ତା ନମ୍ବର ଆସିଗଲା । ଜେ.ଇ ଆଡଭାନସ ମଧ୍ୟ ଦେଲା । ଭଲ ଇଞ୍ଜିନିୟରିଂ କଲେଜରେ ଆଡମିଶନ ହୋଇଗଲା । ତା ସଫଳତାରେ ସମସ୍ତେ ଖୁସି । ନୂଆ କଲେଜ ନୂଆ ସାଙ୍ଗସାଥି । ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିବାର ସ୍ୱପ୍ନ ନେଇ ବଢି ଚାଲିଛି ଆଗକୁ ଆଗକୁ ।
ସେ ବର୍ଷ ତାର ଥାର୍ଡ ଇୟର ଥାଏ । ସେ କିଛି ଦିନ ହେଲା ଲକ୍ଷ୍ୟ କରୁଥିଲା ଗୋଟେ ପିଲା ପ୍ରାୟ ସମୟ ତାକୁ ଅନୁସରଣ କରୁଛି । ହେଲେ ସେତେ ଗୁରୁତ୍ୱ ଦେଇ ନଥିଲା । ଦିନେ ସେ ପିଲା ଆସି ସୁମନ ଆଗରେ ନିଜ ଲଭକୁ ପ୍ରୋପଜ କରିଥିଲା । ହେଲେ ସେ ତାକୁ ବୁଝାଇ ଦେଇଥିଲା । ଏ ସବୁ ପାଇଁ ମୋ ପାଖରେ ସମୟ ନାହିଁ । ଭଲ ହେବ ତୁମେ ବି ଏ ଚିନ୍ତା ଛାଡିଦିଅ । ବାପା ମାଆ କେତେ ଭରସା ବିଶ୍ୱାସରେ ଆମକୁ ଏଠାକୁ ଛାଡିଛନ୍ତି ପାଠ ପଢିବା ପାଇଁ । ହେଲେ ସେ ପିଲା ଥରେ ନୁହେଁ ବାରମ୍ବାର ତା କାର୍ଯ୍ୟରୁ ଓହରିଲା ନାହିଁ । ସବୁଥର ସେ ତାକୁ ନରାଗି ଭଲରେ ଭଲରେ ବୁଝାଇ ଦିଏ । ହେଲେ ସେଦିନ ତ ସୀମା ପାର ହୋଇଗଲା । ସେ ପ୍ରୋପଜ କରିବା ସହିତ ସୁମନର ହାତକୁ ଚଟାପଟ ଧରି ପକାଇ କହିଲା ମୋର ଏବେ ଏଇ ମୁହୂର୍ତ୍ତରେ ତୁମ ଠାରୁ ହଁ ଶୁଣିବା ଦରକାର । ସୁମନର ସହିବାର ସୀମା ଡେଇଁ ଯାଇଥିଲା । ଠାଏ କି ସେହି ପିଲା ଗାଲରେ ଚାପୁଡାଟିଏ ବସାଇ ଦେଇ ତା ରୁମ ଆଡକୁ ଚାଲିଗଲା । ଏତେ ସବୁ ଛୋଟ ଛୋଟ କଥାକୁ ଘରେ କହି ଅଯଥାରେ ଘର ଲୋକଙ୍କର ଚିନ୍ତା ବଢାଇବା ପାଇଁ ଚାହୁଁ ନଥିଲା । କାରଣ ଏସବୁ ହ୍ୟାଣ୍ଡଲ କରିବା ତାକୁ ଭଲ ଭାବେ ଜଣା । ସୁମନ ଭାବିଲା ଏଇଠି ଏ କାହାଣୀର ସମାପ୍ତ ହେଲା । ସେ ଠିକ ତାର ଉତ୍ତର ପାଇଯାଇଥିବ । ହେଲେ ନା କଥା ସେଠି ଛିଣ୍ଡିଲାନି ଆହୁରି ଗମ୍ଭୀର ହୋଇଗଲା । ସପ୍ତାହେ ପରେ କ୍ଲାସ୍ ସାରି ତା ରୁମ ଆଡକୁ ଯିବା ବେଳେ ସେହି ପିଲାଟି କଲେଜ କ୍ୟାମ୍ପସ ଭିତରେ ହିଁ ତା ମୁହଁରେ ଏସିଡ ପକାଇ ଦୃତ ବେଗରେ ବାଇକରେ ଚାଲିଗଲା । ସେ ଏତିକି ଶୁଣି ପାରିଥିଲା ତୋ ରୂପକୁ ନେଇ ତୋର ବହୁତ ଅହଂକାର ନା । ତୁ ମୋର ନୁହେଁ ତ କାହାର ହୋଇ ପାରିବୁନି । ସୁମନ ତଳେ ପଡିଯାଇ ଛଟପଟ ହେଉଥାଏ । ସାରା କଲେଜର ଜୁନିଅର ସିନିଅର ଷ୍ଟୁଡେଂଟ, ଟିଚିଂ ନନ୍ ଟିଚିଂ ଷ୍ଟାଫ ସବୁ ତା ଚାରି ପାଖରେ ରୁଣ୍ଡ ହୋଇଗଲେ । ତୁରନ୍ତ ତାକୁ ମେଡିକାଲ ନେଇ ତାଙ୍କ ଘରକୁ ଖବର ଦେଲେ । ସେହି ପିଲାକୁ ଧରି ପୋଲିସ ଜିମା ଦେଲେ । ହେଲେ ତାର କିଛି ହେଲାନି । ବଡ ବ୍ୟବସାୟୀର ପୁଅ ଟଙ୍କା ପଇସା ଦେଇ ପୁରାପୁରି ଖଲାସ । ହେଲେ ସୁମନର ମୁହଁ ସବୁଦିନ ପାଇଁ ବିକୃତ ହୋଇଗଲା । ବାପା ମାଆ ଭାଇ ମାଙ୍କ ଆଖିରୁ ଲୁହ ଶୁଖୁନି । ଡିସଚାର୍ଜ ପରେ ଘରକୁ ଆସିବା ପରେ ସାଇ ପଡିଶା ବନ୍ଧୁ ବାନ୍ଧବ ସମସ୍ତେ ତାକୁ ଦେଖିବାକୁ ଆସିଲେ । ସମସ୍ତଙ୍କର ଦୁଃଖ ପ୍ରକାଶ କରିବା ଶବ୍ଦରେ ସେ ନିଜକୁ ନିରାଶା ହତାସ ବୋଧ ମନେ କରୁଥିଲା । ଝିଆରୀ ପୁତୁରା ମାନେ ଭୟ କରି ତା ପାଖ ମାଡୁ ନଥିଲେ । ସମସ୍ତଙ୍କ ଅନିଚ୍ଛା ସତ୍ୱେ ସେ ପୁଣି କଲେଜ ବାହାରିଲା । ତା ପାଠ ସେ ସମ୍ପୂର୍ଣ୍ଣ କରିବ । ସେହି ବର୍ଷ ସେ କ୍ୟାମ୍ପସରେ ବାଙ୍ଗାଲୋରର ଗୋଟେ ଆଇଟି କମ୍ପନୀରେ ଚାକିରୀ ପାଇଗଲା । ଘର ଲୋକଙ୍କ ସହିତ ଯାଇ ଚାକିରୀରେ ଜଏନ କଲା । ତାର ଟ୍ୟାଲେଂଟ ତାକୁ ଉପରକୁ ଉପରକୁ ନେଇଗଲା । ସେ ଭଲ ଭାବେ ଜାଣେ ଜୀବନ ସାରା ତାକୁ ଏମିତି ସିଙ୍ଗଲ ହୋଇ ରହିବାକୁ ପଡିବ । ତେଣୁ ପରିବାରର ସ୍ୱପ୍ନ ସେ କେବେବି ଦେଖିନି । ଭାଇ ଭାଉଜ ପିଲାମାନଙ୍କ ସହିତ ଦିନ ସବୁ ଖୁସିରେ କଟିଯାଉଥିଲା । ତାର କାର୍ଯ୍ୟ କରିବା ଶୈଳୀ, ତାର ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ତାର ସହକର୍ମୀ ତାକୁ ବିବାହ କରିବାର ପ୍ରସ୍ତାବ ଦେଲେ । ହେଲେ ସେ ଆଡେଇ ଦେଇଥିଲା । ମୋ ପରି ଜଣେ କୁତ୍ସିତ ଚେହେରାକୁ ବାହା ହୋଇ ଆପଣଙ୍କ ଜୀବନ କାହିଁକି ନଷ୍ଟ କରିବେ । ନା ସୁମନ ତୁମକୁ ବାହା ହେଲେ ମୁଁ ନିଜକୁ ସୌଭଗ୍ୟବାନ ମନେ କରିବି । ସୌନ୍ଦର୍ଯ୍ୟ ଚେହେରାରେ ନଥାଏ, ଦେଖିବା ଲୋକର ଆଖିରେ ଥାଏ ।
