ସାନ୍ତ୍ବନା
ସାନ୍ତ୍ବନା
ଟ୍ରେନର ଗତିଠୁ ମୋର ମନର ଆବେଗର ଗତି ଯଥେଷ୍ଟ ଅଧିକ ଥିଲା। ଏଥିରୁ ଅନୁମେୟ ମୋର ମାନସିକ ସ୍ଥିତି କିଭଳି ଥିବ। ନିମିଷକ ମଧ୍ଯ ରେ ଯାଇ ପହଞ୍ଚି ଯାଆନ୍ତିକି ଏଇ ଭାବର ଉଦ୍ରେକ ମତେ ବିଚଳିତ କରୁଥାଏ। ଟ୍ରେନ୍ ଟି ଯାଉଥାଏ କୋରାପୁଟଠାରୁ ଭୁବନେଶ୍ୱର। ମୋର ଗନ୍ତବ୍ୟ ସ୍ଥଳ କଟକ ହେଇଥିବାରୁ ମୁଁ ଭୁବନେଶ୍ୱରରେ ଓହ୍ଲାଇବା କଥା। ପ୍ରାୟ ରାତି ବାରଟାରେ ବିଜୟନଗରମ ଷ୍ଟେସନ୍ ରୁ ମୁଁ ଟ୍ରେନ୍ ରେ ଚଢିଥିଲି। ମୋ ପାଖରେ ସେଇ ତାରିଖରେ ଯିବାପାଇଁ ଆଗରୁ ଟିକଟ ବୁକିଂ ନଥିଲା। ତେଣୁ ଚାଲୁ ଟିକଟଟିଏ କରି ବାତାନୁକୁଳିତ ତୃତୀୟ ଶ୍ରେଣୀ ଡବାରେ ଚଢି ଟିଟି ଙ୍କ ପାଖରେ ରିଜର୍ଭେସନ୍ କରିବା କଥା। ମୋ ସହିତ ମତେ ଛାଡ଼ିବାକୁ ଆସିଥିବା ଦୂଇଜଣ ଅଫିସ୍ କର୍ମଚାରୀ ଟିକେଟ୍ କାଟି ଆଣି ମତେ ଟ୍ରେନରେ ବସେଇଦେଲେ। ହିରାଖଣ୍ଡ ଏକ୍ସପ୍ରେସ ଟ୍ରେନଟିର ସେଇ ଡବା ପାଇଁ ଉଦ୍ଦିଷ୍ଟ ଟିଟିଙ୍କୁ ସବିସ୍ତାର କହିବାରୁ ସେ ମତେ ଡବାକୁ ଚଢ଼ିବାକୁ ଇଙ୍ଗୀତ ଦେଲେ।
କାଁ ଭାଁ କିଛି ଯାତ୍ରୀଙ୍କ ଛଡ଼ା ଅନ୍ଯମାନେ ଶୋଇ ସାରିଥିଲେ। କାନ୍ଦମାଡୁଥିଲେ ବି ଅନ୍ୟମାନଙ୍କୁ ଡିଷ୍ଟର୍ବ କରିବା ଓ ନିଜର ଦୁର୍ବଳତା କୁ ବାହାରକୁ ଦେଖେଇବା ଉଦ୍ଦେଶ୍ୟ ନଥିଲା ମୋର। ଦୁଃଖ ଓ ବ୍ଯସ୍ତତା ଭିତରେ ସିଟ୍ ରେ ବସି ଆଖିରୁ ଝରୁଥିବା ଲୁହକୁ ପୋଛି ଅପେକ୍ଷା କରୁଥିଲି ଟିଟିଙ୍କୁ। ମୋ ମୁହଁ ରେ ମୋ ବ୍ଯସ୍ତତାର ଛାପ ଏତେ ଥିଲା ଯେ ଟିଟି ବି କାରଣ ପଚାରିଲେ ଆଉ ବୁଝେଇବା କୁ ଯାଇ କହିଲେ "ବ୍ୟସ୍ତ ହୁଅନ୍ତୁ ନାହିଁ"।
ସାନ ଭାଇ ପାଖରୁ ମେସେଜ ଆସିଲା। ଇଚ୍ଛା ହେଉଥିଲା ଟ୍ରେନରୁ ଓହ୍ଲାଇ ଦୌଡ଼ି ଦୌଡ଼ି ଯାଇ ଘରେ ପହଞ୍ଚି ଯାଆନ୍ତି କି ! ଏହି ସମୟରେ ଜଣେ ଡେଙ୍ଗା ହେଇ ବଳିଷ୍ଠ ଯୁବକ ଓ୍ବାସ୍ ରୁମ୍ ପଟୁ ବର୍ଥ ପାଇଁ ଉଦ୍ଦିଷ୍ଟ କବାଟ ଖୋଲି ଆସିଲେ । ମତେ ଦେଖି କିଛି ସମୟ ଅଟକି ଗଲେ, ତାପରେ ଚାଲିଗଲେ। ମୁଁ ନିଜକୁ ବୁଝେଇ ଚୁପଚାପ୍ ବସିବାକୁ ଚେଷ୍ଟା କରୁଥିଲି। କାରଣ ମନ ଏତେ ଅସ୍ଥିର ଥିଲାଯେ ନିଦ ହେବାର ପ୍ରଶ୍ନ ବି ଉଠୁନଥିଲା। କିଛି ସମୟ ପରେ ସେଇ ଦୀର୍ଘକାୟ ବ୍ୟକ୍ତି ଜଣଙ୍କ ପୁଣି ଆସିଲେ ଓ ପଚାରିଲେ କଣ ହେଇଛି। ବେଶ୍ ବଳିଷ୍ଠ ଚେହେରା, ଶ୍ୟାମଳ ବର୍ଣ୍ଣ, ଗୁରୁ ଗମ୍ଭୀର ସ୍ବର। ଚିହ୍ନା ଚିହ୍ନା ମୁହଁ। କିନ୍ତୁ କେଉଁଠି ଦେଖିଛି , କିଛି ବି ମନେ ପଡୁନଥାଏ। ହୁଏତ ସେହି ବିଷାଦଭରା ସମୟରେ ମସ୍ତିଷ୍କ ଆଉ କିଛି ଭାବିପାରୁ ନଥାଏ। ଜଣେ ଅପରିଚିତ ଲୋକଙ୍କୁ କହିବି ନକହିବି ଭାବିବା ଭିତରେ ଆପେ ଆପେ ପାଟିରୁ ବାହାରି ପଡ଼ିଲା କଥାଗୁଡିକ। "ବ୍ଯସ୍ତ ହୁଅନ୍ତୁନି ଆପଣ, ଠିକ୍ ସମୟରେ ଆପଣ ପହଞ୍ଚି ଯିବେ ଆଉ ତାଙ୍କୁ ଦେଖିପାରିବେ"। ସେଇ ସାନ୍ତ୍ଵନା ମୂଳକ କଥା ଗୁଡ଼ିକ ମତେ ଅମୃତ ବାଣୀ ପରି ଲାଗୁଥିଲା । ସେ ସମୟର ଭାବନା ଓ ସେ ରାତିଟା ମୋର କିପରି ବିତିଛି ମୁଁ ବର୍ଣ୍ଣନା କରିପାରିବିନି।
ସକାଳେ ଭୁବନେଶ୍ବରରେ ଟ୍ରେନରୁ ଓହ୍ଲାଇ କଟକ ରେ ପହଞ୍ଚି ଏସ୍ ସି ବି ମେଡିକାଲ ର କାର୍ଡିଓଲୋଜି ଡିପାର୍ଟମେଣ୍ଟର ଆଇ. ସି. ୟୁ ରେ ପହଞ୍ଚିଲି। ମୋର ଜଣେ ଅଜା ହେବେ ମତେ ଧରିକି ଭିତରକୁ ନେଲେ। ବାବା ଥିଲେ ସେମି କୋମାରେ। ବିଶ୍ବାସ ହେଉନଥିଲା ଚଳଚଞ୍ଚଳ ମୋ ବାବାଙ୍କ ସେ ଶଯ୍ୟାଶାୟୀ ଅବସ୍ଥା ଦେଖି। ମୋ ଦେହର ସମସ୍ତ ଶକ୍ତି ଚାଲିଯାଉଥିଲା ଯେପରି। ତାର ଦୁଇଦିନ ପରେ ମୋ ବାବା ଦେହତ୍ୟାଗ କଲେ।
ଅନେକ ଦିନ ପରେ ବିଭିନ୍ନ ସମ୍ବାଦପତ୍ରରୁ ଫଟ ଦେଖି ଜାଣିଲି ସେଦିନ ଟ୍ରେନରେ ଦେଖାହେଇଥିବା ସେ ଅଜଣା ଭଦ୍ରବ୍ୟକ୍ତି ଜଣଙ୍କ ଥିଲେ ଚଳଚ୍ଚିତ୍ର ଓ ଯାତ୍ରା ଜଗତର ପ୍ରଖ୍ୟାତ ଖଳନାୟକ ରାଇମୋହନ।
