ସାଲେପୁର ରସଗୋଲା
ସାଲେପୁର ରସଗୋଲା


ମୁଁ ଉପର ବର୍ଥରେ ବସି ଉପନ୍ୟାସରେ ମଜ୍ଜି ଥିଲେ ମଧ୍ୟ ତଳ ବର୍ଥରେ ବସିଥିବା ଦୁଇ ଜଣ ଲୋକଙ୍କର କଥାଟି କାନରେ ପଡୁଥାଏ I କରମଣ୍ଡଳ ସୁପର ଫାଷ୍ଟ ଦଉଡୁଥାଏ ତାହାର ନିର୍ଦ୍ଧିଷ୍ଠ ପଥରେ I ସେଦିନ କେମିତି କେଜାଣି ଫାଙ୍କା ଥିଲା କମ୍ପାର୍ଟମେଣ୍ଟଟି I ବହୁତ କମ ଜାଗାରେ ରେଳଗାଡିର ବିରାମ ହୁଏ I ବ୍ରହ୍ମପୁରରେ ଚଢ଼ିଥିଲେ ସାମ୍ନାରେ ବସିଥିବା ବ୍ୟକ୍ତି ଜଣକ I ମୋ ତଳ ବର୍ଥରେ ବସିଥିବା ବ୍ୟକ୍ତି ଜଣକ ବୋଧହୁଏ ଭୁବନେଶ୍ୱରରେ ଆରୋହଣ କରିଥିଲେ I କଲିକତାରୁ ଚେନ୍ନାଇ ପର୍ଯ୍ୟନ୍ତ ଯାତ୍ରା କରୁଥିଲି ମୁଁ ତେଣୁ ଅଧା ନିଦ ଅଧା ଚେଇଁବା ଅବସ୍ଥାରେ ମୁଁ ଜାଣି ପାରିନି ତାଙ୍କର ଆଗମନକୁ I ସାଧାରଣତଃ ଭିଡରେ ଭରି ରହୁଥିବା ରେଳଗାଡିରେ ବହୁତ କମ ଯାତ୍ରୀ ଥିଲେ, ନଚେତ ରିଜେର୍ଭେସନ କମ୍ପାର୍ଟମେଣ୍ଟରେ ମଧ୍ୟ ଯାତ୍ରୀମାନେ ଆସି ବସି ଯାଇଥାଆନ୍ତେ I
ମୋ ସାମ୍ନା ମଧ୍ୟ ବୟସ୍କ ବ୍ୟକ୍ତି କୌଣସି ମଧ୍ୟବିତ୍ତ ପରିବାରର ଭଳି ଜଣା ପଡୁଥିଲେ I ହାତରେ ସୁନା ମୁଦିଟିଏ ବ୍ୟତୀତ ଆଉ ବିଶେଷ କିଛି ନାହିଁ I କିନ୍ତୁ ସୁନା ମୁଦିରେ ଲାଗିଥିବା ପଥରଟି ବହୁତ ଚକମକ କରି ଅଳ୍ପ ଆଲୁଅରେ ମଧ୍ୟ ବାରି ହେଉଥିଲା I ତଳେ ବସିଥିବା ଯାତ୍ରୀ ଦୁଇଜଣ ବୋଧହୁଏ କିଛି ସମୟ ବାର୍ତ୍ତାଳାପ କରିସାରିଥିଲେ, ମୁଁ ଚେଇଁଲା ବେଳକୁ ଏବଂ କିଛିଟା ପରିଚିତ ହୋଇ ସାରି ଥିଲେ ପରସ୍ପର ସହିତ I ଏମିତିରେ ବି ଭାରତୀୟ ମାନେ ଯାତ୍ରା ସମୟରେ କଥାବାର୍ତ୍ତାରେ ମଜ୍ଜି ଯାଆନ୍ତି ସହଯାତ୍ରୀଙ୍କର ସହିତ! "ଆମେରିକାନ ଡାଇମଣ୍ଡ କି ସାର," ମୋ ତଳ ସିଟରେ ବସିଥିବା ଯୁବକଟି ପଚାରିଲା I "ନା, ଆମର ପୁର୍ବପୁରୁଷଙ୍କର ମୁଦିଟି I ହୀରାର ମୁଦି, ଉତ୍ତରାଧିକାରୀ ଭାବରେ ମୋତେ ମିଳିଛି, ନଚେତ ମୋର ସେତିକି ସମ୍ବଳ ନାହିଁ ଏମିତି ମୁଦିଟିଏ କିଣିବାର I ମୋର ପୁର୍ବପୁରୁଷ ରାଜ ବଂଶରେ ସୁନାରୀ କାମ କରୁଥିଲେ I ଏଇଟା କୁଆଡେ ରାଜା ଖୁସି ହୋଇ ମୋର ଜେଜେବାପାଙ୍କୁ ଉପହାର ଦେଇଥିଲେ," ସାମ୍ନାରେ ବସିଥିବା ଭଦ୍ରବ୍ୟକ୍ତି ଜଣକ କହିଲେ I
ଆଉ କିଛି ସମୟର ବାର୍ତ୍ତାଳାପ ପରେ ଯୁବକ ଜଣକ ଗୋଟିଏ ଡବା ବାହାର କରିଲେ ଏବଂ ମଧ୍ୟବୟସ୍କ ଲୋକଟିକୁ ଦେଇ କହିଲେ, "ସାଲେପୁର ରସଗୋଲା ସାର, କୋଉଠି ପାଇବେନି I ସେ ବଙ୍ଗାଳି ମାନେ ଯେତେ ନିଜର କଲେ ବି, ଯେତେ କୌଶଳରେ ତାଙ୍କର ଉଦ୍ଭାବନ ବୋଲି କହିଲେ ମଧ୍ୟ, ଏହି ସୁଆଦଟା କୋଉଠୁ ଆଣିବେ? ଖାଉନାହାନ୍ତି ଯୋଡିଏ ଏଥିରୁ , ବଳେ ଜାଣିଯିବେI "" ଧନ୍ୟବାଦ ମୁଁ ଏବେ ଏବେ ଚା ପିଇଛି ବ୍ରହ୍ମପୁରରେ ଆଉ ଏତେ ଶୀଘ୍ର ଖାଇବାର ଇଛା ନାହିଁ କିଛି," ମଧ୍ୟବୟସ୍କ ବ୍ୟକ୍ତି ଜଣଙ୍କ ଉତ୍ତର ଦେଲେ I ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପ ଅନେକ ସମୟ ଚାଲିଲା I ବିଶାଖାପଟନମ ଆସିବା ସମୟ ହୋଇ ସାରିଥିଲା I ଏହା ଭିତରେ ଯୁବକ ଜଣ ଅନେକ ଥର ମଧ୍ୟବୟସ୍କ ବ୍ୟକ୍ତିଙ୍କୁ ରସଗୋଲା ଖାଇବା ଲାଗି ଯାଚି ଥିଲେ ଏବଂ ମଧ୍ୟ ବୟସ୍କ ଲୋକ ଜଣଙ୍କ କୌଣସି ଏକ ବାହାନା କରି ଟାଳି ଚାଲି ଥିଲେ I
"ଆପଣ ଟିକେ ମୋ ସାମାନ ଉପରେ ନଜର ରଖିଥିବେ, ମୁଁ ଟିକେ ମୁଁହ ହାତ ଧୋଇ ଆସୁଛି," ଯୁବକ ଜଣକ କହିକି ଚାଲିଗଲେ ଶୌଚାଳୟକୁ I
ସାଇଡ ତଳ ବର୍ଥରେ ବସିଥିବା ଅନ୍ୟ ଜଣେ ଯାତ୍ରୀ ମଧ୍ୟ ବୟସ୍କ ବ୍ୟକ୍ତିଙ୍କୁ କହିଲେ, " ଭଲ କଲେ ମନା କଲେ ଖାଇବାକୁ I ଆଜି କାଲି ଏମିତି ସବୁ ଖାଇକୁବାରେ କିଛି ନିଶାଦ୍ରବ୍ୟ ମିଶେଇ ଯାତ୍ରୀଙ୍କୁ ଲୂଟ କରୁଛନ୍ତି ଦଳେ ଡକାୟତ I କାହାକୁ ଆଉ ଭରସା କରି ହୁଏନି ଆଜି କାଲିର ଦୁନିଆଁରେI”
"ମୋ ପୁଅ ମଧ୍ୟ ସେହି କଥା କହିଥିଲା ମୋତେ ଛାଡିବାକୁ ଆସିକି I କିନ୍ତୁ ଆପଣ ତ ଶୁଣିଲେ ଯୁବକ ଜଣକ ଏକ ପ୍ରକାର ନେହୁରା ହେଉଥିଲେ ମୋତେ ରସଗୋଲା ଖୁଆଇବା ପାଇଁ," ମଧ୍ୟ ବୟସ୍କ ବ୍ୟକ୍ତି ଜଣକ କହିଲେ I
"କେଜାଣି କଣ ଅଛି ତାହାର ମନରେ," ଆର ବ୍ୟକ୍ତି ଜଣଙ୍କ ଟିପ୍ପଣୀ ଦେଲେ," ଛୋଟିଆ ବ୍ୟାଗ ବ୍ୟତୀତ ଆଉ କିଛି ସାମାନ ମଧ୍ୟ ଧରି ନାହିଁ ସାଥିରେ I ଆପଣଙ୍କ ବ୍ୟତୀତ ଆଉ କାହାକୁ ତ ରସାଗଲା ଖାଇବାକୁ କହିଲେନି ମଧ୍ୟ I ଆଜ୍ଞା ଆପଣ ସେ ମୁଦିଟି କାହିଁକି ହାତରେ ପିନ୍ଧିଛନ୍ତି? ପକେଟ୍ ରେ ରଖିଦିଅନ୍ତୁ I ବୋଧହୁଏ ସେଥି ପାଇଁ ତାହାର ଏତେ ଆଦର ଝରି ପଡୁଛି ଆପଣଙ୍କ ପାଇଁ I " "ହଁ ସତ କଥା, ମୁଁ ଏବେ ଲକ୍ଷ କଲି I ଆଉ ମଧ୍ୟ ଲକ୍ଷ କଲି ଯୁବକ ଜଣେ ନିଜେ ଖାଇନାହାନ୍ତି ଏ ଯାଏଁ ରସଗୋଲା," ମଧ୍ୟ ବୟସ୍କ ବ୍ୟକ୍ତି ଜଣକ କହିଲେ ଏବଂ ମୁଦିଟି ବାହାର କରି ନିଜର ପକେଟ୍ ରେ ରଖିଦେଲେ I
ମୁଁ ଶୁଣୁଥାଏ ଏବଂ ଭାବିବାକୁ ଲାଗିଥାଏ ଯୁବକଙ୍କ ଉଦ୍ଦେଶ୍ୟ ଵିଷୟରେ I ବିଶାଖାପଟନମରେ ଅନେକ ଲୋକ ଚଢ଼ିଗଲେ ରେଳଗାଡିରେ I ମଧ୍ୟବୟସ୍କ ଲୋକ ଜଣକ ଟିକିଏ ଆଶ୍ବସ୍ତି ବୋଧ କରିବାକୁ ଲାଗିଲେ ବୋଧ ହୁଏ, ଅନ୍ୟ ଯାତ୍ରୀ ମାନଙ୍କୁ ଦେଖି I ଯୁବକ ଜଣକ ଫେରି ଆସିଲେ ଏହା ମଧ୍ୟରେ, ନିଜର ବ୍ୟାଗଟିକୁ ନେଇ ଓଲ୍ହେଇ ଗଲେ ଏବଂ ଯାଉ ଯାଉ କହିଲେ, "ମୋର ଜଣେ ସାଙ୍ଗ ଦେଇଥିଲା ଆଜ୍ଞା ରସଗୋଲା I ମୋତେ ମଧୁମେହ, ମିଠା ଖାଇ ପାରେନା I ମୋ ବାପଙ୍କୁ ବହୁତ ପସନ୍ଦ ଥିଲା ସାଲେପୁର ରସଗୋଲା, ସିଏ ଆଉ ନାହାନ୍ତି ଏହି ଜଗତରେ I ଆପଣଙ୍କ ଭଳି ମୁଁ ମଧ୍ୟ ଏହାର ସ୍ଵାଦରୁ ବଞ୍ଚିତ ହେବି ଆଜି I ଘରେ ଛୁଆ ଗୁଡିକ ଦୁଇ ମିନିଟ୍ ରେ ସଫା କରିଦେବେ ସବୁ I କିନ୍ତୁ ସାଲେପୁର ରସଗୋଲାଟି ନିଶ୍ଚୟ ଖାଇବେ କେତେବେଳେ ସୁଯୋଗ ମିଳିଲେ ସାରେ I "
ଭିଡ ହେବାରୁ ସାଇଡ ବର୍ଥରେ ବସିଥିବା ବ୍ୟକ୍ତି ଜଣକ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ପାଖକୁ ଆସି ବସି ଗଲେ ଏବଂ କଥାବାର୍ତ୍ତା ଆରମ୍ଭ କରିଦେଲେ I ମୁଁ ଘୁମେଇବାକୁ ଲାଗିଥାଏ I ବୋଧହୁଏ ରାଜମହେନ୍ଦ୍ରବରମ ଆସିଗଲା I ଗାଡି ଅଟକିବାର ଅନୁଭବ କଲି I ଅକସ୍ମାତ ପାଟି ଶୁଣାଗଲା ମଧ୍ୟବୟସ୍କ ବ୍ୟକ୍ତିଙ୍କର I ସମସ୍ତେ ପଚାରିବାକୁ ଲାଗିଲେ କାରଣଟି I ମଧ୍ୟ ବୟସ୍କ ବ୍ୟକ୍ତି ଜଣଙ୍କ କହିଲେ ତାଙ୍କର ପକେଟମାର ହୋଇଛି I ଯାତ୍ରୀମାନଙ୍କ ମଧ୍ୟରେ ହଇଚଇ ହେବାକୁ ଲାଗିଲା I ମୁଁ ମଧ୍ୟ ପଚାରିବାକୁ ଲାଗିଲି ମଧ୍ୟବୟସ୍କ ବ୍ୟକ୍ତିଙ୍କୁ I ତାଙ୍କ ପାଖରେରେ ଆସି ବସିଥିବା ବ୍ୟକ୍ତି ଜଣକ ଏହା ମଧ୍ୟରେ ଓଲ୍ହେଇ ଯାଇଥିଲେ ଟ୍ରେନରୁ I ମୁଁ ପଚାରିଲି ," ମଉସା ଆପଣଙ୍କ ମୁଦିଟି?"
ମଧ୍ୟ ବୟସ୍କ ବ୍ୟକ୍ତି ଜଣଙ୍କ ଉତ୍ତର ଦେଲେ," ସେଇଟା ସୁରକ୍ଷିତ ଅଛି ପୁଅ, ମୁଁ ମଝିରେ ଶୌଚାଲାୟ ଯାଇଥିଲି, ଖସି ପଡିବ ଭାବି ମୋ ଭିତର ପକେଟ୍ ରେ ରଖିଦେଇଛି I ମୋର ହିଁ ଭୁଲ, ଆଙ୍ଗୁଠିରୁ ବାହାର ହିଁ କରିବାର ନଥିଲା I ସେ ଯାହା ହେଉ ଆର ଥରକୁ ଆଉ ପିନ୍ଧିକି ବସିବିନି I”
ଏହା ମଧ୍ୟରେ ଆସି ଯାଇଥିଲେ ସୁରକ୍ଷା କର୍ମୀ ଏବଂ ପୋଲିସ ଏବଂ ଆରମ୍ଭ କରି ଦେଇଥିଲେ ତଦନ୍ତ I ଅନେକ ଯାତ୍ରୀଙ୍କର ସେଦିନ ପକେଟମାର ହୋଇଥିଲା ବୋଲି ଅଭିଯୋଗ ଥିଲାI ମୋର ଆଉ ଉପନ୍ୟାସରେ ମନ ଲାଗିଲାନି I କେତେ ଜଟିଳ ସତେ ମଣିଷଟିକୁ ଚିହ୍ନିବା ଆଜିର ଦୁନିଆଁରେ! ଵିଶ୍ଵାସ ଆଉ ଅବିଶ୍ଵାସର ନିକିତିରେ ତଉଲି ସମସ୍ତଙ୍କୁ ଏକ ପ୍ରକାର ଅବିଶ୍ବାସ କରିବାକୁ ବାଧ୍ୟ ହୁଏ ଆଜିର ମଣିଷ !