ସାବତ :
ସାବତ :
ଯେବେଠାରୁ ସୁରଜ କୁ ବାହା ହୋଇ ଆସିଛି ରୋଶନୀ ର ରଙ୍ଗ ବେରଙ୍ଗ ଜୀବନଟା ପାଣିଚିଆ ହୋଇ ଗଲାଣି l ରୋଶନୀ ଏଇଟା କିଣେନା ରୋଶନୀ ସେଇଟା କିଣେନା ରୋଶନୀ ଏତେ ଖର୍ଚ୍ଚ କରନା ଖାଲି ଭାଷଣ ସର୍ବସ୍ବ ମଣିଷଟା l ୟାକୁ କିଏ ନା ମେକାନିକ କଲା ଇଏ ତ ମାଷ୍ଟ୍ର ହେବା କଥା l ଯେତେବେଳେ ଦେଖ ଖାଲି ପାଠ ପଢ଼ାଇଲା ପରି ଉପଦେଶ ମାଳ ମାଳ l
ବାପାର ସାତୋଟି ସନ୍ତାନ ଗଳଗ୍ରହ ଥିଲେ ତେଣୁ ଟଙ୍କା ଦଶ ହଜାରରେ ଦ୍ୱିତୀୟ ପକ୍ଷ ହେଇ ଆସିଗଲା ନହେଲେ କେଡେ କେଡେ ଲୋକ ଥିଲେ ହାତ ଧରିବାକୁ !
ରୋଶନୀ ଭୁଲ ବୁଝିବୁନି ମୋତେ l ଏତକ ମାସକର ଦରମା ଥିଲା ଯାହାକୁ ତୁ ଜମା ଚଉଦ ଦିନ ରେ ସାରିଦେଲୁ l ଏବେ କେମିତି ଚଳିବା କହ l ହଉ ଯାହାତ ହେବାର ହେଲାଣି ମାଲିକ କୁ କହି କିଛି ଧାର ଉଧାର କରି ଦେଖିବି ହେଲେ ଆର ମାସ କୁ ଦେଖିଚାହିଁ କରିବୁ ହେଲା ? ରୋଶନୀ ହୁଁ ହାଁ କିଛି ନ କରିବା ଦେଖି ପୁଣି ସୁରଜ କହିଲା
--ଦେଖ ଏସବୁ କାହା ପାଇଁ କହୁଛି ମୁଁ ? ଆମ ପାଇଁ ଆମ ପରିବାର ପାଇଁ ନା ? କାଲି ଆମ ପରିବାର ବଢିବ l ଯଦି କିଛି ସଞ୍ଚୟ ନଥିବ କେମିତି ଚାଲିବ l
ହୁଁ ! ପ..ରି..ବା..ର ନା ଚୋପା l ଏ ଯେଉଁ ବେକରେ ବନ୍ଧା ଦୁଇଟି ମାଙ୍କଡ଼ ୟାଙ୍କୁ ନେଇକି କୁଆଡେ ଯିବି କୋଉଠି ବୁଡି ମରିବି l ଦୁତୀୟ ପକ୍ଷ ସାଙ୍ଗ କୁ ଆଗ ସଉତୁଣୀ ର ଦୁଇଟି ପିଲା l ବଡ଼ ଝିଅଟିଏ ସାତ ବର୍ଷ ହେବ ରୁନି ତାର ନାଁ l ତା ତଳକୁ ପାଞ୍ଚ ବର୍ଷ ର ପୁଅ ଡୁଲା l ଟୁପୁଷି ମୁହିଁ କାଳି ଖଣ୍ଡକ ଠିକ ତା ମା ପରି ହେଇଛି l ତମ୍ପ ମୁହିଁ କୋଉଠିକାର l ତା ତଳ ପୁଅ ସିଂଘାଣି ନାକା ଡୁଲା ନା କୋଇଲା ! ପୋଡ଼ାମୁହାଁ ଯେତେବେଳେ ଦେଖ ଖାଲି ମା ମା ମା ! ମୁଁ କାହିଁକି ତୋ ମା ହେବି ବେ ? ମର ! ଯା ତୋ ମା ପାଖକୁ l ଗୁଣୁ ଗୁଣୁ ହେଉଥିଲା ରୋଶନୀ l
ପ୍ରଥମ ସ୍ତ୍ରୀ ର ମୃତ୍ୟୁ ପରେ ଖାଲି ରୋଷେଇବାସ କରି ପିଲାଙ୍କୁ ସମ୍ଭାଳିବା ପାଇଁ ରୋଶନୀ କୁ ବିବାହ କରିଥିଲା ସୁରଜ l ନହେଲେ ସାବତ ମା ନ ଆଣିବା ପାଇଁ ସମସ୍ତେ କହୁଥିଲେ l କ'ଣ କରାଯାଏ ଏବେ ? ସେ ତ ଗ୍ୟାରେଜ ରେ ଦିନ ସାରା ରହିବ ପିଲାଙ୍କୁ କିଏ ଦେଖିବ ? ସେଥିପାଇଁ ସମସ୍ତଙ୍କ ବାରଣ ସତ୍ତ୍ୱେ ସେ ଦ୍ଵିତୀୟ ବିବାହ କରିଥିଲା l ଯାହା ହେଉ ଭାତ ଗଣ୍ଡେ ଫୁଟାଇ କିଏ ଜଣେ ପିଲାଙ୍କୁ ଆହାର ଦେବାକୁ ତ ଥିବ l
ଖାଇପିଇ ସୁରଜ ଚାଲି ଗଲା ପରେ ରୋଶନୀ ର ସ୍ବପ୍ନ ବୁଣା ଆରମ୍ଭ ହୋଇଯାଏ l କେତେବେଳେ ମାର୍କେଟ କେତେବେଳେ ଟିକଟକ ଭିଡିଓ ତ କେତେବେଳେ ପାର୍ଲର ପରେ ଦେଖିବାକୁ ମିଳେ ତାକୁ l ଡୁଲା କୁ ତା ଭଉଣୀ ହିଁ ମୁଖ୍ୟତଃ ସମ୍ଭାଳି ଥାଏ l ମା ମା ହୋଇ ଧାଇଁ ଗଲେ କେତେବେଳେ ବିଧା ତ କେତେବେଳେ ଲାତ ଗୋଇଠା ଖାଇ ତଳେ ଗଡୁଥାଏ ଡୁଲା ଓ ଡୁଲା ର ନାନୀ ହିଁ ତାକୁ ମା ଠୁ ଦୁରକୁ ଘୋଷାରି ନେଇଯାଏ l
ଡୁଲା ବୁଝି ପାରେନି ନୂଆ ମା ତାକୁ ଦେଖିଲେ ଏମିତି କାହିଁକି ହୁଏ l ସେ ତ ଖାଇବାକୁ ହଇରାଣ କରୁନି କି ଯୋଉଠି ସେଇଠି ଝାଡା ପରିସ୍ରା କରୁନାହିଁ l ହେଲେ ବି ମା ତାକୁ ଦେଖିଲେ କାହିଁକି ଚିଡ଼େ କେଜାଣି l ଡୁଲା ର ମା କୋଳକୁ ଟିକିଏ ଲୋଭ l କୋଳ ରେ ନପଶିଲେ ତାକୁ ନିଦ କାଳେ ହୁଏନି l
ତା ନିଜ ମା ତାକୁ ଓ ନାନୀ କୁ କୋଳରେ ପୁରେଇ କେତେ ଗେଲ କରୁଥିଲା ଏବେ ବି ଡୁଲା ର ମନେ ଅଛି l କୁଆଡେ ନା ଚାଲି ଗଲା ସେ l ଡୁଲା ଯେ ମା କୁ ଖୋଜି ନାହିଁ ତା ନୁହେଁ l ମନ୍ଦିର, ପାଇପ ପାଖ ଟଗର ଗଛ, ଜୟ ମଙ୍ଗଳା ଚାଟ ଷ୍ଟଲ ପଛ ସବୁଠି ଦେଖି ସାରିଛି ହେଲେ ମା କୁ ଆଉ ପାଇନାହିଁ l ମା ପୁଣି ଯିବା ଆଗରୁ ବାପା କୁ କହୁଥିଲା ମୁଁ ଚାଲିଲି ମୋ ପିଲା ମାନେ ତୁମକୁ ଲାଗିଲେ l
ପଡିଶା ଘର ଭାନୁ ଆଈ କହନ୍ତି ଯେ ଇଏ ଯୋଉ ଆମ ଘର କୁ ନୂଆ ଆସିଛି ସେ ପୁଣି ମୋ ସାବତ ମା ବୋଲି l ହେଲେ ବାପା ତ କହନ୍ତି ମୋର ସେଇ ପୁରୁଣା ମା ପୁଣି ନୂଆ ମା ରୂପରେ ଆସିଛି ? କାହା କଥା ସତ ? ପୁରୁଣା ମା ତ ବିଧା ଗୋଇଠା ମାରୁ ନଥିଲା କେବେ ? ସବୁବେଳେ ଖାଲି ମୋ ଡୁଲା ଡୁଲା ହେଉଥିବ l ହେଲେ ନୂଆ ମା ତ ସବୁବେଳେ…..!
ଏଣେ ରୋଶନୀ ନୂଆ ମା ଭୂମିକାରେ ଅବତୀର୍ଣ୍ଣ ହେଲା ପର ଠାରୁ ତାର ସ୍ବପ୍ନ ଗୁଡିକ ଆକାଶ ଛୁଉଁ ଥାଏ l କେବେ ନିଜର ଘର ଟିଏ ହେବ କିଏ ଜାଣିଛି l ନିଜର ଗୋଟେ ପୁଅ...ହଁ ଗୋଟିଏ ଯଥେଷ୍ଟ ପୁଅ ହେଉ ଅବା ଝିଅ l ବଗିଚାଟିଏ ବି ଥିବ l ସତରେ କଣ ଏସବୁ ସତ ହେବ ? ଏ ଯେଉଁ ଦୁଇଟି କଣ୍ଟା ଅଛନ୍ତି ୟାଙ୍କୁ କୁଆଡେ ନେବି ? ଭାନୁ ଆଈ କହୁଥିଲା
--ଆଲୋ ତୁ ଜାଣିନୁ l ସୁରଜ କୁ ଖୁସ ରଖିବାକୁ ହେଲେ ତା ପିଲା ଦୁହିଁଙ୍କୁ ଆଦର ଯତ୍ନ କରିବାକୁ ହେବ l ତେବେ ଯାଇ ତୋ ସ୍ୱାମୀ ତୋଅର l
--ମୋ ହାତରେ ହେବ ନାହିଁ ଆଈ l ଟୁପୁଷି ମୁହିଁ ଖଣ୍ଡିକ ମୌନମୁହିଁ ହେଲେ କ'ଣ ହେବ କାମଦାମ ରେ ଧୁରନ୍ଧର l ବହୁତ ସାହାଯ୍ୟ କରୁଛି l ଭାବୁଛି କେତେ ଦିନ ପରେ ସବୁ କାମ ତାଆରି ହାତରେ କରାଇବି ବୋଲି l ହେଲେ ଏ ଯେଉଁ ନେଉଳ ମୁହାଁ ଚୁଚୁନ୍ଦ୍ରା ଗୋଟିକ ମୋ ରକ୍ତ ଶୋଷି ଖାଇଲାଣି l ଯୁଆଡେ ଗଲେ ପଛରେ ଗୋଡ଼ଉଥିବା ବୋଉ ବୋଉ ବୋଉ l ୟାଠୁ ମୋର ମୁକ୍ତି ନାହିଁ
ଆଉ l
--ଧର୍ଯ୍ୟ ଧରି କାମ କର l ସେଇ ପିଲା ଦୁହିଁଙ୍କ ଲାଗି ଆଜି ତୁ ସୁରଜ ର ପତ୍ନୀ l ଆଉ କେତେ ମାସ ପରେ ତା ନିଜର ଗ୍ୟାରେଜ ହେବ l ତା ପାଖରେ ଗଦାଏ ଲୋକ କାମ କରିବେ ସେଇଠୁ କଣ ନା ଗାଡିର ସୋରୁମ ବି ଗୋଟେ କରିବ ବୋଲି କହୁଥିଲା l ତୋର ଭବିଷ୍ୟତ ଉଜ୍ଜ୍ୱଳ l ତା ପିଲାଙ୍କ ଉପରେ ଏମିତି ହେଲେ କେମିତି ହେବ କହିଲୁ l
--କ'ଣ କରିବି ଆଈ l ସଉତୁଣୀ ର ପୁଅ କୁ ଦେଖିଲେ କେମିତି ଗୋଟିଏ ସାବତିଆ ସାବତିଆ ଗନ୍ଧ ଆସୁଛି l
-- ସାବତିଆ ଗନ୍ଧ କ'ଣ କିଲୋ ? ମୁଁ ତ ଶୁଣିନାହିଁ l ସେଇ ସାବତ ଛୁଆ ହିଁ ତୋର ଭବିଷ୍ୟତ ଆଗକୁ ନେବ ସୁତରାଂ ସାବତିଆ ଗନ୍ଧ କୁ ଚନ୍ଦନ ବାସ୍ନା ଭାବି ଆଦରି ନେଇଥା l
ସେଦିନ ସୁରଜ ର ଗ୍ୟାରେଜ ମାଲିକ ରାଉରକେଲା ରୁ ଫେରିବା ବାଟରେ ରେ ଗାଡି ଖରାପ ହେଇଗଲା l ସୁରଜ ଓ ଆଉ ଦୁଇଜଣ ମେକାନିକ ଆଉ ଗୋଟିଏ ଗାଡି ନେଇ ଚାଲିଗଲେ ମାଲିକ କୁ ଆଣିବେ ଓ ଗାଡି ସଜାଡି ସାଙ୍ଗରେ ନେଇ ଆସିବା ପାଇଁ l ଠିକ ସେ ଚାଲିଗଲା ପରେ ହିଁ ରୋଶନୀ କୁ ପ୍ରବଳ ଜ୍ୱର ଆରମ୍ଭ ହୋଇ ଗଲା l
କଷ୍ଟେମଷ୍ଟେ ସୁରଜ କୁ ଅପେକ୍ଷା କରି ଶୋଇ ରହିଥାଏ l କି ଅବସ୍ଥା କଲ ହେ ପ୍ରଭୁ l କିଏ ଅଛି ଏବେ ମୋର l ସବୁଯାକ ତ ସାବତ ଛୁଆ ପର ରକ୍ତ l ନିଜର ହୋଇ ଥିଲେ ସିନା ସେବା ଶୁଶ୍ରୁଷା କରିଥାନ୍ତେ l ସବୁ ଭାଗ୍ୟ l ବାଉଳି ଚାଉଳି ହୋଇ କେତେବେଳେ ଶୋଉଚି ତ କେତେବେଳେ ଉଠୁଛି କିଛି ଠିକ ଠିକଣା ରହୁନି l
ହଠାତ ଶୁଭିଲା ଝିଅ ଆସି ଡାକୁଛି ଉଠିବା ପାଇଁ l ଏ ଅସୁର ଗୁଡ଼ାଙ୍କୁ ନିଶ୍ଚୟ ଭୋକ ଲାଗୁଥିବ l ଡାହାଣୀ ର ଛୁଆ ଚବିଶ ଘଣ୍ଟା ଖାଲି ଖାଇବି ଖାଇବି ହେଉଥିବେ l ଚିତ୍କାର କଲା
--କାହିଁକି ଡାକୁଛୁ ଲୋ ? ଆଜି ଆଉ ତୋତେ ମୁଁ ଗିଳେଇ ପାରିବିନି l ବାହାରେ କଣ ମିଳୁଛି ଯା ଗିଳି ପକା l ମୋ ନିଜ ପିଲା ହେଇଥିଲେ କେତେ ସେବା କରିଥାନ୍ତେ ମୋର l ପର ପିଲା ଯେତେହେଲେ ପର ନା ନିଜର ହେବେ କି l
--ତୋ ପାଇଁ ବ୍ରେଡ ଆଣିଛି ମା l ନେ ଖାଇଦେ l ବାପା ଆସିବାକୁ ଲେଟ ହୋଇପାରେ l କମ୍ପାଉଣ୍ଡର ମଉସାଙ୍କୁ ପଚାରି ଔଷଧ ବି ଆଣିଛି l ଖାଇଲା ପରେ ଖାଇବୁ l ନେ ଉଠ ଶୀଘ୍ର l
ଚା କରିଛି ଝିଅ ! ବ୍ରେଡ ଖାଇ ଔଷଧ ନେଇ କେତେବେଳେ ନା ଶୋଇ ପଡିଛି ଜାଣିନି l ହଠାତ ଆଖି ବାଟେ ପାଣି ବୋହିଲା ପରି ଲାଗିଲା ତାକୁ l ସେ ଜାଣି ପାରୁନି କାନ୍ଦୁଛି କି ଆଉ l ସ୍ବପ୍ନ ଦେଖିଲା ପରି ତ ଲାଗୁନି l କଣ ହେଇଛି l ମୁହଁ ବି ଚାରି ଆଡେ ଓଦା ଓଦା l ଆରେ ଆରେ ଏ କଣ ଏ ଡୁଲା ମୁହଁଟାକୁ ମୋର ପାଣି ସର ସର କରି ଦେଲାଣି l ମୋ ମୁହଁ ଟା ତାର ଖେଳିବା ଜାଗା ଭାବୁଛି କି ? ହଉ ଭଲ ହେଲାପରେ ତାର ହାଡ଼ ଗୋଡ଼ ଚୁନା ନ କରିଛି ମୋ ନାଁ ବି ରୋଶନୀ ନୁହଁ l
କପାଳ ଉପରେ ଭାରି ଭାରି କଣ ଗୋଟେ ଲାଗିବାରୁ ହାତ ମାରି ଦେଖେ ତ ସୁରଜ ର ଗୋଟେ ରୁମାଲ କୁ ଓଦା କରି ଡୁଲା ବସି ରୋଶନୀ ର କପାଳ ରେ ଥାପୁଛି ଓ କାଢୁଛି l ଭଲ ଭାବେ ଚିପୁଡ଼ି ନାହିଁ ବୋଲି ପାଣି ଧାର ଧାର ହୋଇ ଆଖି ନାକ ବାଟେ ବୋହି ଆସିଲାଣି l ଝିଅ ବୋଧେ ରୋଷେଇ ଘରେ ରାତି ପାଇଁ କ'ଣ ଖାଇବା ବ୍ୟବସ୍ଥା କରୁଛି l
ସତରେ ଏମାନେ ମୋର କିଏ ? ମୁଁ କିଏ ଏମାନଙ୍କର କଣ କରିଛି ଆଜିଯାଏଁ ମୁଁ ଏମାନଙ୍କ ପାଇଁ ? ଖାଇଲେଣି କି ଉପାସରେ ଅଛନ୍ତି ମରିଛନ୍ତି କି ବଞ୍ଚିଛନ୍ତି ବୋଲି କେବେ ଭୁଲରେ ବି ପଚାରି ନାହିଁ l ଅଥଚ ସବୁ ଜାଣି ସୁଦ୍ଧା ଏମାନେ ମୋ ପାଇଁ ଲାଗିଛନ୍ତି ? ଆଜିଯାଏଁ ଥରେ ବି ପିଲା ଦିଟା ମୋ ନାଁ ରେ ସୁରଜ ସାମ୍ନାରେ ଅଭିଯୋଗ କରି ନାହାନ୍ତି ତ l ଧିକ ମୋର ନାରୀତ୍ୱ ! ବାଉଳି ହୋଇ ହୋଇ ଉଠି ବସିଲା ରୋଶନୀ l
ତାଳି ମାରି ଡେଉଁଛି ଡୁଲା l
--ନାନୀ ନାନୀ ଦେଖିବୁ ଆ ! ମା ଭଲ ହେଇଗଲା ଉଠି ବସିଲାଣି l
--ରୁନି ମା ଆସିଲୁ ମୋ ପାଖକୁ l ଏଇ ଗୋଟିକ ହିଁ ସବୁଠାରୁ ଚୁପଚାପ ମଣିଷ ସେ ଘରେ l ଏତେ କମ ବୟସରୁ ଚୁପ ରହି ଜହର ପିଇବା ଶିଖି ଯାଇଛି l ଆଉ ସେ ଡୁଲା ? ତାର ମୋ ପରି ଡାହାଣୀ ପ୍ରତି ଏତେ ସ୍ନେହ ଆସୁଛି କେମିତି ? ରୋଶନୀ ର ଭାବନା ଗୁଡିକ ଥଳକୂଳ ମାନୁ ନଥିଲା l
--ମା ତୋ ପାଇଁ ରାତିରେ ପିଇବୁ ବୋଲି କ୍ଷୀର ଗରମ କରୁଥିଲି l
--ଆଉ ତୁମେ ମାନେ କ'ଣ ଖାଇବରେ ଆଜି ? ମୋତେ ଦେଇଦେଲେ ତୁମ ପାଇଁ ତ ଆଉ କ୍ଷୀର ନାହିଁ l ଚାଲ ମୁଁ କ'ଣ ଟିକେ ଫୁଟେଇ ଦିଏ ତୁମମାନଙ୍କ ପାଇଁ l
--ତୁ ବସ ମା l ଡେ଼କଚି ରେ ସର ଟିକିଏ ଲାଗିଛି l ପାଣି ଦେଇ ଗରମ କରିଦେଲେ ଡୁଲା ପିଇଦେବ l ମୁଁ ଲେମ୍ବୁ ପାଣି ପିଇ ଚଳାଇ ଦେବି ଯେ l ତୁ ସବୁବେଳେ କହୁନା ଲେମ୍ବୁ ପାଣି ଦେହ ପାଇଁ ଭଲ ବୋଲି ?
ଦି ହାତରେ ରୋଶନୀ ଭିଡି ଧରିଥିଲା ପିଲା ଦୁହିଁଙ୍କୁ l ଡୁଲା କୁ ଏବେ ମା ର କୋଳ ମିଳି ଯାଇଥିଲା ଶୋଇବାକୁ l ଏବେ କିନ୍ତୁ ରୋଶନୀ କୁ ଡୁଲା ଦେହ ରୁ ସାବତ ଛୁଆ ବୋଲି ସାବତିଆ ଗନ୍ଧ ଆଉ ଆସୁ ନଥିଲା l
