ସ୍ୱାର୍ଥୀ
ସ୍ୱାର୍ଥୀ
ଖୁସି ଆଜି ମୋର ମେଘ ସେପାଖେ। ମୋର ଚାକିରି ହୋଇ ଯାଇଛି । ଏଇ ଚାକିରି ପାଇଁ ଚାରି ବର୍ଷ ହେଲା ମାନସିକ କେତେ ମାନସିକ ଅଵସାଦରେ ଗତି କରିଛି। ଘରଠାରୁ ବାହାର ସମ୍ପର୍କୀୟ ମାନେ ଅପାରଗ କହି ମୋ ମନକୁ ଆହୁରି ଖଣ୍ଡିଆ ଖାବରା କରିଛନ୍ତି। ତୁଛାକୁ ସ୍ନାତକ ପାସ୍ ପାଇଁ କି ଚାକିରି ଅଛି ଯେ ?ଟିୟୁସନ କରି ପଢି କମ୍ପିଟେଟିଭ୍ ପରୀକ୍ଷା ଦେଇ ଦେଇ ମନ ବିଜାରା ହୋଇ ଯାଇଥିଲା। ଯାହା ହେଉ ଶେଷକୁ ସରକାରୀ ଚାକିରିଟିଏ ମିଳିଗଲା।
ଘରେ ଚାଷ କାମରେ ମୂଲ ଲାଗୁଥିବା ବାପା। ଶ୍ଵାସ ରୋଗୀ ମାଆ। ବିବାହ ଯୋଗ୍ୟ ବଡ଼ ଭଉଣୀ। ସାନ ଭଉଣୀଟି ପଳେଇଛି ଆମ ପାଖ ଗାଁ ହରିଆ ସହ।ସେମାନେ କୁଆଡେ ବାଙ୍ଗାଲୋରରେ ରହୁଛନ୍ତି। ଅର୍ଥ ଅଭାବକୁ ସାନ ଭଉଣୀ ହରିଆ ସହ ପଳେଇ ଯିବାରୁ ବଡ଼ ଭଉଣୀ ପରାଗି ନାନୀ ବାସନ୍ଦ ହୋଇ ଘରେ ବସିଛି।
ଯେତେ ଯୁଆଡୁ ପ୍ରସ୍ତାବ ଆସିଲେ ବି ସାନ ଭଉଣୀ ପଳେଇବା ଶୁଣି ଆମ ଘରୁ ଝିଅ ନେବାକୁ କେହି ଚାହୁଁ ନାହାନ୍ତି। ଅର୍ଥ କେଉଁ ଅଛି ଯେ ଏ ଅପଦୁଆ ଘୋଡାଇ ପକାଇ ସଭିଙ୍କ ମୁହଁ ବନ୍ଦ କରି ନାନୀକୁ ବାହା ଦେବାକୁ ।
ଅଭାବ ଓ ଅପଦୁଆ ଭିତରେ ମୋ ଗରିବ ପରିବାରଟି ଅଣନିଃଶ୍ବାସୀ ହେଉଥିଲା ଯାହା ବଞ୍ଚିବା ପାଇଁ ସଂଘର୍ଷ କରି।
ତିନି ପିଲାଙ୍କ ମଧ୍ୟରେ ମୁଁ ମଝିଆ। ପରାଗି ନାନୀକୁ ତେତିଶି ବର୍ଷ ହେଲାଣି। ମୋ ତଳେ ସୁହାନି।ସେ ଦୁଇ ବର୍ଷ ତଳେ କଲେଜରୁ ସିଆଡେ ସିଆଡେ ହରିଆ ସହ ପଳେଇ ଘର ସଂସାର କରୁଛି।
ଦୀର୍ଘ ଚାରି ବର୍ଷ କାଳ ଚାକିରି ପାଇଁ ପାଗଳ ହୋଇ ଏଠି ସେଠି ଇଣ୍ଟରଭିୟୁ ଦେଇ ଶେଷରେ କ୍ଳରିକାଲ ପୋଷ୍ଟଟିଏ ମିଳିଲା।ଅନେକ ଆବେଗ ଓ ଅନୁରାଗକୁ ହୃଦୟରେ ସାଇତି ଚାକିରି ପାଉ ପାଉ ଦୌଡ଼ିଲି ଗାଁ କୁ।
ଗାଁ ରେ ବାପା ମାଆ, ବଡ଼ ନାନୀ ସହ ମୋ ପ୍ରେମ ରାଲି ଅଛି।ରାଲି ଓ ମୁଁ ପରସ୍ପରକୁ ଭଲ ପାଉ । ଆର୍ଥିକ ଅବସ୍ଥା ଆମର ଅତ୍ୟନ୍ତ ଖରାପ ବୋଲି ତାଙ୍କ ଘର ଲୋକେ ଆମ ପ୍ରେମକୁ ବିରୋଧ କରନ୍ତି। ଯେଉଁ ଦିନ ସେ ମୋତେ କହିଲା, "ଶୁଭ !ଆମ ଘରେ ତୁମ ସହ ମୋର ବାହା ଦେବାକୁ ଅରାଜି। ତୁମର ନା ଅଛି ଘର ଦ୍ୱାର ନା ଅର୍ଥ। ମୋତେ ବାହା ହେଲେ ପୋଷିବ କେମିତି ? ବାହା ଘର ପରେ ପିଲାଛୁଆ ହେବେ ତ ଚଳିବା ଅସମ୍ଭବ ହେବ । ମୋତେ ଯଦି ବାହା ହେବ ତ ତୁମେ ଚାକିରି କରିବା ନିତାନ୍ତ ଜରୁରୀ।
ଯଦି ଚାକିରି ନାହିଁ ତ ମୋତେ ଭୁଲି ଯାଅ।ଏତେ ସବୁ ଜାଣି ଜାଣି ଆମ ଘର ଲୋକେ କଣ ତୁମ ସହ ମୋର ବିବାହ ଦିଅନ୍ତେ । ପ୍ରେମରେ ସିନା ମନ ପୁରେ ପେଟ କଣ ପୁରେ ? ବିକଳ୍ପ ରାସ୍ତାଟିଏ ବି ରାଲି ମୋତେ ଦେଖେଇ କହିଲା " ଶୁଭ ଚାଲ ଆମେ ଘର ଛାଡ଼ି ପଳେଇବା"। ମୂଲ ଲାଗି ଚଳିବା ପଛେ।
ପଳେଇବା !
"ରାଲି !ସୁହାନି ପଳେଇ ଯିବାରୁ ମୋ ପରାଗି ନାନୀ ବାସନ୍ଦ ହୋଇ ଘରେ ବସିଛି ।ଗରିବ ହେଲେ ବି ଇଜ୍ଜତ ଟିକକ ବାପା ହରେଇ ଭାରି ମନ କଷ୍ଟରେ। ପୁଣି ମୁଁ ସେଇ କାମ କଲେ ମୋ ବାପା ମାଆ ଆଉ ବଞ୍ଚିବେଟି ? ତା ଛଡ଼ା ପ୍ରେମ କଣ କଷ୍ଟର କାରଣ ହେବା ଉଚିତ ? ଆମେ ଭଲ ପାଉଛେ ତ ସଭିଙ୍କର ସ୍ୱୀକୃତି ଓ ଆଶୀର୍ବାଦ ପାଇଲେ ସିନା ଖୁସି ହେବା । ଚୋର ପରି ପଳେଇ ଆମ ଶାଶ୍ୱତ ପ୍ରେମକୁ ଅଳିଆ କାଇଁ କରିବା ?"
ତୁମେ ଏତେ ଧର୍ମରାଜ ଯୁଧିଷ୍ଠିର ହୁଏନି ମ ଶୁଭ। ବୟସର ଗୋଟେ ଚାହିଁବା ଓ ପାଇବା ଥାଏ । ତୁମେ ଚାକିରି କରିବ ନା ମୋ ସ୍ୱପ୍ନ ସାର୍ଥକ ହେବ। ତୁମେ ଚାକିରି ଖଣ୍ଡେ କଲେ ଅବା ଘରେ ମନେଇଁ ପାରନ୍ତି । ସତରେ ଯଦି ମୋତେ ପ୍ରେମ କରୁଥାଅ , ଛୋଟ ମୋଟ ଚାକିରିଟିଏ କର ଶୁଭ।
ରାଲି !ତୁମେ ମୋତେ ଭଲ ପାଅ ତ ? ଅପେକ୍ଷା କରି ପାରିବ ମୋ ଚାକିରି ହେବା ଯାଏ ?
ଶୁଭ !ଭଲ ପାଇବାକୁ କଣ କୁହାଯାଏ ? ଏହା ଅନୁଭବର କଥା। ତୁମେ କଣ ଅନୁଭବ କରି ପାରୁ ନାହଁ ମୁଁ ତୁମକୁ ଭଲ ପାଏ କି ନାହିଁ ?
ରାଲି !
ହଁ ଶୁଭ ନିଜଠାରୁ ବି ତୁମକୁ ଅଧିକ ଭଲ ପାଏ ମୁଁ। ତୁମକୁ ଅପେକ୍ଷା କରିବି କଥା ଦେଉଛି।
ସେଇଦିନ ଠାରୁ ମୋର ତପସ୍ୟା ଆରମ୍ଭ କଲି।ପ୍ରେମ ଅସମ୍ଭବକୁ ସମ୍ଭବ କରି ପାରେ । ଏଣୁ ଗାଁ ଛାଡି ଭୁବନେଶ୍ୱର ଯାଇ ଘର ଘର ବୁଲି ଟିୟୁସନ କଲି ଓ କମ୍ପିଟେଟିଭ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବା ସହ ଡିଷ୍ଟାନସ୍ କୋର୍ସ ରେ ଏମ୍ ଏ ପରୀକ୍ଷା ଦେଇ ପାସ୍ କଲି।କେଉଁଠି ହେଲେ ଚାକିରି ଟିଏ ବାଜୁ ନ ଥାଏ। ପାଗଳ ହେଉଥାଏ ମୋ ମୁଣ୍ଡ। ଶେଷରେ ଭୁବନେଶ୍ୱରରୁ ଚେନେଇ ପଳେଇଲି । ଗୋଟେ କମ୍ପାନୀରେ ଲେବର କାମ କଲି।ମାସକୁ ପନ୍ଦର ହଜାର। କିନ୍ତୁ ଏଇ ଦିନ ମଜୁରିଆ ଚାକିରିରେ ଘର, ନାନୀ ବାହାଘର ଏବଂ ରାଲିକୁ ପୋଷି ପାରିବି କି ?
ସିଦ୍ଧାନ୍ତ ନେଲି ଭଲ ଚାକିରି ଟିଏ ନ ପାଇବା ଯାଏ ରାଲି ସହ ସମ୍ପର୍କ ରଖିବି ନାହିଁ।ରାଲି ପ୍ରଥମେ ପ୍ରଥମେ ଦୁଇ ତିନି ମାସ କଲ୍ କରୁଥିଲା। ତାପରେ ଆସ୍ତେ ଆସ୍ତେ ସେ ଫୋନ୍ କରିବା ବନ୍ଦ କରି ଦେଲା। ତା ତରଫରୁ ଫୋନ୍ ବନ୍ଦ ହେବାରୁ ମୋତେ ଅସହଜ ଲାଗୁଥିଲା। ବହୁତ କଷ୍ଟ ବି ହେଉଥିଲା । କିନ୍ତୁ ତପସ୍ୟା କରୁଛି ନା। ଏକାଗ୍ର ଚିତ୍ତରେ ସାଧନା କରିବାକୁ ପଡିବ।
ଏପରି ନିଜ ମନକୁ ନିଜେ ବୁଝାଇ ଦିନରେ ହାଡ଼ଭଙ୍ଗା ପରିଶ୍ରମ ଓ ରାତିରେ ପଢା କଲି । ବୋଧେ ଠାକୁର ମୋ ତପସ୍ୟା ଦେଖି କିଛି ଭାବିଲେ। ମୋର ଚାକିରିଟିଏ ହୋଇଗଲା ରେଲୱେ ରେ କ୍ଳର୍କ ଭାବେ।
ଜଏନ୍ କରି ଖୁସିରେ ରାଲିକୁ ଫୋନ୍ ଲଗେଇଲି। କହିଲା ଫୋନ୍ ନମ୍ବର ଇନଭାଲିଡ୍।ଏଣୁ ଚାକିରି ପ୍ରଥମ ମାସ ଦରମା ନେଇ ବାପାଙ୍କୁ ଦେବି ଓ ରାଲିକୁ ଚମକାଇ ଦେବା ପାଇଁ ଏତେ ବଡ଼ ଖୁସି ଖବରଟି ନ ବାଣ୍ଟି ନିଜ ଭିତରେ ଚାପି ରଖି ଭାରି ଯନ୍ତ୍ରଣା ଭୋଗିଲି।ଖୁସି ଖବର ଅନ୍ୟ ସହ ବାଣ୍ଟିଲେ ସିନା ଭଲ ଲାଗେ। ଏକା ଏକା ଖୁସିକୁ ସେଲିବ୍ରେସନ କରିହୁଏ ?
ଯେମିତି ମାସକ ଦରମା ଗଣ୍ଡାଙ୍କ ହାତରେ ପଡିଛି ଶନିବାର ଅଫିସ କାର୍ଯ୍ୟ ସାରି ଦୌଡିଲି ଗାଁ କୁ।ବାପା ,ନାନୀ ଓ ମାଆ ଚାରି ବର୍ଷ ପରେ ମୋତେ ଦେଖି ମହା ଖୁସି। ପୁଣି ଚାକିରୀ ହେବା କଥା ଶୁଣି ଘରେ ସମସ୍ତେ ଖୁସିରେ କାନ୍ଦି ପକେଇଲେ । ତାପରେ ଏ ଖୁସି ଖବରଟି ରାଲିକୁ ଦେବାକୁ ମନ ହାଇଁ ପାଇଁ ହେଲା।। ମନରେ ଗଦାଏ ସ୍ୱପ୍ନ ,ଅକଳନ ଭବିଷ୍ୟତ ଯୋଜନା।
ପରାଗି ନାନୀକୁ ପଚାରିଲି, ନାନୀ ରାଲି ଖବର କଣ ? କେମିତି ଅଛି ସେ ? ମୋ କଥା ମନେ ପକାଏ କି ?
ନାନୀ ଜାଣିଥିଲା ରାଲି ଓ ମୁଁ ପରସ୍ପରକୁ ଭଲ ପାଉ। ମୋ କଥା ଶୁଣି ନାନୀ କହିଲା, ଚାଲିଲୁ ଆଗ ଦିଟା ଖାଇ ଦେବୁ ।ପରେ ସବୁ କଥା ହେବା।
କହ ନା ରାଲି କେମିତି ଅଛି ?
ରାଲି !
ହଁ ମ ନାନୀ ନ ଜାଣିଲା ପରି କଣ କହୁଛୁ ?
ନାନୀ ଖାଲି ରାଲି ରାଲି ହେଲା।
କଣ ଏମିତି ରାଲି ରାଲି ହେଉଛୁ ? କହୁନୁ ରାଲି ମୋ କଥା ପଚାରେ କି ନାହିଁ ?
ରାଲି ଏଗାର ମାସ ହେବ ବାହା ହୋଇ ସାରିଲାଣି। ଗୋଟେ ଇଞ୍ଜିନିୟରକୁ ବାହା ହୋଇଛିରେ ଶୁଭ।ତା କଥା ତୁ ଭୁଲି ଯା । ତୋ ସହ ଖେଳୁଥିଲା। ତୁ ଯେମିତି ଯାଇଛୁ ତା ମାମୁଁ ପୁଅ ରିଶି ସାଙ୍ଗ ବେଦ୍ ସହ ନାଚିଲା । ବେଦ୍ ବଡ଼ଲୋକର ପୁଅ ।ସେ ନିଜେ ପୁଣି ସରକାରୀ ଇଞ୍ଜିନିୟର ।ରାଲି ପରି ଫାଇଦା ଉଠାଇବା ଝିଅ ବେଦ କୁ ବାହା ନ ହୋଇ ତୋ ପରି ଗୋଟେ ଦିନ ମଜୁରିଆ ଚାକିରି ପାଇଁ ସଂଘର୍ଷ କରୁଥିବା ପୁଅକୁ ବାହା ହୁଅନ୍ତା କି ?
ନାନୀ ! ରାଲି ଏମିତି କେମିତି କଲା ?
ଶୁଭରେ ! ରାଲି ପରି ଝିଅ ମାନେ କାହାକୁ କଣ ପ୍ରେମ କରି ପାରନ୍ତି ? ପ୍ରେମ ନାମରେ ସେମାନେ ନିଜ ଦେହ, ମନର ସଉକ ମେଣ୍ଟାନ୍ତି ଯାହା। ପ୍ରକୃତ ପ୍ରେମ ସ୍ୱାର୍ଥୀ ନୁହେଁରେ ଶୁଭ । ପ୍ରେମ ତ ସତ୍ୟ, ଅନୁଭବ, ଉପଲବ୍ଧି, ପ୍ରଶସ୍ତ ଓ ପରିବ୍ୟାପ୍ତ। ସଂକୀର୍ଣ୍ଣତା ଓ ସ୍ୱାର୍ଥ କଣ ପ୍ରକୃତ ପ୍ରେମକୁ ସ୍ପର୍ଶ କରି ପାରେ।
ନାନୀ !
ରାଲି ସତରେ ଏମିତି କରିପାରିଲା ?
ଶୁଭ ଭାଇ ମୋର ତୁ ବହୁତ ସରଲରେ। ତୋ ସହ ରାଲି ଟାଇମ୍ ପାସ୍ କରି ଖେଳୁଥିଲା।ଛଳନା କରୁଥିଲା ତୋ ସହ । ତୋ ସହ ଖେଳି ମନ ପୁରିଗଲା ତ ଆଉ ଜଣକୁ ଧରିଲା। ରାଲି ପରି ଝିଅ ଗୋଟିଏ ଖୁଣ୍ଟରେ ସାରା ଜୀବନ ବନ୍ଧା ପଡ଼ନ୍ତି ନାହିଁରେ ଶୁଭ । ଅର୍ଥ ଯେଉଁଠି ରାଲି ପରି ଝିଅ ସେଇଠି ଶୁଭ। ମୋ ଭାଇ ତ ସୁନା ମୁଣ୍ଡା। ମୋ ଭାଇ ପାଇଁ କଣ ଝିଅ ଅଭାବ ହେବେ ?ତୁ ମନ ଊଣା କରନା ଶୁଭ ।
ନାଇଁ ଲୋ ନାନୀ ମନ ଊଣା କାହିଁକି କରିବି ? କେବଳ ଚିହ୍ନୁଛି ଏ ଦୁନିଆଁକୁ ଏବଂ ରାଲି ପରି ସ୍ୱାର୍ଥୀ ଝିଅ ମାନଙ୍କୁ।
