ରୂପା ଦିଦି
ରୂପା ଦିଦି
ହସ୍ପିଟାଲ ଯିବା ରାସ୍ତା ରେ ପଡେ ଛୋଟିଆ ରେଡଲାଇଟ ଏରିଆ ଟିଏ । ସବୁଦିନ ପାଖା ପାଖି କୋଡିଏ ରୁ ପଚିଶ ଜଣ ଠିଆ ହୁଅନ୍ତି ରାସ୍ତା କଡରେ । ସମସ୍ତେ ମତେ ଦେଖି ହାଲକା ହସ ଟିଏ ହସି ଦେଇ ହାତ ହଲେଇ ଦିଅନ୍ତି ।ହେଲେ ସେଇ ଭିଡ଼ ଭିତରୁ ବାଛି ହେଇ ଯାଏ ରୂପା । ଲାଗେ ସତେ ଯେମିତି ସ୍ଵର୍ଗପୁର ରୁ ଓଲ୍ହେଇ ଆସିଛି ସେ ପରୀ କି ଅପ୍ସରୀ ଟିଏ । ସମସ୍ତଙ୍କ ପରି ଯଦିଓ ସେ ବି ମୁଲ କରି ହସି ଦିଏ, କିନ୍ତୁ ତା ' ହସରେ ଥିଲା ଯାଦୁ । ଅଟୋ ରେ ବସି ସେଇ ରାସ୍ତା ଦେଇ ଗଲା ବେଳେ ଠିକ ତା' ରି ପାଖରେ ହିଁ ଲାଖି ଯାଏ ମୋ ଆଖି । ସତ କହିବାକୁ ଗଲେ ମୁଁ ତା' ସୌନ୍ଦର୍ଯ୍ୟ ର ପୂଜାରୀ ବୋଲି ଆତ୍ମ ସ୍ୱୀକାର କରି ସାରିଥିଲି।
ହେଲେ ଆଜିକାଲି ମୁଁ ତାକୁ ଆଉ ଦେଖିବାକୁ ପାଏନି । ବୋଧ ହୁଏ ଠିକଣା ବଦଳି ଯାଇଛି ତା' ର । ସେମାନଙ୍କ ଧନ୍ଦା ବି ସେୟା । ଏୟା ସବୁ ଭାବି ମନକୁ ବୁଝେଇ ନିଏ । କିନ୍ତୁ ମନେ ମନେ ବହୁତ ଖୋଜିଛି । ଖୋଜିବା ପଛରେ ବି ଅବଶ୍ୟ ମୋର ଟିକେ ସ୍ୱାର୍ଥ ଥିଲା, କାହିଁକିନା ମୁଁ ମନେ ମନେ ଭାବିଥିଲି ତା' ଜୀବନ କାହାଣୀ କୁ ନେଇ ସୁନ୍ଦର କାହାଣୀ ଟିଏ ଲେଖିବାକୁ । ଲକଡାଉନ ପାଇଁ ଆଜି ମୋ ପାଖେ ରୋଗୀଙ୍କ ଏତେ ଭିଡ଼ ନଥିଲା । ବାରମ୍ବାର କେଜାଣି କାହିଁକି ତା' ରି କଥା ହିଁ ମନକୁ ଆସି ଯାଉଥିଲା । ଏମିତି ରେ ସବୁଦିନ ତ ମନେ ପଡୁଥିଲା, ହେଲେ ଆଜି କେଜାଣି କାହିଁକି ବେଶୀ ବେଶୀ ମନେ ପଡୁଛି । ମନଟା ଆଉ ମୋ ନିୟନ୍ତ୍ରଣ ରେ ନଥିଲା ।
ଡ୍ୟୁଟି ସାରି ହସ୍ପିଟାଲ ବାହାରକୁ ଆସିଲି । ଲକଡାଉନ ପାଇଁ ଅଟୋ କି ରିକ୍ସା କିଛି ପାଇଲିନି । ନିରାଶ ହେଇ ଚାଲି ଚାଲି ଯିବାକୁ ସ୍ଥିର କଲି । ଶହେ କି ଦେଢଶ ମିଟର ଯାଇଥିବି, ଗୋଟାଏ ଅଟୋ ପାଇଲି । ଆଗ ପଛ କିଛି ନ ଭାବି ଆଗ ଅଟୋରେ ବସି ଗଲି । ଶାନ୍ତିରେ ନିଶ୍ୱାସ ଟିଏ ଛାଡି ମୋବାଇଲ ରେ ଲାଗିଗଲି । ପୁଣି ସେଇ ରେଡ ଲାଇଟ ଏରିଆ ଆସିଲା । ସବୁଦିନ ଭଳି ଆପେ ଆପେ ମୋ ଆଖି ସେ ଆଡକୁ ପଳେଇଲା । ଯଦିଓ ଜଣାଥିଲା ଯେ ମତେ ରୂପ। ନଥିବ ତଥାପି ଖୋଜିବାକୁ ଲାଗିଲି । ପାଇଲିନି ସତ, ହେଲେ ମୁଁ ହଠାତ ବହୁତ ଖୁସି ହେଇଗଲି । କାହିଁକିନା ମୁଁ ଯୋଉ ଅଟୋ ରେ ବସିଥିଲି ସେ ଅଟୋ ଚଳାଉଥିଲେ ଜଣେ ମହିଳା । ମନେ ମନେ ଭାବିଲି, ମୋ ଦେଶ ର ସବୁ ନାରୀ ଜାତି ଯଦି ଏମିତି ସ୍ୱାବଲମ୍ବୀ ହେଇଯିବେ ତାହେଲେ କେତେ ଭଲ ହୁଅନ୍ତା । ପ୍ରଥମ ଥର ପାଇଁ ରୂପ। କୁ ମୁଁ ମନେ ମନେ ଘୃଣା କଲି । ରୂପା ତା' ରୂପ ଆଉ ଦେହ କୁ ନେଇ ଧନ୍ଦା କରୁଥିବା ବେଳେ ଏଠି ତା' ପରି ଆଉ ଜ
ଣେ ରୂପା ମୁଣ୍ଡ ଝାଳ ତୁଣ୍ଡରେ ମାରି ଅଟୋ ଚଳାଉଛି ପେଟ ପୋଷିବାକୁ । ଇଏ ବି ଚାହିଁଥିଲେ ଖୁବ ସହଜେ ରୂପା ପରି ମୁଠା ମୁଠା ଟଙ୍କା ଅର୍ଜନ କରି ପାରନ୍ତା । ଦୁଇଟି ଜୀବନ୍ତ ଚରିତ୍ର କୁ ତୁଳନା କରି ମୁଁ ଭାବୁକ ପାଲଟି ଯାଇଥିଲି । ମୁଁ ଆଉ ନିୟନ୍ତ୍ରଣ କରି ନ ପାରି ଅଟୋରେ ମୋ ସାଇଡ ରେ ବସିଥିବା ଜଣେ ଭଦ୍ର ଲୋକଙ୍କୁ ଏସବୁ କଥା କହିଲି । ସବୁ ଶୁଣି ସେ ଖାଲି ସ୍ମିତହସ ଟିଏ ଦେଇ ଚୁପଚାପ ବସିଲେ ।
ୟା ଭିତରେ ମୋ ଗଳି ଆସିଗଲା । ମୁଁ ଅଟୋ ରୁ ଓଲ୍ହେଇ ପର୍ସ ବାହାର କରୁଥିଲି, ହଠାତ ଯାହା ଦେଖିଲି ମୁଁ ମୋ ଆଖିକୁ ବି ବିଶ୍ୱାସ କରି ପାରୁ ନଥିଲି । ସେଇ ଅଟୋ ଚଳାଉଥିବା ମହିଳା ଜଣଙ୍କ ଆଉ କେହି ନୁହଁ, ସେ ଥିଲା ମୋ କାହାଣୀ ର ନାୟିକା "ରୂପା" । ସତରେ ରୂପା ମୋ କାହାଣୀ କୁ ଏମିତି ମୋଡ଼ ଦେବ ମୁଁ ସ୍ବପ୍ନ ରେ ବି ଭାବି ପାରୁନଥିଲି । ମୁଁ ସେମିତି ଅବାକ ହେଇ ରୂପା କୁ ଅନେଇଥିଲି, ଆଗ ଭଳି ରୂପା ସେମିତି ହାଲକା ହସ ଟିଏ ଦେଇ ହାତ ହଲେଇ ଦେଲା । ମୁଁ ଥତମତ ହେଇ କହିଲି, "ରୂପା, ତୁମେ....... ଅଟୋ? " ରୂପା ମୁଁ ଆଉ କିଛି କହିବା ଆଗରୁ ବେଶ ସହଜେ କହିଲା, "ହଁ, ବାବୁ ମୁଁ । ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ଯେ?
ଯଦି ସେ ମୋ ଖୁସି ପାଇଁ ଦିନ ସାରା ଲୁହ-ଲହୁ ଏକ କରି ଖଟି ପାରୁଛନ୍ତି, ତାହେଲେ ମୁଁ ବି ତାଙ୍କୁ ଟିକେ ଖୁସି ଦେବା ପାଇଁ ଇଜ୍ଜତ ର ସହ ଅଟୋ କାଇଁ ଚଳେଇ ପାରିବିନି ବାବୁ? " ରୂପା ମଥାରେ ସିନ୍ଦୁର, ଆଉ ହାତରେ ଚୁଡ଼ି । ଆଗଠୁ ଆହୁରି ବେଶୀ ବେଶୀ ସୁନ୍ଦର ଦିଶୁଥିଲା ରୂପା । ପଛରେ ବସିଥିବା ଭଦ୍ରବ୍ୟକ୍ତି ଜଣଙ୍କ କହିଲେ, "ଏଇ ରୂପା, ଜଲଦି ଚଲନା, ବହୁତ ଭୋକ ହେଲାଣି ପରା ।" ରୂପା ଅଟୋ ଷ୍ଟାର୍ଟ କରି ଚାଲିଗଲା, ସୁନ୍ଦର କାହାଣୀ ଟିଏ ଲେଖିବାକୁ ମତେ ପ୍ରେରଣା ଦେଇ । ପରେ ଜାଣିବାକୁ ପାଇଲି ଯେ ରୂପା ସେଇ ଅଞ୍ଚଳ ର ସମସ୍ତ ଙ୍କ ପାଇଁ ଆଦର୍ଶ ପାଲଟି ଯାଇଥିଲା ।
ସେଇଦିନ ହିଁ ସନ୍ଧ୍ୟା ରେ ମୋ ଲେଖନୀ ନେଇ ବାଲକୋନୀ ରେ ବସିଗଲି । ଆକାଶ କୁ ଅନେଇଲି, ଜହ୍ନ ଟା ସେଦିନ ଅନ୍ୟ ଦିନ ମାନଙ୍କ ଠୁ ବେଶ ଅଲଗା ଦିଶୁଥିଲା । ଯେତେ ଖୋଜିଲେ ବି, ଟିକିଏ ବି କଳଙ୍କ ପାଇଲିନି । ବେଶୀ ବେଶୀ ସଫା ଦିଶୁଥିଲା ଆଉ ବେଶ ଚମକୁ ଥିଲା, ଠିକ "ରୂପା" ପରି ।