Satyabati Swain

Tragedy

3  

Satyabati Swain

Tragedy

ରୁବି

ରୁବି

6 mins
583



ମୋ ବାପା କଲିକତାରେ ଚାକିରୀ କରନ୍ତି । ବର୍ଷକୁ ଥରେ ଆସନ୍ତି ମାତ୍ର ଆଠ ଦିନ । ସେ ଆଠ ଦିନ ମୋର ଖୁସି ମେଘ ସେପାଖେ ଉଡନ୍ତି । କାରଣ ବାପାଙ୍କୁ ବହୁତ ବହୁତ ଭଲ ପାଏ ମୁଁ । ସେ ମୋତେ ସାଙ୍ଗରେ ଖୁଆନ୍ତି,

ପାଖରେ ଶୁଆନ୍ତି । ସବୁଠାରୁ ମଜା ସେ ମୋତେ ଶୋଇଲା ବେଳେ ଢେର ଗପ କୁହନ୍ତି । ବାପାଙ୍କ ପାଇଁ ରାମାୟଣ, ଵିଲଙ୍କା ରାମାୟଣ,ମହାଭାରତ, ଗରୁଡ଼ ପୁରାଣ,ସୂର୍ଯ୍ୟ ପୁରାଣ,ଚଣ୍ଡୀ ପୁରାଣ,ଶିବ ପୁରାଣ,ଦଶମ ସ୍କନ୍ଦ ଭାଗବତ,ଦଶବତାରଠାରୁ ଆରମ୍ଭ କରି ଜାତକ ମାଳା, ପଞ୍ଚତନ୍ତ୍ର, ବିଦଗ୍ଧ ଚିନ୍ତାମଣୀ, ବୈଦେହୀଶ ବିଳାସ,ଭୋଜ ରାଜସ୍ୟ ବିକ୍ରମ ସିଂହାସନପ୍ରାପ୍ତି,ଆଦି ଅନେକ ବହିର ଗପ ଏବେ ମୋ ମୁହଁରେ ।

      ସେ ଖୁସି ପାଆନ୍ତି କହିବାକୁ ଏଇଥି ପାଇଁ ଯେ ମୁଁ କେବଳ ଶୁଣେନା ବରଂ ସମ୍ପୂର୍ଣ ମୁଣ୍ଡରେ ସାଇତି ଦିଏ ଟିକି ନିକି । ପଚାରିଲେ କମା ଫୁଲ୍ ଷ୍ଟପ୍ ଯାଏ କହିଦିଏ ।

କେବଳ ତାଙ୍କ ପାଇଁ ମଙ୍ଗଳେ ଆଇଲେ ଉଷା,ପ୍ରଳୟ ପ୍ରୟୋଧି ଜଳେ,ରସ କଲ୍ଲୋଲର କଉଣପ କୂଳେ ଭାରି ହୋଇ ଧରଣୀ ସୁନ୍ଦରୀ,ଆହୁରି କେତେ ଗୀତ ବି ମୁହଁରେ ଥିଲା ମୋର ଯାହା ପଢିଲା ବେଳେ ମୋତେ ବହୁତ ସାହାଯ୍ୟ କରିଥିଲା ।

       ଯେଉଁ ଗପ କହିଲେ ପିଲା ମନରେ ମୋର ରେଖାପାତ କରିବ ଯେମିତିକି ଇତିହାସର ରାଣୀ ଲକ୍ଷ୍ମୀ ବାଇ, ପଦ୍ମାବତୀ,ଟିପୁ ସୁଲତାନ,ଶିବାଜୀ,ପୃଥ୍ୱୀରାଜ ଚୌହାନ,ରାଜା ପୁରୁ,ବାଳକ ବାଜିଆ,ଧରମା ଇତ୍ୟାଦି ଗପ କହି ମୋ ମନରେ ଗୋଟେ ବିସ୍ମୟ ସୃଷ୍ଟି କରନ୍ତି ବାପା । କଅଁଳ କୋମଳ ପିଲା ବୟସ ମୋର ଏସବୁ କାହାଣୀ ଶୁଣି ଅଵିଭୂତ ହେବା ସଂଗେ ସଂଗେ ସତ୍ୟ,ମା ଓ ମାତୃଭୂମି ପ୍ରତି ନିଷ୍ଠାବାନ, ସ୍ୱାଧୀନ ଚେତା କର୍ତ୍ତବ୍ୟ ପରି ଯତ୍ନବାନ ହେବାକୁ ସ୍ବପ୍ନ ଟିଏ ଦେଉଥିଲା ।

          ବାପା ଯେତେବେଳେ ରେବତୀ,ମାଂସର ବିଳାପ,ଜଲି ଓ ଡୋରା,ଛମାଣ ଆଠ ଗୁଣ୍ଠ, ମାମୁଁ,ସୁଭାଷ ବୋଷ,ମହାତ୍ମା ଗାନ୍ଧୀଙ୍କ କଥା କୁହନ୍ତି କେଜାଣି କାହିଁକି ଆଖି ଫାଡ଼ି ହୋଇଯାଏ ମୋର । ମୁଁ କଥା ଶୁଣୁ ଶୁଣୁ ମୋ ପାଟି କେତେବେଳେ ଏଡେବଡ଼ ଆଁ ହୋଇ ମେଲା ହୋଇଯାଏ ଓ ମୋ ଭାଇ ହାସୁ କହି କୁହେ ପାଟିରେ ମାଛି ପଶିଯିବ ଯେ ଏଡେବଡ଼ ଆଁ କରିଛୁ । ମୁଁ ପ୍ରକୃତିସ୍ଥ ହୋଇ ଲାଜରା ହୋଇ ଯାଏ ।

        ବାପା କିନ୍ତୁ ଦିନେ ଅଦ୍ଭୁତ ଗପଟିଏ କହିଲେ । ତାଙ୍କ ଅଙ୍ଗେ ଲିଭା କଥା । ବୟସ ତାଙ୍କର କୋଡ଼ିଏ ସେତେବେଳେ । ଯୁବକ ବୟସ, ମନ, ପ୍ରାଣ ଓ ସଉକ ବି । ବାପା ଭାରି ସଙ୍ଗୀତ ଓ ଗୀତ ପ୍ରିୟ । କୋଲକତାରେ ନୂଆ ନୂଆ ଚାକିରୀ କରିଥାନ୍ତି । ଗଙ୍ଗା ଧାରେ ଧାରେ ଗୋଟିଏ ଜାଗାକୁ ପ୍ରତି ଦିନ ରାତିରେ ଗୀତ ଶିଖିବାକୁ ଯାଆନ୍ତି । ଦିନେ ରାତିରେ ଫେରିଲା ବେଳକୁ ବହୁତ ଡେରି ହୋଇଗଲା । ବର୍ତ୍ତମାନ ପରି ସେତେବେଳେ ବଜାର ସହର ରୂପ ଏତେ ଆଲୁଅ,କୋଳାହଳ ମୟ ନଥିଲା । ଗୀତ ମାଷ୍ଟ୍ରେ ମନା କଲେ ବାପାଙ୍କୁ ରାତି ଅଧିକ ହେଲାଣି ଏକା ନଯିବା ପାଇଁ ଘରକୁ । ତାଙ୍କ ଘରେ ରହିଯିବାକୁ କହିଲେ ।

      ବାପା ରହିବାକୁ ମନା କଲେ । ଯୁବକ ବୟସ,ରକ୍ତ ଟକମକ ହୋଇ ଫୁଟୁ ଥାଏ ।  ଯୁବକ ବୟସ ଟି ସେମିତି । ଦୁଃସାଧ୍ୟ କାମ କରିବାକୁ ବି ଡରେନି । ଏଣୁ ସେ ମାଷ୍ଟ୍ରେଙ୍କ ବାରଣ ସତ୍ତ୍ୱେ ଗଙ୍ଗା ଧାର ଉପରେ ଯାଇଥିବା ରାସ୍ତାକୁ ଆସି ଚାଲି ଚାଲି ଆସିଲେ  । ଏବେ କିନ୍ତୁ ବହୁତ ବଦଳି ଗଲାଣି କଲିକତା ନିଜେ ଓ ତା ରାସ୍ତାଘାଟ ରୂପରଙ୍ଗ ଆଧୁନିକ ଛାପରେ । ମୁକୁଳା ବୟସକୁ ନିଃଶବ୍ଦ ରାତି । ବାଟ ଘାଟ ନିଛାଟିଆ ବାର୍ଦ୍ଧକ୍ୟ ବୟସର ବାପା ବୋଉ ପରି ଅବହେଳିତ ହୋଇ ଘୁମେଇଁ ପଡିଥାଏ । ଚାରିଆଡେ ଶନ୍ ଶନ୍ ନୀରବତା । ସେ ନୀରବତା ଛାତି ଫଟେଇ ବାପା ଖୁବ୍ ସୁନ୍ଦର ସ୍ୱରରେ ଗାଇ ଗାଇ ଆସୁଥାନ୍ତି କଳିତ ଲଳିତ ଲବଙ୍ଗ ଲତା ପରିଶିଳନ ଗୀତଟିକୁ । ବାପାଙ୍କ ସୁରରେ ଗଙ୍ଗା ନଈର ଲହରୀ ତାଳ ମିଶେଇ ବଜାଉ ଥାଏ ଧୀମା ମିୟୁଜିକ ଅବା । ବାପା ଗୀତରେ ତଲ୍ଲୀନ ।

        ହଠାତ୍ ରାସ୍ତାର ବାଁ ପଟ ଦାଢରେ କହି ଜଣେ ଝିଅ ପିଲା,ଯୁବତୀ ହେବ କି କଣ ଉଁ ଉଁ ହୋଇ କାନ୍ଦୁଥିବା ଶୁଣିଲେ । ଏତେ ରାତିରେ ଶୁନ ଶାନ୍ ନିଛାଟିଆ ରାସ୍ତା ପୁଣି ରାତି ବାରଟାରେ ଗୋଟିଏ ଝିଅ!! । କେହି କୁଆଡେ ଦିଶୁ ନାହାନ୍ତି । ବାପାଙ୍କ ବିସ୍ମୟ ଜିଜ୍ଞାସାରେ ପରିଣତ ହୋଇଗଲା । ଭାବିଲେ ହଁ କିଏ ହୋଇଥିବ,ମୋର କଣ ଯାଏ ।  ତା ଇଛା ହେଲା କାନ୍ଦିଲା । ପୁଣି ଭାବିଲେ କାଳେ ଝିଅଟି ସତ ସତିକା କିଛି ଅସୁବିଧାରେ ପଡିଥିବ!କାଳେ ଘରୁ କଳି କରି ରାଗି ଚାଲି ଆସିଥିବ ! ନବୁଝି ଏକା ଛାଡି ଯିବାଟା ଠିକ୍ ହେନାହିଁ । ଏଣୁ ସେ ଝିଅଟି ପାଖକୁ ଯାଇ ପଚାରିଲେ"ତୁମେ କିଏ?ଏତେ ରାତିରେ ଏଠି ବସି କାନ୍ଦୁଛ କାହିଁକି?

      ଅତି ପାଖରୁ ବାପାଦେଖିଲେ ଡେଙ୍ଗାଝିଅଟି କଣ୍ଢେଇ ପରି ଦିଶୁଛି  । ସୁନ୍ଦର ଧଳା ପୋଷାକଟିରେ ସାରା ଶରୀର ଆଚ୍ଛାଦିତ । ତଳେ ଘୁଷୁରି ଥାଏ ତା ମଥାର ଓଢଣୀ । ଯେମିତି ଖ୍ରୀଷ୍ଟିୟାନ ମାନେ ବିବାହ ବେଳେ ପିନ୍ଧି ଥାଆନ୍ତି । ରାସ୍ତା ପଟକୁ ପିଠି କରି ଠିଆ ହୋଇଛି ।  ଅନବରତ ଉଁ ଉଁ ହୋଇ କାନ୍ଧୁଛି କଇଁ ଉଠାଇ ।

ବାପା ପୁଣି ପଚାରିଲେ" ତୁମେ କିଏ?ରାତି ଅଧଟାରେ ନିଶା ଗର୍ଜ୍ଜନ କରୁଥିବା ସମୟରେ ଏଠି ଏକା କାହିଁକି କାନ୍ଧୁଛ?କି ଅସୁବିଧାରେ ପଡିଛ?"ବାପା ଯେତେ ପଚାରିଲେ ବି ଉତ୍ତର କିଛି ନାହିଁ । କେବଳ ଉଁ ଉଁ କାନ୍ଦ ।

        ଉତ୍ତର ନ ଦେବାରୁ ବାପା ଚିଡି ଯାଇ ନିଜ ବାଟ ଧରିଲେ ।  କାନ୍ଦ କିନ୍ତୁ ଶୁଭୁଥିଲା ବାପାଙ୍କୁ । ବାପାଙ୍କ ମନ କଷ୍ଟ ହେଉଥିଲା । ଝିଅଟି ପଚାରିଲେ କିଛି ଉତ୍ତର ଦେଲାନି । କିଛି କରି ଦେବନି ତ ରାଗରେ । ନିଶ୍ଚେ କଳି ଗୋଳ କରି ଘର ଛାଡ଼ି ଆସିଛି । ହେଉ.. ସେ ବା ଆଉ କଣ କରି ପାରିବେ!ଯୁବକଟିଏ । ଯୁବତୀଟିକୁ ଛୁଇଁଲେ ହୁଏତ କଥାଟା ଖରାପ ହୋଇ ପାରେ । ଯୁଗ ଆଦୌ ଭଲ ନୁହେଁ । ସଜ ମାଛରେ ପୋକ ପକାଇ ଦେବେ । ଲଗେଇ ଜଟେଇ କଣ ନାହିଁ କଣ କହି କେସ୍ ଠୁଙ୍କି ଦେବେ । ସେ ପୁଣି କଲିକତା,ନିଜ ଗାଁ ଗଣ୍ଡା କଥା ଦୋଷରା ।

       ବାପା ପୁଣି ଗୋଟେ ଗୀତ ଗାଇଲେ ପ୍ରଭୁ କି ସୁନ୍ଦର ଦିଶ ବସି ରତ୍ନ ସିଂହାସନ । ଆରେ...ଏ.. ଝିଅଟି କେତେବେଳେ ତାଙ୍କୁ ଟପି ଆସି ତାଙ୍କ ଆଗେ ଆଗେ ଯାଉଛି । ଆଶ୍ଚର୍ଯ୍ୟ ହେଲେ ବାପା ତାଙ୍କୁ କେତେବେଳେ ଝିଅଟି ପାସ୍ କରି ଆସିଲା ସେ ଜାଣି ପାରିଲେନି । ହଁ ହୋଇଥିବ ବାପା ଗୀତ ଗାଇଲା ବେଳେ ସମ୍ପୂର୍ଣ ହଜନ୍ତି । ତାଙ୍କ ଚାରି ପଟେ କଣ ହୁଏ ଜାଣି ପାରନ୍ତି ନାହିଁ ।

       ବାପା ଜୋର ଜୋର ପାହୁଣ୍ଡ ପକାଇ ସେ ଝିଅ ପାଖା ପାଖି ହେବାକୁ ଚେଷ୍ଟା କଲେ । ହେଲେ ଝିଅଟି ସେଇ ଉଁ ଉଁ ହୋଇ ଜୋର ଜୋର ଚାଲିଲା ବାଟ ଭାଙ୍ଗି । ବାପା ବି କି ଗୋଟେ ଅଜବ ନିଶାରେ ତା ପିଛା କଲେ । ତାପରେ ସେ ଝିଅଟି ଦୌଡ଼ିଲା । ବାପା ବି । ଖୁବ୍ ଗୁଡାଏ ବାଟ ଦୌଡ଼ିଲା ପରେ ବାପା ହାଲିଆ ହୋଇ କହିଲେ ମନକୁ ମନ କଣ କରୁଛନ୍ତି ସେ?କାହିଁକି ପିଛା କରୁଛନ୍ତି ସେ ଝିଅଟିର । ବାପା ଜାଣି ପାରିଲେ ସେ ବାଟ ଭୁଲି ଗଙ୍ଗା ଧାରରୁ ଗୋଟିଏ ଅଲଗା ରାସ୍ତାକୁ ଚାଲି ଆସିଛନ୍ତି ।

      ନିଜକୁ ଧିକ୍କାର କରି ବାପା ଡାହାଣ ପଟକୁ ମୋଡି ଚାଲିଲେ ତାଙ୍କ ବସା ଆଡେ । ଆଲମ୍ ବଜାର୍ ରେ ସେ ରୁହନ୍ତି । ପୁଣି ଗାଇଲେ କୋଠ ଭୋଗ ଖିଆ ମୋ ଚକା ଆଖିଆ ଉଠ୍ ହେ ପହଡ଼ ଭାଙ୍ଗି । ଓ ହୋ ହୋ ଝିଅଟି ପୁଣି ତାଙ୍କ ଆଗେ!!ଯାହା ହେଉ ପଛେ ଝିଅଟିକୁ ଧରିବେ ଏଥର ପଚାରିବେ କଣ ଚାଲିଛି । କି ଖେଳ ଖେଳୁଛି ଝିଅଟି । ଧରିବାକୁ ଯାଉଛନ୍ତି କୁଆଡେ ଆଖି ପିଛୁଳାକେ ଉଭାନ ଝିଅଟି । ଭାରି ବିରକ୍ତ ଲାଗିଲାଣି ସେତେବେଳେକୁ ବାପାଙ୍କୁ ।

         ପୁଣି ତାଙ୍କ ଆଗେ ସେ । ବାପା ଚିରା କାଟି ଦୌଡ଼ିଲେ ସମସ୍ତ ବଳ ଖଟାଇ ଧରିବାକୁ ଝିଅଟିକୁ । ଝିଅଟି ଦଉଡ଼ି ଦଉଡ଼ି ପଶିଗଲା ଗଙ୍ଗା ଭିତରକୁ । ବାପା ଗଙ୍ଗାରେ ପଶିବା ପୂର୍ବରୁ ପଛରୁ କେହି ଜଣେ ଧରିନେଲେ ବାପାଙ୍କୁ । ସେ ଥିଲେ ସୁକୁମାର ମିତ୍ର ଦା । ମୋର ଚିହ୍ନା ତାଙ୍କରି ଘର ପାଖେ ବାପାଙ୍କ ବସା । ମିତ୍ର ଦା କହିଲେ "ହେ ବ୍ରିନ୍ଦାବନ!ରାତି ଦି ଟାରେ ତୁମେ ଏଠି କଣ କରୁଛ?ମୋ ଠାକୁର ମାଙ୍କ ହଠାତ୍ ଦେହ ଖରାପ ହେବାରୁ ଡାକ୍ତର ଖାନା ନେଉଥିଲି । କେହି ଜଣେ ନଈକୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଛି ଦେଖି ଆସିଲି ମୁଁ । ଦେଖେତ ତୁମେ !! ତୁମେ ଆତ୍ମହତ୍ୟା ଉଦ୍ୟମ କାହିଁକି କରୁଥିଲ"?

      ହୋ ହୋ ହସି କହିଲେ ବାପା" ଦା!ମୁଁ କାହିଁକି ଆତ୍ମହତ୍ୟା କରିବି । ଗୋଟେ ଝିଅ ଏ ପାଣି ଭିତରକୁ ପଶି ଗଲା ତାକୁ ରକ୍ଷା କରିବି ବୋଲି ଯାଉଥିଲି ନା" ।

      ହେଉ ମୁଁ ଏକା ଠାକୁର ମାଙ୍କୁ ଡାକ୍ତର ଖାନା ନେଉଛି । ମୋତେ ଟିକେ ସାହାଯ୍ୟ କରନ୍ତ ନାହିଁ । ଆସିଲ ସାଙ୍ଗ ହୋଇ ଠାକୁର ମାଙ୍କୁ ନେଇଯିବା କହିଲେ ମିତ୍ର ଦା । ବାପାଙ୍କ ହଁ ନାଁ କୁ ଅପେକ୍ଷା ନ କରି ହାତ ଧରି ଟାଣି ନେଇ ବସାଇ ଦେଲେ ରିକ୍ସାରେ ।

      ସେଦିନ ଖାଡା ଓପାସ । ସକାଳେ ଠାକୁର ମାଙ୍କୁ ଧରି ଘରକୁ ଫେରିଲେ । ମିତ୍ର ଦା ଯାହା କହିଲେ ଶୁଣି ବାପାଙ୍କ ହୋସ୍ ଉଡ଼ିଗଲା ।

      ସେ ଝିଅ ନଥିଲା ,ଥିଲା ରୁବି ନାମୀ ଯୁବତୀର ପ୍ରେତାତ୍ମା । ବଙ୍ଗାଳି ଝିଅ ହୋଇ ଖ୍ରୀଷ୍ଟିଆନ ପୁଅକୁ ଭଲ ପାଇ ଲୁଚି ବାହା ହେବାକୁ ମନସ୍ଥ କରିଥିଲା । ମାତ୍ର ସେ ଝିଅର ବାପା ଖ୍ରୀଷ୍ଟିଆନ ପୁଅଟିକୁ ଦି ଗଡ଼ କରି କାଟି କେଉଁଠି ଫିଙ୍ଗିଲେ କେହି ଅତାପତା ପାଇଲେନି । ସେଇ ଦୁଃଖରେ ଝିଅଟି ଗଙ୍ଗାକୁ ଡେଇଁ ଆତ୍ମହତ୍ୟା କରିଥିଲା । ଲୋକେ କୁହନ୍ତି ରୁବି ଆଜି ବି ଘୁରି ବୁଲୁଛି ତା ପ୍ରେମିକକୁ ଖୋଜି ଖୋଜି । ଅନେକ ଯୁବକ ମାରିଲାଣି ଗଙ୍ଗାରେ ବୁଡାଇ । ତୁମ ପାଳି କାଲି ବୋଧେ ଥିଲା ।

       ହେ ଭଗବାନ!କି ମସ୍ତବଡ ଭୁଲ କରୁଥିଲେ ବାପା ଭାବି ଯେତିକି କ୍ଷୋଭ ପ୍ରକାଶ କଲେ ସେତିକି ଭୟ ବି ପାଇଲେ ।

        ସେବେଠୁ ଛାଡ଼ିଗଲା ବାପାଙ୍କ ଗୀତ ଶିଖିବା ନିଶା ଓ ଡେରି ରାତିରେ ଫେରିବା ଅଭ୍ୟାସ ।



Rate this content
Log in

Similar oriya story from Tragedy