namita jena

Drama

3  

namita jena

Drama

ରୁଅ ବାଉଁଶ

ରୁଅ ବାଉଁଶ

5 mins
12.3K


    ଏମିତି କେମିତି ଯୋଡ଼ି ବନିଯାଏ ଯେ। କହନ୍ତି ସ୍ବାମୀ ସ୍ତ୍ରୀ ସମ୍ପର୍କ ସ୍ବର୍ଗରେ ନିର୍ଦ୍ଧାରିତ ହୋଇଥାଏ। ସତରେ ନା କ'ଣ? କିନ୍ତୁ ସେ ତ ଦେଖିଛି ବାପା ତା'ର କେତେ ମଧ୍ୟସ୍ଥିଙ୍କୁ ଖର୍ଚ୍ଚ ପାଣି ଦେଇ ପ୍ରସ୍ତାବ ଖୋଜି ଦେବାକୁ କହନ୍ତି। କେତେ ଲୋକ ଆସନ୍ତି , ଦେଖିବାକୁ। କିଏ ରୂପ ପସନ୍ଦ କଲେ ଯୌତୁକ ରେ କଥା ଅଟକି ଯାଏ। ଆଉ କାହାକୁ ରୂପ ,ରଙ୍ଗ ପସନ୍ଦ ଆସେନା। ପୁଣି କିଏ ବଂଶ ଆଭିଜାତ୍ୟ ଦେଖେ।

ଯେତେଥର ପ୍ରସ୍ତାବ ଆସି ଫେରେ ସେତେ ସେତେ ବାପାମାଆଙ୍କ ଚିନ୍ତା ବଢ଼ିଯାଏ। ସୁମିତ୍ରା ଏକ ସ୍କୁଲରେ ଶିକ୍ଷୟିତ୍ରୀ ଥାଏ। ଅବଶ୍ୟ ପୁରା ଦରମା ମିଳିନଥିବାରୁ କେତେକ ଚାକିରି ନାଁ ଶୁଣି ଦେଖିବାକୁ ଆସି ନିରାଶ ହୋଇଯାନ୍ତି। ସୁମିତ୍ରା ବାପାମାଆଙ୍କ ବଡ଼ ଝିଅ। ତଳକୁ ତଳ ଆହୁରି ଦୁଇ ଭଉଣୀ। ବାପା ମଧ୍ୟ ସ୍କୁଲ ଶିକ୍ଷକ। କେତେ ବା ରୋଜଗାର। ପୁଣି ରିଟାୟଡ ସମୟ ପାଖେଇ ଆସୁଛି। ସେ ବଡ଼ ବୋଲି କି କ'ଣ ତା ଭିତରେ ଛୋଟବେଳୁ ଦାୟିତ୍ଵ ବୋଧ ଯେମିତି ଖୁନ୍ଦି ହୋଇ ରହିଛି। ସେ ବି ଚିନ୍ତିତା। ବାହାଘର ଯେ ଏକ ବିଶେଷ ଧରଣର ବୋଝ ବୋହିବାର ବେପାର ସେ ଅବଶ୍ୟ ସେଥିପ୍ରତି ବୟସ ଦୃଷ୍ଟିରୁ ସଚେତନ ନଥିଲା। ବୟସ ଅବା କେତେ। ଏଇ ଚୈତ୍ର କୁ ବାଇଶି ପୁରିବ। ନା ମନରେ ଜୀବନସାଥୀ କୁ ପାଇବାର ସ୍ବପ୍ନ।

କେବଳ ବାପାମାଆଙ୍କ ଚିନ୍ତା। କେମିତି ସେ ହାତକୁ ଦି ହାତ ହୋଇଗଲେ ଗୋଟେ ବୋଝ କମିଯିବ ସେମାନଙ୍କ ମୁଣ୍ଡରୁ।


      ଏମିତିରେ ଏକ ପ୍ରସ୍ତାବ ଆସିଲା। ପୁଅଟିଏ ସରକାରୀ ଚାକିରିଆ। ସୁମିତ୍ରା କୁ ଦେଖି ପସନ୍ଦ ମଧ୍ୟ କଲେ। ଯୌତୁକ ବିଷୟରେ ସେମାନଙ୍କ ପକ୍ଷରୁ କିଛି ଦାବି ନଥିଲା। ବା‌ହାଘର ହୋଇଗଲା ସୁରୁଖୁରୁରେ। ବିବାହ ବେଳେ ଏତିକି ଶୁଣିଥିଲେ ଯେ ବର ଅର୍ଥାତ୍ ସତ୍ୟପ୍ରକାଶଙ୍କ ମାଆ ପିଲାଟି ବେଳରୁ ମୃତ୍ୟୁ ବରଣ କରିଥିଲେ। ବାପା ତାଙ୍କ ମାଉସୀଙ୍କୁ ଦ୍ବିତୀୟ ବିବାହ କରିଥିଲେ।

ଏଥିରେ କାହାର ବା କି ଆପତ୍ତି ହୋଇପାରେ। ସତ୍ୟପ୍ରକାଶ ନାଁ

ଯେମିତି କାମ ବି ସେମିତି। ସବୁ ସତ କଥା ଖୋଲି କହିଥିଲେ ସୁମିତ୍ରା କୁ। କହିଥିଲେ ମୋ ମାଉସୀ ବହୁତ ବୁଦ୍ଧିମତୀ। ମୁଁ ଯାହା ପ ଇସା ପଠାଏ ଘରକୁ ସେ ସୁଚାରୁରୂପେ ଘର ଚଳେଇନିଏ। ବାହାଘର ପରେ ତାଙ୍କ ଘରକୁ ଆସିଥିବା ବନ୍ଧୁ ବାନ୍ଧବମାନେ ମଧ୍ୟ ମାଉସୀର ବହୁତ ପ୍ରଶଂସା କରୁଥିଲେ । ସୁମିତ୍ରା ମଧ୍ୟ ଭାବିଲା ସତରେ ପୁତୁରା ପାଇଁ ଦ୍ବିତୀୟ ବିବାହ କରିବାକୁ ରାଜି ହୋଇଗଲେ। କେତେ ତ୍ୟାଗ ସତରେ କରିଛନ୍ତି। ଅବଶ୍ୟ ମାଉସୀ ଙ୍କର ଦୁଇ ଝିଅ ପୁଣି ଦୁଇ ପୁଅ। ସୁମିତ୍ରା ବାହା ହୋଇ ଗଲାବେଳକୁ ବଡ଼ ଦୁଇ ନଣନ୍ଦ ବାହାଯୋଗ୍ୟ ହୋଇସାରିଥିଲେ। ଜଣକୁ ବାଇଶି ଆଉ ସାନ ନଣନ୍ଦଙ୍କୁ କୋଡ଼ିଏ ବର୍ଷ। ସତ୍ୟ ଓ ସୁମିତ୍ରା ଦୁହିଁଙ୍କ ଚାକିରି ସ୍ଥାନ ବହୁତ ଦୂରରେ। ସତ୍ୟପ୍ରକାଶ ପ୍ରତି ତିନି ଚାରି ମାସରେ ଛୁଟି ନେଇ ଆସନ୍ତି।


       ସୁମିତ୍ରା ଏତେଦିନ ପରେ ସ୍ବାମୀଙ୍କୁ ପାଖରେ ପାଇଁ ଖୁସୀରେ ଆତ୍ମହରା ହୋଇ ଯାଉଥିଲା। ଚାହୁଁଥିଲା ପ୍ରତିଟି ମୁହୂର୍ତ୍ତ ତାର ଅନ୍ତରଙ୍ଗତାରେ ଭରି ଯାଉ । ମନ ଭରି ପରସ୍ପରକୁ ଦେଖିବାକୁ, ମନକଥା କହିବାକୁ,ବିରହ ଦଶା ବଖାଣି ପ୍ରେମରେ ମଜ୍ଜି ଯିବାକୁ।

କିନ୍ତୁ ସେ ଧିରେଧିରେ ଅନୁଭବ କରିବାକୁ ଲାଗେ ସ୍ବାମୀଙ୍କର ନିଷ୍ଠୁରତା। ସବୁବେଳେ ଏଣିକି ଚାକିରିରେ ଦରମା ନହେଲେ ଯୌତୁକ ବିଷୟରେ ତାନା ମାରନ୍ତି ସତ୍ୟ। ଭଉଣୀମାନଙ୍କ ବାହାଘର କେମିତି ହେବ। ଏତେ ପଇସା କେଉଁଠୁ ଆସିବ ସବୁବେଳେ ସେଇ ଚିନ୍ତା। ରାତି ଶୋଇବା ବିଛଣା ରେ ମଧ୍ୟ ସେହିସବୁ ମନମରା କଥା ଶୁଣି ଶୁଣି ସୁମିତ୍ରା ମନକୁ ମାରିଦେଇଛି। ନିଜକୁ ବୁଝାଇବାକୁ ଚେଷ୍ଟା କରିଛି। ସତ୍ୟର ମାଆ ନାହିଁ ବୋଲି ଭାବିଦେଲେ ସେ ଆଉ ତାଙ୍କ ଉପରେ ରାଗିପାରେନା। ମନେ ମନେ ଅଭିମାନ ତ କରେ ବହୁତ। ହେଲେ ସେ ଅଭିମାନ ବି ବୃଥା ଯଦି ବୁଝିବା ଲୋକ ନବୁଝେ।


    ସତ୍ୟପ୍ରକାଶ ଏତେ ଚିନ୍ତିତ ରହିବା ସ୍ବାଭାବିକ। ସେ ହିଁ ଘରକୁ ଏକମାତ୍ର ରୋଜଗାରକ୍ଷମ। ତାଙ୍କ ବାପା ଅଳସୁଆ ଲୋକ। ଚାକିରୀ କରୁଥିଲେ କିନ୍ତୁ ଯେବେଠୁ ପୁଅକୁ ଚାକିରୀି ମିଳିଗଲା ସେ ଚାକିରୀ ଛାଡ଼ି ଘରେ ଆସିବସିଲେ। ବସି ଖାଇଲେ ନଈବାଲି ସରେ। ଜମିବାଡ଼ି ବହୁତ। କିନ୍ତୁ ପରିଶ୍ରମ ନକଲେ ମାଟି କ'ଣ ଛାଏଁ ଫଳିବ?

ଚାରି ଚାରିଟା ଭାଇ ଭଉଣୀ। ସମସ୍ତେ ପାଠ ପଢ଼ୁଛନ୍ତି। ଏତେ ସବୁ ଯେ ବୁଝୁଥିବ ସେ ତ ବୟସ ଥାଇ ବୁଢ଼ା ହୋଇଯିବ। ସବୁ ବୁଝେ ସୁମିତ୍ରା। ଏମିତି ପରିସ୍ଥିତି ସହ ସେ ପୂର୍ବରୁ ପରିଚିତ। ତା' ବାପା ମଧ୍ୟ ଏମିତି ଜୀବନ ସାରା ନିଜ ଭାଇ ଭଉଣୀ ମାନଙ୍କର , ସେମାନଙ୍କ ପୁଅ, ଝିଅଙ୍କର କରିଛନ୍ତି। ତା ପିଉସା ଚାଲିଯିବା ପରେ

ପିଉସୀର ପୁଅ ଓ ଝିଅକୁ ନେଇ ଆସିଲେ ଘରକୁ। ସେମାନଙ୍କୁ ପାଠସାଠ ପଢ଼ାଇ ବାହା ସାହା କରେଇଲେ। ବଡ଼ ବୋଉ ବି ବେମାରୀରେ ଚାଲିଗଲା। ବଡ଼ ବାପା କିନ୍ତୁ ବାହା ହେବାକୁ ମନା କଲେ। ତାଙ୍କ ଶଶୁର ରାଜି ଥିଲେ

ତାଙ୍କ ସାନଝିଅ ସହ ବାହା ଦେବାକୁ।ପୁଅ ଓ ଝିଅ ଦୁହେଁ ବହୁତ ଛୋଟ ଥିଲେ। ସେମାନଙ୍କ ପାଇଁ ମାଆ କୋଳ ନିହାତି ଦରକାର ଥିଲା। ସୁମିତ୍ରାର ବଡ଼ ବାପା କହିଲେ,ସୁମିବୋଉ ମୋ ପିଲାମାନଙ୍କୁ ଯେମିତି ଯତ୍ନରେ ରଖିଛି ,ଯେ ଆସିବ ସେ କ'ଣ ମୋ ପିଲାମାନଙ୍କର ଏମିତି କରିବ? ମାଉସୀ ହେଲେ କ'ଣ ହେଲା,ତା ପିଲା ହେଲେ ସେ ମୋ ପିଲାମାନଙ୍କୁ ହଇରାଣ କରିବ। ବହାହେଲେନି। ବାହା ହୋଇଥିଲେ ସୁମି ବାପାମାଆଙ୍କ ବୋଝ କମିଯାଇଥାନ୍ତା। ତଥାପି ସୁମିର ବଡ଼ ବାପା ଯେମିତି ପୁଅଝିଅଙ୍କ ପାଇଁ ଭରା ଯୌବନରେ ବିବାହ ନକରି ସବୁ ସୁଖ ତ୍ୟାଗ କଲେ,ସେହିପରି ସୁମିର ବାପାମାଆ ମଧ୍ୟ 

ବୋଝ ଉପରେ ନଳିତା ବିଡା ଉଠେଇ ଜୀବନ ଜୀଇଁଲେ। ଏମିତି ପରିବେଶରେ ବଢିକୁଢି ଯାଇଥିବା ସୁମିତ୍ରା ନିଜର ସ୍ବଭାବ କେମିତି ବା ଛାଡ଼ି ଥାନ୍ତା! ସେ ସ୍ବାମୀର କର୍ତ୍ତବ୍ୟ କୁ ନିଜର କର୍ତ୍ତବ୍ୟ ମନେକରି ଦୁଃଖ କଷ୍ଟ ସହ୍ୟ କରି ସ୍ବାମୀ ଙ୍କୁ ସବୁଥିରେ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଦରମା କମ୍ ମିଳେ ବୋଲି ଟିଉସନ ପଢାଇଛି। କିନ୍ତୁ ସୁମିତ୍ରାକୁ କେହି ବୁଝନ୍ତିନି। ନା ଶାଶୁ ଶ୍ୱଶୁର ନା ନିଜ ଲୋକ। ସେ କେମିତି କମ୍ ଦରମାରେ ଚଳୁଛି ଏକଥା ଶାଶୁ , ନଣନ୍ଦ ବୁଝନ୍ତିନି। ଶାଶୁ ଘରକୁ ଗଲେ ଫି ଥର କିଛି ନା କିଛି ଦାବି କରିଛନ୍ତି।


     ଶାଶୁ କହନ୍ତି ମୋର କାନକୁ ପେଣ୍ଡି ହଳେ ଦରକାର। ନଣନ୍ଦ ଜଣେ କହେ ମୋର ପାଟ ଶାଢ଼ୀ ଦରକାର। ସାନ ନଣନ୍ଦ କହେ ଭାଉଜ! ମୋର ଏତିକି ସେମିତି କିଛି ନୁହେଁ। ସ୍କୁଟିଟିଏ ମୋତେ ଦେବ ମୁଁ ଚଢ଼ି କଲେଜ ଯିବି।

ସୁମିତ୍ରା କେବଳ ଆକାଶ ଆଡ଼କୁ ଚାହିଁ ଦୀର୍ଘଶ୍ଵାସ ଛାଡ଼େ। କେବେ ଖାଲି ହାତରେ ତା ସେ ଯାଏନା। କିଛି ନା କିଛି ସମସ୍ତଙ୍କ ପାଇଁ ନେଇ ଯାଇଥାଏ। ନିଜର ନହେଲେ କ'ଣ ଯାଉଛି। ସେମାନଙ୍କ ପାଇଁ ନନେଲେ କେତେ କ'ଣ କହିଯିବେ। ସୁବିଧା ଅସୁବିଧା କିଛି ବୁଝିବେନି।ଏଇଟା ଦରକାର ମାନେ ଦରକାର।

ସତ୍ୟପ୍ରକାଶ ଦରମା ତକ ସବୁ ମାଉସୀଙ୍କୁ ବାହାହେବା ଆଗରୁ ଦେଉଥିଲେ। ବାହାଘର ପରେ କିଛି କମ୍ କରି ଦେଲେ।ଜଣେ ସଦସ୍ୟ ବଢ଼ିଲେ ପୁଣି ଖର୍ଚ୍ଚ ତ ବଢ଼ିବ। ହାତକୁ ପଇସା କମ୍ ହେବାର ଦେଖି ଶାଶୁ ଘର ଲୋକେ ସମସ୍ତେ ସୁମିତ୍ରାକୁ ଦାୟୀ ଭାବିଲେ। କିନ୍ତୁ ସୁମିତ୍ରା ଓ ସତ୍ୟପ୍ରକାଶ ଦୁହେଁ ମିଶି ନଣନ୍ଦ ବାହାଘର ପାଇଁ ପଇସା ଯୋଡୁଥିଲେ ପେଟରୁ ପିଠିରୁ କାଟି। ସେଥିପାଇଁ କାହାର କିଛି ଫରକ ପଡୁନଥିଲା। ନା ସତ୍ୟପ୍ରକାଶ କେବେ ସାବତ ଭାଇଭଉଣୀ କି ସାବତ ମାଆ ବୋଲି ଭାବିଛନ୍ତି

ନା ସୁମିତ୍ରା। କିନ୍ତୁ ସେମାନଙ୍କ ବ୍ୟବହାର ରେ କେବେ ସୁମିତ୍ରା ନିଜ ପାଇଁ କି ସତ୍ୟ ପାଇଁ ସ୍ନେହ

ଶ୍ରଦ୍ଧା ଅନୁଭବ କରିପାରେନା। ପ୍ରତ୍ୟେକ କଥାରେ ସ୍ବାର୍ଥର ଗନ୍ଧ ବେଶ୍ ବାରିହୁଏ। ଏକଥା କେବେ ଯଦି ସେ ସତ୍ୟପ୍ରକାଶଙ୍କୁ କହେ ତାଙ୍କ ଠାରୁ ଭଲମନ୍ଦ ଶୁଣେ। ତା ସହ କେମିତି ବ୍ୟବହାର କରନ୍ତି ସତ୍ୟ କେବେ ଦେଖନ୍ତିନି। ତେଣୁ ସୁମିତ୍ରା କଥାକୁ ସେ ବିଶ୍ବାସ କରନ୍ତିନି।


   ଶାଶୁ ଘରକୁ ଛୁଟିରେ ଗଲେ ଶାଶୁ କେହି ନଥିଲା ବେଳେ କହିବେ ତୁ କାହିଁକି ଆସିଛୁ। ଏତେ ବାଟରୁ ଦୌଡ଼ି ଦୌଡ଼ି ଆସୁଛୁ କେଇଦିନ ପାଇଁ। କ'ଣ ଲାଭ? ଏକଥା ଶୁଣି ସୁମିତ୍ରା କୁ ବହୁତ ବାଧେ। ଏ କ'ଣ ତା ଘର ନୁହେଁ? ଚାକିରି ପାଇଁ ସିନା ଦୂରରେ ରହୁଛି ,ମନ ହେଲେ ଛୁଟିରେ ସେ ଆସିବା କ'ଣ ମନା? ପୂଜା ପାର୍ବଣ ରେ ଗଲେ ନଣନ୍ଦ କହିବେ ଆମେ ଭାଇର ବାଣ୍ଟ

ଖାଉଥିଲୁ।ଏବେ ତୁମେ ଆସିଗଲ ଆମର ଗଲା।

ଏକଥା ଶୁଣି ସୁମିତ୍ରା କିଛି କହେନା ସିନା ସେମାନଙ୍କର ମନୋବୃତ୍ତିର ପରିଚୟ ବେଶ୍ ବୁଝିପାରେ। ଏମିତି ଥରେ ସୁମିତ୍ରା ଶାଶୁଘରେ ଥିଲା ବେଳେ ଗାଁ ରୁ ଦୁଇଜଣ ହିସାବରେ ଜେଜେମା ହେବେ ,ବୁଲି ଆସିଲେ। କହିଲେ ଏମିତି ଏତେ କମ୍ ଦିନ ପାଇଁ କାହିଁକି ଆସୁଛୁ।

ସେ ତ ପୁଅ ବାହା ଦେଇ ହାତରେ ରାନ୍ଧି ଖାଉଛି। କି ଲାଭ ତୋତେ ଆଣି। ଏକଥା ଶୁଣି ସୁମିତ୍ରା ତାଙ୍କୁ ମଜାରେ କହିଲା ତା ହେଲେ ମୁଁ ଚାକିରୀ ଛାଡିଦେଉଛି। ଭଲ ହେବ। ରାନ୍ଧି ବାଢ଼ି ଖାଇବାକୁ ଦେବି। ଏତିକି ଶୁଣୁ ଶୁଣୁ ଶାଶୁ ଗର୍ଜି ଉଠିଲେ ସୁମିତ୍ରା ଉପରେ। କହିଲେ କ'ଣ କହିଲୁ। ଚାକିରି ଛାଡ଼ି ବସି ଖାଇବୁ। ମୋ ଘରେ ବସି ଖାଇବାକୁ ନାହିଁ। ସେ ଦୁହେଁ ଜେଜେମା ମଧ୍ୟ ତାଙ୍କୁ କହୁଥାନ୍ତି ହଁ ମ ସେ ଆସୁକି ନ ଆସୁ । ତୋର କ'ଣ ଅଭାବ ଅଛି କି ? ତୋର ଦି ଦି ଟା ପୁଅ । କାଲି ସକାଳେ ବାହା ହୋଇ ବୋହୂ ଆଣିବୁ। ତୋର ଦୁଃଖ ଯିବ।   


    ସୁମିତ୍ରା ଆଖି ଜକେଇ ଆସିଲା। ଭାବୁଥାଏ ଦେଖତ ଯେଉଁ ମାନଙ୍କ ପାଇଁ ଆମେ ଦୁଇ ପ୍ରାଣୀ

ଅଲଗା ଅଲଗା ରହି ପଇସା କମଉଛୁ ସେମାନଙ୍କ ମନରେ ଆମ ପ୍ରତି ଟିକେ ଦରଦ ନାହିଁ। ସେ ଦିନ ତାଙ୍କ ଭଉଣୀ ପୁଅଝିଅଙ୍କୁ ଧରି ବୁଲିଆସିଲେ। ଶାଶୁ ଆସି କହିଲେ ମୋ ଭଉଣୀ

ପୁଅଝିଅଙ୍କୁ ହଜାରେ ଲେଖାଁ ଦେବୁ। ପ୍ରଥମ ଥର ତୋତେ ଦେଖିବାକୁ ଆସିଛନ୍ତି। ସୁମିତ୍ରା କହିଲା ଏତେ ଗୁଡାପଇସା ତ ହେବନି। ଏତିକିରେ କହି ଉଠିଲେ ସେ ସତ୍ୟ ଡାଙ୍କୁଣୀଖିଆ ଜେମିତିଆ

ଏଥୁ୍ରୁ ଗୋଟେ ଆସିଛି ସେମିତିକା। କଥାରେ କହନ୍ତି ନା ଯେଉଁ ରୁଅ କୁ ଯେଉଁ ବାଉଁଶ ,ବିଧାତା ଗଢିଛି ଦେଖିବ ଆସ। ଏତିକି କହି ମୁହଁ ଛିଞ୍ଚାଡି ଚାଲିଗଲେ। ସୁମିତ୍ରା ଭାବୁଥିଲା ଏ ଦୁନିଆଁ କେତେ ସ୍ବାର୍ଥ ପର ସତେ।ଯାହା ପାଇଁ ତ୍ୟାଗ କରେ ସେହିମାନେ ହିଁ କୃତଘ୍ନ ହୁଅନ୍ତି।



Rate this content
Log in

More oriya story from namita jena

Similar oriya story from Drama