Satyabati Swain

Tragedy

3  

Satyabati Swain

Tragedy

ଋତୁର ଡାଇରୀ

ଋତୁର ଡାଇରୀ

14 mins
279


ଋତୁର ଡାଇରୀଟି ହାତରେ ଧରି ପାଗଳ ପରି ହେଉଥିଲେ ଦିଲ୍ଲାବୁ । ଋତୁ ...ଋତୁର କରୁଣ ଚିତ୍କାର କୋଠରୀ ଚାରିପାଖ ପୃଥିବୀ ଭିତରେ ସୀମିତ ନ ହୋଇ ପହଁରି ଯାଉଥିଲା ବାହାର ପବନରେ । 

ଦିଲ୍ଲାବୁ ଦିଲ୍ଲାବୁ ବୋଲି ସବୁବେଳେ ହୁରି ପକାଏ ମୋ ସ୍ତ୍ରୀ । ମୁଁ ଦିଲ୍ଲାବୁ ଓରଫ ଦିଲ୍ଲୀପ ବରାଳ । ବୋଉ ବାପା ଡାକନ୍ତି ଦିଲା କେତେବେଳେ ଦିଲୁ । କିନ୍ତୁ ବଡ଼ ହେଲା ପରେ କେହି କେହି ବରାଳ ବାବୁ, ବରାଳେ ବା ଦିଲ୍ଲାବୁ ଡାକନ୍ତି । ଏଇ ଦିଲ୍ଲାବୁ ଡାକ ଟା ବେଶୀ ପ୍ରସିଦ୍ଧି ପାଇଛି । ମୁଁ ବି ଖୁସି ହୁଏ କେହି ଦିଲ୍ଲାବୁ ଡାକିଲେ । କାହିଁକି ନା ମୋ ସ୍ତ୍ରୀ ମୋତେ ଏଇ ନାଆଁରେ ଭାରି ଗେହ୍ଲେଇ କି ଡାକନ୍ତି । ମୋ ସ୍ତ୍ରୀ ମୋ ଜୀବନର ସପ୍ତମ ଋତୁଟିଏ । 


ନାଁ ତାର ଋତୁପର୍ଣ୍ଣା, ଋତୁ । ଆମର ପ୍ରେମ ବିବାହ । ବାପା ପ୍ରଥମେ ଟିକେ ଅରାଜି ହେଉଥିଲେ । ବୋଉ କହିଲା ନଅଟା ନାହିଁ କି ଛଅଟା ନାହିଁ । ଗୋଟିଏ ବୋଲି ଛୁଆ, ଆମ ଆଖି । ତା ଖୁସିରେ ଆମେ ଖୁସି । ସେ ଯଦି କହୁଛି କେଉଁଠି ଭଲ ପାଇଛି ସେଇଠି ବିବାହ କରିଦେବା । ନଲେ ଆଜିକାଲି ଯୁଗ ଦେଖୁଛଟି କେମିତି କଞ୍ଚା ଛୁଆ ଗୁଡାକ ବାଇଆ ହୋଇ ଆତ୍ମହତ୍ୟା କରୁଛନ୍ତି! କି ଅବୋଧ ମୂର୍ଖ ବାପା ମାଆ ଗୁଡା କେଜାଣି ଏଇ ସାନ କଥାଟି ବୁଝି ପାରୁନାହାନ୍ତି କେମିତି । ପିଲାଙ୍କ ଖୁସିରେ ଖୁସି ନ ହୋଇ ନିଜ ଜିଦରେ ଅଟଳ ରହୁଛନ୍ତି । 

ବୁଝିଲ ଦିଲାପା ତୁମେ ଆଉ ସେ ମରହଟିଆ କଥା କୁହନି । ଯୁଗ ବଦଳୁଛି । ତା ସହ ଆମେ ବଦଳିବା ଦରକାର । ବୁଝାମଣା କର ସମୟ ସହ । ଅପଡେଟ୍ ହୁଅ । ଧରିକି କାଇଁକି ବସୁଛ ପ୍ରଥା ପରମ୍ପରା, ବଂଶ ବୁନିଆଦି । ଏଗୁଡ଼ାକ ମଣିଷ ନିଜ ସୁବିଧା ପାଇଁ ଗଢିଥିଲା । ଉତ୍ତରପିଢ଼ିଙ୍କ ନା ପସନ୍ଦ ହେଲା ସେମାନେ ନିଜ ବାଟ ତିଆରି କରି ଚାଲିଲେ । ସେଥିରେ ଏତେ ଆପତ୍ତି କାହିଁକି?

ଖାସ୍ ତୁମରି ମୁହଁ ପାଇ ଦିଲାଟା ଅବାଟକୁ ଚାଲିଗଲା ଦିଲାଉ । 

କଣ ଏମିତି କଲା ? ଦିଲା କହୁଥିଲା ଗାୟକ ହେବ, କେତେ ସୁନ୍ଦର ଗୀତ ଗାଏ ମୋ ପୁଅ । କିନ୍ତୁ ତୁମ ଏକା ଜିଦରେ ସେ ସଉକଟି ଛାଡିଲା । ସେ କହୁଥିଲା ସୈନିକ ହେବ, ତୁମେ କହିଲ ନା ଗୋଟେ ବଡ଼ ଅଫିସର୍ ହେବ, ହେଲା । ତୁମ ଇଚ୍ଛାରେ ଆଜିଯାଏ ସେ ବଞ୍ଚି ଆସିଛି । ଏବେ ସେ ବଡ଼ ହେଲାଣି । ଭଲ ପୁଅ ବୋଲି କହୁଛି ତା ବିବାହ ବୁଝା ବୁଝି କରି ଗାଆଁ ରେ କର । ନଚେତ ବଡ଼ ଅଫିସର୍ ପୁଅ ସେ ଯଦି ତା ମନକୁ ମନ ଆମକୁ ନ ପଚାରି ବାହା ହୋଇ ପଡ଼ିଥାନ୍ତା, ତୁମେ କଣ କରିଥାନ୍ତ । 

କଲା ନାହିଁ, ମନକୁ ବାଛି ପାରିଲା, ଆଉ ବାହା ହେବା କେତେ ଦୂର । ମନ ବିଡ଼ିଆକୁ ପଚାରୁଛି । ସବୁବେଳେ ଗୋଟେ ପୁଅ ପାଟିଆ ହେଲ । 

ପୁଅ ପଟିଆ ନୁହେଁ ମୁଁ ଠିକ୍ ପଟିଆ ହେଉଛି । ତୁମର ଗୋଟେ ଆଣ୍ଡୁଆ ନୀତି ଗଲା ନାହିଁ । 

  ଆରେ ବାବା!ତାଙ୍କ ଜୀବନ, ସେମାନେ ଜୀଇଁବେ । ଜନ୍ମ କରଛେ ବୋଲି ସେମାନଙ୍କ ଇଚ୍ଛାର ଗଳା ଟିପି ତାଙ୍କୁ ଜୀଅନ୍ତା ଶବ କରିବା, ନତୁବା ବାଧ୍ୟ କରିବା ଆତ୍ମହତ୍ୟା କରିବାକୁ!ଯୁଗ ବଦଳୁଛି ଘାଉଁ ଘାଉଁ । ବାପାମାଆଙ୍କ ଦୃଷ୍ଟି ଭଙ୍ଗୀ ବଦଳିବା ଉଚିତ, ପିଲାଙ୍କୁ ବୁଝିବା ଦରକାର । ଅଛି କଣ ସେଇ ତୁମ ଆମ ଯୁଗ!!ବାଧ୍ୟ ସନ୍ତାନ ହେବା । ଏବେ ତ ସବୁ ଅବୁଝା, ଅବାଧ୍ୟ । 

ହେଲେ ଦିଲାଉ ସବୁ ଠିକ୍ ଯେ ଝିଅଟି ଆମ ପୁଅଠୁ ବୟସରେ ବଡ଼, କେମିତି ବାହା କରିବା କହିଲୁ?

ବଡ଼ କି ସାନରେ କି ଯାଏ । ସେମାନେ ପରସ୍ପରକୁ ଭଲ ପାଉଛନ୍ତି ଏଇଟା ହିଁ ସବୁଠୁ ବଡ଼ ସତ୍ୟ । ପୁଅ ବଡ଼ ହେଉଥିଲା ଝିଅ ଅପେକ୍ଷା । ଝିଅ ଯଦି ବଡ଼ ହେଲା ବେଦ ଅଶୁଦ୍ଧ କାଇଁ ହେଉଛି ! ସ୍ୱାମୀ ସ୍ତ୍ରୀ ପରା ଏବେ ବନ୍ଧୁ ହୋଇ ଗଲେଣି । ପତି ଦେବତା ହେବା ଜମାନା ନାହିଁ ଗୋ । 

ସେମିତି କୁହନି ଦିଲାଉ । ତୁମେ ମୋତେ ମାନ କି ନାଇଁ ?

ହଁ ମାନେ । ତୁମ ତ ମୋ ଓ ଦୁଃଖ ସୁଖର ସାହା ହେଉଥିବା କଥା କୁହା ଦେବତା । ମୋ ସୁଖଶିରୀ ଓ ଗର୍ଵ । କିନ୍ତୁ ମୁଁ ଯାହା କରିବି ଏ ଦୁନିଆଁ ସେଇଆ କାହିଁକି କରିବ !

ବୁଝିଲ ଦିଲା ବାପା! ଆଜିକାଲି ସବୁଠୁ ନିର୍ବୋଧ, ଏଇ ଟିନ୍ ଏଜର ପୁଅ ଝିଅ ଗୁଡା । ଆରେ ବାବୁ ଦୁର୍ଲ୍ଲଭ ମଣିଷ ଜନ୍ମଟିଏ ଈଶ୍ୱର ଦେଇଛନ୍ତି । ସେଇଟିକୁ ନଜୀଇଁ କି ଜୀବନ ଦେବ! ଆମ ଗାଆଁ ମାଗୁଆ ପୁଅ ଓ ଶିବା ଝିଅ କଣ କଲେ ! ବାପା ମାଆ ରାଜି ହେଲେ ନାହିଁ ବୋଲି ଦୁଇଜଣ ଯାକ ଫ୍ୟାନରେ ଓହଳିଲେ ଶିକା ଶିକି ହୋଇ ! ଦି ଟା କି ସୁନ୍ଦର ଜୀବନେ ଅକାଳେ ଉଜୁଡିଲା । 

ଦିଲାପା ! ପିଲାମାନଙ୍କର ଏଇ ବୟସଟି ଅତ୍ୟଧିକ ସ୍ପର୍ଶକାତର ସମୟ । ଅତି ସାବଧାନତା ସହ ହ୍ୟାଣ୍ଡେଲ ନ କଲେ ଏମିତି ଘଟିବ । ବାପାମାଆଆ ପତିଆରା ଛାଡି ସେମାନଙ୍କ ବନ୍ଧୁ ହୁଅ, ତାଙ୍କ ମନକୁ ବୁଝ, ତେବେ ଯାଇ ସିନା ପିଲାମାନେ ଓ ବାପାମାଆଆ ଖୁସି ହୋଇ ଜୀବନ ସହଜ ଲାଗିବ । 

ଜାଣିଲ ଦିଲାଉ ଆଜିକାଲିକା ପିଲାଗୁଡା ଭଲପାଇବା ଅର୍ଥ ହିଁ ଭୁଲ ବୁଝନ୍ତି । ସେମାନଙ୍କ ପାଇଁ, ଦେହ, ଦାହ, ସମ୍ଭୋଗ ସର୍ବସ୍ୱ ପ୍ରେମର ନାମ । ଗୋଟିଏ ପାଶବିକ ମୁହୂର୍ତ୍ତର ଆବେଗ ସେମାନଙ୍କ ଜୀବନ ନେଉଛି । ଅନ୍ତତଃ ପକ୍ଷେ ପିଲା ମାନେ ଯଦି ନିଜକୁ ଭଲ ପାଇବା ଶିଖି ଯାଆନ୍ତେ ତାହେଲେ ଅବା କେଉଁ ମାଆର କୋଳ ଶୂନ୍ୟ ହୁଅନ୍ତା ନାହିଁ । 

ଆରେ ଅବୋଧ ମଣିଷପିଲା! ମଣିଷ ହୁଅ । ନିଜକୁ ପ୍ରଥମେ ପ୍ରେମ କର । ନିଜଠୁ ପ୍ରତ୍ୟେକ କାମ ଆରମ୍ଭ କର । ଦେଖିବ ଆପେ ଆପେ ଅନ୍ୟକୁ ଭଲ ପାଇ ହେବ । କିଏ ଜାଣେ ଆଉ ଗୋଟେ ଜନ୍ମ ସତସତିକା ଅଛି କି ନାହିଁ । ଏଣୁ ବାଟ ନ ଭୁଲି ଏଇ ଜୀବନଟାକୁ ବଞ୍ଚ । ଭାଵ ପ୍ରବଣତା ଦରକାର ପ୍ରତି କାର୍ଯ୍ୟରେ । କିନ୍ତୁ ସେ କି ଭାଵ, ପ୍ରେମ, ଯାହା ତୁମ ଜୀବନ ନେବ? ପ୍ରେମ ଯୁଗେ ସୃଷ୍ଟିକାରୀ । ଦେଖ ଏ ଡିମ ଛୁଆଗୁଡାକ ପ୍ରେମ ପ୍ରେମ ହୋଇ କି ଭୁଲ୍ କରୁଛନ୍ତି । 

ଆତ୍ମାକୁ ପ୍ରେମ କର, ହୃଦୟକୁ ପ୍ରେମ କର, ଜୀବନକୁ ପ୍ରେମ କର, ଜୀଇଁବାକୁ ପ୍ରେମ କର । ଏତକ ବୁଝ କି ସୁନ୍ଦର ମଣିଷ ଜନ୍ମ ଏକ ଅମୂଲ୍ୟ ଦାନ । ଏହାକୁ ତା ବାଟରେ ବଞ୍ଚିବାକୁ ଦିଅ । ଆତ୍ମହତ୍ୟା ବିକଳ୍ପ ନୁହେଁ । କଦାପି ନୁହେଁ । 


ହଁ ସେଇ ପାଇଁ ତ କହୁଛି ଦିଲାପା ମାଆବାପାଙ୍କ ଭୂମିକା ଏପରି ଘଡିସନ୍ଧି କ୍ଷଣରେ ଅତି ଗୁରୁତ୍ୱପୂର୍ଣ୍ଣ । ସେମାନେ ସେମାନଙ୍କ ଜିଦ୍ ଛାଡ଼ନ୍ତୁ । ପିଲା ଖୁସିରେ ଖୁସି ହୁଅନ୍ତୁ । ଅବା ଅକାଳ କଅଁଳ ପ୍ରାଣ କିଛି ପରିମାଣରେ ବଞ୍ଚିଯିବେ.ସମସ୍ତେ ବଦଳିଲେ । 


ମୋ ବୋଉ କିନ୍ତୁ ବୁଝିଥିଲା ଏତକ ଭଲ କରି । ଏଣୁ ବାପାଙ୍କୁ ମନେଇଁ ଋତୁ ସହ ମୋର ବିବାହ ଜଟିଳତା ଆଡକୁ ଯାଇନଥିଲା । ବାପା ମଙ୍ଗ ମୋଡୁଥିଲେ । ବୋଉ ବୁଝାଇବା ପରେ ସବୁ ଠିକ୍ ଠାକ ହୋଇ ଯାଇଥିଲା । ଚିରାଚରିତ ବିବାହ ପ୍ରଥାନୁସାରେ ଆମ ବିବାହ ହେଲା । 

ଆଉ ବାପାବୋଉ ଋତୁକୁ ପାଇ ଏମିତି ବଦଳିଗଲେ ଯେ ଆଗ ଋତୁ ପଛ ମୁଁ ହୋଇଗଲି । ଋତୁଟି ମୋର ଭାରି ସେହ୍ନି । ତା ହୃଦୟ ଅତ୍ୟନ୍ତ ବିଶାଳ । କହିବା ଶୈଳୀ ଏତେ ଚମତ୍କାର ଯେ ପଶୁଟିଏ ବି ବୋଲ ମାନିଯିବ । ଋତୁର ତୁଳନା ଅନ୍ୟ କାହା ସଙ୍ଗେ କରିବା ଅସମ୍ଭବ । ସେ ଭଗବାନଙ୍କ ସୃଷ୍ଟିରେ ବୋଧହୁଏ ଗୋଟିଏ ବିରଳ ସୃଷ୍ଟି । କିବା ମୁଁ ତାକୁ ଭଲ ପାଏ ବୋଲି ମୋ ଆଖିରେ ତା କୁ ଗୁଣ ବି ସୁ ଗୁଣ ଲାଗେ କି କଣ !

ଭାରି ଖୁସି ଲାଗିଲା ବାପାବୋଉ ଓ ଋତୁ ଭିତରେ ଅନାବିଳ ଅତ୍ମୀୟତା ଦେଖି । ଆତ୍ମ ସନ୍ତୋଷ ବି । ମୁଁ ଏକରକମ ନିଶ୍ଚିନ୍ତ ହୋଇଗଲି ଗୋଟେ ଅଶାନ୍ତିମୟ ଜୀବନକୁ ପିଠି କରି ।  

ଏମିତି ନ ହୋଇଥିଲେ ଜୀବନଟା ବୋଝ, ଅଭିଶାପ ବନିଯାଇଥାନ୍ତା । ମୋ ଋତୁ ଟା ହିଁ ଏମିତି ମନ ନେବାରେ, ସେବା ଯତ୍ନ କରିବାରେ ଏକ୍ସପର୍ଟ । 

ଅଗାଧ ବିଶ୍ୱାସ ଋତୁର ମୋ ଉପରେ ଥିଲା । ତାକୁ ପ୍ରାୟତଃ ଥଣ୍ଡା ଲାଗିରହୁଥିଲା । ପ୍ରତ୍ୟେକ କଥାରେ ସେ ମୋ ମତା ମତ ଲୋଡ଼େ । ମୁଁ ଯଦି ହଁ କହିଦେଲି ସ୍ୱୟଂ ଭଗବାନ ଆସି ସେ କାର୍ଯ୍ୟ ନ କରିବାକୁ ବାରଣ କଲେ ବି ଋତୁ ମାନିବନି । କହିବ ଦିଲ୍ଲାବୁ କହିଛନ୍ତି ମାନେ ଏଇଟା ଠିକ୍ ନିଶ୍ଚିନ୍ତ । ତାର ମୋ ଉପରେ ଅଖଣ୍ଡ ବିଶ୍ୱାସ । ସେ ଭଲ କି ଜାଣିଛି ମୁଁ ମିଛ କହେ ନାହିଁ । 

ମାତ୍ର ଗୋଟିଏ କଥାରେ, ଜୀବନରେ ସେ ବଞ୍ଚିଥିବା ଯାଏ ତାକୁ ମିଛଟିଏ କହିଲି । ସେଇ ମିଛଟି ମୋତେ ଅହରହ ଦଂଶୁ ଥିଲେ । ଭିତରେ ଝଣ ଝଣ ହୋଇ ଭାଙ୍ଗି ଯାଉଥିଲି ମୁଁ । ବିବାହ ଦୁଇ ବର୍ଷ ପରେ ଝିଅଟିଏ ହେଲା ଆମର । ବାପା ବୋଉଙ୍କ ଖୁସି ଦେଖିବ କଣ?ଗୋଡ଼ ତଳେ ଲାଗୁ ନଥିଲା । ଭୋଜିଭାତ, ଠିଆପାଲା କେତେ କଣ କଲେ । ଖାଲି ପୁଅଟିଏ ତାଙ୍କ ଜୀବନରେ ଏକମାତ୍ର ମୁଁ ଥିଲି ନା ; ମନେ ମନେ ସେ ଝିଅଟିଏ ଖୁବ୍ ଅଧିର ହୋଇ ଅଣ୍ଡାଳୁଥିଲେ ବୋଧହୁଏ । ଋତୁ ମାଆ ହେବା ଖବର ଶୁଣି କେତେ ଦିଅଁ ଦେବତାଙ୍କୁ ଝିଅଟିଏ ପାଇଁ ଡାକିଛନ୍ତି, ଭୋଗ ଯାଚିଛନ୍ତି ତାର ହିସାବ ନାହିଁ । 

ମୋ ବାପାମାଆ ଏଥିରେ ବି ବ୍ୟତିକ୍ରମ ନାତି ନୁହେଁ ତାଙ୍କର ନାତୁଣୀ ଦରକାର ଥିଲା । ଭାରି ଝିଅରଙ୍କୁଣା ମଣିଷ ଥିଲେ ମୋ ବାପା ବୋଉ । ସବୁକୁ ମିଶାଇ ଦେଲେ ମୁଁ ଦିଲ୍ଲାବୁ ଗୋଟିଏ ସୁସ୍ଥ ସୁନ୍ଦର ଖୁସିରେ ଭରପୁର ଜୀବନ ଜୀଇଁବା ଲୋକ କହିଲେ ଆଦୌ ଭୁଲ୍ ହେବ ନାହିଁ । ଖୁସି, ସୁଖ, ଶାନ୍ତି ମହକରେ ସବୁବେଳେ ମହକୁ ଥିଲା ମୋ ଘରେ । ଭାବୁଥିଲି ସବୁଠାରୁ ଖୁସି ମଣିଷଟିଏ ମୁଁ ନିଶ୍ଚିନ୍ତ । 

ସବୁ ଠିକ ଥିଲା । ଝିଅ ଜନ୍ମ ହେବାର ପାଞ୍ଚ ବର୍ଷ ପରେ ପରେ ଋତୁକୁ ଥଣ୍ଡା ଆଦୌ ଛାଡଲାନି । ଅବଶ୍ୟ ତାକୁ ସବୁବେଳେ ଆଗରୁ ଥଣ୍ଡା ଲାଗିରୁହେ । ଏବେ କିନ୍ତୁ ଉଠି ବସି ପାରିଲା ନାହିଁ । ଖାଇବା ବି ଅତି ମାତ୍ରାରେ କମି ଗଲା । କିଛି ଗୋଟେ କଲେ ହାଲିଆ ହୋଇ ବସି ପଡୁଥିଲା । ଝଡି ଯାଉଥିଲା ଦିନୁ ଦିନୁ । 

ଋତୁ ତୋ ଦେହ କଣ ହେଉଛି କି ଯେତେ ପଚାରିଲେ କହିବ, ସବୁ କଥାରେ ତୁମର ନକାରାତ୍ମକ ଭାଵ । ଭୋକ ହେଉନି ଟିକେ ହାଲିଆ ଲାଗୁଛି ଏହା ଅର୍ଥ ମୋ ଦେହ ଖରାପ !

କେବେ ଜଣାଇବାକୁ ଦିଏନି ସତରେ ତା ଦେହ ଖରାପ ହେଉଛି । ପଚାରିଲେ ହସିଦେଇ କଥା ବାଁରେଇ ଦେବ । କି ଅଜବ ଝିଅ ସବୁବେଳେ ହସ ହସ ମୁହଁ । 

ବାପା ବୋଉ ମୋ ଉପରେ ଗେଜେରେ ଗେଜେରେ ହେଲେ । ଋତୁକୁ ଭଲ ଡାକ୍ତର ନେଇ ଦେଖାଉ ନାହିଁ କାହିଁକି । ତାଙ୍କ ସୁନା ଲାଖି ବୋହୁଟା କେମିତି ଦିଶୁଛୁ ତାକୁ ଦେଖା ଯାଉ ନାହିଁ । ସେ ଖାଲି ଆମ କଥା ବୁଝିବ?

  ଅଫିସ୍ ଛୁଟି ନେଇ ସବୁଠାରୁ ଭଲ ଡାକ୍ତର ଯେକି ମୋ ସଙ୍ଗେ କଲେଜରେ ପଢୁଥିଲା ତାକୁ ଋତୁକୁ ନେଇ ଦେଖାଇଲି । ଦେହ ଭିତର ବାହାର ଟିକି ନିକି ପରୀକ୍ଷା କରାଇଲି ।  

ଡାକ୍ତରଙ୍କ ରିପୋର୍ଟ ମୋ ହୋସ ଉଡାଇଦେଲା । ଋତୁକୁ ବ୍ଲଡ଼ କ୍ୟାନ୍ସର!ସେ ପୁଣି ଲାଷ୍ଟ ଷ୍ଟେଜରେ । ଅତି ବେଶୀରେ ଆଉ ମାତ୍ର ଦେଢ଼ ମାସ ବଞ୍ଚିପାରେ!

  

ଏକଥା ଶୁଣି ମୋ ମୁଣ୍ଡ ଉପରେ ସତେକି ଅକାଶଟି ଛିଡି ପଡିଲା ଓ ମୁଁ ଚାପି ହୋଇଗଲି ମାଟି ଭିତରକୁ । ହୃଦୟ ଭୋ ଭୋ କରି କାନ୍ଦି ଉଠିଲା । ଋତୁ ମୋ ସ୍ତ୍ରୀ ମୋ ଭଲ ପାଇବା, ଆଉ ମାତ୍ର ଦି ଦିନ ପାଇଁ ସାଙ୍ଗ ହେବ ମୋ ସଙ୍ଗେ!

ଡାକ୍ତର ଜଣକ ମୋ ଅତି ଘନିଷ୍ଠ ବନ୍ଧୁ । ମୋତେ ଏକା ଭିତରକୁ ଡାକି ନେଇ କହିଲେ ବୁଝିଲୁ ଦିଲ୍ଲୀପ ଆମ ହାତରେ ଆଉ କିଛି ନାହିଁ । ମୁଁ ତ ଆଶ୍ଚର୍ଯ୍ୟ ହେଉଛି ଏତେ ଯନ୍ତ୍ରଣା ତୋ ମିସେସ୍ ସହେ କିପରି!!ପୃଥିବୀର ଯେଉଁ କୋଣକୁ ନେଲେ ବି ସେ ଭଲ ହେବେନି । ଏଣିକି ଯନ୍ତ୍ରଣା ତାଙ୍କର ଖୁବ ହେବ । କେବଳ ପେନ୍ କିଲର୍ ତାଙ୍କୁ ଦେବାକୁ ପଡିବ । ପ୍ରଥମରୁ ଆଣିଥିଲେ ହୁଏତ କିଛି କରି ହୋଇଥାନ୍ତା । ଏବେ ସେ ଲାଷ୍ଟ ଷ୍ଟେଜର ଲାଷ୍ଟରେ । 

  ମୁଁ ଧରି ପକେଇଲି ମୋ ସାଙ୍ଗ ଡାକ୍ତର ହାତ । ସତରେ ଏମିତି ହେବ!ପାରିବୁ ନାହିଁ ତୁ ଭଲ କରି । ଫରେନ୍ ଫେରନ୍ତା ଡାକ୍ତର ବା କୁଆଡେ ତୁ । କେମିତି କହି ପାରୁଛୁ ଋତୁ ଆଉ ମାତ୍ର..ଦେଖିଲୁ ତାକୁ କି ସୁନ୍ଦର ସଖୀ କଣ୍ଢେଇ ଟିଏ ସେ । କି ନିରୀହ ମୁହଁ । ଜାଣି ପାରୁଛୁ ନା ତା ବ୍ୟବହାର କେତେ ସୁନ୍ଦର । ଏମିତି ଗୋଟିଏ ସୁନା ପ୍ରତିମା ଆଉ ଦିନ କେଇଟା ବଞ୍ଚିବ!!

ମୋ ବନ୍ଧୁ ମୋତେ ଆଶ୍ୱାସନା ଦେଇ କହିଲା ପାରିବୁ ଯଦି ସବୁ ଖୁସି ଅଜାଡି ଦେ ତା ପାଦ ତଳେ । ତାକୁ ମନ ଭରି ବଞ୍ଚିବାକୁ ଦେ । ସେ ଯାହା ଚାହିଁବ ପୁରଣ କର । 

କିନ୍ତୁ ମୋର ଗୋଟିଏ କଥା ରଖ ବନ୍ଧୁ । ମୁଁ କାକୁତି ମିନତୀ ହୋଇ କହିଲି---ଋତୁ ଯେମିତି ନଜାଣେ ତାକୁ କ୍ୟାନ୍ସର, ପ୍ଲିଜ୍ । ମୋ ବ୍ୟତିତ ଆଉ କେହି ଯେପରି ନ ଜାଣେ ଏକଥା । ସେମିତି ଆନ୍ଧାରରେ ରହି ଥାଉ ;ଦେଢ଼ ମାସ କଣ, ଜାଣିଲେ ସେ ଏଇ ସଙ୍ଗେ ସଙ୍ଗେ ମରିଯିବି । 

କୋହକୁ ଚାପି ହସି ହସି ଡାକ୍ତରଙ୍କ ଚ୍ୟାମ୍ବର ଭିତରୁ ଆସିଲି ମୁଁ । ଋତୁ ଉତ୍କଣ୍ଠିତ ହୋଇ ପଚାରିଲା

---ଡାକ୍ତର କଣ କହିଲେ?


କିଛି ନାହିଁ । ଥଣ୍ଡା ଟା କନିକ୍ କୋଲଡ଼ର ରୂପ ନେଇଛି । ଯେଉଁଥି ପାଇଁ ହାଡ଼ ସବୁ ଦରଜ ହେଉଛି । ପ୍ରେସର ବି ଲୋ ଅଛି । ସେଇଥିପାଇଁ ଦେହ ହାତ ଥରୁଛି । ବେଳେ ବେଳେ ଅନ୍ଧାର ବି ଦେଖା ଯାଉଛି । ପ୍ରତିଦିନ ଔଷଧ ଖାଇଲେ ଭଲ ହୋଇଯିବ । 

ଋତୁ କହିଲା--ମୋର କିଛି ହୋଇନି କି ହେବନି ମ । ବାପାବୋଉ ଓ ତୁମେ ତୁଚ୍ଛାରେ ଏମିତି ଡରୁ ଥିଲା ନା...

ଭଲ ହେଲା ଆମେ ସବୁ ଟେଷ୍ଟ କରିନେଲୁ । ଆମେ ଜାଣିଲେ ତୁମର କିଛି ହୋଇନି । ଏଣୁ ନିଦକ । ଏକଥା କି କଷ୍ଟରେ ଋତୁକୁ ମୁଁ କହୁଥିଲି ସେଇଟି କେବଳ ମୁଁ ଜାଣେ । 

ଆଛା ଏତେ ଦିନେ ବାହାରକୁ ଆସିଛ, ଚାଲ ଆଜି ଆମ ଫେବରିଟ୍ ହୋଟେଲ ଯିବା, ମନ ଭରି ଖାଇବା । ଛତୁ ପକୋଡା ତୁମକୁ ଭଲ ଲାଗେନା ? ଚାଲ ସେଇଆକୁ ଖାଇବା, ଟିକେ ମନେ ପକାଇବା ଆମ ପଛ ଦିନ । ସେଇ ନିର୍ଦ୍ଦିଷ୍ଟ ଟେବୁଲ ରେ ବସିବା । କଣ କହୁଛ, ମଜା ହେବ ନା ?

  ଆଉ ବାପା ବୋଉ--କଣ ଖାଇବେ?ଋତୁ ପଚାରିଲା । ଝିଅଟି ତେଣେ ବାପା ବୋଉଙ୍କୁ ନାକେଦମ୍ କରି ବଣି । ନାଇଁ ନାଇଁ ଚାଳ ଘରକୁ ଯିବା ଋତୁ କହିଲା । 

 ସେ ହୋଟେଲ ଫୋଟେଲ କଥା ଛାଡ । 

 

ମୁଁ ମନେ ମନେ କହି ହେଲି ତୁମ ପରେ ସେମାନେ ଯେମିତି ଖାଇବେ---- ଏଣିକି ତ ଝିଅଟି ତୁମ ବିନା ବଞ୍ଚିବା ଶିଖୁ । ଆଉ ଭାବିଲି କେତେ ଦାୟିତ୍ୱବାନ ଝିଅଟି ମୋ ଋତୁ । ମାତ୍ର ସତେଇଶି ବର୍ଷ ବୟସ । ସେ ପୁଣି ଅଳିତା ଲଗାଇ ବସିଲାଣି ସେପୁର ଯାତ୍ରା ପାଇଁ !ମୋ ଭିତରଟି କୋରି ହୋଇ ଯାଉଥିଲା । ମନ ଓଦା ଓଦା । 

 

ଚିନ୍ତା କାଇଁ କରୁଛ?ତାଙ୍କ ପାଇଁ ପ୍ୟାକ୍ କରି ଖାଇବା ନେଇଯିବା । ମନର କଥା ଗୋପନ ରଖି ମୁଁ କହିଲି, ଝିଅ ବାପା ବୋଉଙ୍କ ପାଖେ ତ ଅଛି । ଚିନ୍ତା କଣ?କେବେଠୁ ହୋଟେଲ ଯାଇ ଖାଇନେ କି ପାର୍କ ସିନେମା ଯାଇନେ । ବାହା ନ ହେଲା ବେଳେ କେତେ ଲୁଚି ଛପି ଯାଉଥିଲେ । ଏଇ ବିବାହ ଲାଇସେନ୍ସ ପାଇଗଲା ପରେ ସବୁ କେମିତି ଭୁଲି ଯାଇଛେ ଆମେ । ଲୁଚା ଛପା ମଜା କିନ୍ତୁ ଯାହା କୁହ ସତରେ ନିଆରା । ମନେ ପଡୁଛି ତୁମର ! କେହି କାଳେ ଦେଖିଦେବେ ବୋଲି ତୁମେ କେମିତି ମୋ ସାଙ୍ଗେ କୁଆଡେ ଯିବାର ଥିଲେ ଆଗ ପଳାଇ ସେଇ ବିକାନା ଦୋକାନ ପଛ ପଟେ ଲୁଚି ବସୁଥିଲ??


ଋତୁ ଲାଜେଇ ଯାଇ ଆଖି ନଚେଇ କହିଲା--ହେଉ ଦିଲ୍ଲାବୁ ଆଜି ଭାରି ରୋମାଣ୍ଟିକ ମୁଡରେ ଅଛ?କଥା କଣ?ପୁଣି ଫେରି ଯାଉଛ କି ସାତ ଆଠ ବର୍ଷ ତଳକୁ । ଆମେ ବା ଏବେ କେତେ ଆଗରେ । ଭରା ପୁରା ସଂସାରଟିଏ ଆମର!ଏମିତି କଣ ନୂଆ ନୂଆ ପ୍ରେମ କଲା ପ୍ରେମିକ ପରି ହେଉଛ!!

  ମନେ ମନେ କହିଲି ଫେରି ଯାଆନ୍ତି କି ସାତ ଆଠ ବର୍ଷ ତଳକୁ । ପୁଣି ଋତୁ ସହ ପ୍ରେମିକ ହୁଅନ୍ତି । ସାଥି ହୋଇ ରୁହନ୍ତୁ ଆଉ କିଛି ଦିନ । ନିଜ ଅବ୍ୟକ୍ତ ଦୁଃଖର ଭାବକୁ ଚାପି ରଖି କହିଲି, ହଁ ମୁଡରେ ତ ଅଛି । ହେବନି ତୁମକୁ ଯେ କିଛି ରୋଗ ନାହିଁ ଏକଥା ଜାଣିଲା ପରେ ମୁଁ ବହୁତ ଖୁସି । ଖୁସି ମନେଇବାର ଅଛି ନା । ପୁରା ଦିନ ଆମର । କେବଳ ତୁମର ମୋର । ଖାଇବା ପଠେଇ ଦେବି ଘରକୁ, ବାପା ବୋଉ ଖାଇବେ । ହୋଟେଲ ଯିବା ; ସିନେମାଦେଖିବା;ଘେରାଏ ବୁଲିବା ଆଜି ମନ ଭରି । ଝିଅ ହେଲା ପରଠୁ କେଉଁଠିକୁ ବୁଲିଯାଇ ନାହାନ୍ତି

 ଆମେ । 

 

କଥା କଣ?କି ମତଲବରେ ଅଛ କି ଦିଲ୍ଲାବୁ !ପୁରା ରସିକ ପ୍ରବର? ଋତୁ ଖୁବ ସୁନ୍ଦର ଲାଜୁଆ ହସ ହସି କହିଲା । ସ୍ତ୍ରୀର ଏଇ ଲାଜ ମିଶା ପ୍ରେମଟି ପ୍ରତି ସବୁ ପୁରୁଷଙ୍କ ଆସକ୍ତି ଅଧିକ । ଏଇ ଲାଜୁଆ ହସ ଭିତରେ ଯେଉଁ ପ୍ରେମର ନିମନ୍ତ୍ରଣ ଓ ଆହ୍ୱାନ ଥାଏ, ପୁରୁଷ ଟାଣି ହୋଇଯାଏ ଆପେ ଆପେ । ରୋମାଣ୍ଟିକ ହୋଇଯାଏ ଦେହ ମନ ଆତ୍ମା ଓ ଜୀବନ । 

ହେଲେମକେମିତି ବୁଝେଇବି ତୋତେ ଲୋ ଋତୁ!!, ଏସବୁ କରିବାରେ ମୋତେ କେତେ କଷ୍ଟ ହେଉଛି । କେମିତି ମୋ ଛାତି ପାହାଡ଼ କେମିତି ରୋଗ ଡିନାମାଉଟିରେ ଫାଟୁଛି । ଭିତରେ କାନ୍ଦି ମୁହଁରେ ହସ ଫୁଟେଇବା କେତେ ଯନ୍ତ୍ରଣା ଦାୟକ! ତୁ ତ ଜାଣିନୁ । ଏଣୁ ଏତେ ସ୍ୱାଭାବିକ ହେଉଛୁ । 

ମୁଁ ପରା ଜାଣି ଅଭିନୟ କରୁଛି! ଏଇ ହାତ ଧରି ଆମ ଘରକୁ ତୋତେ ଆଣିଥିଲି । ପୁଣି ଏଇ ହାତରେ ତୋତେ ଏତେ ଶୀଘ୍ର ବିଦା କରିବି ବୋଲି କଣ ଜାଣିଥିଲି! ତାର କେଉଁଥିରେ ମନ ନଥିଲା । ଖାଲି ଅଥୟ ହେଲା ଘରକୁ ଚାଲ ଘରକୁ ଚାଲ । 

ସେବେଠୁ ମୁଁ ଯଥାସାଧ୍ୟ ଚେଷ୍ଟା କଲି ଋତୁ ପାଖେ ପାଖେ ରହିବାକୁ । ଦିନେ ଦିନେ ଅଫିସ୍ ଯିବାକୁ ମନ କୁହେନି । ଋତୁ ଟାକୁ ଖୁସି କରିବାକୁ ହୃଦୟ କାନ୍ଦେ । ସାରା ଜୀବନର ପ୍ରେମ ତା ଉପରେ ଅଜାଡି ଦେବାକୁ ମନ କୁହେ । ମାତ୍ର ଋତୁ ମୋତେ ଠେଲି ପେଲି ଅଫିସ୍ ପଠାଏ । କୁହେ ପୁଅ ପିଲା ଘରେ ମାଇଚିଆ ହୋଇ ବସିବ କଣ?କାମ ନ କଲେ ଈଶ୍ୱର ଅସନ୍ତୁଷ୍ଟ ହେବେ । । କୌଣସି ବାହାନା ଚଳିବ ନାହିଁ ଦିଲ୍ଲାବୁ । ଏବେ ତୁମର ଖଟିବା ବୟସ । ତୁମେ ଯେବେ ବୁଢା ହୋଇଯିବ ସେତିକି ବେଳେ ଆମେ ଦୁହେଁ ଦୁହିଁଙ୍କ ପାଖେ ପାଖେ ରହିବା । ମୁଁ ବାରମ୍ବାର ଚାହା ପକୁଡି କରି ତୁମକୁ ଦେଉଥିବି, ସାଙ୍ଗ ହୋଇ ବସି ଖାଲି ଗପିବା । ମନେ ପକାଇବା ତୁମେ କେମିତି ରାଧାନାନୀ ଶାଶୁଘରେ ଦେଖି ପୁଳାଏ ଚୁମୁଟି ଦେଇଥିଲା । ମୁଁ ଆଃ କହିଲା ବେଳକୁ ମୋ ପାଟି ଜୋରରେ ବନ୍ଦ କରିଦେଇଥିଲ, ସବୁ କଥା ମନେ ପକେଇ ବହେ ହସିବା । ଏବେ କିନ୍ତୁ କାମ ଦିଲ୍ଲାବୁ । 

ମୁଁ କୁଣ୍ଠିତ ମନରେ କୃତ୍ରିମ ହସ ହସି ଭାବେ ସତରେ ଏମିତି ହୋଇଥିଲେ କେତେ ଭଲ ହୋଇଥାନ୍ତା । କିନ୍ତୁ ମୁଁ ତ ଅଭାଗା ! ଆଉ ମାସେ ପରେ ତୁମେ ମୋତେ ଏକା କରି ଚାଲିଯିବ । ଆଉ କଣ ମୋତେ ସମୟ ମିଳିବ ତୁମ ସଂଗ ପାଇବାକୁ, ପାଖେ ପାଖେ ରହିବାକୁ । ମୁଁ ତ ସାରା ଜୀବନ ତୁମକୁ ମନେ ପକାଇ ଲୁହ ପିଇ ଏକା ବଞ୍ଚିବିରେ ଋତୁ । ଏମିତି ହୁଅନ୍ତା ନି ଡାକ୍ତରଙ୍କ କଥା ମିଛ ହୋଇ ଯାଆନ୍ତା । 

ଓଃ କି କଷ୍ଟ ଋତୁ । ତୁମେ ବୁଝିପାରିବ ନାହିଁ ତୁମ ମୃତ୍ୟୁ କିପରି ମୋ ମୁଦା ଆଖି ଆଗରେ ଦେଖୁଛି ଅହରହ । ସେ ଯେପରି ମୋଠାରୁ ତୁମକୁ ଛଡାଇ ନେବାକୁ ଲମ୍ବା ଲମ୍ବା ହାତ ଦିଟା ମେଲି ଦେଉଛି । ଭୟଙ୍କର ସେ ମୂର୍ତ୍ତି । 

 ମୋ ଇଚ୍ଛା ହେଉଛି....

କହି ଦେବାକୁ ଋତୁ ଲୋ! ତୁ ମୋ ପାଖେ ଆଉ ବେଶୀ ଦିନ ରହିବୁ ନାହିଁ । ଯେତିକି ଦିନ ରହିବୁ ମୁଁ ତୋ ପାଖରେ ରହିବାକୁ ଚାହେଁ । ପ୍ରତିଦିନ ପେନ୍ କିଲର୍ ଓ ସ୍ଲିପିଙ୍ଗ୍ ଟାଵଲେଟ୍ ଦେଇ ତାକୁ ଶୁଆଇବାକୁ ପଡେ । ସେ ଭାବେ ଥଣ୍ଡା ଭଲ ହେବା ପାଇଁ ଔଷଧ ଖାଉଛି । ଦିନେ ଦିନେ ଅସହ୍ୟ ଯନ୍ତ୍ରଣା ହୁଏ ତାର । ବାଡେଇ ପିଟି ହୁଏ । ବେହୋସ୍ ହୋଇ ପଡେ । ସହିପାରେ ନାହିଁ ତା କଷ୍ଟ । ଛାତିକୁ ଆଉଜାଇ ଆଣେ । ବ୍ୟସ୍ତ ହଅନା ଲୋ ଋତୁ । ପୁଣି ଡାକ୍ତର ପରାମର୍ଶ କରି ଔଷଧ ଦିଏ । 

ବାପା ବୋଉ ବ୍ୟସ୍ତ ହୋଇ କୁହନ୍ତି କି ଔଷଧ ଆଣି ଦେଉଛୁ ବା----ରୋଗ ବଢୁଛି ପଛେ କମିବା ନାଁ ନେଉନି! କଣ କରିବି ସମସ୍ତଙ୍କୁ ଖୁସି ରଖିବାକୁ ମୁଁ ଅହରହ ଯନ୍ତ୍ରଣା ସହ ଲେଢେଇ କରେ । କେମିତି କୁହନ୍ତି ତୁମ ବୋହୂର ରୋଗ ଭଲ ହେବନି । କେମିତି କୁହନ୍ତି ସେ ଆଉ ଆମ ସଙ୍ଗେ କେଇଟା ଦିନ ରହିବ । ତାକୁ ଥଣ୍ଡା ନୁହଁ ଲୋ ବୋଉ ବ୍ଲଡ଼ କ୍ୟାନ୍ସର୍ । କେମିତି କୁହନ୍ତି ଏ ସବୁ । ତୁମେ କେମିତି ଧୈର୍ଯ୍ୟ ଧରନ୍ତ!ଜଳୁଛି ତ ମୁଁ ଏକା । କାହିଁକି ତୁମକୁ ଜଳାଇବି । ଝିଅ ପରି ଭଲ ପାଉଛ ତାକୁ । 

ଆଜିକାଲି ତା ମୁହଁଟି ମୋତେ ଭାରି ସୁନ୍ଦର ଲାଗୁଛି । ସେ ଶୋଇ ପଡିଲେ ମୁଁ ତା ନିଥର ଶରୀରଟାକୁ ନିରୀକ୍ଷଣ କରେ । ଆହା!କେମିତି ଛାଡ଼ି ବଞ୍ଚିବି ତୋତେ ଲୋ ଋତୁ । ଛଅ ଋତୁ ତୋ ପାଇଁ ମୋତେ ସୁନ୍ଦର ଲାଗୁଥିଲା । ଋତୁ ପରର ଜୀବନ କଳ୍ପନା କଲାବେଳକୁ ମୁଁ ଅବଶ, ହତାଶ ହୋଇ ପଡେ । କେଉଁଠି ଅଛ, କିଏ ତୁମେ ଭଗବାନ ସବୁ ଭୁଲ୍ ପ୍ରମାଣିତ କରି ଋତୁକୁ ବଞ୍ଚେଇ ଦିଅ, ପ୍ଲିଜ଼ । 

 ଗୋଟିଏ ଦିନ ସରି ଯାଏ ତ ମୋତେ ବେଶୀ ବେଶୀ ଡର ଲାଗେ । ପାଖେଇ ଆସେ ଋତୁର ମୃତ୍ୟୁ । ସବୁବେଳେ ମୋ ଆଗେ ଦେଖା ଦେଉଥିଲା ମୃତ୍ୟୁର ଗୋଟିଏ ବିକଟାଳ ରୂପ । ହାତ ବଢ଼େଇ ସତେକି ସେ ଋତୁକୁ କୋଳେଇ ନେବାକୁ ବହୁତି ବ୍ୟଗ୍ର । କେତେ ହୋ ହୋ ହସେ ସେ । ମୋତେ ଯେମିତି କୁହେ ଦେଖ!ତୋ ପ୍ରେମକୁ, ତୋ ଜୀବନକୁ କେମିତି ଛଡେଇ ନେଉଛି । ତୁ ସୁଦୁ ଅଗାଡି । ତୁ ବିବଶ । ଛଡେଇ ନେବି ତୋଠୁ ତୋ ପ୍ରାଣ, ଖୁସି । ଦେଖ୍ ତୋରି ଆଗରେ ତୋ ପ୍ରାଣପ୍ରିୟା କୁ ନେଇଯାଉଛି, ତୁ କିଛି କରି ପାରିବୁନି ହା ହା ହା । 

  ମୁଁ ବାଉଳି ଉଠେ ନା ନା, ଋତୁ ଋତୁ...ଋତୁ କହି ଉଠି ପଡେ । ଦେହ ଗୋଟା ଭୟରେ ଥରିଉଠେ । 

କଣ ହେଲା ଦିଲ୍ଲାବୁ ଏମିତି ଚିଲେଉଛ?

ମୁଁ ଋତୁକୁ ଜାବୁଡି ଧରେ । କାନ୍ଦି ପକାଏ । ଖରାପ ସ୍ୱପ୍ନଟିଏ ଦେଖିଲି । ଋତୁ ହସି ହସି ଗଡିଯାଏ । ଆରେ ବିଜ୍ଞାନ ଛାତ୍ର ପୁଣି ସ୍ୱପ୍ନରେ ବିଶ୍ୱାସ--କଣ କୁହନ୍ତି ତୁମକୁ ଦିଲ୍ଲାବୁ !ସେ ମୋତେ ତା କୋଳରେ ଥାପୁଡ଼ାଇ ଶୁଆଇ ଦେବାକୁ ଚେଷ୍ଟା କରେ । 

 ଏମିତି ଦେଢ଼ ମାସ ଅତିକ୍ରମ କରି ଗଲା । ମୋତେ ଟିକେ ଭଲ ଲାଗିଲା । ଓଃ ଏ ଦେଢ଼ ମାସ କି ଦହଗଞ୍ଜ ହୋଇଛି ମୁଁ !ହେ ଭଗବାନ ତୁମେ ମୋ ଡାକ ଶୁଣିଲ, ପ୍ରଭୁ ଆଉ କିଛି ଦିନ ବଂଚିଯାଉ ଋତୁ । ଦେଢ଼ ମାସର ଦୁଇ ଦିନ ପରେ ମୁଁ ଟିକେ ଶୋଇ ପଡ଼ିଲି । ସକାଳୁ ଉଠି ଦେଖେ ତ ଋତୁ ହାତରେ ଡାଇରୀ ଟିଏ ଧରି ଶୋଇଛି । ଏଯାଏ ଉଠିନି । ଯେତେ ଦେହ ଖରାପ ଥିଲେ ବି ଶେଯରେ ଆଠଟା ହେବା ଯାଏ କେବେ ଶୁଏନି । ମୁଁ ହଲେଇ ଦେଲି ଋତୁ ---ଏ ଋତୁ ଆଠଟା ବାଜିଲାଣି ପରା ଉଠ । 

  ଋତୁ କିନ୍ତୁ ଉଠିଲାନି । ସାରା ଜୀବନକୁ ଶୋଇ ପଡିଥିଲା ନିଘୋଡ଼ ନିଦରେ । ପାଟିରେ ଲାଖି ରହିଥିଲା ଦିଲ୍ଲାବୁ ଡାକ । ଆଖିରେ ଟିକେ ହସ । ଡାଇରୀ ପଡିଥିଲା ଘର ଚଟାଣରେ । ଋତୁ ଲେଖିଥିଲା---

ପ୍ରିୟ ଦିଲ୍ଲାବୁ ;


ମୁଁ ଜାଣିଥିଲି ମୋତେ କ୍ୟାନ୍ସର, ଆଉ ମାତ୍ର ଦେଢ଼ ମାସର ସମୟ ମୋ ପାଖେ ସେଦିନ ଡାକ୍ତରଙ୍କ ସହ କଥା ହେଲେ ବେଳେ । ତୁମେ ମୋତେ ଲୁଚାଇ ଖୁସି ଖୁସି ବିଦା କରିବାକୁ ଚାହୁଁ ଥିଲ । ମୁଁ ସବୁ ଜାଣି ବି ନ ଜାଣିବା ଅଭିନୟ କରି ତୁମକୁ ଖୁସି ଖୁସି ଛାଡି ଯିବାକୁ ଚାହୁଁଥିଲି । ମୁଁ ଅନୁଭବ କରିଛି ତୁମ ଛଟ୍ ପଟ୍ ଭାଵ । ମୋତେ କଥା ଲୁଚାଇ କି ଯେ ଯନ୍ତ୍ରଣା ଭୋଗିଛ, ରାତି ରାତି ଛାତକୁ ଚାହିଁ ରାତି ପୁଆଇଛ । ମୁଁ ସବୁ ବୁଝେ । କିନ୍ତୁ ମୁଁ ସବୁ କଥା ଜାଣିଛି ବୋଲି ଜଣାଏଁନି ତୁମକୁ । ସେମିତି ଆଖି ବୁଜି ଶୋଇବାର ଅଭିନୟ କରେ । ମୋର ବହୁତ ଇଚ୍ଛା ଦିଲ୍ଲାବୁ ତୁମ ଛାତିରେ ଏମିତି ମୁଣ୍ଡ ରଖି ଶୁଅନ୍ତି ସବୁ ଜନ୍ମ ପାଇଁ । ତୁମକୁ ଅନେକ କଷ୍ଟ ଦେଲି । ଏଥିପାଇଁ କ୍ଷମା କରିଦେବ । ତୁମକୁ ବହୁତ ଭଲ ପାଏ ଦିଲ୍ଲାବୁ । ମନ କହୁନି ତୁମକୁ ଛାଡି ଯିବାକୁ, ମୋର ଭାରି ଇଚ୍ଛା ଆଉ କିଛି ଦିନ ତୁମ ସଙ୍ଗେ ସାଥି ହୋଇ ଚାଲିବାକୁ । କିନ୍ତୁ ମୋର ଯିବା ଥୟ । ମୋ ଆତ୍ମାରେ ତୁମେ ଦିଲ୍ଲାବୁ!! ମୋ ଯିବା ପରେ ଅଧୈର୍ଯ୍ୟ ହେବନି । ନିଜ ସହ ବାପା ବୋଉଙ୍କୁ ସମ୍ଭାଳିବ । ହୁଏତ ଆଉ ଗୋଟିଏ ଜନ୍ମ ଯଦି ଥାଏ ତୁମେ ହିଁ ମୋ ମନର ମଣିଷ ନିଶ୍ଚୟ ହେବ । ଆଉ ଗୋଟେ ଋତୁକୁ ଜୀବନ ସାଥି କରିବ ଦିଲ୍ଲାବୁ । ବତିଶ ବର୍ଷରୁ ଏକା ଏକା ଚାଲି ପାରିବ ନାହିଁ ଜୀବନ ରାସ୍ତା । ମୋର ଏଇ ଶେଷ ଇଚ୍ଛାଟିକୁ ପୁରାଣ କରିବ ଦିଲ୍ଲାବୁ । ତୁମ ପାଖେ ଛାଡି ଯାଉଛି ଆମ ଝିଅ ସୋନାକୁ । ସେ ତ ତୁମର ଆଉ ଗୋଟେ ସାନ ଋତୁ । ତାକୁ ମା ଟିଏ ଦେବ ନିଶ୍ଚୟ । ସବୁ ଅନ୍ଧାର ଦିଶୁଛି ଦିଲ୍ଲାବୁ । ମୋ ଛାତି, ମୋ ତଣ୍ଟି ମୋ । ଦି---ଇ-- ଲ--ଲ ତେଣିକି ଗାରେଇ ହୋଇ ଯାଇଛି ଡାଇରୀ ଟା । । କଲମ ଗଳି ପଡିଛି ଖଟ ତଳକୁ । 


  ଋତୁ...ଋତୁ କହି ଭୋ ଭୋ କାନ୍ଦୁଥିଲା ଦିଲ୍ଲାବୁ । ବୁକୁଫଟା କାନ୍ଦରେ ଫାଟି ପଡୁଥିଲା ଘରଟା । 



Rate this content
Log in

Similar oriya story from Tragedy