Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rozalini Mishra

Tragedy

3  

Rozalini Mishra

Tragedy

ରକ୍ତର ବାସ୍ନାରେ ବିଭୋର

ରକ୍ତର ବାସ୍ନାରେ ବିଭୋର

3 mins
430



  ଜଙ୍ଗଲ ଭିତରୁ ବୁଲି ବୁଲି ଆସିଲା ସମାରୁ।ଘର ଆଗରେ ପଡିଥିବା ପଥର ଖଣ୍ଡେ ଉପରେ ବସିପଡି ହାଲିଆ ମାରୁମାରୁ ଡାକ ପକେଇଲା ...

 ଖଇରା ..... ହେ ଖଇରା ......

 ରଙ୍ଗୀ .......ଆଲୋ ହେ ରଙ୍ଗୀ .....କୁଆଡେ ଗଲରେ ଦିଟା ଯାକ।

  

   ସମାରୁ ପାଟି ଶୁଣି ଧାଇଁ ଆସିଲେ ଦୁହେଁ।ଖଇରା ଚଢ଼ିଗଲା ସମାରୁର ଛାତିଯାଏ ଭରାଦେଇ।ଚାଟି ପକେଇଲା ତାର ମୁଁହ ଆଉ ବେକକୁ। ଖଣ୍ଡିଉଡା ଦେଇ ରଙ୍ଗୀ ଆସି ବସି ପଡ଼ିଲା ସମାରୁର ମୁଣ୍ଡ ଉପରେ। ଆଉ ତା ନୁଖୁରା, ଗହଳିଆ,କୁଞ୍ଚକୁଞ୍ଚିଆ କେଶରେ ଥଣ୍ଟ ଘଷିବାକୁ ଲାଗିଲା।


     ଧୁଆଧୋଇ ହୋଇ ଖାଇବା ବାଢିଲା ସମାରୁ।ଗୋଟାଏ ବଡ ଶାଳପତ୍ରରେ ତିଆରି ଥାଳିରେ କୁଢେଇ ଦେଲା ସିଝାମାଂସ ମିଶା ଭାତ ଖଇରା ପାଇଁ। ନିଜ ପାଇଁ ଅଲଗା ଥାଳିରେ ଭାତ ଗୁଣ୍ଡାଏ ବାଢି ବସି ଖାଇବାକୁ ଲାଗିଲା ସମାରୁ। କୋଉଠି ଥିଲା ଧାଇଁ ଆସିଲା ରଙ୍ଗୀ। ସମାରୁ ଥାଳିରୁ ଭାତ ଖୁଣ୍ଟିବାକୁ ଲାଗିଲା। ଦିନଯାକ ଯେତେ ପୋକଜୋକ ଖୁଣ୍ଟି ଖାଇଲେ ବି ସମାରୁ ଖାଇଲାବେଳେ ତା ଥାଳିରୁ ଦି ଚାରିଟା ଭାତ ନ ଖୁଣ୍ଟିଲେ ପେଟ ପୁରେନି ରଙ୍ଗୀର। ଖାଇ ସାରି ଟିକେ ବିଶ୍ରାମ ନିଏ ସମାରୁ ଆଉ ବାହାରେ ଖେଳନ୍ତି ଖଇରା ଆଉ ରଙ୍ଗୀ। ରଙ୍ଗୀ କେତେବେଳେ ଖଇରା ମୁଣ୍ଡରେ ବସି ତା ମୁଣ୍ଡକୁ ଖୁମ୍ପି ଦିଏ ତ କେତେବେଳେ ଖଇରା ତା ପଞ୍ଝାରେ ଠେଲି ଗଡେଇ ଦିଏ ରଙ୍ଗୀକୁ।


      ଜଙ୍ଗଲ ପାଖରେ ସମାରୁର କୁଡ଼ିଆ ଘର। ଦିନେ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କଲାବେଳେ ସମାରୁ ପାଇଥିଲା ଛୋଟିଆ ବାଘଛୁଆଟିଏ। ବାଟଭୁଲି ଏକୁଟିଆ ବୁଲୁଥିବା ଅସହାୟ ବାଘଛୁଆଟାକୁ କୋଳେଇ ଆଣିଥିଲା ସମାରୁ ନିଜ କୁଡ଼ିଆକୁ। ହଳଦିଆରେ ଈଷତ ଖଇର ରଙ୍ଗ ମିଶେଇ ଦେଲା ପରି ତା ଦେହର ରଙ୍ଗକୁ ଦେଖି ସମାରୁ ତାକୁ ସ୍ନେହରେ ଡାକେ ଖଇରା।


       ସକାଳୁ ଉଠି ଜଙ୍ଗଲକୁ ଚାଲିଯାଏ ସମାରୁ। କେନ୍ଦୁପତ୍ର, ଶାଳପତ୍ର , ମହୁଲ କିଛି ସଂଗ୍ରହ କରେ ଆଉ ବଣୁଆ ପକ୍ଷୀ ଗୋଟେ ଦୁଇଟା ଶିକାର କରି ଫେରେ। ପକ୍ଷୀ ଦୁଇଟାକୁ ଭାତ ସହ ମିଶେଇ ରାନ୍ଧିଦିଏ ଖଇରା ପାଇଁ। ଖଇରା ବି ଖୁସିରେ ଚାଟିଚୁଟି ସଫା କରି ଖାଇଦିଏ ସବୁ। ପିଲାଦିନୁ ଏମିତି ଅଭ୍ୟାସରେ ପକେଇ ଦେଇଛି ଖଇରାକୁ ସମାରୁ।


      ଏମିତି ଦିନେ ସମାରୁ ଜଙ୍ଗଲରୁ ଧରି ଆଣିଥିଲା ବଣ କୁକୁଡ଼ା ରଙ୍ଗୀକୁ ଖଇରା ପାଇଁ ରାନ୍ଧିବ ବୋଲି। କୁକୁଡାଟିର ସୁନ୍ଦର ରଙ୍ଗବେରଙ୍ଗ ପର , ମୁଣ୍ଡରେ ନାଲିଆ ଚୁଳ ଆଉ କୁନି କୁନି ନିରୀହ ଆଖି ଦିଟାକୁ ଦେଖି କେମିତି ଗୋଟାଏ ମୋହ ଆସିଯାଇଥିଲା ତା ମନରେ । ମାରିବାକୁ ଆଉ ହାତ ଯାଇ ନଥିଲା ସମାରୁର। ସେଦିନ ଠାରୁ ସମାରୁର ପରିବାର କହିଲେ ରଙ୍ଗୀ, ଖଇରା ଆଉ ସମାରୁ ନିଜେ।


       ଦିନେ ପୋକ ଖୁଣ୍ଟି ଖାଉଖାଉ ଟିକେ ଦୁରକୁ ଚାଲିଗଲା ରଙ୍ଗୀ ଆଉ ଫେରିଲା ଲହୁଲୁହାଣ ହୋଇ। ପିଠିରୁ ବୋହି ଯାଉଛି ଧାରଧାର ରକ୍ତ ।ନିଜ ଖେଳସାଥିର ଏ ଅବସ୍ଥା ଦେଖି ସହି ପାରିଲାନି ଖଇରା। ରଙ୍ଗୀର ଯନ୍ତ୍ରଣା ଉପଶମ କରିବା ଉଦ୍ଦେଶ୍ୟରେ ଜିଭ ଲଗେଇ ଚାଟିନେଲା ରଙ୍ଗୀ ପିଠିରୁ ବୋହୁଥିବା ଧାରଧାର ଉଷୁମ ରକ୍ତକୁ।

    

     ଆଃ.....କି ସ୍ୱାଦ......


  କଞ୍ଚା ଆଉ ସତେଜ ରକ୍ତର ଏକ ଭିନ୍ନସ୍ଵାଦକୁ ଆସ୍ଵାଦନ କରି ଆଶ୍ଚର୍ଯ୍ୟ ଆଉ ପୁଲକିତ ହୋଇ ଉଠିଲା ଖଇରା।

    ପୁଣି ଥରେ ସେ ଜିଭ ଲଗେଇ ଚାଟିଦେଲା ରକ୍ତକୁ।

   ସତରେ ତ !!! ....ବହୁତ ସ୍ଵାଦିଷ୍ଟ !!! ....


   ନିଜ ହେତୁ ହେଲା ଦିନରୁ ସିଝାମାଂସ ଆଉ ଭାତ ଖାଇ ବଢି ଆସିଥିବା ଖଇରା ତାଜା ରକ୍ତର ସ୍ଵାଦକୁ ଆଉ ବାସ୍ନାକୁ ଆଘ୍ରାଣ କରି ବିଭୋର ହୋଇ ଉଠିଲା ଆଉ ଧିରେ ଧିରେ ହିଂସ୍ର ବି। ନିଜର ଲୋଭିଲା ଆଖିକୁ ବୁଲେଇ ଆଣିଲା ରଙ୍ଗୀର ଦେହ ସାରା। କାଳେ ଆଉ କୋଉଠି ରକ୍ତ ଲାଗିଛି କି । ଦେଖିଲା ରଙ୍ଗୀର ବେକ ପାଖରେ ଦୁଇ ବୁନ୍ଦା ରକ୍ତ ଲାଗିଛି।ପୁଣି ଜିଭ ଲଗେଇ ଚାଟିଲା ବେଳକୁ ଯନ୍ତ୍ରଣାରେ ଅଧିର ହୋଇ ଡେଣା ଫଡଫଡ କରି ଘୁଞ୍ଚିଗଲା କିଛି ବାଟ ରଙ୍ଗୀ। ନିଜର ଆଗ ଦୁଇପଞ୍ଝା ପକେଇ ମାଡି ବସିଲା ରଙ୍ଗୀକୁ ଖଇରା। ଖଇରାର ଶକ୍ତପଞ୍ଝା ତଳେ ନିଶ୍ଚଳ ହୋଇଗଲା ରଙ୍ଗୀ।

  

      ମନଦୁଃଖରେ ବସିଛି ସମାରୁ।ପାଖରେ ଶୋଇଛି ଖଇରା।ନିଜ ଭୁଲ ପାଇଁ ଅନୁତାପ କରି ଆଖିରୁ ଲୁହ ଗଡଉଛି ସମାରୁ ।


 ---- କେତେ ବଡ ଭୁଲ କଲି ମୁଁ !! ମୁଁ ଯଦି ସବୁଦିନ ପରି ରଙ୍ଗୀକୁ ଝୁଡ଼ି କି ଟୋକେଇଟେ ଘୋଡେଇ ଦେଇ ଜଙ୍ଗଲକୁ ଯାଇଥାନ୍ତି ତାହେଲେ ଆଜି ଏ ଅବସ୍ଥା ହୋଇ ନଥାନ୍ତା। ମୁଁ ଖୋଲା ଛାଡ଼ିଦେଇ ଚାଲିଗଲି ବୋଲି ସିନା ମୋ ରଙ୍ଗୀକୁ ବଣୁଆ କୁକୁର ମାନେ ଖାଇଗଲେ। ମୋରି ଅବହେଳା ପାଇଁ ମୋ ରଙ୍ଗୀ ମରିଗଲା।

     

  ଖଇରାକୁ ଆଉ ରୁଚୁନି ସିଝାମାଂସ ମିଶା ଭାତ। ସେ ଝୁରୁଛି କଞ୍ଚାମାଂସ ଆଉ ତାଜାରକ୍ତର ସ୍ଵାଦକୁ। ସମାରୁ ବି ଲକ୍ଷ୍ୟ କରୁଛି ଯେ ରଙ୍ଗୀ ମରିଗଲା ପରଠାରୁ ଆଉ ଭଲରେ ଖାଉନି ଖଇରା। ତା ଖେଳସାଥିକୁ ଝୁରୁଛି ବୋଧେ। ଏକା ଏକା ଲାଗୁଛି ବୋଧେ ଖଇରାକୁ ରଙ୍ଗୀ ବିନା।


     କିଛିଦିନ ଏମିତିରେ ବିତିଗଲାଣି। ସଞ୍ଜ ସମୟ। ପଟିଟିଏ ପକେଇ ତା କୁଡ଼ିଆ ଭିତରେ ଗଡୁଛି ସମାରୁ। ତା ଦେହରେ ଘଷିମାଜି ହୋଇ ଖେଳୁଛି ଖଇରା। କେତେବେଳେ ତା ଦେହରେ ମୁଁହ ଘଷୁଛି ତ କେତେବେଳେ ପଞ୍ଝା ମାରି ବିରକ୍ତ କରୁଛି ସମାରୁକୁ। ଏମିତି ଖେଳ ଭିତରେ ହଠାତ ଖଇରାର ନଖ ବାଜିଗଲା ସମାରୁ ବେକରେ। ଠପ୍ ଠପ୍ ହୋଇ ବୋହିପଡ଼ିଲା କେଇ ବୁନ୍ଦା ତାଜାରକ୍ତ। ସେ ରକ୍ତକୁ ଦେଖି ଧପ୍ କରି ଜଳି ଉଠିଲା ଖଇରାର ଆଖି ଜ୍ୱଳନ୍ତ ଅଗ୍ନି ପିଣ୍ଡୁଳା ଭଳି। ଯନ୍ତ୍ରଣାରେ ପାଟିକରି ଉଠିଲା ସମାରୁ।

  

--- ଓଃ ....ନଖ ମାରିଦେଲୁ ଟି ? ମନା କରୁଛି ମୋ ସହ ଲାଗେନା ।ମୋତେ ଟିକେ ଶୋଇବାକୁ ଦେ ।ଶୁଣିଲୁନି ମୋ କଥା ।ଏବେ ଦେଖ୍ କଣ ହେଲା ।କେତେ ରକ୍ତ ବାହାରିଲାଣି।


       ଲୋଭିଲା ଆଖିରେ ଚାହିଁଲା ସେ ରକ୍ତକୁ ଖଇରା। ଧୀରେ ଧୀରେ ଆଗେଇଲା ସମାରୁ ଆଡକୁ। ସମାରୁକୁ ମାଡି ବସି ଚାଟି ଚାଲିଲା ସେ ରକ୍ତକୁ। ସମାରୁ ଛଟପଟ ହୋଇ ଠେଲିବାକୁ ଚେଷ୍ଟା କଲା ଖଇରାକୁ। ଖଇରା ଦୁଇ ପଞ୍ଝାରେ ଭରାଦେଇ ହାମୁଡ଼ି ପଡିଲା ସମାରୁର ଛାତି ଉପରେ ଆଉ ମୁଁହ ଲଗେଇ ଦେଲା ସମାରୁର ବେକରେ ଆହୁରି ଅଧିକା ତାଜା ରକ୍ତ ଖାଇବା ଆଶାରେ।



Rate this content
Log in

More oriya story from Rozalini Mishra

Similar oriya story from Tragedy