Satyabati Swain

Tragedy

3  

Satyabati Swain

Tragedy

ରକ୍ତ ଭିଜା ଇତିହାସ

ରକ୍ତ ଭିଜା ଇତିହାସ

4 mins
423



ଯାହାକୁ ଦେଖିଲେ ହାତ ଉପରକୁ ଉଠିଯାଏ, ମୁଣ୍ଡ ତଳକୁ ନଇଁ ଯାଏ,ଅନ୍ତରରୁ ସମ୍ମାନ ଅଜାଡି ହୋଇ ପଡେ ଆପେ ଆପେ,ହୃଦୟ କୁହେ ଶ୍ରଦ୍ଧା କରିବାକୁ,ମନ ଗର୍ବ କରେ ସେ ତ ମୋ ଜନ୍ମ ଭୂମିର ବୀର ଯବାନ ।


      ଏଇ ଦେଖତ ମୁଁ ସେଇ ଚାଳିଶି ଜଣଙ୍କ ଭିତରେ ଅଛି । ସେଇ ଯେଉଁ ସାତ ନମ୍ବର କଫିନ ତାରି ଭିତରେ ଶୋଇଛି । ଦେଖିଲ ଦେଖିଲ ମୁଁ କଣ ଘୋଡ଼ି ହୋଇଛି ! ମୋ ଦେଶର ଗର୍ବ,ଗୌରବ ପ୍ରତୀକ ଜାତୀୟ ପତାକା ।

ଆଉ ଦେଖ୍ କେମିତି ଫୁଲ ମୋ ଦେହ ସାରା !


       ଚାରି ଭଉଣୀ ମୋର । ମୁଁ ସବା ସାନ । ଭାରି ଗେଲ ବସରର । ବୋଉର ଆତ୍ମା । ବାପାଙ୍କ ଛାତିର ଗର୍ବ । ଭଉଣୀ ମାନେ ବଡ଼ ବଡ଼ ଅଫିସର । ମୁଁ କିନ୍ତୁ ଇଛା କଲି ସୈନିକଟିଏ ହେବି । ବୋଉ କାନ୍ଦିଲା । କୁନ୍ଥୁ କୁନ୍ଥୁ ହେଲା । ଏ ଚାକିରୀରେ କାଳେ ଜୀବନ ପ୍ରତି ଅଧିକ ବିପଦ ଅଛି । ବୋଉ କଣ ବୁଝିବ ସୈନିକ ହେବାରେ କି ଆନନ୍ଦ ! ଶହୀଦ ହେବାରେ କି ଗର୍ବ ଗୌରବ ! ସେ ତ ମା ଟିଏ । ମାର ଏକାନ୍ତ ଇଚ୍ଛା ତା ଛୁଆ ଯେମିତି ଚଳନ୍ତୁ କିନ୍ତୁ ବଞ୍ଚି କୁଞ୍ଚି ରୁହନ୍ତୁ । ହେଲେ ମୋର ପିଲାଦିନୁ ଭାରି ଆଗ୍ରହ ବନ୍ଧୁକ ସହ ଖେଳିବା,ସୈନିକ ପୋଷାକ ପିନ୍ଧିବା ।

   କୋଡ଼ିଏ ବର୍ଷ ପୁରୁ ପୁରୁ ମୁଁ ସୈନିକ ଚାକିରୀ ପାଇ ଗଲି । ମୋ ବୋଉ ବହୁତ ମନା କଲା । କହିଲା "ଶିବୁନ୍ ମୋ ଧନ,ସୁନା,ରାଜା ତୁ କରନା ରେ ଧନ ଏ ଚାକିରୀ" । ମୁଁ ବୋଧ ଦେଲି ବୋଉକୁ । ବୋଉଲୋ "ମୁଁ ଜାଣିଛି ଏ ଚାକିରୀରେ ବିପଦ ପାଦେ ପାଦେ । ଜାଣି ଜାଣି ମରଣ ମୁକୁଟ ପିନ୍ଧି ରାଜା ହେବାକୁ ମୋର ଭାରି ଇଚ୍ଛା । ଦେଶ ମା ପାଇଁ ମରିବା ଭାଗ୍ୟ କଣ ସମସ୍ତଙ୍କର ଥାଏ ଲୋ ବୋଉ । ସୈନିକଟିଏ ସହିଦ ହୋଇଗଲେ ସାରା ଦେଶ କାନ୍ଦେ,କାନ୍ଦେ ମାଟି,ପାଣି, ପବନ,ଆକାଶ ଓ ପ୍ରତିଟି ପ୍ରାଣ । ଜାଣିଛୁ ବୋଉ ଶହୀଦ ମାନେ ଗୋଟେ ଗୋଟେ ରାଜା । ଯେଉଁ ମାନଙ୍କ ମୁଣ୍ଡରେ ମରଣ ମୁକୁଟ ଚିକ୍ ମିକ୍ କରୁଥାଏ ଅହରହ । ତୋ ପୁଅ ହୋଇ ରହିଲେ ମୁଁ କେବଳ ତୋ ପୁଅ ହିଁ ହେବି । ହେଲେ ଶହୀଦ ହୋଇଗଲେ ସାରା ଦେଶର ମାଟିର ପୁଅ ହୋଇଯିବି । ତୁ ମନା କରନା ଲୋ ବୋଉ ଏମିତି ଲୋଭନୀୟ ସେବା,କାର୍ଯ୍ୟ ଓ ମରଣ ପାଇଁ । ଆଉ ତା ଛଡା ତୁ କହିଲୁ ସବୁ ମା ଯେବେ ତାଙ୍କ ପୁଅକୁ ସହିଦ ହେବା ଡରରେ ସୈନିକ ହେବାକୁ ଦେବେନି ଶତ୍ରୁ କବଳରୁ ମୋ ମାତୃଭୂମି କେମିତି ସୁରକ୍ଷିତ ରହିବ । ତୁ କଣ ଚାହୁଁ ଆମ ଦେଶ ଅନାଥ ହେଉ । ତାର କେହି ବୀର ପୁତ୍ର ତାକୁ ସୁରକ୍ଷା ନ ଦିଅନ୍ତୁ । ଇଏବି ସତ କଥା ସମସ୍ତ ସୈନିକ କଣ ସହିଦ ହୁଅନ୍ତି"!


          ବୋଉ ଶିବୁନ୍ କଥା ଶୁଣି ଚୁପ୍ ରହିଲା । ତିନି ବର୍ଷ ହେଲାଣି ଶିବୁନ୍ ସୀମାନ୍ତ ସିପାହୀ ଭାବେ କାର୍ଯ୍ୟ ରତ । ବୋଉ ତା ପାଇଁ ଗୋଟିଏ ସୁନା ନାକୀ ବୋହୁ ଠିକ୍ କରିଛି । ଭଉଣୀ ମାନେ ଯେଝା କାର୍ଯ୍ୟରେ । ବାପା ଦି ବର୍ଷ ତଳୁ ବୋଉକୁ ଛାଡି ଆର ପାରିକୁ ଗଲେଣି । ଗାଁ ରେ ବୋଉ ଏକା । ବୋହୁଟିଏ ଆସିଲେ ତାର ସାଙ୍ଗ ହେବ । ନିଛାଟିଆ ଜୀବନଟି ଟିକେ କୋଳାହଳ ମୟ ହେବ ।


        ବାହା ଘର ଆଉ ଆଠ ଦିନ ଦିନ ବାକି ଅଛି । ବୋଉ ଆଖିରେ ମେଞ୍ଚେ ସ୍ବପ୍ନ । ବୋହୂ ଆସିବ ନାତି ନାତୁଣୀ ହେବେ । ଘରଟି ଘୋ ଘୋ ରେ ଫାଟି ପଡିବ । ଆଖିକୁ ନିଦ ନାହିଁ ତାର । ଘରେ ପାଇଖାନାଟିଏ କରୁଛି । ପାଇଖାନା ବାହାରେ ଥିଲା । ତା ବୋହୂ ବାହାରକୁ ଯିବ ପାଇଖାନା ! ବଡ଼ ଅସୁନ୍ଦର ହେବ । ଘର ବି ମାର୍ବଲ ପକାଉଛି । ପୁଅ ତାର ବାହା ହେବ । ବାଜା ରୋଷଣୀ ବାଜିବ । ଗାଁ ଉଠିବ ପଡିବ ।


      ଠିକ୍ ଏଇଆ ହେଲା । ଗାଁ ଉଠିଲା ପଡ଼ିଲା । ଏକା ତାଙ୍କ ଗାଁ କାହିଁକି ଖଣ୍ଡ ମଣ୍ଡଳ ବି । ହୋ ହୋ ଘୋ ଘୋ । ଶିବୁନ୍ ପାଇଁ କେତେ ସ୍ୱାଗତ,କେତେ ଆଦର,ସମ୍ମାନ । ଶିବୁନ୍ କିନ୍ତୁ ବର ହୋଇ ପାଲିଙ୍କି ଚଢି ବୋଉର ସୁନା ନାକୀ ବୋହୂ ଆଣିକି ନୁହେଁ,ସେନା ଭ୍ୟାନରେ ଶହୀଦ ହୋଇ ଆସିଲା ଜାତୀୟ ପତାକା ଘୋଡେଇ ହୋଇ । ଜିଲ୍ଲାପାଳଙ୍କଠାରୁ ଏସପି ଯାଏ,ସମସ୍ତେ ଆସିଥିଲେ ଶିବୁନ୍ କୁ ତା ଗାଁ ମଶାଣୀ ଭୂଇଁରେ ତୋପ ସଲାମୀ ଦେଇ ମାଟି ପୁତ୍ରକୁ ମାଟି କୋଳେ ଦେବାକୁ ।

     ବୋଉ ଲୋ ! ଇଏ ଗୋଟିଏ କଳଙ୍କିତ ପୃଷ୍ଠା ଇତିହାସରେ । ଫୁଲୱାମାରେ ଚାଳିଶ ଜଣ ବୀର ସୈନିକ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଗଲେ । ବମ୍ ପକାଇ ଉଡାଇ ଦିଆଗଲା ଆମେ ଯାତ୍ରା କରୁଥିବା ଭ୍ୟାନଟିକୁ । କି ବର୍ବରୋଚିତ ଘୃଣ୍ୟ କାର୍ଯ୍ୟ । ଇତିହାସରେ କଳା ଦିବସ ଏ । ସମସ୍ତେ ଖୁସିରେ ମସଗୁଲ ଥୁଲେ । କିଏ ଶୋଇଥିଲା,କିଏ ଇୟର ଫୋନ୍ ଲଗାଇ ଗୀତ ଶୁଣୁଥିଲା । ମୁଁ କିନ୍ତୁ ଭାବୁଥିଲି ତୋ କଥା ଆଉ ତୋ ବୋହୂ କଥା । ଆଉ ଦୁଇ ଦିନ ପରେ ମୋତେ ମାସକ ପାଇଁ ଛୁଟି ମିଳିଥାନ୍ତା । ତୋ ବୋହୂ ଓ ତୋ ସହ କିଛି ସମୟ ବିତେଇଥାନ୍ତି ।

      ବୋଉ ତୁ କାନ୍ଦୁଛୁ କି ! ଦେଖ୍ ମୁଁ କଣ ଏକା ! ଚାଳିଶି ଟି କଫିନ୍ ବା । ଚାଳିଶ ଯବାନ ଚିର ନିଦ୍ରା ଯାଇଛନ୍ତି । ଦେଖୁନୁ ଧାଡି ହୋଇ ଥୁଆ ହୋଇଛି । ଶୀତ ହେବ ବୋଲି ଘୋଡ଼ି ହୋଇଛନ୍ତି ଜାତୀୟ ପତାକା । କେମିତି ଫୁଲରେ ସଜ୍ଜିତ ଦେହ । ଦେଖିଲୁ କି ସମ୍ମାନ,ସଲାମୀ ଦେଉଛନ୍ତି ରାଷ୍ଟ୍ର ନାୟକ ମାନେ । ବୋଉ ଲୋ ମୋ କଫିନ୍ ଟି ସାତ ନମ୍ବରରେ ଅଛି ।

       ବୋଉ ଲୋ ! ଏମିତି ମରଣ ସ୍ବପ୍ନ ତ ଥିଲା । କିନ୍ତୁ ଅବଶୋଷ ରହିଗଲା ଆଉ କିଛି ଦିନ ମାଟି ମା ସେବା କରି ପାରିଲିନି । କି ଦେଇ ପାରିଲି ତୋତେ ଟିକେ ଖୁସି,ଗୋଟିଏ ବୋହୂ । ତୁ କିନ୍ତୁ ମନ ଉଣା କରନା । ତୋ ପୁଅ ଶିବୁନ୍ ସବୁଦିନ ମରି ବି ଅମର ରହିଗଲା । ତୁ ଗର୍ବ କର ଲୋ ବୋଉ ତୋ ପୁଅ ଶହୀଦ,ତୁ ଫୁଲୱାମା ଶହୀଦର ବୋଉ ।

     ଏଥରକ ମୋତେ ଯିବାକୁ ଦେ ବୋଉ । ଏ କଫିନ୍ ଭିତରେ ମୁଁ ଅଣନିଃଶ୍ଵାସୀ ହୋଇ ଗଲେଣି । କଡ଼ ଲେଉଟାଇ ପାରୁନାହିଁ । ମୋତେ ପବନରେ ପବନ ହେବାକୁ ହେବ । ତୁ ବଞ୍ଚିଥିବା ଯାଏ ସେଇ ପବନକୁ ଶ୍ବାସକ୍ରିୟା କରିବୁ । ମୁଁ ମରଣ ମୁକୁଟ ପିନ୍ଧା ରାଜା । ତୁ ରାଜ ମାତା । ରାଜ ମାତା କଣ କାନ୍ଦନ୍ତି କି ବୋଉ ଦେଖେଇ ।


         ଫୁଲୱାମା ଶହୀଦ ଶିବୁନ୍ ର ପରି ଚାଳିଶିଟି ପୁଅ ଅବେଳେ ଝରିଗଲେ । ଶରୀରପୋଡି ଜଳି ମିଶିଗଲା ମାଟିରେ । ଆତ୍ମା ମିଶିଗଲା ପବନରେ । ବୋଉ ଆଖି ଶୁଖିଲା ଲୁହ ଢାଳି ଢାଳି ଚାରିମାସ ହେବ । । ମନ କିନ୍ତୁ ଗୁମୁରୁଛି । କୋହରେ ଫୁଟୁଛି ଛାତି ଭିତର । ପୁଅ ବା ତାର ମରଣ ମୁକୁଟ ପିନ୍ଧା ରାଜା ! ରାଜମାତା କଣ କାନ୍ଦନ୍ତି ! ବୋଧେ ଲୁହର ନଈରେ ଗାଧାନ୍ତି ।

 

   ଫୁଲୱାମାରେ ପାକିସ୍ତାନୀ ଆତଙ୍କବାଦୀ ବମ୍ ବିସ୍ଫୋରଣରେ ନିହିତ ଚାଳିଶ ଯବାନଙ୍କ ରକ୍ତଭିଜା ଇତିହାସ ପୃଷ୍ଠାର ଲୋମ ହର୍ଷଣକାରୀ ଶହୀଦ ମାନଙ୍କ ତ୍ୟାଗର କାହାଣୀରୁ ଗୋଟିଏ ।



Rate this content
Log in

Similar oriya story from Tragedy