ରାକ୍ଷୀ
ରାକ୍ଷୀ
ଘରଟି ଉତ୍ସବ ମୁଖର ଥିଲା।ଗହ୍ମା ପୂର୍ଣ୍ଣମୀ ପାଇଁ ମିତାଲି ଭଳି ଭଳିକା ପିଠା ଯେପରି ମଣ୍ଡା ,ଏଣ୍ଡୁରି ତିଆରି କରୁଥାଏ।ଶାଶୁ ଥରକୁ ଥର ଆସି ଦେଖୁଥାନ୍ତି କାମ ଠିକ ଠାକ ଚାଲିଛି ନା ନାହିଁ।ସାନ ଜା ସଯ ହେଉଥାଏ ,ବାପଘରକୁ ଯିବାକୁ।ଦିଅର ବିକାଶ ବାହାରେ ରହି ରଡି ଛାଡୁଥାନ୍ତି ,"ଆରେ ଆହୁରି କେତେ ଲେଟ କରିବ ମ ,ଆଜି ହିଁ ଫେରିବାର ଅଛି ମୋତେ ,ଜଲଦି ଆସ।
ନଣନ୍ଦ ତିନି ଜଣ ଅନୁପଙ୍କ ସହ ବସି ତାସ ଖେଳୁଥାନ୍ତି।ପିଲା ମାନେ tv ଦେଖିବାକୁ ଝଗଡା।ଝିଅ ମାନଙ୍କୁ ପାଖରେ ପାଇଲେ ଶାଶୁ ମାନେ ଟିକେ ଅଧିକ ତାଗିଦ କରନ୍ତିନା??
ଶାଶୁ ବି କହୁଥିଲେ,"ପନୀର ଖୁରମା ପିଲା ମାନେ ଖାଇବେନି ,ଚିଲି କରିଦେ ଆଉ ଏଇ ମଣ୍ଡା ଏଣ୍ଡୁରି କଣ ପିଲାମାନେ ଖାଇବେ??ଟିକେ ଭେଜ କଟଲେଟ ଆଉ କଷ୍ଟାଡ଼ କରିଦେବୁ ପିଲାଙ୍କ ପାଇଁ।ରେଖା ଚାଲିଯାଇଥାଏ ,ଶାଶୁ କହୁଥାନ୍ତି ରେଖା ଗହଳିରେ କିଛି କରିପାରେନି ଭାରି ଅଲିଅଳି ନା।
ମିତା ର ମନେ ପଡୁଥିଲା ଗାଁ ରେ ଥିଲାବେଳର କଥା ଟିକେ ବି ଛୁଆଇଁ ଦେଉନଥିଲା ବୋଉ ତା ରୋଷେଇ ଘର।ଘରର ସାନଝିଅ ଆଉ ସାଥିରେ ଭାଇ ଆଣିଛି ବୋଲି ସବୁଠି ଆଦର।ସାନଭାଇ ସମୀରକୁ ପ୍ରାଣ ଠୁ ଅଧିକ ଭଲ ପାଏ।ସେଥିପାଇଁ ହାଇ ସ୍କୁଲରେ ପ୍ରଥମ ହୋଇ ସୁଦ୍ଧା କଲେଜ ଗଲାନି।ସାନ ଭାଇଟି ଦଶମ ପାଇଁ ଟିଉସନ ଯିବ ବୋଲି।
ଏଇ ଅନୁପ ମିତା ଠି କଣ ଦେଖିଲେ କେଜାଣି ,ପ୍ରଥମ ପ୍ରସ୍ତାବରେ ହିଁ ଠିକ ହୋଇଯାଏ ବିବାହ।ଆଉ ବ୍ୟାଙ୍କ ମ୍ୟାନେଜର ଥିବାରୁ ସମୀରକୁ ବି ବ୍ୟାଙ୍କ ପି ଓ ହେବାରେ ସାହାଯ୍ୟ କରନ୍ତି ଆଉ ସଫଳ ବି ହୁଅନ୍ତି।
ସମୀର ବିବାହ କରେ ରାଖୀ କୁ ଆଉ ବିବାହ ପରେ ସେ ବାପା ବୋଉଙ୍କୁ ଗାଁ ରୁ ନେଇ ଆସେ ,କିନ୍ତୁ କେଇଟା ମାସ ଭିତରେ ମନମଳିନ୍ୟ ହୁଏ ଶାଶୁ ବୋହୁ ଭିତରେ।ପୁଅ ପାଖରେ ଅଜଣା ବ୍ୟକ୍ତି ହୋଇ ରହିବା ଅପେକ୍ଷା ସେମାନେ ଗାଁ ରେ ସ୍ୱାଧୀନ ଭାବେ ରହିବାକୁ ପସନ୍ଦ କରନ୍ତି।
ତଥାପି ୬ବର୍ଷ ତଳେ ରାକ୍ଷୀ ଦିନ ମିତା ଯାଇଥିଲା ଭୁବନେଶ୍ୱର ସମୀର ହାତରେ ରାକ୍ଷୀ ବାନ୍ଧିବାକୁ।ସେଠି ପହଂଚି ସମୀରକୁ ଫୋନ କରିଥିଲା କିନ୍ତୁ ସମୀର ଉଠାଇନଥିଲା,ତୃତୀୟ ଥର ସମୀର ବଦଳରେ ଫୋନ ଉଠାଇଥିଲେ ରାଖୀ। ଆଉ କହିଥିଲା,ତୁମେ ଆସନି ଅପା, ଆମେ ଭୁବନେଶ୍ୱରରେ ନାହୁଁ,ଦିଲ୍ଲୀ ବାହାରିଛୁ କିଛି ସମୟ ଭିତରେ ବହାରିଯିବୁ।ମିତା ସେତେବେଳେ ସମୀରର ଘର ଆଗରେ ଭିତରେ ରାଖୀର ମା ବାପା ଭାଇ ମାନେ ଥାନ୍ତି।ସମୀର ହସି ହସି ରାଖୀକୁ କହୁଥାଏ ଠିକ କରିଛ ରାଖୀ ,ଅପା ଏଠାକୁ ଆସିଲେ ଆମେ ଜମା ଏଞ୍ଜୟ କରିପାରିନଥାନ୍ତେ।
ମିତା ଚାହୁଁଥିଲା ଭିତରକୁ ଯାଇ ସମୀର ଗାଲରେ ଚଟକଣି ଟିଏ ବସେଇବାକୁ ଆଉ ତାକୁ ତାର ପୁରୁଣା କଥା ମନେ ପକେଇବାକୁ କିନ୍ତୁ ଅଟକାଇଥିଲେ ଅନୁପ।କଇଁ କଇଁ ହୋଇ କାନ୍ଦିଉଠିଥିଲା ମିତା ସ୍ୱାମୀଙ୍କ କାନ୍ଧରେ ମୁଣ୍ଡ ରଖି।ଘରକୁ ଉପବାସରେ ଫେରିଥିଲେ ସେଦିନ । ଆଉ ଅନୁପ ପଦୁ ଟିଏ ବି କହି ନଥିଲେ ଶାଶୁଙ୍କ ଆଗେ।
କାହିଁକି କେଜାଣି ଅନିଚ୍ଛା ସତ୍ତ୍ୱେ ମନେ ପଡୁଥିଲା ସେଦିନ।ପ୍ରତିଥର ରାକ୍ଷୀ ପୂର୍ଣ୍ଣିମାରେ ରାଣ ନିୟମ ପକାଇ ଡାକି ଆଣେ ନଣନ୍ଦ ମାନଙ୍କୁ।ଟିକିଏ ବି ଉଣା ନଥିଲା ଖାତିର ଦାରିରେ।ସାନ ଜା କୁ ବି କହିଥିଲା ତା ବାପା ଘରକୁ ଯିବାକୁ।ଶଶୁର ଜ୍ୱାଇଁ ପୁଅ ମାନଙ୍କ ସହ କଥା ହୋଉଥିଲେ,ଶାଶୁ ନଣନ୍ଦ ଆଉ ସ୍ୱାମୀ ମିଶି ନିଜ ନିଜ ପିଲାଦିନ କଥା କହୁଥାନ୍ତି।ମିତାର ୯ବର୍ଷ ର ପୁଅ ସାନୁ ପିଉସୀ ଝିଅ ଭଉଣି ମାନଙ୍କ ହାତରୁ ରାକ୍ଷୀ ପିନ୍ଧି ଆନନ୍ଦରେ ଶୋଇଥିଲା।
ଯେତେ ମନକୁ ଦୃଢ କଲେ ବି ହାରିଯାଉଥିଲା ମିତା ନିଜପାଖେ କୋହ ଟିଏ ଉଠୁଥିଲା ମନରେ,ଜଗନ୍ନାଥଙ୍କ ପାଖେ ସମୀରର ମଙ୍ଗଳ ମନାସି ରଖିଥିଲା ରାକ୍ଷୀଟିଏ।
ଫୋନ ଖୋଲି ଦେଖୁଥିଲା ଭାଇକୁ ,ନିଜ ସ୍ତ୍ରୀ ରାଖୀର ଜନ୍ମଦିନ ଫୋଟୋ ଆଉ ତା ଭାଇ ମାନଙ୍କ ହାତରେ ରାକ୍ଷୀ ବନ୍ଧା ଫୋଟୋକୁ ଫେସବୁକରେ ଅପଲୋଡ଼ କରିଥିଲା ।ମିତା କିନ୍ତୁ ଫୋଟୋରେ ତାର ବଦଳିଯାଇଥିବା ଭାଇଟିର ଫୋଟୋକୁ ଦେଖି ଭାବୁଥିଲା ଥରେ ବି ସିଏ ଫୋନ କରି କୁହନ୍ତାକି ,
" ନାନୀ କଣ ଏତେ ଅଭିମାନ ଯେ ମୋ ହାତ ପରା ଖାଲି ଅଛି ,ରାକ୍ଷୀ ବାନ୍ଧିବୁନି।"