STORYMIRROR

Subhalaxmi Nayak

Tragedy

3  

Subhalaxmi Nayak

Tragedy

ରାକ୍ଷୀ

ରାକ୍ଷୀ

2 mins
273


"ବୈଠକଖାନାରେ ଆଜି ଦୂରଭାଷ ଯନ୍ତ୍ରଟା କ'ଣ ଏତେ ଜୋରରେ ବାଜୁଛି.... କ'ଣ କେହି ଘରେ ନାହଁ କି? ନା ଶୁଭୁନି କାହାକୁ? ମାନୀ ଏ ମାନୀ....." ବିଶ୍ୱଜିତ୍ ବାବୁ ବିରକ୍ତି ପ୍ରକାଶ କରି ଆସି ରିସିଭର୍ ଧରି, କିଛି ସମୟ ପରେ ସ୍ଥାଣୁ ପାଲଟି ଗଲେ। ତାପରେ ରିସିଭର୍ ଫୋପାଡ଼ି ଦେଇ ବିଜୁଳି ବେଗରେ ଗ୍ୟାରେଜ୍ ଭିତରୁ କାର୍ ବାହାର କରି ଚାଲିଲେ, ଆଗରୁ ଅତି ଜଣାଶୁଣା, କିନ୍ତୁ ଏଇ ଗତ ୧୯ ବର୍ଷର ଅଜଣା ଠିକଣା ବାଟରେ। ସୁଉଚ୍ଚ ଫାଟକ ଆଗରେ ଗାଡ଼ି ଥୋଇ ଥରିଥରି ଆଗକୁ ପାଦ ପଡ଼ୁଥାଏ। ଗୁଡ଼ିଏ ରଙ୍ଗୀନ୍ ଲଫାପା ଆଉ ଖଣ୍ଡିଏ ଚିଠି ଆଣି କେହି ଜଣେ ହାତରେ ଧରେଇ ଦେଲେ। ଚିଠିଟି ଖୋଲିବାକୁ ସାହସ ନ ଥିଲେ ବି, ଅଜାଣତରେ ଖୋଲି ସାରିଥିଲେ, ଆଉ ପୋଇମଞ୍ଜି ପରି ସୁନ୍ଦର ଅକ୍ଷରରେ ଲେଖା ଥିଲା ସେଥିରେ,

"ଭାଇ,

ଏ ବର୍ଷ ର ରାକ୍ଷୀ ବି ଲଫାପା ଭିତରେ ସାଇତି ରଖିଲି। ବାନ୍ଧିବାକୁ ହେଲେ ମୋତେ ଏପଟ କୁଳର ଏରୁଣ୍ଡି ଡେଇଁ ଯିବାକୁ ପଡ଼ିବ। ଆଉ ସେପଟ କୁଳରେ ଲୋକେ ଚାହିଁ ବସିଥିବେ, ତୋର ମୋର ଏ ସ୍ନେହର ବନ୍ଧନକୁ ଖୁସିରେ ପାଳିବାକୁ ନୁହେଁ, "କୁଳଟା", "ସ୍ୱାମୀ ପରିତ୍ୟକ୍ତା" କହି ଉଲୁଗୁଣା ଦେବାକୁ। କହ ତ! କେମିତି ଭୁଲିବି ଦୁହିତା ଟିଏ ମୁଁ। ବୋଉ ପରା ବାରମ୍ବାର ରାଣ ଦେଇ କହିଛି, "ମା' ରେ ଯେତେ କଷ୍ଟ ହେଉ, ଯାହା ବି ହେଇଯାଉ, ଶାଶୁଘର ଏରୁଣ୍ଡି କେବେ ଡେଇଁବୁନି, ଯଦି ତୋର ପତି ପରମେଶ୍ବରଙ୍କ ଆଜ୍ଞା ନାହିଁ। ଯେବେ ବି ଡେଇଁବୁ ଛଅ ଖଣ୍ଡ କାଠରେ ତିଆରି ସବାରୀରେ ଡେଇଁବୁ। ନହେଲେ ଏ ଦୁନିଆ ଏ ସମାଜ ତୋତେ କୈଫିୟତ ମାଗିବ, ପ୍ରଶ୍ନବାଣରେ କ୍ଷତାକ୍ତ କରିଦେବ।"

ଆଶା କରେ, ତୁ ବୁଝି ପାରିବୁ। କଥା ଦେ ମୋତେ, ମୋ ଭାଉଜଙ୍କୁ କିନ୍ତୁ ଏମିତି କିଛି ଯେମିତି ସହିବାକୁ ନ ପଡ଼େ। ରହୁଛି ।

ଇତି,

ତୋର ଅଲିଅଳି

ରାକ୍ଷୀ


ଚିଠି ସହିତ ଦୀର୍ଘ ୧୯ ବର୍ଷର ସାଇତା ରାକ୍ଷୀ ଲଫାପା ଭିତରୁ କାଢ଼ୁ କାଢ଼ୁ ଅଜାଣତରେ ବିଶ୍ୱଜିତଙ୍କ ଆଖିରୁ ଗଡ଼ି ଚାଲିଥିଲା ଲୁହ। ସାମ୍ନାରେ ସାନ ଭଉଣୀ ରାକ୍ଷୀର ନିଶ୍ଚଳ, କ୍ଷୀଣ ଶରୀର ଛଅ ଖଣ୍ଡ କାଠର ସବାରୀରେ ଅହ୍ୟସୁଲକ୍ଷଣୀ ବେଶରେ ସଜ୍ଜିତ ହୋଇ ଅପେକ୍ଷା କରି ରହିଥିଲା ଶେଷ ଯାତ୍ରାର ଯାତ୍ରୀଟିଏ ହୋଇ। ରକ୍ତ ସମ୍ପର୍କରେ ଭଟ୍ଟା ପଡ଼ିଥିଲା ରାକ୍ଷୀର ବିବାହକୁ ନେଇ ମନାନ୍ତରରୁ। ଆଉ ଆଜି ରକ୍ତ କର୍କଟ ଛଡ଼େଇ ନେଲା ସିନା ନଶ୍ୱର ଶରୀରକୁ, କିନ୍ତୁ ୧୯ ବର୍ଷ ପରେ ବାପଘରର କିଏ ଜଣେ ତା ଶାଶୁଘରେ ପାଦ ଦେଇଛନ୍ତି ଦେଖି ବହୁତ ଦୂରରୁ ହସୁଥିଲା ମୁରୁକି ମୁରୁକି "ରାକ୍ଷୀ"।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy