ରାଖୀ ଭିଜିଗଲା ଆଖି ଲୁହରେ
ରାଖୀ ଭିଜିଗଲା ଆଖି ଲୁହରେ
ଏ ଶୁଣୁନ ...ଚାଲୁନ ଆଜି ଟିକେ ଘର ଆଡ଼େ ଯାଇ ଆସିବା।ଭାରି ମନ ପଡୁଛି ଆଜି ତାକୁ ।ଯାଇଥିଲେ ପରା ଏବେ.. ପୁଣି କାହିଁକି ଆଜି ? ମନ ପଡୁଛି ଯଦି ତାକୁ କହୁନା ଆସି ଟିକେ ଦେଖି ଦେଇ ଯିବ ।ସବୁବେଳେ କଣ ଖାଲି ତୁମେ ହିଁ ଯିବ ନା କଣ ଯେ । ହଁ କିଛି ଜାଣି ପାରୁନ ନା କାହିଁକି କହୁଛି ଯିବା ପାଇଁ ?କଣ ପାଇଁ ?ଏତିକି କହି ଏପଟେ ଲୁଚେଇ ଲୁଚେଇ ମୁରୁକି ମୁରୁକି ହସୁଥାନ୍ତି ବିଜୟ.. ରଶ୍ମି ଆଜି କାହିଁକି ଛଟପଟ ହେଉଛି ଘରକୁ ଯିବା ପାଇଁ ତାର କାରଣ ସେ ଭଲ ଭାବରେ ଜାଣିଛନ୍ତି କିନ୍ତୁ ତାକୁ ଚିଡ଼େଇ ବା ପାଇଁ ମିଛି ମିଛିକା ଅଭିନୟ କରୁ ଥାନ୍ତି।
ବିଜୟ ଙ୍କ ପାଟିରୁ ଏତିକି ଶୁଣି ଅଭିମାନ ରେ ଗୋଡ଼ କଚାଡି ଚାଲି ଗଲା ରଶ୍ମି ରୋଷେଇ ରୁମ ଆଡ଼କୁ ।ଚା କପେ ଆଉ ପକୁଡି ପ୍ଲେଟ ଟେ ଆଣି ଆଗରେ ଥୋଇ ଦେଇ କହିଥିଲା ..ମୁଁ କାନ ମୋଡି ଚାପଡା ଖାଇ କହୁଛି ଆଉ କେବେ ତୁମ ଆଗରେ ଘରକୁ ଯିବା କଥା କହିବିନି।ହେଇଟି ଦେଖ କାନି ରେ ଗଣ୍ଠି ପଡିଲା।ଲାପଟୋପ ଉପରୁ ମୁହଁ ଟେକି ପକୁଡି ଖଣ୍ଡେ ମୁହଁରେ ଦେଉ ଦେଉ ହସି ଉଠିଲେ ବିଜୟ ।ହଉ ହଉ ଦେଖିବା କାହା କାନି ର ଗଣ୍ଠି କେବେ ଫିଟୁଛି।ହଉ ...କହିବିନି ତ ଆଉ କେବେ ... ଯୋଉ ଦିନ ଯାଏଁ ତୁମେ ମତେ ନିଜେ ନ ନେଇଛ ?ବିଜୟ ଏତିକି ଶୁଣି ମୁରୁକି ହସି ନିଜ କାମରେ ବ୍ୟସ୍ତ ରହିଥିଲେ ।ଜଲଦି କାମ ସରିଲେ ଶ୍ରୀମତୀ ଙ୍କୁ ନେଇ ତାଙ୍କ ଘରକୁ ଯିବେ ଆଜି, ଯେ ରାକ୍ଷୀ ପୂର୍ଣ୍ଣିମା ସେ କିପରି ଭୁଲି ଯିବେ ।କେବଳ ଚିଡ଼େଇବା ପାଇଁ ଏପରି କହିଥିଲେ ନା ।ଭାଇ ଭଉଣୀ ଙ୍କ ସ୍ନେହ କୁ ସେ କାହିଁକି ଭାଙ୍ଗିବେ ।
କୋଉ ଜନ୍ମ ରେ କେତେ ପାପ କରିଥିଲେ ଯେ ଏ ଜନ୍ମ ରେ ଭଉଣୀ ସ୍ନେହ ରୁ ସେ ବଞ୍ଚିତ ହେଲେ ।ଅଧା ରାସ୍ତା ରେ ଛାଡି ଦେଇ ଚାଲି ଗଲା ଭଉଣୀ। ଚାଲି ଗଲା ମନ ତାଙ୍କର ପନ୍ଦର ବର୍ଷ ପଛକୁ । ଦିନ ଥିଲା ସେମାନେ ବି କେତେ ମଜା କରୁଥିଲେ ରାକ୍ଷୀ ପୁନେଇ ଦିନ। ଭଳିକି ଭଳି ଡ୍ରେସ ,ଚୁଡ଼ି ସବୁ ଆଣିଦେଉଥିଲେ ଦୁଇ ଭାଇ ମିଶି ଗେଲ୍ଲୀ ଭଉଣୀ ପାଇଁ ରାକ୍ଷୀ ପୁନେଇ ର ଆଗ ଦିନ ଠାରୁ । ଦୁଇ ଭାଇ ତଳେ ସେ ଆସିଥିବାରୁ ଜେଜେ ନାଁ ଦେଇ ଥିଲେ ତାକୁ ସୁଭଦ୍ରା।ଶଶୀ କଳା ପରି ବଢ଼ୁଥିଲା ସିଏ । ଦୁଇ ଭାଇ ସାବନା ରଙ୍ଗ ହେଲେ ମଧ୍ୟ ସେ ଥିଲା ଚାଉଳ ପିଠାଉ ପରି ଗୋରା।ସପ୍ତମ ସରିକି ଅଷ୍ଟମ ପଢିଲା ବେଳକୁ ସେ ଦେଖା ଯାଉଥିଲା କଲେଜ ପଢିବା ପରି । ହଳଦୀ ରଙ୍ଗର ଗୋରା ସାଙ୍ଗ କୁ ସବୁ ରଙ୍ଗ ର ଡ୍ରେସ ତା ଦେହ କୁ ବହୁତ ମାନେ ।ବହୁତ ସୁନ୍ଦର ଥିଲା ସିଏ । ଯିଏ ବି ଦେଖୁ ଥିଲା ଘଡ଼ିଏ ଅନେଇ ରହୁଥିଲା।
ଦିନେ କଣ ହେଇ ଥିଲା ନା .. ଖାଇବା ଛୁଟି ରେ ଘରକୁ ଆସି କହିଲା ବୋଉ ମୋ ପିଠି ପଛ ପଟ ମେରୁ ହାଡ଼ ଟା ଆଜି କାହିଁକି ବହୁତ ବଥା କରୁଛି ।ବୋଉ କାଳେ ଶିକ୍ଷକ ଙ୍କ ହାତରୁ ବିଧା କି ଚାପୁଡ଼ା ଖାଇଥିବ ବୋଲି ଅମୃତାଞ୍ଜନ ଲଗେଇ ଦେଇ କହିଥିଲେ ଭଲ ହୋଇଯିବ ଏଥର , ଔଷଧ ଲଗେଇ ଦେଇଛି । କୋଉ ସାର ଆଜି ତତେ ବାଡେଇ ଦେଲେ କି ମା ।ସେ ନାହିଁ କହିଥିଲା । ପାଠରେ ସେ ଆଗୁଆ ଥିବାରୁ ତାକୁ କେବେ କୋଉ ସାର କି ଦିଦି କେବେ ହାତ ଦେଉ ନଥିଲେ।ଏମିତି ବଥା ରହି କିଛି ଦିନ ବିତି ଯାଇଥିଲା। ମେଡ଼ିସିନ ପେଇନ କିଲର ଦେଇ ଦେଲେ ବଥା ଟିକେ କମି ଯାଉଥିଲେ ବି ପର ମୁହୂର୍ତ୍ତରେ ବାହାରି ଯାଉଥିଲା । ଘରେ ଭାବି ଥିଲେ କୋଉଠି ପଡି ଯାଇଛି କିମ୍ବା ବିଦ୍ୟାଳୟ ରେ କିଏ ବାଡେଇ ଦେଇଛନ୍ତି ବୋଧେ ବଥା ରହି ଯାଇଛି। ଦିନେ ଏମିତି ବି ହେଇଥିଲା ସେଦିନ ସକାଳୁ ଆଉ ସେଜ ରୁ ଉଠି ପାରି ନ ଥିଲା ସିଏ ।କେବଳ ଶୋଇ ରହି କାନ୍ଦି ବାକୁ ଲାଗିଥିଲା ।ଉଠିବାକୁ ଚେଷ୍ଟା କଲେ ଭୟଙ୍କର ଭାବେ ଦରଜ ହେଉଥିଲା ତାର ମେରୁ ଦଣ୍ଡ। ତର ବରରେ ହସ୍ପିଟାଲ ନିଆଗଲା ତାକୁ କିଛି ଟା ବିପଦ ର ଆଶଙ୍କା କରି ।ବିଭିନ୍ନ ପ୍ରକାର ଟେଷ୍ଟ କରାଗଲା।ରିପୋର୍ଟ ଆସିଲା ଵୋନ କେନସର ଫୋର୍ଥ ଷ୍ଟେଜ। ପାଦ ତଳୁ ଯେମିତି ମାଟି ଖସି ଯାଇଥିଲା ସମସ୍ତ ଙ୍କର।ବାପା ଙ୍କ ଅବସ୍ଥା କହିଲେ ନ ସରେ । ଦୁଃଖ କୋହ ସବୁକୁ ଦାନ୍ତ ରେ ଚିପି ରଖିଥିଲେ କାଳେ ବୋଉ ଜାଣିଲେ ସମ୍ଭାଳିବା ମୁସ୍କିଲ ହୋଇ ପଡିବ ବୋଲି । କିନ୍ତୁ ହସ୍ପିଟାଲ ଆଡ଼ମିଟ ପରେ ଯେତେ ବେଳେ ତାକୁ କେମୋ ଦିଆ ଯିବ ବୋଲି ଡକ୍ଟର କହି ଦେଇ ଯାଇଥିଲେ ସେତେବେଳେ ବୋଉ ର ସନ୍ଦେହ ବଢିଥିଲା ଆଉ ସେ ବି ଜାଣି ଯାଇଥିଲା ଯେ ଝିଅ ଆଉ ତାର ଅଳ୍ପ କେତେ ଦିନ ର ଅତିଥି।
ତା ପର ଠାରୁ ସେ ଖିଆ ପିଆ ଛାଡି ଦେଇଥିଲା ବୋଲି କହିଲେ ଚଳେ ।ପାଗଳି ପରି ହେଉଥାଏ ।କିନ୍ତୁ ସୁଭଦ୍ରା ସାମ୍ନା କୁ ଗଲା ବେଳେ ପୁରା କିଛି ନ ହୋଇ ଥିବାର ଅଭିନୟ କରୁଥାଏ। କାଳେ ଝିଅ ଜାଣିଲେ ଭାଙ୍ଗି ପଡିବ ବୋଲି। ହସ ଖୁସୀ ର ପରିବାର କୁ ଯେମିତି କାହାର ନଜର ଲାଗି ଯାଇଥିଲା।ସେ ଦିନ ହସ୍ପିଟାଲ ବେଡ଼ ଉପରେ ଶେଷ ରାକ୍ଷୀ ବାନ୍ଧିବା ସମୟରେ ଉପହାର ପାଇଁ ଏତେ ଅଳି କରୁଥିବା ଗେଲ୍ଲୀ ଭଉଣୀ ସେ ଦିନ ଆଉ କିଛି ନେବl କୁ ଅଳି କରିବି ନାହିଁ କହି ସମସ୍ତ ଙ୍କ ଅଲେଖ୍ୟ ରେ ଦୁଇ ଆଖି ରୁ ଜକେଇ ଆସୁଥିବା ଲୁହ ଦୁଇ ବୁନ୍ଦା କୁ ତାର କୁନି କୁନି ପାପୁଲି ରେ ପୋଛି ପକେଇ ଥିଲା। ସେମିତି ହସ୍ପିଟାଲ ବେଡ଼ ରେ ଯନ୍ତ୍ରଣା ସହ ଲଢୁ ଲଢୁ ସେ ହାରି ଯାଇଥିଲା ଗୋଟେ ଦିନ ଏବଂ ସମସ୍ତ ଙ୍କୁ ଛାଡି ଚିର ଦିନ ପାଇଁ ସେ ଅଫେରା ରାଇଜ କୁ ଚାଲି ଯାଇଥିଲା।
