Satyabati Swain

Tragedy

3  

Satyabati Swain

Tragedy

ରାଜା ବାବୁ

ରାଜା ବାବୁ

4 mins
578



     ମୁଁ ମୋ ବାବାଙ୍କର ସବୁ ସ୍ବପ୍ନ,ଆଶା,ଭରସା,ଓ ଭବିଷ୍ୟତର ଜୀବନ୍ତ କଣ୍ଢେଇ ଥିଲି । ତାଙ୍କ କାନ୍ଧ,ପିଠି, ଛାତି ,ବାହୁ ଓ ଆଙ୍ଗୁଠି ଥିଲା ମୋର ଖୁସି ଶିଡିର ଗୋଟିଏ ଗୋଟିଏ ପାହାଚ । ବାବା ଯୁଆଡେ ଯାଆନ୍ତି ମୋତେ ନିଅନ୍ତି ଓ ମୁଁ ତାଙ୍କ ଆଙ୍ଗୁଠି ଧରି ଚାଲୁଥାଏ । ଭିଡ଼ ଜାଗାରେ ବାବା ମୋ ହାତ ଭିଡି ଧରନ୍ତି,କାଳେ ଭିଡରେ କୁଆଡେ ହଜିଯିବି । ଛକ,ବଜାର କି କାହା ବାହାଘର ରୋଷଣୀ ଦେଖିବାକୁ ଗଲେ କାନ୍ଧରେ ବସାନ୍ତି କାଳେ ମୁଁ ଦେଖି ପାରିବି ନାହିଁ ବୋଲି । ବାବା ଆଣ୍ଠାନ୍ତି ମୁଁ ଘୋଡ଼ା ହୁଏ । ବାବା ମୋ ସବୁ ଖୁସିକୁ କିଣି ଆଣନ୍ତି । ଏଣୁ ବାପା ମୋ ହସଖୁସିର ନିଶ୍ଚିନ୍ତ ଠିକଣା ।

 

    ମୋତେ ପାଞ୍ଚ ବର୍ଷ ହେଲା । ବାବା ମୋ ହାତ ଧରି ନେଇଗଲେ ଗୋଟିଏ ଜାଗାକୁ । ମୁଁ ପଚାରିଲି ଏଇଟା କଣ?ସେ କହିଲେ ସ୍କୁଲ । ଏଇଠି ତୋ ନାଁ ଲେଖେଇ ଦେବି । ତୁ ଏଠିକୁ ଆଜି ଠାରୁ ପ୍ରତିଦିନ ଆସିବୁ । ପାଠ ପଢି ବଡ଼ ଅଫିସର ହେବୁ,ରାଜା । ସତ ସତିକା ମୁଁ ମୋ ବାବାଙ୍କର ଗୋଟିଏ ରାଜା ହିଁ ଥିଲି । ରାଜା ପରି ରଖିଥିଲେ, ନାଁ ବି ରଖିଥିଲେ ରାଜା ବାବୁ ।

  

     ପେଟରେ ଓଦା କନା ଦେଇ ମୋତେ ଛୋଟରୁ ବଡ଼ କଲେ । ଜୀବନର ସମସ୍ତ ପୁଞ୍ଜି ବିନିଯୋଗ କରି ମୋତେ ଜଣେ ଅଫିସର କଲେ । ମୁଁ ଚାକିରୀ କଲି । ବଡ଼ ନହେବା ଯାଏ,ନିଜ ଗୋଡ଼ରେ ନିଜେ ଠିଆ ନହେବା ଯାଏ ମୋର ଖାଇବା,ପିନ୍ଧିବା,କେଉଁଠିକୁ ଯିବା,ନଯିବା,କଣ କରିବା, ନକରିବା ସବୁ ବାବା ମାଙ୍କ ପସନ୍ଦର ହେଉଥିଲା । ତାଙ୍କ ବିନା ଗୋଟିଏ ମୁହୂର୍ତ୍ତ ମୁଁ ନିଜର କଳ୍ପନା କରି ପାରୁ ନଥିଲି । ସେ ଥିଲେ ଶରୀର ମୁଁ ଥିଲି ତାଙ୍କ ନିଃଶ୍ୱାସ ।


      କଣ ହେଲା କେଜାଣି ବଡ଼ ହେଲା ପରେ ସବୁ ବଦଳି ଗଲା । ମୋ ବାବାମା ପସନ୍ଦ କରନ୍ତି ଅରେଞ୍ଜ୍ କଲର୍  । ଯେଉଁଥି ପାଇଁ ମୁଁ ଯାହା ବ୍ୟବହାର କରୁଥିଲି ପ୍ରାୟତଃ ଅରେଞ୍ଜ୍ କଲର୍ ହେଉଥିଲା । କେବଳ ବାବା ମା ଟିକେ ଖୁସି ହେବେ ବୋଲି । କିନ୍ତୁ ଏବେ ପିଙ୍କ୍ କଲର୍ ବହୁଳ ବ୍ୟବହାର କରୁଛି ଖାସ୍ ମୋ ଗାର୍ଲ ଫ୍ରେଣ୍ଡ ଖୁସି ପାଇଁ । କାରଣ ତା ଫେବରିଟ୍ କଲର୍ ପିଙ୍କ୍ ।


          ଆଗେ ନିରାମିଷ ଖାଦ୍ୟ ମୋର ଅଧିକ ପସନ୍ଦ ଥିଲା ।  କାରଣ ମୋ ବାବା ମା ନିରାମିଷାଶୀ । ଏବେ ମୁଁ ଆମିଷର ହର୍ ଏକ୍ ଆଇଟମ୍ ପସନ୍ଦ କରୁଛି କାରଣ ମୋ ପ୍ରେମିକା ଓ ବନ୍ଧୁ ମାନଙ୍କର ସେ ସବୁ ରୁଚି ର ଖାଦ୍ୟ । ମୋ ରଙ୍ଗ, ଢଙ୍ଗ, ବେଶ ଭୂଷା,ସବୁ ବଦଳିଗଲା ଯେବେ ମୁଁ ବଡ଼ ହେଲି । ଯେଉଁ ମାନେ ବଡ଼ କଲେ ତାଙ୍କ ପସନ୍ଦ,ମନ ଅପେକ୍ଷା ମୁଁ ବେଶୀ ପ୍ରାଧନ୍ୟ ଦେଲି ମୋ ଗାର୍ଲ ଫ୍ରଣ୍ଡସ୍ ସାଙ୍ଗ ସାଥି, ଓ ପ୍ରେମିକାର ପସନ୍ଦ ଉପରେ । ମୋ ବାବା ମା ମୋ ପାଇଁ ବଦଳୁଥିଲେ,ମୁଁ କିନ୍ତୁ ବଦଳିଲି ଅନ୍ୟ ପାଇଁ । ପୁରା ଅଚିହ୍ନା ମଣିଷ ହୋଇଗଲି ଯେଉଁଦିନ ବାବା ମା ଙ୍କ ପସନ୍ଦର ବୋହୂକୁ ଯିଏ ପିଲା ଦିନର ବାଲି ଘର କନିଆଁ ଥିଲା ମୋର ତାକୁ ଠୁକୁରାଇ ନିଜ ପସନ୍ଦର ଝିଅଟିକୁ ବିବାହ କଲି ।


      ବସ୍ ଉଠ୍ ହେଲି ମୋ ପତ୍ନୀ କଥାରେ । କି ଗୂଡ଼ ମାଠିଆ ଥିଲା ସେ ମୁଁ ଜନ୍ଦା ହୋଇ ତାରି ଚାରି ପାଖେ ହିଁ ଘୁରି ବୁଲିଲି । ତା ଖୁସି ମୋ ପାଖରେ ନିଜ ଅପେକ୍ଷା ବେଶୀ ହେଲା । ଯେଉଁ ବାବା ମା ମୁହଁ ,ହସ ମୋ ଭିତରେ ଆନନ୍ଦର ଢେଉ ଖେଳାଉ ଥିଲା ସେମାନଙ୍କର ଦିନରେ ଥରଟିଏ ମୁହଁ ଦେଖିବାର ସ୍ପୃହା କି ତର ରହିଲା ନାହିଁ ମୋ ପାଖରେ । ଆଗେ ବାବାମା ମୋତେ ସାଙ୍ଗରେ ନ ନେଲେ କୌଣସି ଭୋଜି କି ପାର୍ଟି କି ମନ୍ଦିର ପ୍ରସାଦ କି ବନ୍ଧୁ ବାନ୍ଧବ ଘର ଯାଉ ନଥିଲେ । କିନ୍ତୁ ବଡ଼ ହେଲା ପରେ,ଦିନେ କେବେ ବି ପଚାରିନି ବାବା ମା ତୁମେ ଯିବକି ମନ ବିଡିବା ପାଇଁ । ବରଂ ଆଭଏଡ୍ କରିଛି ସେମାନେ ପଚାରିଲେ "କେଉଁଠିକୁ ଯାଉଛ" । ବରଂ ବିରକ୍ତ ହୋଇ କହିଛି "ସବୁ କଥା ଜାଣିବା ତୁମର କଣ ଦରକାର!" ।


       ମୋ ପତ୍ନୀ ଟି ବି ଚାକିରିଆ । ଅଫିସ୍ ରୁ ଫେରି ଆମ ମନ ମୁତାବକ ସବୁ ରେଡି କରିଥାନ୍ତି ବାବମା । କେବେ ଯଦି କିଛି ଖରାପ ହୋଇଯାଇଥିବ ମୁଁ ଚିଡି ଉଠି କୁହେ "ତୁମ ଇଛା ନାହିଁ ଯଦି ନ କରିବ,ଏମିତି ଖାଦ୍ୟ ଦିନ ସାରା ଖଟି ଖଟି କେହି କଣ ଖାଏ"?ଅବଶ୍ୟ ପରେ ଜାଣିଲି ମା ବାଥ ରୁମରେ ପଡି ଯାଇଥିଲେ ସେଥି ପାଇଁ ବାବା ଏକା ସବୁ ବନେଇଁ ଥିଲେ । ଜାଣିଲା ପରେ ଅବଶ୍ୟ ଦୁଃଖ ଲାଗିଛି,କିନ୍ତୁ କହି ନାହିଁ ମା ମୋର ଭୁଲ ହୋଇ ଯାଇଛି କି ପଚାରି ନାହିଁ ମା ପଡି ଯାଇ ତୋର କିଛି ହୋଇନି ତ !


       କିନ୍ତୁ ମୋ ପତ୍ନୀ କ୍ଷେତ୍ରରେ ଏମିତି ହେଲେ ଶହେ ଆଠ ଥର ସରି, ଏକ୍ସକ୍ୟୁଜ୍ ମି ପ୍ଲିଜ୍ କହିଥାଏ । ସେ ଟିକିଏ ନାକ ସୁଉଁ କଲେ ଆଗ ଖୋଜେ ଭଲ ଡାକ୍ତର । କିନ୍ତୁ ବାବା ମା ବେଳକୁ ନୁହେଁ କାଇଁକି?ମୋ ପତ୍ନୀ ତ କେବେ ବାଧ୍ୟ କରିନି ଏମିତି କହିବାକୁ,କରିବାକୁ,କିନ୍ତୁ କେଉଁ ଲାଳସା ରେ,କାହିଁକି ଏମିତି କରେ ମୁଁ ।


       ମା ଅଯତ୍ନ ଅବହେଳାରୁ ଆମକୁ ଛାଡି ଆର ପାରିର ଯାତ୍ରୀ ହେଲା । କେମିତି ମୁଁ ପାଷାଣ ପରି ମୋ ମାକୁ ଛାଡି ରହିଗଲି!!ଯେତେ ଭାବିଛି ସେତେ ବିସ୍ମିତ ହୋଇଛି । କିନ୍ତୁ ଏହା କ୍ଷଣିକ । ମୁଁ ଦୌଡ଼ିଛି ପଇସା ପ୍ରମୋସନ,ପିଲା,ପ୍ରତିଷ୍ଠା ଓ ପ୍ରିୟତମା ମନସ୍କ ହୋଇ ।


          ମା ମଲା ପରେ ବାବା ଏକବାର ଏକା ହୋଇଗଲେ ।  ମୁଁ କି କେହି ବି ନଥାନ୍ତି ନାହିଁ ତାଙ୍କ ସଂଗେ ପଦେ କଥା ହେବାକୁ ।  ଯିଏ ଯାହା କାମରେ ବାହାରକୁ ଗଲୁ,ଆସିଲା ପରେ ଯିଏ ଯାହା,ଲ୍ୟାପ୍ ଟପ୍,ଫୋନ୍ କି କମ୍ପୁଟରରେ ଆଦି ଯନ୍ତ୍ର ସହ କଥା ହେଲୁ । ଭୁଲି ଗଲୁ ଜୀବନ୍ତ ମଣିଷ ଟିଏ ଘରେ ଅଛନ୍ତି । ଆସ୍ତେ ଆସ୍ତେ ବାବା ଙ୍କ ଗୋଡ଼ ହାତ ଅଚଳ ହେବାକୁ ବସିଲା । ହୁୱଇଲ୍ ଚେୟାରକୁ ଆଶ୍ରା କଲେ । ସେବା ଯତ୍ନ କରିବାକୁ କେହି ନାହିଁ । ରୋଜ ମୁଁ ଓ ମୋ ପତ୍ନୀ କଳି କଲୁ ବାବାଙ୍କ ସମସ୍ୟା ନେଇ ।


     ଦିନେ ବାବା ତାଙ୍କ ରାଜା ବାବୁକୁ ଖୁବ୍ ଭଲ ପୋଷାକ ପିନ୍ଧାଇ,ସଫାଟପା କରି ହାତ ଧରି ନେଇ ଯାଇଥିଲେ ସ୍କୁଲକୁ ବଡ଼ ମଣିଷ କରିବା ପାଇଁ । ମୁଁ ସେମିତି ସବୁ ଅଶାନ୍ତିର ମୂଳ କାରଣ ବାବାଙ୍କୁ ସଜବାଜ କରି ନେଇ ଯାଇଥିଲି ହିୱଇଲ୍ ଚେୟାରରେ ବସାଇ ଦାୟିତ୍ୱ ମୁକ୍ତ ହେବାକୁ ଓ ପୁଅର କର୍ତ୍ତବ୍ୟ କରିବାକୁ । ମୋ ପରି ବାବା ବି ପଚାରିଥିଲେ"ଏଇଟା କେଉଁ ଜାଗା ରାଜା"? ମୁଁ ସ୍କୁଲ ଦେଖି ଏପରି ପଚାରିଥିବା ପ୍ରଶ୍ନ ପାଇଁ ଯଥେଷ୍ଟ ଉତ୍ତର ଥିଲା ବାବାଙ୍କ ପାଖେ । ଆଜି କିନ୍ତୁ ସେଇ ଏକା ପ୍ରଶ୍ନ ବାବା ମୋତେ ପଚାରୁ ଥିଲା ବେଳେ କୌଣସି ଗୋଟିଏ ଉତ୍ତର ନଥିଲା ମୋ ପାଖେ ।




Rate this content
Log in

Similar oriya story from Tragedy