ପୂଣ୍ୟାତ୍ମା
ପୂଣ୍ୟାତ୍ମା
ରଘୁନାଥପୁର ଗ୍ରାମୀଣ ଡାକଘରର ଡାକବାଲା ଦିନମଣି ଦାସ। ଖୁବ୍ ଖୁସି ମିଜାଜର ଲେକ ସେ। ପିଲା ଠାରୁ ବୁଢା ସମସ୍ତେ ତାଙ୍କୁ ଜାଣନ୍ତି ଆଉ ଢେର୍ ଶ୍ରଦ୍ଧା ଓ ସମ୍ମାନ କରନ୍ତି। ତାଙ୍କର ସ୍ୱଭାବ ପାଇଁ ତାଙ୍କୁ ଅଜାତଶତ୍ରୁ କହିଲେ ଅତ୍ୟୁକ୍ତି ହେବ ନାହିଁ। କର୍ମନିଷ୍ଠ ଏବଂ ସଚ୍ଚୋଟତା ନିମନ୍ତେ ସମଗ୍ର ଅଞ୍ଚଳରେ ତାଙ୍କର ସୁଖ୍ୟାତି ରହିଛି। ଦୀର୍ଘ ଦିନର ଚାକିରି ଜୀବନରେ ଅସଂଖ୍ୟ ଚିଠି ବାଣ୍ଟିଛନ୍ତି କିନ୍ତୁ ଅନ୍ୟର ଗୁପ୍ତ ଚିଠି ଖୋଲି ପଢିବା କି ତତ୍ ସମ୍ବନ୍ଧୀୟ ଗୋପନୀୟତା ପ୍ରଘଟ କରିବା ଭଳି କୌଣସି କାର୍ଯ୍ୟ ସେ କେବେ ମଧ୍ୟ କରିନାହାଁନ୍ତି।
ନୀରିହ ଶ୍ରୀଅକ୍ଷର ବିବର୍ଜିତା ନିରକ୍ଷର ଲୋକଙ୍କ ନାମରେ ଆସୁଥିବା ମନି ଅର୍ଡ଼ର୍ ବି କୌଣସି ଦିନ ବାଟମାରଣା କରି ନାହାଁନ୍ତି ଦିନମଣି। ଠିକଣା ସ୍ଥାନରେ ଗ୍ରହୀତାଙ୍କ ଟିପଚିହ୍ନ ମାରି ସଠିକ୍ ପଇସା ପୈଠ କରନ୍ତି। ଦଶହରା କି ଦୀପାବଳିରେ ଖୁସିରେ ଯିଏ ଯାହା ଦିଏ ତାହାକୁ ବିନମ୍ରତାର ସହିତ ଫେରାଇ ଦିଅନ୍ତି। ସ୍ୱାମୀ ସ୍ତ୍ରୀ, ପାଞ୍ଚ ପୁଅ ଓ ଦୁଇ ଝିଅଙ୍କୁ ନେଇ ବେଶ୍ ଗହଳିଆ ପରିବାର ତାଙ୍କର। ବଡ଼ ପରିବାର ହେତୁ ଅଭାବ ଅସୁବିଧା ସଦାସର୍ବଦା ଲାଗି ରହିଥାଏ। ତଥାପି ହସଖୁସିରେ ସଭିଏଁ ନିଜର ଜୀବନ ଜୀଉଁଥାନ୍ତି।
ତମାମ ଅଭାବ ସତ୍ତ୍ୱେ ପିଲାମାନଙ୍କ ପାଠପଢା, ବନ୍ଧୁ ବାନ୍ଧବ ଶଙ୍ଖୋଳିବା ଆଦିରେ ଦିନମଣି ବାବୁ କେବେ ବି ହେଳା କରି ନାହାଁନ୍ତି। ଅଭାବରେ ସ୍ୱଭାବ ନଷ୍ଟ ନକରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କାହାଠାରୁ କିଛି ବି ଗ୍ରହଣ କରନ୍ତି ନାହିଁ। ବରଂ ଦୁଃଖି ରଙ୍କୀ ଅଭାବୀ ଦେଖି ଯଥା ସମ୍ଭବ ସାହାଯ୍ୟ ସହଯୋଗ କରନ୍ତି। ଗଭୀର ଈଶ୍ୱର ବିଶ୍ୱାସୀ ସିଏ। ମାନବ ସେବା ହିଁ ମାଧବ ସେବା ବୋଲି ବିବେଚନା କରନ୍ତି। ଏଥିପାଇଁ ସେ ସବୁରି ମହଲରେ ପ୍ରଂଶସାର ପାତ୍ର।
#######
ଜଙ୍ଖଟିଏ ବୁଲୁଥିଲା ନିଶିଥର ନିର୍ଜନ ପ୍ରହରରେ ନିପଟ ମଫସଲ ଗାଁ ଦାଣ୍ଡରେ। ତା'ର ଗସ୍ତର କୌଣସି ନିର୍ଦ୍ଦିଷ୍ଟ ସୂଚୀ ନଥାଏ। ଆଜି ଏଗାଁରେ ତ କାଲିକୁ ସେଗାଁରେ ଘୁରିବୁଲେ। କେହି କେହି ନିସ୍ତବ୍ଧ ରାତ୍ରୀର ଅମା ଅନ୍ଧକାରରେ ତାକୁ ଦେଖିଛନ୍ତି କିନ୍ତୁ କେବେ ବି ତା' ସହିତ ସାମ୍ନାସାମ୍ନି ହେବାକୁ ସାହାସ ବାନ୍ଧି ନାହାନ୍ତି। କାହାର ବା ନିଜର ଜୀବନକୁ ଲୋଭ ନାହିଁ? ଜୀବନ ଅଛି ବୋଲି ତ ଏଇ ସୁନ୍ଦର ବିବିଚିତ୍ର ଦୁନିଆ ଅଛି। ସୁଖଦୁଃଖ, ଭଲମନ୍ଦ, ହାନିଲାଭ ଅଛି। ଜଙ୍ଖକୁ ଲୋଭ କରି ଲାଭାନ୍ୱିତ ହେବାର ଲାଳସା ସଭିଏଁ ପୋଷଣ କରନ୍ତି କିନ୍ତୁ ତା' ସାମ୍ନାକୁ ଯିବାକୁ ଡରନ୍ତି। ଏହା ହିଁ ଅବିଶ୍ୱସନୀୟ ସତ୍ୟ। କାହିଁକି ନା ଜଙ୍ଖର ନଜରରୁ ମଣିଷ ବର୍ତ୍ତି ପାରେ ନାହିଁ, ମରଣ ସୁନିଶ୍ଚିତ! ଇଏ କାଳେ ମଣିଷ ଠାରୁ ବଳି ଅଧିକ ଭୟଙ୍କର!
ଜଙ୍ଖକୁ ଲୋଭ କଲେ ଜୀବନ ଯିବାଟା ତ ଥୟ। ସହଜରେ ଅବା ଏଇ କୋଉଠି କାହାକୁ ଧରା ଦେଲାଣି ଯେ କିଏ ପୁଣି ତାକୁ ଧରିବ? ମନରେ ପ୍ରଶ୍ନ ଉଠେ କିଏ ଏଇ ଜଙ୍ଖ? ଯୁଗ ଯୁଗ ଧରି ଭୂଗର୍ଭରେ ପାତାଳୀ ହୋଇ ରହିଥିବା ମୂଲ୍ୟବାନ ଧାତୁର ସମ୍ମିଶ୍ରଣରେ ତିଆରି ହୋଇଥାଏ ଏଇ ଜଙ୍ଖଟିର ଶରୀର। କାଳର ପ୍ରବାହରେ ଜୀବନ୍ୟାସ ପାଏ ଆଉ ପାଲଟିଯାଏ ବିଚିତ୍ର ଜୀବଟିଏ। ଚିକ୍ ମିକ୍ ଆଲୁଅ ଭଳି ତା'ର ରୂପକାନ୍ତି। ଗତିପଥରେ ବିଚ୍ଛୁରିତ କରେ ଉଜ୍ଜ୍ବଳ ଆଲୋକ ଠିକ୍ ଉଲକାପାତ ପରି। ସତେ ଅବା ନକ୍ଷତ୍ରଟିଏ ବାଟ ଚାଲୁଛି ଏଇ ଧରାପୃଷ୍ଠରେ।
ଧାତୁରୁ ଉତ୍ପତ୍ତି ଲାଭ କରିଥିବା ଏଇ ସଜୀବ ସଚଳ ଜଙ୍ଖକୁ ନେଇ ଗାଁ ଗହଳିରେ କେତେ କଥା କେତେ କାହାଣୀ ପ୍ରଚଳିତ। ଏଗୁଡ଼ିକ କେତେ ସତ କେତେ ମିଛ କେହି ବି ଜଣେ ସଠିକ୍ ଭାବେ କହିପାରିବ ନାହିଁ। ତଥାପି ଆବାଳବୃଦ୍ଧବନିତା କି ଶିକ୍ଷିତ କି ଅଶିକ୍ଷିତ ସଭିଏଁ ଏଇ ଜଙ୍ଖର ଜୀବସତ୍ତା ତଥା ଜାଗତିକ ଉପସ୍ଥିତିକୁ ବିଶ୍ୱାସ କରନ୍ତି। ସଭିଙ୍କର ମନରେ ତାକୁ ଲାଭ କରିବାର ଦୁର୍ବାର ଲାଳସା ଜାଗ୍ରତ ହୁଏ। କିଏ ସ୍ୱପ୍ନରେ ତାକୁ ଦେଖେ ତ କିଏ ବାସ୍ତବରେ ଦେଖେ। କିନ୍ତୁ କିଏ ପ୍ରକୃତରେ ଏହାର ଲାଭାର୍ଥୀ ହୁଏ ତାହା ସଭିଙ୍କୁ ଅଜଣା। ହଠାତ୍ କେହି ଧନାଢ୍ୟ ହୋଇଗଲେ ଲୋକେ କହନ୍ତି, "ସେ ଅମୁକ ଲୋକ ଜଙ୍ଖଟେ ପାଇଗଲା!"
#######
ଦିନକୁ ଦିନ ଦିନମଣିଙ୍କ ପିଲାମାନେ ବଡ଼ ହେବାକୁ ଲାଗିଲେ। ପାଠ ପଢା ସରିବା ପରେ କାହାରି ବି କିଛି ସ୍ଥାୟୀ କର୍ମସଂସ୍ଥାନ ନାହିଁ। ଚାକିରୀରୁ ଅବସର ନେବାକୁ ଆଉ ଦିନ କେଇଟା ଯାହା ବାକି ରହିଛି। ଝିଅମାନଙ୍କୁ ବିବାହ ଦେବା ପୁଣି ଚିନ୍ତାର କାରଣ। ଏଥିପାଇଁ ତାଙ୍କ ପତ୍ନୀ ହାରାମଣୀ ସଦାସର୍ବଦା ଉଦବିଗ୍ନ ରୁହନ୍ତି। ରାତି ରାତି ଧରି ନିଦ ତାଙ୍କର ଆଖିକୁ ଆସେ ନାହିଁ। ବିଛଣାରେ ଯାହା ଶରୀରଟି ନିଶ୍ଚଳ ହୋଇ ପଡିଥାଏ ସିନା ମନଟା ତାଙ୍କର ଜଗତସାରା ବିଚରଣ କରୁଥାଏ। କଥାରେ ନାହିଁ, "ମନ ମୂଳେ ଏ ଜଗତ!"
ପୌଷ ମାସର ଅମାବାସ୍ୟା, ବଉଳ ଅମାବାସ୍ୟାର ବହଳ ଅନ୍ଧାରୀ ରାତ୍ରୀ। ଚତୁର୍ଦ୍ଦିଗରେ ଅନ୍ଧକାରର ଅଖଣ୍ଡ ରାଜତ୍ୱ। ରାତ୍ରୀର ତୃତୀୟ ପ୍ରହର। ଭୟଙ୍କର ଶୀତ ହେତୁ ଜୀବଜନ୍ତୁ ସବୁ ଶୀତନିଦ୍ରାରେ। କେହି ବି କୁଆଡ଼େ ବାହାରକୁ ବାହାରି ନଥାନ୍ତି। ଏଇ ନିସ୍ତବ୍ଧତାକୁ ଚିରି ଗାଁ ଦାଣ୍ଡରେ ଜଙ୍ଖଟି ତା'ର ଆଲୋକ ବିତରଣ କରି ଚାଲୁଥାଏ। ନିଜର ଆଲୋକରେ ଅନ୍ଧକାରକୁ ଦୂର କରି ଇତସ୍ତତଃ ଘୁରି ବୁଲୁଥିବା ବେଳେ ଘନ କୁହୁଡ଼ିରେ ଅଚାନକ ବାଟବଣା ହୋଇ ଦିନମଣିଙ୍କ ଘରର ଅଗଣାରେ ଗୋରୁଗାଈଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗୋରୁମୁହାଁ ଅଇଁଠା କୁଣ୍ଡରେ ଯାଇ ପଡିଲା। ବିକଟାଳ ରଡି ଛାଡି ଡହଳବିକଳ ହେଉଥାଏ ସେଇ ଗଭୀର କୁଣ୍ଡରେ। ଉଠିବାକୁ ଚେଷ୍ଟା କରୁଥାଏ କିନ୍ତୁ ସଫଳ ହୋଇ ପାରୁନଥିଲା।
ଅନିଦ୍ରା ରୋଗଗ୍ରସ୍ତ ହାରାମଣୀ ଦେବୀଙ୍କ କର୍ଣ୍ଣ ଗୋଚର ହେଲା ଜଙ୍ଖଟିର ଚିତ୍କାର। ଅବିଳମ୍ବେ ବିଛଣା ତ୍ୟାଗ କରି କାହାକୁ କିଛି ନଜଣାଇ ସେ ଉଠି ଆସିଲେ ଶୟନ କକ୍ଷର ବାହାରକୁ। ଧିମା ଜଳୁଥିବା ଲଣ୍ଠନଟିକୁ ତେଜି ଦେଇ ଅଗଣାକୁ ଆସି ଦେଖିଲେ। ଗୋରୁମୁହାଁ ଅଇଁଠା କୁଣ୍ଡରେ କିଛି ଗୋଟେ ପଡି ଚିକ୍ ମିକ୍ ଆଲୁଅ କରୁଛି। ବିସ୍ଫାରିତ ନେତ୍ରରେ ଚାହିଁ ରହିଥିଲେ ସିଏ ସେଇ ବିଚିତ୍ର ଜୀବଟିକୁ। ଆହାଃ ଏତେ ଦିନ ଧରି ଯାହା ବିଷୟରେ ଶୁଣିବାକୁ ମିଳୁଥିଲା ସିଏ ନିଜେ ଆସି ଧରା ଦେଇଛି ତାଙ୍କର ଘର ଅଗଣାରେ। ଅହୋଃ ଭାଗ୍ୟ!
କାଳ ବିଳମ୍ବ ନ କରି, ବଡ଼ ପୁଅକୁ ନିଦ୍ରାରୁ ଜଗାଇ ମନରେ ସାହାସ ବାନ୍ଧି ହାରାମଣୀ ଦେବୀ ଗୋଟିଏ ବଡ଼ ଲୁହା କଡ଼େଇ ଦ୍ୱାରା ଗୋରୁମୁହାଁ ଅଇଁଠା କୁଣ୍ଡକୁ ଘୋଡାଇ ଦେଲେ। ଯାହା ଫଳରେ ଜଙ୍ଖଟି ଆଉ ବାହାରକୁ କୁଆଡ଼େ ବି ଯାଇ ପାରିବ ନାହିଁ। ରାତି ସାରା ଶୀତର ପ୍ରକୋପ ସହି ସେଇ ଅଗଣାରେ ଦୁହେଁ ତାକୁ ଜଗି ରହିଲେ। ଧିରେ ଧିରେ କୁଣ୍ଡରେ ଥିବା ଆଲୋକ ନିର୍ବାପିତ ହେବାକୁ ଲାଗିଲା। କୂଆ ରାବ ଦେଲା। ରାତି ପାହି ସକାଳ ହେଲା। ଦିନର ସ୍ପଷ୍ଟ ଆଲୋକରେ ସବୁ କିଛି ପରିସ୍କାର ଦେଖାଯାଉଥାଏ। ଜଙ୍ଖଟି ସାରା ରାତି ହେମାଳ ଅଇଁଠା ପାଣିରେ ପଡି ପଡି ବିଶୁଦ୍ଧ ସୁବର୍ଣ୍ଣ ପାଲଟି ଯାଇଥିଲା ସେତେବେଳକୁ।
ଦିବ୍ୟ ସ୍ୱଭାବର ଦିନମଣି ଏହାକୁ ପାପାଚାର ମଣି "ଅର୍ଥ ସବୁ ଅନର୍ଥର କାରଣ" ବୋଲି କହୁଥିଲେ। କିନ୍ତୁ ଆଜନ୍ମରୁ ଦାରିଦ୍ର୍ୟର କଷାଘାତରେ ବଢିଥିବା ପିଲାମାନେ ତାଙ୍କ ଯୁକ୍ତିକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥିଲେ। ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖିବାରେ ମଗ୍ନ ଥିଲେ। କିଛି ଦିନର ଅନ୍ତରାଳରେ ଦିନମଣିଙ୍କ ପରିବାରର ଅବସ୍ଥା ବଦଳି ଗଲା। ପୁରୁଣା ଜରାଜୀର୍ଣ୍ଣ ଟାଇଲି ଛପର ଘର ପରିବର୍ତ୍ତିତ ହୋଇ ଯାଇଥିଲା ଏକ ସୁରମ୍ୟ ସୁଦୃଶ୍ୟ ତ୍ରିତଳ ପ୍ରାସାଦରେ। ତାଙ୍କ ବ୍ୟତୀତ ସ୍ତ୍ରୀ ଓ ପିଲାମାନଙ୍କ ବେଶଭୂଷା ଆଚାର ବ୍ୟବହାର ମଧ୍ୟ ବଦଳି ଯାଇଥିଲା ଘରର ଅବସ୍ଥା ପରି। ଅପରିମିତ ଧନ ସମ୍ପତ୍ତିରେ ଭରିଗଲା ଘର। ଯେବେ ବିଧାତା ଦିଅନ୍ତି ତ ଛପର ଫାଡିକି ଦିଅନ୍ତି।
ଆର୍ଥିକ ସ୍ଥିତି ସୁଧାରିବା ପରେ ପିଲାମାନଙ୍କ ହାବଭାବ ଏକଦମ୍ ବଦଳି ଗଲା। ଅର୍ଥର ପ୍ରାଚୁର୍ଯ୍ୟରେ ବଡ଼ ପୁଅ ନେତା ହୋଇଗଲା। ପଞ୍ଚାୟତ ନିର୍ବାଚନରେ ଜିତି ସରପଞ୍ଚ ହୋଇଗଲା। ଅନ୍ୟ ପୁଅ ମାନେ ବିଭିନ୍ନ ବାଣିଜ୍ୟ କାରବାର କରିବା ସହିତ ସଭିଏଁ ମିଶି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ନିରୀହ ଲୋକଙ୍କୁ ଶୋଷଣ କରିବାକୁ ଆରମ୍ଭ କଲେ। ଯିଏ ବିରୁଦ୍ଧାଚରଣ କଲା ତାକୁ ମାରଧର କଲେ। ପର ଝିଅ ବୋହୂଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଲେ। ଫଳରେ କେହିବି ନିଜକୁ ସୁରକ୍ଷିତ ମଣିଲେ ନାହିଁ। ଦୁର୍ଦ୍ଦାନ୍ତ ଅପରାଧୀ ପାଲଟି ଯାଇ ସଭିଏଁ ମାଲିମକଦ୍ଦମାରେ ଲିପ୍ତ ରହିଲେ।
ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଥିଲେ। ମୁହଁରେ କିଛି କହିବାର ସାହାସ ନଥିଲେ ମଧ୍ୟ ଅଜସ୍ର ଅଭିଶାପ ଅଜାଡ଼ି ଦେଉଥିଲେ। ଏସବୁ ଦିନମଣିଙ୍କ ଦ୍ୱାରା ସହ୍ଯ କରିବା ଥିଲା କଠିଣ ବ୍ୟାପାର। ପିଲାମାନଙ୍କୁ ବହୁବାର କାକୁତିମନତି ହୋଇ ବୁଝାଇଲେ ଏହି କୁପଥ ପରିହାର କରିବା ପାଇଁ। କିନ୍ତୁ ଜଣେ କେହିବି ତାଙ୍କ କଥା ଶୁଣିବାକୁ ରାଜି ନଥିଲେ। ସଭିଏଁ ନିଜ ନିଜର ଜିଦ୍.ରେ ନଛୋଡବନ୍ଧା। ଅଗତ୍ୟା ଲୋକ ଲଜ୍ଜାକୁ ଡରି ଦିନମଣି ବାବୁ ଚୁପ୍ ରହିବା ସାର ହେଲା।
ଅଞ୍ଚଳର ପୁରୁଖା ଲୋକଙ୍କ ମୁହଁରେ ଶୁଣିବାକୁ ମିଳୁଥିଲା, "ବାପ ଦ୍ୱାରା ଚାରି ପାଞ୍ଚ ଦଶନ୍ଧି ଧରି ଅର୍ଜନ କରାଯାଇଥିବା ପୂଣ୍ୟ କଣ ଏଇ ଚାରି ପାଞ୍ଚ ବର୍ଷରେ ସରିଯିବ? ଏହାର ପ୍ରଭାବ ତ ଆହୁରି ଅନେକ ଦିନ ପର୍ଯ୍ୟନ୍ତ ରହିବ। ସୂତରାଂ ସେପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କୁ ତ୍ରାହି ମିଳିବ ନାହିଁ।"
ଦୀର୍ଘ ପନ୍ଦର ବର୍ଷ ଧରି ଉତ୍ପାତ କରିବା ପରେ ମଧ୍ୟ ଦିନମଣିଙ୍କ ପିଲାମାନଙ୍କ ମନ ଶାନ୍ତ ହୋଇନଥାଏ। ଏହି ଦୁଶ୍ଚିନ୍ତାରେ ଦିନମଣି ଦିନକୁ ଦିନ କ୍ଷୀଣ ହେବାକୁ ଲାଗିଲେ। ପରିଶେଷରେ ଏମିତି ଏକ ଅମାବାସ୍ୟାର ଅନ୍ଧାରୀ ରାତ୍ରୀରେ ଇହଲୀଳା ସମ୍ବରଣ କରି ପରଲୋକ ଗମନ କଲେ। ତାଙ୍କର ଶୁଦ୍ଧିକ୍ରିୟା ସମାପନାନ୍ତେ ପୁତ୍ରଗଣଙ୍କର ପାପର ସାମ୍ରାଜ୍ୟ ରସାତଳଗାମୀ ହେବାକୁ ଲାଗିଲା। ତାଙ୍କ ସହିତ ତାଙ୍କର ପୂଣ୍ୟ ଏଇ ଜଗତରୁ ବିଦାୟ ନେଇ ଯାଇଥିଲା।
ଯଦୁବଂଶୀୟଙ୍କ ପରି ପରସ୍ପର ମଧ୍ୟରେ ବିବାଦରେ ଲିପ୍ତ ରହି ରକ୍ତମୁଖା ପାଲଟି ଯାଇଥିଲେ ତାଙ୍କର ପୁଅମାନେ। ଜଣେ ଆଉ ଜଣଙ୍କୁ ସହି ପାରୁନଥିଲା। ପରିସ୍ଥିତି ଏପରି ସୃଷ୍ଟି ହେଲା ଯେ, ବଡ଼ ପୁଅର ଗୁଳି ଚୋଟରେ ସାନ ପୁଅ ଟଳି ପଡ଼ିଲା। ଏହାକୁ ସ୍ୱଚକ୍ଷୁରେ ଦର୍ଶନ କରି ମାଆ ହାରାମଣୀ ମାନସିକ ସନ୍ତୁଳନ ହରାଇ ପାଗଳୀ ହୋଇଗଲେ। ବିଭିନ୍ନ ମାଲିମକଦ୍ଦମା ଚାଲିଥିବା ହେତୁ ସେହି ବାବଦରେ ଖର୍ଚ୍ଚ କରିବାକୁ ଗଢିଥିବା ସୁରମ୍ୟ ପ୍ରାସାଦଟି ନିଲାମ ହୋଇଗଲା। ଦିନମଣିଙ୍କ ଆବର୍ତ୍ତମାନରେ ତାଙ୍କ ପରିବାର ଛାରଖାର ହୋଇଗଲା। ଅଥଚ ଅଞ୍ଚଳବାସୀଙ୍କ ମନରେ ପ୍ରଶାନ୍ତି ବିରାଜମାନ କରୁଥିଲା।
