Ranjit Sahu

Tragedy

3  

Ranjit Sahu

Tragedy

ପୁରୁଣା ବହିର ମହକ

ପୁରୁଣା ବହିର ମହକ

4 mins
12.4K


ଜେଜେବାପାଙ୍କର ପୁରୁଣା ଘର ଭାଙ୍ଗି ଯାଇଛି ବାତ୍ୟାରେ  I ବହୁତ ସୁନାମ ଥିବା ଓକିଲ ଥିଲେ ସିଏ ଏବଂ ସହରରେ ତାଙ୍କର କୋଠା ସବୁଠାରେ ପରିଚିତ I 'ସରସ୍ଵତୀ ନିଳୟମ' କହିଲେ ଯେ କୌଣସି ଲୋକ ଆପଣଙ୍କୁ ରାସ୍ତା  କହିଦେବ I ଦୀର୍ଘ କୋଡିଏ ବର୍ଷ ପରେ ଫେରୁଛି ତାଙ୍କ ଘରକୁ I ବାପାଙ୍କ ଦେହାନ୍ତ ପରେ, କକା ମାନଙ୍କ ସହିତ ଧୀରେଧୀରେ  ସମ୍ପର୍ ଟି ଦୁର୍ବଳ ହୋଇଯାଇଥିଲା ଦୂର ସହରରେ ଚାକିରୀ ଖଣ୍ଡିଏ କରିଥିବାରୁ I ବାପା  ମଧ୍ୟ ମୋ ପାଖରେ ରହୁଥିଲେ, ତେଣୁ ଆଉ ପୂର୍ବପୁରୁଷଙ୍କ ବନ୍ଧନର ମୋହ ଏତେ ଅଧିକ ନଥିଲା I ବାପାଙ୍କ ଦେହାନ୍ତ ସୁଦୂର ଦିଲ୍ଲୀରେ ହୋଇଥିବାରୁ ଏକ ପ୍ରକାର ମୋତେ ନିଜେ ହିଁ ସବୁ କାର୍ଯ୍ୟ କରିବାକୁ ପଡିଥିଲା ଏବଂ ପାରମ୍ପରିକ ଭାବରେ ଗୟାରେ ସବୁ କାମ ସରିଥିଲା I ତେଣୁ ସେ ସମୟରେ ମଧ୍ୟ ଆଉ କାହା ସହ ବିଶେଷ ଦେଖା ସାକ୍ଷାତ ହୋଇ ପାରିନାହିଁ I କକାଙ୍କ ଫୋନରେ ହୋଇଥିବା କଥାବାର୍ତାରୁ ଆଭାସ ପାଇଥିଲି, ସମସ୍ତେ ନିଜ ନିଜର ସଂସାର ସମ୍ଭାଳିବାର ବ୍ୟସ୍ତ I ଯାହା କିଛି ପୁରୁଖା ସମ୍ପତ୍ତି ଅଛି ସବୁ ଭାଗ କରିଦେଲେ କାମ ସରିଯିବ I ଏମିତିରେ ମଧ୍ୟ ଆଜି କାଲି ପୁରୁଣା  କାଳିଆ ଢଙ୍ଗରେ ମିଳିତ ପରିବାର ରହିବାର ପରମ୍ପରା ନାହିଁ I ଯେଯାଏଁ ଘରଟା ଠିକ ଢଙ୍ଗରେ ଥିଲା,ତାକୁ ବିଭିନ୍ନ ସମୟରେ କକା ମାନେ ଟିକିଏ ଟିକିଏ ମରାମତି କରି ଦେଇ ସେହି ବାହାନାରେ, ସେଥିରୁ ଆସୁଥିବା ଭଡା ହଡପ କରୁଥିଲେ I ସେମାନଙ୍କ ଲାଗି ତାହା ଥିଲା ଏକ ପ୍ରକାର ଇନଭେଷ୍ଟମେଣ୍ଟ I ମୋ ବାପା ସବୁ ବେଳେ ଭାଇମାନଙ୍କ ପ୍ରତି ଅଧିକ ଦୟାଳୁ, ତେଣୁ ମୁଁ ମଧ୍ୟ କିଛି କୁହେ ନାହିଁ ଏବଂ ସେହି ଘର ବିବାଦରେ ପଡେ ନାହିଁ I ଏଥର କିନ୍ତୁ ଆଉ ଉପାୟ ନଥିଲା I ବ୍ୟକ୍ତିଗତ ଇଚ୍ଛା ଆଉ ଅଭିପ୍ରାୟ ଯାହା ହୋଇଥିଲେ ମଧ୍ୟ ଆଇନ କାନୁନକୁ ମାନିବାକୁ ପଡିବ I ତେଣୁ ଭାବିଲି ଯେତେ ଶୀଘ୍ର ଏହି ସମସ୍ୟା ସମାଧାନ ହେବ, ସେତେ ଶୀଘ୍ର ନିଜ ନିଜର ଜୀବନ ବଞ୍ଚିବା ଲାଗି ଚେଷ୍ଠା କରିବ ମଣିଷ I

 "ଏହି ଘରକୁ ଆଉ ମରାମତି କରି କିଛି ଲାଭ ନାହିଁ, ବହୁତ ବର୍ଷ ପର୍ଯ୍ୟନ୍ତ ଏହାର ଯତ୍ନ ନେଲି I ନିଜ ହାତରୁ ପଇସା ଖର୍ଚ୍ଚ କରିକି ଅନେକ ଥର ମରାମତି କରିଛି I ମୋର କଣ ଏକା ଜଣଙ୍କର ଦାୟିତ୍ବ  କି ? ତୋ ବାପା ତ କିଛି କଲେ ନାହିଁ, କେବଳ ବଡ ବଡ କଥା କହିଲେ ଆଉ ବଡ ହେବାର ଫାୟଦା ନେଲେ ଆମେ ସବୁ ଚୁପ ରହିଲୁ ବୋଲି I ତୋ ଜେଜେମାର ପରଲୋକ ପରେ ଯଦି ସବୁ ଭାଗ ବଣ୍ଟା ସରି ଦେଇ ଥାଆନ୍ତେ ଏତେ ଦୂର କଥା ଯାଇ ନଥାଆନ୍ତା, " ଆକ୍ଷେପ ଭରା କଣ୍ଠରେ କକା କହିଲେ I ଘର କମ୍ପାଉଣ୍ଡ ଭିତରେ ଅନ୍ୟ ଜଣେ କକାଙ୍କର ଝିଅଟିଏ ଘର କରି ରହିଛି I ତାହାର ଗରିବ ଅବସ୍ଥା ଦେଖି ତାହାକୁ ସମସ୍ତେ ଦୟା ଦେଖେଇ ରହିବାକୁ ଦେଇଛନ୍ତି କୁଆଡେ ! ଅର୍ଥାତ ମୋର ସଙ୍ଘର୍ଷ ସମୟରେ କାହାକୁ ମୋର ଦୁଃଖ କି କଷ୍ଟ ଦେଖା ଦେଇ ନଥିଲା କି କାହାକୁ ମଧ୍ୟ ମନରେ ଥରେ ଆସି ନଥିଲା, ଏକା ବଉଁଶର ଛୁଆଟିଏ ଏତେ ଦୂରରେ କେମିତି ଚଳୁଛି I କିଛି କହିଲିନି ମୁଁ I ସମାଜରେ ଏହି ସମ୍ପତି ବାଡ଼ି ଲାଗି ଆଜି କାଲି ଅନେକ ବିଶୃଙ୍ଖଳା I ନିଜର ଜୀବନର ଥିବା ବ୍ୟକ୍ତିଗତ ଆଉ ପ୍ରଫେସନାଲ ସଂଘର୍ଷ କମ ନୁହେଁ କାହାର ମଧ୍ୟ I "କଣ କରିବା କୁହନ୍ତୁ?" ମୁଁ ପଚାରିଲି I "ଆର ଦୁଇ ଜଣଙ୍କୁ ଡାକିଛି, ସେମାନେ ଓକିଲକୁ କହିକି କାଗଜ ପତ୍ର ସବୁ ପ୍ରସ୍ତୁତ କରି ସାରିଛନ୍ତି , ତୁ ହସ୍ତାକ୍ଷର କରିଦେଲେ ସରିଲା କାମ I ହଁ ଆମେ ସବୁ ଭାବିଛୁ ଏହି ଘରକୁ ଭାଙ୍ଗିଦେବୁ I ଜାଗାକୁ ଭାଗ କରିକି ଯିଏ ଯାହାର ଯାହା କରିବ I ଯାହା ସବୁ ଜିନିଷ ଅଛି ସବୁ ନିଲାମ ହେବ I ଦେଖିବୁ ଯଦି ଦେଖିନେ ଥରେ," କକା ଚାଲିଗଲେ  ବାହାରକୁ I 

କିଛି ନ କହି ଦେଖିବାକୁ ଲାଗିଲି କୋଠାଟିକୁ I ମାସେ ହେଲା ଆଉ ଭଡାରେ ଉଠିନି  ଘରଟି I କାନ୍ଥରେ ମାଡ଼ିଥିବା ମଧୁମାଳତୀ ପରିଚିତ ଲାଗିଲା ଆଉ ତାହାର ମହକ ମଧ୍ୟ I ସାମ୍ମାରେ  ଥିବା ପଣସ ଆଉ ଆମ୍ବ ଗଛ ମଧ୍ୟ ଖୁସି ଦିଶୁଥିଲେ I ପାଚିଲା ଫଳର ସ୍ୱାଦ ତ ଏବେ ବି ଭୁଲିନି ମୁଁ ମନରୁ I ପିଲାବେଳର ସ୍ମୃତି ସବୁ ସତେଜ ହୋଇ ଉଠିଲା I କିନ୍ତୁ କୋଠା ଭିତର  ଯେମିତି ଭୂତ କୋଠି I ସବୁ ଆଡେ ବୁଢିଆଣୀ ଜାଲ ଆଉ ଗୋଟିଏ କୋଣରେ ଉଈ ହୁଙ୍କାଟିଏ I ଅଳ୍ପ କିଛି ପୁରୁଣା କାଠର ସାମାନ କିଛି ପଡିଛି ଆଉ ଅନ୍ୟ ଯାହା ମହଙ୍ଗା କିଛି ସାମାନ ଥିଲା କିଛି ଆଉ ଦେଖା ଯାଉ ନାହିଁ I ମନେ ପଡିଗଲା ବୋଉ ଥରେ କହୁଥିଲା," ସେମାନେ ଧୀରେ ଧୀରେ ସବୁ ନେଇଯିବେ  I ଯିଏ ଦୂରକୁ ଗଲା ତାକୁ ସମସ୍ତେ  ଠକିବାକୁ ସବୁ ବେଳେ ପ୍ରସ୍ତୁତ, କାରଣ ସିଏ ସବୁ ବେଳେ ସତ କଥା ଦେଖୁ ନଥାଏ I”

କିଛି ଭାବି ଚାଲିଗଲି ଉପର ମହଲାକୁ I ସେଇଟା ଜେଜେ ବାପାଙ୍କର ଅଫିସ ଆଉ ପାଠାଗାର I ସେଠି ମୋର ଜଣେ କକା ପୁଅ ଭାଇ ପଢା ପଢି କରେ, ଏ ବର୍ଷ ଇଞ୍ଜିନିଅରିଂ ପାଇଛି ଆର ମାସକୁ ଚାଲିଯିବ I ଭିତରକୁ ଯାଉ ଯାଉ ମୋତେ ଦେଖି ନମସ୍କାରଟିଏ କରି ଭଲ ମନ୍ଦ ଦୁଇ କଥା ହେଲା I "ଯାହା ହେଉ ଏହି ବଖରାଟେ ଭଲ ସଫା ସୁତୁରା ହେଇକି ଅଛି, ଠିକ ଯେମିତି ଆଗରୁ ଥିଲା I ମୁଁ ତୋର ବୟସରେ ଥିଲା  ବେଳେ ଏଠି ବହୁତ ସମୟ ବସେ ଆଉ ଜେଜେଙ୍କ ସହ ମଜା ମଜଲିସ  କରେ I ଜେଜେ ସବୁ ପ୍ରକାର ବହି ପଢୁଥିଲେ I ସେ ସବୁ ବେଳେ କହୁଥିଲେ, ବିଦ୍ୟା ହିଁ ଚିର ସାଥି,ଧନ ଆସେ ଆଉ ଯାଏ ତାହାର ବାଟରେ," ମୁଁ କହିଲି I

 "ମୁଁ ମଧ୍ୟ ପଢୁଛି ନନା ସମୟ ପାଇଲେ ଏହି ବହି ସବୁ I ବାପା  କହୁଥିଲେ ଏ ସବୁ ବହି କଣ  ହେବ ତୁମ ସହ ଆଲୋଚନା କରିବି I ଅନ୍ୟ ସବୁ କିଛି ତ ସେମାନେ କଥା ହେଇ ସାରିଛନ୍ତି," ମୋ କକା ପୁଅ ଭାଇ କହିଲା I ବହି ଆଲମାରୀର କାଚଟିକୁ ଟିକିଏ ଘୁଁଚେଇ ଦେଇ ଉଠେଇନେଲି ଗୋଟିଏ ବହି I ପିଲାଙ୍କର କାହାଣୀ ବହିଟିଏ I ବହୁତ ପରିଚିତ ସେହି ବହିଟି , ମୁଁ କିଶୋର ହୋଇ ମହାବିଦ୍ୟାଳୟ ମାଡିଲା ପରେ ମଧ୍ୟ  ଜେଜେ ମୋତେ ପଢି  ଶୁଣେଇ ଥିଲେ   ସେହି ପୁରୁଣା ପିଲା ବେଳର କାହାଣୀ ଆଉ ମୁଁ ଶୁଣୁଥିଲି  I ସେହି ପୁରୁଣା ବାସ୍ନା ବହିଟିର ଆଜି ମଧ୍ୟ ବଜାୟ ରହିଛି I କାନରେ ଶୁଭିବାକୁ ଲାଗିଲା ଜେଜେଙ୍କର ଗମ୍ଭୀର ମଧୁର ସ୍ଵର, ସତେ ଯେମିତି ସିଏ ମୋ ଲାଗି ଆଉ ଥରେ ପଢୁଥିଲେ କାହାଣୀ ଆଉ ମୁଁ ଶୁଣୁଥିଲି I ସେହି ବହି ଅଲମାରୀରେ ଆବଦ୍ଧ ଥିଲା ଏକ ମଧୁର ସମ୍ପର୍କ , ମୋର ଏବଂ ଜେଜେଙ୍କର ଆଉ ଆବଦ୍ଧ ଥିଲା ମୋର ଚରିତ୍ର ଗଠନର ଚାବି କାଠି I ଜେଜେଙ୍କର ସହ ଶେଷ ଥର ଦେଖା ହୋଇଥିଲା କୋଡିଏ ବର୍ଷ ତଳେ ଏହି କୋଠରୀରେ, ସେଦିନ କିନ୍ତୁ ସେ ଶୋଇ ଥିଲେ  ଚିର ନିଦ୍ରାରେ ହାତରେ ବହିଟିଏ ଧରି I ସେଦିନ ମଧ୍ୟ କିନ୍ତୁ ବହି  ଗୁଡିକ କହୁଥିଲେ ତାଙ୍କର ବାର୍ତା ସବୁ ମୋ କାନରେ ଯେମିତି ଆଜି ! ବହିଟିକୁ ଧରି ଏକ ଅଲଗା ଆନନ୍ଦ ଲାଗୁଥିଲା I ବହିଟି ଯେପରି ତାକୁ ନ ଛାଡ଼ିବାକୁ କହୁଥିଲା I କିଛି ଭାବି ନିଜ ବ୍ୟାଗରେ ରଖିଦେଲି ବହିଟିକୁ ଆଉ ପୁଣି କାଚଟିକୁ ଘୁଞ୍ଚେଇଦେଲି I

 "କଣ ଭାବୁଛ ନନା," କକା ପୁଅର ହାତ ଛୁଆଁରେ ପୁଣି ନିଜ ଭାବନାରୁ ବାହାରିଲି ମୁଁ I "ଏ ବହି ଗୁଡାକ ଯିବ କୁଆଡେ?" ମୁଁ ପଚାରିଲି  I "ବାପା କହୁଥିଲି ତୁମେ ଯାହା କରିବ କରିବ ନ ହେଲେ ସିଏ ପୁରୁଣା କାଗଜ଼ କିଣୁଥିବା କାଗଜ ବାଲାକୁ କହି କି ଦେଇଦେବେ, ସିଏ ଯାହା କରିବ କରିବ," ମୋ କକା ପୁଅ ଉତ୍ତର ଦେଲା  I କିଛି ସମୟ ଭାବିଲା ପରେ, ମୋ ସାଙ୍ଗ କମଳ ସହ କଥା ବାର୍ତ୍ତା ହେଲି I ତଳୁ ବଡ କକା ଡାକ ପକେଇଲେ I ତଳକୁ ଚାଲି ଗଲି ମୁଁ I 

---

"ତୋର କିଛି ଆପତ୍ତି ନାହିଁ?" ବଡ କକା ପଚାରିଲେ I ସାମ୍ନାରେ ପଚାଶ ହଜାର ଟଙ୍କା ଥୁଆ ହୋଇଥିଲା  I ସବୁ ହିସାବ ପତ୍ର କରି ଆଉ ଘର ମରାମତି ପାଇଁ ହୋଇଥିବା ଖର୍ଚ୍ଚ  କାଟି ପଚାଶ ହଜାର ମୋ ଭାଗରେ ପଡିଥିଲା ! ମୁଁ  ଜାଣେ ଜାଗାଟିର ମୁଲ୍ୟ କୋଟି କୋଟି ଟଙ୍କା !


"ନା ମୋର ଆପତ୍ତି ନାହିଁ କିଛି I ଟଙ୍କା ଆପଣ ମାନେ ରଖନ୍ତୁ, ଏହି ଘର ଭାଙ୍ଗିବା ଆଉ ତାକୁ ସବୁ ଫୋପାଡ଼ିବାରେ ଲାଗି ପାରେ I କମଳକୁ କହି ଦେଇଛି, ସିଏ ଗୋଟିଏ ପାଠାଗାର କରୁଛି ତାହା ସାହିରେ ସାଧାରଣ ଜନତା ଲାଗି I ସିଏ ସବୁ ବହି ନେଇଯିବ I " 

 "ପରେ ଆଉ କହିବୁନି ତ ତୋତେ କିଛି ଦେଲୁନି ଆଉ ତୁ କିଛି ପାଇଲୁନି ବୋଲି ?" ଅନ୍ୟ ଜଣେ କକା ପଚାରିଲେ I "ନା  ଯାହା ପାଇବାର ଥିଲା ବହୁତ ଆଗରୁ ପାଇ ଯାଇଛି ଜେଜେଙ୍କ ଠାରୁ I  ମୋର ଯାହା ଦରକାର ପଡେ ମୋ ଦରମାରୁ ହେଇଯାଏ I ଆଉ ଯାହା ନେବାର ଥିଲା ତାକୁ କମଳ ନେଇଯିବ I ଏହି ବହିଟି ମୁଁ ନେଇଯାଉଛି," ହାତରେ ଧରିଥିବା ବହିଟିକୁ ଦେଖେଇ ମୁଁ କହିଲି ଆଉ ହସ୍ତାକ୍ଷର କରିଦେଲି I ବାହାରି ଗଲି ମୁଁ ଘର ଭିତରୁ, ପଛକୁ ଫେରି ଚାହିଁବାକୁ ମନ ହେଲାନି କାହିଁକି କେଜାଣି !


Rate this content
Log in

Similar oriya story from Tragedy