STORYMIRROR

Laxman Kumar Behera

Tragedy Inspirational

3  

Laxman Kumar Behera

Tragedy Inspirational

ପୁରସ୍କାର

ପୁରସ୍କାର

9 mins
436


 


       ଆମେରିକାର ଭିର୍ଜିନିଆରୁ ଭାରତ ଭ୍ରମଣରେ ଆସିଥାନ୍ତି ରୂପଲାବଣ୍ଯା ବ୍ରହ୍ମାଣ୍ଡ ସୁନ୍ଦରୀ ଡଃ ଲେସି । ଓଡିଶାର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରୁଥାନ୍ତି । ତାଙ୍କ ସହିତ ସେଦିନ ଥିଲେ ତାଙ୍କର ସେବିକା ନୟନତାରା । ସେ କଟକ ଝିଅ । ଭ୍ରମଣରେ ଲେସିଙ୍କୁ ସହଯୋଗ କରୁଥାନ୍ତି । ଓଡିଆରୁ ଇଂରାଜୀ ଓ ଇଂରାଜୀରୁ ଓଡିଆ ଅନୁବାଦ କରିବାରେ ସେ ପ୍ରବୀଣା ଥିଲେ ।


       ଓଡିଶାର ବିଭିନ୍ନ ସ୍ଥାନ ବୁଲି ବୁଲି ଶେଷରେ ଦେବଗଡ ଜିଲ୍ଲାର ଆଦିକନ୍ଦର ଗାଆଁକୁ ତଥ୍ଯ ସଂଗ୍ରହରେ ଆସିଥାନ୍ତି । ମୁଖ ମଣ୍ଡଳ ଗୋରା ତକ୍ ତକ୍ । ରୂପ ଯୌବନ ଯୁକ୍ତା । ସ୍ମିତ ହାସ୍ଯ ପ୍ରକୃତିର ଶୋଭାକୁ ଦ୍ବିଗୁଣିତ କରୁଥାଏ । ବିଦେଶିନୀଙ୍କୁ ଦେଖିବା ପାଇଁ ସେଦିନ ଗାଆଁରେ ଭିଡ ବଢିଗଲା । ଆଦିକନ୍ଦକୁ ଛାଡି ଗାଆଁର କେହି ବି ଲୋକ ଡଃ ଲେସିର କଥା ବୁଝିପାରୁ ନଥାନ୍ତି । 


      ଆଦିକନ୍ଦ ଇଂରାଜୀ ଅଳ୍ପ ଅଳ୍ପ କହି ଓ ବୁଝି ପାରୁଥିବାରୁ ଡଃ ଲେସିଙ୍କ ପାଖକୁ ଯାଇ ନିଜ ଗାଆଁକୁ ସ୍ବାଗତ ଜଣାଇଲେ । ନିଜ ଘରକୁ ଡାକିଆଣି ପିଣ୍ଡାରେ ଖଟ ପାରି ବସିବା ପାଇଁ କହିଲେ । ଲେମ୍ବୁ ସରବତ ପିଇବା ପାଇଁ ଦେଲେ । 


 ( ସ୍ମିତ ହାସ୍ଯ ଦେଇ ଆଦିକନ୍ଦ ସେମାନଙ୍କ ବିଷୟରେ ଭଲମନ୍ଦ ଇଂରାଜୀରେ ପଚାରି ବୁଝିଲେ । )


       - ଆପଣ କେଉଁଠାରୁ ଆସିଛନ୍ତି ମାଡାମ୍ ?


       - ଆମେରିକାର ଭିର୍ଜିନିଆରୁ ।


       - ଏତେବାଟରୁ ସାତଦରିଆ ଡେଇଁ ଏଠାକୁ କେଉଁ କାମରେ ଆସିଛନ୍ତି ? 


       - ଜଗନ୍ନାଥଙ୍କ ସଂସ୍କୃତି ଉପରେ ଗବେଷଣା କରୁଥିବାରୁ ତଥ୍ଯ ସଂଗ୍ରହ ପାଇଁ ଆସିଛି ।


    ସେଦିନ ଆଦିକନ୍ଦ ଡଃ ଲେସିଙ୍କ ସହ ଯାହା ସବୁ କଥା ହେଉଥିଲା ସେ ସବୁ କଥାକୁ ପୁଣି ଓଡିଆରେ ଅନୁବାଦ କରି ଗାଆଁର ଲୋକମାନଙ୍କୁ ବୁଝାଇ ଦେଉଥିଲା । ନୟନତାରା ମଧ୍ୟ ତା'କୁ ସହଯୋଗ କରୁଥାଏ । ଆମେରିକାରୁ ଆସିଛନ୍ତି ଜାଣି ଲୋକେ ପୂଜା କଲେ । ଗାଆଁ ଶତଧନ୍ଯ ହେଇଗଲା । ସାକ୍ଷାତ୍ ସ୍ବର୍ଗର ଦେବୀଙ୍କୁ ଦର୍ଶନ କରି ଲୋକେ ଧନ୍ଯ ହେଇଗଲେ ବୋଲି ବିଶ୍ବାସ କଲେ । କେତେକ ଅନ୍ଯ ଗ୍ରହରୁ ଆମ ଗାଆଁକୁ ଆସିଛନ୍ତି ବୋଲି କହିବାକୁ ଲାଗିଲେ । ଘରେ ଘରେ ସ୍ଵାଦିଷ୍ଟ ବ୍ଯଞ୍ଜନ ରୋଷେଇ କରି ଲେସିକୁ କୁଣିଆ କରିବାକୁ ଡାକିଲେ । ଗାଆଁର ଲୋକମାନେ ଆଜି ଆମ ଗାଆଁ ରେ ରହି ଯାଆନ୍ତୁ ବୋଲି ଅନୁରୋଧ କରିବାରୁ ଲେସି ଓ ନୟନତାରା ସେଦିନ ସଂନ୍ଧ୍ଯାରେ ସେ ଗାଆଁରେ ରହିଲେ । ଆଦିକନ୍ଦ ଲେସିଙ୍କୁ ତାଙ୍କ ଗାଆଁରେ ଘଟୁଥିବା ସବୁ କଥା ଗୋଟି ଗୋଟି କରି କହିଗଲା ।


     ମୋ ଗାଆଁ ସବୁଜ ସୁନ୍ଦର ଥିଲା । ସୁଖରେ ଦୁଃଖରେ ସମସ୍ତେ ଭାଇ ଭାଇ ହେଇ ଚଳୁଥିଲେ । ଯେବେ ଆଧୁନିକତା ସ୍ପର୍ଶ କଲା, ସେବେ ମୋ ଗାଆଁ ପୁରା ବଦଳିଗଲା । ଗାଆଁକୁ ସକାଳ ନପାହୁଣୁ ସହରର ଭାଟି ମଦ ବ୍ଯବସାୟୀମାନେ ଆସିଲେ ବ୍ଯବସାୟ କରିବା ପାଇଁ । ନିଶା ଖାଇ ଗାଆଁର ଅନେକ ଯୁବକ ଯୁବତୀ ନିଜ ଜୀବନ ନଷ୍ଟ କଲେ । ମଦ ପିଇ ଘରେ କଳିଝଗଡା ଲାଗିଲେ । ଥାନାକୁ ଗଲେ । ସେଠାରେ ସମାଧାନ ହେଲା । ମିଳାମିଶା ଆଉ ଖର୍ଚ୍ଚାନ୍ତ ହୋଇ ଘରକୁ ଫେରିଲେ । ଏ ଧାରା ନିୟମିତ ହୋଇ ଏବେ ଗାଆଁ ଲୋକଙ୍କ ଅଭ୍ୟାସରେ ପରିଣତ ହେଇ ସାରିଛି । ନେତାମାନେ ଏଠାକୁ ଆସନ୍ତି ନିର୍ବାଚନ ଲଢିବା ପାଇଁ । ଭିନ୍ନ ଭିନ୍ନ ଦଳ ଗଠନ କରି ଚାଲି ଯାଆନ୍ତି । ନିର୍ବାଚନ ପରେ କେବେ ଆସନ୍ତି ନାହିଁ କି ମନେ ମଧ୍ୟ ପକାନ୍ତି ନାହିଁ । ସେମାନେ ଯେଉଁ ଶତ୍ରୁତାର ବୀଜ ରୋପଣ କରି ଚାଲିଯାନ୍ତି ସେଥିରେ ଭାଇ ଭାଇ, ବାପ ପୁଅ, ମାଆ ଝିଅ, ପରିବାର, ସାହି ପଡିଶା ସବୁ ପରସ୍ପର ଭିତରେ କଳିଗୋଳ ଲାଗି ସବୁଦିନ ପାଇଁ ଅଲଗା ହୋଇଯାଆନ୍ତି । ନିଜର ସ୍ବାର୍ଥ ହାସଲ ପାଇଁ ନେତା ହୁଅନ୍ତୁ ଅବା ବ୍ଯବସାୟୀ ସମସ୍ତେ ଏ ଗାଆଁକୁ ଭାଗ ଭାଗ କରି ଦେଇଛନ୍ତି ।


    ସହରର କୌଣସି ଶିକ୍ଷକ ଶିକ୍ଷୟତ୍ରୀ ଆମ ପିଲାଙ୍କୁ ପଢାଇବା ପାଇଁ ଏଠାରେ ନିଯୁକ୍ତି ହୁଅନ୍ତି ନାହିଁ । ଯଦି ବା ନିଯୁକ୍ତି ପାଇଗଲେ, ଶିଘ୍ର ବଦଳି ପାଇଁ ପ୍ରୟାସ କରନ୍ତି । କୁହନ୍ତି ଏ ଗାଆଁ ଗୁଡିକରେ କିଛି ସୁବିଧା ସୁଯୋଗ ନାହିଁ । ଏ ଗାଉଁଲି ଗୁଡାକ କେମିତି ରହୁଛନ୍ତି ଭଲା । ଗାଆଁରୁ କେହି ସହରରେ ଚାକିରି ପାଇଲେ ସେପଟେ ରହି ଯାଉଛନ୍ତି । କେବେ ଏ ଗାଆଁକୁ ଆସିଲେ କୁଣିଆ ଆସିଲା ପରି ଦିନେ ଦୁଇଦିନ ରହି ସହରକୁ ପଳାଉଛନ୍ତି । ମୁହଁ ମୋଡି କେବେ ଦେଖୁ ବି ନାହାଁନ୍ତି । ଆମେ ଗାଆଁ ରେ ରହୁଛୁ । ଖରାଦିନେ ବାରମ୍ବାର ବିଦ୍ଯୁତ୍ କାଟ୍ ହୁଏ । ଅସହ୍ଯ ଗରମ ହେଲେ ଗଛ ତଳେ ରହିଯାଉ । ପାଣିର ଅଭାବ ହୁଏ । ଅଳ୍ପ ନଳକୂପ ଅଛି । ଯେଉଁ ଗୁଡିକ ଅଛି ଲାଲ୍ ପାଣି ବାହାରୁଛି । ସେସବୁ ପିଇ ଗାଆଁର ଅନେକ ଲୋକ କିଡନି ରୋଗରେ ଆର ପାରିକୁ ଚାଲିଗଲେଣି । କେହି ଝିଅ ଦେବା ପାଇଁ ନାରାଜ୍ । କୁହନ୍ତି ଯିବା ଆସିବାର ସୁବିଧା ନାହିଁ । ରାଜପଥ ପାଖରେ ହେଇଥିଲେ ଭଲ ହେଇଥାନ୍ତା । ଝିଅ ବାହା ଦେଲେ ଚାଲି ଚାଲି ଥକି ଯିବୁ ।


    ବଡ ବଡ ଅଫିସ୍ ସବୁ ସହରରେ ରହିଲା । ଆମେ ଯେବେ ଗାଆଁରେ କୌଣସି ଅସୁବିଧାର ସମ୍ମୁଖୀନ ହେଉ ସେବେ ବଡ ହାକିମକୁ ଦେଖା କରିବାକୁ ସହରକୁ ଯାଉ । ସେଠାରେ ଆମକୁ କେହି ଚିହ୍ନନ୍ତି ନାହିଁ । ବସ ବୋଲି କେବେ କୁହନ୍ତି ନାହିଁ । ଅଣଦେଖା କରନ୍ତି । କଡା କଥାବାର୍ତ୍ତା କରନ୍ତି । ମନକୁ ଭାରି ବାଧେ । ମନ ଏଇ କଥା ବି କହେ, ଏମାନେ ତ ଗାଆଁର ପାଣି ପବନରେ ବଢି ନଥିବେ । ଗାଉଁଲି ମାନଙ୍କର ଅସୁବିଧା ବୁଝିବେ କ'ଣ ? ଏମାନଙ୍କ ଉପରେ ରାଗିକି ଲାଭ କିଛି ନାହିଁ । ଏମାନଙ୍କ ପରିବେଶ ହିଁ ଏମାନଙ୍କ ହୃଦୟକୁ ପାଷାଣ କରି ଦେଇଛି । ଆମ କଥା ଏମାନେ ସହଜରେ ବିନା ନେଣଦେଣରେ ବୁଝି ପାରିବେ ନାହିଁ ।


    ସେମାନେ ଭୁଲିଯାଆନ୍ତି ଯେ, ସେମାନେ ଯେଉଁ ଚାଉଳ, ଡାଲି, ପନିପରିବା, ଶାଗ, ଫଳ ମୂଳ, ମାଛ - ମାଂସ - ଅଣ୍ଡା - କ୍ଷୀର ଖାଉଛନ୍ତି ସେସବୁ ଆମ ଗାଆଁରୁ ପ୍ରତିଦିନ ଯାଉଛି ସହରକୁ ।


    ହଁ, ମାନୁଛୁ ଆମେ ଅଶିକ୍ଷିତ, ଗରିବ - ଗାଉଁଲି ଖଟିଖିଆ । ହେଲେ ଆମେ କାହାରି ଦାନା କେବେ ମାରୁନା । କାହାରିକୁ କେବେ ଦୁଃଖର ନଈରେ ଠେଲି ଦେଉନା । ଉଚ୍ଚ ଶିକ୍ଷା ପାଇଁ କୌଣସି ବ୍ଯବସ୍ତା ନାହିଁ । ତଥାପି ଆମ ପିଲାମାନଙ୍କୁ ବହୁତ କଷ୍ଟରେ ସହରକୁ ପଠାଉଛୁ ପାଠ ପଢିବା ପାଇଁ । 


     ଆମ ଗାଆଁର ପାଣି ପବନରେ ଜୀବନ ଅଛି । କୌଣସି ଭେଜାଲ୍ ର ଚିହ୍ନ ନାହିଁ । ସହରର ପାଣି, ପବନ ମାଟି ସବୁ ଭେଜାଲ୍, ଅପରିଷ୍କାର । ଆବର୍ଜନା ପୂର୍ଣ୍ଣ । ସହରର ଗାଈ ମାନେ ପଲିଥିନ୍, କାଗଜ ଖାଆନ୍ତି । ଘାସ ସେଠାରେ ମିଳେନା । ଆମ ଗାଆଁରୁ ଗାଈ ପାଇଁ ଦାନା ଯାଏ । ନହେଲେ ତ ସହରରେ ସମସ୍ତେ ପଲିଥିନ୍ ଜରି ଆଉ କାଗଜର ମିଶ୍ରଣରେ ଯେଉଁ କ୍ଷୀର ଗୋମାତା ଦିଅନ୍ତେ ତାହା ହିଁ ସେବନ କରିବାକୁ ବାଧ୍ଯ ହୁଅନ୍ତେ । ଏ ମାଟିର ମହ ମହ ବାସ୍ନା ମନକୁ ବିମୋହିତ କରେ, ପବିତ୍ର କରେ ।


     ଆଦିକନ୍ଦ ସେଦିନ ନିଜ ଜିଲ୍ଲାର ଅବକାରୀ ଅଧୀକ୍ଷକଙ୍କୁ ଦେଇଥିବା ନିବେଦନ ପତ୍ରଟିର ନକଲ ଡଃ ଲେସିଙ୍କ ହାତକୁ ବଢାଇ ଦେଲା । ସେ ନୟନତାରାକୁ ପଢି ଅନୁବାଦ କରିବା ପାଇଁ କହିଲେ । ସେଠାରେ ଖଜୁରୀ ରସ ଠିକା ସମ୍ବନ୍ଧରେ ଲେଖାଥିଲା । ଦରଖାସ୍ତଟି ନୟନତାରା ପଢି ଇଂରାଜୀରେ ଅନୁବାଦ କଲା । 


   ମାନନୀୟ,

       ଶ୍ରୀଯୁକ୍ତ ଅବକାରୀ ଅଧୀକ୍ଷକ, ଦେବଗଡ ।


     ( ବିଷୟ- ବାରକୋଟ ବ୍ଲକ୍ ରେ ସ୍ଥାୟୀ ଭାବେ ବସବାସ କରୁଥିବା ଖଜୁରିଆ ( ଶିୟଳ, ତଫସିଲଭୁକ୍ତ ଜାତି ) ପରିବାର ଗୁଡିକୁ ଖଜୁରୀ ରସ ବିକ୍ରି ପାଇଁ ଠିକା ପ୍ରଦାନ ସମ୍ବନ୍ଧରେ ନିବେଦନ ପତ୍ର । )


ମହାଶୟ, 

      ଲେଖି ଜଣାଇବାର କାରଣ ଏହି କି ଯେ, ଆମ୍ଭେ ନିମ୍ନ ସ୍ବାକ୍ଷର କାରୀ ଗଣ ବାରକୋଟ ଶିୟଳ ସମାଜ, ବ୍ଲକ୍ ବାରକୋଟ, ଜିଲ୍ଲା- ଦେବଗଡର ସ୍ଥାୟୀ ସଦସ୍ଯ ଅଟୁ । ବାରକୋଟ ବ୍ଲକ୍ ରେ ଆମ୍ଭେମାନେ ଆଜକୁ ପ୍ରାୟ ୨୫ ବର୍ଷ ହେବ ନିଜର କୌଳିକ ବୃତ୍ତି ହରାଇ ବେରୋଜଗାର ହୋଇ ବସି ରହିଅଛୁ । ନିଜ ପିଲାଛୁଆ ମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଆଜି ଆମ୍ଭେ ଅସମର୍ଥ । ଆମ୍ଭେ ତଫସିଲଭୁକ୍ତ ଜାତିର ଅଟୁ । ଆମ୍ଭମାନଙ୍କର କୃଷି ପାଇଁ ଚାଷ ଜମି ନାହିଁ । ଏଣୁ ଆମ୍ଭେ ବାହ୍ଯ ଜିଲ୍ଲା ତଥା ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, କେନ୍ଦୁଝର, ଅନୁଗୋଳ ଆଦିକୁ ଯାଇ ଖଜୁରୀ ତାଡି ଠିକା ନେଇ ନିଜର କୌଳିକ ବୃତ୍ତି ଆରମ୍ଭ କରି ଜୀବନ ଧାରଣ କରୁଅଛୁ । ଆଶ୍ଚର୍ଯ୍ୟର ବିଷୟ ଆମ୍ଭ ଦେବଗଡ ଜିଲ୍ଲାରେ ମଦଭାଟି ବ୍ଯବସାୟୀ ଓ ପ୍ରଶାସନର ଅସାଧୁ କର୍ମଚାରୀଙ୍କ ମଧୁଚନ୍ଦ୍ରି

କା ଯୋଗୁଁ ଆମ୍ଭେ ଆମ୍ଭର କୌଳିକ ବୃତ୍ତି ହରାଇ ଆଜି ଯାଯାବର ଜୀବନଯାପନ କରୁଅଛୁ । ଦାଦନ ଖଟିବାକୁ ସୁରତ, ବାଙ୍ଗାଲୋର, କେରଳ ଯାଉଅଛୁ । ଅନ୍ଯ ଜିଲ୍ଲାରେ ଖଜୁରୀ ତାଡି ଠିକା ଦେଉଥିବା ବେଳେ ଆମ୍ଭ ଦେବଗଡ ଜିଲ୍ଲାରେ ପ୍ରଶାସନର " ଖଜୁରିଆ ସମାଜ ମାରଣ ନୀତି " ଓ ଖଜୁରୀ ତାଡି ଠିକା ନ ଦେବା ବାସ୍ତବରେ ଅତି ଦୁଃଖର ବିଷୟ । ସମସ୍ତେ ଜାଣନ୍ତି ଭାଟିମଦ ହେଉଛି ରାସାୟନିକ ପଦାର୍ଥ ମିଶ୍ରଣ ଯୁକ୍ତ ମଦ ଓ ଖଜୁରୀ ତାଡି ହେଉଛି ଏକ ପ୍ରକାର କଣ୍ଟା ଜାତୀୟ ବୃକ୍ଷରୁ ନିସୃତ ପାନୀୟ । ରାସାୟନିକ ମଦ ବା ଭାଟି ମଦ ପିଇବା ଅପେକ୍ଷା ଦେଶୀ ଖଜୁରୀ ଗଛର ରସ ପିଇବା ସ୍ବାସ୍ଥ୍ୟ ପକ୍ଷେ ଅତି ଉତ୍ତମ ଓ ହିତକର । ସବୁକିଛି ଜାଣୁଥିବା ସତ୍ତ୍ବେ ମଧ୍ୟ ଆମ୍ଭମାନଙ୍କୁ କ'ଣ ପାଇଁ ଆପଣଙ୍କ ବିଭାଗ ଆମ୍ଭର କୌଳିକ ବୃତ୍ତିକୁ ଆମ୍ଭଠାରୁ ଛଡାଇ ନେଉଛି ତାହା ଚିନ୍ତାର ବିଷୟ । 


    ଆମ୍ଭେ ହାତକାଟି ଲେଖି ଦେଉ ଅଛୁ କି ଉତ୍ତମ ମାନର କୌଣସି ଅପମିଶ୍ରଣ ନକରି ଖଜୁରୀ ରସ ଆମ୍ଭେ ସମସ୍ତଙ୍କୁ ଯୋଗାଇ ଦେବୁ ଏହା ବିଭାଗକୁ ପ୍ରତିଶ୍ରୁତି ଦେଉଅଛୁ । ବାରକୋଟ ବ୍ଲକ୍ ର ମଣ୍ଡାଶିଳା, ରଞ୍ଜ, ବଳମ ଆଦି ସ୍ଥାନରେ ଆମ୍ଭମାନଙ୍କୁ ଅବକାରୀ ବିଭାଗ ଖଜୁରୀ ତାଡି ଠିକା ଦେଲେ ଆମ୍ଭେ ସରକାରଙ୍କୁ ଟିକସ ଦେଇ ସରକାରଙ୍କ ପାଣ୍ଠି ତଥା କୋଷାଗାରର ଅର୍ଥ ବୃଦ୍ଧି କରିବାରେ ଶତଚେଷ୍ଟା କରିବୁ ।


     ଯଦି ଆମ୍ଭମାନଙ୍କୁ ଆପଣଙ୍କ ବିଭାଗ ଖଜୁରୀ ତାଡି ଠିକା ନଦିଏ ତେବେ ଭବିଷ୍ୟତରେ ଆମ୍ଭେ ରାଜରାସ୍ତାକୁ ଓହ୍ଲାଇବା ସହିତ ଏହାକୁ ଆନ୍ଦୋଳନର ରୂପ ଦେବୁ । ଏଥି ସହିତ ମଦଭାଟିରୁ ଯେଉଁ ରାସାୟନିକ ପଦାର୍ଥ ମିଶ୍ରଣଯୁକ୍ତ ମଦ ଯାଇ ଗାଆଁ ଗଣ୍ଡାରେ କୁଚିଆ ଆକାରରେ ବିକ୍ରି ହେଉଛି ତାହା ବିକ୍ରି ହେବାକୁ ଦେବୁ ନାହିଁ । ଆମ୍ଭେ ମିଳିତଭାବେ ଏହାର ବିରୋଧ କରିବୁ ।


    ଏଣୁ ଆପଣଙ୍କୁ ବିନୀତ ଅନୁରୋଧ କରୁ କି ଆପଣ ଉପର ଲିଖିତ ବିଷୟକୁ ଅବଲୋକନ କରି ଆମ୍ଭମାନଙ୍କର ଦୁଃଖ ବୁଝି ଖଜୁରୀ ତାଡି ଠିକା ଦେଲେ ଆମ୍ଭେ ଆପଣଙ୍କଠାରେ ଚିରଉପକୃତ ହେବୁ ।


ଦେବଗଡ                  ।। ଇତି ।।

ତା•୧୭•୧୧•୨୦୧୬        

                       ଆପଣଙ୍କର ବିଶ୍ବସ୍ତ 

         ବାରକୋଟ ଖଜୁରିଆ ସମାଜ ସ୍ଥାୟୀ ସଦସ୍ଯ ବୃନ୍ଦ


▪▪▪▪▪▪▪▪▪▪▪▪▪▪▪▪▪▪▪▪


       ସବୁ କିଛି ନୟନତାରା ଠାରୁ ଶୁଣି ସାରିବା ପରେ ଖଜୁରୀ ରସ ନିଶା ନୁହେଁ ବୋଲି ଲେସି ମୁକ୍ତ କଣ୍ଠରେ ସ୍ବୀକାର କଲେ । କହିଲେ ମାନବର କୌଳିକ ବୃତ୍ତି ଯେ, ଛଡାଇ ନିଏ ସେ ନିଶ୍ଚିତ ରାକ୍ଷସ ସ୍ବଭାବର ହେଇଥିବ । ମାନବ ଜାତିର ସେ ବିରୋଧୀ ଥିବ । ତା' ପାଖରେ ମାନବିକତାର ଲେସ ମାତ୍ର ନଥିବ । ସେ ନିଶ୍ଚିତ ରୁଗ୍ଣ ମାନସିକତାର ହୋଇଥିବ । ନିଜ ସ୍ବାର୍ଥ ପାଇଁ ସେ ନିଜକୁ ମଧ୍ୟ ବେଶ୍ଯା ହାତରେ ବିକ୍ରି କରିବାକୁ ପଛାଇବ ନାହିଁ । ପାପ ସମ୍ରାଜ୍ଯର ସେ ବୀର୍ଯ୍ୟହୀନ ରାଜା ହେଇଥିବ । ମାତୃଭାଷାକୁ ସେ ସମ୍ମାନ କରୁନଥିବ । ନା ସେ ମାତୃଭାଷା ପଢି ପାରୁଥିବ ନା ବୁଝି ପାରୁଥିବ, ନା ଲେଖି ପାରୁଥିବ । ଲୋକ ଦେଖାଣିଆ ସେ ନିଜ ଭାଷାକୁ - ଜାତିକୁ ପ୍ରାଣ ଦେଇ ଭଲ ପାଉଥିବା ଓ ଆଦର କରୁଥିବାର ମିଛ ଅଭିନୟ କରୁଥିବ । ଟଙ୍କାର ଘମଣ୍ଡି ଥିବ । ନା ସେ ଭାଷାକୁ ପ୍ରାଣ ଦେଇ ଭଲ ପାଉଥିବ ନା ଜାତିକୁ । 


     ଭାଟି ମଦ ବ୍ଯବସାୟୀଙ୍କୁ ମଦ ବିକ୍ରି ପାଇଁ ଠିକାର ସୁବିଧା ସୁଯୋଗ ପ୍ରଦାନ ଆଉ ମଦକୁ ବିରୋଧ କରୁଥିବା ମହିଳା - ଶିକ୍ଷିତ ଓ ସଚେତନ ଯୁବ ସମାଜକୁ ଲାଠି ପ୍ରହାରର ଫୋଟଚିତ୍ର ସହ ମଦ ବିରୋଧୀ ଲେଖା ସବୁ ଖବରକାଗଜ ଗୁଡିକରୁ ଲେସି ସଂଗ୍ରହ କଲା । କାରଣ ସେ ବିଦେଶର ଜଣେ ନାମୀ ତଥା ସଚୋଟ ସାମ୍ବାଦିକା ଥିଲା ।


     ଗାଆଁର ସମସ୍ତ ସମସ୍ଯା କଥା ଶୁଣି ଲେସି ସେଦିନ ମନେ ମନେ ବିଚାରିଲା, ଯେଉଁ ଗାଆଁର ଯୁବକ ଦିନେ ଭୟଶୂନ୍ଯ ଥିଲା, ସେ ଚାକିରିରେ ପ୍ରବେଶ ପୂର୍ବରୁ ନିଜ ମନରେ ବାକ୍ଯରେ ମଦ ନିଶା କାରବାର, ଦୁର୍ନୀତି, ଚୋରି, ଡକାୟତି, ଗୁଣ୍ଡା ରାଜ, ବେଶ୍ଯାବୃତ୍ତି, ଦୁର୍ବଳ ଉପରେ ସବଳର ଅତ୍ଯାଚାର, ଧର୍ଷଣ ଆଦିକୁ ଦମନ କରିବା ପାଇଁ ଏବଂ ନିଃସ୍ଵାର୍ଥରେ ସମାଜର ସେବା କରିବା ପାଇଁ ବଜ୍ର ଶପଥ ନେଇଥିଲା, ସେ ଆଜି ସାମାନ୍ୟ ବିଲେଇ ଛୁଆକୁ ଦେଖି ଭୟ କରି ନିଜ ବଚନ ପାଳନ କରିବାକୁ ଅସମର୍ଥ ।


     ଲୋକଙ୍କ କଥା ଶୁଣି ଲେସି ଦୁଃଖରେ ଭାଙ୍ଗି ପଡିଲା । ଯେଉଁ ରାଜ୍ୟର ସଂସ୍କୃତି ଏତେ ମହାନ । ଯେଉଁ ରାଜ୍ଯର ରାଜା ସ୍ବୟଂ ଜଗତର ନାଥ ଶ୍ରୀଜଗନ୍ନାଥ । ଆଜି ସେ ରାଜ୍ଯ ମଦରେ ଭାସୁଛି । ଯୁବଗୋଷ୍ଠୀ ଅବାଟରେ ଯାଉଛନ୍ତି । ଦାଦନ ସାଜୁଛନ୍ତି । ଅକର୍ମଣ୍ୟ ହୋଇ ଯାଉଛନ୍ତି । ନିଶା ନିବାରଣ ପାଇଁ କୌଣସି ଉଚିତ୍ ପଦକ୍ଷେପ ନେବାରେ ସତେ ଯେମିତି ସମସ୍ତେ ବିଫଳ ।


    ଗଲାବେଳେ ଗାଆଁ ଲୋକଙ୍କୁ ଲେସି ମଦନିଶା ବିରୋଧରେ ନିଜର ସଂଗ୍ରାମ ଜାରି ରଖିବା ପାଇଁ ଆହ୍ବାନ ଦେଲେ । ଶେଷରେ ଏକଥା ମଧ୍ଯ କହିକି ଗଲେ ଯେଉଁ ଦିନ ତୁମ ଗାଆଁରୁ, ତୁମ ରାଜ୍ଯରୁ, ତୁମ ଦେଶରୁ, ତୁମ ମହାଦେଶରୁ ମଦ ସଂପୂର୍ଣ୍ଣ ବନ୍ଦ ହେଇଯିବ ସେଇଦିନ ଆମେରିକାରୁ ମୁଁ ତୁମ ଗାଆଁକୁ ପୁଣି ବୁଲିବା ପାଇଁ ଆସିବି ।


    ଗାଆଁ ରୁ ବିଦାୟ ନେଇ ସେ ଚାଲିଗଲେ । ଗଲାବେଳେ ଏକ ବହି ଉପହାର ସ୍ବରୂପ ଗାଆଁ ଲୋକଙ୍କୁ ଦେଇଥିଲେ । ତା'ର ନାମ ଥିଲା, " ମଦ ସ୍ବାସ୍ଥ୍ୟ ପକ୍ଷେ ବିପଦଜନକ " । ସେ ବହିଟି ଆଜିବି ଆମ ଗାଆଁର ଭାଗବତ ଟୁଙ୍ଗୀରେ ଅଛି ।


   ପାଞ୍ଚ ଦିନ ପରେ ଆମେରିକା, ଅଷ୍ଟ୍ରେଲିଆ, ୟୁରୋପ, ଏସିଆ, ଆଫ୍ରିକା ମହାଦେଶର ବଡ ବଡ ଖବର କାଗଜ, ପତ୍ରପତ୍ରିକା ଗୁଡିକରେ ବାହାରିଲା ଭାରତ ଦେଶର ଓଡିଶା ରାଜ୍ଯରେ ମଦ ବିକ୍ରି ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଯେଉଁ ବ୍ଯବସାୟୀ ଅଧିକ ମଦ ବିକ୍ରି କରିବେ ସେ ପୁରସ୍କାର ପାଇବେ ।


     ଏ ଖବର ପଢିବା ପରେ ବିଶ୍ବ ସାରା ଚର୍ଚ୍ଚା ହେଲା, " ମଦ ନିଶା ପାଇଁ ପୁରସ୍କାରର କୁପରିଣାମ ଓ ଭୟାବହତା ଓଡିଶାରୁ ଆରମ୍ଭ ହୋଇ ଦିନେ ସାରା ବିଶ୍ଵକୁ ଯେ, ଗ୍ରାସ ନ କରିବ, ଏହା କହି ହେବନି ।" ନିଶା କାରବାରକୁ ପ୍ରୋତ୍ସାହନ ଦେବା ଭାରି ନିନ୍ଦନୀୟ କାର୍ଯ୍ଯ । ଯାହାକୁ ନିଷିଦ୍ଧ କରିବା କଥା ତା'କୁ ଯଦି ବ୍ଯବସାୟ ପାଇଁ ସହଯୋଗ କରିବା ତା'ହେଲେ ଆମେ ବିଶ୍ବକୁ ବିକାଶ ଆଡକୁ ପାଦେ ଆଗକୁ ନୁହେଁ ପାଦେ ପଛକୁ ଫେରାଇ ନେଉଛନ୍ତି । କୋଟି କୋଟି ଟଙ୍କା ଲାଭାଂଶ ପାଇବା ଆଶାରେ ନୀରିହ ଜୀବନ ଗୁଡିକୁ ବଳି ଦେବା ଭାରି ଘୃଣ୍ଯ କାର୍ଯ୍ଯ । ଯାହା ସାରା ବିଶ୍ଵକୁ ଦିନେ ବିନାଶ ଆଡକୁ ଟାଣି ଆଣିବ ।


     ମଦ ପିଇ ଘରର ପୁରୁଷ ବ୍ୟକ୍ତିମାନେ ଘରକୁ ଆସି ଶାନ୍ତିଶୃଙ୍ଖଳା ଭଙ୍ଗ କରିବା ସହ ମହିଳାଙ୍କୁ ମାଡ ମାରିବେ । ଏଥିଯୋଗୁ ଅଧିକାଂଶ ଘରେ ମଦ ପାଇଁ ଝଗଡା ଲାଗିବ । ମଦ ପିଇ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହୋଇ ରାସ୍ତା ଘାଟରେ ଝିଅ, ବୋହୂମାନଙ୍କୁ କମେଣ୍ଟ ମାରିବେ । ତେଣୁ ସେମାନେ ବାହାରେ ଚଳପ୍ରଚଳ କରିବାକୁ ନିଜକୁ ଅସୁରକ୍ଷିତ ମଣିବେ ।  


     ମଦ ଯୋଗୁଁ ସୃଷ୍ଟି ହେବ ସମାଜିକ ବ୍ୟାଧି । ହୁଏତ, ଏଭଳି ଗୋଟିଏ ଦିନ ନ ଆସିବ, ଯେଉଁଦିନ ମଦ ଯୋଗୁଁ କୌଣସି ଅଘଟଣ ନ ଘଟିବ । ମଦ୍ୟପାନ କାରଣରୁ ସଡ଼କ ଦୁର୍ଘଟଣା, ଲୁଟ୍ - ରାହାଜାନି ଭଳି ଅପରାଧ, ଘରୋଇ ହିଂସା ଓ ହତ୍ୟା ଭଳି ଅପରାଧ ନିୟମିତ ବ୍ୟବଧାନରେ ଭବିଷ୍ୟତରେ ଦେଖିବାକୁ ମିଳିବ ।


    ଏକ ସୁସ୍ଥ ସମାଜର ପ୍ରଗତିରେ ପ୍ରତିବନ୍ଧକ ସାଜିଥିବା ମଦକୁ ବିରୋଧ କରିବାର ସମୟ ଆସିଛି କହି ଆଦିକନ୍ଦ ବିଭିନ୍ନ ମଦ ବିରୋଧୀ ସ୍ଲୋଗାନ୍ ଦେଇ ଗାଆଁ ସାରା ବୁଲିଲା ।


     ଓଡିଶାରେ ମଦ ବିକ୍ରି ସମ୍ବନ୍ଧରେ ଡଃ ଲେସିଙ୍କୁ ସବୁ ଗୋପନ ତଥ୍ଯ ଦେଇଥିବା ସନ୍ଦେହ କରି ମଦ ବ୍ଯବସାୟୀମାନେ ଆଦିକନ୍ଦକୁ ସେଦିନ ରାତିରେ ନିର୍ମମ ଭାବେ ପଥରରେ ମୁଣ୍ଡକୁ ଛେଚି ହତ୍ଯା କଲେ । ବୋଧେ ଏହା ହିଁ ଥିଲା ତା' ପାଇଁ ଶ୍ରେଷ୍ଠ ପୁରସ୍କାର । ଦୀର୍ଘ ତିନି ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜିଯାଏଁ ଆଦିକନ୍ଦର ମୃତ୍ୟୁର ରହସ୍ଯ ସମାଜ ଆଗରେ ଉନ୍ମୋଚିତ ହେଇ ପାରିଲା ନାହିଁ । ମଦକୁ ବିରୋଧ କରିଥିବାରୁ ଗୋଟେ ଗରିବ, ନିରୀହ ପରିବାର ଆଜି ବେସାହାରା ହେଇଗଲା ।


    ଆଦିକନ୍ଦ ଦୁନିଆରୁ ଚାଲିଗଲା ପରେ ଗାଆଁରେ ଆଗରୁ ଯେମିତି ମଦ ବ୍ଯବସାୟ ଚାଲିଥିଲା ଏବେ ଠିକ୍ ସେମିତି ଚାଲିଛି । ଗାଆଁର ଅବସ୍ଥା ଯେମିତି ଥିଲା ଏବେ ଠିକ୍ ସେମିତି ଅଛି । ଟିକିଏ ବି ବଦଳିନି ।



Rate this content
Log in

Similar oriya story from Tragedy