ପତିତପାବନ
ପତିତପାବନ
ସେତେବେଳେ ଉତ୍କଳ ଥିଲା ପରାଧୀନ । ଦ୍ଵିତୀୟ ରାମଚନ୍ଦ୍ର ଦେବ ଥିଲେ ଉତ୍କଳର ରାଜା । ମହାପ୍ରଭୁଙ୍କର ଜଣେ ଏକନିଷ୍ଠ ଭକ୍ତ । ପ୍ରତ୍ୟହ ଶ୍ରୀମନ୍ଦିରକୁ ଆସି ଜଗନ୍ନାଥଙ୍କୁ ଦର୍ଶନ କରିବା ତାଙ୍କର ଏକ ନିତିଦିନିଆ ଅଭ୍ୟାସ ଥିଲା । ସେହି ସମୟରେ ମୋଗଲ ସମ୍ରାଟ କଟକରେ ଜଣେ ସୁବେଦାର ନିଯୁକ୍ତ କରି ଉତ୍କଳର ଶାସନ ଦାୟିତ୍ବ ପରିଚାଳନା କରୁଥିଲେ । ରାମଚନ୍ଦ୍ର ଦେବଙ୍କ ସମୟରେ କଟକର ନାଏବ-ନାଜୀମ୍ ବା ସୁବେଦାର ଥିଲେ ସୁଜାଖାଁର ପୁତ୍ର ତକିଖାଁ। ସେ କେବଳ ଜଣେ ଅତ୍ୟାଚାରୀ ନଥିଲା - ବରଂ ସଦାସର୍ବଦା ହିନ୍ଦୁମାନଙ୍କୁ ଉତ୍ପଡ଼ୀତ କରୁଥୁଲା। ଦେବାଦେବୀ ମନ୍ଦିର ସବୁ ଧ୍ଵଂସ କରି ହିନ୍ଦୁ ଧର୍ମକୁ ମୂଳପୋଛ କରିବାର ଲକ୍ଷ୍ୟନେଇ ତକି ଖାଁ ସବୁବେଳେ ତତ୍ପର ରହୁଥୁଲା। ଆଉ ତକି ଖାଁ ର ଦୃଷ୍ଟି ପଡ଼ିଥାଏ ଶ୍ରୀମନ୍ଦିର ଆଉ ଜଗନ୍ନାଥଙ୍କ ଉପରେ। ବେଳକାଳ ଉଣ୍ଡି ତକି ଖାଁ ଆକ୍ରମଣ କଲା ପୁରୀ ଉପରେ। ଘମାଘୋଟ ଯୁଦ୍ଧ ହେଲା । ରାଜା ରାମଚନ୍ଦ୍ର ଦେବ ପ୍ରାଣ ମୁର୍ଚ୍ଛା ଯୁଦ୍ଧରେ ନିଜକୁ ନିୟୋଜିତ କଲେସତ ହେଲେ ଶେଷରେ ତକି ଖାଁର ସୈନ୍ୟବଳ ଆଗରେ ପରାଜୟ ବରଣ କଲେ।ପରାଜୟର ଗ୍ଲାନିରେ ରାମଚନ୍ଦ୍ର ଦେବ ଯେତେ ଦଗ୍ଧୀଭୂତ ହେଲେ ନାହିଁ ତାଠାରୁ ଅଧିକ ଚିନ୍ତିତ ହୋଇ ପଡ଼ିଲେ ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷାକୁ ନେଇ । ତକି ଖାଁ ଯଦି ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବ ତେବେ ତାଙ୍କର ପ୍ରିୟ ପ୍ରାଣର ଠାକୁର ଜଗନ୍ନାଥଙ୍କର କି ଅବସ୍ଥା ହେବ ? ଯୁଦ୍ଧରେ ପରାଜୟ ବରଣ କରି ରାମଚନ୍ଦ୍ର ଦେବଙ୍କୁ ବନ୍ଦୀକରି ଆଣି ତକି ଖାଁ କଟକର ବାରବାଟୀ ଦୁର୍ଗରେ ବନ୍ଦୀଶାଳାରେ ରଖିଲା। ସେ ସମୟରେ ଜଗନ୍ନାଥ ମନ୍ଦିର ସବୁଠାରୁ ସମୃଦ୍ଧ ଶାଳୀ ମନ୍ଦିର ଥଲା । ଜଗନ୍ନାଥ ମନ୍ଦିର ଧ୍ଵଂସକରି ଅଚଳାଚଳ ସମ୍ପତି ଲୁଣ୍ଠନ କରିବାର ଅଭିପ୍ରାୟ ପୋଷଣ କରୁଥିଲେ ମୁସଲମାନ ଶାସକମାନେ ।ତକିଖାଁ ସେଥୁରୁ ବାଦ୍ ଯାଆନ୍ତା ବା କିପରି ? ତକିଖାଁ ମଧ୍ୟ କଟକର ସୁବେଦାର ହେବାପରେ ବାରମ୍ବାର ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ ଚଳାଇ ରଖୁଥିଲା ହେଲେ ପାରୁ ନଥିଲା | ଏଥରକ କିନ୍ତୁ ଉତ୍କଳର ରାଜା ତା ହାତରେ ବନ୍ଦୀ ଏଇତ ସୁଯୋଗ। ଏ ସୁଯୋଗ ଆସିଥୁଲା ତକି ଖାଁ ପାଇଁ ଏବଂ ଏ ସୁଯୋଗ ମଧ୍ଯ ଆସିଥିଲା ଚତୁର ରାଜା ରାମଚନ୍ଦ୍ର ଦେବଙ୍କ ପାଇଁ । ବାରବାଟୀ ଦୁର୍ଗରେ ରାଜା ରାମଚନ୍ଦ୍ର ଦେବଙ୍କର ବନ୍ଦୀ ଅବସ୍ଥାରେ ଦୈବୀକ୍ରମେ ତକି ଖାଁର ଭଉଣୀ ସୁନ୍ଦରୀ ରିଜିଆ ବିବିସହ ଭେଟ ହୁଏ। ପ୍ରଥମ ଦେଖାରୁ ରିଜିଆବିବି - ସୁନ୍ଦର - ସୌଷ୍ଠବ ରାମଚନ୍ଦ୍ର ଦେବଙ୍କୁ ପ୍ରେମ କରି ବସିଲା। ଏହା ପରେ ଉତ୍କଳର ଇତିହାସ ସବୁଦିନ ପାଇଁ ଏକ ଭିନ୍ନ ମୋଡ଼ ନେଲା। ନିଜ ଗେହ୍ଲା ଭଉଣୀକୁ ଖୁସୀ କରାଇବା ପାଇଁ ତକି ଖାଁ ରାଜା ରାମଚନ୍ଦ୍ର ଦେବଙ୍କ ସହ ଏକ ଚୁକ୍ତି କଲା । ଏକ ସର୍ତ ରଖିଲା। ତୁମେ ମୋ ଭଉଣୀ ରିଜିଆବିବି ସହ ଯଦି ବିବାହ ବନ୍ଧନରେ ଆବଦ୍ଧ ହେବ ତେବେ ମୁଁ ତୁମକୁ ଏହି ଆବଦ୍ଧ ପିଞ୍ଜରାରୁ ମୁକ୍ତ କରିଦେବି । ତୁମେ ପୁନଃ ତୁମ ଖୋର୍ଦ୍ଧା ରାଜବାଟୀରେ ସ୍ଵାଧୀନ ଭାବେ ଜୀବନ ବିତେଇ ପାରିବ । ଏହା ଥିଲା ତକି ଖାଁର ରାଜା ରାମଚନ୍ଦ୍ର ଦେବଙ୍କ ପ୍ରତି ସର୍ତ । ରାମଚନ୍ଦ୍ର ଦେବ ସମୟ ନେଲେ ନିଷ୍ପତି ଶୁଣାଇବା ପାଇଁ। ବନ୍ଦୀଶାଳା ଭିତରେ ଖୁବ ଚିନ୍ତାଗ୍ରସ୍ଥ ହେଲେ ରାମଚନ୍ଦ୍ର ଦେବ । ସେ ଯଦି କେବଳ ନିଜର ମୁକ୍ତି ପାଇଁ ଏ ଯବନର ଭଉଣୀକୁ ବିବାହ କରୁଛନ୍ତି ତେବେ ଏ ସମାଚ୍ଚ ଏହାକୁ ଗ୍ରହଣ କରିବତ ! ସମସ୍ତେ ଛି ଛାକର କରିବେ।କହିବେ - ରାମଚନ୍ଦ୍ର ଦେବ ଏକ କାପୁରୁଷ ସ୍ଵାର୍ଥପରା ନା ନା। ସେ ଏପରି ହେବାକୁ ଦେବେ ନାହିଁ।ନାନାଦି ହଁ, ନାହିଁର ଦ୍ଵନ୍ଦ ଭିତରେ ତାଙ୍କ ଭିତରେ କେହିଜଣେ ସତେ ଯେମିତି କହି ଉଠିଲା ରାମଚନ୍ଦ୍ର ଦେବ - ଏଇଟି ମଉକା ଜଗନ୍ନାଥଙ୍କୁ ରକ୍ଷା କରିବାର।ତୁ ମଧ୍ଯ ସର୍ତ ରଖ ତକି ଖାଁ ପାଖରେ ଶ୍ରୀମନ୍ଦିର ଆଉ ଜଗନ୍ନାଥଙ୍କ ସୁରକ୍ଷାକୁ ନେଇ। ଏହି ଭାବନା ଉଦ୍ରେକ ହେବାପରେ ରାମଚନ୍ଦ୍ର ଦେବ ହାଲ୍କା ଅନୁଭବ କଲେ। -ହଁ, ତକିଖାଁ, ମୁଁ ତୁମ ପ୍ରସ୍ତାବରେ ରାଜି ହେଲେ ଗୋଟିଏ ସର୍ତରେ । ରାମଚନ୍ଦ୍ର ଦେବ- ସର୍ତ ? ଜଣେ ବନ୍ଦୀ ମୁହଁରେ ସର୍ତ ଶୋଭା ପାଏନା ରାଜା । ତକି ଖାଁର ତାଚ୍ଛଲ୍ୟ। - ହଁ ସର୍ତ । - କୁହ, କଣ ସେ ସର୍ତ | ମୁଁ ଭାବି ଦେଖେ | -ସର୍ତ ହେଲା, ମୁଁ ତୁମ ଭଉଣୀକୁ ବିବାହ କଲେ ତୁମେ ଆଉ କେବେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବ ନାହିଁ ଏବଂ ଜଗନ୍ନାଥଙ୍କୁ ସୁରକ୍ଷିତ ରଖିବ । ଯଦି ରାଜି ତେବେ ତୁମ ଭଉଣୀ ରିଜିଆ ବିବିଙ୍କୁ ମୁଁ ସାଦରେ ଗ୍ରହଣ କରିବି । ତକି ଖାଁ ଏବେ ଚିନ୍ତିତ। ତେବେ ସେ ଭାବିଲା ଯଦି ତା ଭଉଣୀ ଉତ୍କଳର ରାଜାଙ୍କୁ ବିବାହ କରେ ଏହାଠାରୁ ସୌଭାଗ୍ୟ ଆଉ କଣ ବା ଥାଇପାରେ ? ସେ ହେବ ଉତ୍କଳର ରାଜାଙ୍କର ଶଳା। ରାଜା ତା ଭିଣୋଇ । ତକି ଖାଁ ଅବିଳମ୍ବେ ରାଜା ରାମଚନ୍ଦ୍ର ଦେବଙ୍କ କଥାରେ ସହମ୍ମତି ପ୍ରଦାନ କଲା। ଉତ୍କଳର ବୃହତ୍ଵର ସ୍ଵାର୍ଥ ଦୃଷ୍ଟିରୁ ଦ୍ବିତୀୟ ରାଜା ରାମଚନ୍ଦ୍ର ଦେବ ପଠାଣ ତକିଖାଁର ଭଉଣୀ ରିଜିଆବିବି ସହ ବହୁ ଆଡ଼ମ୍ବରରେ ବିବାହ କଲେ। ବିବାହ ପରେ ରାମଚନ୍ଦ୍ର ଦେବ ବାଧ୍ଯହୋଇ ମୁସଲମାନ ଧର୍ମ ଗ୍ରହଣ କରି ହାଫିଜ୍କାଦର୍-ୟାର-ଜଙ୍ଗ ନାମରେ ନାମିତ ହେଲେ ଏବଂ କଲମା ପଢ଼ିଲେ। ବାରବାଟୀ ଦୁର୍ଗରୁ ମୁକ୍ତ ହୋଇ ଖୋର୍ଦ୍ଧା ରାଜବାଟୀକୁ ଫେରି ଆସିଲେ | ରାମଚନ୍ଦ୍ର ଦେବ କଲମା ପଢ଼ି ଯବନଝିଅକୁ ବାହା ହୋଇଛନ୍ତି ଏ ସମ୍ବାଦ ନିମିଷକେ ସାରା ଉତ୍କଳରେ ବ୍ୟାପିଗଲା । ମୁକ୍ତିମଣ୍ଡପର ସଭା ପଣ୍ଡିତଗଣ ଏ ସମ୍ବାଦ ପାଇ ଦୁଃଖରେ ଅଭିଭୁତ ହୋଇ ପଡ଼ିଲେ ।ଉତ୍କଳର ଠାକୁରରାଜା, ଜଗନ୍ନାଥଙ୍କର ଚଳନି ପ୍ରତିମା ଯେ ଏପରି ଜାତିଭ୍ରଷ୍ଟ ହୋଇ ପତିତ ହେବେ ଏହାକୁ ମୁକ୍ତିମଣ୍ଡପ ପଣ୍ଡିତମାନେ ଗ୍ରହଣ କରି ଥାଆନ୍ତେ ଅବା କିପରି ? ଯେଉଁଦିନ ଠାରୁ ରାମଚନ୍ଦ୍ର ଦେବ ମୁସଲମାନରେ ପରିଣତ ହେଲେ ସେହିଦିନଠାରୁ ପଣ୍ଡିତସଭା ରାଜାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନିଷେଧ କଲେ।ସେହିଦିନ ଠାରୁ ଏକାଦଶୀ ରାତିରେ ଶ୍ରୀମନ୍ଦିରର ଚୁଡ଼ାକୁ ମହାଦୀପ ଉଠିବାବେଳେ ଚୁନରାମାନେ ତାଙ୍କ ନାମରେ ଡାକଦେବା ବନ୍ଦ କରିଦେଲେ। ରଥଯାତ୍ରା ଦିନ ରଥ ଉପରେ ଛେରା ପହଁରା କାର୍ଯ୍ୟରୁ ମଧ୍ଯ ବଞ୍ଚିତ କରାଗଲା। ଏପଟେ ପାଟ୍ଟରାଣୀ ଲଳିତା ମହାଦେଈ ରାମଚନ୍ଦ୍ର ଦେବ ଧର୍ମାନ୍ତର ଗ୍ରହଣ କରିଥିବା ଶୁଣିବା ପରେ ତାଙ୍କର ପୁତ୍ର ଜେନାମଣି ଭାଗୀରଥ କୁମାରଙ୍କୁ ସଙ୍ଗରେ ନେଇ ନିଜ ପିତ୍ରାଳୟ ଚାଲିଗଲେ। ଯିବା ପୂର୍ବରୁ ପ୍ରତିଜ୍ଞା କଲେ ଯେ ସେ ଆଉ ରାଜବାଟୀ ଖୋର୍ଦ୍ଧା କୁ୍ ଫେରିବେ ନାହି।ରାମଚନ୍ଦ୍ର ଦେବଙ୍କର ଅନ୍ୟ ଦୁଇରାଣୀ ମଧ୍ଯ ସେମାନଙ୍କ ପୁତ୍ରମାନକୁ୍ ନେଇ ନିଜ ନିଜର ପିତ୍ରାଳୟ ଚାଲିଗଲେ। ତେଣୁ ରାମଚନ୍ଦ୍ର ଦେବ ରାଜବାଟୀକୁ ଫେରି ଆସିଲେ ସତ ହେଲେ ବନ୍ଧୁ ବାନ୍ଧବଙ୍କ ଦ୍ଵାରା ପରିତ୍ୟକ୍ତ ହୋଇ ଏକ ପ୍ରକାରର ନିଷ୍ପେସିତ ଜୀବନ ଅତିବାହିତ କରିବାକୁ ଲାଗିଲେ। ରିଜିଆକୁ ବିବାହ କରି ମଧ୍ଯ ସେ ତାକୁ ଖୋର୍ଦ୍ଧା ରାଜବାଟୀକୁ ଆଣି ପାରି ନଥିଲେ। ସପ୍ତାହରେ ଥରେ ଲାଲ ବାଗ ଦୁର୍ଗରେ ଯାଇ ରିଜିଆକୁ ଭେଟିବାର ନିର୍ଦ୍ଦେଶ ତକିର୍ଖାଁ ଦେଇଥିଲା। ହଁ, ଗୋଟାଏ କଥା, ସର୍ତ ରକ୍ଷାକରି ତକିଖାଁ ଏହାପରେ ଆଉ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିନଥଲା। ଠାକୁର ଆମର ଷାଠିଏ ପଉଟି ଭୋଗଖାଇ ଆନନ୍ଦରେ ରତ୍ନ ସିଂହାସନରେ ବସିଥଲେ। ଧର୍ମାନ୍ତର ଗ୍ରହଣ କରି ରାମଚନ୍ଦ୍ର ଦେବ, ପିଲା ପରିବାର, ବନ୍ଧୁବାନ୍ଧବ, ସମାଜ ଠାରୁ ପରିତ୍ୟକ୍ତ ହେଲେ ସିନା ହେଲେ ସେ ଭୁଲି ପାରୁନଥଲେ ତାଙ୍କର ସମ୍ପର୍କ, ଭାବର ସମ୍ପର୍କ ପ୍ରଭୁ ଜଗନ୍ନାଥଙ୍କ ସହ। ସେଥିପାଇଁ ଯେତେବେଳେ ସମଗ୍ର ଦୁନିଆ ନିଦର କୋଳରେ ଶୋଇ ଯାଉଥିଲା ରାତ୍ରିର ଅନ୍ଧକାରରେ ରାମଚନ୍ଦ୍ର ଦେବ ଅଶ୍ଵଛୁଟାଇ ଖୋର୍ଦ୍ଧାରୁ ପୁରୀ ପର୍ଯ୍ୟନ୍ତ ଆସି ସିଂହଦ୍ଵାର ନିକଟରେ ଉପସ୍ଥିତ ହେଉଥିଲେ ।ରୁଦ୍ଧ ସିଂହଦ୍ଵାରକୁ ଅନାଇ ଆଖିରୁ ଲୋତକ ଝରାଇ - ଜଗନ୍ନାଥଙ୍କୁ ସେହି ବାହାରୁ ବାହାରୁ ପ୍ରଣାମ କରି ଫେରି ଆସୁଥିଲେ ଖୋର୍ଦ୍ଧା ରାଜବାଟୀକୁ | ଏହାଥିଲା ତାଙ୍କର ପ୍ରତିଦିନର କାର୍ଯ୍ୟ। ସେଦିନ ମଧ୍ଯ ରାଜା ରାମଚନ୍ଦ୍ର ଦେବ ସିଂହଦ୍ଵାରର ଅରୁଣସ୍ତମ୍ଭ ନିକଟରେ ଅଶ୍ଵପୃଷ୍ଠରୂ ଅବତରଣ କଲେ। ଦୁଇହାତ ଯୋଡ଼ି ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କହିଲେ ପ୍ରଭୁ *କେଉଁ ଜନ୍ମରେ ମୁଁ କି ପାପ କରିଥୁଲି ତୁମେ ମୋତେ ତୁମ ଦର୍ଶନରୁ ବଞ୍ଚିତ କଲ* । ଯବନଧର୍ମ ଗ୍ରହଣ କରି ମୋ ଶରୀର ସିନା ଅପବିତ୍ର ହୋଇଗଲା ହେଲେ ମୋ ମନ ହୃଦୟ ତୁମ ପାଦପଦ୍ମରେ ଏବେବି ସମର୍ପିତ ।ମୁକ୍ତି ମଣ୍ଡପର ପଣ୍ଡିତମାନେ ମୋତେ ସିନା ପତିତ କହି ଶ୍ରୀ ମନ୍ଦିରକୁ ପ୍ରବେଶ ନିଷେଧ କରିଦେଲେ ହେଲେ ତୁମେ କଣ ମୋ ହୃଦୟର ଭାବକୁ ବୁଝି ପାରିଲ ନାହିଁ । ମୁଁ ଆଜି ପତିତ କାହାପାଇଁ ? କେବଳ ତୁମର ମାନରକ୍ଷା ପାଇଁ ମୁଁ ସିନା ବାଧ୍ଯ ହୋଇ ଯବନଘରେ ବନ୍ଧୁ ବାନ୍ଧିଲି - ତା ନହୋଇଥଲେ ତୁମେ କଣ ଆଜି ରତ୍ନସିଂହାସନରେ ସ୍ଥିରଭାବେ ବସି ପାରି ଥାଆନ୍ତ ? ମୁଁ ପଛେ ପତିତ ହୁଏ ପ୍ରଭୁ।ହେଲେ ତୁମର ମାନ ସବୁଦିନ ପାଇଁ ରହିଥାଉ । ରାଜା ରାମଚନ୍ଦ୍ର ଦେବ ଭାବବିହ୍ୱଳ ହୋଇ ମନ୍ଦିର ଆଗରେ ବିରହରେ କ୍ରନ୍ଦନ କରିବାକୁ ଲାଗିଲେ । ରାମଚନ୍ଦ୍ର ଦେବଙ୍କର କୋହଭରା କଣ୍ଡ, ଆକୁଳ ନିବେଦନରେ ଜଗନ୍ନାଥ ରତ୍ନ ସିଂହାସନରେ ଥୟଧରି ଆଉ ବସି ପାରିଲେ ନାହିଁ। ଭକ୍ତର ଦୁଃଖ ହେଲା ସ୍ଵୟଂ ଜଗନ୍ନାଥଙ୍କର ଦୁଃଖ। ସେ ରତ୍ନ ସିଂହାସନ ତ୍ୟାଗକରି ଚାଲି ଆସିଲେ ବାହାରକୁ । ସିଂହଦ୍ଵାରକୁ ଯେଉଠାରେ ରାଜା ରାମଚନ୍ଦ୍ର ଦେବ ଛିଡ଼ା ହୋଇଥିଲେ । ରାମଚନ୍ଦ୍ର ଦେବ ନୟନ ପୁରାଇ ଜଗନ୍ନାଥଙ୍କୁ ଦର୍ଶନ କଲେ। ପ୍ରଭୁଙ୍କ ପାଦତଳେ ଲୋଟି ପଡ଼ିଲେ । ରାଜାଙ୍କ ଲୁହରେ ବଡ଼ଦାଣ୍ଡର ରାସ୍ତା ଓଦା ହେଇଗଲା। ସେଦିନ ଆତ୍ମସନ୍ତୋଷରେ ରାଜା ଫେରି ଆସିଥିଲେ ଖୋର୍ଦ୍ଧା ରାଜବାଟୀକୁ । କିନ୍ତୁ ସକାଳୁ ଶ୍ରୀମନ୍ଦିର ଭିତରେ ଚହଳ ପଡ଼ିଗଲା। ସବୁଦିନ ପରି ଯେତେବେଳେ ସେବକଗଣ ମଣିମା, ମଣିମା ଡାକଦେଇ ଜୟବିଜୟ ଦ୍ବାରର ମୁଦ ଖୋଲନ୍ତି ଦେଖୁଲେ ଜୟବିଜୟ ଦ୍ଵାର ମୁହଁରୁ ଦୟଣାଫୁଲ ଏଣେତେଣେ ପଡ଼ିଛି । ଶଙ୍କା ଓ ସନ୍ଦେହ ମନରେ ସେବକମାନେ ଗମ୍ଭୀରା ଭିତରେ ପ୍ରବେଶ କଲେ। ଆରେ ଏ କଣ ସେମାନେ ଦେଖୁଛନ୍ତି ? ଠାକୁରଙ୍କ ଶ୍ରୀମୁଣ୍ଡ ମୁଚୁଳା, ଲୁଗାପଟା ଅସ୍ତବ୍ୟସ୍ତ ହୋଇ ଏଣେତେଣେ ପଡ଼ିଛି ।ଠାକୁରଙ୍କ ପରିଧାନ ସବୁ ଏଣେତେଣେ ପଡ଼ିଛି। କିନ୍ତୁ ଏପରି କଲା କିଏ ? ଏ ଘଟଣା ସେହି ଗୋଟିଏ ଦିନ ରାତିରେ ଘଟିଲା ନାହିଁ। ଏ ଯେମିତି ପ୍ରତ୍ୟେକ ଦିନ ରାତିର କାହାଣୀ ହୋଇଗଲା।ପ୍ରତ୍ୟେକ ଦିନ ରାତି ଅଧରେ ରାଜା ରାମଚନ୍ଦ୍ର ଦେବ ପୁରୀ ଆସନ୍ତି ଏବଂ ପ୍ରତ୍ୟେକ ରାତିରେ ଠାକୁର ଦାଣ୍ଡକୁ ଆସି ରାଜାଙ୍କୁ ସାକ୍ଷାତ ଦିଅନ୍ତି । ଏପରି ଅଘଟଣ ପ୍ରତିଦିନ ଘଟିବାକୁ ଲାଗିଲା। ଠାକୁରଙ୍କର ରାତ୍ରି ଶୟନରେ ଏ ବ୍ୟତିକ୍ରମରେ ବ୍ୟଥିତ ହୋଇ ସାନ ପରିଚ୍ଛା କାଷ୍ଠା ଓପାସରେ ଜଗନ୍ନାଥଙ୍କ ନିକଟରେ ଅଧିଆ ପଡ଼ିଲେ।ନିଶାର୍ଦ୍ଧ ରେ ସାନ ପରିଚ୍ଛା ଙ୍କୁ ସ୍ବପ୍ନରେ ଦେଖାଦେଇ ଜଗନ୍ନାଥ କହିଲେ - “ ମୋର ଭକ୍ତ ଖୋର୍ଦ୍ଧା ର ରାଜା ରାମଚନ୍ଦ୍ର ଦେବଙ୍କୁ ତୁମେ ମନ୍ଦିର ଭିତରକୁ ଛାଡ଼ିଲ ନାହିଁ। ନିଷେଧ ଜାରୀ କଲ। ସେଥି ନିମନ୍ତେ ତାକୁ ଦର୍ଶନ ଦେବାକୁ ପ୍ରତିଦିନ ମୋତେ ସିଂହଦ୍ଵାର ବାହାରକୁ ଯିବାକୁ ପଡ଼ୁଛି ।ଆଜିଠାରୁ ମୁଁ ସିଂହଦ୍ୱାର ଗୁମୁଟରେ ଅବସ୍ଥାନ କରିବି ଯେପରି ରାଜା ମୋତେ ପ୍ରତିଦିନ ଦର୍ଶନ କରି ପାରିବ। ” ସାନ ପରିଚ୍ଛା ଙ୍କର ନିଦ୍ରାଭଙ୍ଗ ହେଲା । ସକାଳ ହେବା ମାତ୍ରକେ ସେ ଗତ ରାତିର ସ୍ଵପ୍ନାଦେଶ ମୁକ୍ତିମଣ୍ତପର ପଣ୍ତିତ ସଭାକୁ ଜଣାଇଲେ। ଏକଥା ବଣର ନିଆଁ ପରି ସକାଳୁ ସକାଳୁ ପୁରୀ ସହରରେ ବ୍ୟାପିଗଲା ।ଯେଉଁମାନେ ରାମଚନ୍ଦ୍ର ଦେବଙ୍କୁ ପତିତ କହି ଅବଜ୍ଞା କରୁଥିଲେ, ଅସମ୍ମାନ କରୁଥୁଲେ ସେମାନେ ତାଙ୍କୁ ଜଗନ୍ନାଥଙ୍କର ପରମଭକ୍ତ ଜାଣି ପୂର୍ବପରି ସ୍ନେହ, ଶ୍ରଦ୍ଧା, ସମ୍ମାନ କରିବାକୁ ଲାଗିଲେ ।ପଣ୍ଡିତସଭାର ସଦସ୍ୟ ମାନଙ୍କର ମାନସିକତାରେ ଘୋର ପରିବର୍ଭନ ଦେଖାଗଲା | ସେହିଦିନ ଠାରୁ ଶ୍ରୀମନ୍ଦିର ଚୁଡ଼ାକୁ ମହାଦୀପ ଉଠିବାବେଳେ ଚୂନରାମାନେ ପୁର୍ବପରି ଡାକଦେଲେ - “ ଚକ୍ରରେ ଉହାଡ଼ି ଶଙ୍ଖରେ ପୁରାଇ ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କୁ ରକ୍ଷାକର ହେ ବଳିଆରଭୁଜ । ” ଏହାପରେ ରଥ ଉପରେ ଛେରାପହଁରା କରିବାର ଅନୁମତି ମଧ୍ଯ ମୁକ୍ତିମଣ୍ଡପ ସଭା ପ୍ରଦାନ କଲା। କିନ୍ତୁ ଯେହେତୁ ଅଣହିନ୍ଦୁ ମାନଙ୍କର ପ୍ରବେଶକୁ ମନ୍ଦିର ଭିତରକୁ ନିଷେଧ ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଅଛି ତେଣୁ ରାମଚନ୍ଦ୍ର ଦେବଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦିଆଯାଇ ପାରିଲା ନାହିଁ।ମାତ୍ର ସେ ଯେପରି ପ୍ରତିଦିନ ଜଗନ୍ନାଥ ଦର୍ଶନରୁ ବଞ୍ଚିତ ହେବେ ନାହିଁ ସେଥିପାଇଁ ଜଗନ୍ନାଥଙ୍କ ସ୍ଵପ୍ନାଦେଶ ଅନୁଯାୟୀ ଏକ ଜଗନ୍ନାଥ ବିଗ୍ରହ ସିଂହଦ୍ଵାର ଗୁମୁଟରେ ସ୍ଥାପିତ ହେଲେ ।ପତିତ ରାମଚନ୍ଦ୍ର ଦେବଙ୍କୁ ପାବନ କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ସିଂହଦ୍ଵାର ଗୁମୁଟରେ ଅବସ୍ଥାନ କରୁଥିବାରୁ ତାଙ୍କର ନାମ “ ପତିତପାବନ ” ନାମରେ ନାମିତ କରାଗଲା ।ଆଜି ମହାରାଜା ରାମଚନ୍ଦ୍ର ଦେବ ପ୍ରଭୁ ଙ୍କ ପାଖରେ ପରମାନନ୍ଦ ରେ ଥିବେ ସତ କିନ୍ତୁ ତାଙ୍କ ଭକ୍ତିର ପରାକାଷ୍ଠା ସ୍ଵରୂପ“ ପତିତପାବନ ” ମୂର୍ତ୍ତି ଏବେବି ସିଂହଦ୍ଵାର ଗୁମୁଟରେ ଅବସ୍ଥାପିତ ହୋଇ ମନ୍ଦିର ଭିତରକୁ ପ୍ରବେଶ କରି ପାରୁନଥିବା ଅଣହିନ୍ଦୁ, ପତିତମାନଙ୍କୁ ପାବନ କରୁଛନ୍ତି।ଯୁଗଯ଼ୂଗ ଧରି ପତିତପାବନ ମୂର୍ତ୍ତି ରାମଚନ୍ଦ୍ରଦେବଙ୍କ ଭକ୍ତି, ପ୍ରୀତିର ସନ୍ତକ ଭାବେ ପରିଗଣିତ ହେଉଥିବ।ଏହି ଭାବର ବାକ୍ୟକୁ ଲେଖିଥିବା ଭକ୍ତ ମହାନ ଏହା ମହାପ୍ରଭୁଙ୍କର ମୁଖରୁ ନିର୍ଗତ ହେଲାପରି ମନେହୁଏ ଏବଂ ଭକ୍ତି ଟି ତାହା ଶ୍ରବଣ କରି ଏହାକୁ ବର୍ଣ୍ଣନା କରିଛନ୍ତି ଧନ୍ୟ ସେ ଭକ୍ତ ଧନ୍ୟ ମହାପ୍ରଭୁ ଆଉ ଧନ୍ୟ ତାଙ୍କର ଲିଳା ।
