STORYMIRROR

Madhabi Patel

Inspirational

2  

Madhabi Patel

Inspirational

ପ୍ରତିଶୋଧ

ପ୍ରତିଶୋଧ

6 mins
46

ପୁଷ୍ପଲତା ତା ବାପାସହ ସମ୍ବଲପୁର ଲେଡି ଲୁଇସ ସ୍କୁଲରୁ ବସରେ ଫେରୁଥିଲା ନିଜ ଗାଆଁକୁ । ଛକରେ ଓହ୍ଲାଇ ବାପା ସହ ପାଦରେ ଚାଲିଚାଲି ଆସୁଥାନ୍ତି ଦୁଇଜଣ । ହାତରେ ଧରିଥାନ୍ତି ଦୁଇଟା ବ୍ୟାଗ୍ । ଏୟାରବ୍ୟାଗରେ ପୁଷ୍ପର କପଡାଲତା ଓ ବହି କିଛିଥିଲା । ଅନ୍ୟଏକ ପର୍ସ ଥିଲା ଯୋଉଠି ନିଜର ଦରକାରି କିଛି ଜିନିଷ ଓ ଟଙ୍କା ପଇସା ଥିଲା । ପର୍ସକୁ ସେ ନିଜ କାନ୍ଧରେ ଓହଲାଇ ଧରିଥିଲା । ଖରାଛୁଟି ପାଇଁ ସେ ଘରକୁ ଆସୁଥିଲା । 

ରାତି ସେତେବେଳକୁ ପ୍ରାୟ ଆଠ ବଜିବା ଉପରେ । ହେଲେ ଗାଆଁରେ ଲୋକେ ଛଅଟାରୁ ଖାଇ ଶୋଇଯାନ୍ତି । ତେଣୁ ନିଃସ୍ତବ୍ଧ ଲାଗୁଥାଏ ରାସ୍ତାଟି । ମଝିମଝିରେ ବୁଦୁ ବୁଦୁବୁଦୁକିଆ ଜଙ୍ଗଲ ପଡୁଥାଏ । ଜଙ୍ଗଲି ପଶୁ ବି ବାହାରିବାର ଆଶଙ୍କା ଥାଏ । ମଝିମଝିରେ ବିଲୁଆଟିଏ କୋଉଠି ହୁକେ ହୋ ରଡିଛାଡୁଥାଏ । ପେଚାଟିଏ କି ବାଦୁଡିଟିଏ ଗଛଡାଳରୁ ଫଡଫଡ କରି ଉଡିଯାଉଥଲା । ଦୁଇ କିଲୋମିଟର ରାସ୍ତା ବାପଝିଅ ଚାଲିଚାଲି ଆଗକୁ ବଢୁଥିଲେ । ବାପା ପାଖରେ ଥିବାରୁ ପୁଷ୍ପକୁ ଏତେ ଡର ନଥିଲା ତଥାପି କିଛି ଶବ୍ଦ ହେଲେ ସେ ଚମକି ଉଠୁଥିଲା । ଯଦିଓ ସେ ଅଞ୍ଚଳରେ ତା ବାପାଙ୍କୁ ଗୌନ୍ତିଆ ହିସାବରେ ଦବଦବା ଅଛି, ଆଖ ପାଖ ପାଞ୍ଚଖଣ୍ଡ ମୌଜାର ସବୁଲୋକ ତା ବାପାଙ୍କୁ ପ୍ରାଣରେ ଭୟ କରନ୍ତି । ମାନ୍ୟ ବି ଦିଅନ୍ତ ସେମିତି । ଗାଆଁର ଶିକ୍ଷିତ ଲୋକ ହେତୁ ସବୁ ସରକାରି ଅଫିସର ତାଙ୍କର ଜଣାଶୁଣା । ଯେ କେହି ଆସିଲେ ତାଙ୍କ ଘରେ ଅତିଥି ହୁଅନ୍ତି । ବୁକା, ଖଁସି, ନହେଲେ କୁକୁଡା କଟା ହୁଏ ଅତିଥି ଆସିଲେ । 


ଲୋକମାନେ ତ ସମସ୍ତେ ବାପାଙ୍କୁ ଡରନ୍ତି, ହେଲେ ହିଂସ୍ର ପଶୁ ତ ତାଙ୍କୁ ଡରିବେନି ନା?ରଜା ହେଉକି ଗୌନ୍ତିଆ ଯାହାକୁ ସାମନାରେ ଭେଟିବେ ମାରି ଖାଇବେ । ସେଥିପାଇଁ ମନରେ ଟିକେ ଦକ ଥାଏ ପୁଷ୍ପର । ଠିକ ଗାଆଁମୁଣ୍ଡକୁ ପହଁଞ୍ଚିଛନ୍ତି, ନିଜ ଗାଆଁ ଆସିଯିବାକ୍ଷଣି ମନରେ ସାହସ ଆସିଯାଏ ସଭିଙ୍କର । ପୁଷ୍ପ ବି ଖୁସି ହୋଇଗଲା ଯାହଉ ବଣୁଆ ଜାଗାକୁ ନିରାପଦରେ ପାରିକରିଗଲ ସହଜରେ । ଏବେ ଆଉ ଡର ନାହିଁ । ଲାଖୁଆ ବସ୍ତି ଦେଖା ଯାଉଛି ଦୂରରୁ । ଡିବିରି ଓ ଲଣ୍ଠନ ମାନଙ୍କର ମିଞ୍ଜିମିଞ୍ଜି ଆଲୁଅ ଅନ୍ଧାର ଭିତରେ ଚକଚକ କରୁଛି । ବସ୍ତିଟି ଯଦିଓ ଧ୍ୱଂସ ପାଲଟି ଯାଇଛି । ତଥାପି କେତୋଟି ପରିବାର ଏବେବି ଜଙ୍ଗଲ କାଟି ଝୁମ୍ପୁଡି ତିଆରିକରି ରହୁଛନ୍ତି । ସେମାନେ ସବୁ ଲାଖ କାମ କରନ୍ତି । ଲାଖରେ ଅନେକ ପ୍ରକାର ସୁନ୍ଦର ଜିନିଷ ତିଆରି କରନ୍ତି । ଏମାନଙ୍କ ତିଆରି ଲାଖଚୁଡି ସଭିଏଁ ପସନ୍ଦ କରନ୍ତି । 


ଅଚାନକ ଆଠଦଶ ଲୋକ ଆସି ତାଙ୍କୁ ଘେରି ଗଲେ । ହାତରେ ଅନେକ ପ୍ରକାର ମାରଣାସ୍ତ୍ର ଧରିଥାନ୍ତ ସେମାନେ । କିଏ ଧନୁତୀର,କିଏ ଟାଙ୍ଗିଆ,କିଏ ଛୁରୀ,କିଏ ଭୁଜାଲି ଧରି ପହଞ୍ଚିଥାନ୍ତି । କେତେଜଣ ଠେଙ୍ଗା ବି ଧରିଥାନ୍ତି । ମୁହଁକୁ କଳା କପଡାରେ ବାନ୍ଧି ଥାନ୍ତି ଦୁର୍ବୃର୍ତ୍ତ ଗୁଡାକ । ପୁଷ୍ପ ସେମାନଙ୍କୁ ଦେଖି କଦଳିପତ୍ର ପରି ଥରଥର କମ୍ପିବାକୁ ଲାଗିଲା । ତା ମନରେ ପ୍ରଶ୍ନଉଠୁଥାଏ କିଏ ସବୁ ଏମାନେ?ଡାକୁ ହୋଇଥିବେ ନିଶ୍ଚୟ?ହେଲେ ତାଙ୍କ ପାଖରେ ତ ଏତେ ଟଙ୍କା ପଇସା ବି ନାହିଁ?ଶହେ ଦୁଇଶହ ଖଣ୍ଡେଟଙ୍କା ଥିବ ?


ଏତିକି କମ୍ ଟଙ୍କା ଲୋଭରେ କଣ ଏମାନେ ମଣିଷର ଅମୂଲ୍ୟ ଜୀବନ ନେଇଯିବେ?କେତେ କଷ୍ଟରେ ମଣିଷ ଜୀବନ ମିଳେ । ମଣିଷଟିଏ କେତେ ପରିଶ୍ରମ କରେ ନିଜକୁ ଯୋଗ୍ୟ କରି ଗଢିବାକୁ । ଦିନରାତି ଏକକରି ପାଠପଢେ ଯୋଗ୍ୟହୁଏ । କିଛି କାମ କରିବାକୁ ସମର୍ଥ ହୁଏ । ଅଥଚ ଏ ନୃଶଂସ ମଣିଷ ଗୁଡାକ ଏମିତି ଅମୂଲ୍ୟ ଜୀବନର ମହତ୍ତ୍ବ ନବୁଝି କଣ ନଷ୍ଟ କରିଦେବେ? ତାପରି ଏକ ଅଫୁଟା କଳିକାକୁ ପୂର୍ଣ ବିକଶିତ ହେବା ଆଗରୁ ଦଳିନଷ୍ଟ କରିଦେବେ କି?ସେ ଜଣେ ଡାକ୍ତର ହୋଇ ଜନସେବା କରିବାର ମନୋରଥ ରଖି ମନ ଲଗାଇ ପାଠ ପଢୁଛି । ସ୍କୁଲରେ ପ୍ରଥମ ହେଉଛି । ନିଜ ଅଞ୍ଚଳରେ ସ୍କୁଲଟେ ନଥିବାରୁ ଏତେ ଦୂର ସମ୍ବଲପୁରରେ ହଷ୍ଟେଲରେ ରହି ପଢୁଛି । 

ବାପା ବି ଏଅଞ୍ଚଳର ଜଣେ ନାମୀ ଲୋକ । ଅନେକ ସମାଜମୂଳକ କାମ କରିଛନ୍ତି । କେତ ଯାତ୍ରା ଉତ୍ସବରେ ନିଜ ଆଡୁ ସାହାଯ୍ୟର ହାତ ବଢାନ୍ତି । ତାଙ୍କପରି ଭଲ ମଣିଷକୁ ଏମାନେ କାହିଁକି ମାରିବାକୁ ଲାଳାୟିତ ?

ଏମିତି ଅନେକ ଭାବନାରେ ଘାଣ୍ଟି ଚକଟି ହେଉଥାଏ ତାର ପିଲା ମନ । ଏତିକି ବେଳେ କିଏ ଜଣେ ତାକୁ ବି ଧରିନେଲା । ଲୋକଟି କହୁଥିଲା ଗୌନ୍ତିଆର ଅତ୍ୟାଚାରର ପ୍ରତିଶୋଧ ତା ଝିଅର ଇଜ୍ଜତ ନେଇ ନେବା । 

ବାପା ଆଗରେ ଝିଅର ଇଜ୍ଜତ ଲୁଟିଲେ ସେ ଜାଣିବ ବାପାର ହୃଦୟ କେମିତି ଫାଟି ବିଦାରି ଯାଏ । ସେ ଆମ ବୋହୁ ବେଟୀଙ୍କୁ ତାର କାମତୃପ୍ତିର ସାଧନ ଭାବି ଅନେକ ଖେଳ ଖେଳିଛି । କେତେ ନିରୀହ ଯୁବତୀ ଅତ୍ୟାଚାରିତ ହୋଇ ଆତ୍ମହତ୍ୟା କରିଛନ୍ତି । ଆଉ ଏ ନୃଶଂସ ଅସୁର ଆମ ବସ୍ତିକୁ ଜାଳିପୋଡି ଦେଇ ନିଜର କାରଖାନା ବସାଇବାକୁ ତତ୍ପର । ଆମର କେତେ ପରିବାର ନିଆଁରେ ପୋଡି ଧ୍ୱଂସ ହୋଇଗଲେ । ସାମାନ୍ୟ ଜମିଖଣ୍ଡେ ପାଇଁ ଲୋଭ କରି ଗୋଟାଏ ବସ୍ତି ଜାଳିଦେଲା । କେତେ ଲୋକଙ୍କୁ ବାସଚ୍ୟୁତ କରିଦେଲା । ଛୋଟଛୋଟ ପିଲା ଜୀଅନ୍ତା ଜଳିଗଲେ ନିଆଁରେ । ଧନୀ ବୋଲି ତା ପାଖରେ ଗରିବର ମୂଲ୍ୟ କିଛି ନାହିଁ? ଆଜି ସେ ଜାଣୁ ଗରିବ କାନ୍ଦିଲେ ତା ଆଖିରୁ କେମିତି କ୍ରୋଧାଗ୍ନି ବାହାରେ । ଆଉ ସେତେବେଳେ ସେ ସମାଜ କି ଆଇନର ନାଲି ଆଖିକୁ ଭୃକ୍ଷେପ କରେନାହିଁ । ନିଜ ଜୀବନକୁ ବି ସେ ତ୍ୟାଗ କରିଦିଏ । ପ୍ରତିଶୋଧ ହିଁ ତାପାଇଁ ଏକ ଚରମ ପନ୍ଥା ପାଲଟି ଯାଏ ସେତେବେଳେ । ପୁଷ୍ପ ବାପାଙ୍କ ବିଷୟରେ ଏତେ ସବୁ ନିନ୍ଦା ଶୁଣି ହଜମ କରି ପାରୁ ନ ଥିଲା । ସେ ବିଶ୍ୱାସ କରିପାରୁନଥିଲା ତା ବାପା ଏ ମାନେ କହିବା ମୁତାବକ କାମ କରିଥିବେ? ଯଦି କରିଛନ୍ତି ବହୁତ ଭୁଲ କରିଛନ୍ତି । ସମସ୍ତଙ୍କ ଝିଅ ବୋହୁ ସମାନ । ସମସ୍ତଙ୍କ ଇଜ୍ଜତ ଅଛି । କାହା ଇଜ୍ଜତରେ ଖେଳିବା ଉଚିତ୍ ନୁହେଁ?

ସେ କହିଲା ଯଦି ମୋ ବାପା ଏମିତି ଭୁଲ କରିଛନ୍ତି ତାହେଲେ ମୋର ଇଜ୍ଜତ ଲୁଟି ତୁମ ମନସାଧ ମେଣ୍ଟାଅ । ହେଲେ ତାଙ୍କୁ ମାର ନାହିଁ, ଛାଡିଦିଅ ତାଙ୍କର ଦଣ୍ଡ ଭୋଗିବାକୁ ଦିଅ । ସେମିତି ବଞ୍ଚି ସେ ଦଣ୍ଡ ପାଆନ୍ତୁ । 

ସେମାନଙ୍କ ଭିତରୁ ଯିଏ ମୁଖିଆ ଥିଲା ନାଆଁ ତାର ଭୁତିଆ ଥିଲା । ଭୁତିଆ କହିଲା ଝିଅକୁ କିଛି କର ନାହିଁ । ଛାଡିଦିଅ ତାକୁ । ମୋ ଝିଅର ମରଣ ଦୁଃଖ ମୁଁ ଭୋଗୁଛି । ବାପର ଦଣ୍ଡ ସେ କାହିଁକି ଭୋଗିବ । 


ତାପରେ ସେମାନେ ତାକୁ ଛାଡି ଘରକୁ ଚାଲି ଯିବାକୁ କହିଲେ । ହେଲେ ସେ ଯାଉ ନଥିଲା । ପରେ ଯୋର କରି ଧମକାଇଲେ ଚାଲିଯା ବୋଲି । ସେ ଯାଉ ଯାଉ ପଛକୁ ଫେରି ଚାହୁଁଥାଏ । 

ସେମାନେ ତା ବାପାକୁ ବାଡିଆ ପିଟା କରି ଚାଲି ଥିଲେ । କେହି କେହି ଟାଙ୍ଗିଆରେ ବି କିଛି ଜାଗାରେ ହାଣି ଦେଲେ । ତା ବାପା ଦୁର୍ବଳ ହୋଇ ପଡିଲେ । ତାପରେ ତାଙ୍କୁ ନେଇ ଏକ ଶୁଳୀରେ ବସାଇ ଦେଲେ । ଏକ କାଠପଟାରେ ମୁନିଆଁ ଛଡ ଖଣ୍ଡେ ଲଗା ହୋଇଥିଲା । ସେ ଛଡ ଉପରେ ତା ବାପାକୁ ନେଇ ବସାଇଦେଲେ । ବୋଧହୁଏ ତାଙ୍କ ମଳଦ୍ୱାରରେ ସେ ଛଡ ପଶିଗଲା ସେ ବଡ ପାଟିରେ ଆଃ ଆଃ ଚିତ୍କାର କରୁଥିଲେ । ତାଙ୍କ କରୁଣ ଚିତ୍କାର ଶୁଣି ସେ ଲୋକଗୁଡା ହସୁଥିଲେ । କହୁଥିଲେ ଆଜି ବୁଝିଲୁତ ଗରୀବ ଯେତେବେଳେ ପ୍ରତିଶୋଧ ପରାୟଣ ହୋଇଯାଏ କଣ ହୁଏ । ଗରିବ ବହୁତ ସହିପାରେ ହେଲେ ତା ପରିବାର ଉପରେ ଆଞ୍ଚ ଆସିଲେ ସହି ପାରେନି । ସେଦିନ ଆମ ପରିବାରର ଲୋକେ ବି ଅର୍ଦ୍ଧ ରାତିରେ ଶୋଇଥିଲାବେଳେ ନିଆଁରେ ପୋଡି ଏମିତି ରଡି ଛାଡି କାନ୍ଦୁଥିଲେ । 

ଆଉ ତୁ ବାହାରେ ମଜା ଦେଖୁଥିଲୁ । ପୁଷ୍ପ ଭାବୁଥିଲା ପ୍ରତିଶୋଧ ବି ଏମିତି ଭୟଙ୍କର ହୋଇପାରେ । ସବୁ ପାପର ଦଣ୍ଡ କେବେ କେବେ ମିଳିଥାଏ । ସେ ଘରକୁ ଏକ ମୁହଁ ଦଉଡିଲା । ଘରେ ପହଞ୍ଚି ମାଆଙ୍କୁ ସବୁ ଘଟଣା କହିଲା । ପଚାରିଲା ସେ ଲୋକମାନେ ଯାହା ବାପାଙ୍କ ବିରୁଦ୍ଧରେ ବିଷୋଦ୍ଗାର କରୁଥିଲେ ତାହା କଣ ସତ?

ମାଆ ମୁଣ୍ଡ ଟୁଙ୍ଗାରି ସହମତି ଦେଇଥିଲେ । ଏବେ ପୁଷ୍ପ ମନରେ ବାପାଙ୍କ ପ୍ରତି ଭୀଷଣ ଘୃଣା ଜାତ ହେଉଥିଲା । ତାହେଲେ ବାପାଙ୍କୁ ଉତ୍ତମ ଦଣ୍ଡ ମିଳିଛି । ଏ ଘଟଣା ଦେଖିବା ପରେ ଆଉ କୌଣସି ଗୌନ୍ତିଆ ବା ଜମିଦାର ଏମିତି ଗରିବଙ୍କ ଘର ଭାଙ୍ଗି ବାସଚ୍ୟୁତ କରିବନି । 

ମଣିଷକୁ ବଞ୍ଚିବା ପାଇଁ ମୁଠାଏ ଖାଇବା ଦୁଇଖଣ୍ଡ ପିନ୍ଧିବା ଓ ଯିବା ଆସିବାକୁ ଗାଡିଟିଏ ଥିଲେ ଖୁସି ହେଇ ଯିବାକଥା । ଅନ୍ୟର ଧନ ଜମିକୁ ଲୁଟି ମଣିଷ କେବଳ ବଦନାମ ପାଏ । ଯେତେ ଧନ କମାଇଲେ ବି ଶେଷରେ ଶୂନ୍ୟ ହାତରେ ପ୍ରାଣପକ୍ଷୀ ଉଡିଯାଏ । ତଥାପି ମଣିଷ ଏତେ ନିଚ୍ଚ କାମ କରେ କାହିଁକି?

ପୁଷ୍ପ ମାଆକୁ କହିଲା ମାଆ ତୁମେ ଏସବୁ ଦେଖି କେମିତି ସହୁଥିଲ ?ବାପାଙ୍କୁ କାହିଁକି ବିରୋଧ କରୁ ନ ଥିଲ?

ତା ମାଆ କହିଲେ ମୁଁ ଅନେକ ଥର ରୋକିବାକୁ ଚେଷ୍ଟା କରିଛି ହେଲେ ମାଡମାରି ମୋର ମୁହଁ ବନ୍ଦ କରି ଦେଉଥିଲେ । ଏବେ ସିନା ଝିଅମାନେ ଚାକିରି କରୁଛନ୍ତି ବୋଲି ପୁରୁଷ ସାମନାରେ ନିଜ ମତ ରଖି ପାରୁଛନ୍ତି । ହେଲେ ଆମେ ପୁରୁଷ ର ଆଶ୍ରିତା ହେଇ ବଞ୍ଚୁଥିଲୁ । 

କୋଉ ପତ୍ନୀ ନିଜ ସାମନାରେ ତା ସ୍ୱାମୀ ଅନ୍ୟ ସ୍ତ୍ରୀକୁ ଆଣି ମଜା କରିବ ଦେଖି ସହି ପାରିବ । ହେଲେ ଆମେ ସବୁ ସହିଛୁ । ସେଥିପାଇଁ ତତେ ପାଠପଢିବାକୁ କହୁଛି । ନିଜ ଉପାର୍ଜନରେ ଠିଆହେବୁ । ପୁରୁଷର ଖେଲଣା ହେବୁନି ।  । ମାଆଙ୍କ ବିବଶତା ବି ପୁଷ୍ପ ବୁଝି ପାରୁଥିଲା । ସେ ପଞ୍ଚମ ଶ୍ରେଣୀରୁ ହଷ୍ଟେଲରେ ରହି ପଢୁଥିଲା ବୋଲି ବାପାଙ୍କ ଏ ଅପକର୍ମ ବିଷୟରେ ଅନଭିଜ୍ଞ ଥିଲା । ବାପାଙ୍କୁ ହରାଇ ଦୁଃଖ ଲାଗୁଥିଲା ତାକୁ । ବାପା ତାକୁ ବହୁତ ଭଲ ପାଉଥିଲେ । ପ୍ରତି ବାପା ନିଜ ଝିଅକୁ ଭଲ ପାଏ ହେଲେ ଅନ୍ୟର ଝିଅଙ୍କୁ ବି ସମ୍ମାନ ଦେବା ଉଚିତ୍ । ବାପା ନିଜ କର୍ମର ଦଣ୍ଡ ପାଇଲେ । 

ପୋଲିସ ସେ ବସ୍ତିର ଲୋକଙ୍କୁ ଧରି କିଛିଦିନ ଥାନାରେ ରଖିଲା । ବସ୍ତିର ପିଲାଠୁ ବୁଢା ସମସ୍ତେ କହୁଥିଲେ ଆମେ ସଭିଏଁ ମାରିଛୁ ବୋଲି । ସେମାନେ କହୁଥିଲେ ଯେତେବେଳେ ସେ ଏମିତି ଅପକର୍ମ କରୁଥିଲେ ତୁମେ ତାଙ୍କୁ ଘଣ୍ଟ ଘୋଡେଇ ରଖୁଥିଲ । ଆଉ ସେଇକାମ ଆମେ କଲୁ ତେବେ ଆମେ ଦୋଷୀ ହେଲୁ କେମିତି?

ପୋଲିସଇନ୍ସପେକ୍ଟର ବି ଏ ପ୍ରଶ୍ନର ଉତ୍ତର ଦେଇ ପାରୁନଥିଲେ । 

ଶେଷରେ ସେ ଲୋକମାନେ ମୁକୁଳି ଯାଇଥିଲେ ଥାନାରୁ । ଆଉ ସେ ଅଞ୍ଚଳରେ ଏ କଥାଟି ଲୋକକଥା ହୋଇ ଆଜିବି ବୁଢାବୁଢୀ ମାନଙ୍କ ମୁହଁରୁ ଶୁଣାଯାଏ । 



Rate this content
Log in

Similar oriya story from Inspirational