ପ୍ରତିଶୋଧ ର ହସ
ପ୍ରତିଶୋଧ ର ହସ
ଗୌତମ ଘରକୁ ଫେରିବାର ଆଉ ମାତ୍ର ଦୁଇ ଦିନ ସମୟ ଅଛି। ଗୌତମର ମାଆ ନୟନା ଦେବୀ ପତି ଶୈଳେନ୍ଦ୍ର ସିଂ ଦେଓ ଙ୍କ ସହ ଗୌତମର ସ୍ୱାଗତ ଅଭ୍ୟର୍ଥନା ବିଷୟରେ ଆଲୋଚନା କରି ଚାକର ପୂଜାରୀଙ୍କୁ ସେମାନଙ୍କ ଦାୟିତ୍ୱ ବୁଝାଇ ସାରିଛନ୍ତି।
ଦୀର୍ଘ ୫ବର୍ଷ ପରେ ଗୌତମ ବିଦେଶରୁ ପାଠପଢ଼ା ଶେଷ କରି ଓଡିଶା ଫେରୁଛି।ସାଥିରେ ପୁଣି ତା ବନ୍ଧୁମାନଙ୍କୁ ମଧ୍ୟ ଆଣୁଛି।ତେଣୁ ବଙ୍ଗଳାଟି ବ୍ୟସ୍ତତା ଭିତରେ ବୁଡି ଯାଇଛି।ବଙ୍ଗଳାକୁ ସୁନ୍ଦର କରି ସଜା ହୋଇଛି।ଭାରତୀୟ ଖାଦ୍ୟ ପାନୀୟ ର ଭରା ଭରା ଆୟୋଜନ ହୋଇଛି।ଆଉ ମାତ୍ର କିଛି ଘଣ୍ଟାର କଥା। ସ୍ୱୟଂ ଶୈଳେନ୍ଦ୍ର ସିଂ ଦେଓ ଗୋୖତମ ଓ ତା'ର ବନ୍ଧୁମାନଙ୍କୁ ସ୍ୱାଗତ କରିବା ପାଇଁ ବିଜୁପଟ୍ଟନାୟକ ବିମାନବନ୍ଦରକୁ ଯାଇଥାନ୍ତି।ନୟନା ଦେବୀ ମାତୃହୃଦୟର ବ୍ୟାକୁଳତା ନେଇ ଗୋୖତମର ବାଟକୁ ଚାହିଁ ରହିଥାନ୍ତି।
ଶେଷରେ ବହୁ ପ୍ରତୀକ୍ଷିତ ସମୟର ଅନ୍ତ ଘଟାଇ କାର୍ ଟି ପ୍ରବେଶ କଲା ବଙ୍ଗଳା ଭିତରକୁ।ଶଙ୍ଖ,ହୁଳହୁଳି,ବନ୍ଦାପନା ସହ ନୟନା ଦେବୀ ପୁଅ ଓ ତା ବନ୍ଧୁମାନଙ୍କୁ ସ୍ୱାଗତ କଲେ।ବିଦେଶୀ ବନ୍ଧୁମାନେ ଏପରି ସ୍ୱାଗତ ଦେଖି ଖୁବ୍ ଖୁସି ହୋଇଗଲେ , କିନ୍ତୁ ଗୋୖତମ କହିଲା ,"ମାଆ ତୁମେ ସେଇ ପୁରୁଣା ରାଜରାଜୁଡା ନୀତିକୁ ଆଜି ପର୍ଯ୍ୟନ୍ତ ଧରି ରଖିଛ।ଦୀର୍ଘ ଯାତ୍ରା ପରେ ଏସବୁ ବହୁତ ବିରକ୍ତିକର ଅନୁଭବ ହେଉଛି। "ଏହା କହି ଭିତରକୁ ଚାଲିଗଲା।
ନୟନା ଦେବୀ ଭାବିଲେ ପୁଅ ବିଦେଶରେ ରହିଗଲା ତ ଏସବୁ ବୋଧହୁଏ ଭୁଲିଯାଉଛି।ମନଟି ଖରାପ ହୋଇଗଲା।ତଥାପି ମାଆ ମନ କି ବୁଝେ। ଚାକର ମାନଙ୍କୁ କହି ଗାଡ଼ିରୁ ଜିନିଷ ପତ୍ର ନେଇ ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀରେ ରଖାଇଲେ।ସମସ୍ତେ ପ୍ରସ୍ତୁତ ହୋଇସାରି ଶୈଳେନ୍ଦ୍ର ବାବୁଙ୍କ ସହ ଭୋଜନ କଲେ।ସମସ୍ତେ ଭୁରି ଭୁରି ପସନ୍ଦ କରୁଥାନ୍ତି ଭାରତୀୟ ଖାଦ୍ୟପେୟର।ଗୋୖତମ କହିଲା ,"ମାଆ , ବହୁତ ଦିନ ପରେ ଏ ଖାଦ୍ୟ ସବୁ ମିଳିଲା।ଜାଣ ଆତ୍ମତୃପ୍ତି ହୋଇଗଲା।"ନୟନା ଦେବୀ ଖୁବ୍ ଖୁସି ହେଲେ,ଭାବିଲେ ...ଯାହା ହେଉ ପୁଅ ଏଈ ଭାରତ ମାଟିକୁ ଭୁଲି ନାହିଁ।ଯାତ୍ରା ଜନିତ କ୍ଲାନ୍ତି ଯୋଗୁ ବୋଧହୁଏ ସେହିପରି କହିଥିଲା।ତା'ପରେ ସ୍ନେହରେ ଗୋୖତମ ମଥାରେ ହାତ ବୁଲାଇ ଆଣିଲେ। ଖାଇବା ସରିବା ପରେ ସମସ୍ତେ ବିଶ୍ରାମନେଲେ।ଉଠିବା ପରେ ଗୋୖତମ ଓ ତା'ର ବିଦେଶୀ ବନ୍ଧୁଗଣ ମିଶି ଅପରାହ୍ନରେ ଆଖପାଖ ଜାଗା ବୁଲି ଦେଖିଲେ।ରାତ୍ରୀ ଭୋଜନ ସାରି ସମସ୍ତେ ମିଶି ଗୋୖତମର ପିଲାଦିନର ଆଲବମ୍ ଦେଖିବାରେ ଲାଗିଲେ। ଆଲବମ୍ ଖୋଲୁ ଖୋଲୁ ପ୍ରଥମ ପୃଷ୍ଠାର ଗୋଟିଏ ବଡ଼ ଚିତ୍ର ଦେଖିବାକୁ ପାଇଲେ।ଗୋୖତମ କହିଲା ,"ଏ ହେଉଛି ଆମର ରାଜମହଲ।ଛୋଟ ବେଳେ ଗୋଟିଏ ଥର ଯାଇଥିଲି ,ସେ ପୁଣି ଜିଦି କରି।ସେହିଥର ଜେଜେ ବାପା ,ଜେଜେ ମାଆ,ବାପା,ମାଆ ଆଉ ମୁଁ ସମସ୍ତେ ମିଶି କରି ଯାଇଥିଲୁ।ମାତ୍ର ଅଧଘଣ୍ଟା ସେଠାରେ ରହିଥିଲି।ସମସ୍ତେ ବାଧ୍ୟ କରି ମୋତେ ନେଇଆସିଲେ।ଜେଜେବାପା ସେହିଥର ମୋତେ ଗାଳି କରି କହିଥିଲେ ...ଗୋୖତମ ,ତୁମେ ମହଲ ଦେଖିବା ପାଇଁ ଜିଦି କରୁଥିଲ।ବର୍ତ୍ତମାନ ରାଜମହଲ ଦେଖା ସରିଲା ,ଏଥର ଏଠାରୁ ଶୀଘ୍ର ଫେରିବାକୁ ହେବ।ଜେଜେବାପାଙ୍କ ରାଗ ଦେଖି ଆମେ ସେଠାରୁ ଫେରିଆସିଲୁ।"
ଗୋୖତମର ଜଣେ ବନ୍ଧୁ କହିଲା ,"ବାଃ!!ଏ ତୁମର ରାଜମହଲ।ଖୁବ୍ ସୁନ୍ଦର ହୋଇଛି।କିନ୍ତୁ ଏତେ ସୁନ୍ଦର ମହଲ ଛାଡି ଏ ସହରରେ ବଙ୍ଗଳା କରି ରହିଲ କାହିଁକି ?ଏବେ ତ ସେସବୁ ଅତି ଦୟନୀୟ ଅବସ୍ଥାରେ ଥିବେ।"
ଗୋୖତମ କହିଲା ,"ନା ,ନା ଏବେ ମଧ୍ୟ ଜଣେ ସେହି ମହଲର ଦାୟିତ୍ୱ ନିଏ।ମୁଁ ଯଦିଓ ଏହି ମହଲ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଜାଣିନାହିଁ।କିନ୍ତୁ ଜେଜେମାଆଙ୍କ ଠାରୁ ଶୁଣିଥିଲି ପୂର୍ବେ କୌଣସି ଏକ ରାଣୀଙ୍କ ପ୍ରତି ଅନ୍ୟାୟ ହୋଇଥିଲା।ତାଙ୍କର ଅତୃପ୍ତ ଆତ୍ମା ମହଲରେ ବହୁତ କ୍ଷତି ଘଟାଇଛି।ତେଣୁ ରାଜମହଲ ପଛଭାଗରେ ଥିବା ସମାଧିସ୍ଥଳରେ ତାଙ୍କର ସମାଧି ପାଖରେ ଯନ୍ତ୍ର,ତନ୍ତ୍ର ଦ୍ୱାରା ବନ୍ଧନ କରାଯାଇଛି।"ଏଭଳି କଥା ଶୁଣି ଗୋୖତମର ଅନ୍ୟବନ୍ଧୁ ଜଣକ କହିଲା ,"ବାଃ !ଏତେ ବଡ଼ ମହଲ ପଛରେ ସୁନ୍ଦର କାହାଣୀ।ଆମେ ଯାଇ ସେଠାରେ ଦୁଇଦିନ ବୁଲିଆସିଲେ କିପରି ହେବ ?"ଏହି ପ୍ରସ୍ତାବରେ ଗୋୖତମ ଓ ଅନ୍ୟ ବନ୍ଧୁଜଣଙ୍କ ଖୁସି ହୋଇଗଲେ।
ଗୋୖତମ ଯାଇ ଶୈଳେନ୍ଦ୍ର ବାବୁଙ୍କୁ ଏହି ପ୍ରସ୍ତାବ ଦେବାରୁ ସେ ଖୁବ୍ ଗମ୍ଭୀର ହୋଇଗଲେ।ନୟନା ଦେବୀ ଏହା ଶୁଣି କହିଲେ ନା ନା ଗୋୖତମ।ଏ ପିଲାଳିଆମୀ ଆଉ ନୁହେଁ।ତୁ ସେଠାକୁ ଯାଇ ଇତିହାସର ପୃଷ୍ଠା ପୁଣି ଖୋଲିବା କିଛି ଆବଶ୍ୟକ ନାହିଁ।
ଗୋୖତମ କହିଲା ,"ଜଣେ କେହି ସେଠାରେ ସେ ମହଲର ଦେଖାଶୁଣା କରୁଛି।ସେ ପୁଣି ସେଠାରେ କିପରି ରହୁଛି ?"ଶୈଳେନ୍ଦ୍ର ବାବୁ କହିଲେ ,"ସେ ସେହି ମହଲକୁ ଏକା ଯାଏ ନାହିଁ।ପାଖରେ କିଛି ଲୋକ ମଧ୍ୟ ରଖିଥାଏ।କାମ ସାରି ସେଠାରୁ ଚାଲିଆସେ ରୁହେ ନାହିଁ।"
ଗୋୖତମ କହିଲା ,"ବାପା ସେହି ରାଣୀ ତନ୍ତ୍ର ଦ୍ୱାରା ବନ୍ଦୀ।ତେବେ ସେଠାରେ ରହିବାରେ କି ଅସୁବିଧା? ତା 'ଛଡା ମୁଁ ଏହି କଥାରେ କଦାପି ବିଶ୍ୱାସ କରୁନାହିଁ।ଆଜିର ବିଜ୍ଞାନ ଯୁଗରେ ଏ ଭୂତ,ପ୍ରେତଙ୍କୁ କିଏ ବିଶ୍ୱାସ କରୁଛି? ତାଙ୍କର ଅସ୍ତିତ୍ବ ହିଁ କିଛି ନାହିଁ ।"ଏହା କହି ଗୌତମ ତା ସାଙ୍ଗମାନଙ୍କ ସହ କାର୍ ନେଇ ରତ୍ନଗଡ଼ ରେ ଥିବା ରାଜମହଲ ଅଭିମୁଖେ ବାହାରିଗଲା।
ପୁଅର ଏହି ବେପରୁଆ କାର୍ଯ୍ୟରେ ବାପା ,ମାଆ ଦୁହେଁ ଖୁବ୍ ଦୁଃଖୀ ହେଲେ।ଭୟ ଆଶଙ୍କାରେ ଚିନ୍ତାଗ୍ରସ୍ତ ହୋଇପଡିଲେ।ଶୈଳେନ୍ଦ୍ର ବାବୁ ରାଜମହଲର ଦାୟିତ୍ୱ ନେଉଥିବା ଲୋକଟିକୁ ଫୋନ କରି ଗୋୖତମ ଓ ତା'ର ଦୁଇ ସାଥୀଙ୍କର ରତ୍ନଗଡ଼ ଯିବାକଥା ଜଣାଇଲେ।ଲୋକଟିକୁ ବହୁତ ଅନୁରୋଧ କରି ସେମାନଙ୍କ ପାଇଁ ରାତ୍ରୀ ଭୋଜନ ଆୟୋଜନ କରି ଗୋଟିଏ ରାତି ତାଙ୍କୁ ସହଯୋଗ କରିବାକୁ ଅନୁରୋଧ କଲେ।ଲୋକଟି ଅମଙ୍ଗ ହେବାରୁ ଅର୍ଥଲୋଭ ଦେଖାଇ ବହୁ କଷ୍ଟରେ ତାକୁ ରାଜି କରାଇଲେ।
ଗୋୖତମ ଓ ତା'ର ବନ୍ଧୁଗଣ ରତ୍ନଗଡ଼ରେ ପହଞ୍ଚିବା ବେଳକୁ ଅପରାହ୍ନ ହୋଇଗଲା।ତିନି ଜଣ ସେଠାରେ ପହଞ୍ଚି ଦେଖିଲେ ପୂର୍ବରୁ ଲୋକଟି ଆସି ସେମାନଙ୍କୁ ଅପେକ୍ଷା କରିଥାଏ।ଝିଅଟିଏ ଫାଟକରୁ କିଛି ଦୂରରେ ରନ୍ଧାବଢା କରୁଥାଏ।ଲୋକଟି ଗୋୖତମକୁ ଦେଖି ଜୁହାର ହୋଇ କହିଲା," ମୁଁ ଏଠାରେ ଜଗାରଖା କରେ।ମୋ ନାଁ ସୁରେନ୍ଦ୍ର।ମୋତେ ସୁର ବୋଲି ଡାକିପାରିବେ।ଝିଅଟି ଆଡକୁ ଆଙ୍ଗୁଠି ଦେଖାଇ କହିଲା ସେ ହେଉଛି ମୋ ଝିଅ ସୁରଭି।ବାବୁ ଫୋନ କରି ମୋତେ ଆଗରୁ ଜଣାଇ ଦେଇଥିଲେ।ଗୋୖତମ ମନେ ମନେ ତା ବାପାଙ୍କୁ ଧନ୍ୟବାଦ ଜଣାଉଥିଲା। ଏହା ପରେ ସେମାନେ ସୁରକୁ ନେଇ ରାଜମହଲ ବୁଲି ଦେଖିଲେ।ଉପର ମହଲାରେ ଥାଇ ବହିଯାଉଥିବା ନଦୀକୁ ଦେଖି ଆନନ୍ଦ ଅନୁଭବ କରୁଥିଲେ।ପରିଶେଷରେ ସେମାନେ ରାଜଘର ସମାଧି ସ୍ଥଳ ରେ ପହଁଚିଲେ।ସେହି ସ୍ଥାନରେ ପହଞ୍ଚି ଗୋୖତମ ଓ ସୁର ମନରେ ଧୀରେ ଧୀରେ ଭୟ ସୃଷ୍ଟି ହେଉଥାଏ।ତେଣୁ ସେଠାରୁ ଫେରିଯିବା ପାଇଁ ଶୀଘ୍ର କରୁଥାନ୍ତି।ଏହି ସମୟରେ ଗୋୖତମର ବିଦେଶୀ ବନ୍ଧୁ ଦ୍ବୟ ମଧ୍ୟରୁ ଜଣେ ଗୋଟିଏ ସମାଧି ନିକଟକୁ ଦଉଡି ଯାଇ କହିଲା ,"ଗୋୖତମ ଏ ସମାଧି ସବୁ ସମାଧି ଅପେକ୍ଷା କିଛି ଅଲଗା।ସେଠାରେ ନାଲିକପଡା ଦ୍ୱାରା ବନ୍ଧାଥିବା ସ୍ୱସ୍ତିକ ଆଦି ଯନ୍ତ୍ର ସବୁକୁ ହାତରେ କାଢ଼ି ଆଣି ଏହା କ'ଣ ବୋଲି ପଚାରିଲା। "
ଗୋୖତମ ଓ ସୁର ତା'କୁ କିଛି କହିବା ପୂର୍ବରୁ ସେ ରାଣୀଙ୍କର ଅତୃପ୍ତ ଆତ୍ମାକୁ ବନ୍ଧନ ମୁକ୍ତ କରିସାରିଥିଲା। ଗୋୖତମ ତାକୁ ଗାଳି ଦେଇ ସେଠାରୁ ବାହାରି ଆସୁଆସୁ ଫାଟକଟି ସେଠାରେ ବନ୍ଦ ହୋଇଗଲା।ତଥାପି ସେମାନେ କହିଲେ କିଛି ଅସୁବିଧା ହୋଇଥିବ ,ପରେ ଦେଖିବା।ସୁର କିନ୍ତୁ ସବୁ ବୁଝିପାରିଥାଏ।ମନେ ମନେ ଖୁବ୍ ରାଗୁଥିଲା ,ଭାଗ୍ୟକୁ ନିନ୍ଦୁ ଥାଏ ,କିନ୍ତୁ ବଡ଼ ଲୋକଙ୍କୁ କି ଉତ୍ତର ଅଛି।ଝିଅଟି ବାହାରକୁ ଚାଲିଯାଇଛି ଦେଖି କିଛି ଆଶ୍ୱସ୍ତ ହେଉଥାଏ।ସନ୍ଧ୍ୟା ଅତିକ୍ରାନ୍ତ କରି ରାତି ବଢୁଥାଏ।ଏସବୁ ପରେ ସମସ୍ତେ ଖାଇ ସାରି ମଦ୍ୟପାନର ଆୟୋଜନ କରୁଥାନ୍ତି।ସୁର ମହଲ ବାହାରେ ସପ ପକାଇ ଗଡୁଥାଏ।କିନ୍ତୁ ଭୟ ତା ଆଖିରୁ ନିଦ ଉଡାଇ ସରିଥାଏ।ତେଣେ ତିନି ବନ୍ଧୁ ମହଲ ଭିତରେ ଏକ କୋଠରୀରେ ଶୋଇଯାଇଥାନ୍ତି।ହଠାତ୍ ଛାଇ ପରି କିଛି ମହଲ ଭିତରକୁ ପ୍ରବେଶ କରିବାର ସୁର ଦେଖିଲା।କିନ୍ତୁ କ'ଣ ବା କରିପାରିବ।ଈଶ୍ୱରଙ୍କୁ ଏହି କାଳରାତ୍ରୀ ବିତିଯିବା ପାଇଁ ପ୍ରାର୍ଥନା କରୁଥାଏ।ତେଣେ ମହଲ ଭିତରେ ଛମ୍ ଛମ୍ ପାଉଁଜି ଶବ୍ଦ ଶୁଣି ତିନି ବନ୍ଧୁ କାନ ପାତିଲେ।ଗୋୖତମ କହିଲା, "ସୁରଭି ବୋଧହୁଏ ଯାଇନାହିଁ।" ଗୋୖତମ ଉଠିଯାଇ ଦେଖିଲା ସୁରଭି ପଛକରି ଛିଡା ହୋଇଥାଏ।ନିଶାସକ୍ତ ହୋଇଥିବାରୁ ନାରୀ ବାସନା ଜାଗିଉଠିଲା।ତେଣୁ ସେ ସୁରଭି ପାଖକୁ ଯାଇ ତା କାନ୍ଧରେ ହାତ ରଖିଦେବାରୁ ସୁରଭି ପଛକୁ ବୁଲି ଚାହିଁଲା।ଧୀରେ ଧୀରେ ସୁରଭି ରୂପାନ୍ତରିତ ହେଉଥିଲା ରାଣୀ ସୁହାସିନୀଙ୍କ ରୂପରେ।ଏହା ଦେଖି ଗୋୖତମ ପଛକୁ ଚିତ୍କାର କରି ଦୌଡ଼ିବାକୁ ଲାଗିଲା ।ରାଣୀ ସୁହାସିନୀଙ୍କ ବିକଟାଳ ହସରେ ମହଲ ପ୍ରକମ୍ପିତ ହେଉଥିଲା। ଭୟାନକ ଚିତ୍କାର ଶୁଣି ଅନ୍ୟ ଦୁଇ ବନ୍ଧୁ ବାହାରି ଆସିଲେ।ସୁର ମଧ୍ୟ ଭିତରକୁ ଆସିବାକୁ ଚାହୁଁଥିଲା। କିନ୍ତୁ ଦ୍ୱାର ଖୋଲୁ ନଥାଏ।ତେଣେ ମହଲରେ ଗୋୖତମ ଭୟ ପାଇ ଆଗକୁ ଦଉଡି ନପାରି ତଳେ ପଡ଼ିଗଲା।ଭୟରେ ହାତ ଯୋଡି କହିଲା ତୁମେ ମୋତେ କାହିଁକି ମାରିବାକୁ ଚାହୁଁଛ ?ମୁଁ ତୁମର କି ଦୋଷ କରିଛି ?
ସୁହାସିନୀଙ୍କର ଅଟ୍ଟାହାସ୍ୟ ବଢିବାରେ ଲାଗିଲା।ହଠାତ୍ ଚୁପ୍ ହୋଇ ଯାଇ ଘୃଣାରେ ଗୋୖତମକୁ ଚାହିଁ କାନ୍ଦିବାରେ ଲାଗିଲେ।ଆଖିରୁ ରକ୍ତ ଧାର ବହିବାରେ ଲାଗିଲେ।ଏ ଦୃଶ୍ୟ ଦେଖି ତିନି ବନ୍ଧୁ ଭୟରେ କାତର ହୋଇଗଲେ।
ରାଣୀ ସୁହାସିନୀ କହିଲେ ," ତୋର ପୂର୍ବପୁରୁଷ ରୁଦ୍ରପ୍ରତାପ ସିଂ ଦେଓଙ୍କର ନାମ ତ ଶୁଣିଥିବୁ।ସେ ଥିଲେ ମୋର ସ୍ୱାମୀ।ସ୍ୱାମୀ ନୁହେଁ ତ ମୋର ହତ୍ୟାକାରୀ।ମୋର ପିତାଙ୍କୁ ଯୁଦ୍ଧରେ ପରାସ୍ତ କରି ଚନ୍ଦ୍ରଗଡ଼ ଜୟ କରିଥିଲେ।ତାଙ୍କ ପରି ଦୁରାଚାରୀ ରାଜାଙ୍କ ଠାରୁ ମୋ ନିରିହ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ସନ୍ଧିର ଆବଶ୍ୟକ ଥିଲା।ତେଣୁ ତାଙ୍କ ସହ ମୋର ବିବାହ ହୋଇଥିଲା।ବିବାହ ସମୟରେ ଚନ୍ଦ୍ରଗଡରୁ ମୋର ଅତି ପ୍ରିୟ ଦାସୀ କେତକୀକୁ ସାଥିରେ ନେଇ ଆସିଲି।ଦାସୀ ହେଲେ ସୁଦ୍ଧା ସେ ବହୁତ ସୁନ୍ଦର ଥିଲା।ନାରୀ ଦେହ ଲୋଭୀ ,କାପୁରୁଷ ରାଜା ଙ୍କର କେତକୀ ଉପରେ ଲୋଲୁପ ଦୃଷ୍ଟି ଥିଲା।ଥରେ ଏକାନ୍ତରେ କେତକୀ ବସି କାନ୍ଦୁଥିବାର ଦେଖି ତାକୁ କାରଣ ପଚାରି ବୁଝିଲି।ସେ କହିଲା ଜେମାଦେଇ ରାଜାଙ୍କର କୁଦୃଷ୍ଟି ମୋ ଉପରେ ପଡି ସାରିଛି।ମୋତେ ଆଦେଶ ଦେଇଛନ୍ତି ଆଜି ରାତ୍ରିରେ ନୃତ୍ୟଶାଳାରେ ଯାଇ ଭେଟ ହେବାକୁ।ତାକୁ ଅଭୟ ଦେଇ କହିଥିଲି ଆଜି ତୋ ପରିବର୍ତ୍ତେ ମୁଁ ସେଠାକୁ ଯିବି।ତୁ ନିଶ୍ଚିତ ରୁହ।ଅର୍ଦ୍ଧରାତ୍ରିରେ ମୁଁ ସାଧାରଣ ପରିଚାରିକା ରୂପରେ ନୃତ୍ୟଶାଳାରେ ଉପର ମହଲାରେ ଅପେକ୍ଷା କରିଲି।ରାଜା ମଧ୍ୟ ଆସିଥିଲେ।ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇ।କିଛି କହିବା ପୂର୍ବରୁ ଘଟଣାର ଅନୁମାନ କରି ମୋତେ ନେଇ ଛାତ ଉପରୁ ତଳକୁ ଫିଙ୍ଗିଦେଲେ।ସେତେବେଳେ ଥରେ ହେଲେ ଚିନ୍ତା କଲେ ନାହିଁ ଯେ ମୁଁ ୫ମାସର ଅନ୍ତଃସତ୍ଵା। ମୋ ସହ ମୋ ଗର୍ଭସ୍ଥ ସନ୍ତାନ ମଧ୍ୟ ମୃତ୍ୟୁବରଣ କରିଥିଲା। ଶେଷରେ ଦୁରାଚାରି ମୋ ମୃତ୍ୟୁ ପରେ ପ୍ରଚାର କଲେ ଯେ ଅତ୍ୟଧିକ ସୁରାପାନ କରି ମୋର ଏହି ଅବସ୍ଥା ହୋଇଥିଲା।ସେହିଦିନ ମୁଁ ପ୍ରତିଜ୍ଞା କରିଥିଲି ଏ ବଂଶକୁ ନିଵଂଶ କରିଦେବି।ଜଣେ ହେଲେ ଉତ୍ତରଦାୟୀ ରହିବେ ନାହିଁ ଏ ବଂଶରେ।ସେହିଦିନୁ ମୁଁ ମୃତ୍ୟୁ ପରେ ଆଜି ପର୍ଯ୍ୟନ୍ତ ପ୍ରତିଶୋଧର ବହ୍ନିରେ ପ୍ରଜ୍ବଳିତ ହେଉଛି।ସେହି ସମାଧି ତଳେ ବନ୍ଦୀ ହୋଇ ଅପେକ୍ଷା କରୁଥିଲି ଆଜିର ଦିନକୁ।ଆଜି ପୂରଣ ହେବ ମୋ ପ୍ରତିଜ୍ଞା।"ହା...ହା...ହା ....ପୁଣି ସେହି ବିକଟ ତାସ୍ଛଲ୍ୟ ଭରା ହସ ହସି ଚାଲିଥାନ୍ତି ରାଣୀ ସୁହାସିନୀ ।
ଗୋୖତମର ଗଳା ଶୁଖିଯାଉଥାଏ।ତଥାପି ପଚାରିଲା କାହା ଭୁଲ୍ ର ଦଣ୍ଡ ମୋତେ କାହିଁକି?
ରାଣୀ ସୁହାସିନୀ ହସ ବନ୍ଦ କରି କହିଲେ ,"ତୁ ସେହି କୁଶ୍ଚିତ ରାଜାର ରକ୍ତ।ତୁ ମଧ୍ୟ ସେହିପରି।ଏହି କିଛି ସମୟ ପୂର୍ବରୁ ତୁ ମୋତେ ସେ ନୀରିହ ସୁରେନ୍ଦ୍ରର ଝିଅ ସୁରଭି ଭାବି ମୋ ପାଖକୁ ଆସିଥିଲୁ।ମୁଁ ତୋଠାରୁ ଠିକ୍ ଏହା ହିଁ ଆଶା କରିଥିଲି।ସେଥିପାଇଁ ତ ତାକୁ ସନ୍ଧ୍ୟାରେ ଭୟ ଦେଖାଇ ଏଠାରୁ ବାହାରକୁ ନେଇଯାଇଛି।ଈଶ୍ୱର ପୁରୁଷ ବାହୁରେ ବଳ ଦେଇଛନ୍ତି ନାରୀ ,ଗୋ,ପୃଥିବୀର ରକ୍ଷା ନିମିତ୍ତ।ସେମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ନୁହେଁ।ଏବେ ମୁଁ ମୋର ପ୍ରତିଶୋଧ ପୂରଣ କରିବି।ଏତିକି କହି ସେ ଶୂନ୍ୟରେ ଗୋୖତମକୁ ଉପରକୁ ଉଠାଇ ନେଇ ତଳକୁ ଛାଡିଦେଲେ।ସେହିଠାରେ ଗୋୖତମର ମୃତ୍ୟୁ ହୋଇଗଲା।ଅନ୍ୟ ଦୁଇ ବନ୍ଧୁ ରାଣୀଙ୍କର ଭାଷା ବୁଝିନପାରୁଥିଲେ ମଧ୍ୟ ତାଙ୍କର କାର୍ଯ୍ୟକଳାପ ଦେଖି ସେମାନଙ୍କର ହୃତସ୍ପନ୍ଦନ ଧୀର ହୋଇଯାଇଥିଲା।ରାଣୀ ସୁହାସିନୀ ହସିଥିଲେ ବିଜୟ ଅଟ୍ଟାହାସ୍ୟ।ଶାନ୍ତ ହୋଇ ପ୍ରବେଶ କରିଥିଲେ ନିଜ ସମାଧି ମଧ୍ୟକୁ।
କାଳରାତ୍ରୀ ପାହିଗଲା।ସିନ୍ଦୁରା ଫାଟିଲା।କିନ୍ତୁ ରାଜ ବଂଶର ଏକମାତ୍ର ଉତ୍ତରାଧିକାରୀର ଜୀବନ ଦୀପ ଲିଭି ସାରିଥିଲା।ରାଜମହଲ ହୋଇଥିଲା ଭୟ ମୁକ୍ତ।ସୁର ଈଶ୍ୱରଙ୍କୁ କୃତଜ୍ଞତା ଜଣାଇ ମହଲ ବାହାରକୁ ଚାଲିଆସୁଥିଲା।ଏହି ସମୟରେ ନୟନା ଦେବୀ ଜଣେ ସାଧୁଙ୍କୁ ନେଇ ସେଠାରେ ପହଞ୍ଚିଗଲେ।ସୁରର ଅବସ୍ଥା ଦେଖି ସେ ଅଧିକ ବିଚଳିତ ହୋଇ ପଚାରିଲେ ,"ଗତକାଲି ଠାରୁ ଗୋୖତମକୁ କେତେ ଫୋନ କରିଲିଣି ,ସେ କୌଣସି ଉତ୍ତର ଦେଉନାହିଁ।ସେମାନେ ସମସ୍ତେ କେଉଁଠି ? ମନକୁ ପାପ ଛୁଉଁଥିଲା,ତେଣୁ ଏହି ସାଧୁ ମହାଶୟଙ୍କୁ ଡକାଇ ଆଣିଛି।"ସୁର କାନ୍ଦି କାନ୍ଦି କହିଲା ,"ବହୁତ ଡେରି କରିଦେଲ ମାଆ।ସେମାନଙ୍କ ସମସ୍ତେ ଏବେ ମୃତ।ସେ ରାଣୀ ତାଙ୍କର ପ୍ରତିଶୋଧ ନେଇଗଲେ।"
ପୁଅର ମୃତ୍ୟୁ ଖବର ଶୁଣି ନାୟନା ଦେବୀ ମହଲ ଭିତରକୁ ଦଉଡି ଯାଇ ଦେଖିଲେ ଚଟାଣ ସାରା ଗୋୖତମର ରକ୍ତ ଧାର ଖେଳିଯାଇଛି।ରାଜମହଲରେ ଖେଳିଯାଉଥିଲା ସନ୍ତାନ ହରା ମାଆର ବୁକୁଫଟା କାନ୍ଦଣା।

