Padmalaya Padhy

Tragedy

3  

Padmalaya Padhy

Tragedy

ପ୍ରତିଧ୍ୱନି

ପ୍ରତିଧ୍ୱନି

6 mins
186



ପୁରୀରୁ ଫେରିବା ପରେ ରିତ୍ଵିକ ପତ୍ନୀ ନୀଳିମାଙ୍କୁ ପ୍ରଶ୍ନ କରିଥିଲେ


--ଭଗବାନଙ୍କୁ ତୁମ ପାଇଁ କଣ ମାଗିଲ ନିଲି ?


--ତୁମ ଛଡା ଓ ଅମୁ ଛଡା ଆଉ ମୋର କିଏ ଅଛି ଯେ l ତୁମ ଦୁଇ ଜଣଙ୍କ ଚଲାପଥ ପୁଷ୍ପିତ ହେଉ ଏବଂ ଅମୁକୁ ଗୋଟେ ଭଲ ଜୀବନସାଥୀ ମିଳୁ ଏତିକି ହିଁ ପ୍ରାର୍ଥନା ମୋର l


 କିନ୍ତୁ ରିତ୍ଵିକ ଭଲ ଭାବେ ଜାଣିଥିଲେ ନୀଳିମା କଣ ମାଗିଥିବେ l ଆଣ୍ଠୁ ଗଣ୍ଠି ବାତ ସାଙ୍ଗକୁ ଶ୍ୱାସ ରୋଗ ବି ଦିନକୁ ଦିନ ବଢ଼ି ଚାଲିଛି l ଘଡିକୁ ଘୋଡା ଛୁଟୁଛି l ସୁତରାଂ ଭବିଷ୍ୟତ ଚିନ୍ତା ତ ଯେମିତି ହେଲେ ରହିବ lତେଣୁ ଗୋଡ଼ ହାତ ଶିଥିଳ ହୋଇଗଲେ ପୁଅ ଅମୁ ପାଖେରେ ଯାଇ ରହିବାକୁ ମନେ ମନେ ଆଶା ପୋଷଣ କରିଛନ୍ତି ନୀଳିମା l ସେଥି ପାଇଁ ଭଲ ବୋହୂଟିଏ ଭଗବାନଙ୍କୁ ମାଗିଥିବେ l


ମାତ୍ର ନୀଳିମା କିନ୍ତୁ ଫେରି ଯାଉଥିଲେ ଗୋଟାଏ ଯୁଗ ପଛକୁ l ସେ ନିଜେ କହିଥିବା ଶବ୍ଦ ଗୁଡିକ ପ୍ରତିଧ୍ୱନି ହୋଇ ଫେରି ଆସୁଥିଲା ତାଙ୍କ ନିକଟକୁ l


--ସେଇ ଚାଳ ଛପର ଘରେ କଣ ଅଛି ଯେ ମାସକୁ ମାସ ଦୌଡ଼ି ଯାଉଛ ? ସେଇଠି ଚଟେଇ ଉପରେ ବସି କାଠ ଚୁଲିରେ ରନ୍ଧା ହୋଇଥିବା ତୁମ ମାଆଙ୍କ ହାତ ତିଆରି ଜାଉ ଭାତ ଡାଲି ପାଣି ଓ ଗମରା ଘିଅ….ଚାଟି ଚାଟି ଖାଉଛ କିନ୍ତୁ ସ୍ତ୍ରୀର ରୋଷେଇ ରୁଚୁ ନାହିଁ ତୁମକୁ l


ଶାଶୁ ତାଙ୍କର ସାନ ଦିଅରଙ୍କ ପାଖରେ ରହୁଥାନ୍ତି l ରିତ୍ଵିକ ପ୍ରାୟ ମାସେ ଦୁଇ ମାସରେ ଥରେ ଗାଁକୁ ଚାଲି ଯାଆନ୍ତି ମାକୁ ଦେଖିବା ପାଇଁ ଯାହା ନୀଳିମା ଙ୍କର ଚକ୍ଷୁଶୂଳ ହୁଏ l କିନ୍ତୁ ରିତ୍ଵିକ ଯାଆନ୍ତି ମାକୁ ଦେଖିବେ ପୁଣି ମାର ହାତ ରନ୍ଧାବି ଖାଇବାକୁ ମିଳିବ l ମାସେ ଦୁଇ ମାସ ପାଇଁ ଓଷଦ ଓ ସଉଦା ପତ୍ର କିଣି ସାରି ପୁଣି ଶୀଘ୍ର ଆସିବାର ପ୍ରତିଶୃତି ଦେଇ ଚାଲି ଆସନ୍ତି l ସାନ ଭାଇ ଅଛି ହେଲେ ବି ବଡ଼ ପୁଅର କର୍ତ୍ତବ୍ୟ ତ କିଛି ହେଲେ ଅଛି ନା l ମାଆର ଆଖିର ପାଣି ଆଖିରେ ହିଁ ଶୁଖି ଯାଏ l ତଳେ ପଡିଲେ ପୁଅର ଅନିଷ୍ଟ ହେବ ଯେ !


ଶେଷ କେତେ ବର୍ଷ ନୀଳିମାଙ୍କ ଶାଶୁ ବହୁତ କଷ୍ଟ ପାଇଥିଲେ l ଗୋଡ଼ରେ ଫ୍ରାକଚର ସାଙ୍ଗକୁ ସ୍ମୃତି ଶକ୍ତି ଲୋପ ପାଇ ଆସୁଥାଏ l ରିତ୍ଵିକଙ୍କ ଇଚ୍ଛା ଥାଏ ମାଆକୁ ଆଣି ପାଖରେ ରଖିବା ପାଇଁ l କିନ୍ତୁ ନୀଳିମାଙ୍କର ଅକାଟ୍ୟ ଯୁକ୍ତି ଆଗରେ ରିତ୍ଵିକ ହାର ମାନୁଥିଲେ ପ୍ରତି ଥର l


--ମୁଁ କଣ ଏକମାତ୍ର ବୋହୂ କି ତୁମ ମାଆଙ୍କର ସେବା କରିବି ଯେ l ତୁମ ମାଆଙ୍କର ଦୁଇଟି ପୁଅ ଓ ଦୁଇଟି ବୋହୂ ଅଛନ୍ତି l ମୁଁ ଜଣେ ନୁହେଁ ମ l କିନ୍ତୁ ନୀଳିମା ଭୁଲି ଯାଇଥିଲେ ଯେ ପ୍ରକୃତି ଯାହାର ଯେମିତି l ବୋହୂ ଗୋଟିଏ ହେଲେ ସମସ୍ତ ଦାୟିତ୍ୱ ନେବ ଏବଂ ଆଉ କେତେ ଜଣ ଥିଲେ ଦାୟିତ୍ୱ ହସ୍ତାନ୍ତର କରିଦେବ - ଏମିତି ହୁଏନା l ଗୋଟିଏ ମଣିଷର ପ୍ରକୃତି ବଦଳିବା କଷ୍ଟକର l ଯାହାର ସେବା ମନୋବୃତ୍ତି ଅଛି ତାକୁ କହିବା ଦରକାର ନାହିଁ l ଆଉ ଯାହାର ନାହିଁ ତ ନାହିଁ l 


--ମୁଁ କଥା ଦେଉଛି ନିଲି ତୁମକୁ କିଛି ବି କରିବାକୁ ପଡିବ ନାହିଁ l ଆମେ ନର୍ସ ରଖିବା ମାର ସେବା କରିବ ସେ l ମାଆକୁ ଆସିବାକୁ ଦିଅ l ପ୍ଲିଜ !


ରିତ୍ଵିକଙ୍କ ସମସ୍ତ ଅନୁରୋଧ ବ୍ୟର୍ଥ ହୋଇଥିଲା l ନୀଳିମା ଶାଶୁଙ୍କୁ ଘରେ ଆଣି ରଖିବାକୁ ଦେଇନଥିଲେ l ହୁଏତ କେତେ ଦିନ ଆରାମରେ ପୁଅର ଆଖି ପାଉନଥିବା ବଙ୍ଗଳାରେ ମାଆଟିଏ ଶେଷଦିନ କେତୋଟି କାଟି ଥାଆନ୍ତା l ଗାଁରେ ହିଁ ଶାଶୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ l ଶାଶୁ ଆରପାରିକୁ ଯିବାର ମାତ୍ର ଚାରି ମାସ ପୂର୍ବରୁ ଗାଁ ଲୋକଙ୍କ ଟିକା ଟିପ୍ପଣୀ ଯୋଗୁଁ ନୀଳିମା ଯଦିଓ ରିତ୍ଵିକଙ୍କ ସାଙ୍ଗରେ ଶାଶୁଙ୍କୁ ଦେଖିବାକୁ ଯାଇଥିଲେ ହେଲେ ପାଞ୍ଚ ମିନିଟରୁ ଅଧିକା ସମୟ ରହି ନଥିଲେ ତାଙ୍କ ପାଖେ l


ଡକ୍ଟର ମାନେ ଯେମିତି ଭିଜିଟରେ ଆସନ୍ତି ସେମିତି ଶାଶୁଙ୍କ ବେଡ଼ ଚାରି କଡେ ଚାରିଥର ବୁଲି ଆସିଥିଲେ ନୀଳିମା l ଯାହା ଦେଖି ସ୍ୱଳ୍ପ ଶିକ୍ଷିତା ସାନ ଯାଆ ତାର ହୀନମନ୍ୟତା ଯୋଗୁଁ ଲାଜରେ ଜଡ଼ସଡ଼ ହୋଇ ମୁଣ୍ଡ ପୋତି ଠିଆ ହେବାର ଦୃଶ୍ୟଟି ଆଜିବି ନୀଳିମାଙ୍କ ଆଖି ସାମ୍ନାରେ ନାଚି ଉଠେ l


--ମାଆଙ୍କୁ ଓଷଦ ଦେଲାବେଳେ ଭଲରେ ପଢି କରି ଦେଉଥିବ l ଇଂଲିଶ ତ ପଢି ପାରୁଛ ନା ତୁମେ ! ସାନ ଯାଆ ପ୍ରତି ଶାଶୁଙ୍କର ଅହେତୁକ ପ୍ରେମ ଦେଖି ବିଚରା ସ୍ୱଳ୍ପ ଶିକ୍ଷିତା ବିଶାଳ ହୃଦୟ ସମ୍ପର୍ଣ୍ଣା ଏଇ ନାରୀଟିକୁ ଅପମାନିତ କରିବାର ଚରମ ସୀମା ଟପି ଯାଇଥିଲେ ନୀଳିମା l


ନୀଳିମା ଥିଲେ ଏମ୍.ଏ ପାସ କରିଥିବା ଶିକ୍ଷିତ ଝିଅ l ସେତିକି ଯାହା ତାଙ୍କର ଯୋଗ୍ୟତା l ମଧ୍ୟବିତ୍ତ ପରିବାର ହେଲେ ସୁଦ୍ଧା ପିଲାଙ୍କୁ ଚକଲେଟ ଦେଇ ଭୁଲାଇ ଦେବା ପରି ନୀଳିମାଙ୍କ ପାରଙ୍ଗମ ପିତାମାତା ରିତ୍ଵିକଙ୍କ ପରି ଉଚ୍ଚ ପଦସ୍ଥ ଅଫିସରଙ୍କୁ ଜାଲରେ ଫସାଇ ନୀଳିମାଙ୍କ ସହ ଛନ୍ଦି ଦେଇଥିଲେ l ନହେଲେ ନୀଳିମା ବି ବେଳେ ବେଳେ ଭାବନ୍ତି ଏମିତି ରୂପ ଭେକ ମସଲା ବିହୀନ ମସ୍ତିଷ୍କକୁ କୌଣସି ପିଅନ ବି ଛୁଇଁ ନଥାନ୍ତା l ରିତ୍ଵିକଙ୍କ ତ ପ୍ରଶ୍ନ ହିଁ ଉଠୁନାହିଁ l ବାପାମାଙ୍କର ଅବା କି ଦୋଷ ? ସମସ୍ତେ ଚାହାଁନ୍ତି ଯେ ତାଙ୍କ ପିଲାଛୁଆକୁ ସେମାନେ ଯାହା ଦେଇ ପାରିନାହାନ୍ତି ତାହା ସେମାନଙ୍କୁ ମିଳୁ ବୋଲି l


ବାସନ ମାଜି କଳା ପଡି ଯାଇଥିବା ନୀଳିମା ନଖଗୁଡିକୁ ବିବାହ ପରେ ପାର୍ଲରକୁ ଯାଇ ସଫା କଲା ବେଳେ ନିଜକୁ ନିଜେ ଇର୍ଷା କରୁଥିଲେ l କାହିଁ ସେ ଓ କାହିଁ ରିତ୍ଵିକ l ଆକାଶ ପାତାଳ ଫରକ l ଗତ ଜନ୍ମର କିଛି ପୁଣ୍ୟ ରହିଛି l ନହେଲେ ସେ...ଯୋଉ…. ଅବନ୍ତିକା…ଥିଲା ନା….ପୁରା ଚାଲ ଓଲଟି ଯାଇଥାନ୍ତା l


 ଅବନ୍ତିକା କଥା ଚିନ୍ତା କଲେ ନୀଳିମା ଛାନିଆ ହୋଇ ଯାଆନ୍ତି l ଅବନ୍ତିକା ବୋଲି ଝିଅଟିଏ ରିତ୍ଵିକଙ୍କୁ ମୀରା ଯେମିତି ଶ୍ରୀକୃଷ୍ଣଙ୍କୁ ପୂଜା କରୁଥିଲେ ସେମିତି ଭଲ ପାଇ ମନେ ମନେ ପୂଜା କରୁଥିଲା ବୋଲି ଦିଅର ବେଳେ ବେଳେ ମଜାରେ କହନ୍ତି l ରିତ୍ଵିକଙ୍କର ମନ ବି ତାକୁ ଦେଖି କୁଆଡେ କିଛି ସମୟ ପାଇଁ ଚହଲି ଯାଇଥିଲା l ଧନୀ ଘରର ଏକମାତ୍ର ଅଲିଅଳି କନ୍ୟା ସୁନାମଧନ୍ୟା ଲେଖିକା ଅବନ୍ତିକା ପାଠରେ ଯେମିତି ଭଲ ପାଇବାରେ ବି ସେମିତି l ସୌନ୍ଦର୍ଯ୍ୟରେ ବାରି ଦେବାକୁ କେହି ନାହିଁ l ଦୁଇ ଜଣ ଏକାଠି ଛିଡା ହୋଇଗଲେ ନୀଳିମା ତା ସାମ୍ନାରେ ତ - କାହିଁ ରାଣୀ କାହିଁ ଚନ୍ଦ୍ରକାଣି.. ଭଳି ଲାଗିବେ l ହେଲେ କପାଳ…..!


କାହିଁକି ନା ରିତ୍ଵିକଙ୍କ ମାଆ ଧନୀ ଘରର ଏଇ ସର୍ବଗୁଣସମ୍ପର୍ଣ୍ଣ ଝିଅଟିକୁ ପସନ୍ଦ କରିନଥିଲେ l ଧନୀ ଘରର ସୁନ୍ଦରୀ ବୋହୂ ପୁଣି ଶାଶୁର କଥା ମାନିବ ନାହିଁ l ଏଣେ ଝିଅଟି କଣ ସବୁ ଲେଖା ଲେଖି କରୁଛି l ଚବିଶ ଘଣ୍ଟା କାଗଜ କଲମ ଧରି ବସିଥିବ l ଘର କାମ ତେଣେ ପଡ଼ିଥିବ l ସ୍ୱମୀ ଓ ପିଲାଙ୍କ କଥା ବୁଝିବ କିଏ ? ଏମିତି ସବୁ କଥା ଚିନ୍ତା କରି ରିତ୍ଵିକଙ୍କ ମାଆ ଅବନ୍ତିକାକୁ ପସନ୍ଦ କରି ନଥିଲେ l ସେଇ ଅବନ୍ତିକା ନାମ୍ନୀ ଝିଅଟି ଏବେ ବି ଅବିବାହିତା….. ରିତ୍ଵିକଙ୍କ ପ୍ରେମରେ ବିଭୋର !


ନୀଳିମା ବି ନିଜକୁ ଧନୀ ବୋଲି କୁହନ୍ତି କେବଳ ଶାଶୁ ଏବଂ ସାନ ଯାଆଙ୍କୁ ଛୋଟ ଦେଖାଇବା ପାଇଁ l


 ରିତ୍ଵିକ ଅଫିସର ବୋଲି ତାଙ୍କର ମୂଲ୍ୟକୁ ଶ୍ୱଶୁର ଘର ଲୋକେ ତ ବୁଝି ଗଲେ ହେଲେ ତାଙ୍କୁ ଯିଏ ଅଫିସର କରାଇଛି ସେଇ ମାଆକୁ ପୁଅ ଘରେ ଆସ୍ଥାନ ମିଳିଲା ନାହିଁ l ଦୁନିଆରେ ଏମିତି ଅନେକ ରିତ୍ଵିକ ଅଛନ୍ତି ଅନେକ ନୀଳିମା ଅଛନ୍ତି l ଏଥିରେ ନୂଆ କଥା କିଛି ନାହିଁ l ଜଗନ୍ନାଥ ଧାମରୁ ଫେରିବା ପରେ ନୀଳିମାଙ୍କ କର୍ଣ୍ଣ ଗହ୍ୱରରେ ପ୍ରତିଧ୍ୱନିତ ହେଉଛି ସେଇ କଥା ପଦେ l


--ନିଲି ତୁମେ ଜାଣିନ ମାର ଝିଅ ନାହିଁ ବୋଲି ଭାରି ମନ ଦୁଃଖ l ଆମେ ଦୁଇ ଭାଇ ସବୁବେଳେ ବାହାରେ ବୁଲିଲୁ ଆମ ପାଠ ଓ ସାଙ୍ଗ ସାଥିଙ୍କୁ ନେଇ l ଝିଅଟିଏ ଥିଲେ ମାଆ ପାଖରେ ଦି ଘଡି ବସିଥାନ୍ତା ହେଲେ l ତୁମେ ଆସିବା ପରେ ମାଆର ମନ ବହୁତ ଖୁସି ଯେ ତାକୁ ଝିଅ ମିଳିଗଲା l


--ଶୁଣ ମୁଁ ଝିଅ ହେବା ଦରକାର ନାହିଁ କି ସେ ଚାଳ ଘରେ ଯାଇ ତୁମ ମାଆଙ୍କ ସାଙ୍ଗେ ମୁହଁକୁ ମୁହଁ ଯୋଡି ବସିବା ଦରକାର ନାହିଁ l ତୁମେ ତ ମାସକୁ ମାସ ମାଆ ପାଖକୁ ଦୌଡ଼ି ଯାଉଛ ନା ? ତାଙ୍କର ଆଉ ଝିଅ କଣ ଦରକାର ? ମାଇଚିଆ କୋଉଠିକାର…..!


କୋଉ ମନ୍ଦିରରେ ମନେ ନାହିଁ ସେଦିନ ପୂଜକଙ୍କୁ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କଲା ବେଳେ ପୂଜକ ଜଣକ କହିଥିଲେ


--ଆଲୋ ମାଆ ଆମେ କରି ଦେଇ ଭୁଲି ଯାଉ l କିନ୍ତୁ ତାର ଫଳାଫଳ ଗୁଡିକ ଘୁରି ବୁଲି କୋଉ ରାସ୍ତାରେ ନା ପୁଣି ଆସି ଆମ ପାଖରେ ପହଞ୍ଚି ଯାଏ ତାହା ଆମେ ଜାଣି ପାରୁନି l ସେଥିପାଇଁ ପରା କଥାରେ ଅଛି-

"ଆପଣ କଲା କର୍ମ ମାନ, ଆଗୁଁ ହୋଇବ ସାବଧାନ l "

ଭଗବାନ ତୋତେ ଭଲ ରାସ୍ତା ଦେଖାନ୍ତୁ l


ଆଜି ଦର୍ଶନ ସାରି ଫେରିଲା ପରେ କାହିଁକି ନା ବାରମ୍ବାର ପୁରୁଣା କଥାମାନ ମନେ ପଡୁଛି l ଷ୍ଟୋର ରୁମକୁ ଯାଇ ଶାଶୁଙ୍କ ଫଟୋ ଟି ବାହାର କରି ଦେଖୁଥିଲେ ନୀଳିମା l ସେଇ ଫୋଟକୁ ନେଇକି ବି ରିତ୍ଵିକଙ୍କ ସାଙ୍ଗେ କମ ଝଗଡା କରି ନାହାନ୍ତି ସେ l ବେଡ଼ରୁମରେ ମଲା ଲୋକର ଫୋଟ ଦେଖିଲେ କାଳେ ଡର ମାଡ଼ିବ l ଡ୍ରଇଂ ରୁମରେ ସେ ଫୋଟ ରଖିଲେ ଶୋଭା ବର୍ଦ୍ଧନ ହେବନାହିଁ l ଡାଇନିଂ ରୁମରେ ରଖିଲେ ଖାଇବା ଜିନିଷରେ ଶାଶୁଙ୍କର ନଜର ଲାଗିଯିବ l କାହିଁକି ନା ସେ ବିଧବା ଥିଲେ ପୁଣି ଏଇଠି ସବୁଦିନ ଆମିଷ ଖାଦ୍ୟ !! ଆଉ କୋଉଠି ରଖା ହେବ ? ସୁତରାଂ ଫୋଟୋ ଟି ଷ୍ଟୋର ରୁମରେ ରହିଲା l


ହଠାତ ରିତ୍ଵିକଙ୍କ ଡାକରେ ପ୍ରକୃତିସ୍ଥ ହେଲେ ନୀଳିମା l ତାଙ୍କର ଆଖିରେ ଲୁହ ଦେଖି ରିତ୍ଵିକ କହିଲେ


--ମାଆକୁ ଡ଼ରୁଛ କି ନିଲି ? ମାଆ ହେଉଛି ମାଆ l ତୁମେ ପରା ତାର ଝିଅ ଥିଲ l ସେ ଭଲା ତୁମ ଉପରେ ରାଗି ପାରିବ କି ? ମାଆ ପ୍ରତି ଆମେ ଯାହା ଅନ୍ୟାୟ କରିଥିଲେ ଦେଖିବାକୁ ଗଲେ ମୁଁ ବି ସମ ପରିମାଣରେ ଦାୟୀ l କାଲି ମୁଁ ଯଦି ପିଇକି ଘରକୁ ଆସେ ତାହେଲେ ତୁମେ ମୋତେ ବୁଝାଇ ସୁଝାଇ ରାସ୍ତାକୁ ଆଣିବି ନା ନାହିଁ l ଯଦି ନହୁଏ ତେବେ ଶାସନ କରିବା ବି ତୁମ ପକ୍ଷରେ ଯଥାର୍ଥ l


--ସେମିତି ସ୍ୱାମୀ ହିସାବରେ ତୁମକୁ ବି ରାସ୍ତା ଦେଖାଇବା ମୋର କର୍ତ୍ତବ୍ୟ ପରିସରରେ ଅନ୍ତର୍ଭୁକ୍ତ l କିନ୍ତୁ ମୁଁ ତୁମକୁ ଉଚିତ ମାର୍ଗ ପ୍ରଦର୍ଶନ କରି ପାରିନାହିଁ l ତୁମ ସହ ମୁଁ ବି ଡୁବି ଯାଇଛି l ମୁଁ ଜାଣେ ଆମ ଦୁହିଁଙ୍କୁ ମାଆ କ୍ଷମା କରିସାରିଛି l କିନ୍ତୁ ଭଗବାନଙ୍କ ନିକଟରେ ଆମେ କ୍ଷମା ପ୍ରାର୍ଥନା କରିବା ଏବଂ ଯାହା ଶାସ୍ତି ମିଳିବ ଆମେ ମୁଣ୍ଡ ପାତି ଗ୍ରହଣ କରିବା ଛଡା ଅନ୍ୟ ଉପାୟ ନାହିଁ l


ପଶ୍ଚାତାପର ଅଗ୍ନିରେ ଉଭୟେ ଜଳୁଥିଲେ l ଭଗବାନ ଏମାନଙ୍କ କ୍ଷମା ଯାଚନା ସ୍ୱୀକାର କଲେ କି ନାହିଁ ତାହା କେବଳ ସମୟ ହିଁ କହିବ l



Rate this content
Log in

Similar oriya story from Tragedy