ପ୍ରଥମ ବସନ୍ତର ପ୍ରଥମ ଚିଠି
ପ୍ରଥମ ବସନ୍ତର ପ୍ରଥମ ଚିଠି


ଆମ ଗାଁ ନଈକୂଳ ଶିବମନ୍ଦିର ବେଢ଼ାରେ ପରିକ୍ରମା କରୁକରୁ ହଠାତ ଦେଖା ହୋଇଗଲେ ଆଶିଷ ଭାଇ । ଅନେକ ବର୍ଷ ପରେ ଏ ସାକ୍ଷାତ । ଆମେ ଯେ ଯାହାର କର୍ମକ୍ଷେତ୍ରରେ ବ୍ୟସ୍ତ । ଏକ ସଙ୍ଗରେ ଗାଁକୁ ଗଲେ ସିନା ଭେଟ ହେବ । ଆଶିଷ ଭାଇ । ଅଣୁମାତ୍ର ପରିବର୍ତ୍ତନ ମୁଁ ଠଉରେଇ ପାରିଲି ନାହିଁ ତାଙ୍କଠାରେ । ଘନକଳା କୁଞ୍ଚିତ କେଶରାଶି । ବେକବ୍ରଶ କରାଯାଇ ବାମ ଆଡ଼କୁ ପାନିଆକୁ ପଛଆଡୁଆ ଚପେଇ ଯତ୍ନର ସହିତ କରା ହୋଇଥିବା ଦୁଇଟା ଢେଉ । କେଶରେ ଅବଶ୍ୟ ଡାଇ ବୋଳା ହୋଇଥିବ । ଆଉ ? ମୁଁ ଯେତେବେଳେ ଡାଇ ବୋଳିଲିଣି ?
ନିଜର ଶରୀରସଜ୍ଜା ଓ ଶରୀର ଚର୍ଚ୍ଚା ଉଭୟ ପ୍ରତି ବେଶ୍ ଯତ୍ନବାନ ଥିଲେ ସିଏ । କସରତ , ଯୋଗାସନ କରି ଭଲ ସ୍ଵାସ୍ଥ୍ୟର ସ୍ଵାମୀ ଥିଲେ । କଡା ଇସ୍ତ୍ରି କରା ପେଣ୍ଟ ଠିଆ ହେଇଥିବ ଆଗକୁ । ସାର୍ଟରେ ନଥିବ ଗୋଟିଏ ବି ହେଲେ କ୍ରିଜ । ସେ ନିଜର ରୁମାଲକୁ ମଧ୍ୟ ଇସ୍ତ୍ରି କରି ଏମିତି ଭାଙ୍ଗିଥିବେ ଯେ ମୁହଁ ପୋଛିଲେ ତାର ଭାଙ୍ଗ ଟିକେ ଇଆଡେ ସିଆଡେ ହେବନାହିଁ । ପାର୍କ ଏଭେନ୍ୟୁର ପର୍ଫ୍ୟୁମ ନାକରେ ବାଜିଲେ ଜଣାପଡି଼ ଯାଏ ଯେ ଆମ ବୈଠକରେ ଆଶିଷ ଭାଇ ବସିଛନ୍ତି ।
ଆଶିଷ ଭାଇ ଥିଲେ , ମୋଠାରୁ ଚାରିବର୍ଷ ବଡ଼ ମୋ ଭାଇଙ୍କର ଅନ୍ତରଙ୍ଗ ବନ୍ଧୁ । ଆଶିଷ ଭାଇ କିନ୍ତୁ ମୋଠାରୁ ଦୁଇବର୍ଷ ବଡ଼ ଓ ଭାଇଠାରୁ ଦୁଇବର୍ଷ ସାନ ଥିଲେ । ଗାଁ ମାନଙ୍କରେ ବନ୍ଧୁତା କରିବାରେ ବୟସର କିଛି ଗୋଟାଏ ତାରତମ୍ୟ ଥାଏ କି ? କିଏ ଖେଳସାଥି , କିଏ ପାଠସାଥି , କିଏ ନଈକୁ ଗାଧେଇଯିବା ଯିବା ସାଥି ଏମିତି କି ସ୍କୁଲ ଯିବା ସାଥି ଓ ବାଳୁଙ୍ଗାମୀ କରିବା ସାଥି ବି ଥାଆନ୍ତି । ଆଶିଷ ଭାଇ ଥିଲେ ମୋ ଭାଇଙ୍କର ସଙ୍ଗୀତ ସାଥି । ଆମଘରେ ଭଲ ଗୀତ ଆସର ଜମେ । ଭାଇ ଭଲ ଗାଆନ୍ତି , ଆଶିଷ ଭାଇ ବି ଭଲ ଗାଆନ୍ତି ଆଉ ମୁଁ ବି ଭଲ ଗାଏ । ଏମିତି ବି ଆମ ଗାଁ ଟା କଳାକାର ଗାଁ , ଆଉ ଆମ ପରିବାର ମଧ୍ୟ " ସାଉଣ୍ଡ ଅଫ ମ୍ୟୁଜିକ " ର ମ୍ୟୁଜିକାଲ ଓ୍ଵନଟ୍ରାପ ଫେମିଲି ପରି । ଦିନେ ଦିନେ ତାଙ୍କ ସଙ୍ଗୀତ ଆସରରେ ମୁଁ ବି ଯୋଗ ଦିଏ । ମୁଁ ଗୀତ ଗାଇ ସାରିଲେ ମୋର ମୁଣ୍ଡ ଆଉଁସି ଦିଅନ୍ତି ମୋ ଭାଇ ଆଉ ଆଶିଷ ଭାଇ ।
ମୋର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଛଅ ସାତ ମାସ ଥାଏ । ମୁଁ ଟେଷ୍ଟପେପର , ଗେସପେପର ଇତ୍ୟାଦି ଯୋଗାଡ଼ରେ ଲାଗି ପଡି଼ଥାଏ । ଗୋଟିଏ କେବଳ ଡାଇମଣ୍ଡ ଟେଷ୍ଟପେପର କିଣିଥାଏ । ସେତେବେଳେ ପ୍ରାୟ ସମସ୍ତେ ସବୁ କାମ ପାଇଁ ଏଠୁ ସେଠୁ ଆସବାବପତ୍ର ଯୋଗାଡୁ ଥିଲେ । ଗଣେଶ, ସରସ୍ଵତୀ ପୂଜାରେ ପିନ୍ଧିବା ପାଇଁ ଶାଢ଼ୀ ହେଉ , ପାଠ ବହି ଅବା ଗପବହି ହେଉ , କସ୍ମେଟିକ , ଗହଣାପତ୍ର ହେଉ , ଆଟାଚି ବାକ୍ସ ହେଉ ସବୁ ଆଠୁ ତାଠୁ ଯୋଗାଡ଼ କରି କାମ ଚଳି ଯାଉଥିଲା । ମୁଁ ତ ହେଲେ ଗୋଟେ କିଣିଥିଲି , ଗ୍ରନ୍ଥକୀଟ କି ନା ।
ଦିନେ ଆଶିଷ ଭାଇ ଆସି ଶର୍ମା ଗେସପେପର ସବୁ ଆଣି ଦେଲେ ମୋତେ । ସବୁ ବିଷୟର ଚଟି ଚଟି ପୃଥକ ପୃଥକ ବହି । ମୁଁ ଭାରି ଖୁସି । ମୋ ପାଖରେ ସମସ୍ତଙ୍କ ଅପେକ୍ଷା ଢେର୍ ଅଧିକ ବହି ଅଛି । ମୋଠାରୁ ଏମିତି ବି ବହୁତ ଉଚ୍ଚ ଆଶା ରଖିଥାନ୍ତି ଶିକ୍ଷକମାନେ । ତେଣୁ ସେମାନେ ମଧ୍ୟ କିଛି ବହି ଯୋଗେଇଥାନ୍ତି ।
ବହି ଦେଇ ଆଶିଷ ଭାଇ ପ୍ରଥମ ଥର ପାଇଁ ଆମ ଘରେ ବସିଲେ ନାହିଁ । ସାଇକଲରେ ଯେମିତି ଝଡ଼ଭଳି ଆସିଥିଲେ ସେମିତି ବାତ୍ୟା ଭଳି ଚାଲିଗଲେ । ଭାଇ ପଛରୁ ଡାକୁଥାଏ । ହଁ କଣ କାମ ଥିବ ।
ମୁଁ ଘର ଭିତରକୁ ପଶିଯାଇ ବହିତକ ମୋ ପଢ଼। ଟେବୁଲରେ ଥୋଇ ସେମିତି ଠିଆ ଠିଆ ସବା ଉପରେଥିବା ଟେଷ୍ଟ ପେପରର ପୃଷ୍ଠା ଓଲଟେଇଦେଲି । ଓଃ ହୋ ହୋ ହୋ !!!! ମୋର ତ ସର୍ବାଙ୍ଗରୁ ଝାଳ ନିଗିଡି଼ ଗଲା । ହାତ ପାଦ ବରଫ ପରି ଥଣ୍ଡା ହେଇଗଲା । ମୁଣ୍ଡ ବୁଲେଇଦେଲା । ମୋତେ ବହି ପୃଷ୍ଠା ଉପରେ ତ୍ରୈଲୋକ ଦର୍ଶନ ହେଇଗଲା । ତୀବ୍ର କିଆ ଅତରରେ ମୋ ନାକ ରୁନ୍ଧି ହେଇଗଲା ।
ତା ଭିତରେ ସୁନ୍ଦର ଗୋଲାପି ହାତତିଆରି କାର୍ଡ ଟିଏ ଥୁଆ ହୋଇଥିଲା । ସୁନ୍ଦର ଲତାର ଚିତ୍ରରେ ବର୍ଡର କରାଯାଇ ସେଥିରେ ଶାଗୁଆ ରଙ୍ଗର ପେନରେ ଲେଖା ହୋଇଥିଲା ତିନୋଟି ବାକ୍ୟ ।
ମୁଁ ତୁମକୁ ଭଲପାଏ
I love you
मैं तुमसे प्यार करता हूँ ।
ସର୍ବଥା ନୂଆ ଅନୁଭବ ଥିଲା ମୋ ପାଇଁ । ପ୍ରେମ ବ୍ୟାପାରରେ ଏକଦମ୍ ଅନଭିଜ୍ଞ । ପ୍ରେମ , ଫ୍ରେମ , ଦେଖାଦେଖି , ତାକାଝାଁକି ଏସବୁରୁ ମୁଁ କୋଶେ ଦୂରରେ । ମୋର ପାଠ ଭଲ ତ ମୁଁ ଭଲ ।
କିନ୍ତୁ କିନ୍ତୁ କିନ୍ତୁ , ମୋ ଛାତିତଳେ ବି ତ ନହୁଲି ହୃଦୟଟିଏ ଟିକ୍ ଟିକ୍ , ଟିକ୍ ଟିକ୍ କରୁଥିଲା ନା ନାଇଁ ? ମୁଁ ଦୁନିଆ ବାହାରର ଏଲିଏନ୍ ତ ନଥିଲି ? ଚଉଦବର୍ଷର କିଶୋରୀ ନାମରେ ଆସିଛି ପ୍ରଥମ ଚିଠି , ଉହୁଁ , ପ୍ରେମପତ୍ର । ମୋ ହୃଦୟ ସିଆଡେ ଉଥଲ ପୁଥଲ ହୋଇ ଧଡ଼କି ଚାଲିଥିଲା , ମନ ବାସ୍ନାୟିତ ହେଉଥିଲା ଲକ୍ଷେ ଫଗୁଣର ସୁରଭୀରେ ।
ଆଉ ମୋର ଭାବନା ବିତର୍କ କରୁଥିଲା ,
- ଇଏ କଣ , ଦେବଦାସର କାହାଣୀ ? ପାରୋ ଯିବ ତାର ଦେବଦା ଘରକୁ ଅନ୍ଧାର ରାତିକୁ ଫାଙ୍କି ଦେଇ ।
- ଇଏ କଣ ମୁଗଲେ ଆଜମର କାହାଣୀ ? ସଲିମ୍ ହେବ ଚେତନରେ ପାଗଳ ତାର ଅନାରକଲିର ଜୀବନ୍ତ ସମାଧିରେ ।
- ଇଏ କଣ ଲୈଲା ମଜନୁର କାହାଣୀ ? ମଜନୁ ପିଠିରେ ବେତ୍ରାଘାତ ହେବ ଆଉ ନୋଳା ଫାଟିବ ଲୈଲାର ।
- ଇଏ କଣ , ଅମର- ବିଳାସ , କେଦାର- ଗୌରୀ , ନୀଳ- ଜମୁନାର କାହାଣୀ ?
ଏତେ କଥା ଭାବିଲା ପରେ ସଚେତକ ବିବେକ ହସ୍ତକ୍ଷେପ କଲା । କଲା ଉଚିତ ଅନୁଚିତ କଳହର ସମାଧାନ ।
ଭାଇ ଯଦି ଜାଣିବେ ? ମୋର ତ କିଛି ହେବନାହିଁ କିନ୍ତୁ ଆଶିଷ ଭାଇ ଜୀବନରେ ଦୁର୍ଦ୍ଦାନ୍ତ ଝଡ଼ଟିଏ ବୋହିଯିବ ନିଶ୍ଚୟ । ଅତ୍ୟନ୍ତ ରକ୍ଷଣଶୀଳ ମୋର ବାପା ଓ ଭାଇମାନେ ଉତ୍ୟକ୍ତ ହୋଇ ଉଠିବେ । ଏତେ ସୁନ୍ଦର ପାରିବାରିକ ସମ୍ପର୍କରେ ଚିରଦିନ ପାଇଁ ନୋଳି ଲାଗିଯିବ । ଗୀତ ଆସର ଫିକା ପଡି଼ଯିବ । ଆଉ ମୋର ଜଣେ ଶୁଭାକାଂକ୍ଷୀ ଭାଇର ହାତ ମୋ ମୁଣ୍ଡକୁ କେବେହେଲେ ଆଉଁସିବ ନାହିଁ ।
ନା ,
ତା ପରଦିନ ଆଶିଷ ଭାଇ ଆସିଥିଲେ , କେମିତି ଏକ ଅପରିଚିତ ଦୃଷ୍ଟିରେ ଚାହୁଁଥିଲେ ମୋତେ । ମୁଁ ସହଜ ଭାବରେ ତାଙ୍କ ହାତରେ ତାଙ୍କର ବହିସବୁ ଲେଉଟେଇ ଦେଲି ଏହା କହି ଯେ ମୋ ପାଖରେ ଅଲରେଡି ଏ ବହି ସବୁ ଅଛି । ପହିଲି ବସନ୍ତର ସେ ପହିଲି ଚିଠିଟା ତା ଭିତରେ ହସୁଥିଲା ନା ବାସୁଥିଲା ନା କାନ୍ଦୁଥିଲା ନା ମୋ ପିଠି ଥାପୁଡାଉଥିଲା କେଜାଣି ?
ତାପରେ ?
ତାପରେ ଆଉ କିଛି ନାହିଁ ।
ଆମ ବୈଠକରେ ସଙ୍ଗୀତ ଆସର ଜମିଲା ପ୍ରତ୍ୟହ । କେବେକେବେ ମୁଁ ବି ଗୀତ ଗାଉଥିଲି ।
ହମନେ ଦେଖି ହୈ ଇନ ଆଁଖୋଁ କୀ ମହକତି ଖୁଶବୁ
ହାଥ ସେ ଛୁ କେ ଇସେ ରିସ୍ତୋଁ କା ଇଲଜାମ ନ ଦୋ ।
ଦଶମ ପାସକରି ମୁଁ ଚାଲିଗଲି ବଡ଼ଭାଇଙ୍କ ପାଖରେ ରହି ପଢ଼ିବା ପାଇଁ । ସମସ୍ତେ ପଛକୁ ରହିଗଲେ । ସମୟ ଚାଲିଗଲା ଆଗକୁ ଆଗକୁ ଆଉ ପଛକୁ ନ ଚାହିଁବାର ପ୍ରତିଶ୍ରୁତି ନେଇ ।
ଆଜି ତାଙ୍କୁ ଦେଖି ଅତୀତ ମନେ ପଡ଼ିଲା । ତାଙ୍କ ପାଖରେ ଠିଆ ହୋଇଥିଲା ତାଙ୍କ ଭାଇଙ୍କର ଏକମାତ୍ର ପୁତ୍ର । ତାଙ୍କ ଭାଇ ଅକାଳରେ ଅସାଧ୍ୟ ରୋଗରେ ପଡି଼ ପ୍ରାଣ ହରାଇଥିଲେ , ତାଙ୍କର ଅଳ୍ପ ବୟସୀ ତନ୍ଵୀ ପତ୍ନୀ ଓ ପାଞ୍ଚମାସର ଶିଶୁ ପୁତ୍ରକୁ ଛାଡ଼ି । ଆଶିଷ ଭାଇ ତାଙ୍କୁ ଗ୍ରହଣ କରିଥିଲେ ନିଜର ପତ୍ନୀ ଓ ପୁତ୍ର ରୂପେ । କେତେ ମହାନ୍ ସେ ସତରେ ?
କେମିତି ଅଛୁ ଭଉଣୀ ?
କହି ମୋ ମୁଣ୍ଡ ଆଉଁସି ଦେଲେ ଯେମିତି ଅତୀତରେ ଆଉଁସୁଥିଲେ ।