Iswar Prasad Kar

Drama Romance Fantasy

4.1  

Iswar Prasad Kar

Drama Romance Fantasy

ପ୍ରଥମ ବର୍ଷାର ବାସ୍ନା

ପ୍ରଥମ ବର୍ଷାର ବାସ୍ନା

3 mins
1.2K


ଖରାଦିନିଆ ଅପରାହ୍ନ। ସମୟ ପ୍ରାୟ ପାଞ୍ଚଟା ହେଉଥିବ। ଭୀଷଣ ତାତି ପରେ କାଳବୈଶାଖୀ ପ୍ରଭାବରୁ ଟିକିଏ ବର୍ଷା ହେବାର ଆଶା ଦେଖାଯାଉଥାଏ। ସୁବାସ ତା' ଘର ବାହାର ପିଣ୍ଡାରେ ବସିଥାଏ। ହଠାତ୍ ଅସରାଏ କୁଆପଥର ମାଡ଼ ହେଲା। ସାଙ୍ଗେସାଙ୍ଗେ ସୁବାସ ସେଗୁଡ଼ାକୁ ଉଠେଇବା ପାଇଁ ଦୌଡ଼ି ଗଲା। କୁଆପଥର ଉଠେଇବା ବେଳକୁ ତାକୁ ଗୋରା ପାଦ ଯୋଡ଼ାଏ ଦେଖା ଗଲା। ଗୋରା ପାଦକୁ ନୀଳ ରଙ୍ଗର ଚପଲ। ଯେପରି ନୀଳ ଆକାଶ ରେ ଧଳା ମେଘ ଭାସିବୁଲୁଛି। ବହୁତ ସୁନ୍ଦର ଦେଖାଯାଉଥାଏ। ସୁବାସ ଟିକିଏ ମୁଣ୍ଡ ଉପରକୁ ଉଠେଇଲା। ମେରୁନ୍ ରଙ୍ଗର ସ୍କର୍ଟ ତଳକୁ ଗୋରା ଗୋଡ ଦିଟା ଦେଖି ତା' ଆଖି ଝଲସି ଗଲା। ମନରେ ଶିହରଣ ଖେଳିଗଲା। ମନ ଉନ୍ମାଦରେ ଭରିଗଲା ତା'ର। ହତାବାକ୍ ହୋଇ ପଡିଥାଏ ସୁବାସ। ତା' ପାଇଁ ସମୟ ଅଟକି ଯାଇଥାଏ। ସମ୍ପୂର୍ଣ ପୃଥିବୀଟା କିଛି ସମୟ ପାଇଁ ଯେପରି ସ୍ଥିର ହୋଇ ଯାଇଥାଏ। ସୁବାସର ମନରେ ଅଜସ୍ର କଳ୍ପନା ଜଳ୍ପନା ଚାଲିଥାଏ। ବୋଧହୁଏ ସେଇ ମୁହୂର୍ତ୍ତ ଭିତରେ ଆବଦ୍ଧ ହୋଇ ରହିବା ପାଇଁ ସେ ଚାହୁଁଥାଏ। ହଜି ଯିବା ପାଇଁ ଚାହୁଁଥାଏ ସେଇ ମୁହୂର୍ତ୍ତ ଭିତରେ।


ହଠାତ୍ ଝିଅଟି ତାକୁ ଡାକିଲା। ସେ ଉପରକୁ ଚାହିଁଲା। ଝିଅଟି ପଡୋଶୀ ଘର ପତି ବାବୁଙ୍କ ବଡ କନ୍ୟା। ନାଁ'ଟି ତାର ଅନନ୍ୟା। ସମସ୍ତେ ତାକୁ ଅନୁ ବୋଲି ଡାକନ୍ତି। ଗୁରୁ ସାହିରେ ଖାଲି ନୁହେଁ ବରଂ ପୁରା ଦେବଗଡ଼ରେ ପତି ବାବୁଙ୍କ ବଡ ନାମ। ଅନୁ ମଧ୍ୟ ଭଲ ପାଠ ପଢୁଥିବାରୁ ତାକୁ ସମସ୍ତେ ଭଲ ପାଆନ୍ତି। ଅନୁ ଓ ସୁବାସ ଦୁହେଁ ନବମ ଶ୍ରେଣୀରେ ପଢ଼ନ୍ତି।


ଅନୁର ଓଠ ଗୋଲାପ ଫୁଲ ଭଳି ନାଲି ଓ ନରମ। ତା' ମୁହଁରେ ବର୍ଷ ପାଣି ପଡ଼ି ଓଠ ପର୍ଯ୍ୟନ୍ତ ବୋହି ଆସିଥାଏ। ତା'ର ସୌନ୍ଦର୍ଯ୍ୟ ଭିତରେ ସେଦିନ ସୁବାସର ମନ ହଜିଯାଇଥାଏ। ପ୍ରଥମ ବର୍ଷାରେ ମାଟିର ସୁଗନ୍ଧ ସହିତ ଅନୁର ଦେହରୁ ଭାସି ଆସୁଥିବା ବାସ୍ନାରେ ସୁବାସର ମନ ମାଦକତାରେ ପରିପୂର୍ଣ ହୋଇ ଯାଇଥାଏ। ସେ ଅନୁକୁ ଅପଲକ ନୟନରେ ଚାହିଁ ରହିଥାଏ।

ସେତିକି ବେଳକୁ ଅନୁ ତାକୁ କହିଲା "କ'ଣ ଦେଖୁଛୁ। ମତେ କ'ଣ ଆଗରୁ କେବେ ନ ଦେଖିଲା ଭଳି ଅନେଇ ରହିଛୁ?"


ସୁବାସ୍ କହିଲା, " ତୁ ଆଜି ବହୁତ ସୁନ୍ଦର ଦେଖାଯାଉଛୁ। ତତେ ଅନେଇ ରହିବା ପାଇଁ ଇଛା ହେଉଛି।“

ଅନୁ ଟିକେ ଲାଜେଇ ଗଲା । କିନ୍ତୁ ତାକୁ ଖୁସି ବି ଲାଗିଲା । କିଛି ଦିନ ହେବ ସେ ସ୍ୱପ୍ନରେ ସୁବାସକୁ ଦେଖୁଛି। ଆଜି ସୁବାସର ମନ କଥା ସେ କିଛି ବୁଝି ପାରିଥିଲା । ଅନୁ ତାକୁ କହିଲା, "କ'ଣ ଘରକୁ ଡାକିବୁନି?“

ଏହା ଶୁଣି ସଂଗେ ସଂଗେ ସୁବାସ ତାକୁ ପାଛୋଟି ନେଲା ନିଜ ଘରକୁ। ଦାଣ୍ଡଘରେ ଗୋଟିଏ ସୋଫାରେ ତାକୁ ବସିବାକୁ କହିଲା। ତାକୁ ଆସିବାର କାରଣ ପଚାରିଲା। ଅନୁ କହିଲା "ମୋତେ ଟିକେ ବିଜ୍ଞାନର ନୋଟ୍ସ ଦରକାର ଥିଲା। ଭାବିଲି କାହା ପାଖରୁ ନେବି? ହଠାତ ତୋ କଥା ମନେ ପଡିଗଲା। ଆମ ଘର ପାଖରେ ରହୁଛୁ ମୋତେ ସୁବିଧା ହେବ ଭାବିଲି। ସେଥିପାଇଁ ଚାଲି ଆସିଲି। ଆସୁଆସୁ ବର୍ଷା ହେଇଯିବ ଆଶା କରିନଥିଲି।"


ସୁବାସ ତା' କଥାକୁ ସଂଗୀତ ଭଳି ଶୁଣୁଥାଏ। ତାକୁ ଲାଗୁଥାଏ ସତେଅବା କୋଇଲିଟିଏ ସୁମଧୁର ସ୍ୱରରେ ଗୀତ ଗାଉଛି। ସେ ମନ୍ତ୍ରମୁଗ୍ଧ ହୋଇ ଅନୁର କଥା ଶୁଣିବାରେ ଲାଗିଥାଏ। ସୁବାସ ସେଇ ମୁହୂର୍ତ୍ତରୁ ମୁକୁଳିବା ପାଇଁ ଚାହୁଁ ନଥାଏ। ଭାବବିହ୍ୱଳ ହୋଇପଡ଼ିଥାଏ ସୁବାସ। ମନେ ମନେ ଭାବୁଥାଏ, ସମୟଟା ସେହିଠାରେ ଅଟକି ରହିଯାନ୍ତା କି।


ଠିକ ଏହି ସମୟରେ ସୁବାସକୁ ଶୁଭିଲା "ବାବୁ କିଏ ଆସିଛି।" ତା' ମା' ପଚାରିଲେ। ହଠାତ ଡାକଟି ଶୁଣି ସୁବାସ ଚମକି ପଡିଥିଲା ଏବଂ ତା'ର ସୁନ୍ଦର ସ୍ବପ୍ନଟି ସେହିଠାରେ ସମାପ୍ତ ହୋଇଯାଇଥିଲା।


ସେଦିନ ଦୁହିଁଙ୍କ ମନ ଆଶା, ଉତ୍କଣ୍ଠା ଏବଂ ଆବେଗରେ ପରିପୂର୍ଣ ଥିଲା ସତ ମାତ୍ର, ପ୍ରେମ ନାମକ ବିଶାଳ ବୃକ୍ଷର ବୀଜଟିଯେ ଦୁହିଁଙ୍କ ମନରେ ଅଙ୍କୁରିତ ହୋଇ ସାରିଥିଲା ତାହା ସେମାନେ ଅନୁଭବ କରିପାରି ନଥିଲେ।

ସୁବାସ ଆଜି ମଧ୍ୟ ବର୍ଷର ପ୍ରଥମ ବର୍ଷାକୁ ଅପେକ୍ଷା କରି ରହିଥାଏ। ସୁବାସ କହେ ବର୍ଷର ପ୍ରଥମ ବର୍ଷା ତା'କୁ ସେହି ଦିନଟିର ସ୍ମୃତି ଫେରେଇଆଣିଦିଏ। ଏଇ କଥାଟି ସୁବାସ ମୋତେ ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଥିଲା। ସୁବାସର ଭାବନାକୁ ଉପଯୁକ୍ତ ଭାବରେ ମୁଁ ଅଭିବ୍ୟକ୍ତ କରିପାରିଛି କି ନାହିଁ ବର୍ତ୍ତମାନ ଆପଣମାନେ ନିଷ୍ପତ୍ତି ନିଅନ୍ତୁ।


Rate this content
Log in

Similar oriya story from Drama