Himalini Hota

Tragedy

3  

Himalini Hota

Tragedy

ପ୍ରତାରଣା

ପ୍ରତାରଣା

5 mins
151


 ଅଫିସ ଯିବାକୁ ପ୍ରସ୍ତୁତ ହେଉଥିଲା ସୁରମା।ଖାଇ ସାରି ଶାଢୀ ପିନ୍ଧୁଛି।କାନ୍ଥ ଘଣ୍ଟାକୁ ଚାହିଁଲା।ସମୟ ୯.୧୫.।ଅଫିସରେ ପହଞ୍ଚିବାକୁ ପାଞ୍ଚ ମିନଟ ସମୟ ଲାଗିବ।ବହୁତ ସମୟ ହାତରେ ଅଛି।ହଟାତ ଦାଣ୍ଡପଟୁ ଝଡ ବେଗରେ ପଶି ଆସିଲା ମେଧାବୀ।ହାତରେ ଦୁଇଟି ଆଟାଚ।ଛଳ ଛଳ ଆଖି।ଆଟାଚ ଦୁଇଟିକୁ ସୁରମା ଘରେ ରଖି ଦେଇ ଖଟ ଉପରେ ମୁହଁ ମାଡି କଇଁକଇଁ ହୋଇ କାନ୍ଦିଲା ଯେ କାନ୍ଦିଲା। ଶ୍ରବଣର ବର୍ଷା ଧାରା ପରି ଆଖିରୁ ବୋହି ଚାଲିଥିଲା ଅବାରିତ ଅଶ୍ରୁଧାର ।

କିଛି ବୁଝି ପାରିଲାନି ସୁରମା। ମଧବୀ ଷ୍ଟାଫ ନର୍ସ । ଗତ ଦୁଇବର୍ଷ ତଳେ ବିବାହ କରିଛି ଏଠାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଡାକ୍ତର ଅରବିନ୍ଦ ମହାନ୍ତିଙ୍କୁ।ସୁରମା ମଧ୍ୟ ଷ୍ଟାଫ ନର୍ସ ଓ ଅବିବାହିତ।ମାଧବୀ ଡାକ୍ତରଙ୍କ ସ୍ତ୍ରୀ।ତଥାପି ଦୁହେଁ ନା ଧରି ଡକାଡକି ହୁଅନ୍ତି।ସୁରମା ଏ ପରିସ୍ଥିତିରେ କଣ କରିବ କିଛି ବୁଝି ପାରିଲାନି।ତଥାପି ଯାଇ ମାଧବୀକୁ ବୁଝିବାକୁ ଚେଷ୍ଟା କଲା।ଅନୁମାନ କଲା ନିଶ୍ଚୟ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ହେଇଛି।ସେଥିପାଇଁ ତାର ଏ ଅବତାର।ବଡ ଲୋକମାନେ କହିଛନ୍ତି ସ୍ୱାମୀ ସ୍ତ୍ରୀ ଝଗଡାରେ କେବେ ମଧ୍ୟସ୍ତି ହେବ ନାହିଁ।

ସଂସ୍କୃତରେ ଲେଖା ଅଛି। "ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ,ପ୍ରଭାତେ ମେଘ ଡମ୍ବରେ ,ଦାମ୍ପତ୍ୟ କଳହ ଯସ୍ୟ ନାସ୍ତି ସ୍ଥିତ ପ୍ରୟୋଜନ"।

କିନ୍ତୁ ସାଙ୍ଗ ହିସାବରେ ମାଧବୀର ଏପରି କାନ୍ଦିବାର କଣ ନିହାତି ଜାଣିବା ଦରକାର।ଏହା ଭାବି ସେ ମାଧବୀ ପାଖରେ ଯାଇ ବସିଲା।ଏବଂ କହିଲା ମାଧବୀ ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି।ସ୍ଵାମୀ ,ସ୍ତ୍ରୀ ଭିତରେ ଝଗଡା ଲାଗିବା ଏକ ସାଧାରଣ କଥା।ତୁ ତ ଅରବିନ୍ଦଙ୍କୁ ଭଲ ପାଇ ବାହା ହେଇଛୁ ତତେ ସେ ବହୁତ ଭଲପାଆନ୍ତି।କଣ ହେଇଛି କହ ଆମେ ସମସ୍ତେ ମିଶି ସମାଧାନ କରିବା।

ମାଧବୀ କାନ୍ଦି ଚାଲିଥାଏ।କାନ୍ଦି କାନ୍ଦି କହିଲା ମୁ ଠକି ଗଲି ସୁରମା।ମସ୍ତ ବଡ଼ ଭୁଲ କଲି,ଜୀବନରେ ପିଲାଦିନୁ ଦୁଃଖ ସହି ଭାବି ଥିଲି ଏତକ ଜୀବନ ଖୁସିରେ କାଟିବି ବୋଲି।ଏ ପୁରୁଷ ଗୁଡାଙ୍କୁ ଜମା ବିଶ୍ୱାସ ନାହିଁ ସୁରମା।ଏମାନେ ଏତେ ଛଳନା କରି ପାରନ୍ତି କିପରି?

କଣ ହୋଇଛି କହ ମାଧବୀ।କହିଦେଲେ ତୋ ମନ ହାଲକା ହେଇଯିବ।ନା ଏବେ ସମୟ ନୁହେଁ ତୋ ଘରେ ମତେ ଟିକେ ଆଜି ରହିବାକୁ ଦେ।ତୁ ଅଫିସ ଯା,ଆସିଲେ ସବୁ କହିବି।ଠିକ ଅଛି,ଏହା କହି ସୁରମା ଅଫିସ ଗଲା ଓ ମାଧବୀ ଭଙ୍ଗା ମନ ନେଇ ପଡି ରହିଲା ଖଟ ଉପରେ।

ଅଫିସରୁ ଶୀଘ୍ର ଫେରି ଆସିଲା ସୁରମା ଛୁଟି ଦରଖାସ୍ତ ଦେଇ ଏବଂ ମାଧବୀ ପାଖରେ ବସି ରହିଲା ତାର କ୍ରୋଧିତ ମନକୁ ଶାନ୍ତ କରିବା ପାଇଁ।

ଆଶ୍ୱାସନା ଦେବା ପାଇଁ ଅନେକ ଉଦାହରଣ ଦେଇ ଚାଲିଲା ନିଜ ମା ପରି।ମାଧବୀ ଆରମ୍ଭ କଲା ତୁ ତ ଜାଣୁ ମୁ ଯେ କୌଣସି ପରିସ୍ଥିତିରେ ଖାପ ଖୁଆଇ ଚାଲିପାରେ। କିନ୍ତୁ ଏମିତି ଏକ ପରିସ୍ଥିତି ମୋ ଜୀବନରେ ସୃଷ୍ଟି ହେଇଛି ଯାହାର ସମାଧାନ କେବେ ବି ସମ୍ଭବ ନୁହେଁ।

ମୁଁ ହେଉଛି ଏକ ଅନାଥ ଆଶ୍ରମର ଝିଅ।ମୋ ବାପା ମାଙ୍କ ପରିଚୟ ମୋତେ ଜଣା ନାହିଁ।ଆଶ୍ରମରେ ଥିବା ଅନାଥ ଝିଅ ମାନଙ୍କ ମଧ୍ୟରୁ ମୁଁ ସବୁଠୁ ଭଲ ପଢ଼ୁଥିଲି।ସାଙ୍ଗ ମାନେ ମତେ ବହୁତ ଭଲ ପାଉଥିଲେ।ମୁଁ ମଧ୍ୟ ବହୁତ ମେଳାପୀ ଥିଲି।ରାତିରେ ସାଙ୍ଗମାନଙ୍କୁ ପାଠ ବୁଝାଇ ଦିଏ।ଆଶ୍ରମର ନୀତି ନିୟମ ମାନି ଶୃଙ୍ଖଳିତ ଜୀବନ ଯାପନ କରିବାରେ ମୁଁ ଆନନ୍ଦ ଅନୁଭବ କରୁଥିଲି।ମାଟ୍ରିକରେ ଫାଷ୍ଟ ଡିଭିଜନ ପାଇଲା ପରେ ମୁଁ +2 ବିଜ୍ଞାନ ପଢ଼ିଲି।ତା ପରେ ଆଶ୍ରମ କତ୍ତୃପକ୍ଷ ମତେ ନର୍ସ ଟ୍ରେନିଂ ପଠାଇଲେ।ସେଠି ମଧ୍ୟ ମୁଁ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇ ପୋଷ୍ଟିଂଗ ପାଇଲି ଏହି ଡାକ୍ତର ଖାନାରେ।ତା ପର କଥା ତୁ ଜାଣିଛୁ।ତଥାପି କହୁଛି ଶୁଣ।ମୁଁ ଜଏନ କରିବାର ଦୁଇ ଦିନ ପରେ ଅରବିନ୍ଦ ଜଏନ କଲେ।ସେ ଥିଲେ ଗାଇନିକ ସ୍ପେସିଅଲିଷ୍ଟ।ମୁଁ ମଧ୍ୟ ଗାଇନିକ ୱାର୍ଡ ଷ୍ଟାଫ ନୁର୍ସ।ପ୍ରଥମ ଦେଖାରେ ମୋର ତାଙ୍କ ପ୍ରତି ଦୁର୍ବଳତା ଆସିଥିଲା।ନିଜକୁ ନିଜେ ସଂଯତ କଲି ।ସେ ଡାକ୍ତର ପୁଣି ସ୍ପେସିଅଲିଷ୍ଟ।ମୁଁ ସାମାନ୍ୟ ନର୍ସ।ବାମନ ହୋଇ ଚାନ୍ଦକୁ ଆଶା କରିବା ମୂର୍ଖାମୀ।

ଦିନେ ରାତିରେ ଗୋଟିଏ ଡେଲିଭେରୀ କେଶ ଆସିଲା।ବହୁତ ସିରିଅସ ପସେଣ୍ଟ।ବହୁ ଚେଷ୍ଟା ସତ୍ତ୍ୱେ ମାକୁ ବଞ୍ଚେଇବାକୁ ସକ୍ଷମ ହେଲୁ ନାହିଁ।ପିଲା ଟି ବଞ୍ଚିଲା,ମୁଁ ଫେରି ଆସିଲି ମୋ ରୁମକୁ।ଅରବିନ୍ଦ ମଧ୍ୟ ତାଙ୍କ ରୁମକୁ ନ ଯାଇ ମୋ ରୁମରେ ବସିଲେ।ଆଖି ଆଗରେ ପେସେଣ୍ଟର ମୃତ୍ୟୁ ଦେଖିଲୁ।ନୂଆ ଅନୁଭୂତି ,ନୂଆ ଅଭିଜ୍ଞତା ତେଣୁ ବହୁତ ଡର ଲାଗୁଥାଏ।ମୁଁ କହିଲି ମତେ ଡର ଲାଗୁଛି ସାର।

ଅରବିନ୍ଦ କହିଲେ ଠିକ ଅଛି ମୁଁ ଏଇଠି ବସିଛି।ରାତି ପହିଲେ ମୁଁ ଯିବି।ରାତି ୨ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଆମେ ଗପି ଚାଲିଛୁ।ପରସ୍ପର ବିଷୟରେ ଜାଣିବାକୁ ଚାହିଁଲୁ।ମୋର ପରିଚୟ ତ କିଛି ନ ଥିଲା କେବଳ ଅନାଥ ବ୍ୟତୀତ।ତାଙ୍କ ପରିଚୟରୁ ଜାଣିଲି ଯେ ସେ ମାଟ୍ରିକ ପାସ କଲା ପରେ ତାଙ୍କ ମାଙ୍କୁ ହରାଇଛନ୍ତି।ଡ଼ାକ୍ତରୀ ପଢୁଥିବା ବେଳେ ବାପାଙ୍କୁ ହରାଇଛନ୍ତି।ସେ ଏବେ ଘରକୁ ଯାଉ ନାହାଁନ୍ତି।ଘରେ କେହି ନାହାନ୍ତି କେବଳ କେତେ ଜଣ ସମ୍ପର୍କୀୟଙ୍କ ବ୍ୟତିତ।କେବଳ ବର୍ଷକୁ ଥରେ ଯାଆନ୍ତି ଜମି ଜମା ଦେଖିବା ପାଇଁ। ଏମିତି ଗପୁ ଗପୁ ରାତି ପହିଲା ଓ ସକାଳ ହେବାରୁ ଦୁହେଁ ଘରକୁ ଫେରିଲୁ।ସେଇଠୁ ଅରମ୍ଭ ହେଲା ଆମ ଭଲ ପାଇବା।

ମୋର ନାଇଟ ଡିଉଟି ପଡିଥାଏ।ପ୍ରାୟ ରାତି ୧୨ରେ ମୋ ରୁମରେ ମୁଁ ବିଶ୍ରାମ ନେଉଥାଏ।ଅରବିନ୍ଦ ପଶି ଆସିଲେ ରୁମକୁ।ବସିବାକୁ କହିଲି।ମନେ ମନେ ଖୋଜୁଥିଲି ତାଙ୍କୁ ମୋ ପାଖକୁ ଲାଗି ବସି ପଡିଲେ ସେ।ବହୁତ ରୋମାଣ୍ଟିକ ଲାଗୁଥିଲେ ସେଦିନ।ମୋ କାନ୍ଧରେ ହାତ ପକେଇ କହିଲେ i love u।ତାଙ୍କରି ସ୍ପର୍ଶରେ କି ଯାଦୁ ଥିଲା କେଜାଣି ଶରୀରରେ ଖେଳି ଯାଇଥିଲା ଅପୂର୍ବ ମାଦକତା।ତା ପରେ ଆମର ଭଲ ପାଇବା ବଢି ବଢି ଚାଲିଥାଏ।

ଆମର ଏ ସମ୍ପର୍କ ଲୁଚି ରହିଲା ନାହିଁ।ଡାକ୍ତରଖାନାରେ ସମସ୍ତେ ଟୁପୁର ଟପୁର ହେଲେ।ତେଣୁ ଆମେ ଦୁହେଁ ବାହା ହେବା ପାଇଁ ନିଷ୍ପତ୍ତି ନେଲୁ ଓ ମନ୍ଦିରରେ ବାହା ବି ହୋଇ ଗଲୁ।ମୁଁ କିନ୍ତୁ ଚାହୁଁଥିଲି ବାହାଘର ମନ୍ଦିରରେ ନ ହେଇ ଘରେ ହେଉ।ସେ ବର ବେଶରେ ଆସି ମତେ ବୋହୁ ବେଶରେ ନେଇ ଯାଅନ୍ତୁ।ସେ କହିଲେ ମୋ ବାପା ମା ନାହାଁନ୍ତି ।ତେଣୁ ଘରକୁ ଯିବା ଦରକାର କଣ।ଆମେ ଯେଉଁଠି ରହିବା ସେଇଟା ଆମ ଘର।

ବୋହୁ ସାଜି ମୁଁ ଗଲି ତାଙ୍କ କ୍ଵାଟରକୁ।ଦୀର୍ଘ ଦୁଇ ବର୍ଷ ତାଙ୍କ ସାଙ୍ଗରେ ମୁ ରହିଲି ।ମତେ ସେ ବହୁତ ଭଲ ପାଉଥିଲେ।ଜୀବନରେ କେବେ କାହା ଠାରୁ ସ୍ନେହ ପାଇ ନଥିବା ମଣିଷଟିଏ ମୁଁ।ତାଙ୍କର ସେ ଛଳନା ମିଶା ସ୍ନେହରେ ମୁ ସମ୍ପୂର୍ଣ୍ଣ ରୂପେ ନିଜକୁ ହଜାଇ ଦେଇଥିଲି।ସରଳ ବିଶ୍ୱାସୀ ହୋଇ ତାଙ୍କର ପ୍ରତେକ କଥାକୁ ବିଶ୍ୱାସ କରୁଥିଲି।ପ୍ରତେକ କଥାକୁ ସମ୍ମାନ ଦେଉଥିଲି ।ମା ହେବା ପାଇଁ ମୋ ମନ ବ୍ୟାକୁଳିତ ହେଲା।କିନ୍ତୁ ସେ ବୁଝାଇ କହିଲେ ପୁଅ ଝିଅ ହେଲେ ସ୍ୱାମୀ ସ୍ତ୍ରୀ ସୁଖଭଟ୍ଟା ପଡ଼ିଯାଏ।ଖୁସିରେ ଗ୍ରହଣ କଲି ମୁଁ।ମୋ ସ୍ୱାମୀଙ୍କର ମନାହାରିଣୀ ହୋଇ ଜଣେ ପତିବ୍ରତା ସ୍ତ୍ରୀ ରୂପେ କର୍ତ୍ତବ୍ୟ ସମ୍ପାଦନ କରିଚାଲିଲି।

ବେଳେ ବେଳେ ସେ ଅନ୍ୟମନସ୍କ ଜଣା ପଡ଼ନ୍ତି। ଫୋନ ଆସିଲେ ମତେ ଲୁଚେଇ କଥା ହୁଅନ୍ତି।ପଚାରିଲେ ୟାଡୁ ସ୍ୟାଡୁ କହି ଭୁଲେଇ ଦିଅନ୍ତି।ମୁଁ ତ ତାଙ୍କ ପ୍ରେମରେ ସମ୍ପୂର୍ଣ୍ଣ ଭିଜିଥିଲି। ତାଙ୍କୁ କୌଣସି କଥାରେ ସନ୍ଦେହ କରିବାକୁ ମୋର ବିବେକ ବାଧା ଦେଇଥିଲା।ସେ ମଧ୍ୟ ମତେ କୌଣସି କଥାରେ ଊଣା କରି ନଥିଲେ।କେତେ ଥର କହିଛି ଚାଲ ତୁମ ଗାଁକୁ ବୁଲିଯିବା।କେବେ ମନା କରିନାହାନ୍ତି।ଗୋଟିଏ ତାରିଖ ଦେଇ ପୁଣି ବାହାନା କରି ସେ ତାରିଖ ବଦଳେଇ ଦିଅନ୍ତି।କେତେବେଳେ କାମର ବାହାନା ତ କେତେବେଳେ ପଢା ପଢି କରିବାର ବାହାନା।ଏହି ଦୁଇ ବର୍ଷ ତାଙ୍କ ସହିତ ଅତି ବହିତ କଲା ସମୟରେ ତାଙ୍କ ଠାରୁ ବହୁତ ସ୍ନେହ ପାଇଛି।ଦୁହେଁ ଟିକେ ବି ଛଡା ଛଡି ହୋଇନୁ।ଦିନେ ହେଲେ ମଧ୍ୟ ଆମ ଭିତରେ ମନାନ୍ତର କିମ୍ବା ମତାନ୍ତର ହୁଏ ନାହିଁ।ସମସ୍ତେ କହନ୍ତି ଆଦର୍ଶ ପତି ପତ୍ନୀ।ବିବାହର ପ୍ରଥମ ବର୍ଷ ଅଫିସ କାମ ବାହାନାରେ୩/୪ ଥର ଯାଇଥିଲେ।ଏବଂ ୮ ଦିନ ଲେଖାଏଁ ରହି ଆସିଥିଲେ ଗାଁରେ। ଏ ବର୍ଷ ଆଦୋୖ ଯାଇ ନାହାନ୍ତି।

ଆଜି ସକାଳୁ ଦୁହେଁ ଖାଇ ପିଇ ଅଫିସ ବାହାରୁଥିବା ସମୟରେହଟାତ ଆମ କଲିଂ ବେଲ ବାଜି ଉଠିଲା।ଅରବିନ୍ଦ ଯାଇ କବାଟ ଖୋଲୁ ଖୋଲୁ ଦୁଇଟି ପିଲା ଅରବିନ୍ଦଙ୍କୁ ବାପା ବାପା ଡାକି ପଦଛୁଇଁ ପ୍ରଣାମ କଲେ।ଏବଂ ଜଣେ ସ୍ତ୍ରୀ ଲୋକ ଘରକୁ ପଶି ଆସିଲେ ଓ ପଶି ଆସୁ ଆସୁ କହିଲେ ବର୍ଷେ ହେଲା କଣ ଆମ କଥା ମନ ପଡୁନି?

ଝରକା ପଟେ ସବୁ ଦେଖୁଥିଲି ଏବଂ ସବୁ ଶୁଣୁଥିଲି।ଅରବିନ୍ଦ କହୁଥିଲେ ସ୍ନେହା ତୁମେ ଖବର ନ ଦେଇ ହଟାତ ଆସି ପହଁଚି ଗାଲ ଯେ ଖବର ଦେଇଥିଲେ ମୁଁ ନିଜେ ଯାଇ ତୁମକୁ ବସ ଷ୍ଟାଣ୍ଡରୁ ନେଇ ଆସିନଥାନ୍ତି।

ମୋର ଆଉ କିଛି ବୁଝିବାକୁ ବାକି ନ ଥିଲା।ଅରବିନ୍ଦ ମୋ ପାଖକୁ ଆସି ଠିଆ ହୋଇ କଥା ହେବାର ସାହସ ଆଉ ନ ଥିଲା।ତେଣୁ କିଛି ଗୋଟିଏ ଘଟିବା ପୂର୍ବରୁ ମୁଁ କାହାକୁ କିଛି ନ କହି ବାହାରି ଆସିଲି।



Rate this content
Log in

Similar oriya story from Tragedy