ପ୍ରଶଂସା
ପ୍ରଶଂସା
ନଟସାହୁ ଓ ସେବତୀ ସାହୁର ଦୁଇ ଝିଅ ମାନିନୀ ଓ କାମିନୀ।ଏକ ଚାଷୀ ପରିବାର, ସୁଖ ଦୁଃଖର ସଂସାର ତାଙ୍କର।ଧାନ ବେଳେ ଧାନ ଓ ବାକି ସମୟରେ ବିଭିନ୍ନ ପ୍ରକାର ଶାଗ ସବ୍ଜି ଚାଷ କରନ୍ତି।ସେସବୁ ବିକ୍ରିବଟା କରି ଘରର ଦରକାରି ଜିନିଷ କିଣା ହୁଏ।ଧିରେ ଧିରେ ଝିଅ ଦୁଇ ଜଣ ବଡ ହେବାକୁ ଲାଗିଲେ।ପୁଅ ନଥିବାରୁ ସାହୁ ପରିବାର ଝିଅ ମାନଙ୍କୁ ପାଠ ପଢାଇ ଯୋଗ୍ୟ କରିବାକୁ ଚାହୁଁଥିଲେ।ତାଙ୍କ ପଢାପାଇଁ ବହିପତ୍ର ଡ୍ରେସ ପଟା କିଣିବାକୁ ବହୁତ ଖର୍ଚ୍ଚ କରିବାକୁ ଲାଗୁଥିଲା।ଗାଁସ୍କୁଲରେ ପଢିବା ଯାଏ ତ କଷ୍ଟେ ମଷ୍ଟେ ଘିଚିଟାନି ସଂସାର ଚଳି ଯାଉଥିଲା।ଯେଉଁଦିନ ମାନିନୀ ମାଟ୍ରିକ ପାଶ୍ କରି କଲେଜ ପଢିବ ବୋଲି ଇଛା ପ୍ରକାଶ କଲା ସେତେବେଳେ ଘରେ ଭାଲେଣି ପଡିଲା।କଣ ସହରରେ ରହି ପଢିବାର ସବୁଖର୍ଚ୍ଚ ସେମାନେ ତୁଲାଇ ପାରିବେ?ହଷ୍ଟେଲର ଖର୍ଚ୍ଚ
କଲେଜ ଫିଜ ଭଲ ଡ୍ରେସପଟା ବହିପତ୍ର ସାଙ୍ଗରେ କେବେ ପୂଜା ପିକ୍ନିକ୍ ର ଖର୍ଚ୍ଚ ବି ଲାଗିବ।ହେଲେ ମାନିନୀର ବଡ ଆଗ୍ରହ ଥିଲା ପାଠ ପଢି କିଛି ଗୋଟେ କରିବ ବୋଲି।ବାପା ମାଆ ଝିଅର ମନକୁ କେମିତି ଭାଙ୍ଗନ୍ତେ।ସମାନେ ଝିଅକୁ କଲେଜ ପଠାଇଲେ ପଢିବା ପାଇଁ।ଅଧିକ ଟଙ୍କା ରୋଜଗାର କରିବାପାଇଁ ସେମାନେ ଛୋଟମୋଟ ଅନେକ ଧନ୍ଦା କରିବାକୁ ଲାଗିଲେ।ଧାନକିଣି ଚାଉଳ କରି ବିକିଲେ ସେଥିରେ କିଛି କିଛି ଲାଭ ହେବାକୁ ଲାଗିଲା।ନଟସାହୁ ବି ଛୋଟମୋଟ କନ୍ଟ୍ରାକ୍ଟରି କାମ ହାତକୁ ନେଲେ।
ଏପରି ଭାବରେ କୌଣସି ମତେ ପଢାଖର୍ଚ୍ଚ ତୁଲାଇବାକୁ ଲାଗିଲେ।ହେଲେ ପତିପତ୍ନୀ ଦୁଇଜଣ ନିଜ ପାଇଁ କିଛି ଜିନିଷ କିଣି ପାରୁନଥିଲେ।ପୁରୁଣା ଚିରାଫଟା ପିନ୍ଧୁଥିଲେ।ଏପରିକି ଶୀତରେ ଘୋଡି ହେବାପାଇଁ ସାଲ୍ ଖଣ୍ଡେବି କିଣି ପାରୁନଥିଲେ।କିନ୍ତୁ ଝିଅ ମାନଙ୍କ ସବୁ ଦରକାରି ଜିନିଷ ପୂରା କରୁଥିଲେ କାରଣ ସେମାନଙ୍କୁ ବାକି ଚାରିଜଣଙ୍କ ସହ ବସିବା ଉଠିବା ହେଉଥିଲା।ମାନିନୀ ଭଲ ପଢି ଏମ୍ଏ ପରେ ଅଧ୍ୟାପିକା ହେଲା।ତାର ଜୀବନ କୂଳରେ ଲାଗି ଯାଇଥିଲା।କାମିନୀ ପଢାରେ ଏତେ ଭଲ ନଥିଲା।ତଥାପି ପାସ କରି ଯାଉଥିଲା।ସେ ବିଇଡି ପରେ ବାହାହେଇଗଲା।କାମିନୀ ଚାକିରି କରି ବାହା ହେଲା ତେଣୁ କାହା ଉପରେ ନିର୍ଭର କରିବାକୁ ପଡିନି କେବେ।ହେଲେ କାମିନୀ ନିର୍ଭରଶୀଳ ଥିଲା।ଯଦିଓ ବିଏ ବିଇଡି କରିଥିଲା ହେଲେ ଚାକିରି କରିବାକୁ ତାଙ୍କଘରେ ଅନୁମତି ନଥିଲା।ତାକୁ ସମସ୍ତେ ସବୁ କଥାରେ ହେୟ ମଣୁଥିଲେ।ଯାହା କରିବାକୁ ଚାହିଁଲେ ତୋ ଦ୍ବାର ଏସବୁ ହେବନି କହି ତାର ହିମ୍ମତ ଗୁଲ୍ କରିଦେଉଥିଲେ।ସେ କେବଳ ଘର କାମରେ ଦିନରାତି ଲାଗିରହିଥାଏ।ଅନ୍ୟମାନଙ୍କୁ ସବୁ ପ୍ରକାର ସେବା ଯୋଗାଇବା ତାରକାମ।ଏପରି ଭାବରେ କଟିଗଲା ଛବିସ ବର୍ଷ।ପିଲାମାନେ ବଡ ହେଇଗଲେ।ଝିଅ ବାହା ହେଇଗଲା।ପୁଅ ଚାକିରିକୁ ବାହାରେ ଚାଲିଗଲା।ଏବେ କାମିନୀ ପାଖେ କରିବାକୁ ବେଶିକିଛି କାମ ନଥିଲା।ସେତେବେଳେ ତାର ସମୁଦୁଣି ଥରେ ଆସିଥାନ୍ତି।ସମୁଦୁଣୀଙ୍କ ହାତରେ ସେ ଲେଖିଥିବା କବିତା ଡାଏରୀଟି ପଡିଗଲା କେମିତି।ସେ ଏକ କବିତା ପଢି କାନ୍ଦି ପକେଇଲେ।ସେ କବିତାଟି ତାଙ୍କ ଜୀବନୀ ସହ ମେଳ ଖାଉଥିଲା।ତାଙ୍କ ସ୍ବାମୀ ମରିଯାଇଥିଲେ ପିଲାମାନେ ଛୋଟ ଥିଲାବେଳେ।ଏବେ ପିଲାଏ ପାଠପଢି ବିଦେଶରେ ରହୁଥିଲେ।ସେ ଗାଁରେ ଏକା ହେଇ ପିଲାଙ୍କୁ ଝୁରିି ହେଉଥିଲେ।କବିତାଟି ସେଇ କନ୍ସେପ୍ଟ ନେଇ ଲେଖାଥିଲା ତେଣୁ ତାଙ୍କ ହୃଦୟକୁ ଛୁଇଁ ଯାଇଥିଲା।ଠିକ୍ ସେତେବେଳେ ଜଣେ ଅଧ୍ୟାପକ ବୁଲିବାକୁ ଆସିଲେ।ସେ ସମୁଦୁଣୀଙ୍କ ପରିଚିତ ଥିଲେ।ସେ ଓ ସମୁଦି ଏକା କଲେଜରେ ଅଧ୍ୟାପକ ଥିଲେ ।ସମୁଦୁଣୀ କାନ୍ଦୁଥିବାର ଦେଖି ସେ ପଚାରିଲେ କଣ ହେଲା କାହିଁକି କାନ୍ଦୁଛନ୍ତି?ସେ କହିଲେ ଏ କବିତା ମତେ କନ୍ଦାଇ ଦେଲା।ସେ ନିଯେ କବିତାଟି ନେଇ ପଢିଲେ ଓ ବହୁତ ପ୍ରଶଂସା କଲେ।କବିତା ପ୍ରକୃତରେ ବହୁତ ଭଲ ହେଇଛି ବୋଲି କହିଲେ।ଆଗକୁ ଆହୁରି ଲେଖା ଜାରି ରହୁ ଏବେ ସେ କବିସମ୍ମିଳନୀ ମାନଙ୍କରେ ତାକୁ ବି ଡାକିବେ ବୋଲି କହିଲେ । ତାଙ୍କରି ହିମ୍ମତ ଓ ପ୍ରେରଣା କାମିନୀ ଭିତରେ ବି କିଛି ଲୁକ୍କାୟିତ ପ୍ରତିଭା ଥିବାର ଅନୁଭବ ଦେଲା।ସେ ନିଜକୁ ଏବେ ଚିହ୍ନିବା ଆରମ୍ଭ କଲା।ନିଜକୁ ହୀନ ଭାବିବା ଛାଡି ଲେଖା ଲେଖିରେ ଲାଗିଗଲା। ଦିନକୁ ଦିନ ତା ଲେଖା ପତ୍ରପତ୍ରିକାରେ ଛପିବାକୁ ଲାଗିଲା ଲୋକେ ପଢି ପ୍ରଶଂସା କଲେ ତାକୁ।ଗୃହ କୋଣରେ ଲୁଚିଥିବା ଅନାମଧେୟ ନାରୀଟି ଏବେ ଦୁନିଆଁରେ ପରିଚିତ ହେବାକୁ ଲାଗିଥିଲା।ଗାଁରୁ ସହର ,ରାଜ୍ୟରୁ ବିଦେଶ ଯାଏ ତାଲେଖା ପଢି ପ୍ରଶଂଶା କରୁଥିଲେ ପାଠକମାନେ।ଅନେକ ପୁରସ୍କାର ଏବେ ତାକୁ ମିଳୁଥିଲା।ଯେଉଁ ଘରଲୋକମାନେ ତାକୁ ଅଦରକାରି ଭାବୁଥିଲେ ଏବେ ସମ୍ମାନ ଦେବାକୁ ଲାଗିଥିଲେ।ତାପରି ଗୃହାଙ୍ଗନରେ ଅଜଣା ହେଇ ଲୁଚିଥିବା ବଣ ମଲ୍ଲୀମାନେ ତାକୁ ଆଦର୍ଶ ମାନି ନିଜ ପ୍ରତିଭାକୁ ଚିହ୍ନି ଲେଖାଲେଖି ଦିଗରେ ନିଜପାଦ ବଢାଇ ଦେଇଥିଲେ।
