Sambit Srikumar

Thriller

4.7  

Sambit Srikumar

Thriller

ପରକୀୟା

ପରକୀୟା

5 mins
467



ଗୁଳିଟିଏ ଫୁଟିଥିଲା ସ୍ପଷ୍ଟ ଦିବାଲୋକରେ ଜନଗହଳି ପୂର୍ଣ୍ଣ ଜୟଦେବବିହାର ଛକରେ । ସଠିକ୍ ଲକ୍ଷ୍ୟ ଭେଦ କରିଥିଲା ଗୁଳିଟି । ଘଟଣା ସ୍ଥଳରେ ଟଳି ପଡ଼ିଥିଲେ କଳିଙ୍ଗ ଗ୍ରୁପ୍ ଅଫ୍ ହୋଟେଲ୍ସର ସଂସ୍ଥାପକ ଓ ଅଧ୍ୟକ୍ଷ ମଦନମୋହନ ମହାନ୍ତି । ଚାହୁଁ ଚାହୁଁ ବନାଗ୍ନି ପରି ବ୍ୟାପି ଗଲା ଗୁଳିକାଣ୍ଡର ଖବର । ଟିଭି ଚ୍ୟାନେଲ ଗୁଡିକରେ ତୁହା କୁ ତୁହା ପ୍ରସାରିତ ହେଉଥିଲା ଏହି ଘଟଣା ସମ୍ପର୍କିତ ବ୍ରେକିଂ ନ୍ଯୁଜ୍ । ସାରା ଭୁବନେଶ୍ୱର ମହାନଗରଟା ସ୍ତବ୍ଧ ହୋଇ ଯାଇଥିଲା ଏଇ ଗୋଟିଏ ଗୁଳିରେ ! ଏହା ସାର୍ପ୍ ସୁଟରର କାମ ବୋଲି ଅଭିଜ୍ଞ ପ୍ୟାନେଲିଷ୍ଟମାନେ ଆଲୋଚନା କରୁଥିଲେ।

ତତକ୍ଷଣାତ୍ କମିଶନରେଟ୍ ପୋଲିସ୍ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତିର ଯାଞ୍ଚ କରିବା ପରେ ପୋଷ୍ଟମର୍ଟମ୍ ପାଇଁ ଲାଶ୍ ପଠାଗଲା କ୍ୟାପିଟାଲ୍ ହସ୍ପିଟାଲକୁ । ଯେହେତୁ ଏହା ଏକ ହାଇ ପ୍ରୋଫାଇଲ୍ ମର୍ଡର ଥିଲା ପୋଲିସ୍ ବି ବେଶ୍ ତତ୍ପର ଥିଲା ହତ୍ୟାକାଣ୍ଡ ସହ ଜଡ଼ିତ ଅପରାଧୀକୁ ଶୀଘ୍ରାତିଶୀଘ୍ର ଗିରଫ କରିବା ପାଇଁ । ସେଇଥିପାଇଁ ସହରର ସୀମାକୁ ସିଲ୍ କରାଯାଇଥିଲା ତତ୍କାଳ ପ୍ରଭାବରେ । ଯେତେ ନାଆଁକରା ଅପରାଧୀ ଥିଲେ ସଭିଙ୍କୁ ଥାନାରେ ହାଜର କରାଯାଇ ଉତ୍ତମ ମଧ୍ୟମ ସତ୍କାର କରିବା ପରେ ମଧ୍ୟ ଏହି ହତ୍ୟାକାଣ୍ଡ ସମ୍ବନ୍ଧୀୟ କୌଣସି ବି ସୁରାକ ମିଳିନଥିଲା ପୋଲିସକୁ ।

ଦିନକୁ ଦିନ ଘଟଣାର ରହସ୍ୟ ବଢୁଥିଲା । ଏହା ସହ ବଢି ଚାଲିଥିଲା ଜନ ଅସନ୍ତୋଷ । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଧାରଣା ଦିଆଯାଇଥିଲା ସଚେତନ ନାଗରିକଙ୍କ ଦ୍ବାରା । ମଦନମୋହନ ବାବୁଙ୍କ ପରି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହତ୍ୟାକାରୀ ମୁକ୍ତ ବିଚରଣ କରିବାକୁ ନେଇ ପୋଲିସ ଉପରେ ବଢ଼ିଚାଲିଥିବା ଚାପ । ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ଫଳଶୂନ୍ୟ ଥିଲା ତଦନ୍ତ!

****************

ସ୍ଵଳ୍ପ ସମୟ ମଧ୍ୟରେ ଉଦୀୟମାନ ଯୁବ ଶିଳ୍ପୋଦ୍ୟୋଗୀ ଭାବେ ନିଜର ପରାକାଷ୍ଠା ପ୍ରଦର୍ଶନ କରିପାରିଥିଲେ ମଦନମୋହନ ବାବୁ । ନିଜର କଠୋର ଅଧ୍ୟବସାୟ ଏବଂ ନିଷ୍ଠାପର ଉଦ୍ୟମ ବଳରେ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ ସ୍ୱରୂପ ପ୍ରତିଷ୍ଠିତ ହୋଇଥିଲା କଳିଙ୍ଗ ଗ୍ରୁପ୍ ଅଫ୍ ହୋଟେଲ୍ସ! ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ସ୍ଥାପନ ହୋଇଥିଲା ହୋଟେଲ ଓ ରିସୋର୍ଟ୍ସ ସବୁ ବର୍ଗର ଅତିଥିଙ୍କ ବଜେଟକୁ ସୁହାଇବା ଭଳି । ହଜାର ହଜାର ସଂଖ୍ୟାରେ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଅନେକଙ୍କ ପାଇଁ ଆତ୍ମନିର୍ଭରଶୀଳତାର ସଫଳ ମାଧ୍ୟମ ହୋଇଥିଲା ଏହି ସଂସ୍ଥା ।

ପିତାମାତା, ପତ୍ନୀ ଏବଂ ଏକମାତ୍ର କନ୍ୟାକୁ ନେଇ ତାଙ୍କର ହସଖୁସିର ସଂସାର । ପରିବାରର କଲ୍ୟାଣ ହେତୁ ଦୁନିଆର ସବୁତକ ଖୁସି ସାଉଁଟି ଆଣିବା ପାଇଁ ମଦନମୋହନ ବାବୁ ସଦାସର୍ବଦା ଉଦମ୍ୟରତ । ବ୍ୟବସାୟିକ କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ପରିବାରର ସଭିଙ୍କର ଛୋଟ ଛୋଟ ଖୁସିର ଖିଆଲ ରଖନ୍ତି ସେ ନିଜେ । ପରିବାର ଓ ବ୍ୟବସାୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାର କଳାରେ ସେ ପାରଙ୍ଗମ ଥିଲେ।

ମଦନମୋହନ ବାବୁଙ୍କ ପତ୍ନୀ ଆନନ୍ଦିତା ! ବେଶ୍ ମାର୍ଜିତ ଓ ସୁସଂସ୍କୃତ ତାଙ୍କର ଆଚାର ବ୍ୟବହାର । ବିବାହ ପୂର୍ବରୁ କିଙ୍ଗ୍ସ ଏୟାରଲାଇନ୍ସରେ ବିମାନ ପରିଚାରିକା ଭାବେ କାର୍ଯ୍ୟରତା ଥିଲେ । ଦୁହିଁଙ୍କ ପ୍ରେମ ଥିଲା ଖୁବ୍ ରୋମାଞ୍ଚକର ଓ ରୋଚକ! ଭୁବନେଶ୍ୱର ଦିଲ୍ଲୀ ମଧ୍ୟବର୍ତ୍ତୀ ସୁଉଚ୍ଚ ଆକାଶରେ ଦୁହିଁଙ୍କ ପହିଲିବାର ସାକ୍ଷାତ । ସେହି ପ୍ରଥମ ସାକ୍ଷାତରେ ପ୍ରେମ ! ପ୍ରେମରୁ ପରିଣୟ ଓ ପ୍ରଣୟର ପଥ ବେଶ୍ ସୁଗମ ଓ ସୁଖମୟ ଥିଲା ବେନି ପ୍ରାଣୀଙ୍କର । ବେଶ୍ ଚର୍ଚ୍ଚିତ ହୋଇଥିଲା ଦୁହିଁଙ୍କ ଆଡ଼ମ୍ବରପୂର୍ଣ୍ଣ ବିବାହ ।

ବୟସ ବଢ଼ିବା ସହିତ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସମ୍ବନ୍ଧ ଅଧିକ ନିବିଡ଼ ହୋଇଛି । ଆନନ୍ଦିତା ଦେବୀ ଏବେ କମ୍ପାନୀରେ ଡିରେକ୍ଟର୍ ପଦବୀରେ ଅଧିଷ୍ଠିତ । ପତିଦେବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଘରସଂସାର ସମ୍ଭାଳିବା ସହିତ ବ୍ୟବସାୟିକ ସାମ୍ରାଜ୍ୟର ପରିଚାଳନାରେ ନିଜକୁ ନିୟୋଜିତ କରିଛନ୍ତି ସେ।

****************

ସମୟ ଅତିକ୍ରାନ୍ତ ହେବା ସହ ଧିରେ ଧିରେ ସଭିଏଁ ଭୁଲିବାକୁ ଆରମ୍ଭ କରିଥିଲେ ଏହି ହାଇ ପ୍ରୋଫାଇଲ୍ ମର୍ଡର୍ ବିଷୟରେ । ମାତ୍ର ସଭିଙ୍କ ମନରେ ଅସମାହିତ ପ୍ରଶ୍ନ ହୋଇ ରହିଯାଇଥିଲା କିଏ ଏବଂ କାହିଁକି ମଦନମୋହନ ବାବୁଙ୍କ ହତ୍ୟା କରିଛି? କାହାରି ପାଖରେ କିଛି ବି ଉତ୍ତର ନଥିଲା । କମିଶନରେଟ୍ ପୋଲିସ୍ ନିରୁପାୟ ହୋଇ ହତ୍ୟାକାଣ୍ଡ ମାମଲା ସମ୍ପର୍କିତ ଫାଇଲକୁ ବନ୍ଦ କରିବା ପାଇଁ ବାଧ୍ୟ ହୋଇଥିଲା।

ସତ୍ୟ ସର୍ବଦା ସତ୍ୟ! ଇତିହାସର ଅତଳଗର୍ଭରୁ ଦିନେ ନା ଦିନେ ପ୍ରକଟିତ ହୁଏ ସମୟର ଉଜାଣିରେ । ଏହି ଜଘନ୍ୟ କାଣ୍ଡର କିଛି ବର୍ଷ ପରେ ସଂଘଟିତ ଘଟଣାଟି ଥିଲା ବେଶ୍ ଚମକପ୍ରଦ! କେହି କେହି ନିଜର ଆଖିକୁ ବିଶ୍ୱାସ କରିପାରୁନଥିଲେ । କାନଶୁଣା କଥାକୁ ବା ପଚାରେ କିଏ?

ଆନନ୍ଦିତା ଦେବୀ ପୁନର୍ବିବାହ କରିଥିବାର ସଚିତ୍ର ସମ୍ବାଦ ପ୍ରକାଶ ପାଇଥିଲା ! ପ୍ରକାଶିତ ଖବର ଅନୁଯାୟୀ, ନିଜର କଲେଜ୍ ସହପାଠୀ ବିନୋଦ ଦାସଙ୍କୁ ବିବାହ କରିଥିଲେ ସେ । ଏବେ ଆନନ୍ଦିତା ଦେବୀଙ୍କ ପରକୀୟା ପ୍ରୀତିକୁ ନେଇ ଟୁପୁରୁଟାପର ହେଉଥିଲେ ଲୋକେ ଚାହା 

ଖଟିରେ । ଅନେକ ଲୋକ ଅସଂଖ୍ୟ କଥା କହୁଥିଲେ ଏହାକୁ ନେଇ । କେହି କେହି ମଦନମୋହନ ବାବୁଙ୍କର ତାଙ୍କ ସେକ୍ରେଟାରୀ ସହ ଅନୈତିକ ସମ୍ପର୍କ ଥିବା କଥା କହୁଥିବା ବେଳେ ଆଉ କେତେକ ଆନନ୍ଦିତା ଦେବୀଙ୍କ ବିଷୟରେ ଗପୁଥିଲେ । ଦିନକୁ ଦିନ ଏହିସବୁ ଚର୍ଚ୍ଚା ବଢୁଥିଲା ସିନା କମିବାର ନାମ ନେଉନଥିଲା ।

କାହାଣୀ ଏହିଠାରେ ସମାପ୍ତ ହୋଇ ନ ଥିଲା ! ଦ୍ଵିତୀୟ ବିବାହର କିଛି ଦିନ ପରେ ଆନନ୍ଦିତା ଦେବୀଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା ତାଙ୍କ ହୋଟେଲ୍ ରୁମରୁ । ପୁଣି ପୂର୍ବ ପରି ମିଡିଆରେ ଚର୍ଚ୍ଚା ହେଲା । ଟିଭି ଚ୍ୟାନେଲରେ ବିତର୍କ ଚାଲିଲା । ବିରୋଧୀ ଦଳ ସରକାରଙ୍କ ଇସ୍ତଫା ଦାବି କଲେ । ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷିତ ନୁହେଁ ବୋଲି ଦିନିକିଆ ରାଜ୍ୟ ବନ୍ଦ ଘୋଷଣା କରି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲେ ବିଭିନ୍ନ ସଂଗଠନ । କିନ୍ତୁ ସବୁକିଛି ବ୍ୟର୍ଥ ସାବ୍ୟସ୍ତ ହୋଇଥିଲା । ପର୍ବତର ମୂଷିକ ପ୍ରସବ । ଏଥରକ ମଧ୍ୟ କମିଶନରେଟ୍ ପୋଲିସ୍ ହାତରୁ ଖସିଯିବାରେ ସକ୍ଷମ ହୋଇଥିଲା ଅପରାଧୀ !

କିଛି ଦିନର ହୋହଲ୍ଲା କୋଳାହଳ ପରେ ସଭିଏଁ ଭୁଲିଯାଇଥିଲେ ଏହି ପ୍ରକରଣ ସମ୍ବନ୍ଧରେ । ସରକାର ସବୁଥର ଭଳି ନିର୍ବିକାର ଥିଲେ । ବିରୋଧୀ ଦଳର ଆର୍ଥିକ ସମସ୍ୟା ଲାଗି ରହିଥିଲା ଆନ୍ଦୋଳନ ଜାରି ରଖିବା ପାଇଁ । ବୁଦ୍ଧିଜୀବୀମାନେ ପରସ୍ପରର ଗୋହି ଖୋଳିବାରେ ବ୍ୟସ୍ତ ଥିଲେ । ସାଧାରଣ ଲୋକେ ଏହି କଥାକୁ ଛାଡି ନିଜ ନିଜ କାମରେ ମଗ୍ନ ଥିଲେ । କିନ୍ତୁ ଅପରାଧୀ ନିର୍ଭୟରେ ବୁଲୁଥିଲା ଅପରାଧ ଘଟାଇ । ହେଲେ କେତେଦିନ ଆଉ ଏମିତି ଆଇନ୍ ଆଖିରେ ଧୂଳି ଦେଇ ଛପି ରହିପାରିଥାନ୍ତା ?

ହଠାତ୍ ଦିନେ କୋଟିଏ ପଚାଶ ଲକ୍ଷ ଟଙ୍କାର ଚେକ୍ ବାଉନ୍ସ କେଶରେ ଗିରଫ ହେଲେ ଜନୈକ ମଧ୍ୟବୟସ୍କ ବ୍ୟକ୍ତି । ଗିରଫଦାରୀ ଏଡ଼ାଇବା ପାଇଁ ବହୁତ ଚେଷ୍ଟା କରି ମଧ୍ୟ ସବୁ ଫନ୍ଦି ଫିକର ଫେଲ୍ ମାରିଥିଲା ତାଙ୍କର । ହାଇକୋର୍ଟରୁ ଅଗ୍ରୀମ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଫେରାର୍ ହେବାକୁ ବସିଥିବା ବେଳେ କମିଶନରେଟ୍ ପୋଲିସ୍ ହାତରେ ଧରାପଡିଥିଲେ ସେ । ଅର୍ଥନୈତିକ ଅପରାଧ ଶାଖାର ସୁଦକ୍ଷ ଅଫିସର୍ ଏସିପି ଶ୍ରୀନିବାସ ସୁନ୍ଦରରାୟ ଦ୍ବାରା ବିଛା ଯାଇଥିବା ଚକ୍ରବ୍ୟୁହରେ ଫସି ଯାଇଥିଲା ନିଜକୁ ସୁପର୍ ସ୍ମାର୍ଟ୍ ଭାବୁଥିବା ଅପରାଧୀ ।

ଜେରା ଚାଲିଥିବା ବେଳେ ଫିଟିବାରେ ଲାଗିଥିଲା ଅପରାଧର ଗୁମର ଗୋଟିଏ ପରେ ଗୋଟେ । କେଉଁଠି ନା କେଉଁଠି ଏ ଖିଅ ଲମ୍ବି ଥିଲା କଳିଙ୍ଗ ଗ୍ରୁପ୍ ଅଫ୍ ହୋଟେଲ୍ସ ଆଡ଼କୁ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଅନେକ ଲୁକ୍କାୟିତ ତଥ୍ୟ କମିଶନରେଟ୍ ପୋଲିସର ହସ୍ତଗତ ହୋଇଥିଲା । ପ୍ରଥମେ ପ୍ରଥମେ କିଛି ମାନିବାକୁ ମଙ୍ଗୁ ନଥିବା ଅପରାଧୀ ଥାର୍ଡ୍ ଡିଗ୍ରୀର ସଦୁପୋଯୋଗରେ ସବୁ ସତ ଧୀରେ ଧୀରେ ମାନିବାକୁ ଲାଗିଥିଲା । ଅପରାଧୀର ସମସ୍ତ କେଳେଙ୍କାରୀ ପାତାଳ ଲୋକର ବୁକୁ ଚିରି ପ୍ରକଟିତ ହୋଇଗଲା ।

ମଦନମୋହନ ବାବୁଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ମଧ୍ୟ ଆନନ୍ଦିତା ଦେବୀ ନିଜର ପ୍ରଥମ ପ୍ରେମିକ ବିନୋଦ ଦାସଙ୍କୁ ଭୁଲି ପାରି ନଥିଲେ । ସ୍ୱାମୀଙ୍କ ଅନୁପସ୍ଥିତିରେ ଲୁଚାଛପାରେ ଦୁହେଁ ଦୁହିଁଙ୍କୁ ଭେଟୁଥିଲେ ଅତ୍ୟନ୍ତ ସନ୍ତର୍ପଣରେ । କାହାକୁ କିଛି ଖବର ନଥିଲା ଏହି ବିଷୟରେ । ବିନୋଦଙ୍କ ଉପରେ ମାତ୍ରାଧିକ ବିଶ୍ୱାସ କରି ନିଜ ହାତରେ ନିଜର ସଂସାର ଉଜାଡ଼ି ଦେଇଥିଲେ ଆନନ୍ଦିତା ଦେବୀ । ଅଥଚ ଅର୍ଥ ପିପାସୁ ବିନୋଦ ଦାସଙ୍କ ପାଇଁ ଆନନ୍ଦିତା ଦେବୀଙ୍କ ପ୍ରେମ ଠାରୁ ଅଧିକ ମୂଲ୍ୟବାନ ଥିଲା ତାଙ୍କ କମ୍ପାନୀର ମାଲିକାନା ସତ୍ଵ !

ପରିସମ୍ପତ୍ତି ଅଧିଗ୍ରହଣ କରିବାକୁ ନେଇ ବିନୋଦ ଦାସ ଗୋଟିଏ ଚେକ୍ ସାଇନ୍ କରିଥିଲେ କଲିକତା ସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନୀ ସପକ୍ଷରେ । ଦୁର୍ଭାଗ୍ୟବଶତଃ ସେହି ଚେକଟି ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆକାଉଣ୍ଟରେ ନଥିବା କାରଣରୁ ବାଉନ୍ସ ହୋଇଥିଲା । ଏହାପରେ ବିନୋଦ ବାବୁ ସେହି କମ୍ପାନୀ ସହ ଲୁଚକାଳି ଖେଳ ଖେଳିବା ଆରମ୍ଭ କରିଥିଲେ । ଅର୍ଥ ପଇଠ କରିବାର ନାମ ଧରୁନଥିଲେ । ଅଗତ୍ୟା ତାଙ୍କ ନାମରେ କେସ୍ ଦାୟାର ହୋଇଥିଲା ସେହି କମ୍ପାନୀ ପକ୍ଷରୁ।

ଚେକ୍ ବାଉନ୍ସ କେସ୍ ହୋଇନଥିଲେ ହୁଏତଃ ଏହି ଯୁଗ୍ମ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇ ପାରିନଥାନ୍ତା ! ଦୁଇ ଦୁଇଟି ଅମୂଲ୍ୟ ଜୀବନ ବଳି ପଡିଥିଲା ପରକୀୟା ପ୍ରୀତି ଓ ତ୍ରିକୋଣୀୟ ପ୍ରେମ ସମ୍ପର୍କର ଦୁଃଖଦ ପରିଣତିରେ...



Rate this content
Log in

Similar oriya story from Thriller