Sambit Srikumar

Tragedy

4.1  

Sambit Srikumar

Tragedy

ପରୀ

ପରୀ

4 mins
183


ସିଏ ବି ତ କାହାର ଝିଅ ଥିଲା । ତା'ର ବାପାମାଆଙ୍କ ପାଇଁ ପରୀ ଥିଲା । ଦରୋଟି ହସ ତାର ସମସ୍ତ ଦୁଃଖ କଷ୍ଟ ହରି ନେଉଥିଲା ବାପାମାଆଙ୍କର, ପରିବାରର ସଭିଙ୍କର । ତାକୁ ଝିଅ ରୂପେ ପାଇ ବାପାମାଆ ନିଜକୁ ଦୁନିଆର ଶ୍ରେଷ୍ଠ ସୁଖୀ ବୋଲି ବିବେଚନା କରୁଥିଲେ । କଣ ବା କାହାର ସେ କି ଦୋଷ କରିଥିଲା ଯେ ଏତେ ବଡ଼ ସଜ୍ଜା ତାକୁ ମିଳିଲା? ଏ ମଣିଷ କଣ ସତରେ ଏତେ ନିଷ୍ଠୁର ହୋଇ ପାରେ? ମଣିଷପଣିଆ କଣ ଆଉ ନାହିଁ ଏ ଦୁନିଆଁରେ? ସତରେ କଣ ଦୁନିଆ ଧ୍ୱଂସ ହେବାକୁ ବସିଲାଣି?

ଉପାନ୍ତ ଅଞ୍ଚଳର ନିପଟ ମଫସଲ ନୁହେଁ ଖୋଦ୍ ଜିଲ୍ଲା ସଦରମହକୁମାର ଅନତି ଦୂରରେ ଥିବା ଗାଆଁଟିରେ ଦୀର୍ଘ ଦିନ ଧରି ନିଖୋଜ ଥିଲା କୁନି ଝିଅଟିଏ । ନାଁ ତାର ପରୀ । ତେଲ ଲୁଣର ଅଭାବୀ ସଂସାରରେ ଭାବର ଉଚ୍ଛ୍ୱାସଟେ ଥିଲା ସେ । ବିବାହର ଦୀର୍ଘ ବର୍ଷ ପରେ ଆସିଥିଲା ସେମାନଙ୍କ ଜୀବନକୁ ଖୁସିର ପସରା ମେଲି । ତା' ବାପାମାଆଙ୍କ ଆଖିର ତାରା ଥିଲା ସେ । ଅନ୍ଧର ଲଉଡି ଥିଲା ସେ । ପରିବାରର ଅଲିଅଳି କନ୍ୟା ଥିଲା ସେ । ସଭିଙ୍କର ଅତି ଆଦରର ପରୀ ଥିଲା ସେ । ତା'ର ନିଖୋଜ ହେବାରେ ଘରେ ହାହାକାର ଖେଳିଗଲା । କେହି ଖାଦ୍ୟ ଖାଇବା ତ ଦୂରର କଥା ଚୁଲି ମଧ୍ୟ ଜଳି ନାହିଁ ଘରେ ପରୀ ହଜିବା ପରେ।

ଗାଁ ଦାଣ୍ଡରେ ସାଙ୍ଗ ସାଥିଙ୍କ ମେଳରେ ଧୂଳି ଖେଳରେ ମଜ୍ଜି ଥିବା ବେଳେ କେହି ତାକୁ ଅପହରଣ କରି ନେଇଥିଲା ସଭିଙ୍କ ଅଲକ୍ଷ୍ୟରେ ଚକୋଲେଟ୍ ଖୁଆଇବାର ଲୋଭ ଦେଖାଇ । ଏମିତିରେ ତ ଧନୀ ପରିବାରର ଝିଅ ନଥିଲା ଯେ କେହି ମୁଣ୍ଡ ଜାମିନ ରଖି ଅର୍ଥ ଦାବି କରିବ ମୁକ୍ତ କରିବା ପାଇଁ । କିନ୍ତୁ କିଏ ବା କାହିଁକି ତାର ଅପହରଣ କରିବ? ଟିକି ଫୁଲଟିର ବା କାହା ସହିତ କି ଶତ୍ରୁତା? ନା ବାପାମାଆଙ୍କର କେହି ଶତ୍ରୁ ଏପରି ଭିଆଣ ଘଟାଇଛି? ସାଧାରଣ ଶ୍ରମଜୀବୀଟିର ବା କିଏ ଏମିତି ଶତ୍ରୁ ଯେ, ତାହାର ହସିଲା ଖେଳିଲା ସଂସାର ଉଜାଡ଼ି ଦେବ?

ନିଃସହାୟ ମାଆବାପ ଅନେକ ଦିନ ଧରି ସବୁଆଡ଼େ ଖୋଜା ଖୋଜି କରିବା ପରେ ମଧ୍ୟ କେଉଁଠୁ ବି ପତ୍ତା ମିଳିଲା ନାହିଁ ତାର । ସାହି ଭାଇ କାହାରି ଘରେ ହସ ଖୁସି ନାହିଁ ଯେବେ ଠାରୁ ପରୀ ନିଖୋଜ ହେଲାଣି । ହଠାତ୍ ଦିନେ କେହି ଜଣେ ଆବିଷ୍କାର କଲା କ୍ଲବ ଘର ପଛ ପଟେ ଥିବା ପୋଖରୀ କୂଳରେ ଗୋଟିଏ ପଚି ସଢି ଯାଇଥିବା କଙ୍କାଳସାର ଶବଟେ । ପ୍ରାଥମିକ ଅବସ୍ଥାରେ କୌଣସି ଛୋଟ ପିଲାର ବୋଲି ଜଣା ପଡୁଥିଲା । ନିଖୋଜ ଥିବା ଶିଶୁଟିର ଅପମୃତ୍ୟୁ ଘଟିନାହିଁ ତ? ଏପରି ଅନେକ ଅସୁମାରୀ ଅସମାହିତ ପ୍ରଶ୍ନ ସଭିଙ୍କ ମନରେ । ପରୀ ବ୍ୟତୀତ ଆଉ କେହି ତ ନିଖୋଜ ଅବା ନିରୁଦ୍ଦିଷ୍ଟ ହୋଇନାହିଁ ନିକଟ ଅତୀତରେ । ଏଣୁ ବିଗଳିତ ଶବଟି ପରୀର ବୋଲି ସଭିଙ୍କର ବଦ୍ଧମୂଳ ଧାରଣା।

ଶିଶୁ ସୁରକ୍ଷାର ଡିଣ୍ଡିମ ପିଟୁଥିବା ଓ ପରୀ ରଥଯାତ୍ରା କରୁଥିବା ପ୍ରଶାସନ ନିଦାବିଷ୍ଣୁ । ବାରମ୍ବାର ଗୁହାରି କରିବା ସତ୍ତ୍ୱେ ମଧ୍ୟ ପୋଲିସ୍ ଫାଇଲ କରୁନାହିଁ ବାପାମାଆଙ୍କର ଏତଲା । ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ କଥାରେ ଚାଲିଛି ଶାସନ । ନ୍ୟାୟ ଲାଗି ବାର ଓଳି ଶୁଣ୍ଢି ପିଣ୍ଡା ହେଉଥିବା ଗରୀବ ବାପାମାଆଙ୍କର ଦୁଃଖ ଦିଶୁ ନାହିଁ କାହାରିକୁ । ଓଲଟା ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର, ମରଣାନ୍ତକ ଆକ୍ରମଣ ହେଉଛି ଦିନ ଦିପହରରେ । କେଉଁ ସେଲିବ୍ରେଟି କେଉଁ ବ୍ରାଣ୍ଡର କେତେ ଦାମିକା ଜୋତା ପିନ୍ଧେ ତାହାର ତର୍ଜମା କରୁଥିବା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଆଜି ଦଲାଲ ସାଜି ସଉଦା କରୁଛି । ହିସାବ କରୁଛି ଲାଭ କେତେ କ୍ଷତି କେତେ? ମୂଲଚାଲ କରୁଛି ନିଜର ନ୍ୟସ୍ତ ସ୍ୱାର୍ଥର ସୁରକ୍ଷା ପାଇଁ।

ପରୀ ପାଇଁ ସ୍ୱର ଉତ୍ତୋଳନ କରିବ କିଏ? ପରୀକୁ ନ୍ୟାୟ ଦେବ କିଏ? କେତେ କଥା କେତେ ଗୁଜବ ସୃଷ୍ଟି ହୋଇଛି ଏଇ ପରୀକୁ ନେଇ । ସାମାଜିକ ଗଣମାଧ୍ୟମ ଠାରୁ ଜନରବ ଗୁଜବ, କେତେ ଲୋକ କେତେ କଥା କହୁଛନ୍ତି । କିଏ କହୁଛି କେଉଁ ଧନାଢ୍ୟ ବ୍ଯାପାରୀର ଏକମାତ୍ର ଶିଶୁର ଶରୀରରେ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଯଥା ହୃତପିଣ୍ଡ, ଫୁସଫୁସ, ଆଖି ଇତ୍ୟାଦି ପ୍ରତିରୋପଣ ପାଇଁ ପରୀକୁ ହତ୍ଯା କରାଯାଇଛି ତ ଆଉ କିଏ କହୁଛି ନିର୍ଭୟା ଅବା ଦିଶା ଘଟଣାର ପୁନରାବୃତ୍ତି ଘଟିଛି ଏଠି । ପାର୍ଥିବ ଶରୀରକୁ ରାସାୟନିକ ପଦାର୍ଥ ଦ୍ଵାରା ବିଘଟିତ କରାଯାଇଛି । କି ଘୃଣିତ କାର୍ଯ୍ୟ ଏଇ! ପରୀ ଭିନ୍ନ ଆଉ କିଏ ବା କହି ପାରିବ ପ୍ରକୃତରେ ତା ସହିତ କଣ ଅପରାଧ ସଂଘଟିତ ହୋଇଛି? କି କି ଯନ୍ତ୍ରଣା ସେ ସହ୍ୟ କରିଛି? 

ଏ ରାଜ୍ୟରେ ରାଜନୀତି ଏକ ବ୍ୟତିକ୍ରମ । ପଡିଶା ପାଇଁ କାନ୍ଦିବେ କିନ୍ତୁ ଘର ଲୋକଙ୍କ ପାଇଁ ଚୁପ୍ ଚାପ୍ ହୋଇ ବସି ରହିବେ । ଆଇନ୍ ତା' ବାଟରେ ଯାଉ ସ୍ଲୋଗାନରେ ବିଶ୍ୱାସୀ ଶାସକ ଦଳର ନେତାମାନେ ରାଜନୈତିକ ବାଧ୍ୟବାଧକତାରେ କେହି ବି ତୁଣ୍ଡ ଖୋଲୁ ନାହାଁନ୍ତି । ପ୍ରସଙ୍ଗବିହୀନ ବିରୋଧୀ ଦଳମାନେ ବି ନିଶ୍ଚୁପ । ଘଟଣାକୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ସଭିଏଁ ନିରବ । ତଥାକଥିତ ବୁଦ୍ଧିଜୀବୀମାନଙ୍କର ଘଟିଛି ନୈତିକ ସ୍ଖଳନ । ଧନର ପ୍ରାଚୁର୍ଯ୍ୟରେ ବିକ୍ରି ହୋଇଯାଇଛି ବିବେକ । ଏମାନଙ୍କ ପାଇଁ ଏଇ ଏକ ଛୋଟକାଟିଆ ଅଘଟଣ । କାରଣ ଗରୀବ ଝିଅଟିଏର ଜୀବନ ମରଣ ସେମାନଙ୍କ ପାଇଁ କିଛି ବିଶେଷ ମହତ୍ତ୍ୱପୂର୍ଣ୍ଣ ନୁହେଁ । ଯଦି ପରୀ ସେମାନଙ୍କ ନିଜର ଆତ୍ମଜା ହୋଇଥାନ୍ତା, ଏପରି କଥା ସେମାନେ କହିଥାନ୍ତେ କି??

ସଭିଏଁ ତ ଏଠି ପରୀକୁ ନ୍ୟାୟ ଦେବାର ରାସ୍ତାରେ କଣ୍ଟା ଆଉ କାହାକୁ କଣ କହିବା? ଘୁଣ ଖିଆ ବ୍ୟବସ୍ଥା କେବେ ବି ନ୍ୟାୟ ପ୍ରଦାନ କରି ପାରିବ ନାହିଁ । ଏଇ ଦୁନିଆରେ ଅନେକ ପରୀ ଦୁନିଆକୁ ସଂପୂର୍ଣ୍ଣ ଭାବେ ଦେଖିବା ପୂର୍ବରୁ ଦୁନିଆରୁ ଦୁଃଖଦ ବିଦାୟ ନେଉଛନ୍ତି । ଅତୃପ୍ତ ଆତ୍ମା ଯଦି ସତରେ କେବେ ପ୍ରତିଶୋଧ ନେଉଥାଆନ୍ତା ଅବା ନେଉଥିବ, ତେବେ ପରୀ ହିଁ ପରୀକୁ ନ୍ୟାୟ ଦେବ, ଏଇ ମଣିଷମାନଙ୍କ ଦ୍ୱାରା ନ୍ୟାୟ କଳଙ୍କିତ ହୋଇଯାଇଛି । ଏମାନଙ୍କ ଠାରୁ ମାନବିକତା ଆଶା କରିବା ନିରର୍ଥକ ପଥରରେ ମଥା ପିଟିବା ସହ ସମାନ । ହୃଦୟ ଥିଲେ ସିନା ସ୍ପନ୍ଦନ ଥାଆନ୍ତା, ପଥର କଣ କେବେ ତରଳି ପାରେ??



Rate this content
Log in

Similar oriya story from Tragedy