Satyabati Swain

Tragedy

4.7  

Satyabati Swain

Tragedy

ପରି

ପରି

10 mins
383


ମା ଓଦା ତକିଆ ଖରା ଦେଲା ବେଳେ ମୁଁ ପଚାରେ, " ପରି ! ପ୍ରତିଦିନ ତକିଆ ଖରା କାହିଁକି ଦେଉ ?"


ଶୁଖିଲା ହସଟିଏ ହସି ପରି କୁହେ , "ସ୍ୱପ୍ନକୁ ଶୁଖାଉଛି।"


ଆଁ ! ସ୍ବପ୍ନ କଣ ଓଦା ହୋଇଛି ଯେ ତୁ ଶୁଖାଉଛୁ ?


ହଁ ମୋ ସ୍ବପ୍ନ ଓଦା।


ମୁଁ ତ ଓଦା ସ୍ୱପ୍ନ ଦେଖେନି !


ପରି ମୋତେ କୋଳକୁ ଟାଣି ନେଇ କୁହେ , "ତୋ ପାଇଁ ଓଦା ସ୍ବପ୍ନ ପରା ମୁଁ ଦେଖୁଛି ! ତୁ କେବଳ ରଙ୍ଗିନ୍ ସ୍ବପ୍ନ ଦେଖେ।"


ଓ ପରି ! ତୁ ବେଳେ ବେଳେ ମୋତେ ଅଚିହ୍ନା ଲାଗୁ। ମା କୁ ମୁଁ ପରି ଡାକେ।ଜେଜେମା, ଜେଜେ ଓ ମୋ ଚାରିପାଖ ଲୋକେ ମାକୁ ପରି ଡାକନ୍ତି।ଏଇ ନାଁ ସହ ହେତୁ ପାଇଲା ଦିନୁ ମୁଁ ପରିଚିତ । ମୋ ଜୀବନ ପ୍ରଥମ ଅକ୍ଷର ପ ଏବଂ ପ୍ରଥମ ଶବ୍ଦ ପରି ହିଁ ଥିଲା।


ମୁଁ କେନ୍ଦ୍ରବିନ୍ଦୁ ମା ସେଇ ବିନ୍ଦୁର ପରିଧି।


ସ୍ୱପ୍ନ ! ତକିଆ ! ପୁଣି ଶୁଖା ! ହେ ପରି, ତୁ କଣ କହୁଛୁ ମୋ ମୁଣ୍ଡରେ ପଶୁ ନାହିଁ।


ହେଉ ତୁ ବହୁତ ପଢି ବଡ଼ ହୋଇଯା।ତାପରେ ଓଦା ସ୍ୱପ୍ନ କଥା ଆପେ ବୁଝି ପାରିବୁ।


ପିଲାଦିନେ ମୁଁ ତ ଶୋଇପଡ଼େ କିନ୍ତୁ ମୋ ମା ପରି, ରାତିସାରା ବୋଧେ ଶୋଇପାରେ ନାହିଁ। ଯେତେବେଳେ ଉଠି ପଡି ମା ଡାକଟିଏ ଡାକିଦିଏ ସଙ୍ଗେ ସଙ୍ଗେ କୁହେ କଣ କି ମା ? ଟଏଲେଟ ଯିବୁ ? ପାଣି ପିଇବୁ?

,ଭୋକ ହେଉଛି କି ବିଧି ?


ମା କଣ ଶୁଏ ନାହିଁ !! ମୁଁ ଚକିତ ହୁଏ।ପଚାରେ ପରି ଶୋଇନୁ ଏଯାଏ ?


ନିଦ ହେଉନି ଧନ।ଏତକ କହି ମା ବାରମ୍ବାର କଡ଼ ଲେଉଟାଉଥାଏ। ମୋତେ ଥାପୁଡ଼ାଇ ଦିଏ ଓ ମୁଁ ପୁଣି ଶୋଇପଡ଼େ।


ମୋ ମା ପରିଧି ବିଶ୍ବାଳ, ଦେଖିବାକୁ ବହୁ ସୁନ୍ଦର,ଠିକ୍ ପରିଟିଏ ପରି।ମୁଁ ଯେତେ ସ୍ତ୍ରୀ ଲୋକ ଦେଖିଛି ସେମା

ନଙ୍କ ଭିତରେ ମୋ ମା ଯେ ଟପ୍ ହେବ ଏହା ନିଃଦ୍ଵନ୍ଦରେ କୁହାଯାଇ ପାରେ।ମା ଟିକେ ଅପେକ୍ଷାକୃତ ଚୁପ୍ ଚାପ୍ ଗମ୍ଭୀର ସ୍ୱଭାବର।ମୁଁ କିନ୍ତୁ ତାର ଓଲଟା।ସବୁବେଳେ ବକ୍ ବକ୍ ହେଉଥିବି।କଣ,କାହିଁକି,କେମିତି,କିଏ,

କୁଆଡେ ଯେତେ ପ୍ରଶ୍ନ ସବୁ ପଚାରୁଥିବି ମା ପଛେ ପଛେ ଗୋଡ଼ାଇ।ମୁଁ ପ୍ରଶ୍ନ ପାହାଡ଼ ଗଦା କରି ଦେଇ ଥକି ପଡେ ପଛେ, ମା କିନ୍ତୁ ଉତ୍ତର ଦେବାରେ ଟିକେ ଥକେନି କି ବିରକ୍ତ ହୁଏନି।ଆଗେ ଜେଜେ ଓ ଜେଜେ ମା ଥିଲେ।ଘରଟି ଘର ପରି ଲାଗୁଥିଲା। ବାପାଙ୍କୁ ଆଦୌ ଦେଖିନି। ମୁଁ ମା ପେଟରେ ଥିଲି।ଛଅ ମାସ ବେଳକୁ କେହି ଜଣେ ମୋ ବାପାଙ୍କ ମର୍ଡର କଲା।ଏଣୁ ବାପା ନଥିବା ଝିଅ ମୁଁ ବିଧି ,ବିଧାନ ଓ ପରିଧି ବିଶ୍ୱାଳଙ୍କ ଏକମାତ୍ର ଝିଅ।ଉତ୍କଟ ଅଭାବ ନାହିଁ। ଅତି ଭାଵ ବି ନୁହେଁ।ମନ ଖୁସି କରିବା ପାଇଁ ଆବଶ୍ୟକ ଉପାଦାନରେ ଅଭାବ ଅଛି।ସବୁଠାରୁ ବଡ଼ ଅଭାବ ମୋ ପାଇଁ ଜଣେ ବାବାର ସ୍ନେହ।


ସ୍ନେହ ମମତାରେ ଅଭାବୀ ଘରେ ଜେଜେ ଓ ଜେଜେମା ଙ୍କ ପରେ ଆମେ ଦୁଇଟି ମଣିଷ।ମୋର ପାଟି ଶୁଭେ, ଆଉ ମା କେବଳ ଘଣ୍ଟା ପରି ତା କାମ କରିବା ଶବ୍ଦ।ମା ମୋତେ କୌଣସି ଦିନ ବାବାର ଅଭାବ ଅନୁଭବ କରିବାକୁ ଦେଇନାହିଁ।କିନ୍ତୁ ବାବା ତ ବାବା।ମା ବାବା କାମ ତ କରିଦିଏ ସିନା ବାବା କଣ ହୋଇପାରେ ! ମା ବି ବାବା ଓ ମା ଦୁଇଟି ଭୂମିକା ନିଭେଇ ନିଭେଇ ରକ୍ତ ମାଂସର ନିର୍ଜୀବ କଣ୍ଢେଇ ହୋଇ ଯାଉଥିଲା ଧୀରେ ଧୀରେ।


ମଣିଷ ଚାହିଁବା ବଡ଼ ବିଚିତ୍ର।ପାଖରେ ଥିବା ଜିନିଷ ପ୍ରତି ଯେତେ ଆସକ୍ତି ନଥାଏ,ପାଖରେ ନଥିବା ଚିଜ ପ୍ରତି ତାଠୁ ଅଧିକ ଆସକ୍ତି ଓ ଝୁରା ପଣ କାହିଁକି ଭର୍ତ୍ତୀ ଥାଏ କେଜାଣି ! ବାବା କିମ୍ବା ବାବା ସ୍ନେହ ମୋ ପାଇଁ ଏ ଜୀବନରେ ସମ୍ଭବ ନୁହେଁ ଜାଣି ବି ତା ପାଇଁ ଏତେ ଅବଶୋଷ କାହିଁକି !


ବାବା ମନସ୍କ ମନଟି ମୋର ଉତ୍ତ୍ୟକ୍ତ ହୋଇଯାଏ ଓ ମୋ ବାବାକୁ ମର୍ଡର କରିଥିବା ଲୋକଟାକୁ ମୁଁ ଅତି ଅଧିର ହୋଇ ଖୋଜେ।ପାଇ ଯାଆନ୍ତି କି ସେଇ ନିଷ୍ଠୁର ନିର୍ଦ୍ଦୟ ମଣିଷଟାକୁ ପାଖରେ, ପଚାରନ୍ତି କାହିଁକି ମୋତେ ମୋ ବାବା ମୁହଁ ଦେଖାଇବାରୁ ବଞ୍ଚିତ କଲା ? ମା କୁ ଯେତେ ଥର ପଚାରିଛି କିଏ ଓ କାହିଁକି ମୋ ବାବାଙ୍କୁ ମର୍ଡର କଲା, ମା କେବଳ ଲୁହ ନିଗାଡିଛି ନିରବରେ ପଛେ ମୁହଁ ଖୋଲିନି। ମୋ ମା କାନ୍ଦୁ ଏକଥା ମୁଁ ତ କେବେ

 ଚାହେଁନି। ସେଥିପାଇଁ ଏ ପ୍ରଶ୍ନଟି ଆଉ ପଚାରିନି।


ମୋର ଯେତେ ବୟସ ବଢ଼ୁଥିଲା ମା ଓ ମୋ ଭିତରେ ଦୂରତା ସେତେ ବଢ଼ୁଥିଲା। କାରଣ ମୋ ସାଙ୍ଗ ସାଥୀଙ୍କ ଘରେ କହୁଥିଲେ ମୋ ମା ହିଁ ମୋ ବାବା ମର୍ଡର ପାଇଁ ଦାୟୀ।


ଏଇ କଥାଟି ଭିତରେ ଭିତରେ ମୋତେ ଖାଇ ଯାଉ

ଥିଲା।ଭାବୁଥିଲି ପଚାରିବି କି, " ପରି ତୁ ସତରେ ମୋ ବାବା ମର୍ଡର ପାଇଁ ଦାୟୀ ? "ହେଲେ ସାହସ କୁଳେଇ ପାରୁ ନଥିଲି।ମୋ ମା ତ ସବୁଥିରେ ପରଫେକ୍ଟ୍ ।କୌଣସି କଥାରେ ଏତେ ଟିକେ ଭୁଲ୍ ବି କରେନି।ସଭିଏଁ କୁହନ୍ତି ପରି ମାମ୍ ଜଣେ ସଂସ୍କାରୀ, ସ୍ୱାଭିମାନି ମଣିଷ।ଅତି ଉତ୍ତମ ମହିଳା।ସ୍କୁଲ ,କଲେଜ,ସାଇ ଭାଇ, ବନ୍ଧୁ ବାନ୍ଧବ ଓ ଅଫିସ୍ ଲୋକେ ସମସ୍ତେ ମା ବ୍ୟକ୍ତିତ୍ୱରେ ମୁଗ୍ଧ।ସେ କେମିତି ନିଜ ସ୍ୱାମୀର ମର୍ଡର କାରଣ ହୋଇଥିବେ !!


ଦିନୁ ଦିନ ମାନସିକ ଚାପ ମୋର ବଢି ଯାଉଥିଲା।ନ ଚାହିଁଲେ ମଧ୍ୟ ମା ସହ ମୋ ଦୂରତା ଲମ୍ବି ଲମ୍ବି ଯାଉଥିଲା ଅସ୍ୱାଭିକ ଭାବେ।


ମାକୁ ବୟାଳିଶିକୁ ମୋତେ ବାଇଶି।ଦୁଇ ଜଣଙ୍କ ବୟସ ଭିତରେ ଦୂରତ୍ୱ ଖୁବ୍ ଲମ୍ବି ଯାଉଥିଲା ଦିନକୁ ଦିନ।


ମା ଦିନେ କହିଲା ବିଧି ତୋତେ ଆଉ ମୁଁ ମୋ ଭିତରେ ପାଉନି କେଉଁଠି ହଜି ଯାଇଛୁ ଝିଅ ! ତୋ ଅନୁପସ୍ଥିତି ବି ମୋତେ ତୋର ଉପସ୍ଥିତ ଜାହିର୍ କରାଉଥିଲା।କିନ୍ତୁ ଏବେ ତୋର ଉପସ୍ଥିତିରେ ବି ମୁଁ ଖାଲି ଖାଲି ଅନୁଭବ କରୁଛି ! ଏବେ ମୋ ପାଖେ ତୋତେ ପାଉନି ! କଣ ହୋଇଛି ମା !! ମୁଁ ତୋ ପରି ନା ? ଯାହା ,ଯେଉଁ ସଂଶୟ ତୋତେ ଅଧିର କରିବେ କିଛି ଚିନ୍ତା ନ କରି ମୋତେ ଆଗ କହିବୁ।


ଦେଖ୍ ମା ବୟସ ବଢିଲେ ଆମ ମନ, ଭାବନା,ଚିନ୍ତା, ଓ ଶରୀରରେ ଅନେକ ପରିବର୍ତ୍ତନ ଆସେ।ଏହା ହିଁ ସୃଷ୍ଟିର ସତ୍ୟ ନିୟମ।ଶୈଶବ, କୈଶୋର ଡେଇଁ ଯେ କୌଣସି ଜୀଵ ଯୌବନରେ ଯେବେ ପାଦ ଦିଏ,ତା ଆଗରେ ଅନେକ ବିସ୍ମୟ ତଥ୍ୟ ଠିଆ ହୁଅନ୍ତି।ସେଗୁଡିକୁ ଗ୍ରହଣ କରିବା ହିଁ ଜୀବନ। ଏଇ ଯୁବା ସମୟଟି ଭାରି ପ୍ରେମ ପ୍ରବଣ।ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହୁଏ।ଶରୀର ଆଉ ଗୋଟେ ଶରୀର ଚାହେଁ।


ଏଇ ଭାବପ୍ରବଣ ବାଟଟି ଏକଦମ୍ ଖସଡ଼ା।ଥରେ ଗୋଡ଼ ଖସି ଗଲେ ପଛକୁ ଫେରିବା ଅସମ୍ଭବ ହୋଇପଡେ।ଏଇ ବେଳର ଠିକ୍ ନିଷ୍ପତ୍ତି ଜୀବନକୁ ସହଜ କରେ।ଆଉ ଭୁଲ୍ ନିଷ୍ପତ୍ତି ଜୀବନ ବର୍ବାଦ କରିଥିଏ।


ଆଉ ଗୋଟେ କଥା ମନେ ରଖିବୁ ବିଧି ,ସୁନ୍ଦର ହେବା ଅଭିଶାପ।ବଗିଚାରେ ଅନେକ ଫୁଲ ଫୁଟେ।ମାତ୍ର ଯେଉଁ ଫୁଲଟି ଅଧିକ ସୁନ୍ଦର,ସତେଜ ଓ ବାସ୍ନା ଯୁକ୍ତ ସେ ଫୁଲ ପ୍ରତି ସମସ୍ତେ ଆକୃଷ୍ଟ ହୁଅନ୍ତି।ଫୁଲଟିକୁ ତୋଳିବାକୁ ଅନେକ ହାତ ଭିତରେ ପ୍ରତିଦ୍ଵନ୍ଦିତା ଚାଲେ।କିଏ ସେ ଫୁଲ ପାଇ ଖୁସି ହୁଏତ; କିଏ ନ ପାଇ ପ୍ରତିଶୋଧ ପରାୟଣ ହୋଇ ହିଂସ୍ର ହୋଇ ଉଠେ।


ତୁ ତ ମୋର ଖାଲି ଅତିସୁନ୍ଦର ନୁହଁ ସତେଜ ସଂସ୍କାରୀ ବାସ୍ନା ଯୁକ୍ତ ଫୁଲଟିଏ।ଖୁବ୍ ହୁସିଆର ଥିବୁ ମା।କିଛି ବି ନିଷ୍ପତ୍ତି ତୋ ଜୀବନ ଗଢି ପାରେ ବା ଭାଙ୍ଗି ପାରେ।ମୋ ବିଧି ଯାହା କରିବ,ଭାବି ଚିନ୍ତି କରିବ ଏ ବିଶ୍ୱାସ ମୋର ଅଛି।


ମୋ ପରି ମା ଯାହା କୁହେ ଅକ୍ଷରେ ଅକ୍ଷରେ ସତ।କିନ୍ତୁ ଏସବୁର ମୁଁ ଧାର ଧାରେନି। ଜୀବନ ପାଇଁ ସଂଗ୍ରାମ କରୁଥିବା ଲୋକ ଆଖିରେ ଅର୍ଜୁନ ପରି ମାଛ ଆଖି 'ଲକ୍ଷ୍ୟ' ହିଁ ଥାଏ।କ୍ୟାରିଅର୍ ଗଢିବା, ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କରିବା ଓ ପରି ମା କୁ ସୁଖ ସ୍ୱାଛଂଦ୍ୟ ଜୀବନଟିଏ ଉପହାର ଦେବା ତ ମୋ ଲକ୍ଷ୍ୟ।


କେମିତି କହିବି ଲୋ ପରି ! ମୋ ପରିବର୍ତ୍ତନ ତୋ ପାଇଁ !ମୋ ଅବସାଦର କାରଣ ତୁ।


ମା ର ଏ ଅସହାୟ ପ୍ରଶ୍ନ ମୋତେ ବହୁତ ପୀଡା ଦିଏ।କିନ୍ତୁ କହି ପାରେନି କି ମା ଲୋ ତୁଇ ତ ଏହାର କାରଣ। ମୁଁ ପେଟରେ ଛଅ ମାସର ହୋଇଥିଲି, ମା ର କଷ୍ଟମୟ ଜୀବନ ଆରମ୍ଭ ହୋଇଛି।ମୁଁ ଦେଖିଛି ତା ଯନ୍ତ୍ର ଣା, ଦୌଡା।ମୋ ପୃଥିବୀ ମୋ ମା।ମା ର ବିଶ୍ୱ ମୁଁ।


ମା କୁ ମୁଁ ଯେତେବେଳେ ମୁଁ ଏ ପରି,ଅପ୍ସରୀ,ସୋନ୍ ପରି ମଜା କରିବାକୁ ଡାକିଦିଏ, ମା ମୁହଁ ଖୁସିରେ ବୁଡିଯାଏ।ବେଶୀ ଯେତେବେଳେ ମୁଁ ଡାକିଦିଏ "ଏ ପରି ଡାର୍ଲିଂଗ ମୋ ସୋନା ସୁଇଟି" କହି ମା କୁ ପଛପଟୁ ଜାବୁଡି ଧରେ ,ମା ଚମକି ପଡେ।ତା ଆଖିରେ ବିସ୍ମୟ ଚହଲି ଯାଏ।


ମୋତେ ତା ଛାତିରେ ଜାକି ଧରି ଅନ୍ୟ ମନସ୍କ ହୋଇ

ଯାଏ।ଲମ୍ବା ଦୀର୍ଘଶ୍ଵାସ ଟିଏ ତା ଭିତରୁ ବାହାରି ଯିବା ମୁଁ ଅନୁଭବ କରେ।ତା ଅର୍ଥ ଏଇ ନାଁ ଟି ପ୍ରତି ମା ର ଖୁବ୍ ଦୁର୍ବଳତା ଅଛି। କିଏ ସେ ଯେ ମୋ ମା କୁ ଏମିତି ନାଁ ରେ ଡାକେ !ଯେଉଁ ଡାକ ଶୁଣିଲେ ମା ଏତେ ଆନମନା ହୋଇଯାଏ ?


ଓଃ ମୋ ଭିତରେ ଏତେ ଗୁଡିଏ ପ୍ରଶ୍ନ ମୋତେ ଅବସାଦ ଗ୍ରସ୍ତ ଜୀବନ ଟିଏ ଦାନ ଦେଉଛି।ମୁଁ ମୋ ପୃଥିବୀ ମା ଠାରୁ ଦୂରକୁ ଦୂରକୁ ପେଲି ହୋଇ ଯାଉଛି।


ଏବେ , ମୁଁ ମୋ ମା କୁ ସନ୍ଦେହ କରୁଛି।ଆଗ ପରି ମା ସହ ଭଲରେ କଥା ହେଉନି।କଙ୍ଗାରୁ ଛୁଆ ପରି ମା ପେଟ ତଳେ ନ ପଶିଲେ ମୋତେ ନିଦ ହୁଏନି।ଏତେ ବଡ଼ ହେଲେବି କୋଳରେ ପଶେ ଓ ଛାତିରେ ମୁହଁ ଗୁଂଜିଦିଏ। ମା ଝିଅ ଦୁହେଁ ଧରା ଧରି ହୋଇ ସ୍ୱପ୍ନରେ ଭାସୁ।ଅବଶ୍ୟ ଏକା ସ୍ୱପ୍ନ ଦେଖୁ କି ନାହିଁ ସେ କଥା ଜାଣିନି । କିନ୍ତୁ ମା କୋଳରୁ ହିଁ ମୋ ସ୍ବପ୍ନ ଆରମ୍ଭ।


ମୁଁ ଶୋଇ ପଡିଲେ ସ୍ୱପ୍ନ ଦେଖେ।ମା ଖୋଲା ଆଖିରେ  ସ୍ୱପ୍ନ ଦେଖେ।ମୁଁ ମା କୋଳରେ ପଶୁ ପଶୁ ଶୋଇପଡ଼େ।କିନ୍ତୁ ମା ଶୋଇ ପାରେନି ବୋଧେ।ଖୋଲା ଆଖି ତଳ ସ୍ୱପ୍ନରେ ତକିଆ ଓଦା ହୁଏ ତାର ନିତି। ମା ନିତି ତକିଆ ଖରାରେ ଶୁଖାଇ ପୁଣି ତାକୁ ପ୍ରସ୍ତୁତ କରେ ଭିଜିବା ପାଇଁ।


ଏମିତି ଦୁଃଖକୁ ପିଇ ପିଇ ବଞ୍ଚୁଥିବା ମା କୁ ମୁଁ ସନ୍ଦେହ କରୁଛି !! ପୁଣି ପର ଲୋକଙ୍କ କଥାରେ !! ନିଜକୁ ବୁଝେଇବାକୁ ଚେଷ୍ଟା କରେ।


ମୁଁ ଲକ୍ଷ୍ୟ କରେ ପ୍ରତି ରବିବାର ମା ସବୁଦିନ ଅପେକ୍ଷା ନିଜକୁ ଟିକେ ଅଧିକ ସଜବାଜ କରେ।ପିଆଜ, ବିଲାତି,କ୍ୟାପିସିକମ୍ ଦେଇ ପନିର୍ ଓ ବେସର ମୋ ଫେଭ୍ ରିଟ୍ ଖାଦ୍ୟ ପ୍ରସ୍ତୁତ କରେ ।ମୋତେ ଖାଇବାକୁ ନ ଦେଇ ଆଗ ଟିଫିନ୍ କାହା ପାଇଁ ପ୍ୟାକ୍ କରେ ! ମୁଁ ଡିଟେକ୍ଟିଭ ପରି ମା ର ପ୍ରତି କଥାରେ କିଛି ଖୋଜେ। ମୋ ମାନସିକ ଚାପର କାରଣ ହୁଏତ ଏହା ସହ ସଂଶ୍ଳିଷ୍ଟ ହୋଇଥାଇ ପାରେ। ପ୍ରାୟତଃ ମା ଏପରି କରେ।ପଚାରିଲେ କୁହେ, "ତୁ ମୋତେ ଅପେକ୍ଷା କରିବୁନି।ଖାଇନେବୁ।ଏ ଟିଫିନ୍ ଜଣେ ସାଙ୍ଗକୁ ଦେଇ କି ଆସିବି।"


ସାଙ୍ଗ ! କିଏ ଏମିତି ସାଙ୍ଗ ,ଯେ ମୋ ଠାରୁ ମୋ ପାଖେ ପ୍ରିୟ!!


ବହୁତ ଈର୍ଷ୍ୟା ହୁଏ ମା ର ସେ ସାଙ୍ଗ ପ୍ରତି।ପରି ! ତୁ ପ୍ରାୟ ରବିବାର ତୋ ସାଙ୍ଗ ପାଖକୁ ଖାଦ୍ୟ ନେଇ ଯାଉଛୁ।କିନ୍ତୁ ସେ ସାଙ୍ଗ ଦିନେ ତ ଆମ ପାଖକୁ ଆସି ନାହାନ୍ତି !!


ସେ ଆସି ପାରିବ ନାହିଁ,ତାର ବହୁତ ଅସୁବିଧା। ଗୁଡିଏ ଋଣ ତାର ମୋ ଉପରେ।ଋଣ ତ ସୁଝି ପାରିବି ନାହିଁ।କିଛି ସୁଧ ପୈଠ କରିବାକୁ ମୋତେ ହିଁ ପଡିବ।


ପରି ! ତୁ କଣ ଯେ କହୁ ?


ହେଉ ଏତେ ମୁଣ୍ଡ ଖେଳନା। ହଁ ବଡ଼ ହେଲୁଣି ମୋର କାର୍ଯ୍ୟ କଳାପ ତୋତେ ସନ୍ଦେହ ଘେରରେ ବେଳେ ବେଳେ ପକାଇବ।କିନ୍ତୁ ବିଧି ଏତିକି ଭରସା ମୋ ଉପରେ ରଖିବୁ ନିଶ୍ଚିନ୍ତ ଯେ ,ତୋ 'ପରି' କେବେ କୌଣସି ଦିନ ଖରାପ କାମ କରେ ନାହିଁ କି ଭବିଷ୍ୟତରେ କରିବ ନାହିଁ।


ମୁଁ ଚୁପ୍ ହୋଇଯାଏ।ମା ଜାଣି ଗଲାଣି ବୋଧେ ,ମୁଁ ତାକୁ ସନ୍ଦେହ କରୁଛି।ଦିନେ ରବିବାର ମା କୁ ମୁଁ ଲୁଚି ଲୁଚି ଫଲୋ କଲି।


ଆରେ ଏ କଣ ! ମା ଗୋଟେ ଜେଲ୍ ଭିତରକୁ ଗଲା ? ଦରୁଆନ୍ ପାଖରୁ ବୁଝିଲି, ମା ଅନେକ ବର୍ଷ ଧରି ଆସନ୍ତି ଏଠିକୁ।


ଓଃ ଜଣେ କଏଦୀ ତାହେଲେ ମା ଙ୍କ ବନ୍ଧୁ।ଆହୁରି ରହସ୍ୟମୟ ହୋଇଯାଏ ମା ମୋ ଆଗରେ।ନା ଆଜି ହିଁ ସବୁ କ୍ଲିଅର ହେବାର ଅଛି।ଆଉ ଏତେ ଚାପ ନେଇ ବଞ୍ଚି ହେବନି। ହୁଏତ ବମ୍ ହୋଇ ଫଟାଇବ ମୋତେ।ଫାଟିଯିବ ମା ଓ ମୋ ପୃଥିବୀ।


ପ୍ରତିଥର ମା ତାଙ୍କ ସାଙ୍ଗ ପାଖରୁ ଫେରିଲା ବେଳକୁ ଖୁବ୍ କ୍ଳାନ୍ତ ଅବଶ ଦିଶନ୍ତି।ତାଙ୍କ ମୁହଁ ଦେଖିଲେ ଦୟା ଲାଗେ। ହେଲେ ଆଜି ମୁଁ ସ୍ଥିର କରିଛି ସବୁ କଥା ମା ଠାରୁ ଆଦାୟ କରିବି।ମା କୁ କବାଟ ଖୋଲି ଗେହ୍ଲେଇ ପଚାରିଲି, ସବୁଦିନେ ଏକା ଯାଉଛୁ ମୋତେ କେବେ ତୋ ସାଙ୍ଗ ସହ ପରିଚିତ କରାଇବାକୁ ନେଉନୁ ତ !


ମା ଦୀର୍ଘଶ୍ଵାସ ପକାଇ କହିଲା, ତୁ କାହିଁକି ସେଠିକି ଯିବୁ। ମୁଁ ସିନା ଋଣ ସୁଝିବାକୁ ଯାଉଛୁ।ତୁ କାଇଁ ଯିବୁ ?ଭଲ ପିଲା ସେଠିକି ଯାଆନ୍ତି କି?


ତା ଅର୍ଥ ଗୋଟେ ଖରାପ ଜାଗାର ଖରାପ ଲୋକ ପାଖକୁ ଏତେ ସ୍ନେହ ଶ୍ରଦ୍ଧା ଭରି ଖାଦ୍ୟ ନେଉ ତୁ କାହିଁକି ଯାଉ।କଣ ସମ୍ପର୍କ ସେ ଖରାପ ଲୋକ ସାଙ୍ଗରେ! କହୁଥିଲୁ ନା ମୁଁ ତୋ ଭିତରେ କାହିଁକି ନାହିଁ ! ଏଇ ପ୍ରଶ୍ନ ମୋତେ ଅହରହ ଖାଉଛି ପରି।ମୋତେ ବଞ୍ଚା।ନଚେତ ମୁଁ ପାଗଳ ହୋଇଯିବି ପରି।


ମା କାବା ହୋଇଗଲା।ବିଧି ମୋ ସୁନା।ମୋର ଭୁଲ୍ ହୋଇ ଯାଇଛି ମା।ଏକଥା ତୋତେ ବହୁତ ଆଗରୁ କହିବାର ଥିଲା।ମା ଟିଏ ନା। ଭାବୁଥିଲି ତୁ ସେଇ କୁନି ବିଧି ହୋଇ ଅଛୁ।ମୋ ଆଖିକୁ ତୁ ଏତେ ବଡ଼ ଦିଶୁ ନଥିଲୁ।ସେଥିପାଇଁ ଏ କଥାଟି ତୋତେ କହିବା ଜରୁରୀ ମନେ କରୁ ନଥିଲି।


ତେବେ ଶୁଣୁ । ମୁଁ ପ୍ରତିଦିନ ମୋ ବନ୍ଧୁ ପ୍ରତୀକ ପାଇଁ ଖାଦ୍ୟ ନେଇ ଯାଏ।ଯିଏ ତୋ ବାବାଙ୍କୁ ମର୍ଡର କରିବା ଅପରାଧରେ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ।


ତୁ 'ପରି' ସେଇ ନିଷ୍ଠୁର ଲୋକ ପାଖକୁ ଖାଦ୍ୟ ନେଇ ଯାଉ ଯେ ମୋ ବାବାଙ୍କୁ ମର୍ଡର କରିଛି !


ଆଇନ କୁହେ ସେ ତୋ ବାବାଙ୍କୁ ମର୍ଡର କରିଛି।କିନ୍ତୁ ମୁଁ ଜାଣିଛି ସତ କଣ?


ସେଦିନ ହର୍ଷ ବାବୁ, ତୋ ବାବାଙ୍କ ଅଫିସର ଡ଼ାଇରେ

କ୍ଟରଙ୍କ ପୁଅ ଜନ୍ମ ଦିନ ପାର୍ଟିକୁ ଆମେ ଯାଇଥାଉ। ହର୍ଷ ବାବୁଙ୍କ ପୁଅ ବିଶାଳର ସେଦିନ ଏକୋଇଶି ତମ ଜନ୍ମ ଦିନ ଖୁବ୍ ଧୁମ୍ ଧାମ୍ ରେ ପାଳିତ ହେଉଥାଏ।ଖାଦ୍ୟ, ବାଦ୍ୟ,ନାଚ, ଗୀତ, ଫରେନ୍ ଲିକର୍ ବର୍ଷା ହେଉଥାଏ ସେ ପାର୍ଟି ରେ। ତୁ ସେତେବେଳେକୁ ମୋ ପେଟରେ।ମୋତେ ଘୋ ଘୋ ମାଂସ, ମଦ, ଗନ୍ଧରେ ଅଇ ଉଠାଉ

ଥାଏ।ଡ଼ାଇରେକ୍ଟର ନିମନ୍ତ୍ରଣ କରିଛନ୍ତି ନ ଗଲେ ନ ଚଳେ ବୋଲି ତୋ ବାବା ଓ ମୁଁ ବାଧ୍ୟ ହୋଇ ଯାଇ ଥାଉ।ଏଣୁ ମୁଁ ଏକୁଟିଆ ଗୋଟିଏ କଡ଼ରେ ଚୁପ୍ ଚାପ୍ ବସିଥାଏ।


ସମସ୍ତେ ନାଚ ଗୀତରେ ମସ୍ତ।ତୋ ବାବା ବି ପିଇ ଦେଇ ଚୁର୍।ହଠାତ୍ ବିଶାଳ ମୋ ପାଖକୁ ଆସି କହିଲା,ୱାଓ ! କି ସୁନ୍ଦର ତଟକା ମାଲ୍ !ଆସ ମୋ ସଂଗେ ଡ୍ୟାନ୍ସ କର୍। ମୁଁ ଅନିଚ୍ଛା ପ୍ରକାଶ କରିବାରୁ ସେ ଓ ତାର କେତେ ଜଣ ସାଙ୍ଗ ମୋତେ ଭିଡି ନେଇଗଲେ। ମୋ ସହ ଜବରଦସ୍ତ ଡ୍ୟାନ୍ସ କରିବାକୁ ଚାହିଁଲେ।ମୋ ଶାଢ଼ୀ ଖୋଲିବାକୁ ବି ପଛାଇଲେ ନାହିଁ।ଏସବୁ ଦେଖି ତୋ ବାବା ସେମାନଙ୍କୁ ବିରୋଧ କଲେ।ସେ ପାର୍ଟି ରେ ସମସ୍ତେ ମୋ ରୂପ ଯୌବନ ଉପଭୋଗ କରିବାକୁ ଡାହାଳ କୁକୁର ପରି ଚାହୁଁଥିଲେ।ବିଶାଳ ଓ ତା ଚାରି ଜଣ ସାଙ୍ଗଙ୍କ ସହ ତୋ ବାବା ଏକା ମୋତେ ରକ୍ଷା କରିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି।କିନ୍ତୁ ଜଣେ ପୁଣି ପିଇଥିବା ମଣିଷ ର କେତେ ବଳ ଯେ ସେ ଚାରିଟି ଉଦଭ୍ରାନ୍ତ ଯୁବକଙ୍କୁ ଅଟକାଇ ଥାନ୍ତେ !


ଶେଷରେ କୌଣସି ଉପାୟ ନ ପାଇ ତୋ ବାବା ଗୋଟିଏ ପିତଳ ଫୁଲଦାନୀ ନେଇ ବିଶାଳ ମୁଣ୍ଡ ପଛକୁ ଦେଲେ ପାହାରେ।ସେଇଟି ପଡିଗଲା ବିଶାଳ ଏବଂ ସେ ମରିଗଲା।ବାଦ୍ୟ ,ନାଚ, ମଦ, ଗୀତରେ ଅନ୍ୟ ମାନେ ଏତେ ଭୋଳ ଥିଲେ ଯେ କେହି କିଛି ବୁଝି ପାରିବା ଅବସ୍ଥାରେ ନଥିଲେ କଣ ହେଉଛି।ପୁଅ ମରିଯିବା ଦେଖି ହର୍ଷ ବାବୁ ଜ୍ଞାନ ଶୁନ୍ୟ ହୋଇ ମୋତେ ନେଇ ମଦୁଆଙ୍କ ଗହଣରେ ଛାଡିଦେଲେ।ସମସ୍ତେ ମୋତେ ଶବ ଘେରିଲା ପରି ଘେରି ଗଲେ।ପ୍ରତୀକ ସେଇମାନଙ୍କ ଗହଣ ରେ ଗୋଟିଏ ଭଲ ମଣିଷ ଥିଲା ବୋଧେ।ତୋ ବାବାଙ୍କ ସହ ମୋତେ ସେ ରକ୍ଷା କରିବାକୁ ଆଗେଇ ଆସିଲା।ତୋ ବାବା ଘାଇଲା ବାଘ ପରି ପିଟି ଦେଇ ଗଲେ ସମସ୍ତଙ୍କୁ ବେଲ୍ଟ ବାହାର କରି। ଠିକ୍ ଏଇ ସମୟରେ ଢୋ କରି କଣ ଫୁଟିଲା।


ଗୁଳି ଶବ୍ଦରେ ଥମ ହୋଇଗଲା ପାର୍ଟି ଟି।ହର୍ଷ ବାବୁଙ୍କ ହାତରେ ବନ୍ଧୁକ ଏବଂ ତଳେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିଲେ ତୋ ବାବା।କିଏ କୁଆଡେ ଛିନ୍ନ ଛତର ହୋଇ ପଳାଇଲେ।ମାତ୍ର ପ୍ରତୀକ ବାବୁ ତୋ ବାବାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ସମୟରେ ସେଇଠି ତୋ ବାବା ମରି ଯାଇଥିଲେ।ପୋଲିସ ଆସିବା ପୂର୍ବରୁ ପ୍ରତୀକ ହାତରେ ହର୍ଷ ବାବୁ ବନ୍ଧୁକ ଧରେଇ ସାରିଥିଲେ।ମୋତେ ଅସଦାଚରଣ କରୁଥିବା ସମୟରେ ତୋ ବାବା ଅଟକେଇବାରୁ ପ୍ରତୀକ ନିଶା ଓ କ୍ରୋଧର ବଶବର୍ତ୍ତୀ ହୋଇ ତୋ ବାବାଙ୍କୁ ମର୍ଡର କରିବା ଅପରାଧରେ ଅପରାଧୀ ସଜେଇ ଦେଲା ହର୍ଷ ପଇସା ଓ ଅନ୍ଧ ନ୍ୟାୟ।ଆଜୀବନ ବିଚରା ନିର୍ଦୋଷ ମଣିଷଟି ଦଣ୍ଡ ଭୋଗିଲେ।


ସେଇ ବଦାନ୍ୟ ବ୍ୟକ୍ତି ତାଙ୍କ ସାଙ୍ଗକୁ କହି ବାରୁ ମୋତେ ଏ ଗୋଟିଏ ଚାକିରି ମିଳିଛି।ତୋ ବାବାଙ୍କ ମୃତ୍ୟୁ ପରେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିଲା।ଘର ମାଲିକ ଆମ ବ୍ୟବହୃତ ଜିନିଷ ପତ୍ର ବାହାରକୁ ଫିଙ୍ଗିଦେଲା।ଏଠି ମଧ୍ୟ ପ୍ରତୀକ ବାବୁ ଆମକୁ ତାଙ୍କରି ଘରଟି ମୋ ନାଁ ରେ ଜେଲ୍ ରେ ଥାଇ କାଗଜ ପତ୍ର କରିଦେଲେ। ତୁ ବଂଚିଛୁ ସେଇ ପ୍ରତୀକ ବାବୁଙ୍କ ପାଇଁ। ତୋ ଜେଜେ ଜେଜେମାଙ୍କୁ ଛାତ ଟିଏ ମିଳିଥିଲ ପ୍ରତୀକ ବାବୁଙ୍କ ପାଇଁ।ଆମେ ବଂଚିଛେ କେବଳ ପ୍ରତୀକ ବାବୁଙ୍କ ସାହାଯ୍ୟ ରୁ। ଏବେ ତୁ କହ ପ୍ରତୀକ ମୋ ବିପଦର ବନ୍ଧୁ କି ନାହିଁ ! ସେ ଜଣେ ଅନାଥ । ନିଜ ଶିଙ୍ଘ ରେ ମାଟି ତାଡି ଏ ଘର ଟି କରି ପାରିଥିଲେ।ଅବିବାହିତ ସେ।ଏ ଦୁନିଆଁ ରେ କେହି ନାହିଁ ତାଙ୍କର। ସପ୍ତାହରେ ଦିନଟିଏ ନିଜ ହାତ ରନ୍ଧା ଖାଦ୍ୟ ଖୁଆଇ ଧନ୍ୟବାଦ ଟିଏ ଦିଏ ସେ ଦେବତାଙ୍କୁ।ତୁ କହ ଏପରି ବିପଦ ବନ୍ଧୁ କେଉଁ ଦେବତା ଠାରୁ କମ୍ କି !


ଡାର୍ଲିଂଗ 'ପରି' ,ସୁଇଟି ସୋନା, ସରି।ସରି ପରି।


ଆହୁରି ବି ଜାଣିଥା ଧନ ତୋ ବାବା ବିଧାନ ମୋତେ ଲଭ୍ ମ୍ୟାରେଜ କରିଥିଲେ।ସେ "ଡାର୍ଲିଂଗ ପରି ,ସୁଇଟି ସୋନା ଡାକି "ସବୁବେଳେ ପଛ ପଟୁ ମୋତେ ଜାବୁଡି ଧରନ୍ତି।ଠିକ୍ ସେମିତି ତୁ କରୁ।ସେଇ ସମୟରେ ମୁଁ ବିଧାନ ମୟ ହୋଇଯାଏ। ତୋ ଭିତରେ ବିଧାନ ଙ୍କୁ ଅନୁଭବ କରେ।ଅନେକ ପ୍ରସ୍ତାବ ଆସିଛି ମୋ ଦ୍ଵିତୀୟ ବିବାହ ପାଇଁ।କିନ୍ତୁ ତୋ ଭିତରେ , ତୋ ଡାକରେ ବିଧାନ ମୋ ପାଖରେ ଅଛନ୍ତି ଯେତେବେଳେ ମୁଁ ଆଉ ଜଣଙ୍କୁ ବିବାହ କେମିତି କରି ପାରି ଥାନ୍ତି !!


ମା ଏକା ନିଃଶ୍ବାସକେ ଏସବୁ କହି ନଥ୍ କରି ତଳେ ପଡ଼ିଗଲା।


ମୁଁ ନିଜକୁ ଧିକ୍କାର କଲି ତୁଳସୀ ପରି ପବିତ୍ର ମା କୁ ବି ସନ୍ଦେହ କଲି !!କାହିଁକି ପୁଅଝିଅ ବାବମା ଙ୍କୁ ଏମିତି ସନ୍ଦେହ କରନ୍ତି ଯେ।


ମୁଁ ଆଉ ପରି ଏବେ ଖୁବ୍ ହାଲ୍କା ଅନୁଭବ କରୁଥିଲୁ ନିଜ ନିଜ ମନ କଥା ଶେୟାର କରି।


ଏବେ ପ୍ରତି ରବିବାର ମାଙ୍କ ସହ ମୁଁ ବି ଖାଦ୍ୟ ନେଇ ପ୍ରତୀକ ଅଙ୍କଲ୍ ଙ୍କ ପାଖକୁ ଯାଏ।


Rate this content
Log in

Similar oriya story from Tragedy