ପ୍ରେମର ମୂର୍ତ୍ତି ଶ୍ରୀକୃଷ୍ଣ
ପ୍ରେମର ମୂର୍ତ୍ତି ଶ୍ରୀକୃଷ୍ଣ
ସଂସାରର୍ଣ୍ଣବରେ ମନୁଷ୍ୟ ସଦା ବିଭିନ୍ନ ସମସ୍ୟାକୁ ନେଇ ନିୟତି ଚକ୍ର ଦ୍ୱାରା ବିଚଳିତ ପଥରେ ଧାବମାନ l ବହୁତ ପାଖରେ ଥାଇ ବି ଦୂରରେ ଥିବା ପରି ଅନୁଭବ ଓ ଅନୁମେୟ ହେଉଥିବା ଶ୍ରୀ ଶ୍ରୀ ଠାକୁର ସଦା ବ୍ୟସ୍ତ ଓ ବ୍ୟାକୁଳ ପ୍ରାଣୀ ର ଏ ଅବସ୍ଥା ପାଇଁ l ବିବଶତା ଏପରି ଏକ ଅବସ୍ଥା ଯାହାକୁ ବୁଝି ବି ବୁଝି ହୁଏନି ସମସ୍ୟା କବଳରୁ ମନ ମୁକୁର'ରୁ ନିଜକୁ ବାହାର କରି ଚେତନାରେ ଆସିବା l ପ୍ରତି ମୁହୂର୍ତ୍ତ' ରେ ଚିନ୍ତା ଓ ଚେତନା ର ଜାଗ୍ରତ ପ୍ରହରୀ ଆତ୍ମା କୁ ଭଗବତ ରୂପୀ ପ୍ରେମମୂର୍ତ୍ତି ଶ୍ରୀରାଧେ କୃଷ୍ଣଙ୍କର ଦୁର୍ଲ୍ଲଭ ଭାବକୁ ଅନୁଭବ କୃପା ମହାଭାଗ୍ୟବାନଙ୍କୁ ପ୍ରାପ୍ତ ହୋଇଥାଏ l ପଦ୍ମ ପତ୍ରପରି ଏ ସଂସାର'ରେ ଥାଇ ବି ସଂସାର'ର ସବୁ ଦୁଃଖ, କଷ୍ଟ, ଯନ୍ତ୍ରଣା କୁ ପ୍ରଭୁ ନାମ ରୂପୀ ମଲମ ଦ୍ୱାରା ନିଜକୁ ଶକ୍ତ ଓ ଦୃଢ଼ତାର ଅନୁଭବ କୁ ମହାନୁଭବ ହିଁ ବର୍ଣ୍ଣନା କରି ପାରନ୍ତି l ଗୁରୁ ରୂପୀ ନାରାୟଣଙ୍କ ପାଖରେ କ'ଣ ବା ଅସମ୍ଭବ ଅଛି ?? ମୂଳକୁ ବିଶ୍ୱାସ କଲେ ପୂର୍ଣ୍ଣାନନ୍ଦ ବାସ, ହୃଦ ବୃନ୍ଦାବନେ ସଦା ନିତ୍ୟ ରାହାସ...ll ନିଶବ୍ଦ ରୁ ଶବ୍ଦ ଆସଇ ଅବଶ୍ୟ, ଓଲଟ ବୃକ୍ଷ ରୂପୀ ଶରୀରେ ପରମାତ୍ମା ବାସ... Il
ପ୍ରେମମୂର୍ତ୍ତିଙ୍କର କୃପା କୈବଲ୍ୟ କୁ ବୁଝିବା ପାଇଁ ଯେତେ ହୃଦୟ ଖୋଜୁଥାଏ ତାହା ଆହୁରି ଗଭୀରତମତା'ର ଶୀର୍ଷ କୁ ପଥ ଦେଖାଏ l ମୀରା ମାଆଙ୍କର ଗୋପୀ ଭାବର ଅନୁପମ ଭାରତୀ ରୁ ତାହା ସ୍ପଷ୍ଟ ହୁଏ l ମୁହଁ ନ ଦେଖାଇ ଥିବାରୁ ଓ ଶେଷରେ ଗୋବର୍ଦ୍ଧନ ଟେକିଥିବା ଅବସ୍ଥା ରେ ପ୍ରଭୁ ଙ୍କର ଦର୍ଶନ ଓ ଆଠ ଦିନରେ ମୃତ୍ୟୁ ଲଭିଥିଲେ l ଶ୍ୟାମ ସୁନ୍ଦରଙ୍କର ଉକ୍ତି ଥିଲା ଦର୍ଶନ ପାଇଁ ମୀରା ମାଆଙ୍କର ତପସ୍ୟା ଏ ସବୁ ପଦେ, ପଦେ ଆମ ପାଇଁ ସଂକେତ ଓ ବାର୍ତ୍ତା ବହନ କରେ l ଅପ୍ରାକୃତ ପ୍ରେମମୂର୍ତ୍ତି ଆରାଧ୍ୟା କୃଷ୍ଣପ୍ରାଣା ଶ୍ରୀ ରାଧାମାଆଙ୍କୁ ନିଜେ ଶ୍ରୀକୃଷ୍ଣ ଜପୁଥିଲେ l ସେ ଗୀତା ରେ କହିଛନ୍ତି ସବୁ ଧର୍ମ କୁ ପରିତ୍ୟାଗ କରି ମୋତେ ସମର୍ପିତ ହୋଇ ଯାଅ l ଅଥଚ ସେ ଶ୍ରୀ ରାଧାଙ୍କୁ ସମର୍ପିତ ସଦା l ଭକ୍ତକବି ଜୟଦେବଙ୍କ ଉକ୍ତି " ସ୍ମର ଗରଳ ଖଣ୍ଡନଂ ମମ ଶିରସି ମଣ୍ଡନଂ, ଦେହି ପଦ ପଲ୍ଲବ ମୁଦାରଂ ".... ଏକ ଓ ଅଭିନ୍ନ ଭାବର ସୁମଧୁର ମୂର୍ଚ୍ଛନା ଆତ୍ମା ପରମାତ୍ମାଙ୍କ ସହିତ ଭାବରୁ ମହାଭାବକୁ ସଂଦର୍ଶନ କରିବାର ସୁନ୍ଦର ମୁହୂର୍ତ୍ତ କୁ ମାନସିକ ସ୍ତର ରେ ଯାଇ ଅନୁଭବ କରିବ ସାଧାରଣ ମଣିଷଟିଏ l ଗର୍ଗ ଋଷି ଓ ସନ୍ଦୀପନୀ ଙ୍କ ଚେତନା କ୍ରମେ ଧର୍ମ ସଂସ୍ଥାପନା ପାଇଁ ଗୋପପୁର ଛାଡି ଯିବା ଅବସରରେ ଶ୍ରୀରାଧାଙ୍କର ବିରହ ଭରା ହୃଦୟର ବ୍ୟଥା କୁ ଅନୁଭବ କରି ନିଜ ଶରୀର " ରେ ବିଲୀନ କରିଦେଇ ଏକ ଓ ଅଭିନ୍ନ ବୋଲି ( ମୋହନ ବଂଶୀ ପରିତ୍ୟାଗ ପୂର୍ବକ ଶିବଙ୍କର ଦତ୍ତ ଚକ୍ର କୁ ଧାରଣ କରି ବଂଶୀଧର ରୁ ଚକ୍ରଧର ନାମ ଧାରଣ କରିଥିଲେ l )
ଶ୍ରଦ୍ଧା କୁ ନେଇ ଭାବ ଓ ଅନୁରାଗର ବିବଶତା ଭିତରେ ଜୀବନ l ପ୍ରତି ମୁହୂର୍ତ୍ତ' ରେ ଭଲ ପାଇବାର ନଈଟିଏ ହୋଇ ବହି ଯିବାର, ପ୍ରତିଟି ପଲକରେ ଆତ୍ମା ଖୋଜୁଥିବାର ଆକର୍ଷଣ ହିଁ ଶାଶ୍ୱତ ପ୍ରେମ ପ୍ରଭୁଙ୍କ ପ୍ରତି.... ସଂସାର ରୂପକ ମୋହ, ମାୟା ଭିତରେ ଏ ସବୁ ବି ଏତେ ସହଜ ନୁହେଁ ଯାହା ପ୍ରଭୁ ହାତରେ ଲେଖି ଦିଅନ୍ତି, ହୃଦୟ' ରେ ସଯତ୍ନେ ବସି ହାଲକା କରି ଦିଅନ୍ତି କିଛିକ୍ଷଣ ପାଇଁ ଜୀବନ ସତେ କେତେ ଆକର୍ଷଣୀୟ ବୋଲି ପ୍ରତିକୂଳ ପରିସ୍ଥିତି ଉପୁଜାଇ, ଥୁଣ୍ଟାଗଛରେ ଫୁଲର ସମ୍ଭାର ନେଇ...ଭାବ ଦିଅ ବୋଲି ହୃଦୟ'ରେ ମହାଭାବ ସୃଷ୍ଟି ହୁଏ ମଣିମା l ମହିମା'କୁ ବିସ୍ତାର କର ବୋଲି ମହାନୁଭବ ରେ ଅନୁଭବ ନେଇ ପ୍ରତି ପ୍ରାଣ ପୁଲକିତ ହୋଇଯାଏ ତଵ ଦ୍ୟୁତି ରେ ଭିଜି, ଭିଜି.... ଯେଉଁଠି ଯେତେ କଷ୍ଟ, ଯନ୍ତ୍ରଣା ଥାଏ ସେଠି ତୁମେ ସେତେ ଉପସ୍ଥିତ ହୋଇ ରହିଥାଅ l କ୍ଷଣେ, କ୍ଷଣେ ହିଁ ତୃଷ୍ଣl ରେ ଜର୍ଜରିତ ତୃଷ୍ଣାର୍ତ୍ତ ର ଜ୍ୱାଳାକୁ ପ୍ରଶମିତ କରିବାର ତରଣୀ ସାଜି l ଏହା ହିଁ ତ ଶ୍ରଦ୍ଧା, ପ୍ରେମ ଓ ଜୀବନ'ର ଜୀବନୀ ଶକ୍ତି l
କୃଷ୍ଣ ନାମର ଆକର୍ଷଣରେ ମାନମୟୀ ଶ୍ରୀ ରାଧାଙ୍କର ଅନୁଭବ ହୁଏ ଆତ୍ମାରେ l ଅନୁରାଧା ନକ୍ଷେତ୍ରରେ ଜନ୍ମ ହୋଇ ଥିବାରୁ ରାଧା ନାମରେ ସାରା ସଂସାର'ର ପ୍ରାଣଦାତ୍ରୀ "ଶ୍ରୀରାଧା " ଭୌତିକ ଜଗତର ମାୟା ଭିତରୁ ଟିକେ ମନକୁ ସମର୍ପିତ କଲେ ପ୍ରତି ଘର,ସଂସାର ନିତ୍ୟ ବୃନ୍ଦାବନ ପରି ଅନୁଭବ ହୁଏ l ଜ୍ଞାନର ମୋହରୁ ବାହାରି ଯିବା ପରେ କଳିତ ଲଳିତ ବନମାଳୀଙ୍କର ତ୍ରିଭୁବନ ଭୁଲା ରୂପ ଲାବଣ୍ୟର ତ୍ରିଭଙ୍ଗୀ ଠାଣିରେ ବଂଶୀର ନିନାଦ ଦେହ, ମନ, ଆତ୍ମାକୁ ମୋହିତ କରିବାର ପଥ ଉନ୍ମୁକ୍ତ ହୋଇ ଯିବ ବିଶ୍ୱାସର ଅମୃତ ବାରିଧାରା ହୋଇ.... ଶ୍ରୀ ରାଧା ସର୍ବବିଧ ଐଶ୍ୱର୍ଯ୍ୟ ଓ ମହାଭାବର ପରଂବ୍ରହ୍ମ ସ୍ୱରୂପିଣୀ ଶ୍ରୀ କୃଷ୍ଣଙ୍କର ଆହ୍ଲାଦିନୀ ଶକ୍ତି, ବ୍ରହ୍ମ ସ୍ୱରୂପଙ୍କର ବ୍ରହ୍ମ ସ୍ୱରୂପିଣୀ, କରୁଣାମୃତ ପ୍ରଦାୟିନୀ ଏକ ଓ ଅଭିନ୍ନ l କୌଣସି ଶାସ୍ତ୍ର କି ଜ୍ଞାନର ପାଣ୍ଡିତ୍ୟରେ ଏ ସବୁ ଅନୁଭବ କରି ହୁଏନି, ଯାହା ନିର୍ମଳ ଭାବର ତଲ୍ଲୀନତାରେ ବିମୋହିତ ହୋଇ କୃପା ସାଜୁଯ୍ୟରେ ବାନ୍ଧି ହୋଇଯାଏ ଆତ୍ମା l ରାସେଶ୍ୱରୀ ଓ ବ୍ରଜେନ୍ଦ୍ର ନନ୍ଦନ ଶରୀରରେ ଆତ୍ମା ପରି ଦିବ୍ୟାନନ୍ଦ ପ୍ରଦାନ କରନ୍ତି ଶିରା, ପ୍ରଶିରାକୁ ସ୍ପର୍ଶୀତ କରି.... ସର୍ବବନ୍ଧନ ବିମୁକ୍ତ ହୋଇ ଆତ୍ମା ଶ୍ରୀପଦ୍ମ ପୟରକୁ ଅନ୍ତସ୍ଥଳରେ ବାରମ୍ବାର ସ୍ମରଣ କରୁଥାଏ l ଜୀବନର ସର୍ବସ୍ୱ ମହାଭାବର ପରମ ପ୍ରେମର ମୂର୍ତ୍ତି ଶ୍ରୀ କୃଷ୍ଣଙ୍କୁ .... Il
