Madhabi Patel

Inspirational

4  

Madhabi Patel

Inspirational

ପ୍ରେମ

ପ୍ରେମ

2 mins
351



ରିମା ପ୍ରତିଦିନ ସ୍କୁଲରୁ ଫେରିଲାବେଳେ ପାର୍କରେ କିଛିସମୟ ବସିକି ଆସେ।ପାର୍କର ସୁନ୍ଦର ବାତାବରଣରେ ତା ମନର ସବୁ ଚିନ୍ତା ଓ କାମର ଚାପରୁନିଜକୁ ହାଲୁକା କରିନିଏ।ସୁନ୍ଦର ସୁନ୍ଦର ନାନା ପ୍ରକାରର ଫୁଲ,ପ୍ରଜାପତିଙ୍କୁ ଦେଖି ବାହାର ଦୁନିଆଁରୁ ନିଜକୁ ଟିକେ ମୁକୁଳାଇ ଆଣି ଏ ପ୍ରକୃତିର ମନମତାଣିଆ ସୁନ୍ଦରତାରେ ଭୁଲେଇ ରଖେ।କୁନୀ କୁନୀ ପିଲାଙ୍କୁ ଦୋଳି ଖେଳିବା ଦେଖେ।କିଏ କିଏ ସ୍ଲାଇଡିଂ କରୁଥାନ୍ତି। ତାଙ୍କର ଖିଲି ଖିଲି ହସରେ ସମସ୍ତଙ୍କୁ ବିମୋହିତ କରୁଥାନ୍ତି।ଆଉ ସେ ପ୍ରତିଦିନ ଏକ ଦୃଶ୍ୟ ଦେଖେ ଯାହା ତା ମନରେ ଏକ ଅନନ୍ୟ ଆନନ୍ଦ ଭରିଦିଏ।ଦୁଇଟି କୁକୁରଙ୍କ ପ୍ରେମ ଦୃଶ୍ୟ ତା ମନକୁ ବହୁତ ଖୁସୀ ଦିଏ।ଗୋଟିଏ ଅଣ୍ଡିରା କୁକୁର ସ୍ମାଇଲ୍ ଓ ଏକ ମାଈ କୁକୁର ମିଠି।ଅଣ୍ଡିର ସ୍ମାଇଲ୍ କୁକୁରଟି ଜଣକର ପୋଷା କୁକୁର। ସେ ପ୍ରତିଦିନ ସନ୍ଧ୍ୟାରେ ତା ମାଲିକାଣୀ ସହ ପାର୍କ କୁ ବୁଲି ଆସେ।ଆଉ ମିଠି ହେଉଛି ଏକ ବାରବୁଲି କୁତ୍ତି।ହେଲେ ଧଳାରଙ୍ଗର ସୁନ୍ଦର କୁକୁରୀ ଟିଏ ସେ। ସେ ବି ସ୍ମାଇଲ ର ଆସିବା ବାସନା ବାରି ଚାଲିଆସେ ପାର୍କକୁ।

ଦୁଇଜଣ ଦେଖିଲାମାତ୍ରେ ପାଖକୁ ଦଉଡି ଆସନ୍ତି। ଗେଲ କରାକରି ହୁଅନ୍ତି।ଜଣେ ଜଣକୁ ଚାଟିଦିଏ।ତାପରେ ଦଉଡା ଦଉଡି କରନ୍ତି ଦୁଇଜଣ।

ଏମିତି ଘଣ୍ଟାଟେ ଖେଳିବାର ସୁଯୋଗ ମିଳେ।ତାପରେ ପୁଣି ଦୁଇଜଣ ବିଛିଡି ଯାଆନ୍ତି,ପୁଣି ଅନ୍ୟଦିନ ସନ୍ଧ୍ୟା

ହେଲେ ଯାଇ ଭେଟନ୍ତି ପରଷ୍ପରକୁ।

ଦିନେ ରିମା ର ସାମନାରେ ଦୁଇଜଣ ଯାକ କୁକୁର ଦଉଡୁଥାନ୍ତି।ଦୁଇଜଣ ଦଉଡି ଦଉଡି ରାସ୍ତାକୁ ଚାଲିଆସିଥିଲେ ।ଆଉ ସେତେବେଳ ଗାଡିଟିଏ ଆସି ମିଠିକୁ ମାଡି ଚାଲି ଯାଇଥିଲା।ଏ ଦୃଶ୍ୟ ସେଠି ଥିବା ସମସ୍ତଙ୍କୁ ଦୁଃଖିତ କରି ଦେଇଥିଲା।ସ୍ମାଇଲ୍ ବି ଏ ଦୂର୍ଘଟଣାରେ ବହୁତ ଛଟପଟ ହେଉଥିଲା।ହେଲେ ମୁକ ବୋଲି କିଛି କହି ପାରୁ ନ ଥିଲା।

ସେ ମାଲିକାଣୀଙ୍କ ଡାକରେ ଚାଲି ଯାଇଥିଲା ଘରକୁ।ଏହାପରେ ପ୍ରତିଦିନ ସ୍ମାଇଲ ଆସୁଥିଲା ପାର୍କକୁ ତା ମାଲିକାଣୀ ସହ।ସେ ବହୁତ ଦୁଃଖି ଜଣାପଡୁଥିଲା।ଆଗପରି ଆଉ ଖେଳୁ ନଥିଲା।ଗୋଟିଏ ଜାଗାରେ ଗୁମ୍ସୁମ୍ ବସି ରହୁଥିଲା।ଆଖିରୁ ତାର ଲୁହ ଝରୁଥିଲା।

ତା ଆଖି ସବୁବେଳେ ଖୋଜି ବୁଲୁଥିଲା କାହାକୁ।ଏକ ବିରହୀ ପ୍ରେମିକ ପାଲଟି ଯାଇଥିଲା ସେ।ରିମା ସ୍ମାଇଲ ର କଷ୍ଟ ବୁଝି ପାରୁଥିଲା।ତାକୁ ବେଳେବେଳେ ଆଉଁଷି ସମବେଦନା ଜଣାଉଥିଲା।

ଏମିତି ପନ୍ଦର ଦିନ ଗଡିଗଲା।ଦିନେ ସନ୍ଧ୍ୟାରେ ଦେଖାଗଲା ମିଠି ଲେଙ୍ଗେଡେଇ ଲେଙ୍ଗେଡେଇ ପାର୍କ କୁ ଆସୁଛି।ଆଉ ସ୍ମାଇଲ ତାର ଗନ୍ଧ ବାରି ଭୋଭୋ ଶବ୍ଦକରି ପାର୍କର ଗେଟ୍ ଆଡକୁ ଦଉଡି ଯାଉଛି।

ସମସ୍ତେ ସ୍ମାଇଲର ଦଉଡିବା ଦେଖି ତା ଆଡେ ଅନେଇ ରହିଥାନ୍ତି।ରିମା ବି ଦେଖୁଥାଏ ତାର ନୁଆଁ ରୂପକୁ।

ତାପରେ ତାର ନଜର ପଡିଲା ମିଠି ଉପରେ।ମିଠି ବଞ୍ଚି ଯାଇଥିଲା ହେଲେ ଗୋଟିଏ ଗୋଡ ଛୋଟୀ ହୋଇଯାଇଥିଲା।ମିଠିକୁ ଛୋଟୀ ଦେଖି ସ୍ମାଇଲ ମୁହଁମୋଡିନେବ ବୋଲି ରିମା ଭାବୁଥାଏ।ହେଲେ ଓଲଟା ହେଲା।ସ୍ମାଇଲ ମିଠିକୁ ପାଇ ସେଦିନ ବହୁତ ଗେଲ କଲା।ଦୁଇଜଣ ତାଙ୍କ ଭାଷାରେ କୁଁ କୁଁ କରି କେତେ କଥାଭାଷା ହେଲେ।ତାପରେ ପୁଣି ଦୁଇଜଣ ଆଗପରି ପ୍ରେମ କରିବାକୁ ଲାଗିଲେ।କାହାର ଖଣ୍ଡିଆ ହେବାରେ ଅନ୍ୟକୁ ଫରକ ପଡିନ ଥିଲା।ଯଦି ଏ ପ୍ରେମ ମଣିଷ ଭିତରେ ହୋଇଥାନ୍ତା ହୁଏତ ପୁରୁଷ ଟି ସେ ଛୋଟୀ ଝିଅଠୁ ଦୂରେଇ ଯାଇଥାନ୍ତା।ହେଲେ ପଶୁ ତାର ପ୍ରେମର ମହତ୍ତ୍ବ ବୁଝେ।ଜଣେ ପ୍ରେମିକ ପ୍ରେମିକା ଅକ୍ଷମ ହୋଇଗଲେ ତାକୁ ଛାଡି ଦିଏନି।ଏ ହେଉଛି ପ୍ରକୃତ ପ୍ରେମ ଶାଶ୍ବତ ପ୍ରେମ ଯୋଉ ପ୍ରେମରେ ଲାଭ କ୍ଷତି ଦେଖା ଯାଏନି।କେବଳ ପ୍ରେମଭାବ ଥାଏ ଭଲ ପାଇବା ଥାଏ ଓ ପରଷ୍ପର ର ଚିନ୍ତା ଥାଏ।ଅନ୍ୟର ସୁଖରେ ନିଜେ ଆନନ୍ଦ ପାଏ। ସୁନ୍ଦର ଅସୁନ୍ଦର ଦେଖେନାହିଁ।



Rate this content
Log in

Similar oriya story from Inspirational