Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ପ୍ରଭେଦ

ପ୍ରଭେଦ

2 mins
347


ସବୁ ସହିପାରେ ସୀମା l କିନ୍ତୁ କେହି ବି ଅଣସାମ୍ବିଧାନିକ ଭାଷା ପ୍ରୟୋଗ କଲେ ସହିପାରେନି ସିଏ l ସହରର ପ୍ରଧାନ ବ୍ୟବସାୟ ସ୍ଥଳରେ ଛୋଟିଆ ବହିଦୋକାନଟିଏ ତାର l ଛୋଟିଆ ହେଲେ ବି ବେଶ୍ ସୌଖୀନ୍ l ଅନେକ ବୁଦ୍ଧିଜୀବୀ ଏକତ୍ରିତ ହୁଅନ୍ତି ଏଠାରେ l ପତ୍ରିକାର ପୃଷ୍ଠାର ମଣିଷମାନଙ୍କୁ ଆଖିରେ ଦେଖିଲେ ଆଖି ତାର ପବିତ୍ର ହୋଇଯିବା ପରେ ଲାଗେ l କିନ୍ତୁ, ଏ ସବୁ ପ୍ରାପ୍ତି ଭିତରେ ସେ ପିଲାଟିକୁ ଦେଖିଲେ ମନ ତାର ବିରକ୍ତିରେ ଭରିଯାଏ l ପିଲାଟି କଣ କରେ ସେ ଜାଣେନା l କିନ୍ତୁ କାହାକୁ କାହିଁକି କେଜାଣି ସବୁବେଳେ ଦୋ ଅକ୍ଷରୀ ଭାଷାରେ ଗାଳି ଦେଉଥାଏ ସିଏ l ଭଲ ନ ଲାଗିଲେ ବି ଚୁପ୍ ରହେ ସୀମା l ଯେଉଁଠି ପୁଅମାନେ ପ୍ରତିବାଦ କରୁନାହାନ୍ତି, ସେଠି ତାର ପ୍ରତିବାଦ ନିରର୍ଥକ l ବରଂ ଝିଅଟିଏ ପ୍ରତିବାଦ କଲେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯିବ l ସେ ବରଂ ଟାବଲେଟ୍ ଧରି ଫେସବୁକରେ ତାର କବିତା ପୋଷ୍ଟ୍ କରେ କିମ୍ବା ଅନ୍ୟ କିଛି ସାଇଟ୍ ଦେଖିବାରେ ନିଜକୁ ବ୍ୟସ୍ତ ରଖେ l

ସେ ଦିନ ବି ସେୟା କରୁଥିଲା ସୀମା l ହଠାତ୍ ଦେଖିଲା ଜଣେ ପ୍ରକାଶକ ମହାଶୟ ତାଙ୍କର ସଦ୍ୟ ପ୍ରକାଶିତ ପତ୍ରିକାକୁ ସ୍କାନ୍ କରି ଛାଡିଛନ୍ତି ଓ ସେହି ପେଜରେ ଚଳିତ ବର୍ଷ ଜାତୀୟ ପୁରସ୍କାର ପାଇଥିବା କବିଙ୍କୁ ଅଭିନନ୍ଦିତ କରାଯାଇଛି l ଅଭିନନ୍ଦନଟିଏ ନିଜ ତରଫରୁ ଜଣେଇବାକୁ ଇଛା କରି ସୀମା କମେଣ୍ଟ୍ ବକ୍ସକୁ ଯିବା ପୂର୍ବରୁ ଅନ୍ୟ କମେଣ୍ଟ୍ ସବୁ ପଢିଲା l ତା ଆଶ୍ଚର୍ଯ୍ୟର ସୀମା ରହିଲାନି, ଯେତେବେଳେ ସେ ଦେଖିଲା ଆଉ ଜଣେ ସମସାମୟିକ କବି, ଯାହାଙ୍କ କବିତାର ସେ ସ୍ତାବକ, ସେ ସେହି ପୁରସ୍କାର ପ୍ରାପ୍ତ କବି ଓ ତାଙ୍କ ପୁସ୍ତକକୁ ଅତି ଅଶ୍ଲୀଳ ଭାଷା ବ୍ୟବହାର କରି ସମାଲୋଚନା କରିଛନ୍ତି l ବିରକ୍ତି ଲାଗିଲା l ଯଦି ଜଣେ କବିର ଭାଷା ଏୟା, ତେବେ ସେ କାହିଁକି ବିରକ୍ତ ହେଉଛି ସେହି ପିଲାଟି ଉପରେ ? ସିଏ ତ ସହଜେ ଶିକ୍ଷା ଦୀକ୍ଷା ରହିତ l

ଠିକ୍ ସେତିକିବେଳେ ପିଲାଟି ତାର ଚିରାଚରିତ ଅଭ୍ୟାସ ଅନୁଯାୟୀ ଅଭଦ୍ର ଭାଷାରେ ଗାଳି କରୁ କରୁ, ପାଖ ମେଡିସିନ୍ ଦୋକାନରୁ ଆସି କିଛି ମେଡିସିନ୍ କିଣିଲା l ହାତରେ ତାର ବୁଲା କୁକୁର ଛୁଆଟିଏ l କିଏ ଗୋଟେ ଦ୍ରୁତ ମଟରସାଇକେଲ୍ ଆରୋହୀର ଧକ୍କାରେ ଆହତ ବିଚରା l ସେହି ଆରୋହୀ ଉଦ୍ଦେଶ୍ୟରେ ଅଣସାମ୍ବିଧାନିକ ଗାଳି ଫିଙ୍ଗୁ ଫିଙ୍ଗୁ କୁକୁର ଛୁଆଟିର ଗୋଡରେ ମଲମ ଲଗେଇ ବ୍ୟାଣ୍ଡେଜ୍ କରୁଥିଲା ପିଲାଟି l ଏବେ ସୀମାର ପିଲାଟି ଉପରେ ଆଉ ବିରକ୍ତି ଭାବ ଆସୁ ନ ଥିଲା l ପ୍ରଥମ ଥର ପାଇଁ ସେ ଅନୁଭବ କଲା, ଲେଖିବା ଓ କରିବା ଭିତରେ କେତେ ପ୍ରଭେଦ ସତରେ l


Rate this content
Log in

Similar oriya story from Inspirational