Madhu mita

Tragedy Inspirational

4  

Madhu mita

Tragedy Inspirational

ପଞ୍ଚୂପତି

ପଞ୍ଚୂପତି

7 mins
415



"ଏ ପ୍ରୀତି…!!ତୋ ବର ଥାଉ ଥାଉ ତୁ ଏମିତି ଆଉ କାହା ସହିତ ବୋହୁଚୋରୀ କେମିତି ଖେଳୁଛୁ ଲୋ…??" କହି ଦୌଡି ଆସି ଖୁଡୀ ପ୍ରୀତିର ହାତ ଧରି ଖେଳ ମଝିରୁ ଟାଣି ନେଇଗଲେ…


ଅନେକ ସମୟରେ ଏମିତି ହିଁ ଶୁଣେ ପ୍ରୀତି…!!ତା' ବାହାଘର କୁଆଡେ ମାଧବ ସହିତ ଠିକ୍ ହୋଇ ଯାଇଛି । ତା' ଜେଜେ ଆଉ ମାଧବର ଅଜା ଦୁହେଁ ଦୁଇସାଙ୍ଗ ଥିଲେ ବୋଲି ଜନ୍ମ ବେଳଠୁ ଏମାନଙ୍କ ବାହାଘର ଠିକ୍ କରି ଦେଇଥିଲେ । ହେଲେ ପ୍ରୀତି ମାଧବକୁ କେବେ ବି ଦେଖି ନ ଥିଲା । ଖାଲି ଶୁଣିଛି ମାଧବ କୁଆଡେ ସହରରେ ରହି ପଢ଼ାପଢ଼ି କରୁଥିଲା । ପିଲାବେଳେ ତାକୁ ନେଇ ତା' ମା ବାପା ସହରକୁ ଚାଲି ଯାଇଥିଲେ । ହେଲେ ଗାଁ ଲୋକେ ମାଧବ ନାଁ ନେଇ ତା' ନାଁକୁ ସବୁବେଳେ ଯୋଡ଼ି ଦେଉଥିଲେ । ଏପରିକି ମାଧବର ଅଜା ଘରଲୋକେ ମଧ୍ୟ ପ୍ରୀତିକୁ "ବୋହୂ" କହି ଡାକୁଥିଲେ । ଏସବୁ ଏକ ରକମ ଦେହସୁହା ହୋଇ ଯାଇଥିଲା ।


ଧୀରେ ଧୀରେ ପ୍ରୀତିର ପାଠପଢା ଆରମ୍ଭ ହେଲା । ମା ବାପା ଛେଉଣ୍ଡ ଝିଅଟା କିନ୍ତୁ ତା' କାକା ଖୁଡୀଙ୍କ ଆଖିର ତାରା ଥିଲା । ସେଇଥିପାଇଁ ତା' ପଢ଼ାପଢ଼ି ନେଇ ସେମାନେ ଭାରି ଚିନ୍ତିତ ଥିଲେ ।


"ବାପା...ଗାଆଁରେ ରହିଲେ ପ୍ରୀତି କଣ ଇଂରାଜୀ ପଢ଼ି ପାରିବ?ତାକୁ ସହର ପଠେଇଲେ ହୁଅନ୍ତାନି…!!??" ଆସ୍ତେ କରି କାକା କହିଲେ । ହେଲେ ଜେଜେ ଶୁଣି ନ ଶୁଣିଲା ପରି ମୁହଁ ବୁଲେଇ ଦେଲେ । କାକା ନିଜ ପୁଅ ପରେଶକୁ ସହରରେ ପଢ଼ାଉଛନ୍ତି । ହେଲେ ଜେଜେ ପ୍ରୀତିକୁ ଦୂରକୁ ଛାଡ଼ିବାକୁ ରାଜି ହେଲେ ତ…??


କିନ୍ତୁ ସମୟ ସବୁବେଳେ ସମାନ ରୁହେନି । ଭଲ ପାଠ ପଢୁଥିବା ପ୍ରୀତି ଗାଆଁ ସ୍କୁଲରେ ପ୍ରଥମ ହେଲା ପରେ ତା'ର ସହର କଲେଜରେ ନାଆଁ ଲେଖିବାପାଇଁ ଆଉ କାହାରି ଆପତ୍ତି ରହିଲାନି । ବରଂ ତା ସଫଳତା ଦେଖି ଜେଜେ ନିଜେ କାକାଙ୍କୁ କହି ପ୍ରୀତିକୁ ସହର ପଠେଇଲେ…!!


ଜେଜେ, କାକା, ଖୁଡୀ ସହିତ ମାଧବ ନାଆଁଟା ମଧ୍ୟ ଗାଆଁରେ ପଛରେ କେଉଁଠି ରହିଗଲା ଆଉ ପ୍ରୀତି ସହରରେ ନୂଆ ଜୀବନଟେ ଆରମ୍ଭ କଲା ।


ନୂଆ ନୂଆ କଲେଜ ପଢା ସହିତ ନୂଆ ନୂଆ ସାଙ୍ଗସାଥୀ ତାକୁ ବହୁତ୍ ଭଲ ଲାଗୁଥିଲା । ତା ସହିତ ଆହୁରି ଭଲ ଲାଗୁଥିଲା ଏଇ ଶୀତୁଆ ସଞ୍ଜ କି କାକରିଆ ସକାଳରେ ପାର୍କ ଉପରେ ଥିବା ଘାସ ଗାଲିଚା ଉପରେ ଖାଲି ପାଦରେ ଚାଲିବାଟା…!!ଚାଲୁ ଚାଲୁ ମଧୁର ସଙ୍ଗୀତର କିଛିଟା ଧୂନ୍ ଗୁଣୁଗୁଣେଇ ଦିଏ ପ୍ରୀତି ଅଜାଣତରେ…!!ହଷ୍ଟେଲରେ ରହୁଥିଲା ସେ । କିନ୍ତୁ ୱାଡେନ୍ ଜାଣିଥିଲେ ସେ କେତେ ଭଲ ସ୍ୱଭାବର ଝିଅ । ସମୟର କେତେ ପକ୍କା…!!ସେଇଥିପାଇଁ ତାକୁ ଏମିତି ଘଂଟାଏ ଲେଖାଏଁ ପାର୍କକୁ ଯିବାପାଇଁ ଅନୁମତି ଦେଇଥିଲେ । ଅନ୍ୟ ପିଲାମାନଙ୍କୁ ଏମିତି ସେ ଆରାମରେ ବାହାରକୁ ଯିବାକୁ ଛାଡି ଦିଅନ୍ତି ନାହିଁ । ହେଲେ ପ୍ରୀତି କଥା ଟିକେ ଅଲଗା ।


ସେଦିନ ସକାଳୁ ସକାଳୁ ଟିକେ କୁହୁଡ଼ିଆ ପାଗ ହୋଇଥିଲା । ଶଲ୍ ଘୋଡେ଼ଇ ହୋଇ ପ୍ରୀତି ସେମିତି ଗୁଣୁଗୁଣୁ ଗୀତ ଗାଇ ପାର୍କ ଭିତରେ କିଛି ସମୟ ଚାଲିଲା ପରେ ହଷ୍ଟେଲ ଫେରି ଆସିବାକୁ ବାହାରି ଆସିଲା । ଶୀତରେ ଦେହଟା ଥରି ଯିବାରୁ ଶଲଟାକୁ ମୁଣ୍ଡ ଉପରେ ଘୋଡେ଼ଇ ଦେଇ ରାସ୍ତା ପାର କରୁଛି; ହଠାତ୍ ରାସ୍ତା ଆର ପଟରୁ ଦୃତ ଗତିରେ ଆସୁଥିବା ଗୋଟିଏ ଟ୍ରକ୍ ତା ଦେହରେ ପିଟି ହୋଇଗଲା ଆଉ ସିଏ ରାସ୍ତା କଡକୁ ଛିଟକି ପଡିଲା । ମୁଣ୍ଡରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେଉଥାଏ…!!


ସେତିକି ବେଳେ କେଉଁ ଏକ ଅଜଣା ସ୍ପର୍ଶ ସହିତ ଅମାନିଆ ଆପଣାପଣର ବାହୁ ବନ୍ଧନୀ ଭିତରେ ସେ କେଜାଣି କାହିଁକି ନିଜକୁ ପୁରା ସୁରକ୍ଷିତ ମନେ କରିବାକୁ ଲାଗିଲା । ପାଖ ହସପିଟାଲକୁ ଆସିବା ବେଳକୁ ସେ ଚେତା ହରେଇ ସାରିଥାଏ । ଆଖି ଖୋଲିଲା ବେଳକୁ ସାମ୍ନାରେ ହଷ୍ଟେଲର ୱାଡେନ୍,ରୁମ୍ ମେଟ୍ ରୀତା ଆଉ ଜଣେ ଅଜଣା ସୋମ୍ୟଦର୍ଶୀ ଯୁବକ ଠିଆ ହୋଇଥିଲେ । ତାଙ୍କ ଆଖିରେ ଆଖି ମିଶି ଗଲାରୁ ପ୍ରୀତିର ହୃଦସ୍ପନ୍ଦନ ହଠାତ୍ ବଢ଼ି ଯାଇଥିଲା ।


"ଜାଣିଛୁ ପ୍ରୀତି...ଏଇ ଦୀପକ ତୋତେ ରାସ୍ତା ଉପରୁ ହସପିଟାଲକୁ ଆଣିଥିଲେ । ଆଉ ତୋତେ ସେ ବ୍ଲଡ଼ ମଧ୍ୟ ଦେଇଛନ୍ତି । ତୋର ମୁଣ୍ତ ଫାଟି ବହୁତ୍ ବ୍ଲିଡିଂ ହେଇଥିଲା ରେ…!!"ରୀତା ତା ପାଖକୁ ଲାଗି ଆସି କହିଲା ।


"ହଁ ରେ ପ୍ରୀତି...ଦୀପକ ତୋତେ ବଞ୍ଚେଇ ଦେଲେ...ନହେଲେ କେଜାଣି କଣ ହୁଅନ୍ତା…!!??"ୱାଡେନ୍ ଏତିକି କହିବା ପରେ ସେହିଁ ଯୁବକ କହି ଉଠିଲେ.."ନା ନା ମ୍ୟାମ୍...ଏଇଟା ମୋର କର୍ତ୍ତବ୍ୟ ଥିଲା । ଇୟେ ଏମିତି କିଛି ବଡ କଥା ନୁହେଁ …"!!


କିନ୍ତୁ ସତରେ କଣ କଥାଟା ସେମିତି ବଡ ନଥିଲା କି??


ଅଜଣା ଲୋକଟି ଧିରେ ଧିରେ ବହୁତ୍ ନିଜର ଲାଗି ଆସିଥିଲା । ସେହି ସହରରେ ରହି ଏମବିବିଏସ କରୁଥିବା ଦୀପକ୍ ପ୍ରୀତିର ଅନୁଢ଼ା ମନ ଭିତରେ ପକ୍କା ଘରଟିଏ କରି ସାରିଥିଲେ । ମାଧବ ନାମକୁ ବହୁତ୍ ପଛରେ ଛାଡି ଆସିଥିବା ପ୍ରୀତି ମଧ୍ୟ ସ୍ବପ୍ନ ଦେଖୁଥିଲା ଯେ ସେ ଘରକୁ ଗଲେ ଏଥର ଦୀପକଙ୍କର କଥା ନିଶ୍ଚୟ କହିବ । ଆଉ ଘରେ ରାଜି ହୋଇଗଲେ ତାଙ୍କ ସହ ନୂଆ ସଂସାର…!! ଇସ୍...ଲାଜରେ ଲାଲ୍ ପଡ଼ିଗଲା ତା ମୁହଁ…!!ସେ କଣ ସବୁ ଭାବୁଛି…!!??


ତାକୁ ହଲେଇ ଦେଇ ହଠାତ୍ ଦୀପକ୍ କହିଲେ…"ପ୍ରୀତି...ଯଦି ତୁମ ପରିବାର ଆମ ବାହାଘର ପାଇଁ ରାଜି ନ ହେବେ…!!??"


ତାଙ୍କ କଥା ଶୁଣି ଚମକି ଉଠିଲା ପ୍ରୀତି...ନା ନା ...ସେମିତି କିଛି ହେବନି…!!କିନ୍ତୁ... ମାଧବ ସହିତ ଯେଉଁ ଭିତ୍ତିହୀନ ସମ୍ପର୍କଟା ଥିଲା ତା'ର...ତାକୁ କଣ ସତରେ କେବେ କଟାଯାଇ ପାରିବ…!!??


ଛୁଟିରେ ଘରକୁ ଆସିଲା ବେଳେ ଘରେ ସାଜସଜ୍ଜା ଲାଗି ରହିଥିଲା । ଖୁଡୀ ତାକୁ ଦେଖି ଦୌଡ଼ି ଆସି କୁଣ୍ଢେଇ ପକେଇ କହିଲେ…"ପ୍ରୀତି...ତୋତେ ଦେଖିବାକୁ ମନ ଛଟପଟ ହେଉଥିଲା । ରୀତା ତୋ ଆକ୍ସିଡେଣ୍ଟ କଥା କହିଲା । ତୁ ମନା କଲୁ ବୋଲି ସିନା ଆମେ ଗଲୁନି...ହେଲେ ତୁ କେମିତି ଅଛୁ ମା?"


"ମୁଁ ଭଲ ଅଛି ଖୁଡ଼ୀ । ଜମା ବ୍ୟସ୍ତ ହୁଅନି । ହେଲେ...ଆମ ଘର ଏମିତି ସଜାସଜି ହେଉଛି ଯେ…!!??"ଅଳ୍ପ ହସି ପ୍ରୀତି ପଚାରିଲା ।


"ତୋ ବର ଆସୁଛି…" କହି ପରେଶ୍ ପ୍ରୀତିର ଚୁଟି ଟାଣିଦେଲା…!!ପ୍ରୀତି ତାକୁ ଧରିବାକୁ ଗଲା ବେଳେ ସେ ଦୌଡ଼ି ଚାଲିଗଲା । କିଛି ସମୟ ହସ କୌତୁକରେ ବିତିଯିବା ପରେ ପ୍ରୀତି ଜେଜେଙ୍କ ପାଖକୁ ଗଲା । ଆଉ ସେ ପ୍ରୀତିକୁ ଦେଖି ଖୁସିରେ ପ୍ରାୟ ନାଚି ଉଠିଲେ ।


"ମାଆ ରେ... ମାଧବ ସହରରେ ପଢିଲା । ସେଇଠି କୁଆଡେ ଆଉ କାହାକୁ ବାହା ହେଇଗଲା । ତା' ଧର୍ମ ନଷ୍ଟ କରି ଚଉଦ ପୁରୁଷର ନାଁରେ କଳଙ୍କ ଲଗେଇ…"ଅଧାରୁ ଖୁଡୀଙ୍କ କଥା କାଟି ପରେଶ୍ କହିଲା…"ଭଲ ହେଲା ନା ମା...ପ୍ରୀତିର ବାହାଘର ବିନୟ ସହିତ ଏବେ ଆରାମରେ ହେଇ ପାରିବ…"


"ବିନୟ…!!??" ଆଶ୍ଚର୍ଯ୍ୟ ହେଲା ପ୍ରୀତି…


ପରେଶ୍ ଆଣି ବାହାଘରର କାର୍ଡ ଦେଖେଇଲା ଆଉ ଜଣେଇ ଦେଲା...ବିନୟ ହେଉଛି ଜଣେ ଆର୍ମି ଅଫିସର । ପ୍ରୀତି ସ୍କୁଲରେ ପ୍ରଥମ ହୋଇ କଲେଜ ଯିବା ବେଳେ ସିଏ ଆର୍ମି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେତେବେଳେ ବିନୟର ମାମୁଁ ଆସି ପ୍ରୀତିର କକାଙ୍କ ସହିତ ପ୍ରସ୍ତାବ କଥା ହୋଇଥିଲେ । କିନ୍ତୁ ମାଧବ ଆଉ ପ୍ରୀତିର ପିଲାଦିନରୁ ହୋଇଥିବା ପ୍ରତିଶୃତି ବଦ୍ଧ ସମ୍ପର୍କର କଥା ଶୁଣି ମନ ଦୁଃଖରେ ଚାଲି ଯାଇଥିଲେ । ରୂପ ଗୁଣରେ ପରିପୂର୍ଣ୍ଣା ଝିଅଟିକୁ ବୋହୂ କରିନେବା ସ୍ବପ୍ନ ଆଖିରେ ନେଇ ନିରାଶ ହୋଇ ସେ ଚାଲି ଯାଇଥିଲେ । ହେଲେ ମାଧବ ଏବେ ଆଉ ଜଣକୁ ବାହା ହୋଇଯିବା ପରେ ସେହି ପ୍ରସ୍ତାବ କଥାଟା ଆପଣା ଛାଏଁ ଆଗେଇଥିଲା । ପ୍ରୀତିକୁ ସର୍ପ୍ରାଇଯ ଦେବାକୁ ସମସ୍ତେ ପ୍ଲାନ୍ କରିଥିଲେ…!!


ଜେଜେ ତାକୁ କୁଂଢ଼େଇ ପକେଇ କହିଲେ…"ଯା ହଉ ମା...ମୋର କଥା ରକ୍ଷା କରିବା ପାଇଁ ତୁ ସେ ମାଧବକୁ ବାହା ହେଇ ଯାଇନୁ । ନହେଲେ ନିଜକୁ ମୁଁ କେବେ କ୍ଷମା ଦେଇ ପାରିନଥାନ୍ତି ରେ…!!ଏବେ ଗୋଟିଏ ଯୋଗ୍ୟ ପାତ୍ର ହାତରେ ତୋତେ ଟେକିଦେଇ ତୋ ମା' ବାପା ଆଗରେ ଯାଇ ସ୍ଵର୍ଗରେ ଠିଆ ହେଇପାରିବି..."


ତାଙ୍କ ଆଖିରୁ ଅମାନିଆ ଲୁହ ବାହାରି ଆସୁଥିବା ବେଳେ ପ୍ରୀତି ଚଟ୍ କରି ତାକୁ ପୋଛି ପକେଇଲା…!!


ଘରେ ସମସ୍ତଙ୍କ ଖୁସି ଦେଖି ଆଉ ଏତେ ଆୟୋଜନ କରିଥିବା ଲକ୍ଷ୍ୟ କରି ପ୍ରୀତି କେଜାଣି କାହିଁକି ଆଉ ଦୀପକ୍ ନାମଟି ମୁହଁ ଖୋଲି କହି ପାରିଲାନି…!!ସମୟର ଗତି ସହିତ ତାଳ ଦେଇ ବିବାହ ବେଦୀ ଉପରେ ବସି ବିନୟ ସାଙ୍ଗରେ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଆଗେଇ ଆସିଥିଲା…!!


ବାସର ରାତିରେ ନୂଆ ପାଟ ପିନ୍ଧି ଗଭାରେ ଫୁଲମାଳ ବାନ୍ଧି ଆଖିର କଜଳ ତଳୁ ଚାହିଁ ବସିଥିଲା ପ୍ରୀତି ବିନୟଙ୍କ ଆସିବା ବାଟକୁ । ବିନୟ ଧିରେ ଧିରେ ଆସି ସେହି ଇପ୍ସିତ ବଖରାର କବାଟ ଭିତର ପଟୁ ବନ୍ଦ କରିବାକୁ ହାତ ବଢ଼େଇଛନ୍ତି ହଠାତ୍ ସେପଟୁ ତାଙ୍କ ମାଆ ପାଟି କରି ଡାକିଲେ…"ବିନୁ...ହେଡ କ୍ୱାଟରରୁ ଫୋନ୍ ଆସିଛି...କିଛି ଅର୍ଜେଣ୍ଟ ଅଛି ବୋଧେ...ଟିକେ ଆସିବୁ ତ…"


ଅଧା ବନ୍ଦ ହୋଇଥିବା କବାଟକୁ ପୁରା ଖୋଲିଦେଇ ବିନୟ ତଳକୁ ଦୌଡ଼ି ଯାଇଥିଲେ । ସତକୁ ସତ ଭାରି ଅର୍ଜେଣ୍ଟ କଲ ଥିଲା । ସୀମାନ୍ତରେ ଶତ୍ରୁପକ୍ଷର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ଆଉ ବିନୟଙ୍କ ଛୁଟି ମଧ୍ୟ ଖାରଜ କରାଯାଇ ତାଙ୍କୁ ତୁରନ୍ତ ଡକା ଯାଇଥିଲା…!!ପଦେ କଥା କହିବା ପାଇଁ ମଧ୍ୟ ସମୟ ନଥିଲା କାହା ପାଖରେ । ଦେଶ ମାତୃକାର ସୁରକ୍ଷା ଆଗରେ ବାକି ସବୁ ବିଷୟ ତୁଚ୍ଛ ଥିଲା । ସହାସ୍ୟ ବଦନରେ ବିଦାୟ ନେଇ ବିନୟ ଚାଲିଯାଇଥିଲେ ବୋର୍ଡରକୁ…!!


ଏ ଭିତରେ ଦୀର୍ଘ ବର୍ଷଟିଏ ବିତି ଯାଇଥିଲେ ମଧ୍ୟ ବିନୟଙ୍କର କୌଣସି ଖବର ଆସି ନଥିଲା । ସବୁଦିନ ସକାଳୁ ଆଶା ରହୁଥିଲା କିଛି ସମାଚାର ପାଇବାକୁ...କିନ୍ତୁ ରାତିରେ ସେହି ଆଶା ଅନ୍ଧାରରେ କେଉଁଠି ହଜି ଯାଉଥିଲା । ବିନୟ ସହିତ ଆଉ ଦୁଇଜଣ ସେନାଧ୍ୟକ୍ଷଙ୍କର ମଧ୍ୟ ଖୋଜ ଖବର ମିଳୁ ନଥିଲା ।


"ବୋହୂ ତାର ଏମବିଏ ପଢାଟା ସାରି ଦେଲାଣି । ଘର କାମଧାମରେ ବ୍ୟସ୍ତ ରହୁଛି ସତ...ହେଲେ ସିଏ କଣ ଏମିତି ଜୀବନ ସାରା ବିନୁର ବାଟ ଏମିତି ଚାହିଁ ବସି ରହିଥିବ..!!?? ତା'ର ତ କିଛି ଖବର ଆସୁନି...କଣ କରିବା…!!??" କହିଲେ ଶଶୁର ।


"ମୁଁ ବି ସେଇକଥା ଭାବୁଛି…ଯଦି ବୋହୂ ଆଉ ତା ବାପଘର ଲୋକେ ରାଜି ହେବେ ହେଲେ ରାଜୁ ସହିତ ତା ବାହାଘରଟା କରିଦେଲେ କେମିତି ହୁଅନ୍ତା…!!??ବିନୁ ଫେରି ଆସିଲେ ତାକୁ ବରଂ ଆମେ ବୁଝେଇ ଦେବା । ଏମିତି ହେଲେ ଘରଵୋହୁ ଆମ ଘରେ ହିଁ ରହିବ..." ଛେପ ଢ଼ୋକି ବିନୟଙ୍କ ମା କହିଲେ ।


"ମୁଁ ବି ସେଇ ଏକା କଥା ଭାବୁଛି । ତମେ ବୋହୂ ସହିତ କଥା ହୁଅ । ମୁଁ ତା' କାକା ଆଉ ଜେଜେଙ୍କ ପାଖକୁ ଯାଉଛି…" କହି ବିନୟଙ୍କ ବାପା ବାହାରିଗଲେ ।


କଥାଟା ଘରେ ସମସ୍ତଙ୍କ ମନକୁ ପାଇଲା । ସମୟ ପୁଣିଥରେ କଡ ଲେଉଟେଇଲା ।


ସର୍ବସମ୍ମତି କ୍ରମେ ବିନୟଙ୍କ ସାନଭାଇ ରାଜେଶ ସହିତ ପୁଣି ବିବାହ କରିଥିଲା ପ୍ରୀତି । କିନ୍ତୁ ଏଥର ବିବାହ ଆୟୋଜନ କେବଳ ଏକ ବିଧି ପାଳନ ପାଇଁ ହିଁ କରା ଯାଇଥିଲା ।


ବିବାହ ହେବା ପରେ ପରେ ସାଙ୍ଗମାନଙ୍କ ସହିତ ଏକ ପାର୍ଟିକୁ ଯାଇଥିଲା ରାଜେଶ । ବଡ଼ଭାଇ ଜଣେ ଦାୟିତ୍ବବାନ ଆର୍ମି ଅଫିସର ଆଉ ବାପା ଜଣେ ବଡ ବ୍ୟବସାୟୀ ହୋଇଥିବାରୁ ରାଜେଶ ଅତିଶୟ ବେପରୁଆ ହୋଇଯାଇଥିଲା । ମଜା ମଜଲିସରେ ଦିନ କାଟୁଥିଲା । ସେହି ପାର୍ଟିରେ ନିଜର କିଛି ସାଙ୍ଗମାନଙ୍କ ସହିତ ଡ୍ରଗସ୍ ନେଉଥିବା କଥା ପୋଲିସ ଜାଣି ପାରିଥିଲା ଆଉ ରାଜେଶ ସହିତ ଅନ୍ୟ ସମସ୍ତଙ୍କୁ ମଧ୍ୟ ଗିରଫ କରି ନେଇ ଯାଇଥିଲା…!!ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ରାଜେଶର ଡ୍ରଗ ମାଫିଆ ମାନଙ୍କ ସହିତ ଲିଙ୍କ୍ ବାହାରିଲା…!!ଏତେ ଦିନ ଧରି ତାଙ୍କ ଘରେ କେହି ଜାଣି ପାରି ନଥିଲେ ଏ ବିଷୟରେ । ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ତେବେ କଣ ପ୍ରୀତିର ସୌଭାଗ୍ୟ ଥିଲା ଯେ ଏହିଁ କଥାସବୁ ତା' ବାହାଘର ସହିତ ବାହାରକୁ ଆସିଲା…??


ଏତେ ସବୁ ହେବା ପରେ ଘରଦ୍ୱାର,ସଂସାର କରିବା ମୋହ ପୁରାପୁରି ମରି ଯାଇଥିଲା । ପ୍ରୀତି ସେହି ପରିଚିତ ଗାଆଁ,ସହର,ପରିବାର ସବୁଠୁ ଦୂରେଇ ଯାଇ ଏକ ନୂଆ ଜାଗାରେ ନିଜ ଭାଗ୍ୟ ନେଇ ଗୋଟିଏ ପ୍ରତିଷ୍ଠିତ କମ୍ପାନୀରେ ଚାକିରୀ କରି ନିଜର ଏକ ବ୍ୟବସାୟ ଅନୁଷ୍ଠାନ ଖୋଲିଲା ପରେ ଅତି ଅଳ୍ପ ସମୟ ଭିତରେ ଜଣେ ସଫଳ ବ୍ୟକ୍ତିତ୍ଵ ହିସାବରେ ସମାଜରେ ଉଚ୍ଚ ପ୍ରତିଷ୍ଠା ଲାଭ କରି ପାରିଲା ।


ଅବଶ୍ୟ ଜଣେ ପାରିବାରିକ ବନ୍ଧୁ ମୋହିତ ପ୍ରୀତିର ଏ ଯାତ୍ରାରେ ସବୁ ସମୟରେ ତାର ମାର୍ଗ ଦର୍ଶନ କରିଥିଲେ । ତା' ସହିତ ଛାଇ ପରି ସବୁବେଳେ ରହିଥିଲେ । ଆଉ ଯଥା ସମୟରେ ପ୍ରୀତି ପ୍ରତି ଥିବା ନିଜ ଦୁର୍ବଳତାକୁ ମୁହଁ ଖୋଲି ପ୍ରକାଶ ମଧ୍ୟ କରିଥିଲେ ।


କିନ୍ତୁ... ହାତ ଯୋଡ଼ି ପ୍ରୀତି ତାଙ୍କୁ ମନାକରି ଦେଇଥିଲା ଏକ ବନ୍ଧନରେ ବାନ୍ଧି ହେବାପାଇଁ ଓ ଏକାକୀ ଆଗେଇ ଯିବାକୁ ପସନ୍ଦ କରିଥିଲା ଜୀବନର ଗନ୍ତବ୍ୟ ପଥରେ…!!


ବିମୋହିତ ହୋଇ ମୋହିତ ଦେଖୁଥିଲେ... ପ୍ରୀତିରୂପୀ ସେ ଓଜସ୍ଵିନୀ ଯାଜ୍ଞସେନୀକୁ…!!


ପଞ୍ଚୁପତିଙ୍କ ସାମାଜିକ ବନ୍ଧନ ଭିତରେ ଥାଇ ମଧ୍ୟମ ପାଣ୍ଡବ ପ୍ରତି ନିଜ ହୃଦୟର ଦୁର୍ବଳତାକୁ ଲୁଚାଇ ଯିଏ ଦୁନିଆ ଦାବାନଳରୁ ଅକ୍ଷୁର୍ଣ୍ଣ ରହିପାରି ଆଗେଇ ଚାଲିଥିଲା ନିଜର ନିଜସ୍ଵ ପରିଚୟର ଅମ୍ଳାନ ସନ୍ଧାନରେ…!!


ସେହି ମହାସତୀ ତଥାପି ଥିଲା ସ୍ପର୍ଶରହିତା...କାରଣ ସେ ଥିଲା ଅଗ୍ନି ସମ୍ଭୂତା...!!ସତରେ ...ପାଞ୍ଚାଳୀର ପରିଚୟ କଣ ତା' ପଞ୍ଚୁପତିର ଅଧୀନ..!!??


ସେ ପରା କୃଷ୍ଣା..ଯାହାର ରକ୍ଷକ ସ୍ଵୟଂ ହୃଦୟେଶ୍ୱର ମୁରାରୀ....!!??ଦୁନିଆର କୌଣସି ଶୃଙ୍ଖଳ କଣ ତାକୁ ବାନ୍ଧି ରଖିପାରେ…!!??


ଆଗକୁ ଚାଲି ଯାଉ ଯାଉ ହଠାତ୍ ପ୍ରୀତି ପଛକୁ ଚାହିଁ ଗଭୀର ଆତ୍ମବିଶ୍ବାସଭରା ଆତ୍ମସନ୍ତୋଷର ସ୍ମିତହାସ୍ୟଟେ ଫିଙ୍ଗିଦେଲା…!!



Rate this content
Log in

Similar oriya story from Tragedy