ପଣସ କଷା
ପଣସ କଷା
ମା' ଆଜି ସକାଳୁ ଏକା ଲୟରେ ପଣସ ଗଛକୁ ଲକ୍ଷ୍ୟ କରି ଠିଆ ହୋଇଛନ୍ତି କେତେ ବେଳୁ। ଏଥରକ ପଣସ ଗଛରେ ପଛୁଆ କଷି ଧରିଛି।ଛୋଟ ଛୋଟ କଠାରେ ଗଛ ଭର୍ତ୍ତୀ।ବାପା ପଣସ କଷା ଖାଇବାକୁ ଖୁବ୍ ଭଲ ପାଆନ୍ତି।କଠା ଖାଇବା ଯୋଗ୍ୟ ହେବା ଦିନରୁ ଫାଳେ ଫାଳେ ବାପାଙ୍କ ପାଇଁ କଷା ହେବା ନିଶ୍ଚିନ୍ତ।ଯେତିକି ଖାଆନ୍ତି ସେତିକି କଲୋନୀ ସାରା ବାଣ୍ଟନ୍ତି।ବେପାରୀ ଆସି ଯେବେ କୁହନ୍ତି ପଣସ କଠା ଉଚ୍ଚା ରେଟ୍ ଅଛି।ଗୋଟା ଷାଠିଏ ଟଙ୍କା ବିକ୍ରି ହେଉଛି।ବାବୁ ବିକି ଦେଉନ କଠା ଗୁଡିକ।ବାପା କୁହନ୍ତି ନାଇଁରେ ଭାଇ;ବରଷକେ ଥରେ ଫଳୁଛି।ମୋତେ କଣ ପରିଶ୍ରମ କରିବାକୁ ପଡୁଛି।ଖାଇବାକୁ ଦେଇ ଯତ୍ନ ନେବାକୁ ପଡୁଛି।ଗଛଟି ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଛି।ପ୍ରକୃତି ତାକୁ ବଢ଼ାଉଛି।ସେ ମୋ ଠାରୁ କିଛି ନେଉନି।କିନ୍ତୁ ବରଷକେ ଥରେ ଅକାତାରେ ଖୁସି ଖୁସି ଅଜାଡି ଦେଉଛି ଶଗଡ଼ ଭର୍ତ୍ତୀ ଫଳ।ଜାଣିଛ ବେପାରୀ ଭାଇ ସେ କାହିଁକି ଫଳ ଦେଉଛି?ତାର ଇଚ୍ଛା ତା ସୁଆଦିଆ ଫଳକୁ କଞ୍ଚା ଓ ପାଚିଲାରେ ତାର ମଣିଷ ପିଲା ମାନେ ଆନନ୍ଦରେ ଖାଇବାକୁ।ମୁଁ କିଏ ବିକିବି।ଯିଏ ଆସି କହିବ ସେ ଗୋଟେ ନେବ।ନାଇଁରେ ଭାଇ ଆଉ ଦିନେ ଏ କଥା କହିବ ନାହିଁ।ଷାଠିଏ ଟଙ୍କା କଣ ଗୋଟା ଛଅ ଶହ ଦେଲେ ବି ବିକିବି ନାହିଁ ଏ ପଣସ କଠା ।ତା ଛଡା ଷାଠିଏ ତାଙ୍କ ଦେଇ ସମସ୍ତଙ୍କର ପଣସ କଠା କିଣି ଖାଇବା ତାକତ୍ କଣ ଅଛି?ଏ ପଣସ ସେଇମାନଙ୍କ ପାଇଁ।
ଏଣୁ ପ୍ରତି ବର୍ଷ ଲୋକେ ଚାହିଁଥିବେ ବିଭୁ ବାବୁଙ୍କ ଗଛରୁ ପଣସ କଠା ନେବା ପାଇଁ।ଗଛଟି ବି ମନ ଜାଣି ଓହଲାଇ ଦେଇଥିବ ଗଣ୍ଡା ଗଣ୍ଡା ପଣସ।ଏତେ କଷି ହେବ ଯେ ପତ୍ର ଦିଶିବ ନାହିଁ।ବାପା କାଳେ କଷି ଗୁଡିକ ଶୁଖି ଯିବ ସେଥିପାଇଁ ଦିନେ ଦୁଇ ତିନି ଦିନ ଅନ୍ତରରେ ଗଛ ମୂଳେ ତାରି ଶୁଖିଲା ପତ୍ର ଜାଳନ୍ତି।ଉଷୁମ ପାଇଲେ କଷି କାଳେ ଶୁଖି ଯାଏ ନାହିଁ।
କିନ୍ତୁ ଏମିତି ହେଲା ବାପା ପଣସ କଠା ଖାଇବାକୁ ଆଉ ମନ କଲେନି।କାହିଁକିନା ଡାକ୍ତର ମନା କରି ଦେଇଛନ୍ତି ତେଲ,ମସଲା,ପ୍ରୋଟିନ ଯୁକ୍ତ ଖାଦ୍ୟ,ଘିଅ,ଅରୁଆ ପୁରା ବନ୍ଦ।ହାଇ କୋଲୋଷ୍ଟର ସହ ହାଇ ଡାଇବେଟିସ୍।ଲାଉ,ଅମୃତଭଣ୍ଡା,କଲରା,ବାଇଗଣ ଖାଇବାକୁ ପଡିଲା।ସେ ପୁଣି ବିନା ମସଲାରେ।
ବାପାଙ୍କ ଖାଇବା ପ୍ରତି ରୁଚି କମିଗଲା।ବିନା ମସଲାରେ ତରକାରୀ!ଖୁସି ବାସି ମିଞ୍ଜାସିଆ ଲୋକ ବାପା।ଭଲ ଖାଇବା,ଖୁଆଇବାକୁ ଭାରି ପସନ୍ଦ କରନ୍ତି।ଆମିଷ ଖାଆନ୍ତି ନାହିଁ ସତ ତେଲ ଘିଅରେ ଭାସନ୍ତି କିନ୍ତୁ।କେତେ ରକମ ରକମ ମସଲା ରୋଷେଇ ଘରେ ଢିଲ୍ କରିଦିଅନ୍ତି।ଭଲ ସାତ୍ତ୍ଵିକ ଖାଦ୍ୟ ଖାଅ,ଭଲ ପିନ୍ଧ ସବୁବେଳେ କୁହନ୍ତି।ଜୀବନକୁ କଣ ଭରସା ଅଛି।ଖାଅ,ପିଅ ଖୁସିରେ ବଞ୍ଚ।ଭାରି ସଉକାନି ମଣିଷ ବାପା।ପଡୋଶୀ ବହୁତି ଭଲ ପାଆନ୍ତି ବାପାଙ୍କୁ।କାରଣ ବାପା ମା ପରି ସମସ୍ତଙ୍କ ପେଟ ଦରାଡନ୍ତି।ଘରକୁ ଯିଏ ଆସିଲା ଚା ଜଳଖିଆ ପେଟେ ଖାଇବ ନିଶ୍ଚେ।ଲୋକେ କୁହନ୍ତି ଏ ସ୍ୱାର୍ଥ ସର୍ବସ୍ବ ଦୁନିଆଁରେ ବିଭୁଦତ୍ତ ବାବୁଙ୍କ ପରି ମଣିଷ ବିରଳ।
ରିଟାର୍ଡ କରିବାକୁ ଆହୁରି ଦୁଇ ବର୍ଷ ଅଛି।ବାପା ଖାଲି ଅଫିସ୍ ଯାଆନ୍ତି ନାହିଁ। ଛୁଟି ଦିନ ମାନଙ୍କରେ ବାଡ଼ି ବଗିଚାରେ ଗଛ ମାନଙ୍କ ସହ ଲାଗିଥାନ୍ତି।ସତେକି ଗଛ ବାପାଙ୍କ ସହ କଥା ହୁଅନ୍ତି।ଭୁବନେଶ୍ୱର ସତ୍ୟ ବିହାରରେ ବାପାଙ୍କ ବାପା ସାତ ଗୁଣ୍ଠ ଜମି ପକେଇ ଦେଇଥିଲେ।ବାପା ସେଠି ଦୁଇ ମହଲା ଘରେ ଖଣ୍ଡେ କରିଛନ୍ତି।ପଛରେ ଘର।ଘର ଆଗରେ ବଡ଼ ଏକ ବଗିଚା।ଗେଟ୍ ପାଖରେ ଗୋଟିଏ ପଟେ ପଣସ ଗଛ ଅନ୍ୟ ପଟେ ଆମ୍ବ ଗଛଟିଏ।ଦୁଇଟି ଯାକ ଗଛ ଘର ଜଗୁଆଳି ପରି ଠିଆ ହୋଇଛନ୍ତି।ବାପାଙ୍କ ହାତ ଲଗା ଗଛ ଏମାନେ।କୁହନ୍ତି ତାଙ୍କ ପୁଅ ପ୍ରଭୁ, ମୋ ସ୍ୱାମୀ ଯେତେବେଳେ ଜନ୍ମ ନେଲେ ସେ ଏ ଗଛ ଦୁଇଟି ଲଗାଇ ଥିଲେ।ମୁଁ ବର୍ଷେ ହେଲା ଏ ଘରକୁ ଆସିଛି।ମୋତେ ବାପା ଗଛକୁ ଦେଖାଇ କୁହନ୍ତି "ମା ଦିବ୍ୟା ଏ ଗଛ ଦିଟା ମୋ ପ୍ରଭୁ ପରି।"ପ୍ରଭୁ ବଢ଼ିଲା ସହ ଗଛ ବି ବଢିଲେ।ସବୁଦିନେ ପାଣି ମୁନ୍ଦେ ମୁନ୍ଦେ ଦେଉଥିବୁ।ଘାସ ବାଛୁଥିବୁ।ମୋ ନାତି ନାତୁଣୀ ଏ ଗଛ ଦେଖି ମୋତେ ମନେ ପକାଇବେ।ମରି କି ବି ମୁଁ ଏ ଗଛ ଭିତରେ ବଞ୍ଚିବି।
ବାପା ଏ କଥା କହିଲା ବେଳେ କଣ୍ଠ ବାଷ୍ପରୁଦ୍ଧ ହୋଇଯାଏ।ଘରଟି ସତେକି ମଠ ଭିତରେ ଲାଗେ।ସବୁ ପ୍ରକାର ଫୁଲ,ଫଳ ଗଛରେ ଭର୍ତ୍ତୀ ବଗିଚାଟି।ଫନିରେ ପଣସ ଗଛ ଡାଳ ଦିଟା ଭାଙ୍ଗି ଶ୍ରୀ ହିଁନ ଦିଶିଲା।ବାପାଙ୍କ ଡାଇବେଟିସ୍ ଓ କୋଲୋଷ୍ଟର ବଢିଗଲା।ଖାଇବାକୁ ଭଲ ପାଉଥିବା ଲୋକଟି କେଇଟା ଦିନରେ ଶିଝା ଖାଇ ଖାଇ ଡାଙ୍ଗ ହୋଇ ଗଲେ। ଆଶ୍ଚର୍ଯ୍ୟ ପଣସ ଗଛରେ ବି ଆଉ ପଣସ ଫଳିଲା ନାହିଁ।ମା କୁହନ୍ତି ଏ ଅଲକ୍ଷଣା ରୋଗଟି ହେବା ଦିନୁ ବାପାଙ୍କ ମନରେ ଖୁସି ନାହିଁ। ପଣସ ଗଛ ଦେଖୁନୁ ବାପାଙ୍କ ପାଇଁ ଦୁଃଖ କରି ଆଉ ଫଳୁନି।
ପାଠଶାଠ ପଢିଥିବା ମୋ ଆଧୁନିକ ମନ ବି ଆଶ୍ଚର୍ଯ୍ୟ ହୁଏ ବାପା ଓ ପଣସ ଗଛର ସମ୍ପର୍କ ଦେଖି।
ଥରେ ଆମ ଘରୁ ପଣସ କଠାଟିଏ ମୋ ଭାଇ ଆଣି ଆସିଥିଲେ।ବାପା ଭାରି ଖୁସି ହୋଇ ଗଲେ କଠାକୁ ଦେଖି।ମୋତେ କହିଲେ ଜାଣିଲୁ "ମା ଜୀବନରେ କେବେ କେବେ ମସଲା ଫେଣ୍ଟିବା ଦରକାର। ମନୋରଞ୍ଜନ ମଝିରେ ମଝିରେ ଲୋଡ଼ା।ଯୁଆଡେ ମନ ଚାହିଁବ,ଯାହା ଇଚ୍ଛା ହେବ କରିବୁ।କିନ୍ତୁ ହଁ ଏଇଟା ଭୁଲିବୁ ନାହିଁ ପ୍ରଭୁ ରୋଜଗାର ଯେମିତି ତୋ ଚାହିଁବାକୁ ପାଉଥିବ।ପକେଟ୍ ପରମିଟ୍ ନ କଲେ ଖୁସି ପରିବର୍ତ୍ତେ ଦୁଃଖ ଭୋଗିବ।ମଝିରେ ମଝିରେ ବୁଲି ଯିବ,ହୋଟେଲ ରେ ଖାଇବ,ମଜା ମସ୍ତି କରିବ।ଜୀବନ କେତେବେଳେ କେଉଁ ରଙ୍ଗ ଦେଖାଇବ କିଏ ଜାଣେ।ଦେଖୁନ ବିନା ମସଲା ରେ କି ଜୀବନ ବଞ୍ଚୁଛି ମୁଁ।ସେଦିନ ଅଳ୍ପ ଟିକେ ମସଲା ଦେଇ ପଣସ କଷା କଲି।ବାପା ଭାରି ଖୁସି ହୋଇ କହିଲେ ଅନେକ ଦିନ ପରେ ପେଟ ଭରି ଖାଇଲି ଆଜି।
ବାପା ଯେ ରୋଗ ପାଇଁ ଖୁବ୍ ଦୁଃଖିତ ତାଙ୍କ କଥାରୁ ବୁଝା ପଡେ।ହଠାତ୍ ଜାନୁଆରୀ ଷୋହଳ ଦିନ ରାତିରେ ଖାଇ ଶୋଇଛନ୍ତି ଯେ ଶୋଇଛନ୍ତି।ଆଉ ଉଠିଲେ ନାହିଁ।ହାର୍ଟ ଆଟାକ୍ ରେ ସେ ପାରୀର ଯାତ୍ରୀ ହେଲେ।
ସେ ନାହାନ୍ତି ଶଶରୀରେ ଅଛନ୍ତି କିନ୍ତୁ ଆମ ଭିତରେ।ଏ ବର୍ଷ ପଣସ ଗଛ ପଣସରେ ଭର୍ତ୍ତୀ ହୋଇଛି।ବାପା ପଣସ ଦେଖି କଷା ଖାଇବାକୁ କାଳେ ମନ କରିବେ ସେଇ ପାଇଁକି ଗଛଟି ଫଳୁ ନ ଥିଲା! ପଣସ ଗଛ ଓ ବାପା।ବାପା ଓ ପଣସ ଗଛ ର କି ଅପୂର୍ବ ନିରୁତା ସମ୍ପର୍କ!!
ମା ଏକା ଲୟରେ ପଣସ ଗୁଡିକୁ ଚାହିଁ ରହିଛନ୍ତି ଯେ ରହିଛନ୍ତି।ବାପାଙ୍କ ଗଲା ପରେ ପ୍ରାୟତଃ ମା ଏଇ ପଣସ ଗଛ ମୂଳେ ବସିଥାନ୍ତି।କଣ କଥା ହେଲା ପରି ଲାଗେ। ଗଛ ସଂଗେ କି ବାପା ସଂଗେ କଥା ହୁଅନ୍ତି।ଘରେ ଭଲ ମନ୍ଦ ହେଲେ ଆଗ ନେଇ ପଣସ ଗଛ ମୂଳେ ଦେଇ ଆସନ୍ତି।ବେଳେବେଳେ ଗଛକୁ ଆଉଜି ଢୁଳେଇ ପଡନ୍ତି।ପ୍ରଭୁ ଆଉ ମୁଁ ବୁଝୁ "ମା ବାପାଙ୍କୁ ଝୁରି ହେଉଛନ୍ତି।"ପ୍ରଭୁ ଏଣୁ ତେଣୁ କହି ଭୁଲେଇ ସେଠୁ ମା ଙ୍କୁ ଉଠାଇ ଆଣନ୍ତି।ମା ବରାବର ଗଛ ସହ ବାପାଙ୍କ ସଂଗେ କଥା ହେଲା ପରି କଥା ହୁଅନ୍ତି।ଦିନେ ମା କହୁଥିବାର ମୁଁ ଶୁଣିଲି , "ଶୁଣୁଛ! ଦିବ୍ୟା ମା ହେବାକୁ ଯାଉଛି,ଆମ ପ୍ରଭୁ ବାପା ହେବ।ତିନି ମାସ ହେଲାଣି।ତୁମେ ଏଣିକି ଜେଜେ ହେବ।"ସେବେଠାରୁ ଗଛକୁ ଆମେ ସମସ୍ତେ ବାପା ଭଲି ସମ୍ମାନ ଦେଉ ଓ ସେବା କରୁ।
ମା କୁ ମୁଁ ଧୀରେ କହିଲି,ମା ଚା ଖାଇବେ ଆସନ୍ତୁ।ମା ନିଜ ଭିତର କଥା ଲୁଚେଇ କହିଲେ, "ଦିବ୍ୟା ଦେଖିଲୁ ଏ ବର୍ଷ କେତେ ପଣସ।ବାପା ପଣସ କଷା ଖୁବ୍ ଭଲ ପାଆନ୍ତି ।ଥିଲେ କେତେ ଖୁସି ହେଉଥାନ୍ତେ।କେତେ ବାଣ୍ଟିଥାନ୍ତେ।ହେଲେ କେଉଁଠୁ ଆଇଲା ସର୍ଵଗ୍ରାସିଆ ରୋଗ ଖୁଆଇ ଦେଲା ନାହିଁ ପଣସ କଷା ଟିକେ।ଆଲୋ ମା ଏ ରୋଗ ଗୁଡା ଭଲ ଲୋକଙ୍କ ସଂଗେ ଏମିତି ଅହନ୍ତା ସାଜନ୍ତି କାହିଁକି?ପ୍ରଭୁକୁ କହିବୁ ପଣସ କଠା ଗୁଡାକ ପଡିଶା ଘରେ ବାଂଟିଦେଵ।"
ବୋଉଙ୍କ ଆଖିରେ ଆଷାଢ଼।
ମୋତେ ପଣସ ଗଛଟି ବାପା ବାପା ବାସୁଥିଲେ।