STORYMIRROR

Binapani Pradhan

Inspirational Others

5.0  

Binapani Pradhan

Inspirational Others

ପଣା

ପଣା

2 mins
1.5K


ଗାଁ କଥା କ'ଣ କହିବି , ସେଠି ସହରର ଛାପ ଜଳଜଳ।ଆଉ ରହିଲା ବାଙ୍କ ଜେଜେ, ସେ ସେଇ ପଣା ପାଖରେ ରହିଗଲେ।ସକାଳୁ ଚାରିଥର ପଚାରିଲେଣି ପଣା କରିବୁନି,ତାଙ୍କ ନାତୁଣୀ ସେଲିକୁ, କାଲି ଠେକି ବାନ୍ଧିବୁନି।ନୁଆ ଖଣ୍ଡେ ବୃନ୍ଦାବତୀଙ୍କୁ ପିନ୍ଧେଇ ,ଠେକିଟାଏ ବାନ୍ଧିବୁନା । ନାତୁଣୀ କାନରେ ଇୟରଫୋନ୍ ଦେଇ କହିଲା ଆଉ ଜେଜେ ସେସବୁ ଚାଲୁନି।ତମର ଯଦି ପଣା ପିଇବା କଥା କାଲି ଆମ ଗାଁ ସଂଘ ପାଳନକରୁଛନ୍ତି ପଣା ସଂକ୍ରାନ୍ତି। ଯାଇ ବହେ ପିଇ ଦେଇ ଆସିବ।ଆଜିକାଲି ଘରେ ପଣା କିଏ କରୁଛି।କୋଲ୍ଡ ଡ୍ରିଙ୍କସ୍ ର ଜମାନାରେ ତୁମେ ସେହି ପଣା ପଣା ହେଉଥା ,କହି ଗର ଗର ଚାଲିଗଲା ନାତୁଣି ଖଣ୍ଡିକ।

ବୁଢାଲୋକ ବାଙ୍କଜେଜ,କହିଲେ ହଉ ହଉ,ଆଉ କ'ଣ ଆମ କାଳ କଥା ଅଛିା ଆମେ ଯାହା ଦେଖିଛୁ ସେଇଆ କହୁଛୁ।

ଏଇ ଦଣ୍ଡାରେ କେତେ ସଂକରାନ୍ତି ଯାଇଛି,ଆମେ ଭେଣ୍ଡା ଥିଲା ବେଳେ ରଡ ନିଆଁରେ ପରା ଚାଲୁଥିଲୁ।ବୀର ଭଳିଆ ନିଆଁ ଉପରେ ହାନ୍ଦୋଳା ଖେଳୁ ।ପଣା ପିଉ ।ପଣା କଥା ଭାବିଲା ବେଳକୁ ନାକ ଯାକ ଖାଲି ବାସ୍ନା । ସତେକି ଅମୃତ କିଏ ଢାଳି ଦେଇଛି ସେ ପଣାରେ,ତାକୁ ପିଇ ଆମେ ସୁସ୍ଥ ଶବଳ ଥିଲୁ ନା !।ଗୋଲମରିଚ ଯେଉଁ ବାସ୍ନା ,ଆଉ କଣ ଦେହରେ ବଳ ଅଛି ଯେ ସେ ନିଜେ ଯୋଗାଡି ପାରିବେ।ବାଙ୍କ ଜେଜେ ମନଟା ଖାଲି ପୁରୁଣା ଦିନଗୁଡିକରେ ପୁରିଗଲା ।ହଜିଗଲା ପରି ଦଣ୍ଡାର ଧୂଳି ଆଡେ ଚାହିଁଥିଲେ।ଯେମିତି ସେଦିନଗୁଡା ଏଇ ଧୂଳିରେ ମିଶିଛି।ଆଉ ସେଥିରେ ଭାବନାରୁ ଟୋପେ ପଡିଗଲେ ତାଙ୍କ ଦେହ ମନ ସେ ମାଟିବାସ୍ନାରେ ଓଦା ।ତଣ୍ଟି ଯାଏ ରୁନ୍ଧି ହୋଇଯାଏ ସେଇ ପୁରୁଣା ଦିନର କଥା ,ସ୍ନେହ ସରାଗର ଦିନ ମାନ।ଆଖିରେ ଭାସେ ଏଇ କାଲିର କଥା ଭଳି।

ନାଇ ଆଉ ରହିହେବନି! ପଣା ଟିକେ ପିଈବେ ଯାହାହେଉ।ସକାଳୁ ନିଜକାମସାରି ବାହାରିଲେ ଛକ ପାଖ ସଂଘ ଘରକୁ ହଉ ଦେଖିବା ଆଜିକାଲିକା ପିଲା କିପରି ପଣା ତିଆରୁଛନ୍ତି!କେତେ ବୀରପୁଅ ନିଆଁରେ ଖେଳୁଛନ୍ତି,ମଠା ଟାଏ ଆଣି ମଡେଇ ହେଲେ।ଧୋତିକୁ କୁଞ୍ଚିକରି ତାଙ୍କ ନଇଁ ଯାଇଥିବା ଅଣ୍ଟାରେ ଯେନ ତେନ ଖୋସିଦେଲେ।ବାଡିକୁ ଧରି ଗଡିଲେ ସଂଘ ଘରକୁ।

ସଂଘ ଘର ଆଗେ ରୁଣ୍ଡ ଗାଁ ଯୁବକ । ଜୋରରେ ଡିଜେ ବାଜୁଛି।ଯାହା ହେଉ ପିଲା ମାନେ କିଛି ଭୁଲି ନାହାନ୍ତି ବାଙ୍କ ଜେଜେ ସଂଘର ଆବଭାବ ଦେଖି କଳନା କରିନେଲେ ,ହେଉ ପଛେ ତାଙ୍କ ଅମଳ କଥା ନାହିଁ ହେଲେ ପୋଡି ଯାଇନି ତ ତାଙ୍କ ସଂସ୍କୃତି ସଂସ୍କାର । ଯୁଗ ବଦଳିଛି ସିନା ଜୀବନ ବଦଳିନି।ଆମ ପରବର ଆଢୁଆଳେ ଆଜିବି ହସୁଛି ଜୀବନସବୁ।ଖୁବ୍ ଗୋଟେ ଖୁସିରେ ହାଜର ଗାଁ ପିଲାଙ୍କ ମେଳରେ ବାଙ୍କ ଜେଜେ।ହଣ୍ଡାଏ ପଣା ତିଅାରି ହେଇଛି,ପିଲାଏ ପିଇ ଗିଲାସେ ଲାଖେ ଖୁସିରେ ନାଚି ପକଉଛନ୍ତି।ଗୋଡଟଳ ମଳ ସମସ୍ତଙ୍କର,କିଏ କହୁଛି ଆଉ ଟିକେ ଦେବେ!କିଏ କହୁଛି "ଆବେ ରାଧାନେ କିୟା ମିସ୍ କଲ୍ ଟା ଲଗା"ମୁଁ ଆଜି ତା ଘର ଯାଏଁ ନାଚି ନାଚି ଯିବି।

ବାଙ୍କ ଜେଜେ ଟିକେ ଆଚାକାଚା ହେଇ କହିଲେ ଆରେ ନବଘନ "ତୁ ଏମିତି କଣ କହୁଛୁ କିରେ"କାହା ଘରଯାଏଁ ଯିବୁ ।"ବାଙ୍କ ଜେଜେ ତୁମେ ଆସିଛ "କହିଲା ନବଘନ ତା ନାଲି ନାଲି ଆଖିରେ ଗାଢେଇକି ଅନେଇ ବାଙ୍କ ଜେଜେ ଆଡେ।କହିଲା ବାଙ୍କ ଜେଜେ ଆଇଛ ଯେତେ ବେଳେ ପଣା ପିଇକି ଯାଅ,କହି ବାଙ୍କ ଜେଜେ କୁ ବଢେଇ ଦେଲା ନବଘନ ,ବାଙ୍କଜେଜେ କାଉ ଝାମ୍ପିଲା ପରି ନେଇଗଲେ ପଣା ଗିଲାସ ପୁରୁଣା ପଣା ପାଗର ମୋହରେ।

ଏକାଥରକେ ପିଇ ଗଲେ।ଯେମିତି ବହୁ ଦିନ ପରେ ଖୋଜିଲା ଜିନିଷ ପାଇଁଛନ୍ତି।ପେଟ ମନ ସବୁ ଥଣ୍ଡା।ଓହ! ଓହ! କହି ପଡିଗଲେ ବାଙ୍କ ଜେଜେ ସେଇଠି ।ଆଖିସାରା ଅନ୍ଧାର ।

ଧିରେ ଧିରେ ଆଖି ଖୋଲିଲା ବେଳକୁ ତାଙ୍କ ଚାରିପାଖେ ପାଞ୍ଚ ଦଶଜଣ ଯୁବକ ଆଖି ତରାଟି ପାଣି ଛିଞ୍ଚୁଛନ୍ତି।ବାଙ୍କ ଜେଜେଙ୍କୁ ଦିଶୁଛି ତାଙ୍କ ପିଲାବେଳର ନିଆଁହୁଳା ,ପାଉଁଶ ହୋଇ ଗଦା ହୋଇଥିବା ତାଙ୍କ ସମୟର ରଡନିଆଁ।ତାଙ୍କ ପଣା ବାସ୍ନାରେ ଅପମିଶ୍ରିତ ଗୁଡାଏ ଉଗ୍ରସମୟର ବେଖାତିର ମନୋଭାବ।ମୁହଁକୁ ଲୁଚାଇ ଲୁଚାଇ ଫେରିଆସିଲେ ବାଙ୍କ ଜେଜେ।କାହାକୁ କିଛି ନକହି ତାଙ୍କ ପାଟି ବନ୍ଦ ରଖି ଦଣ୍ଡା ଧୂଳି ଆଡେ ଚାହିଁ ବସିରହିଲେ ବାଙ୍କ ଜେଜେ।

ବୀଣାପାଣି ପ୍ରଧାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational