ରବି ଟକିଜ୍
ରବି ଟକିଜ୍


ରବି ଟକିଜ୍ ନାଁଟା ଶୁଣିଲେ ପ୍ରାଚୀ ମନରେ ନିଆଁ ଜଳେ,ତା ଶିରା ପ୍ରଶିରାରେ ଖେଳିଯାଏ ଘୃଣା ଆଉ ଅସହ୍ୟଭାବ,କେମିତି କାଟିକୁଟି ଫିଙ୍ଗି ଦେଇ ପାରନ୍ତାକି ତା ପିଲାବେଳର ବିତିଥିବା ସେ ଖରାବେଳର ଶୋ କୁ। ଆଠ ଟା ବର୍ଷର ଝିଅର ଶୈଶବର ଆତ୍ମହତ୍ୟାକୁ ସେ ସେଇଠି ଆବିଷ୍କାର କରିଥିଲା , ଆଜିବି ସେ ରାସ୍ତାଦେଇ ଫେରିଲେ ଗଙ୍ଗାସ୍ନାନ କରାଏ ତା ମନକୁ ,ଆତ୍ମାକୁ ।
ତା ଦେହରେ ଥିବା ସେ ଅଶ୍ଳୀଳ ସ୍ପର୍ଶକୁ, ସେ ଘସି ଘସି ରାଗରେ ଛିଣ୍ଡେଇପକାଏ,ହେଲେ ସେ ଦାଗ ଯାଏନି,ବରଂ ତା ଆକାର ବଢେ,ଲହୁ ଲୁହାଣ କରେ ତା ଭିତରେ ବଢୁଥିବା ନାରୀତ୍ୱକୁ, ଅତୀତର ନିଶ୍ବାସରେ ହରାଏ ଆତ୍ମବିଶ୍ୱାସ।
ପରଶୁର ଅପବିତ୍ର ଆଖିଦିଟା ଓଟାରିନିଏ ତାକୁ ସେଇ ମୁହୂର୍ତ୍ତକୁ ବାରମ୍ବାର,ତାକୁ ମାମୁଁ ଡାକିବାକୁ ପ୍ରାଚୀ ଘୃଣା କରେ। କୋଉ ନିଜର ମାମୁଁଟାଏ ଯେ ଅମଣିଷ ଟାକୁ ମାମୁଁ ବୋଲି ଡାକିବ। ହେଲେ କାହାକୁ କହିନି ସେ ଏକଥା ,ଖାଲି ଯାହା ରବି ଟକିଜ୍ କାନ୍ଥ ଫୁଟେଇ ପ୍ରାଚୀ ଲେଖିଦେଇଛି ତା ଆଠ ବର୍ଷ ବୟସରେ ବିତିଥିବା ଗୋଟେ ଶୈଶବର ଅସହାୟତାକୁ ।
ରବି ଟକିଜ୍ ଆଗରେ ଝିପିଝିପି ବର୍ଷା,ପ୍ରାଚୀ ଶେଖରଙ୍କୁ ଛତା ଖୋଲି ବଢାଇଦେଲା। ଟିକେ ଛାଡି ଠିଆ ହେଲା,ଯେମିତି ସେ କାହାକୁ ନଛୁଇଁବାର ଶପଥ ନେଇଛି,ଏମାନେ ସବୁ ଏକାପରି,କାହକୁ ବିଶ୍ୱାସ ନାହିଁ ।ଚୁପ୍ ଚାପ୍ ବର୍ଷା ଆଡକୁ ଅନାଇ ଠିଆ ହେଲା। ଆରେ ବର୍ଷା ଛାଡିବାର ନାଁ ଧରୁନି,ଚାଲ ମୁଁ ତୁମକୁ ଘରେ ଛାଡିଦେଇଆସିବି। ଶେଖର ଏତିକି କହିବା ପରେ ପ୍ରାଚୀ ଅନ୍ୟମନସ୍କ ହୋଇ ଅଧା ଓଦା ହୋଇ ଦୁଇ ପାଦ ଆଗେଇଗଲା ଏକା ଏକା । ଶେଖର ତାକୁ ଛତା ତଳକୁ ପଛରୁ ଆସି ଭିଡିନେଲେ ।"ତୁମେ ଏତେ ଏକାକରିଦେଲେ ,ମୁଁ ରାସ୍ତା ପାଇବି କୋଉଠୁ"ବାଟବଣା ହୋଇଯିବି ପ୍ରାଚୀ କହି ଶେଖର ହାତଧରି ପକେଇଥିଲେ। ପ୍ରାଚୀ ଟିକେ ଚମକି ପଡିଲା,ସେ ଅନୁଭବ କଲା ନୂଆ ନୂଆ କରି କଣ ଗୋଟେ ବଦଳି ଯାଉଛି ତା ଭିତରେ। ବର୍ଷାରୁ ଖସିଆସିଥିଲା ସତ ଶେଖରଙ୍କ ଛତା ତଳକୁ ,ହେଲେ ଗୋଟାପଣେ ଓଦା ପ୍ରେମର ପ୍ରଥମ ବର୍ଷାରେ।
ଆଗେଇଚାଲିଥିଲା ସେ ତା ରାସ୍ତାରେ ଜମିଥିବା କି ବୋହିଆସୁଥିବା କାଦୁଅ ମଇଳା ପାଣିର ସୁଅକାଟି।ପଛକୁ ଫେରିଲା ବେଳକୁ ବହୁତ ଦୂରରେ ଥିଲା ରବିଟକିଜ୍ ,ସେ ଫେରିଦେଖିବାକୁ ଚାହୁଁ ନଥିଲା।