ସମ୍ଭାବ୍ୟ ପ୍ରଶ୍ନ
ସମ୍ଭାବ୍ୟ ପ୍ରଶ୍ନ
ଆରେ ଏତେ ବଡ ଝିଅଟେ ହେଲୁଣି ,ତୋର କଣ ବୁଝିବା ଶକ୍ତି ନାହିଁ ।ଏତେ ସ୍ପଷ୍ଟବାଦୀ ହେବା କଣ ଦରକାର।ତୋର ଏଇ ସ୍ପଷ୍ଟବାଦୀତା ପାଇଁ ତିନିଟି ଭଲ ପ୍ରସ୍ତାବ ହାତ ଛଡା କରିସାରିଲୁଣି।ବାପାଙ୍କୁ ଡାକ୍ତର କହିଛି ,ସେ ନିଦ ମେଡିସିନ୍ ନେଲେଣି।ତୋତେ କଣ ଜଣା ପଡୁନି ,ଟିକେ ମିଛସତ କରିକହିଦେଲେ କୋଉ ବେଦଟି ଅଶୁଦ୍ଧ ହୋଇଯିବ।ଏକା ଥରକେ ଗୋଟେ ନିଶ୍ବାସରେ ବିରକ୍ତି ମିଶା କଣ୍ଠରେ କହିଚାଲିଥାନ୍ତି ସୋନାଲି ର ମା'।
ସୋନାଲି ମୁହଁରେ ଅସନ୍ତୁଷ୍ଟତା ର ଚିହ୍ନ। ମା ଏମିତି କଣ କହୁଛୁ । ତୋରି ପାଖରୁ ହି ମୁଁ ଶିଖିଛି କାହାକୁ ମିଛ କହିବିନି।ସୋନାଲି କହୁଥାଏ।
ଶୁଣ୍ ,ସେ ପୁଅ ଘର ଲୋକ କାଲି ଆସିବେ। ଗତ ଥର ପରି ତୋର ମୁଁ କିଛି ରୋଷେଇ ଜାଣେନି,ମୁଁ ବେଶୀ ହେଲେ କଫି କି ମ୍ୟାଗି ଟିକେ ବନେଇ ପାରିବି।ମୁଁ ଚାକିରି ଛାଡିବିନି ଏସବୁ କିଛି କହିବା ଦରକାର ନାହିଁ ।ବୁଝିଲୁ ଆମେ ଏ ପ୍ରସ୍ତାବ କୁ ହାତଛଡା କରିବାକୁ ଚାହୁଁନୁ।କହିଦେବୁ ମୁଁ ସବୁ କରିପାରେ ଦରକାର ହେଲେ ଚାକିରି ବି ଛାଡିବି।ଏତକ ଅନର୍ଗଳ ଭାବେ ସୋନାଲି ମା କହି ତା ପାଖରୁ ଚାଲିଗଲେ।
ରାତିସାରା ସୋନାଲିକୁ ନିଦ ନାହିଁ ନିଜକୁ ପ୍ରସ୍ତୁତ କରୁଥାଏ କେମିତି ସେ ସାମ୍ନା କରିବ ଏଥର ପୁଅଘର ବାଲାଙ୍କୁ । ମନରେ ବହୁତ ଦ୍ୱନ୍ଦ ।ସତରେ କଣ ମିଛ କହିବାଟା ଠିକ୍ ହେବ।ଏଥିରେ ମୋର ଦୋଷ କଣ ମୁଁ ହଷ୍ଟେଲ ରେ ରହି ପାଠ ପଢିଲି ତା ପରେ ବ୍ୟାଙ୍କରେ ଘର ପାଖରେ ପୋଷ୍ଟିଙ୍ଗ । ମା ତ ସବୁ କରିନିଅନ୍ତି ନିଜେ ନିଜେ। ମୋତେ ସୁବିଧା ମିଳିଲା କେତେବେଳେ ମୁଁ ଏସବୁ ଶିଖିଥଆନ୍ତି।ହଉ ଯାହାବି ହେଉ ବାପାଙ୍କ ବିପି ବଢିବାର ସେ ଦେଖିପାରିବନି ସେ ବି ପୁଣି ଖାସ୍ ତା ପାଇଁ ।
ସକାଳୁ ବାଥରୁମ ଯାଉ ଯାଉ ସୋନାଲି ପଚାରିନେଲା ମାଙ୍କୁ ରୋଷେଇ ଆଉ ଘର କରଣା ବିଷୟରେ ସବୁ ସମ୍ଭାବ୍ୟ ପ୍ରଶ୍ନ।ଟିକେ ଲ୍ୟାପଟପ୍ ଓପନ କରୁ କରୁ ମା ପାଟିକରି କହିଲେ ଆରେ ତୁ ରେଡି ହୁଅ ତୋ ପାଇଁ କଣ ଲୋକ ଡେରିରେ ଆସିବେ । ସେମାନେ ଆସିଯିବେ ଆଉ ଅଧା ଘଣ୍ଟା ଭିତରେ ,ଫୋନ୍ କଲେଣି ରାସ୍ତା ରୁ । ହଉ ମା କହି ସୋନାଲି ମିରର୍ ଆଗରେ ନିଜକୁ ସଜାଡୁ ସଜାଡୁ ମାଙ୍କ ଉପଦେଶ ସବୁ ମୁଖସ୍ତ କରୁଥାଏ ।କାହିଁକି କେଜାଣି ସେ ଭାରି ନର୍ଭସ୍ ଏଥରକ।ତାକୁ ଏଥରକ ପୁରା ପରିସ୍ଥିତିକୁ ଚାହିଁ କଥାବାର୍ତ୍ତା କରିବାକୁ ପଡିବ।
କିଛି ସମୟ ପରେ ପୁଅଘର ଗାଡି ଆସି ଘର ଆଗରେ। ସାମାନ୍ଯ କଥୋପକଥୋନ ପରେ ଉଭୟ ପକ୍ଷ ଭିତରେ ,ସୋନାଲି କୁ ମା ଡାକିଲେ।ସୋନାଲି ଖୁବ୍ ସଞ୍ଜତ ଭାବରେ ଚା ପ୍ଳେଟ ଧରି ସମସ୍ତେ ବସିଥିବା ରୁମ ଭିତରକୁ ଗଲା।ଖୁବ୍ ଭାଙ୍ଗିପଡିଲା ପରି ତାକୁ ଅନୁଭବ ହେଉଥାଏ।
ଯେକୌଣସି ପ୍ରକାରେ ନମସ୍କାର ଟେ ପକେଇ ଖୁବ୍ ସନ୍ତର୍ପଣରେ ବସିପଡିଲା ସୋଫା ଉପରେ। ସମସ୍ତେ ନୀରବ।ନିରବତା ଭଙ୍ଗକରି ସୋନାଲି ର ମା କହିଲେ ଆପଣଙ୍କର କଣ ପଚାରିବାର ଅଛି ଝିଅକୁ ପଚାରନ୍ତୁ।ଜଣେ ମହିଳା କହିଲେ ଆମେ ବୋହୂ ବାଛିବାକୁ ଆସିନୁ ଭଲ ହୃଦୟର ଝିଅଟିଏ ଖୋଜୁଛୁ। ମୋ ଘରକୁ ହସଖୁସିରେ ବାନ୍ଧିପାରିବ।ତାପରେ ସେ ବୟସ୍କମହିଳା ଆସି ସୋନାଲି ପାଖରେ ବସିଲେ,ତାକୁ କହିଲେ ଆରେ ମା' କଣ ଭାବୁଛୁ ବସି 'ତୋର କଣ ଆମକୁ ପଚାରିବାର ଅଛି ? ଆମ ବିଷୟରେ ତୋର କିଛି ଜାଣିବାର ନାହିଁ । ସମ୍ଭବତଃ ଏ ପୁଅର ମା ।ସୋନାଲି କୁ ପୁଣି ପ୍ରକୃତିସ୍ଥ କରିକହିଲେ ମୁ୍ଁ ପୁଅର ମା।
ସୋନାଲି ଭାବୁଥାଏ ଏ କଣ ହେଉଛି ତା ସହ।ମୁ୍ଁ ଯାହା ଶୁଣୁଛି ଆଉ ଦେଖୁଛି ସବୁ ସତ କି ନା!ମୋ ପାଇଁ କଣ କିଛି ପ୍ରଶ୍ନ ନାହିଁ ।ସେ ନିଜେ ପଚାରିବ ତାର କଣ ଜାଣିବାର ଅଛି!
ୟା ଭିତରେ ପୁଅ ମା ସମସ୍ତଙ୍କୁ ଚିହ୍ନାଇବା ଆରମ୍ଭ କରିଦେଲେଣି।ଖୁବ୍ ସହଜ ହୋଇଆସୁଥାଏ ପରିସ୍ଥିତି ।ସମସ୍ତଙ୍କ ଭିତରେ କିଛି ଗପଟପ ହୋଇଆସୁଥାଏ।ସୋନାଲି କୁ କଣ ଭଲ ଲାଗେ ବୋଲି ସମସ୍ତେ କଥା ଛଳରେ ପଚାରିଦେଉଥାନ୍ତି। ସୋନାଲି କୁ ଏ ଖୋଲା ବହିର ପ୍ରଶ୍ନ ସବୁ ଖୁବ୍ ଭଲଲାଗୁଥାଏ।ସେ ଭାବିପାରୁନଥାଏ ଏସବୁ ତା ଆଖି ଆଗରେ ଘଟିଯାଉଛି।ଖୁବ୍ ଗୋଟେ ଖୁସିରେ କଥା ଛଳରେ ସେ ବି କହିପକେଇଲା ମୋତେ କିଛି ରୋଷେଇ ଆସେନି ।ହାର୍ଡଲି କଫି କି ମ୍ୟାଗି ଟେ ବନେଇ ପାରିବି।ପୁଅ ମା ସୋନାଲିର ମୁଣ୍ଡ ରେ ହାତ ରଖି କହୁଥଆନ୍ତି ମୋ ପୁଅକୁ ରୋଷେଇ ଆସେ । ବାହାରେ ରହିଲେ ମଧ୍ୟ ସେ ନିଜେ ରୋଷେଇ ବାସ କରିପାରେ।ସେ ତୋତେ ଶିଖେଇ ଦେବନି । ଏଈ ଗୋଟେ କଥା।ନା କଣ କଣ କହୁଛୁ ସୁମିତ୍ ପୁଅ ମା ପୁଅ ହାତ ହଲେଇ କହୁଥାନ୍ତି।
ସମସ୍ତେ ଏକା ସାଙ୍ଗେ ହସି ଉଠିଥିଲେ ଏ କଥା ଶୁଣି।
ତାହେଲେ ଆଉ ଡେରି କାହିଁକି
ଶୁଭସ୍ୟ ଶୀଘ୍ରମଂ
------------------
ବୀଣାପାଣି ପ୍ରଧାନ