ଡିବିରି
ଡିବିରି
ବନଜା ଦେଈକି ଦେଖିଲେ କେହି କହିବେନି ସେ ୬୦ ବର୍ଷର ଜଣେ ବୃଦ୍ଧା ବୋଲି । ହାତଗୋଡ ସହ ମୁଣ୍ଡବି ପ୍ରଖର କାମ କରେ। ସବୁ ଜାଣିବାରେ ତାଙ୍କର ବହୁତ ଆଗ୍ରହ ,ଅତି ନିକଟରୁ ଦେଖିଥିବା ଲୋକଟିଏ ହିଁ ବୁଝିପାରିବ ତାଙ୍କର ପାରଙ୍ଗମତା ,କୌଣସି ଗୁଣରେ ସେ ସାମଲ ପିଉସାଙ୍କଠାରୁ କମ୍ ନୁହେଁ।
ସାମଲବାବୁ ଡାକ୍ତର ହେଲେ କଣ ହେବ ,ବନଜା ଦେଈ ତାଙ୍କଠାରୁ ଢେର ପରୋପକାରୀ,ଉଦାରମନା,ପରିଶ୍ରମୀ।ଥରେ ନିଜକଥା କହୁ କହୁ ମୋତେ ବନଜା ଦେଈ କହିଲେ ନାରୀ ତା ଜୀବନର ସୁଖ କେବଳ ତ୍ୟାଗ କରିଦେଇପାରିଲେ ହିଁ ସମସ୍ତଙ୍କୁ ସୁଖୀ କରିପାରେ।
ସ୍ୱାଧୀନତାକୁ ଅନ୍ୟହାତରେ ସମର୍ପି ଦେଲାପରେ ସେ ଶୃଙ୍ଖଳିତ ଜୀବନ ବିତେଇପାରେ,ନହେଲେ ସମାଜର ଆଙ୍ଗୁଠି ପ୍ରଥମେ ନାରୀ ଉପରକୁ ଉଠିଯାଏ ଅତି ସହଜରେ . ସେ ଚକ୍ଷୂଶୀଳ ହୁଏ ବିନା ଦୋଷରେ । ଅବଶ୍ଯ ଆଜିକାଲି ବହୁତ ବଦଳିଗଲାଣି ଦୁନିଆଁ ଆମେ ତ୍ୟାଗ କରି ଶିଖିଥିଲୁ ନିଜର ଆଖି ଲୁହକୁ ଧାରଣ କରିବାର ସାହସ ପାଇଥିଲୁ।ନିଜେ ଜଳି ଆଲୋକିତ କରିଥିଲୁ ପଥ।
ଏବେ ସମସ୍ତେ ନିଜର ସାମର୍ଥ୍ଯ ଦେଖେଇବାରେ ଏତେ ବ୍ୟସ୍ତ ଯେ ନିଜର ଦାୟିତ୍ୱ,କର୍ତ୍ତବ୍ଯ କୋଉଠି ଛାଡିଛନ୍ତି ଭୁଲିଗଲେଣି।ବନଜା ଦେଇଙ୍କ ମୁହଁରୁ ଏସବୁ ମୋତେ ଭଲଗୁନଥିଲା । ଏତେ ଉନ୍ନତ ଚିନ୍ତାଧାରାକୁ ଧରିରଖିଥିବା ମଣିଷଟି ଆଜି କାହିଁକି ଏମିତି କଥାକୁ ନିଜ ମନରେ ପ୍ରଶୟ ଦେଇଛି ମୁଁ ଭାବୁଥାଏ। କେତେଟା ଦୀର୍ଘଶ୍ବାସ ତାଙ୍କ ଛାତିଦେଇ ବାହାରି ଗଲା।
ସେଇଠୁ ବନଜା ଦେଇ କହିଲେ ନବମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କର ବାହାଘର ସାମଲ ବାବୁଙ୍କ ସହ ହୋଇଥିଲା । ପାଠପଢାରେ ପ୍ରବଳ ଆଗ୍ରହୀ ଥିଲେ ମଧ୍ୟ, ସେ ବାଳିକା ବଧୂ ହୋଇ ଆସିଥିଲେ ୧୧ଜଣିଆ ଗୋଟେ ପରିବାରକୁ । ଯେଉଁଠି ସେ ଘରର କାମ ତାଙ୍କର ପ୍ରାଥମିକ କର୍ତ୍ତବ୍ଯ ଥିଲା। ସମସ୍ତଙ୍କ ଦାୟିତ୍ୱ ନେବା ,ସେବା ଶୂଶ୍ରୁଷା କରିବା ବୟୋଜେଷ୍ଠ ବ୍ୟକ୍ତି ମାନଙ୍କର ତାଙ୍କର ନିତିଦିନର କାମଥିଲା।
ତା ସତ୍ତ୍ୱେ ସେ ଦିନରେ କାମସାରି ,ବେଳ ଦେଖି ପାଠ ପଢୁଥିଲେ,କାହାକୁ କେବେ ତାଙ୍କ ନାମରେ ଆପତ୍ତି ଆଣିବାକୁ ଦେଇନଥିଲେ। ସବୁକାମକୁ ନିଜେ ଶିଖି କରିବା ପାଇଁ ସେ କେବେ ପଛାନ୍ତିନି ।ମନ କେବଳ ପାଠପଢି ସ୍ୱାମୀଙ୍କ ପରି ଡାକ୍ତର ହେବେ।ନିଜ ଜୀବନକୁ ମାନବସେବାରେ ଉତ୍ସର୍ଗ କରି ସାର୍ଥକ କରିବେ ତାଙ୍କ ଜୀବନକୁ।ଶାଶୁ ଶଶ୍ୱୁରଙ୍କ କେବେ ଅବହେଳା କରିବେନି । ଭାବି ସମସ୍ତ ନିଷ୍ପତ୍ତିକୁ ଆଦରି ନେଇଥିଲେ।
ଏଇମିତି ଦ୍ୱାଦଶ ଯାଏଁ ସରିଲା ,ବହୁତ ଭଲ ଭାବରେ କୃତକାର୍ଯ୍ୟ ହେଲେ ଡାକ୍ତରୀ ପ୍ରବେଶିକା ପରିକ୍ଷାରେ,ସମସ୍ତେ ବହୁତ ଖୁସି ହୋଇଥିଲେ ତାଙ୍କ କୃତକାର୍ଯ୍ୟ ପାଇଁ,ବହୁତ ଆଦର ଦେଇଥିଲେ ଏମିତି ଗୁଣୀ ବୋହୂ ପାଇଁ ।
ଏହି ପ୍ରଶଂସା ସହ ତାଙ୍କୁ ମିଲିଥିଲା ଆଉ ଗୋଟିଏ ବିସ୍ମୟକର ସୂଚନା "ସେ ଆଗକୁ ପଢିପାରିବେ ନାହିଁ "ତାହା ତାଙ୍କ ସ୍ୱାମୀଙ୍କ ଇଚ୍ଛା । ସେ ଡିବିରି ହୋଇ ଆଲୋକିତ କରିବେ ସାମଲ ବାବୁଙ୍କ ଚାରିକାନ୍ଥରେ ନିବୁଜ ପରିଧୀକୁ । ତା ପରେ ତାଙ୍କ ପାଇଁ ଲକ୍ଷ୍ମଣ ରେଖା ଟଣା ହୋଇଥିଲା,ସୁନା ମିରିଗର ପ୍ରଲୋଭନରେ ସେ ଯଦି ଡେଇଁଯିବେ ଏରୁଣ୍ଡି ତାହାଲେ ସବୁଦିନ ପାଇଁ ସେ ହେବେ ନିର୍ବାସିତ । ସବୁଆଡକୁ ଦେଖି ବନଜା ଦେଈ ସେଇଠି ବନ୍ଦିନୀ ହୋଇଗଲେ ।ଚାରିପଟେ ଆସୁରିକ ଶକ୍ତି ଘେରି ବସିଥିଲେ ବି ସେ ବେଶ୍ ସୁରକ୍ଷିତ ସେ ଚାରିକାନ୍ଥ ଭିତରେ ଭାବିଥିଲେ ସେଦିନ ।ତା ବାହାରେ ସେ ଖୋଲାପବନରେ ହଜିଯିବେ ସତ, ହେଲେ ବିଷାକ୍ତ ଦୃଷ୍ଟି ଆଉ ସୁରକ୍ଷାର ପରିଧି ଖୋଜିଲେ ତାଙ୍କ ଆଖି ଲେଉଟିପଡୁଥିଲା ।ତାପରଠୁ ସେଇଠି ତାଙ୍କ ସୂର୍ଯ୍ୟଦୋୟ ସେଇଠି ସୂର୍ଯ୍ୟାସ୍ତ ,ଆଉ ଅନ୍ଧାର କିଟିମିଟି ରାତି।
ରାତି ପାହେ ସକାଳ ହୁଏ ସକାଳରୁ ପୁଣି ସଞ। ସେ ମା ହୋଇ ପିଲାଙ୍କୁ ଦିଗ ଦେଖେଇଲେ ତାଙ୍କ ସନ୍ତାନ ମାନଙ୍କ ପାଇଁ ପଥ ତିଆରି କଲେ ଅତିକ୍ରମ କରିବାକୁ ଏ ଦୁର୍ଭେଦ୍ୟ ମାନସିକତାକୁ । ସାମାଜର ଏପରି ସଂକୀର୍ଣ୍ଣତାକୁ ସେ ବିଜୟୀ ହେଲେ ମଧ୍ୟ। ତାଙ୍କ ଉଦ୍ୟମ ସଫଳ ହେଲା।ହେଲେ ସେ କଣ ଆଜି ବି ଡିବିରି ନୁହଁ ଯାର ଆଲୋକ କେବଳ ବୃତ୍ତ ଭିତରେ ସୀମିତ।
ଆଲୋକ କହିଲେ ସୂର୍ଯ୍ୟକୁ ସମସ୍ତେ ବୁଝନ୍ତି ଡିବିରର ମହତ୍ତ୍ବ କେବଳ ଅନ୍ଧାରରେ ପହଁରୁଥିବା ଲୋକକୁ ସିନା ଜଣା ପଡେ ସୂର୍ଯ୍ୟ ପାଖରେ କଣ ତାର ମୂଲ୍ୟ କଷା ଯାଇପାରେ ! ଏମିତି ଡିବିରିରୁ ତେଲ ସରେ କୋଣରେ ପଡିରହେ ,ନୂଆ ଲ୍ୟାମ୍ପ ଆସିଲେ ତା କଳା କୁ କିଏ ଘସି ସଫା କରେ ସେ ସେମିତି କୋଣ ମୁଣ୍ଦରେ ପଡିରହେ । ନିହାତି ଅଦରକାରୀ ପରି ମସିହା ମନରେ ,ମସିହା ଦେହରେ ,କେବଳ ଜୀବନସାରାର ବୁନ୍ଦେ ଲୁହକୁ ଆଖିରେ ମାରି ।
ବନଜାଦେଇ କହୁଥିଲେ ଦେଖ କାଲି ପିଲା ଯାହା ଥିଲେ ଆଜି ସେଇଆ ନୁହନ୍ତି । ଆମେ ପରିବାରକୁ ସର୍ବସ୍ୱ ଭାବୁଥୁଲୁ ଏବେ ସେମାନେ ନିଜ ଜୀବନକୁ ନିଜ ସମୟକୁ ,ନିଜର ସ୍ୱପ୍ନକୁ । ସେମାନେ ପର ଲାଗିଲେ ଉଡନ୍ତି ,ବସା ଛାଡନ୍ତି , ଆଉ ପଛକୁ ଦେଖନ୍ତିନି କିଏ କୋଉଠି ପଡିଛି। ଏଇ ପୁଅ ବୋହୁ ହାଇଅର୍ ଷ୍ଟଡିଜ୍ ପାଇଁ ଆମେରିକା ଗଲାପରେ କେଇ ବର୍ଷ ହୋଇଗଲାଣି କେବେ କାଁ ଭାଁ ଫୋନରେ ପଦେ ଅଧେ ଫୋନ୍ ରେ ଭଲମନ୍ଦ ପଚାରି ବୁଝନ୍ତି। ହେଲେ ମୁଁ ତାଙ୍କୁ ବନ୍ଦିନୀ କରି ରଖିବାକୁ ଚାହେଁନି ,ସେ ଉଡୁ ଦେଖୁ ଏ ଆକାଶ କେମିତି ହାତ ଠାରେ, ମଣିଷ ଭିତରେ କେମିତି ଜୀବନଥାଏ ,କେବଳ ମଣିଷ ଅନ୍ୟ ପାଇଁ ବଞ୍ଚିବାକୁ ଆସିନି ,ନିଜ ପାଇଁ ବି ବଞ୍ଚେ।