ପ୍ଲାଟଫର୍ମ
ପ୍ଲାଟଫର୍ମ
ଅନେକ ବର୍ଷ ତଳର କଥା ଏକ ଫଗୁଣ ମାସର ସକାଳୁ ସକାଳୁ ଆମେ ବାହାରିଥାଉ ଏକ ଟ୍ରେନ ଯାତ୍ରାରେ।ଘରୁ ଗୋଡ କାଢିଲା ପରେ ଜଣା ପଡିଲା ବାହାର ପୃଥିବୀ ନିଜକୁ କେତେ ରୂପରେ ସଜାଇ ହେଲାଣି।ଆମ୍ବଗଛ ମାନଙ୍କରେ ବଉଳର ସମ୍ଭାର।ଅନ୍ୟଗଛମାନେ ବି ପତ୍ରଝଡା ପରେ ନବନବ କିଶଳୟରେ ସଜାଇ ହେଇ ଶବୁଜଶ୍ରୀ ଧାରଣ କରିଛନ୍ତି।ମହୁଲ ଶାଳ ଚାର ଗଛମାନେ ବଉଳରେ ଲଦିହେଇ ମହକାଇ ଦେଉଛନ୍ତି ଆଖପାଖ ଅଞ୍ଚଳକୁ।
ପେନ୍ଥା ପେନ୍ଥା କଢି ଓ ଫୁଲରେ ଭର୍ତି ହେଇଛି ମଧୁମାଳତୀ ଓ ଭିନ୍ନଭିନ୍ନ ପ୍ରକାର ଫୁଲଗଛ ଓ ଲତା ସମୂହ।ଅଦୂର ବଣ ଭିତରୁ କୁଆଡୁ ଭାସି ଆସୁଛି
ପରଭୃତ୍ୟର କୁହୁକୁହୁ ମଧୁବୋଳା ସ୍ବର।ଶୀତର ଉପସ୍ଥାନ ଏବେ ବି ପଡୁଛି।ଧରା ଛାଡିବାର ଉପକ୍ରମରେ ଅଛି ସତ ହେଲେଏବେ ଯାଏ ପୂରା ଛାଡି ଯାଇନି।ଧରଣୀ କୁ ଛାଡିଯିବାର ମୋହ ଏବେ ବି ବାଟ ଓଗାଳି ଟାଣି ଧରୁଛି ତାକୁ।ଏପଟେ ବସନ୍ତର ରାଜୁତିର ସମୟ ଆସି ଯାଉଛି।ବସନ୍ତ ପଞ୍ଚମୀ ମାତ୍ର ଆଉ କେତେ ଦିନ ବାକି।ମଳୟ ତାର ଉନ୍ମାଦଭରା ପରଶରେ ମତୁଆଲା କରିଲାଣି ପୃଥିବୀବାସୀଙ୍କୁ।ଫୁଲଙ୍କର ବାସ୍ନାଧରି ମହକିତ କରିବାକୁ ଲାଗିଛି ଧରଣୀ କୋଳକୁ।
ଏକ ଆବେଗମୟ ଜୀବନ ବଞ୍ଚୁଛନ୍ତି ଏବେ ସମସ୍ତେ।ହେଲେ ସଭିଙ୍କ ଜୀବନରେ ସମାନ ସୁଖ ନାହିଁ।ଏବେବି ଅନେକ ଅନାଥ ଗୃହତ୍ୟାଗି ମୁଠାଏ ଖାଦ୍ୟର ଯୋଗାଡରେ ରେଲଷ୍ଟେସନରେ ଭିକ ମାଗୁଛନ୍ତି।ଛୋଟଛୋଟ ପିଲାମାନେ ହାତ ପାତୁଛନ୍ତି ରେଲ ଅପେକ୍ଷାରେ ବସିଥିବା ଯାତ୍ରୀଙ୍କ ପାଖରେ ଷ୍ଟେସନରେ ସବୁ ପ୍ରକାର ଗୁଣ୍ଡା ଆତତାୟୀ ଆଉ ଖଳ ଲୋକଙ୍କର ବାସସ୍ଥାନ।ଯେତେ ଯାକ ଅସାମାଜିକ ତତ୍ତ୍ବଙ୍କ ରହଣୀ ଓ ଆସିବା ଯିବା ଚାଲିଥାଏ ସେଠି।କେତେ ଯୁବତୀ ଚାଲାଣ ହେବାର ଦେଖିଛି ଏ ରେଲ ଷ୍ଟେସନ।କେତେ ଗରିବ ମୁହଁଶୁଖାଇ ଭିଟାମାଟିଛାଡି ଏ ଷ୍ଟେସନରୁ ରେଲରେ ଉଠିଛନ୍ତି |କିଏ ହାଇଦ୍ରାବାଦ ତ କିଏ ସୁରଟ ଅଭିମୁଖେ ଦାଦନ ଖଟିବା ପାଇଁ।ଦି ପଇସା ରୋଜଗାରର ର ଭରଷାରେ ପଛରେ ଛାଡି ଯାଇଛନ୍ତି ବିବାହିତ ଯୁବତୀ ପତ୍ନୀ ଛୋଟଛୋଟ ପିଲାଛୁଆ ବୃଦ୍ଧ ବାପାମାଆଙ୍କୁ।ଆଉ ସେଠି ଯାଇ କେତେ ନିର୍ଯାତିତ ହେଇଛନ୍ତି।ଦୁୁଇ ପଇସା କମାଣି ବଦଳରେ କିଏ ହାତକଟା ହେଇ ଫେରିଛି ତ କିଏ ଗୋଡ ଭଙ୍ଗାହେଇ।ଦଲାଲ ଓ ମାଲିକର ଅତ୍ୟାଚାରର ଶିକାର ହେଇଛନ୍ତି ଗରିବ ଅସହାୟ ଶ୍ରମିକ ମାନେ।କଠିଣ ପରିଶ୍ରମ ଓ ଅର୍ଦ୍ଧ ଆହାରରେ ରହି ଅକାଳ ବାର୍ଦ୍ଧକ୍ୟର ଶିକାର ହେଇ ଯାଇଛନ୍ତି।କିଏ କିଏ ଅନେେକ ରୋଗ ଧରି ଫେରିଛନ୍ତି ନିଜ ସହ।ଆଉ ଅଜାଣତରେ ବୁଣି ଦେଇଛନ୍ତି ପରିବାର ଭିତରେ।
କେତେଯେ ନ ଦେଖିବା କଥା ଦେଖିଛି ଏ ପ୍ଲାଟଫର୍ମ ଟି।
ଏଠି ରାତିରେ ଭିକାରୁଣୀ ଯୁବତୀ ନିତି ଯୌନ ଅତ୍ୟାତାରର ଶିକାର ହୁଏ ମଦୁଆ ଅମଣିଷ ମାନଙ୍କ ଦ୍ବାରା।କୁଆଁରୀ ଝିଅ ପିଲା ଜନ୍ମ କରେ।ଆଉ ଦୁଇଟା ଅସହାୟ ଜୀବନ ତାରି ଚଟାଣରେ ଗଡୁଥାଏ ଭୋକ ଶୋଷରେ।ହାତ ପାତିଲେ କିଏ ଟଙ୍କାଟେ ଦିଏ ତ କିଏ ଖୁଚୁରା ନାହିଁ କହି ଟାଳିଯାଏ।
ଏ ହିନିମାନଙ୍କ ଅନ୍ତରବେଦନା ର ମୁକସାକ୍ଷୀ କେବଳ ଏଇ ପ୍ଲାଟଫର୍ମ।ଯିଏ ଏମାନଙ୍କ ଦୁଃଖ ଦେଖେ ବୁଝେ ହେଲେ ତାର ସାହାଯ୍ୟ କରିବାର ଜୁ ନଥାଏ ।
ଆମେ ସ୍ବାମୀ ସ୍ତ୍ରୀ ଏକ ଚା ଠେଲାରେ ବସି ସକାଳ ଶୀତକୁ ତଡିବା ପାଇ ଦୁଇକପ ଚା ମଗାଇ ସୁଡୁକା ମାରିବାକୁ ଲାଗିଥାଉ।ସେତେବେଳେ ଦୁଇଟା ଛୋଟ ଛୁଆ।ଛିଣ୍ଡା ମଇଲା ଲୁଗା ପିନ୍ଧି ମାଗିବାକୁ ଆସିଗଲେ।ମୋର ସ୍ବାମୀ ବିରକ୍ତ ହେଇ କହିଲେ ସକାଳୁ ସକାଳୁ ଏ ଅଶୁଭ ଗୁଡାକ ଆସି ସାମନାରେ ପଡିଗଲେଣି।କେଜାଣି ଆଜି ଦିନଟା କେମିତି ଯିବ।ମୁଁ କହିଲି ସେମିତି କାହିଁ ଭାବୁଛ।ସେମାନେ ବି ମଣିଷ।ଅଭାବରେ ପଡି ମାଗୁଛନ୍ତି।ମୁଁ ପିଲା ଦୁଇଟାଙ୍କ ପାଇ ଦୁଇକପ୍ ଚା ଓ ବିସ୍କୁଟ ପେକେଟ
ଗୋଟିଏ ଦୋକାନୀ ପାଖରୁ ମଗାଇ ଦେଲି।ସେମାନେ ସେତକ ନେଇ ଚୁସ୍କି ମାରି ଚା ପିଇଲା ବେଳେ ତାଙ୍କର କରୁୁଣ ନିରୀହ ମୁହଁକୁ ମୁଁ ନିରେଖି ଦେଖୁଥାଏ।ଛୁଆ ଦୁଇଟି ଭଲ ଗଢଣର ଥିଲେ। ଖରାରେ ବୁଲିବୁଲି ରଙ୍ଗଟିକେ ତମ୍ବାଳିଆ ପଡି ଯାଇଥିଲା। ଆଖି ମାନଙ୍କରେ ଏକ ନରୀହ ଭାବ ଉକୁଟି ଉଠୁଥାଏ।ଯଦି ଏମାନେ କୋଉ ଧନୀଘରେ ଜନ୍ମ ହେଇଥାନ୍ତେ ଏ ଆଖିରେ କେତେ ଚଞ୍ଚଳତା ଓ ଦୁଷ୍ଟାମି ଛଲକୁଥାନ୍ତା।ବାଲ୍ୟ ଚପଳତାରେ ଘର କମ୍ପାଉଥାନ୍ତେ।ହେଲେ ଏ ଦୁହିଜଣଙ୍କ ବଢିଲା ନଈରେ ବନ୍ଧ ପଡିଗଲେ ଯେମିତି ସୁଅ ସ୍ଥିର ପଡିଯାଏ ସେମିତି ସ୍ଥିର ପଡିଯାଇଥିଲା ତାଙ୍କ ବାଳ ଚପଳତା।
ଧୈର୍ଯ୍ୟ ଓ ଶହନଶୀଳ ହେଇ ଯାଇଥିଲେ।ଯିଏ ପଦେ ଗାଳି କରିଦେଲେବି ପ୍ରତିକ୍ରିିୟା ହିନ ହେଇ ଚାଲି ଯଉଥିଲେ ଆଉ ଜଣକ ପାଖକୁ ମାଗିବାକୁ।ସେମାନେ ବିସ୍କୁଟ ଖାଇ ଚା ପିଇଲାବେଳେ ତାଙ୍କ ବିଷୟରେ କିଛି ଜାଣିବାକୁ ମୋ ମନରେ ଉତ୍କଣ୍ଠାହେଲା।ମୁଁ ପଚାରିଦେଲି,ପିଲାଏ ତୁମର ବାପା ମାଆ କୁଆଡେ ?
ସାତବର୍ଷର ବଡ ବାଳକଟି କହିଲା ସମାନେ କେବେଠୁ ମରିଗଲେଣି। ମୋ ଭଉଣୀ ଦୁଇବର୍ଷର ହେଇଥିଲା ଯେତେବେଳେ ବାପା ମାଆଙ୍କ ଦୁର୍ଘଟଣା ହେଲା।ବାପା ମାଆଙ୍କ ଦେହାନ୍ତ ପରେ ମୋ କକା କାକୀ ଆମକୁ ଖାଇବା ପିଇବା ଦେଲେ ନାହିଁ।ଶେଷରେ ଭଉଣୀକୁ ଧରି ମୁ ଏଠାକୁ ଚାଲି ଆସିଲି।ଏଠି ରହିବାକୁ ଛାତଟେ ମିଳିଗଲା।ମାଗିବାକୁ ଯାତ୍ରୀମାନେ।କେହି କେହି ଦୟାଳୁ ବ୍ୟକ୍ତିଙ୍କ ଦାନରେ ଆମ ପେଟ ଆଉ ଅପୁରା ରହୁନି।ମୁଁ ପଚାରିଲି ତୁମକୁ ଏଠି କେତେ ଅସାମାଜିକ ଲୋକଙ୍କ ସହ ରହିବାକୁ ପଡୁଛି ଡର ଲାଗୁନି?
ପିଲାଟି ଏକ ଜାଗାଆଡେ ହାତ ଲମ୍ବାଇ କହିଲା।ସେଇ ବାବା ପାଖରେ ଆମେ ଆଶ୍ରା ପାଇଛୁ।
ମୋର ଗୋଡ ଆପେଆପେ ସେ ଅଜଣା ବ୍ୟକ୍କିଙ୍କ ଆଡେ ବଢିଗଲା।ମନରେ କୌତୁହଳ ଜାତ ହେଉଥାଏ କିଏ ସେଇ ମହାନ୍ ବ୍ୟକ୍ତି।ଯିଏ ଏ ଅନାଥ ମାନଙ୍କୁ ତା ଛତ୍ରଛାୟା ତଳେ ଆଶ୍ରୟ ଦେଇଛନ୍ତି।ହେଲେ ପାଖରେ ପହଞ୍ଚି ଆଶ୍ଚର୍ଯ୍ୟ ହେଇଗଲି।ସେ ଜଣେ ଭିନ୍ନକ୍ଷମ ଥିଲେ।ଗୋଡ ଦୁଇଟା ଆଣ୍ଠୁରୁ କଟା ହେଇଥିଲା କୌଣସି କାରଣରୁ।ତଥାପି ଏତେ ସହୃଦୟତା ତାଙ୍କ ଭିତରେ ରହିଛି।ଅନ୍ୟର ନିରାଶ୍ରୟ ପିଲାଙ୍କୁ ନିଜେ ଆଶ୍ରୟ ଦେଇଛନ୍ତି।ମୋ ମନରେ ତାଙ୍କ ପ୍ରତି ସମ୍ମାନ ଜାଗି ଉଠିଲା।ଏମିତି କେତେଜଣ ଭଲ ଲୋକଙ୍କ ପାଇଁ ଏ ସଂସାର ଚାଲିଛି।ମୁଁ କହିଲି ବାବା ତୁମେ ଏମିତି ଅବସ୍ଥାର ପିଲାଙ୍କୁ ସମ୍ଭାଳୁଛ କେମିତି?ସେମାନେ କଣ ତୁମ ନିଜ ଲୋକ।ଲୋକଟା କହିଲା।ରକ୍ତ ସଂପର୍କ ନହେଲେ କଣ ହେଲା ସେ ଆମ ଭିକାରି ସମ୍ପ୍ରଦାୟର ସନ୍ତାନ।ତାଙ୍କ ଦାୟିତ୍ବ ଆମ ଉପରେ।ଯଦି କେହି ଜଣେ ତାଙ୍କ ଦାୟିତ୍ବ ନ ନେବ ତାହେଲେ ଏ କଅଁଳ କଢି ଗୁଡାକ ଖରାପ ଅସାମାଜିକ ଲୋକଙ୍କ ହାବୁଡରେ ପଡିଯିବେ।ଝିଅଟାକୁ ନେଇ କୋଉଠି ବିକିଦେବେ ଯୌନ ନିର୍ଯ୍ୟାତନା ହେବ ତା ସହ।ଆଉ ପୁଅକୁ ନେଇ ଚୋରି ଡକାୟତି ଶିଖେଇବେ।ସେଥିପାଇଁ ମୋର ଛାଇତଳେ ଆବୋରି ଧରିଛି।ହେଲେ କେତେଦିନ?ମୋତେ ଅଶି ବର୍ଷ ହେଲାଣି କେତେବେଳେ ମରିଯାଇ ପାରେ।ମୋ ପରେ ପିଲାଙ୍କର କଣ ହେବ ସେଇ ଚିନ୍ତା ଘାରୁଛି।ମୁ ଭାବୁଥିଲି।ଦୁଇଟି ଅମଳିନ ପ୍ରତିଭା କେମିତି ରାସ୍ତାର ଧୂଳି ଚାଟୁଛନ୍ତି।ହୁଏତ ଏମାନେ ସୁଯୋଗ ପାଇଲେ ଜଣେ ଜଣେ ମହାପୁରୁଷ ହେଇ ଦେଖାଇଦେବେ ସମାଜକୁ।ମୁଁ ମୋର ଜଣେ ଦିଦିସହ ଫୋନରେ କଥା ହେଲି। ଯିଏ ଏକ ଏନ୍ ଜି ଓ ଚଳାନ୍ତି।ସେ ମୋ କଥାଶୁଣିବା ସଙ୍ଗେ ସଙ୍ଗେ ଲୋକ ପଠାଇ ତିନି ଜଣକୁ ଆଶ୍ରମକୁ ନେଇଗଲେ।ପିଲାମାନେ ପଢିବାର ସୁଯୋଗ ପାଇଲେ।ଏବର୍ଷ ଝିଅଟି ପ୍ଲସ୍ଟୁରେ ଟପ୍ପର ଭିତରେ ଅଛି।ଆଉ ପୁଅଟି ଭଲ କ୍ରିକେଟ ଖେଲୁଛି।ଅନ୍ତର୍ରାଷ୍ଟ୍ରିୟ ଖେଳରେ ନିଶ୍ଚୟ ସୁଯୋଗ ପାଇବ ବୋଲି ଆଶ୍ରମର ସମସ୍ତେ ଆଶା କରିଛନ୍ତି।ଯଦି ଆଶ୍ରମ ଆସିବାର ସୁଯୋଗ ମିଳିନଥାନ୍ତା ତାହେଲେ ଏମିତି ଦୁଇଟି ଗୌରବମୟ ପ୍ରତିଭା ହୁଏତ ଭିକ ମାଗୁଥାନ୍ତେ।
ଆଜିବି ରେଲ ଯାତ୍ରା କରିବାକୁ ବାହାରିଲେ ତାଙ୍କକଥା ମୋରମନେ ପଡେ।ପିଲାଙ୍କ ଉନ୍ଳତିର ମାଧ୍ୟମଟେ ବନିପାରିଥିବାରୁ ନିଜକୁ ଖୁସି ଓ ସନ୍ତୋଷ ମିଳେ।ସତରେ କାହା ପାଇଁ କଛି କରିପାରିଲେ ଯେଉଁ ସନ୍ତୋଷ ମିଳେ ସେମିତିଆନନ୍ଦ ଲକ୍ଷେଟଙ୍କା ପାଇଲେ ବି ମିଳେନି।ପିଲାମାନଙ୍କୁ କେବେ ଦେଖିବାକୁ ଗଲେ ସେମାନେ ଭଗବାନ ପରି ମାନନ୍ତି।ଯେବେ ଗଲେ ତାଙ୍କ ପାଇଁ ଡ୍ରେସ ଓ ଖାଇବା ଜିନିଷ ଧରିକି ଯାଏ।ପିଲାଏ ଖୁସିରେ ତାହା ଗ୍ରହଣ କରନ୍ତି।ତାଙ୍କରି ଭିତରେ ଏବେ ଏକ ଆତ୍ମବିଶ୍ବାସର ଦୃଢ ଭାବନା ଦେଖିପାରେ।ଦିନେ ଏହି ମୁଖରେ କେତେ ନିରୀହ ଓ କରୁଣ ଭାବ ଛାଇ ରହିଥିଲା।ଯା ହଉ ଆଜି ସେମାନଙ୍କ ହିନ ଭାବନା ଚାଲିଯାଇଛି।ସେ ମାନେ ନିଜକୁ ପ୍ରମାଣ କରି ଦେଖେଇ ପାରିଛନ୍ତି ଯେ ସେମାନେ ବି ଜଣେ ଜଣେ ଯୋଗ୍ୟ ନାଗରିକ ଏ ସମାଜର।
